ଉପ ଜିଲ୍ଲାପାଳଙ୍କ କୋଭିଡ ସେବା କେନ୍ଦ୍ର ପରିଦର୍ଶନ ।

!!! ରାୟଗଡ଼ା ଜିଲ୍ଲା ରୁ ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର, ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଆଜି ଅଚାନକ ଭାବେ ଗୁଣପୁର ଆଦର୍ଶ ବିଦ୍ୟାଳୟ ସ୍ଥିତ କୋଭିଡ ସେବାକେନ୍ଦ୍ର ପରିଦର୍ଶନ କରିଥିଲେ । ସେବାକେନ୍ଦ୍ରରେ ପହଁଚି ପିପିଇ କିଟ ପିନ୍ଧି ସେବାକେନ୍ଦ୍ର ଭିତରକୁ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ଅନ୍ତେବାସୀଙ୍କ ଖାଇବା, ଜଳଖିଆ, ସାବୁନ, ସାନିଟାଇଜ ଆଦି ଯୋଗାଣ ବିଷୟରେ ଆଲୋଚନା କରିଥିଲେ । କିଛି ଅନ୍ତେବାସୀ ଖାଇବା ନେଇ ଅସନ୍ତୋଷ ପ୍ରକାଶ କରିବାରୁ ଉନ୍ନତ ଧରଣର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଖାଦ୍ୟ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉନ୍ନତ ଧରଣର ଖାଦ୍ୟ ପ୍ରସ୍ତୁତ କରି ସେବା କେନ୍ଦ୍ରକୁ ଯୋଗାଇ ଦେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପୌର ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଆବଶ୍ୟକ ସ୍ଥଳେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଧିକ ପରିମାଣର ଅର୍ଥ ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ସୁପାରିଶ ଆଣିବା ନିମନ୍ତେ ଉପ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । କୋଭିଡ ସେବା କେନ୍ଦ୍ର ଠାରେ ଥିବା ଅକ୍ସୀମିଟର ଠିକ କାମ କରୁଛି ନସ ନାହିଁ ନିଜେ ପରୀକ୍ଷା କରି ଦେଖିଥିଲେ । ଜିଲ୍ଲାପାଳଙ୍କ ଆଦେଶକ୍ରମେ ଗୁଣପୁର ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ୱର ତାଣ୍ଡି କୋଭିଡ ସେବା କେନ୍ଦ୍ରର ଦାୟିତ୍ୱ ନେଇଥିବାରୁ ଉପ ଜିଲ୍ଲାପାଳ ଶ୍ରୀ ତାଣ୍ଡିଙ୍କୁ କେନ୍ଦ୍ରର ସମସ୍ତ ବିଷୟ ବସ୍ତୁ ଅନୁଧ୍ୟାନ କରି ପ୍ରତିଦିନ ରିପୋର୍ଟ ଦେବାକୁ ପରାମର୍ଶ ଦେଇଥିଲେ । ଉପ ଜିଲ୍ଲାପାଳ ପିପିଇ କିଟ ପିନ୍ଧି ସେବା କେନ୍ଦ୍ର ଭିତରକୁ ଯାଇ ସମସ୍ତ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିବାରୁ ଅନ୍ତେବାସୀ ଆଶ୍ୱସ୍ତ ପ୍ରକାଶ କରିଥିଲେ । ଉପ ଜିଲ୍ଲାପାଳଙ୍କ ଆଜିର ଏହି ଗସ୍ତ ସମୟରେ ଗୁଣପୁର ପୌର ନିର୍ବାହୀ ଅଧିକାରୀ ଶ୍ରୀ ଉମା ପ୍ରସାଦ ଦାସ, ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ, ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ୱର ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

ନିୟମଗିରିର କାଡ୍ରାକାବଣ୍ଡଲି ଗ୍ରାମରେ ଉପଜିଲ୍ଳାପାଳଙ୍କ କୋଭିଡ ସଚେତନତା..!

!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା) – ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦୈିନକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଅହରହ ଉଦ୍ୟମ ଜାରି ରହିଛି । ତେବେ ଜିଲ୍ଳାର କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ସଂପ୍ରଦାୟର ଲୋକେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ ପାଖେ ପ୍ରଶାସନ ପଂହଚି ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପଲବ୍ଧ କରିବା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ରାୟଗଡ ଉପଖଣ୍ଡ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ କଲ୍ୟାଣସିଂହପୁର ବ୍ଳକ ପାର୍ସାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ନିୟମଗିରିର କାଡ୍ରକାବଣ୍ଡଳି ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ କୋଭିଡ ନିୟମ ପାଳନ ନିମନ୍ତେ ସଚେତନ କରିଥିଲେ । 150ରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଠ ଏହି ଗ୍ରାମରେ ବସବାସ କରୁଥିବା ଡଙ୍ଗରିଆ ସଂପ୍ରଦାୟ ଗ୍ରାମବାସୀଙ୍କୁ ସବୁବେଳେ ମାସ୍କ ପରିଧାନ କରିବା,ସାମାଜିକ ଦୂରତା ବଜାୟ ରଖିବା ସହ ହାତକୁ ନିୟମିତ ଭାବେ ସାବୁନରେ ଧୋଇବା ତଥା ସାନିଟାଇଜ କରିବା ଏବଂ ଜନଗହଳି ସ୍ଥାନରୁ ଦୂରେଇ ରହିବା ଆଦି କୋଭିଡ ନିୟମ ପାଳନ କରିବାକୁ ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ସମସ୍ତଙ୍କୁ କହିଥିଲେ । ଗ୍ରାମରେ କାହାକୁ ଜ୍ୱର,କାଶ,ଥଣ୍ଡା,ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଆଶା ଦିଦି,ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଜଣାଇବା ସହ ସ୍ୱାବ ଟେଷ୍ଟିଂ ପାଇଁ ସହଯୋଗ କରିବା ଏବଂ ନିୟମ ପ୍ରକାରେ ଚିକିତ୍ସା ନୀତିକୁ ମାନି ଚଳିବା ପାଇଁ ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଗ୍ରାମରେ ଆସନ୍ତାକାଲି ଏକ ବାହାଘର ଭୋଜିଭାତର ଆୟୋଜନ ହେବାକୁ ଥିବା ବେଳେ କରୋନା କଟକଣା ମଧ୍ୟରେ କୈାଣସି ଭୋଜିଭାତ ନ କରିବା ପାଇଁ ଗ୍ରାମବାସୀ ତଥା ବିବାହ କାର୍ଯ୍ୟକ୍ରମ ଘର ପରିବାରଙ୍କୁ ସଚେତନ କରାଯାଇଥିଲା । କରୋନା ମହାମାରୀର ଭୟଭୟତାକୁ ହୃଦୟଙ୍ଗମ କରିପାରି ଭୋଜିଭାତ ଆୟୋଜନ ନ କରିବା ପାଇଁ ଗ୍ରାମବାସୀମାନେ ପ୍ରତିଶୃତି ଦେଇଥିବା ସହ ପ୍ରଶାସନ ତରଫରୁ କରାଯାଉଥିବା ସ୍ୱାବ ଟେଷ୍ଟିରେ ସହଯୋଗ କରିବେ ବୋଲି ମଧ୍ୟ ଗ୍ରାମବାସୀ ପ୍ରକାଶ କରିଥିବା ଜଣାପଡିଛି ।

ଆସନ୍ତାକାଲି ଠାରୁ ୭ଟି ମେଡିକଲ ଟିମ୍ ପକ୍ଷରୁ କାଡ୍ରାକାବଣ୍ଡେଲି ଗ୍ରାମ ସହ ଅନ୍ୟ ଗ୍ରାମଗୁଡିକର ଘର ଘର ବୁଲି ସର୍ଭେ କରାଯିବା ସହ ଜ୍ୱର,କାଶ,ଥଣ୍ଡା ଲକ୍ଷଣ ଥିବା ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ସେହିପରି ତେବାପଡା,ଜାମାପୁର ଓ ପାର୍ସାଲି ଗ୍ରାମକୁ ଯାଇ ମଧ୍ୟ ସେଠାରେ ଲୋକଙ୍କୁ ସ୍ୱାବ ଟେଷ୍ଟିଂରେ ସହଯୋଗ କରିବା ପାଇଁ ସଚେତନ କରାଯାଇଥିଲା । ଉପଜିଲ୍ଳାପାଳଙ୍କ ଏହି ଗସ୍ତ ସମୟରେ ପିଏ ଆଇଟିଡିଏ ଟୁକୁ ବାରିକ,ଜଳନ୍ଧର ପୁଶିକା,କଲ୍ୟାଣସିଂହପୁର ବିଡିଓ ଓ ସିଡିପିଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ଭାବ୍ୟ ବାତ୍ୟା: ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ରାଜ୍ୟରେ  ବାତ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଜି ଜିଲ୍ଲାପାଳମାନଙ୍କ ସମେତ ଜଳସମ୍ପଦ, କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ସମସ୍ତ ରାଜସ୍ୱ କମିଶନର, ପୁଲିସ ବିଭାଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମ୍ପର୍କରେ ଅବଗତ କରାଇଛନ୍ତି ଯାହାକି ମେ’ ୨୪ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେବାର ଆଶଙ୍କା ରହିଛି। ଏହି ବାତ୍ୟା ମେ’ ୨୬ତାରିଖରେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ରାଜ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ୨୫ତାରିଖ ବର୍ଷା ହେବା ସହ ଘଣ୍ଟାପ୍ରତି ୪୫ରୁ ୬୫କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ମେ’ ୨୪ତାରିଖ ବେଳକୁ ଏହି ପବନର ବେଗ ବୃଦ୍ଧି ପାଇଁ ୬୫ରୁ ୮୫କିମି ପର୍ଯ୍ୟନ୍ତ ହୋଇପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ମେ’ ୨୩ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ସହରାଂଚଳ ସମେତ ତଳିଆ ଅଂଚଳରେ ପାଣି ଜମିବା ଅବା ବନ୍ୟା ଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ବିଡ଼ିଓ, ତହସିଲଦାର, ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କୁ ଆଲର୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ପାଣି ଜମିବାକୁ ଥିବା ତଳିଆ ଅଂଚଳ ଉପରେ କ୍ରମାଗତ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। କୌଣସି ସ୍ଥାନରେ ବର୍ଷା ହେଲେ ତୁରନ୍ତ ଏସଆରସିଙ୍କ ଅଫିସକୁ ଜଣାଇବା ସହ ପରିସ୍ଥିତି ସମ୍ପର୍କରେ ଅବଗତ କରିବାକୁ  ପରାମର୍ଶ ଦିଆଯାଇଛି। ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷଜ୍ଞ କହିଲେ ତୃତୀୟ ଲହର ଆଉ ଅଳ୍ପ ଦିନ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦେଶରେ ଟିକାକରଣକୁ ଜୋରଦାର କରିବାକୁ ହେବ। ନହେଲେ ହାତ ପାହାନ୍ତାରେ ଆସିବାକୁ ଥିବା ତୃତୀୟ ଲହର ଦେଶକୁ ଆହୁରି ବିପଦ ମୁହାଁ ନେଇଯିବ। ଏବେ ଦେଶରେ ଦ୍ୱିତୀୟ ଲହର ଜାରି ରହିଛି। ଆଉ ୬-୮ ସପ୍ତାହ ମଧ୍ୟରେ ତୃତୀୟ ଲହର ଭାରତରେ ଆସିଯିବ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ କରୋନାକୁ ରୋକିବା ପାଇଁ ଜାରି ରହିଥିବା ବିଭିନ୍ନ ନିୟମ ଉପରେ କୋହଳ ନକରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ଏମ୍ ବିଦ୍ୟାସାଗର। ଭାଇରସ କେବେ ଆସିବ ଆଉ ଏହାର ବେଗ କିଭଳି ରହିବ ଏ ନେଇ ଏକ ଫର୍ମୁଲା ମଡେଲ ରହିଛି। ଏହି ଫର୍ମୁଲା ମଡେଲ ସହ ଜଡ଼ିତ ଅଛନ୍ତି ଏହି ପ୍ରଫେସର। ବୁଧବାର ଏମ୍ ବିଦ୍ୟାସାଗର ଚେତାବନୀ ଦେଇ କହିଛନ୍ତି ଯେ ଯଦି ଦେଶରେ ଟିକାକରଣ ଅଭିଯାନ ଜୋରଦାର ନହୁଏ ଏବଂ କରୋନା ନିୟମାବଳୀ ଠିକ୍ ଭାବରେ ପାଳନ ନହୁଏ, ତେବେ ଆସନ୍ତା ୬ ରୁ ୮ ମାସ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ। ଗଣିତ ଉପରେ ଆଧାରିତ ଏହି ମଡେଲ କୌଣସି ଲହର ବାବଦରେ ଯଦିଓ ସୂଚନା ଦିଏ ନାହିଁ ହେଲେ ଖୁବଶୀଘ୍ର ତୃତୀୟ ଲହର ଜୁନ୍ ମଧ୍ୟ ଭାଗ ବେଳକୁ ଆସିଯିବ ବୋଲି ଆକଳନ କରାଯାଉଛି। ଏବେ ବି ତୃତୀୟ ଲହର କେବେ ଆସିବ ଏହା ସ୍ପଷ୍ଟ ସୂଚନା ହୋଇନଥିଲେ ମଧ୍ୟ ଆଶଙ୍କା କରାଯାଉଛି ବୋଲି ବିଶେଷଜ୍ଞ କହିଛନ୍ତି। ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର ଆହୁରି କହିଛନ୍ତି ଯେ ଯଦି ଆଣ୍ଟିବଡି ଶେଷ ହୋଇଯାଏ, ତେବେ ରୋଗ ପ୍ରତିରୋଧ ସମ୍ଭାବନା ହ୍ରାସ ହେବାର ସମ୍ଭାବନା ରହିଛି। ଏପରି ପରିସ୍ଥିତିରେ ଟିକାକରଣ ଜୋରଦାର ହେବା ଉଚିତ। ଆଉ ଭାଇରସ କିଭଳି ବିସ୍ତାର ନକରିବ ସେଥିପ୍ରତି ନିୟମ ପାଳନ କରାଯିବା ଉଚିତ। ଯଦି ତାହା ନହୁଏ, ତୃତୀୟ ଲହର ଛଅରୁ ଆଠ ମାସ ମଧ୍ୟରେ ଆସି ଆହୁରି ବିପର୍ଯ୍ୟୟ କରିପାରେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନଙ୍କ ସମେତ ଅନେକ ବିଶେଷଜ୍ଞ କହିଛନ୍ତି ଯେ କରୋନାର ତୃତୀୟ ଲହର ଆସିବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣ ଜୋରଦାର ହେବା ଆବଶ୍ୟକ। ସୂଚନାଯୋଗ୍ୟ, ବିଶେଷଜ୍ଞମାନେ କହିଛନ୍ତି ଯେ ତୃତୀୟ ଲହର ବେଳେ ଛୋଟ ପିଲାମାନେ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି। ଏହା ପୂର୍ବରୁ ଅନେକ ଦେଶ କରୋନାର ତୃତୀୟ ଲହର ସହିତ ସଂଘର୍ଷ କରୁଛନ୍ତି। କେତେକ ପାଶ୍ଚାତ୍ୟ ଦେଶରେ ଚତୁର୍ଥ ଲହର କଥା ମଧ୍ୟ ସାମ୍ନାକୁ ଆସିଛି। ତେଣୁ ଭାରତରେ ତୃତୀୟ ଲହର ଆସିବା ଏକ ପ୍ରକାର ସ୍ପଷ୍ଚ।

ପ୍ରଧାନମନ୍ତ୍ରୀଙ୍କ ବୈଠକରେ ରବିଶଙ୍କର ପ୍ରସାଦ କହିଲେ ଦିଦି ଙ୍କ ଏ କି ଆଚରଣ ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିରୁ ଉର୍ଦ୍ଧରେ ରହି କାମ କରିବା ଦରକାର। ଜଣେ ଜିଲ୍ଲାପାଳ କିଛି ଜାଣି ନାହାନ୍ତି କହି ତାଙ୍କ ପ୍ରତିବଦଳରେ କହିବାର ଅର୍ଥ କ’ଣ? ଜଣେ ଜିଲ୍ଲପାଳଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାକୁ ରୋକିବା କଣ ଠିକ୍? ଏଭଳି କିଛି ପ୍ରଶ୍ନ ଦିଦିଙ୍କୁ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଜିଲ୍ଲାପାଳଙ୍କ ସହ ବୈଠକ କରୁଥିଲେ। ଏହି ବୈଠକରେ ମମତା ଉପସ୍ଥିତ ଥିଲେ। ବୈଠକ ପରେ ମମତା କହିଥିଲେ ଏହି ବୈଠକ ସୁପର ଫ୍ଲପ୍ ଥିଲା। ତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି ବୋଲି ମମତା କହିଛନ୍ତି। ଆଉ ପ୍ରଧାନମନ୍ତ୍ରୀ ନିଜକୁ ତାଙ୍କ ଆଗରେ ଅସୁରକ୍ଷିତ ବୋଲି ଅଭିଯୋଗ ଆଣିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ପରେ ଏହାର ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ଦେଶର କିଛି ଜିଲ୍ଲାପାଳଙ୍କ ସହ ଏକ ବୈଠକ ଡକାଇ ଥିଲେ। ଆଉ ସେମାନଙ୍କ ଜିଲ୍ଲାରେ ଚାଲିଥିବା ଭଲ କାମ ଉପରେ ଆଲୋଚନା କରିଥିଲେ। ହେଲେ ଏହି ସମୟରେ ମମତାଙ୍କ ଆଚାରଣ ଓ ବ୍ୟବହାର ଗ୍ରହଣୀୟ ନଥିଲା। ଉତ୍ତର ୨୪ ପାରଗନାର ଜିଲ୍ଲାପାଳଙ୍କୁ କହିବାକୁ ସୁଯୋଗ ନଦେଇ ସେ କଣ ଜାଣିଛନ୍ତି ବୋଲି କହି ମମତା କହିବା ଆରମ୍ଭ କରିିଥିଲେ ବୋଲି ରବିଶଙ୍କର କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୭ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ମମତା ବାନାର୍ଜୀ ଯୋଗ ଦେଇନଥିଲେ। ୨୦୧୪, ୨୦୧୫,୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ସହିତ ଦୁଇଟି ବୈଠକକୁ ଆସିନଥିଲେ ମମତା। ସେ କହିଛନ୍ତି ଯେ ଆଜି ଯେତେବେଳେ ଦେଶ କରୋନା ବିରୋଧରେ ଲଢ଼େଇ କରୁଛି ସେତେବେଳେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବିଭାଗ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ତେଣୁ ସେ କାହିଁକି ଜଣେ ଜିଲ୍ଲାପାଳଙ୍କ ସହ କଥା ହୋଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର। ଏବେ ରାଜନୀତିରୁ ଉପରକୁ ଉଠି କାମ କରିବାର ସମୟ ଆସିଛି। ଗଣତାନ୍ତ୍ରିକ ବ୍ୟବସ୍ଥାର ମମତା ଯେଉଁଭଳି ଆଚରଣ ଦେଖାଇଛନ୍ତି ତାହା ଗ୍ରହଣୀୟ କି ବୋଲି ପ୍ରଶ୍ନ କରିଛନ୍ତି।

ବ୍ଲାକ୍ ଫଙ୍ଗସ ଅପେକ୍ଷା ହ୍ୱାଇଟ୍ ଫଙ୍ଗସ ଅଧିକ ବିପଦଜନକ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)-ଦେଶ ଏବେ ଭାଇରସର ଆଁରେ କବଳିତ। ପ୍ରଥମେ କରୋନା,ଏହାପରେ ବ୍ଲାକ ଫଙ୍ଗସ ଆଉ ଏବେ ହ୍ୱାଇଟ୍ ଫଙ୍ଗସ ଚିହ୍ନଟ ହୋଇଛି। ବ୍ଲାକ ଫଙ୍ଗସରେ କେହି କେହି ସଂକ୍ରମିତ ହୋଇ ଗୋଟିଏ ଆଖି ହରାଉଛନ୍ତି ଅନ୍ୟପଟେ ହ୍ୱାଇଟ୍ ଫଙ୍ଗସ ବ୍ଲାକ ଫଙ୍ଗସ ଅପେକ୍ଷା ଅଧିକ ବିପଦଜନକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଲୋକଙ୍କୁ ଏବେ ପାଦେ ପାଦେରେ ସତର୍କ ରହିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର। ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ ସଂକ୍ରମଣ ଚିହ୍ନଟ ହେବା ପରେ ଆଜି ବିହାରରେ ହ୍ୱାଇଟ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପାଟନାରେ ମୋଟ୍ ୪ ଜଣ ହ୍ୱାଇଟ୍ ଫଙ୍ଗସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ପାଟଣାର ଜଣେ ଡାକ୍ତର ରହିଛନ୍ତି। ତେବେ ହ୍ୱାଇଟ୍ ଫଙ୍ଗସ ସଂକ୍ରମଣ ଅଧିକ ବିପଦଜନକ ବୋଲି ବିଶେଷଜ୍ଞ କହିଛନ୍ତି। କାରଣ ଏହା ଫୁସଫୁସ ବ୍ୟତୀତ ଶରୀରର ଅନ୍ୟ ଅଂଶ ଯେମିତିକି ନଖ, ଚର୍ମ, ପେଟ, କିଡନୀ, ମସ୍ତିଷ୍କ, ଆଭ୍ୟନ୍ତରୀଣ ଅଙ୍ଗ ଏବଂ ପାଟିକୁ ପ୍ରଭାବିତ କରିପାରିବ। ଯେଉଁମାନେ ଏହି ସଂକ୍ରମଣର ଶିକାର ହୁଅନ୍ତି ସେମାନଙ୍କ ପାଖରେ କୋଭିଡର ଲକ୍ଷଣ ଥାଏ। ହେଲେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିବ ବୋଲି ବିଶେଷଜ୍ଞ କହିଛନ୍ତି। PMCH ହସ୍ପିଟାଲର ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ଏସ୍.ଏନ୍ ସିଂ କହିଛନ୍ତି, ହ୍ୱାଇଟ୍ ଫଙ୍ଗସରେ ଯେଉଁ ୪ ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ପାଖରେ କରୋନା ଲକ୍ଷଣ ରହିଛି। ହେଲେ ସେମାନଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ହେଲେ ପରୀକ୍ଷା ପରେ ଜଣାପଡ଼ିଛି ସେମାନଙ୍କ ଫୁସଫୁସ କରୋନାରେ ସଂକ୍ରମିତ ହୋଇଯାଇଥିଲା। ଆଉ ତାଙ୍କୁ ଆବଶ୍ୟକ ଔଷଧ ଦିଆଯିବା ପରେ ଏବେ ସେମାନେ ସୁସ୍ଥ ରହିଛନ୍ତି।

କେଉଁମାନେ ସଂକ୍ରମିତ ହେବାର ସମ୍ଭାବନା ଅଧିକ?

ତେବେ ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଛି ସେମାନଙ୍କ ପ୍ରତି ହ୍ୱାଇଟ୍ ଫଙ୍ଗସ ବିପଦଜନକ ବୋସି ଡାକ୍ତର ସିଂହ କହିଛନ୍ତି। ସେହିପରି ମଧୁମେହ ରୋଗୀ ଏବଂ ଦୀର୍ଘ ଦିନ ଧରି ଷ୍ଟିରଏଡ ଖାଉଥିବା ବ୍ୟକ୍ତି ହ୍ୱାଇଟ୍ ଫଙ୍ଗସରେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଥାଏ। ଖାଲି ଏତିକି ନୁହେଁ ଯେଉଁ କରୋନା ଆକ୍ରାନ୍ତ ଅକ୍ସିଜେନ ସପୋର୍ଟରେ ରହୁଛନ୍ତି ସେମାନଙ୍କୁ ଏହି ହ୍ୱାଇଟ୍ ଫଙ୍ଗସ ସିଧା ସଂକ୍ରମିତ କରୁଛି। ଆଉ ଆକ୍ରାନ୍ତଙ୍କ ଫୁସଫୁସ ଉପରେ ଏକ ଧଳ ରଙ୍ଗର ଦାଗ ପକାଉଛି। କ୍ୟାନସର ରୋଗୀଙ୍କୁ ମଧ୍ୟ ଏହି ହ୍ୱାଇଟ୍ ଫଙ୍ଗସକୁ ନେଇ ସତର୍କ ରହିବାକୁ କୁହାଯାଇଛି। ଏହା ଶିଶୁ ଏବଂ ମହିଳାଙ୍କୁ ମଧ୍ୟ ସଂକ୍ରମିତ କରିଥାଏ। ମୁଖ୍ୟତଃ ଲ୍ୟୁକୋରିଆ ପାଇଁ ଏହି ସଂକ୍ରମଣ ହୁଏ।

 

୨ ନୁହେଁ, ୧୦ ମିଟର ଯାଏ ପବନରେ ଭାସିପାରେ କରୋନା ଭାଇରସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦୋ ଗଜ କି ଦୂରୀ ମାସ୍କ ହୈ ଜରୁରୀ ନାରା ଆଉ କାମ ଦେଲା ଭଳି ଲାଗୁନି। କାରଣ ଏରୋସୋଲ୍ ବା ନାକରୁ ବାହାରୁଥିବା ଜଳ କଣିକାରେ ଥିବା କରୋନା ଭୂତାଣୁ ପବନରେ ୧୦ ମିଟର ଯାଏ ପହଁରିପାରୁଛି। ଏହା ପବନରେ ଭାସି ଲୋକଙ୍କୁ ସଂକ୍ରମଣ କରିବାର କ୍ଷମତା ରଖିଛି ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି। ଏଥିସହ ସରକାରଙ୍କ ପକ୍ଷରୁ ଇଜି ଟୁ ଫଲୋ ଗାଇଡଲାଇନ ବା ସହଜରେ ଅନୁସରଣ କରାଯାଇପାରୁଥିବା ନିର୍ଦ୍ଦେଶାବଳି ମଧ୍ୟ ଜାରି କରାଯାଇଛି। ଏଥିରେ କରୋନାରୁ ବର୍ତ୍ତିବା ପାଇଁ ଡବଲ ମାସ୍କ, ସାମାଜିକ ଦୂରତା ଓ ଠିକ୍‌ ଭାବେ ଭେଣ୍ଟିଲେସନ ସୁବିଧା ଥିବା ସ୍ଥାନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ କହିଛନ୍ତି ଯେ, ଠିକ୍‌ ଭାବେ ବାୟୁ ଚଳାଚଳ କରିପାରୁଥିବା ସ୍ଥାନ ଦ୍ୱାରା ଆମେ କରୋନା ସଂକ୍ରଣକୁ ରୋକିପାରିବା। କବାଟ ଓ ଝରକା ବନ୍ଦ କରି ଏସି ନ ଚଳାଇବାକୁ ସେ ସତର୍କ କରାଇଛନ୍ତି। ଏହାଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି। ସେ କହିଛନ୍ତି, ସବୁବେଳେ ମନେ ରଖିବା ଦରକାର ଯେ ଲକ୍ଷଣ ନଥିବା ଲୋକମାନେ ମଧ୍ୟ ଭାଇରସକୁ ସଂକ୍ରମଣ କରାଇ ପାରନ୍ତି। ନାକ ଓ ପାଟିରୁ ବାହାରୁଥିବା ଜଳବିନ୍ଦୁ (ଡ୍ରପଲେଟ୍‌) ସାମାନ୍ୟ ଓଜନ ହୋଇଥିବାରୁ ଏହା ୨ ମିଟିରରୁ ଅଧିକ ବାଟ ଯାଇପାରେନି। କିନ୍ତୁ ନାକ ଓ ପାଟିରୁ ବାହାରୁ ଥିବା ଜଳକଣିକା (ଏରୋସୋଲ୍‌) ହାଲୁକା ହୋଇଥିବାରୁ ଏହା ୧୦ ମିଟିର ଯାଏ ଯାଇପାରିବ। ତେଣୁ ସମସ୍ତଙ୍କୁ କରୋନା ପାଇଁ ଜାରି କଟକଣାକୁ ମାନିବାକୁ ପଡ଼ିବ।କେନ୍ଦ୍ର ସରକାର “Stop the Transmission, Crush the Pandemic” ନାଁରେ ଦସ୍ତାବିଜ୍‌ ଜାରି କରି ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଦସ୍ତାବିଜରେ କୁହାଯାଇଛି, କରୋନା ଭାଇରସ୍ ସଂକ୍ରମଣ ମୁଖ୍ୟତଃ ଲାଳ ଓ ନାକ ମାଧ୍ୟମରେ ହୋଇଥାଏ। ଜଣେ ସଂକ୍ରମିତଙ୍କ ନାକ ଓ ପାଟିରୁ ବାହାରୁ ଥିବା ଜଳ ବିନ୍ଦୁ ଓ ଜଳ କଣା ହିଁ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ। ଜଳବିନ୍ଦୁ ଗୁଡ଼ିକ ବିଭିନ୍ନ ସ୍ଥାନରେ ପଡ଼ି ଦୀର୍ଘ ସମୟ ସକ୍ରିୟ ରହିଥାଏ। ତେଣୁ କବାଟର ହ୍ୟାଣ୍ଡେଲ, ଲାଇଟ ସୁଇଚ୍, ଟେବୁଲ, ଚେୟାର ଓ ଚଟାଣକୁ ବାରମ୍ବାର ପୋଛିବା ଉଚିତ। ବ୍ଲିଚିଂ କିମ୍ବା ଫିନାଇଲ ଦ୍ୱାରା ଏଗୁଡ଼ିକ ସଫା କରାଯାଇ ପାରିବ। ମାସ୍କ, ସାମାଜିକ ଦୂରତା, ପରିଚ୍ଛନ୍ନତା ଓ ଉପଯୁକ୍ତ ଭେଣ୍ଟିଲେସନ୍ କରୋନା ଭାଇରସ୍ ସହିତ ଲଢ଼େଇ ପାଇଁ ବେଶ ପ୍ରଭାବଶାଳୀ ପଦ୍ଧତି। ଦସ୍ତାବିଜ୍‌ରେ ଆହୁରି କୁହାଯାଇଛି, ଲୋକମାନେ ଏବେ ଡବଲ୍ ମାସ୍କ କିମ୍ବା N95 ମାସ୍କ ପିନ୍ଧିବା ଉଚିତ୍। ଏହା ସର୍ବାଧିକ ସୁରକ୍ଷା ଦେଇଥାଏ। ଡବଲ ମାସ୍କ ବେଳେ ପ୍ରଥମେ ଗୋଟିଏ ସର୍ଜିକାଲ ମାସ୍କ ପିନ୍ଧନ୍ତୁ ଓ ଏହାପରେ ମୁହଁ-ନାକକୁ ସଂପୂର୍ଣ୍ଣ ଘୋଡ଼ାଇ ରଖୁଥିବା କପଡ଼ା ମାସ୍କ ପିନ୍ଧନ୍ତୁ। ଯଦି କାହା ପାଖରେ ସର୍ଜିକାଲ ମାସ୍କ ନାହିଁ, ତା’ହେଲେ ସେମାନେ ଦୁଇଟି କଟନ ମାସ୍କ ପିନ୍ଧି ପାରିବେ। ସର୍ଜିକାଲ୍ ମାସ୍କକୁ କେବଳ ଥରେ ବ୍ୟବହାର କରାଯିବା ଉଚିତ୍। କିନ୍ତୁ ଆପଣ ଏହାକୁ ଡବଲିଂ ବେଳେ ପିନ୍ଧୁଥିବାରୁ ୫ ଥର ବ୍ୟବହାର କରିପାରିବେ। ହେଲେ ଥରେ ବ୍ୟବହାର କରିବା ପରେ ଉକ୍ତ ମାସ୍କକୁ ଗୋଟିଏ ଶୁଖିଲା ସ୍ଥାନରେ ୭ ଦିନ ରଖିବା ଉଚିତ। ବିଶେଷ କରି ସୂର୍ଯ୍ୟ କିରଣରେ ଏହାକୁ ରଖି ବ୍ୟବହାର କଲେ ଭଲ। ଦସ୍ତାବିଜ୍‌ରେ ଭେଣ୍ଟିଲେସନ ଉପରେ ଗୁରୁତ୍ୱ ଦିଆଯାଇଛି। ଘରେ ଓ ଅଫିସରେ ଉପଯୁକ୍ତ ଭେଣ୍ଟିଲେସନ ସୁବିଧା ଥିଲେ ସଂକ୍ରମଣ ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ।

ସରକାରଙ୍କୁ ଚାଷୀ ସଂଗଠନର ଚରମବାଣୀ;ଆମ ଧୈର୍ଯ୍ୟକୁ ଆଉ ପରୀକ୍ଷା କରନି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)-କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ପୁଣି ନିଜର ଆଭିମୁଖ୍ୟକୁ କଠୋର କରିଛନ୍ତି। ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ମଧ୍ୟ ଶତାଧିକ ଚାଷୀ ଦିଲ୍ଲୀ ସୀମାରେ ସେମତି ଆନ୍ଦୋଳନ କରୁଛନ୍ତି।ଏବେ ଦିଲ୍ଲୀରେ ପ୍ରବଳ ବର୍ଷା ହେଉଥିଲେ ହେଁ ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି। ସେମାନେ ସେମତି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏସବୁ ଭିତରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚରମବାଣୀ ଶୁଣାଣିଛି। ମୋର୍ଚ୍ଚା କହିଛି ଯେ ଆମ ଧୈର୍ଯ୍ୟର ଆଦୌ ପରୀକ୍ଷା ନିଅନାହିଁ। ଶୀଘ୍ର କଥାବାର୍ତ୍ତା ଆରମ୍ଭ କର ଓ ଚାଷୀଙ୍କ ଦାବିକୁ ପୂରଣ କର ବୋଲି ମୋର୍ଚ୍ଚା ଦାବି କରିଛି। କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ସମେତ ଏକାଧିକ ରାଜ୍ୟର ଶତାଧିକ ଚାଷୀମାନେ ଦିଲ୍ଲୀର ସିଙ୍ଘୁର, ଟିକରି ଓ ଗାଜିପୁର ସୀମାରେ ଦୀର୍ଘ ୬ ମାସ ହେଲାଣି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ କେନ୍ଦ୍ର ଆଣିଥିବା ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସ୍‌ପି ଉପରେ ଆଇନଗତ ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି। ମୋର୍ଚ୍ଚା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଏହି ଅଭିଯାନରେ ୪୭୦ରୁ ଅଧିକ ଚାଷୀ ସହିଦ ହୋଇସାରିଲେଣି। ଅନେକ ଆନ୍ଦୋଳନକାରୀ ସେମାନ ଚାକିରି, ଶିକ୍ଷା ଓ ଅନ୍ୟ କାମଧନ୍ଦା ହରାଇ ସାରିଲେଣି। ତଥାପି ସରକାର ଦେଶର ନିଜ ଲୋକ ଓ ଅନ୍ନଦାତାଙ୍କ ପ୍ରତି ଅମାନବୀୟ ଆଚରଣ ପ୍ରଦର୍ଶନ କରି ଚାଲିଛନ୍ତି। ଯଦି ସରକାର ପ୍ରକୃତରରେ ଚାଷୀଙ୍କ ହିତ କଥା ଚାହାନ୍ତି ଓ ସେମାନଙ୍କୁ ସମ୍ମାନ କରନ୍ତି, ତା’ହେଲେ ଆଲୋଚନା ଆରମ୍ଭ କରନ୍ତୁ। ସେହିପରି ଚାଷୀଙ୍କ ଦାବିକୁ ମଧ୍ୟ ପୂରଣ କରନ୍ତୁ।” ସୂଚନାଯୋଗ୍ୟ, ବିବାଦର ସମାଧାନ କରିବାକୁ ଚାଷୀ ଓ ସରକାରଙ୍କ ମଧ୍ୟରେ ୧୧ଥର ଆଲୋଚନା ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଜାନୁଆରୀ ମାସରେ ସରକାର କୃଷି ଆଇନ ଉପରେ ୧୨ରୁ ୧୮ ମାସ ରୋକ ଲଗାଇବାକୁ ରାଜି ଥିବା କହିଥିଲେ। ହେଲେ ଚାଷୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୁପ୍ରିମକୋର୍ଟ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ ଲଗାଇବା ସହ ସମାଧାନ କରିବାକୁ କମିଟି ଗଠନ କରିଛନ୍ତି।

ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‌ ଲୋକାର୍ପିତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ର ଇସ୍ପାତ ପୋଷ୍ଟ ଗ୍ରାଜୁଏଟ୍‌ ଇନଷ୍ଟିଚ୍ୟୁଟ୍‌ ଓ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ୍‌ ଆଜି ଲୋକାର୍ପିତ ହୋଇଛି। ଭର୍ଚୁଆଲ୍‌ ମୋଡ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି। ଆଗାମୀ ଦିନରେ ଏହାର ସୁବିଧା ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍‌ ସଂକ୍ରମିତମାନେ ପାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ଅକ୍ସିଜେନ ପ୍ଲାଣ୍ଟ ନିକଟରେ ବୃହତ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ। ଯାହାକୁ ପ୍ରାଧାନ୍ୟ ଦେଇ ସେଲ୍ ରାଉରକେଲାରେ ୫୦୦ ବେଡ୍‌ ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଦାୟିତ୍ୱ ନେଇଛି। ଏଥିପାଇଁ ମୁଁ ସେଲ୍‌ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଉଛି।” ସେ ଆହୁରି କହିଛନ୍ତି-“ବର୍ତ୍ତମାନ ଖଣି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯିବ। ତେଣୁ କେନ୍ଦୁଝର ଜିଲ୍ଲା ବଲାଣି/ବଡ଼ବିଲଠାରେ ଅକ୍ସିଜେନ ସୁବିଧା ସହ ୧୦୦ କୋଭିଡ୍‌ ବେଡ୍‌ ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଡାଠାରେ ୫୦ ଅକ୍ସିଜେନ ସଂଯୁକ୍ତ ବେଡ୍‌ର ବ୍ୟବସ୍ଥା କରିବା ପାଇଁ ସେଲକୁ ଦାୟିତ୍ୱ ଦିଆଯାଇଛି। ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ୭୪ ଲକ୍ଷ ୮୬ ହଜାର ୧୪୦ ଟିକା ଉପଲବ୍ଧ ହୋଇଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାକୁ କେନ୍ଦ୍ର ସରକାର ୬୮ ଲକ୍ଷ ୫୭ ହଜାର ୬୬୦ ଟିକା ଦେଇଛନ୍ତି। କର୍ପୋରେଟ୍‌ ତଥା ସେଲ୍‌ ମଧ୍ୟ ଟିକା ଅଭିଯାନରେ ସାମିଲ ହୋଇ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରନ୍ତୁ। ଏହାସହ ସେଲକୁ ଅନୁରୋଧ ଯେ, ସୁନ୍ଦରଗଡ଼ର ଅନ୍ୟୁନ ୨ ଜଣ ସାଧାରଣ ଲୋକଙ୍କୁ ମାଗଣାରେ ଟିକା ଦେବାର ଦାୟିତ୍ୱ ନିଅନ୍ତୁ।” ସେ ଆହୁରି କହିଛନ୍ତି-“ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ଼ରେ ଅକ୍ସିଜେନ ପ୍ରସ୍ତୁତ ୟୁନିଟରୁ ଲିକୁଇଡ୍‌ ମେଡ଼ିକାଲ ଅକ୍ସିଜେନର ଉତ୍ପାଦନ ଏବଂ ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି। ଚଳିତବର୍ଷ ଏପ୍ରିଲରୁ ଏହି ପ୍ଲାଣ୍ଟରୁ ୧୦ ହଜାର ଟନରୁ ଅଧିକ ମେଡ଼ିକାଲ ଅକ୍ସିଜେନ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଉଛି। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯାଉଛି। କର୍ପୋରେଟ ଅନୁଷ୍ଠାନ ଗୁଡ଼ିକ ବିଶେଷ ଭାବରେ କେନ୍ଦ୍ରୀୟ ପିଏସୟୁ ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍‌ ବେଡ୍‌ ଏବଂ ୧୦୦୦ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ, ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମବୀ ଫଗନ ସିଂହ କୁଲସ୍ତେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଧାୟକ ଓ ସେଲ୍‌ କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ।

ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲା ଓଡ଼ିଶା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ‘ବ୍ଲାକ ଫଙ୍ଗସ୍‌’କୁ କେତେକ ରାଜ୍ୟ ସରକାର ମହାମାରୀ ଘୋଷଣା କରିବାପରେ ଓଡ଼ିଶା ସରକାର ଆଜି ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି। ଓଡ଼ିଶା ମହାମାରୀ ଆଇନ-୧୮୯୭ର ଧାରା-୩ ଅନୁସାରେ ‘ବ୍ଲାକ ଫଙ୍ଗସ୍‌’କୁ ମହାମାରୀ ଘୋଷଣା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଏପର୍ଯ୍ୟନ୍ତ ୧୧ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛି। ସମସ୍ତ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସରକାର ଏହି ସମସ୍ତ ରୋଗୀଙ୍କ ଉପରେ ନଜର ରଖିଛନ୍ତି। ଏବେ ବ୍ଲାକ ଫଙ୍ଗସ୍ ପରେ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ହ୍ୱାଇଟ୍ ଫଙ୍ଗସ୍ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନାହାନ୍ତି। ରାଜ୍ୟ ସରକାର ଗତ ୩ଦିନ ତଳେ ବ୍ଲାକ ଫଙ୍ଗସ୍ ରୋଗର ଲକ୍ଷଣ ଓ ଏହାର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଥିଲେ। ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ ଏହି କମିଟି ରାଜ୍ୟ ସରକାରଙ୍କୁ ମୁଖ୍ୟତଃ ୬ଟି ସୁପାରିସ୍ କରିଛି। ସେମାନଙ୍କ ସୁପାରିଶ୍ ଆଧାରରେ ସରକାର ଏହି ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି। ବ୍ଲାକ ଫଙ୍ଗସ୍ ରୋଗର ଚିହ୍ନଟ ଓ ଏହାର ନିରାକରଣ ପାଇଁ ଗଠିତ ହୋଇ ବିଶେଷଜ୍ଞ କମିଟି ମୁଖ୍ୟତଃ ୬ଟି ଦିଗ ଉପରେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ବ୍ଲାକ ଫଙ୍ଗସ ରୋଗରେ ପୀଡ଼ିତ ରୋଗୀଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦେବା, ଏହାକୁ ମହାମାରୀ ଘୋଷଣା କରିବା, ପରୀକ୍ଷା,ନିରୀକ୍ଷା ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ପ୍ରୋଟୋକଲ, ଜିଲ୍ଲାସ୍ତରରେ ରୋଗ ଜଣାଇବାକୁ ବାଧ୍ୟ କରାଯିବ, ଲୋକଙ୍କ ସଚେତନ ଏବଂ ଖବର ସଂଗ୍ରହ ଉପରେ ବ୍ୟବସ୍ଥା କରିବା ନିମନ୍ତେ କମିଟି ସୁପାରିସ୍ କରିଥିବା ଜଣାପଡ଼ିଛି। ବ୍ଲାକ ଫଙ୍ଗସର ଭୟାବହତା ଏବେ ଦିଲ୍ଲୀ ଓ ଅନ୍ୟ କେତେକ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି।