ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ନେଇପାରେ ବାତ୍ୟାର ରୂପ, ଓଡ଼ିଶା ପ୍ରତି ବିପଦ ର ଆଶଙ୍କା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆସନ୍ତା ୨୩ତାରିଖ ସୁଦ୍ଧା ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ଓ ଓଡ଼ିଶା ପ୍ରତି ଏହାର ବିପଦ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରାକ୍ ଆକଳନ କରାଯାଇଛି। ରାଜ୍ୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଏବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାକି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ମେ’ ୨୩ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବାର ଆଶଙ୍କା ରହିଛି। ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚଳିତବର୍ଷ ଆଗୁଆ ଦକ୍ଷିଣ ଆଣ୍ଡାମାନ ସାଗର ଛୁଇଁବାର ଥିବାବେଳେ ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପ୍ରାୟ ମେ’ ୨୧ତାରିଖରେ ଅନୁଭୂତ ହେବ। ତେଣୁ ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ମେ’ ୨୬-୨୭ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ତା’ର ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଅବଶ୍ୟ ଏହି ଘୂର୍ଣ୍ଣିବଳୟର ପ୍ରଭାବ କ’ଣ ରହିବ ଓ ଏହା ବାତ୍ୟାର ରୂପ ନେବ କି ତାହା ସେ ନେଇ ଆସନ୍ତା ଦୁଇ-ତିନି ଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟା ଆଶଙ୍କା ନେଇ ସରକାରୀ ଭାବେ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ। ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଆସିଥିବା ବାତ୍ୟା ମହାରାଷ୍ଟ୍ର ଓ ଗୁଜୁରାଟ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛି।

ବଢ଼ିଲା ଲକ୍‌ଡାଉନ୍‌: କୋହଳ ସମୟ କମିଲା, ବାହାଘର ନିୟମ ବଦଳିଲା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଦିନିଆ ଲକ୍‌ଡାଉନ୍ ଆସନ୍ତାକାଲି ଶେଷ ହେବାକୁ ଯାଉଥିବା ବେଳେ ଆଜି ଏହାକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତା’ସହିତ ଲକ୍‌ଡାଉନ୍‌ କଟକଣାରେ କିଛି ପରିବର୍ତ୍ତନ କରିଛନ୍ତି। ମେ’ ୫ ତାରିଖରୁ ପ୍ରଥମ ଦଫାରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ରେ ସକାଳେ ୬ ଘଣ୍ଟା ପାଇଁ ନିୟମକୁ କୋହଳ କରାଯାଇଥିଲା। ପନିପରିବା, ଗ୍ରୋସରୀ, ମାଛ, ମାଂସ ଓ କ୍ଷୀର ଆଦି କିଣିବା ପାଇଁ ଲୋକଙ୍କୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତେବେ ଏଥର ସରକାର ଏହି ସମୟସୀମାକୁ ହ୍ରାସ କରି ଦେଇଛନ୍ତି। କିଣାକିଣି କରିବା ପାଇଁ ମାତ୍ର ୪ ଘଣ୍ଟା ସମୟ ଦିଆଯାଇଛି। ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ସବୁ ଦୋକାନ ଖୋଲା ରହିବ ଓ ଲୋକେ ତା’ ମଧ୍ୟରେ କିଣାକିଣି କରିପାରିବେ। ପୂର୍ବବତ୍ ଲୋକେ ଚାଲିଚାଲି ଯାଇ ନିକଟସ୍ଥ ଦୋକାନରୁ କିଣାକିଣି କରିବେ। ସେହିପରି ବାହାଘର, ବ୍ରତଘର ଓ ଶୁଦ୍ଧି କାର୍ଯ୍ୟ ପାଇଁ କଟକଣାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ବାହାଘରରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ ବୋଲି ଗତଥର କୁହାଯାଇଥିବା ବେଳେ ଏଥର ଏଥିରେ ଆହୁରି କାଣ୍ଟଛାଣ୍ଟ୍ କରାଯାଇଛି। ଏଣିକି ବାହାଘରରେ ୫୦ ବଦଳରେ ୨୫ ଜଣ ରହିପାରିବେ। ବର, କନ୍ୟା, ପୂଜକ ଓ ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ ଉପସ୍ଥିତ ରହିପାରିବେ। ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିପାରିବେ। ଅବଶ୍ୟ ପୂର୍ବଥର ମଧ୍ୟ ଶୁଦ୍ଧି କାର୍ଯ୍ୟରେ ୨୦ ଜଣ ଉପସ୍ଥିତ ରହିପାରିବେ ବୋଲି କୁହାଯାଇଥିଲା। ବାହାଘର, ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ଭୋଜିଭାତକୁ ସଂପୂର୍ଣ୍ଣ ମନା କରାଯାଇଛି। ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ତେବେ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ। ଅଫିସ ଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରି କରିଛନ୍ତି। ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସରକାରୀ ଅଫିସ୍ ଷ୍ଟାଫ୍ କମିବେ। ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍ ୧୦% ଷ୍ଟାଫରେ ଚାଲିବ। ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍ରେ ଷ୍ଟାଫ୍ ଯଥେଷ୍ଟ କମାଯିବ। ବେସରକାରୀ ଓ କର୍ପୋରେଟ ଅଫିସ ୩୩% କର୍ମଚାରୀରେ ଚାଲିବ। ପୋଲିସ, ହୋମଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ।

କ’ଣ ଖୋଲା ରହିବ?

  • ଛାତ୍ରଛାତ୍ରୀଙ୍କ ପଢ଼ା ବହି ଦୋକାନ ଖୋଲା ରହିବ
  • ଇଲେକ୍ଟ୍ରି, ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନ
  • ଏସି, କୁଲର, ୱାଟର ପ୍ୟୁରିଫାୟର ମରାମତି ଦୋକାନ
  • କଂପ୍ୟୁଟର, ମୋବାଇଲ ମରାମତି ଦୋକାନ
  • ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ
  • କେବଳ କ୍ଷୀର ବିକିବାକୁ ଓମଫେଡ ଦୋକାନ ଖୋଲା ରହିବ
  • ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲିବାକୁ ଅନୁମତି
  • ସକାଳ ୫ଟାରୁ ୮ଟା ପଯର୍ୟନ୍ତ ଖବର କାଗଜ ବିତରଣ ଅନୁମତି
ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍ ଅବଧି, କମିଲା ପନିପରିବା କିଣିବା ସମୟ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍ ଅବଧି। ଜୁନ୍ ୧ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ବଢ଼ାଇ ଦେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ମେ’ ୫ରୁ ସରକାର ପୂରା ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରିଥିଲେ। ଏହା ଆସନ୍ତାକାଲି ସରିବାକୁ ଥିବା ବେଳେ ଆଜି ଜୁନ୍ ପହିଲା ଯାଏ ଏହାକୁ ବଢ଼ାଇ ଦିଆଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ପୂର୍ବବତ୍ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିବ। ଅନ୍ୟପକ୍ଷରେ ସୋମବାରରୁ ଶୁକ୍ରବାର ଦୈନିକ ସକାଳେ ପନିପରିବା କିଣିବା ପାଇଁ ମିଳୁଥିବା ମହଲତକୁ କମାଇ ଦିଆଯାଇଛି। ପୂର୍ବରୁ ଏହି ସମୟସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି। ଫଳରେ ଲୋକଙ୍କୁ ପନିପରିବା ଓ ଗ୍ରୋସରୀ ସାମାନ କିଣିବା ପାଇଁ ମାତ୍ର ୪ ଘଣ୍ଟା ସମୟ ମିଳିବ। ପୂର୍ବଭଳି ଲୋକେ ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଇ ଜିନିଷ କିଣିବେ। ଏବେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ଉପରେ ରହୁଛି। ଏହା ମଧ୍ୟରେ ଦୈନିକ ସଂକ୍ରମଣ ୧୧ ହଜାର ଓ ୧୨ ହଜାର ବି ଅତିକ୍ରମ କରିଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୩୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆହୁରି ୨୨ ଜଣଙ୍କର ମୃତ୍ୟୁ ଘଟିଛି।

 

୧୯ ମେ’, ବୁଧବାର – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ପାରିବାରିକ ସମସ୍ୟାର ସମାଧାନ ହେବ। ବନ୍ଧୁଙ୍କ ସହିତ କଥାବାର୍ତ୍ତା କଲାବେଳେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: କର୍ମକ୍ଷେତ୍ରରେ କୌଣସି ବିବାଦୀୟ ପ୍ରସଙ୍ଗରେ ଆଶ୍ୱସ୍ତି ମିଳିବ। କଷ୍ଟରେ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଯିବେ। ପରିବାରରେ ଶାନ୍ତି ବଜାୟ ରହିବ।

ମିଥୁନ: ମନୋବଳ ହ୍ରାସ ପାଇବ। ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ଆର୍ଥିକ ସମସ୍ୟାକୁ ନେଇ ମାନସିକ ଦୁଃଶ୍ଚିନ୍ତା ବଢ଼ିବ।

କର୍କଟ: ବନ୍ଧୁଙ୍କ ଠାରୁ ସମ୍ମାନ ପ୍ରାପ୍ତି ହେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ। କିଛି ଶୁଭ ଖବର ମିଳିପାରେ।

ସିଂହ: ସନ୍ତାନସନ୍ତତିଙ୍କ ପାଇଁ ବାପାମା’ ଚିନ୍ତିତ ରହିବେ। ବହୁ ଲୋକ ସାହାଯ୍ୟ କରିବାକୁ ଆଗେଇ ଆସିବେ।

କନ୍ୟା: ରାସ୍ତାରେ ଯା’ଆସ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଅସୁସ୍ଥ ଅନୁଭବ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହୋଇପାରେ।

ତୁଳା: ସମାଜ ସେବା କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶ ଅନ୍ୟମାନଙ୍କର କାମରେ ଲାଗିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

ବିଛା: ଅର୍ଥାଭାବ ଦେଖାଯିବ। ନିଜ ଲୋକଙ୍କ ଆଚରଣ ମନକୁ କଷ୍ଟ ଦେବ। ମହିଳାମାନେ ନିନ୍ଦିତ ହୋଇପାରନ୍ତି।

ଧନୁ: ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଜି ପାରେ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ତେଣୁ ସତର୍କ ରୁହନ୍ତୁ।

ମକର: ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ବନ୍ଧୁଙ୍କ ସହିତ ପରାମର୍ଶ କରିବେ।

କୁମ୍ଭ: ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ।

ମୀନ: ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖାଦେବ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ପୂର୍ବରୁ କରିଥିବା କୌଣସି କାର୍ଯ୍ୟ ପାଇଁ ବନ୍ଧୁମାନଙ୍କ ଠାରୁ ପ୍ରଶଂସା ପାଇବେ।