ବାୟୋ ବବଲ୍‌ ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପୁରୀରେ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ। ରଥକାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ବାୟୋ-ବବଲ୍‌ର ଅର୍ଥ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଚାରିପଟେ ଏଭଳି ଏକ ସୁରକ୍ଷିତ ବଳୟ ବା ଅଦୃଶ୍ୟ କବଚ ସୃଷ୍ଟି କରାଯିବ, ଯେଉଁଠିକୁ ସଂକ୍ରମଣ ଭେଦ କରିପାରିବ ନାହିଁ। ଯେଉଁମାନେ ସେହି ବଳୟ ଭିତରେ ରହିବେ, ସେମାନଙ୍କୁ ଉଦ୍ଦିଷ୍ଟ ଏସ୍ଓପି ଗୁଡ଼ିକୁ କଡ଼ାକଡ଼ି ଅନୁସରଣ କରିବାକୁ ପଡ଼ିବ। ସେମାନେ ସଂକ୍ରମଣରୁ ବର୍ତ୍ତିବାକୁ ଘରକୁ ଯାଇପାରିବେନି। ସେହିପରି ପରିବାର ଲୋକ କିମ୍ବା ଅନ୍ୟ କାହାରି ସଂସ୍ପର୍ଶରେ ଆସିପାରିବେ ନାହିଁ। ସୂଚନାଯୋଗ୍ୟ, ରଥଖଳାରେ ନିୟୋଜିତ ୮୮ ଜଣ ସେବାୟତଙ୍କ ଭିତରୁ ୮ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଅଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସମ୍ବିତ ପାତ୍ରଙ୍କୁ ଟ୍ୱିଟର୍‌ର ଛାଟ, ଟୁଲକିଟ୍‌ ଟ୍ୱିଟକୁ ମିଳିଲା ‘ହେରଫେର’ ଟ୍ୟାଗ୍‌..!

ଏଥର ସମ୍ଭାଳ ବ୍ୟୁରୋ  (ନୂଆଦିଲ୍ଲୀ)- କରୋନା ମହାମାରୀ ବେଳେ ଯେଉଁ ତଥାକଥିତ ଟୁଲକିଟକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି, ତା’ ଉପରେ ଆଜି ଟ୍ୱିଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିତପାତ୍ର ଉକ୍ତ ଟୁଲକିଟ୍‌ କଂଗ୍ରେସ ଜାରି କରିଥିବା କହି ଟ୍ୱିଟ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ବଦନାମ କରିବା ପାଇଁ କଂଗ୍ରେସ ଷଡ଼ଯନ୍ତ୍ର କରୁଥିବା କଥା ଉଲ୍ଲେଖ ଥିବା ସମ୍ବିତ ଦାବି କରିଥିଲେ। ତେବେ ଟ୍ୱିଟର ଆଜି ସମ୍ବିତଙ୍କ ଟ୍ୱିଟ ଉପରେ ଆକ୍ସନ ନେଇଛି। ସମ୍ବିତ ପାତ୍ର କରିଥିବା ତଥାକଥିତ ଟୁଲକିଟ୍‌ ଟ୍ୱିଟକୁ ସଂସ୍ଥା ପକ୍ଷରୁ ମ୍ୟାନୁପଲେଟେଡ୍‌ ମିଡିଆ ବା ହେରଫେର କଣ୍ଟେଣ୍ଟ ବୋଲି କୁହାଯାଇଛି। ସମ୍ବିତ କରିଥିବା ଟ୍ୱିଟ ତଳେ ଏହି ଟ୍ୟାଗ୍‌କୁ ଯୋଡ଼ା ଯାଇଛି। ସମ୍ବିତଙ୍କ ଟ୍ୱିଟ ଉପରେ ହେରଫେଲ ଟ୍ୟାଗ ଟ୍ୱିଟର ଲଗାଇବା ପରେ ଏହା ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି। କାରଣ ଏହି ତଥାକଥିତ ଟୁଲକିଟ ଜରିଆରେ ଦଳ କଂଗ୍ରେସକୁ ଘେରିବା ପାଇଁ ଉଦ୍ୟମ କରିଥିଲା। କଂଗ୍ରେସ ଏହାକୁ ବିଜେପିର ଷଡ଼ଯନ୍ତ୍ର ଓ ଦଳର ନକଲି ଲେଟରହେଡ୍‌ ବ୍ୟବହାର କରି ବିଜେପି ନିଜେ ଏହାକୁ ପ୍ରସ୍ତୁତ କରିଛି ବୋଲି କହିଥିଲା। ଏଥିସହ ଟ୍ୱିଟରକୁ ବିଜେପି ନେତାମାନେ ଟୁଲକିଟ ସଂକ୍ରାନ୍ତରେ କରିଥିବା ଟ୍ୱିଟକୁ ହଟାଇବାକୁ ଦାବି କରାଯାଇଥିଲା। ଟ୍ୱିଟରର ନିୟମ ଅନୁଯାୟୀ, ଯଦି ଆପଣ କୌଣସି ବିଷୟବସ୍ତୁ ଉପରେ ସୂଚନା ଦେବାକୁ ଟ୍ୱିଟ କରିଛନ୍ତି, କିନ୍ତୁ ଏହାର ଉତ୍ସ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିନାହିଁ କିମ୍ବା ଏହା ଭୁଲ, ତା’ହେଲେ ଏଭଳି ଟ୍ୱିଟ, ଫଟୋ, ଭିଡିଓ ଉପରେ କମ୍ପାନୀ ଏପରି ମ୍ୟାନୁପଲେଟେଡ୍‌ ଟ୍ୟାଗ ଲଗାଇ ଥାଏ। ସୂଚନାଯୋଗ୍ୟ, ମେ’ ୧୮ରେ ସମ୍ବିତ ପାତ୍ର ଗୋଟିଏ ଟ୍ୱିଟ କରିଥିଲେ। ଏଥିରେ ସେ ଯୋଡ଼ିଥିବା ଗୋଟିଏ ବିଷୟବସ୍ତକୁ କଂଗ୍ରେସ ପ୍ରସ୍ତୁତ କରିଥିବା ଟୁଲକିଟ୍‌ ବୋଲି ଦାବି କରିଥିଲେ। ମହାମାରୀ ସମୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଛବିକୁ ଖରାପ କରିବାକୁ ଉଦ୍ୟମ କରୁଥିବା ସମ୍ବିତ ପାତ୍ର ଅଭିଯୋଗ କରିଥିଲେ। ଏହି ଟୁଲ୍‌କିଟ୍‌ରେ କଂଗ୍ରେସ ତା’ର କର୍ମୀମାନଙ୍କୁ କରୋନା ଭାଇରସର ବିଭିନ୍ନ ରୂପକୁ ମୋଦି ଓ ଇଣ୍ଡିଆନ ଷ୍ଟ୍ରେନ ଭାବେ ପ୍ରଚାର କରିବାକୁ କହିଥିଲା। ସେହିପରି କମ୍ଭକୁ କରୋନାର ସୁପର ସ୍ପ୍ରେଡର ଭାବେ ବିବେଚନା କରିବାକୁ କଂଗ୍ରେସ ଅଭିଯାନ ଆରମ୍ଭ କରିବାକୁ ଟୁଲକିଟରେ କହିଥିବା ସମ୍ବିତ ପାତ୍ର ଅଭିଯୋଗ କରିଥିଲେ। ତେବେ କଂଗ୍ରେସ ଏହାକୁ ମିଛ ବୋଲି କହିବା ସହ ରାଜସ୍ଥାନ ଓ ଛତିଶଗଡ଼ରେ ସମ୍ବିତ ପାତ୍ରଙ୍କ ସମେତ ‌ଅନ୍ୟ ବିଜେପି ନେତାଙ୍କ ନାଁରେ ଏଫଆଇଆର ରୁଜୁ କରିଛି।

‘ମୋ ବୁଥ, କରୋନା ମୁକ୍ତ’ ଅଭିଯାନ ଆରମ୍ଭ କରିବ ଯୁବ ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ କରୋନା ମୁକାବିଲାରେ ସହଯୋଗ କରିବା ପାଇଁ ‘ମୋ ବୁଥ-କରୋନା ମୁକ୍ତ’ ଅଭିଯାନ ଆରମ୍ଭ କରିବାକୁ ରାଜ୍ୟ ଯୁବ ବିଜେପି ନିଷ୍ପତ୍ତି ନେଇଛି। ଯୁବ ବିଜେପିର କର୍ମୀମାନେ ଗତକାଲିଠୁ ଘରକୁ ଘର ବୁଲି କରୋନା ସଂକ୍ରମିତ କି ନାହିଁ ସେ ନେଇ ସର୍ଭେ ଆରମ୍ଭ କରିଥିବାବେଳେ ‘ମୋ ବୁଥ-କରୋନା ମୁକ୍ତ’ ଅଭିଯାନରେ ସାମିଲ ହେବାକୁ ରାଜ୍ୟର ଯୁବବର୍ଗଙ୍କୁ ଆହ୍ୱାନ କରିଛି। ରାଜ୍ୟ ଯୁବ ବିଜେପି ସଭାପତି ଇରାସିସ୍ ଆଚାର୍ଯ୍ୟ କରୋନା ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ‘ମୋ ବୁଥ – କରୋନା ମୁକ୍ତ’ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟ୍‌କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଗୁରୁତ୍ୱ ଦେଇ ଦଳମତ ନିର୍ବିଶେଷରେ କୋଭିଡ୍ ଟେଷ୍ଟିଂ ଅଭିଯାନରେ ସମସ୍ତଙ୍କୁ ସାମିଲ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ଅନୁରୋଧ କରିଥିଲେ । କରୋନା ମହାମାରୀର ଦ୍ୱିତୀୟ ଲହରରେ ଓଡ଼ିଶାର ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଟ୍ରେସିଂ,ଟେଷ୍ଟିଂ ଓ ଟ୍ରିଟମେଂଟର ସର୍ବାଧିକ ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶା ସରକାର ଏଥିରେ ପଛୁଆ ଅଛନ୍ତି । ଆଜି ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମଇ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ମାତ୍ର ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି । ତେଣୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଗତକାଲି ଯୁବମୋର୍ଚ୍ଚାର ସଦସ୍ୟମାନଙ୍କୁ ‘ଡୋର୍ ଟୁ ଡୋର’ ସର୍ଭେ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ନିମ୍ନଧରଣର ଭିତ୍ତିଭୂମି କାରଣରୁ ସ୍ୱାସ୍ଥ୍ୟସେବାଠାରୁ କୋଷ ଦୂରରେ ଥିବା ସାଧାରଣ ଲୋକଙ୍କ ନିକଟକୁ ଯାଇ ଯୁବମୋର୍ଚ୍ଚା କର୍ମର୍ତ୍ତାମାନେ ସାବଧାନତାର ସହ ଇନଫ୍ରାରେଡ଼ ଥର୍ମୋମିଟର ଏବଂ ଅକ୍ସିଜେନ ମିଟର ନେଇ ଶରୀରର ତାପମାତ୍ରା ଓ ଅମ୍ଲଜାନ ସ୍ତର ମାପିଥିଲେ । ଓଡ଼ିଶାର ୩୬ଟି ସାଂଗଠନିକ ଜିଲ୍ଲାରୁ ୨୬ଟି ସାଂଗଠନିକ ଜିଲ୍ଲାରେ ଗତକାଲି ଏହି ଡୋର୍ ଟୁ ଡୋର ସର୍ଭେ ଆରମ୍ଭ ହୋଇ ଯାଇଥିଲାବେଳେ ଆଜି ମଧ୍ୟ ଅନେକ ସାଂଗଠନିକ ଜିଲ୍ଲାରେ ଏହି ପ୍ରକ୍ରିୟାର ଆରମ୍ଭ ହୋଇଛି । ଯୁବମୋର୍ଚ୍ଚାର ଏହି ପ୍ରଚେଷ୍ଟା ସାଧରଣ ଜନତାଙ୍କ ଦ୍ୱାରା ଆଦୃତ ହୋଇଛି । ଆଗାମୀ ଦିନରେ ଏହାକୁ ବୁଥସ୍ତରରେ ପହଂଚାଇବାକୁ ଯୋଜନା ନିର୍ଦ୍ଧାରିତ ହୋଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

 

କରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ କରୋନା ମହାମାରୀ ପରିସ୍ଥିତିକୁ ସଫଳ ଭାବେ ମୁକାବିଲା କରିବା ନିମନ୍ତେ ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକିବାକୁ କଂଗ୍ରେସ ଦାବି କରିଛି। ଏହାସହିତ କରୋନା ମୁକାବିଲା ନେଇ ବିଧାନସଭା ବାଚସ୍ପତି ଡାକିଥିବା ବିଧାୟକମାନଙ୍କ ବୈଠକ କେବଳ ଏକ ଲୋକଦେଖାଣିଆ ଓ ରାଜନୀତିକ ଚାପଗ୍ରସ୍ତ ଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କରୋନା ପରିସ୍ଥିତି ଉପରେ ଆଲୋଚନା ଓ ମୁକାବିଲା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଗତ ୧୫ମାସ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସର୍ବଦଳୀୟ ବୈଠକ ଡାକିବା ପାଇଁ ସେ ଚିଠି ଲେଖିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ପ୍ରଥମ ଲହର ସରିଲା, ଦ୍ୱିତୀୟ ଲହରର ପରିସ୍ଥିତି ଅଣଆୟତ୍ତ ଏବଂ ସଙ୍କଟଜନକ ସ୍ଥିତିରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ବାବଦରେ କୌଣସି ଇଛା ବ୍ୟକ୍ତ କଲେ ନାହିଁ । ତେଣୁ ଦ୍ୱିତୀୟ ଥର ପାଇଁ ରାଜ୍ୟର ଏଭଳି ସଂକଟମୟ ସ୍ଥିତିକୁ ଏବଂ ରାଜ୍ୟର ଜନସାଧାରଣଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ ଆଜି ଶ୍ରୀ ପଟ୍ଟନାୟକ ପୁଣି ଏକ ଚିଠି ଲେଖିଛନ୍ତି।  ଆଜି ପର୍ଯ୍ୟନ୍ତ ଏଭଳି ଗୋଟିଏ ଦିନ ମଧ୍ୟ ନାହିଁ ଯେ ଜଣେ ବ୍ୟକ୍ତି ନିଜର ଆତ୍ମୀୟ ସ୍ୱଜନକୁ ନ ହରାଉଛି। ଏଭଳିକି ସରକାରୀ ମୃତ୍ୟୁର ପରିସଂଖ୍ୟାନକୁ ମଧ୍ୟ ଲୋକ ବିଶ୍ୱାସର ସହ ଗ୍ରହଣ କରୁନାହାଁନ୍ତି। ଏଭଳି ଏକ ଘୋର ସଂକଟମୟ ପରିସ୍ଥିତିକୁ ଯେ କେବଳ ସରକାର ଏବଂ ସରକାରୀ କଳ ଆୟତ୍ତ କରିପାରିବେ, ସେଥିରେ ମୁଁ ସନ୍ଦିହାନ। ଏଭଳି ସଂକଟ ସମୟରେ ରାଜନୈତିକ ମତଭେଦକୁ ପଛରେ ପକାଇ ରାଜନୀତିରେ ଉର୍ଦ୍ଧ୍ୱରେ ରହି ସମାଜର ବିଭିନ୍ନ ବର୍ଗ ଏବଂ ଗୋଷ୍ଠୀଙ୍କୁ ନେଇ ଏପରିସ୍ଥିତିକୁ ମୁକାବିଲା କରିବା ଉଚିତ। ସରକାର ଏ ସମସ୍ତ ମୁକାବିଲା ପରିଚାଳନା କ୍ଷେତ୍ରରେ ନିଜେ ସମସ୍ତ ଦାୟିତ୍ୱ ନେବା ସହିତ ସମାଜର ସବୁବର୍ଗର ଲୋକଙ୍କର କଥା ଶୁଣିବାର ଆବଶ୍ୟକତା ରହିଛି । ବିଧାନସଭାର  ବାଚସ୍ପତି ଓଡିଶା ବିଧାନସଭାର ବିଧାୟକ ମାନଙ୍କୁ  ବିଶ୍ୱାସରେ ନେବାପାଇଁ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଆପଣ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଅତି ବିଡମ୍ବନାର କଥା ଏହି ସଭାକୁ ବହୁ ରାଜନୈତିକ ଦଳର ନେତୃବର୍ଗଙ୍କୁ ନିମନ୍ତ୍ରଣ କରାଯାଇନଥିଲା ତଥା ବହୁ ବିଧାୟକ ମାନେ ମଧ୍ୟ ଏ ବୈଠକରେ ଉପସ୍ଥିତ ନଥିଲେ । ବୋଧହୁଏ ଆପଣ ରାଜନୈତିକ ଚାପଗ୍ରସ୍ତ ହୋଇ ଆପଣଙ୍କର ଅନିଚ୍ଛା ସତ୍ତ୍ୱେ ଏଭଳି ଏକ ଲୋକ ଦେଖାଣିଆ ବୈଠକ ଡକାଇବାର ବ୍ୟବସ୍ଥା କରିଥିଲେ । ଯଦ୍ୱାରା ଆପଣ ଆପଣ ସମାଜର ବିଭିନ୍ନ ବର୍ଗର ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କର ସର୍ବସମ୍ମତ ନିଷ୍ପତି ଗ୍ରହଣ କରିବାର ଏକ ଲୋକଦେଖାଣିଆ ନାଟକଟି କରିଲେ । ତେଣୁ ସମୟ ନଷ୍ଟନକରି ସମାଜର ପ୍ରତିଷ୍ଠିତ ସାମାଜିକ କର୍ମୀ, ବିଶେଷଜ୍ଞ ଏବଂ ବିଭିନ୍ନ ରାଜନୈତିକ ଦଳର ଅଭିଜ୍ଞ ସଂପନ୍ନ ନେତୃବୃନ୍ଦମାନଙ୍କୁ ନେଇ ଏକ ସର୍ବଦଳୀୟ ବୈଠକ ଡାକନ୍ତୁ। ସମସ୍ତଙ୍କ ସହିତ ପୁଂଖାନୁପୁଂଖ ଆଲୋଚନା କରି ମହାମାରୀକୁ କିଭଳି ଭାବରେ ପ୍ରତିହିତ କରାଯାଇ ପାରିବ ସେଥିପାଇଁ ଏକ ସ୍ୱତନ୍ତ୍ର ସମୟ ଉପଯୋଗୀ ଏବଂ ବୈଜ୍ଞାନିକ ନୀତିନୀୟମ ଅନୁସାରେ ଏକ ଖସଡ଼ା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। କୋଭିଡ ମହାମାରୀ ରାଜ୍ୟରେ ଗ୍ରାମାଂଚଳ ଠାରୁ ଆରମ୍ଭ କରି ଅପହଂଚ ଅଂଚଳରେ ପଂହଚି ସାରିଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ସେ ତାଙ୍କ ଦଳ ତଥା ଆମ ଦ୍ୱାରା ଯାହାକିଛି ଆର୍ଥିକ ସହାୟତା କରାଯାଇ ପାରିବ ତାହା କରିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ଏହି ସମୟ ପ୍ରଂଶସା ସାଉଁଟିବା ବା ନିନ୍ଦା ବା ଅପବାଦ କରିବାର ସମୟ ନୁହେଁ। କିଭଳି ଆମେ ଆମ ଲୋକମାନଙ୍କୁ ଅଧିକ ଟୀକାକରଣ କରିପାରିବୁ ଏବଂ ଜନସାଧାରଣଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିପାରିବୁ ତାହାହିଁ ଏ ସମୟର ବଡ଼ ଆହ୍ୱାନ କହିବା ସହ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିର ଶୀଘ୍ର ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

ଖୁସି ଖବର! ଭାରତ-ନ୍ୟୁଜିଲ୍ୟାଣ୍ଡ ଫାଇନାଲ୍‌ ମ୍ୟାଚକୁ ଷ୍ଟାଡିୟମରେ ଦେଖିବେ ଦର୍ଶକ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଜୁନ୍ ୧୮ ତାରିଖରୁ ଇଂଲଣ୍ଡର ସାଉଥାମ୍ପଟନରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚକୁ ନେଇ ଏକ ବଡ଼ ଖୁସି ଖବର ମିଳିଛି । ଫାଇନାଲ୍ ମ୍ୟାଚରେ ଦର୍ଶକଙ୍କ ଉପସ୍ଥିତି ଦେଖିବାକୁ ମିଳିପାରେ । ଆୟୋଜକ କାଉଣ୍ଟି ହାମ୍ପଶାୟର ଏ ନେଇ ବିଚାର କରୁଛି। ଇଂଲଣ୍ଡରେ ଶେଷଥର ଲାଗି ୨୦୧୯ରେ ଦର୍ଶକ ସାମିଲ୍ ହୋଇଥିଲେ । ଗତ ସିଜନରେ ୱେଷ୍ଟଇଣ୍ଡିଜ୍‌, ପାକିସ୍ତାନ ଓ ଅଷ୍ଟ୍ରେଲିଆର ମୁକାବିଲା ଗୁଡ଼ିକ ବିନା ଦର୍ଶକରେ ଖେଳାଯାଇଥିଲା। ହାମ୍ପଶାୟର୍ କାଉଣ୍ଟି କ୍ଲବର ମୁଖ୍ୟ ରଡ୍ ବ୍ରାନ୍ସଗ୍ରୋଭ କହିଛନ୍ତି, ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଡବ୍ଲୁଟିସି ଫାଇନାଲ୍ ପାଇଁ ୪ହଜାର ଦର୍ଶକଙ୍କୁ ସାମିଲ୍ କରିବାକୁ ମଞ୍ଜୁରୀ ଦେଇଛି । ସେ କହିଛନ୍ତି, ଏହା ଏକ ବଡ଼ ମ୍ୟାଚ୍‌, ତେଣୁ ଏଥିରେ ଦର୍ଶକଙ୍କୁ ଆସିବା ପାଇଁ ଅନୁମତି ମିଳିଛି । ରଡ୍ କହିଛନ୍ତି, ଆମେ ଆଜିଠାରୁ ଚାରିଦିନିଆ କାଉଣ୍ଟି ମ୍ୟାଚର ଆୟୋଜନ କରୁଛୁ ଏବଂ ସେପ୍ଟେମ୍ବର ୨୦୧୯ ପରେ ପ୍ରଥମଥର ଦର୍ଶକଙ୍କୁ ଇଂଲଣ୍ଡରେ କାଉଣ୍ଟି ମ୍ୟାଚ୍ ଦେଖିବାକୁ ମିଳିଛି । ସିଜନର ବାକି କାଉଣ୍ଟି ମ୍ୟାଚ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ ଏବଂ ଏଥିରେ ମଧ୍ୟ ଦର୍ଶକ ଆସିବେ ବୋଲି ରଡ୍ କହିଛନ୍ତି। ବର୍ତ୍ତମାନ ଭାରତୀୟ ଟିମ୍ ମୁମ୍ବାଇରେ କ୍ୱାରେଣ୍ଟାଇନରେ ଅଛନ୍ତି। ଜୁନ୍ ୨ ତାରିଖରେ ଟିମ୍ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ବିରାଟ୍ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସାଉଥାମ୍ପଟନରେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବ । କିନ୍ତୁ ଟିମକୁ ଅଭ୍ୟାସ କରିବାକୁ ଅନୁମତି ମିଳିବ। ଭାରତୀୟ କ୍ରିକେଟ୍ ଟିମର ଖେଳାଳିମାନେ କରୋନା ଭାଇରସର ପ୍ରଥମ ଡୋଜ୍ ସ୍ୱଦେଶରେ ନେଇ ନେଇଛନ୍ତି। ଦ୍ୱିତୀୟ ଟିକା ଇଂଲଣ୍ଡରେ ହିଁ ନେବେ। ସୂଚନାଯୋଗ୍ୟ, କରୋନା ଯୋଗୁ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି । ଚଳିତ ବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦୁଇଟି ମ୍ୟାଚରେ ଦର୍ଶକଙ୍କୁ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିଥିଲା । କିନ୍ତୁ କରୋନା ବଢ଼ୁଥିବା ଦେଖି ବାକି ଦୁଇଟି ଟେଷ୍ଟ ପାଇଁ ଦର୍ଶକଙ୍କୁ ଅନୁମତି ମିଳିନଥିଲା।

ରାହୁଲ୍ ଡ୍ରାଭିଡ୍ ହେବେ ଟିମ୍ ଇଣ୍ଡିଆ କୋଚ୍…‌!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କିମ୍ବଦନ୍ତୀ କ୍ରିକେଟର୍ ରାହୁଲ୍ ଡ୍ରାଭିଡ୍ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଟିମର କୋଚ୍ ହେବେ। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଇଂଲଣ୍ଡରେ ବିରାଟ୍ କୋହଲିଙ୍କ ଟିମ୍ ସହ ରହିବେ। ଏହି କାରଣରୁ ରାହୁଲ୍ ଡ୍ରାଭିଡ ଭାରତୀୟ-ବି ଟିମର କୋଚ୍ ହେବେ। ୪୮ ବର୍ଷୀୟ ଡ୍ରାଭିଡ୍ ଏହା ପୂର୍ବରୁ ମଧ୍ୟ ସିନିୟର ଟିମ୍ ସହ ନିଜର ଅଭିଜ୍ଞତା ବାଣ୍ଟି ସାରିଛନ୍ତି । ୨୦୧୪ରେ ଇଂଲଣ୍ଡ ଗସ୍ତରେ ତାଙ୍କୁ ଭାରତୀୟ ଟିମର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି କରାଯାଇଥିଲା । ଡ୍ରାଭିଡ୍ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ର ମୁଖ୍ୟ ହେବା ପରଠାରୁ ଭାରତ-ଏ ଓ ଅଣ୍ଡର୍‌-୧୯ ଟିମ୍ ସହ ଗସ୍ତ କରିବା ବନ୍ଦ କରିଦେଇଥିଲେ । ମିଡିଆ ରିପୋର୍ଟ ମୁତାବକ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି, ଟିମ୍ ଇଣ୍ଡିଆର କୋଚିଂ ଷ୍ଟାପ୍ ୟୁକେରେ ରହିବେ। ଏଭଳି ସ୍ଥିତିରେ ଯୁବ ଭାରତୀୟ ଟିମକୁ ଡ୍ରାଭିଡଙ୍କ ମାର୍ଗଦର୍ଶନ ମିଳିବ, କାରଣ ସେ ଆଗରୁ ଭାରତ-ଏ’ର ଅଧିକାଂଶ ଖେଳାଳିଙ୍କ ସହ କାମ କରିସାରିଛନ୍ତି। ଏହାଦ୍ୱାରା ଖେଳାଳିଙ୍କୁ ଅତିରିକ୍ତି ଲାଭ ମିଳିବ। ବୋଲିଂ କୋଚ୍ ପାରସ ମହାମ୍ବ୍ରେ ସହକାରୀ ଷ୍ଟାଫର ସଦସ୍ୟ ରହିପାରନ୍ତି । ଭାରତୀୟ ଟିମରେ କିଛି ଯୁବ ଖେଳାଳି ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ଶିଖର ଧୱନ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ କେହିବି ଟିମର କ୍ୟାପଟେନ୍ ହୋଇପାରନ୍ତି । ଆୟର ଏବେ କାନ୍ଧଜନିତ ଆଘାତ ସମସ୍ୟାରୁ ମୁକୁଳି ପାରିନାହାନ୍ତି । ଶ୍ରୀଲଙ୍କା ଗସ୍ତ ବେଳକୁ ସେ ଫିଟ୍ ହୋଇଥିବେ କି ନାହିଁ, ତାହା ଦେଖିବାକୁ ବାକି ରହିଲା । ଡ୍ରାଭିଡ୍ ବର୍ତ୍ତମାନ ଏନସିଏର ନିର୍ଦ୍ଦେଶକ ଅଛନ୍ତି । ଡ୍ରାଭିଡ୍ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଅଣ୍ଡର୍‌-୧୯ ଓ ଭାରତ-ଏ ଟିମକୁ କୋଚିଂ ଦେଇଛନ୍ତି । ତାଙ୍କ କୋଚିଂରେ ଭାରତ ୨୦୧୬ରେ ବିଶ୍ୱକପର ରନର୍ସଅପ୍ ହୋଇଥିବା ବେଳେ ୨୦୧୮ରେ ଚାମ୍ପିୟନ୍ ହୋଇଥିଲା । ସୂଚନାଯୋଗ୍ୟ, ଶ୍ରୀଲଙ୍କା ଗସ୍ତ ପାଇଁ ଚଳିତ ମାସ ଶେଷରେ ଟିମ୍ ଚୟନ ହୋଇପାରେ । ଶ୍ରୀଲଙ୍କାରେ ଭାରତ ତିନୋଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବ। ଶ୍ରୀଲଙ୍କା ଗସ୍ତରେ ଭାରତ ପ୍ରଥମେ କ୍ୱାରେଣ୍ଟାଇନ୍ ପିରିୟଡରେ ରହିବ । ପ୍ରଥମେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁଲାଇ ୧୩, ୧୬ ଓ ୧୯ ତାରିଖରେ ଖେଳାଯିବ। ଏହା ପରେ ତିନୋଟି ଟି-୨୦ ମ୍ୟାଚ୍ ଯଥାକ୍ରମେ ଜୁଲାଇ ୨୨ରୁ ୨୭ ତାରିଖ ଭିତରେ ଅନୁଷ୍ଠିତ ହେବ।

ପୁଣି ବାତିଲ ହେଲା ଏସିଆ କପ୍…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କରୋନା ଭାଇରସର ପ୍ରଭାବ ଆଉଏକ ବଡ଼ ଟୁର୍ଣ୍ଣାମେଣ୍ଟ ଉପରେ ପଡ଼ିଛି । ଜୁନ୍ ମାସରେ ଶ୍ରୀଲଙ୍କାରେ ହେବାକୁଥିବା ଏସିଆ କପ୍ କରୋନା ଭାଇରସ କାରଣରୁ ବାତିଲ୍ କରିଦିଆ ଯାଇଛି । ଆୟୋଜକ ବୁଧବାର ଏହି ଘୋଷଣା କରିଛନ୍ତି । ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହେବାର ଥିଲା, କିନ୍ତୁ ସେତେବେଳେ ମଧ୍ୟ କରୋନା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଆଶଲେ ଡି’ ସିଲଭା କହିଛନ୍ତି, କରୋନା ଭାଇରସକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏସିଆ କପର ଆୟୋଜନ କରିବା ଉଚିତ୍ ହେବନି। ହୁଏତ ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ହୋଇନପାରେ, କାରଣ ସବୁ ଟିମ୍ ନିଜର କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରିସାରିଛନ୍ତି । ଲାଗୁଛି ଏସିଆ କପ୍ ୨୦୨୩ ବିଶ୍ୱ କପ୍ ପରେ ଆୟୋଜିତ କରାଯିବ । ଶୀଘ୍ର ଏସିଆ କ୍ରିକେଟ୍ ସଂଘ ଏହାର ଆନୁଷ୍ଠାନିକ ଘୋଷଣା କରିବ । ସୂଚନାଯୋଗ୍ୟ, ଦକ୍ଷିଣ ଏସିଆରେ କରୋନା ଭାଇରସ୍ ଅଧିକ ବ୍ୟାପିଛି । ଅନେକ ଦେଶର ବିମାନ ଚଳାଚଳ ବନ୍ଦ କରିଦିଆଯାଇଛି, ଯେଉଁ କାରଣରୁ ଏସିଆ କପକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏସିଆ କପ୍ ବାତିଲ୍ ହେବାର ବଡ଼ କାରଣ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ କୁହାଯାଉଛି । ଭାରତୀୟ ଟିମ୍ ଜୁନରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ, ଯେଉଁଠାରେ ଦଳ ଟାଇଟଲ୍ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଏସିଆ କପ୍ ଯଦି ଭାରତ ନଖେଳିବ, ତାହେଲେ ଏହା ଦ୍ୱାରା ଆୟୋଜକ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିଥାନ୍ତା ।

ଆଜିର ଅନୁଚିନ୍ତା – ରୁପା ମୁଦି ପିନ୍ଧିଲେ ବଦଳିପାରେ ଭାଗ୍ୟ

!!! ପ୍ରବଚକ .ଜଗଦୀଶ ପ୍ରସାଦ !!!

ମୁଦି ପିନ୍ଧିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ସୁନା, ରୁପା, ହୀରା ଓ ଅନ୍ୟ ଧାତୁନିର୍ମିତ ମୁଦି ସହ ଆଜିକାଲି ବହୁ ଷ୍ଟାଇଲିସ୍‌ ମୁଦି ମଧ୍ୟ ବଜାରରେ ମିଳୁଛି। ତେବେ ମୁଦି ପିନ୍ଧିବାବେଳେ କିଛି ଦିଗ ଉପରେ ନଜର ଦେଲେ, ଆପଣଙ୍କ ଭାଗ୍ୟ ବଦଳିଯିବାର ସମ୍ଭାବନା ମଧ୍ୟ ରହିଛି। ସବୁପ୍ରକାର ମୁଦିରୁ ଆପଣଙ୍କୁ ଶୁଭଫଳ ପ୍ରାପ୍ତି ହେବ ନାହିଁ। ଶାସ୍ତ୍ର ଅନୁସାରେ, ରୁପା ମୁଦି ପିନ୍ଧିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିପାରିବ। କେବଳ ରୁପା ମୁଦି ନୁହେଁ, ବରଂ ରୁପା ପାତ୍ରର ବ୍ୟବହାରରୁ ମଧ୍ୟ ବହୁ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା, ରୁପା ମୁଦି ପିନ୍ଧିବା ଓ ରୁପା ପାତ୍ର ବ୍ୟବହାର ଦ୍ୱାରା କିପରି ଭାଗ୍ୟ ବଦଳିଯାଏ।

  • ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରୁପା’ର ସମ୍ପର୍କ ବୃହସ୍ପତି ଏବଂ ଚନ୍ଦ୍ରଙ୍କ ସହ ରହିଛି । ଏହା ଆମ ଶରୀରରେ ଥିବା ଜଳ ଓ କଫକୁ ନିୟନ୍ତ୍ରଣ କରିଥାଏ।
  • ଶାସ୍ତ୍ର ଅନୁସାରେ, ରୁପା ଧନବୃଦ୍ଧି ସହ ଭାଗ୍ୟ ପରିବର୍ତ୍ତନରେ ମଧ୍ୟ ସହାୟକ ହୋଇଥାଏ।
  • କୁହାଯାଏ, ରୁପା ମୁଦି ପିନ୍ଧିଲେ,ଏହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରିଦିଏ। ଏହାଦ୍ୱାରା ସ୍ୱାସ୍ଥ୍ୟାଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
  • ଘରେ ରୁପାନିର୍ମିତ ପାତ୍ର ବ୍ୟବହାର କରୁଥିଲେ, ଏଥିରୁ ଫାଇଦା ମଧ୍ୟ ମିଳେ। ରୋଷେଇ ଘରେ ଅବା ଘରସଜ୍ଜାରେ ରୁପା ସାମଗ୍ରୀ ବ୍ୟବହାର କଲେ, ଏହା ଆପଣଙ୍କ ଜୀବନରେ ସକାରାତ୍ମକ ଭାବ ଭରିଦେଇଥାଏ।
  • ହାତର ଛୋଟ ଅଙ୍ଗୁଳିରେ ରୁପା ମୁଦି ପିନ୍ଧିଲେ, ଆପଣଙ୍କ ଜୀବନରେ ସକାରାତ୍ମକ ଭାବନା ମଧ୍ୟ ଜାଗ୍ରତ ହେବ। ଏହାର ପ୍ରଭାବରେ ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିବ। ରୁପା ମୁଦି ପିନ୍ଧିବା ଦ୍ୱାରା ନିଜ ରାଗ ଉପରେ ମଧ୍ୟ ଆପଣଙ୍କ ନିୟନ୍ତ୍ରଣ ରହିବ।
  • ଦୋକାନରୁ ରୁପା ମୁଦି କିଣିବା ପରେ କୌଣସି ଏକ ଗୁରୁବାର ଗୋଟିଏ ରାତି ପାଇଁ ଏହାକୁ ପାଣିରେ ପକାଇ ରଖନ୍ତୁ। ପରେ ଏହାକୁ ଆପଣ ନିଜ ଠାକୁର ଘରେ ରଖିବା ପରେ ନିଜ ଛୋଟ ଅଙ୍ଗୁଳିରେ ପିନ୍ଧି ନିଅନ୍ତୁ। ଦେଖିବେ, ଆପଣଙ୍କ ଭାଗ୍ୟ ବଦଳିଯିବ।
ଯୌନ ଉତ୍ପୀଡ଼ନରେ ଫସିଥିଲେ ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲ; ଦୋଷମୁକ୍ତ କଲେ କୋର୍ଟ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ତେହେଲକା ମ୍ୟାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୩ ମସିହା ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ମାମଲାରେ ଗୋଆ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅତିରିକ୍ତ ବିଚାରପତି ଜଷ୍ଟିସ କେ ଯୋଶୀ ମାମଲାର ଶୁଣାଣି କରି ତାଙ୍କୁ ୮ ବର୍ଷ ତଳ ମାମଲାରେ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ତୁରଣ ତେଜପାଲ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୋଆର ଗୋଟିଏ ହୋଟେଲର ଲିଫ୍ଟରେ ସେ ମହିଳା ସହଯୋଗୀଙ୍କୁ ସେକ୍ସୁଆଲ ଆସଲଲ୍ଟ କରିଥିବା ଅଭିଯୋଗ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଅଭିଯୋଗକୁ ଆଧାର କରି ଗୋଆ ପୁଲିସ୍‌ ତରୁଣଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା କରିଥିଲା। ୨୦୧୩ ନଭେମ୍ବରରେ ସେ ଗିରଫ ହୋଇଥିଲେ। କିନ୍ତୁ ୨୦୧୪ ଜୁଲାଇରେ ତାଙ୍କୁ ଜାମିନ ମିଳିଥିଲା। ୨୦୧୭ରେ ଗୋଆ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଏସବୁ ଭିତରେ ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବାକୁ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଶେଷରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ୨୦୧୯ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟ ତୁରଣ ତେଜପାଲଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଗୋଆ କୋର୍ଟ ଦୀର୍ଘ ବର୍ଷ ଧରି ମାମଲାର ଶୁଣାଣି କରିବା ପରେ ଆଜି ରାୟ ପ୍ରକାଶ କରିଛନ୍ତି।

ବଡ଼ ସଫଳତା: ୧୩ ନକ୍ସଲଙ୍କ ମୁଣ୍ଡ ଗଡ଼ାଇଲେ ସୁରକ୍ଷାକର୍ମୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ନକ୍ସଲଙ୍କ ବିରୋଧୀ ଅଭିଯାନକୁ ଆଜି ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ମହାରାଷ୍ଟ୍ରର ଗଡ଼ଚିରୋଲି ଅନ୍ତର୍ଗତ ଏଟାପାଲ୍ଲୀ ଜଙ୍ଗଲ ନିକଟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବାରୁ ଆଗକୁ ଆହୁରି ନକ୍ସଲଙ୍କ ମୃତଦେହ ମିଳିବ ବୋଲି ଆଶା କରାଯାଉଛି। ୧୩ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି। ଏବେ ସେମାନଙ୍କ ପରିଚୟ ଚିହ୍ନଟ କରିବା ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଏଟାପାଲ୍ଲୀ ଜଙ୍ଗଲ ନିକଟରେ ମାଓବାଦୀଙ୍କ ମେଳି କରିଥିବା ଖବର ମିଳିବା ପରେ ମହାରାଷ୍ଟ୍ର ପୁଲିସର ସି -୬୦ ୟୁନିଟ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ କରି ଖସି ଯିବାକୁ ଉଦ୍ୟମ କରିଥିଲେ। ହେଲେ ପୂରା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟରେ ଅନେକ ନକ୍ସଲ ପ୍ରାଣ ହରାଇଥିବା କୁହାଯାଉଛି। ପ୍ରାଥମିକ ଅବସ୍ଥାରେ ୬ ଜଣଙ୍କ ମୃତଦେହ ମିଳିଥିଲା। ପରେ ଏହି ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆଗକୁ ଆହୁରି ମୃତଦେହ ମିଳିବାର ସମ୍ଭବନା ରହିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ମହାରାଷ୍ଟ୍ରର ଗଡ଼ଚିରୋଲି ଅଞ୍ଚଳ ଛତିଶଗଡ଼ ସୀମାକୁ ଲାଗିଛି। ତେଣୁ ମୃତ ନକ୍ସଲମାନେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ସକ୍ରିୟ ଥିବା ଅନୁମାନ କରାଯାଉଛି। ଏହାପୂର୍ବରୁ ମାର୍ଚ୍ଚ ୨୯ରେ ଗଡ଼ଚିରୋଲିର ଖୋବ୍ରାମେଣ୍ଡାର ଜଙ୍ଗଲରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ଦୁଇ ଜଣ ମହିଳାଙ୍କ ସମେତ ୫ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୩ଟି ପ୍ରେସର କୁକର ବୋମା, ୩୦୩ ରାଇଫଲ ମାଗାଜିନ, ଲାଇଭ କାର୍ଟ୍ରିଜ, ତାର, ଫାୟାର କ୍ରାକର ବୋମା, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।