ସମ୍ମୁଖ ଯୋଦ୍ଧାଙ୍କୁ ଅବହେଳା ଅଭିଯୋଗ, ରାତି ସାରା ଡାକ୍ତରଖାନା ପରିସରରେ ଗଛ ତଳେ ବସିଲେ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପଦ୍ମପୁର) –ଯିଏ କରୋନା ମୁକାବିଲାର ସମ୍ମୁଖ ଯୋଦ୍ଧା ସେ କରୋନା ପଜିଟିଭ ହେବା ପରେ ଅବହେଳାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନା ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା ନା ଅନ୍ୟ କିଛି ପରାମର୍ଶ ଦିଆଗଲା। ସେଥିପାଇଁ ସେ ସାରା ରାତି ହସ୍ପିଟାଲ ପରିସରରେ ଏକ ଗଛ ତଳେ ବସି ରହିଲେ। ଏମିତି ଏକ ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁରରୁ। ଅଏଁଲାଭଟା ଗାଁର ଅଙ୍ଗନୱାଡି କର୍ମୀ ଗତକାଲି ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାମୀଙ୍କ ସହିତ ପଦ୍ମପୁର ଡାକ୍ତରଖାନାକୁ ଆସିଥିଲେ। ଟେଷ୍ଟ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇ ନଥିଲା କି ହୋମ୍‌ ଆଇସୋଲେସନ୍‌ରେ ରହିବାକୁ କୁହାଯାଇ ନଥିଲା। ଏହା ବଦଳରେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ଫଳରେ ସେ ରାତି ସାରା ସ୍ୱାମୀଙ୍କ ସହିତ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ତଳେ ବସି ରହିଥିଲେ। ତାଙ୍କ ଭଳି ଜଣେ ଅଙ୍ଗନଓ୍ୱାଡ଼ି କର୍ମୀ ତଥା କରୋନା ଲଢ଼େଇର ସମ୍ମୁଖ ଯୋଦ୍ଧାଙ୍କୁ ଯଦି ଏତେ ଅବହେଳା କରାଯାଉଛି, ତା’ହେଲେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧୀକାରୀ ତହସିଲ ସାହୁ କହିଛନ୍ତି, ସଂପୃକ୍ତ ଅଙ୍ଗନଓ୍ୱାଡ଼ି କର୍ମୀ ଜଣଙ୍କ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇପାରିବେ। ନ ହେଲେ ଯେଉଁ ମେଡିସିନ ଦିଆହୋଇଛି, ତାକୁ ନେଇ ହୋମ୍ ଆଇସୋଲେସନରେ ମଧ୍ୟ ରହିପାରିବେ।

୨୪ ପୂର୍ବରୁ ମିଳିବ ଆଶାକର୍ମୀଙ୍କୁ ୧୦ହଜାର ଟଙ୍କା, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତା ୨୪ତାରିଖରୁ ଆଶାକର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସର୍ଭେ କରିବାର କାର୍ଯ୍ୟକ୍ରମ ଥିବାରୁ ତା’ ପୂର୍ବରୁ ସେମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ଏହି ଅର୍ଥକୁ ଆଶାକର୍ମୀମାନେ ନିଜ ହିସାବରେ ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ଆଧାରରେ ଆଶାକର୍ମୀମାନଙ୍କୁ ଏହି ୧୦ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆଜି ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଆଶାର୍କମୀମାନଙ୍କୁ ଏକକାଳୀନ ସହାୟତା ବାବଦରେ ୧୦ହଜାର ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଗ୍ରାମାଂଚଳ ଓ ସହରାଂଚଳ ବସ୍ତିରେ ସୁଚାରୂ ରୂପେ କୋଭିଡ୍ ପରିଚାଳନା ଓ ଅଣକୋଭିଡଜନିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଏହା ଆଶାର୍କମୀମାନଙ୍କୁ ପ୍ରୋତ୍ସାହିତ କରିବ। ଏହି ସହାୟତା ଅର୍ଥରେ ଆଶାକର୍ମୀମାନେ ଚାହିଁଲେ ସାଇକେଲ, ଛତା, ଟର୍ଚ୍ଚ, ଚପଲ, ପାଣି ବୋତଲ, ବ୍ୟାଗ, ମାସ୍କ, ସାନିଟାଇଜର, ସାବୁନ, ଗ୍ଲୋବସ୍, ଫେସ୍ ଶିଲଡ୍ , ଥର୍ମାଲ ସ୍କାନର, ହେଲମେଟ, ମିନି ବ୍ୟାଟେରୀଚାଳିତ ମାଇକ୍ କିଣିବାକୁ ପରାମର୍ଶ ଦିଆଯାଇଛି। ଆଶାକର୍ମୀମାନେ ଉପରୋକ୍ତ ସାମଗ୍ରୀ କ୍ରୟ କରିବେ ବୋଲି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଦସ୍ତଖତ କରି ଏହି ସହାୟତା ଅର୍ଥ ନେବେ। ଏହି ଅର୍ଥକୁ ତୁରନ୍ତ ଆଶାକର୍ମୀମାନଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ସହାୟତା ପାଣ୍ଠିରୁ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି, ଯାହାକୁ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ସହାୟତା ପାଣ୍ଠିରୁ ଭରଣା କରାଯିବ ବୋଲି ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଆଶାକର୍ମୀମାନେ ଆସନ୍ତା ୨୪ତାରିଖରୁ ଘରକୁ ଘର ବୁଲି କୋଭିଡ୍ ଓ ସ୍ୱାସ୍ଥ୍ୟ ସର୍ଭେ କରିବେ। ଆଶାକର୍ମୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଦୁଇଦିନ ତଳେ ଘୋଷଣା କରିଥିଲେ।

ଚଳିତବର୍ଷ ଗାଁ କଲ୍ୟାଣ ସମିତିକୁ ୧୦ହଜାର ପରିବର୍ତ୍ତେ ମିଳିବ ୨୦ହଜାର ଟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –୨୦୨୧-୨୨ ଆର୍ଥିକ ବର୍ଷରେ ଗାଁ କଲ୍ୟାଣ ସମିତିଗୁଡ଼ିକୁ ୪ଟି କିସ୍ତିରେ ୨୦ହଜାର ଟଙ୍କା ଲେଖାଏଁ ମିଳିବ। କୋଭିଡ୍ ସଚେତନତା, ଗରିବ ଲୋକଙ୍କୁ ମାସ୍କ ବଣ୍ଟନ, କୋଭିଡ୍ ରୋଗୀଙ୍କ ଘରକୁ ସାନିଟାଇଜେସନ୍ ଆଦି କାର୍ଯ୍ୟ ପାଇଁ ସେମାନେ ଏହି ଅର୍ଥ ଖର୍ଚ୍ଚ କରିବେ। ପ୍ରତିବର୍ଷ ଗାଁ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯାଇଥାଏ, କିନ୍ତୁ ଚଳିତଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଁ କଲ୍ୟାଣ ସମିତିକୁ ଅଧିକ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୨ଦିନ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗ୍ରାମାଂଚଳରେ କୋଭିଡ୍ ପରିଚାଳନା ପାଇଁ ୩ମାସିଆ ସ୍ୱତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ନିମନ୍ତେ ଗାଁ କଲ୍ୟାଣ ସମିତି ବୈଠକ ଡାକି ପ୍ରତିବର୍ଷ ମିଳୁଥିବା ୧୦ହଜାର ଟଙ୍କା କିଭଳି ଖର୍ଚ୍ଚ ହେବ ତା’ର ରୂପରେଖ ପ୍ରସ୍ତୁତ ପାଇଁ କୁହାଯାଇଛି। ସେହିପରି ଗାଁ ଲୋକଙ୍କୁ ସାମିଲ କରି ସାନିଟାଇଜେସନ୍ ଅଭିଯାନ ଚଳାଇବା, କୋଭିଡ୍ ସଂକ୍ରମିତଙ୍କ ଘରକୁ ସାନିଟାଇଜ୍ କରିବା, କୋଭିଡ୍ ରୋଗୀଙ୍କୁ ଟିକା ଓ ପରୀକ୍ଷା ନିମନ୍ତେ ବ୍ୟକ୍ତିଗତ ସହାୟତା, କୋଭିଡ୍ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ କୋଭିଡ୍ ସଚେତନତା ଆଦି ନିମନ୍ତେ ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି। ଗାଁ କଲ୍ୟାଣ ସମିତିଗୁଡ଼ିକ ଏହି ୨୦ହଜାର ଟଙ୍କା ମଧ୍ୟରୁ ୭ହଜାର ଟଙ୍କାକୁ ଅତିକମରେ ମାସକୁ ଥରେ ସାମୟିକ ସଚେତନତା କାର୍ଯ୍ୟକ୍ରମ( ମାଇକ୍ ବଜାଇ, ବାଜା ବଜାଇବା, ପୋଷ୍ଟର ଲଗାଇବା ଆଦି)ରେ ଖର୍ଚ୍ଚ କରିବେ। କାନ୍ଥରେ ସଚେତନତା ବାର୍ତ୍ତା ଲେଖିବା ଓ ହୋର୍ଡିଂ ଲଗାଇବା ମାଧ୍ୟମରେ କରିବେ। ସେହିପରି ଗାଁର ଗରିବ ଲୋକଙ୍କୁ ମାସ୍କ, ସାବୁନ ଆଦି ବାଣ୍ଟିବା ପାଇଁ ୨ହଜାର ଟଙ୍କା, ଗରିବ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସୁବିଧା ଦେବା ନିମନ୍ତେ ଅବା କୋଭିଡ୍ ଟିକା ଅବା ଟେଷ୍ଟ କରାଇବା ପାଇଁ ପଠାଇବା ନିମନ୍ତେ ୩ହଜାର ଟଙ୍କା, କୋଭିଡ୍ ସଂକ୍ରମିତଙ୍କ ଘରକୁ ସାନିଟାଇଜ୍ କରିବା ପାଇଁ ୩ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ଗାଁ କଲ୍ୟାଣ ସମିତି ବୈଂକ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବାକି ୫ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଚିଠି ଲେଖି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ କହିଛନ୍ତି।

୨୦ ମେ’, ଗୁରୁବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ଦାମ୍ପତ୍ୟ ଜୀବନ ଭଲରେ କଟିବ।

ବୃଷ: ବ୍ୟବସାୟକୁ ବଢ଼ାଇବା ପାଇଁ ଯୋଜନା କରିବେ ଓ ଏଥିପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ। ଭାଇମାନଙ୍କ ସହ ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ମିଥୁନ: ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି କାର୍ଯ୍ୟକୁ ନେଇ ଦିନ ସାରା ବ୍ୟସ୍ତ ରହିବେ। କେହି ପ୍ରତିଶ୍ରୁତି ଦେଇ ସହଯୋଗ କରି ନପାରନ୍ତି।

କର୍କଟ: ପରିବାରରେ ତିକ୍ତତା ଦେଖାଦେବା। ବ୍ୟବସାସୀମାନେ କ୍ଷତି ସହିବେ। ଆର୍ଥିକ ସମସ୍ୟା ଦେଖାଦେବ।

ସିଂହ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସମାଜରେ ମାନସମ୍ମାନ ବଢ଼ିବ। ସୁସ୍ୱାଦୁ ଭୋଜନ କରିବେ।

କନ୍ୟା: ଆୟର ନୂଆ ରାସ୍ତା ଖୋଜିବେ। କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ। ମନ ଭଲ ରହିବ ନାହିଁ।

ତୁଳା: ପଢ଼ାପଢ଼ିରେ ମନ ଦିଅନ୍ତୁ। ଯାତ୍ରା କରନ୍ତୁ ନାହିଁ। ବହୁଦିନର ସମସ୍ୟାର ସମାଧାନର ବାଟ ଖୋଲିପାରେ।

ବିଛା: ଆଶା କରିଥିବା ଜିନିଷ ହଠାତ୍ ମିଳିଯାଇପାରେ। ବିଦେଶରୁ ଶୁଭ ସମ୍ବାଦ ପାଇପାରନ୍ତି। ଘରେ କାହାର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି।

ଧନୁ: ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଗୁରୁଜନଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ମକର: ବକେୟା ଅର୍ଥ ପ୍ରାପ୍ତି ହେବ। ଅପରାହ୍ନରେ ପାରିବାରିକ କଳହ ଦେଖାଦେଇପାରେ। ସାବଧାନତାର ସହିତ ଗାଡ଼ି ଚଲାନ୍ତୁ।

କୁମ୍ଭ: ମାନସିକ ଅଶାନ୍ତି ଦେଖାଦେବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। କାର୍ଯ୍ୟଭାର ବଢ଼ିବ।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। କର୍ମକ୍ଷେତ୍ରରେ ଉନ୍ନତି କରିବେ। ନୂଆ ଘର ନିର୍ମାଣ ପାଇଁ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରିପାରନ୍ତି।