‘୧୦ % କର୍ମଚାରୀଙ୍କୁ ନେଇ ନୁହେଁ,ଆବଶ୍ୟକତାକୁ ଦେଖି ଅଫିସ୍ ଚଳାଇବେ ବିଭାଗ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)-ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଜୁନ୍ ୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହେବାପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ଅଫିସଗୁଡ଼ିକ ଚଳାଇବାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରୀ ଅଫିସଗୁଡ଼ିକ ୧୦ପ୍ରତିଶତରୁ କମ୍ କର୍ମଚାରୀରେ କାର୍ଯ୍ୟ କରିବା ଅବା ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ନିମନ୍ତେ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଅଫିସ୍ କିଭଳି ଚାଲିବ ସେ ନେଇ ପ୍ରଶାସନିକ ବିଭାଗଗୁଡ଼ିକ ନିଷ୍ପତ୍ତି ନେବେ। କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାମଲା, ବିଭାଗର କାର୍ଯ୍ୟଚାପ ବିଶେଷକରି ଜରୁରୀ କାମକୁ ଦେଖି ସବଅର୍ଡିନେଟ୍ ଓ କ୍ଷେତ୍ରସ୍ତରୀୟ ଅଫିସ୍ କିଭଳି ଚାଲିବ ସେ ସମ୍ପର୍କରେ ସମ୍ପୃକ୍ତ ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବ। ଯେଉଁ ଅଫିସର ଓ କର୍ମଚାରୀଙ୍କୁ ରୋଷ୍ଟର ଡ୍ୟୁଟି ମିଳିନଥିବ ସେମାନେ ଘରୁ ରହି କାମ କରିବେ। ସବୁବେଳେ ହେଡକ୍ୱାର୍ଟରରେ ଉପଲବ୍ଧ ହେବ ଓ ଟେଲିଫୋନ୍ ମାଧ୍ୟମରେ ସୂଚନା ପାଇବା ମାତ୍ରେ ଅଫିସ୍ ଆସି କାମ କରିବେ। ସୂଚନାଯୋଗ୍ୟ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ଏପ୍ରିଲ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ବିଭାଗଗୁଡ଼ିକ ନିଜ ଅଫିସ୍ କିଭଳି ଚାଲିବ ସେ ନେଇ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଥିଲା। କିନ୍ତୁ ଅଫିସରେ କର୍ମଚାରୀ ସଂଖ୍ୟା ୫୦ ପ୍ରତିଶତରୁ କମ୍ ରହିବ ଓ ଅତି ଜରୁରୀ ସ୍ଥିତିରେ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ କାମ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଆଜି ଏସଆରସିଙ୍କ ନିର୍ଦ୍ଦେଶପରେ ସାଧାରଣ ପ୍ରଶାସନ ବିଭାଗ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ୍ ଚଳାଇବା ପାଇଁ ଅନୁମତି ଦେବା ପରିବର୍ତ୍ତେ ବିଭାଗଗୁଡ଼ିକ ଉପରେ ସ୍ଥିତିକୁ ଚାହିଁ ନିଷ୍ପତ୍ତି ନେବାକୁ କହିଛି।

ଶିବ ସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଆ ତାରକା ଶିବସୁନ୍ଦର ଦାସଙ୍କୁ ମିଳିଲା ବଡ଼ ଦାୟିତ୍ୱ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ଇଂଲଣ୍ଡ ଟୁର୍ ପାଇଁ  ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। ସେହିପରି ଦିଲ୍ଲୀର ପୂର୍ବତନ ୱିକେଟକିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଶିବ ସୁନ୍ଦର ଏହା ପୂର୍ବରୁ ଭାରତୀୟ ମହିଳା-ଏ ଟିମ୍ ସହ କାମ କରିସାରିଛନ୍ତି । ତେବେ ସିନିୟର ମହିଳା ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇ ଶିବସୁନ୍ଦର ବହୁତ ଖୁସି ହୋଇଛନ୍ତି । ସେ କହିଛନ୍ତି, ପ୍ରଥମଥର ଲାଗି ମୁଁ ଭାରତୀୟ ମହିଳା ଟିମ୍ ସହ କାମ କରିଛି । ତେଣୁ ଏହା ମୋ ପାଇଁ ଏକ ରୋମାଞ୍ଚକର ସମୟ । ମୁଁ ମୋ ଦାୟିତ୍ୱ ବହନ କରିବାକୁ ନେଇ ଉତ୍ସାହିତ । ମୋ ପାଇଁ ଏହି ଦାୟିତ୍ୱ ନିଶ୍ଚିତ ଚ୍ୟାଲେଞ୍ଜିଂ ହେବ, କାରଣ ମୁଁ ଜଣେ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିଛି ଏବଂ ସେଠାରେ ଅନେକ ଲିଗ୍ କ୍ରିକେଟ୍‌ ଖେଳିଛି । ସେଠାକାର ପରିବେଶ ସହ ମୁଁ ପରିଚିତ ଅଛି। ତେଣୁ ମୁଁ ମୋର ଅଭିଜ୍ଞତାକୁ ଟିମ୍ ସହ ବାଣ୍ଟିବାକୁ ଚାହିଁବି । ଏବେ ମୋର ପୂରା ଫୋକସ୍ ଇଂଲଣ୍ଡ ଟୁର୍ ଉପରେ ରହିବ, କାରଣ ମୁଁ ଇଂଲଣ୍ଡ ଟୁର୍ ପାଇଁ ଆସିଛି।ଶିବସୁନ୍ଦର ଟିମର ମୁଖ୍ୟ କୋଚ୍ ରମେଶ ପାୱାରଙ୍କ ସହ ଯୋଗ ଦେଇଛନ୍ତି। ରମେଶଙ୍କ ନିକଟରେ ବିସିସିଆଇ ମହିଳା ଟିମର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି। ଶିବସୁନ୍ଦର ଓଡ଼ିଶାର ଅନ୍ୟତମ ଖେଳାଳି ଭାବେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଛନ୍ତି । ତାଙ୍କ ବ୍ୟତୀତ ଦେବାଶିଷ ମହାନ୍ତି ମଧ୍ୟ ଭାରତ ପକ୍ଷରୁ କ୍ରିକେଟ୍ ଖେଳିଛନ୍ତି। ବର୍ତ୍ତମାନ ଦେବାଶିଷ ଭାରତୀୟ ପୁରୁଷ ସିନିୟର ଟିମର ସିଲେକ୍ସନ୍ କମିଟିର ସଦସ୍ୟ ଅଛନ୍ତି । ଶିବ ସୁନ୍ଦର ଭାରତ ପକ୍ଷରୁ ୨୩ ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି । ସେ ଦୁଇଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୩୪.୮୯ ହାରରେ ୧୩୨୬ ଟେଷ୍ଟ ରନ୍ ଓ ମାତ୍ର ୩୯ ଦିନିକିଆ ରନ୍ କରିଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ମହିଳା ଟିମ୍ ଆସନ୍ତା ୧୯ ତାରିଖରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ। ଇଂଲଣ୍ଡରେ ଭାରତୀୟ ମହିଳା ଟିମ୍ ଜୁନ୍ ୧୬ ତାରିଖରୁ ଟେଷ୍ଟ ମ୍ୟାଚ୍ ଖେଳି ଗସ୍ତର ଶୁଭାରମ୍ଭ କରିବ। ଜୁନ୍ ୧୬ ତାରିଖରେ ଭାରତ ଇଂଲଣ୍ଡ ବିପକ୍ଷରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ଏହା ପରେ ତିନୋଟି ଦିନିକିଆ ଓ ତିନୋଟି ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।

ଆସିଲା ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମର ଜବରଦସ୍ତ ଲୁକ୍‌…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡର ଅନ୍ୟତମ ପ୍ରତିଭାଶାଳୀ ଅଭିନେତ୍ରୀ ବିଦ୍ୟା ବାଲାନ ନିଜର ଆଗାମୀ ‘ଶେରନୀ’କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମରେ ବିଦ୍ୟା ବାଲାନଙ୍କ ଜବରଦସ୍ତ ଲୁକ୍ ଜାରି ହୋଇଛି । ଏଥିରେ ସେ ଜଙ୍ଗଲରେ ଡ୍ୟାଶିଙ୍ଗ ଅନ୍ଦାଜରେ ନଜର୍ ଆସୁଛନ୍ତି । ଏହାସହ ଆମାଜନ ପ୍ରାଇମ୍ ଭିଡିଓ ପକ୍ଷରୁ ଫିଲ୍ମର ଗ୍ଲୋବାଲ୍ ପ୍ରିମିୟର ଆସନ୍ତା ମାସରେ ହେବ ବୋଲି ଘୋଷଣା କରାଯାଇଛି । ‘ନ୍ୟୁଟନ୍‌’ ଫେମ୍ ଡାଇରେକ୍ଟର ଅମିତ୍ ମାସୁରକରଙ୍କ ଫିଲ୍ମ ‘ଶେରନୀ’ରେ ବିଦ୍ୟା ବାଲାନ୍ ଲିଡ୍ ରୋଲରେ ଅଛନ୍ତି । ଜୁନରେ ରିଲିଜ୍ ହେବାକୁଥିବା ଏହି ଫିଲ୍ମରେ ଶରଦ ସାକ୍ସେନା, ମୁକୁଲ ଚଡ୍ଡା, ବିଜୟ ରାଜ, ବ୍ରିଜେନ୍ଦ୍ର କାଲା ଓ ନୀରଜ କବିଙ୍କ ଭଳି ଅଭିନେତା ମଧ୍ୟ ପ୍ରମୁଖ ଭୂମିକା ତୁଲାଉଛନ୍ତି ।‘ଶେରନୀ’ରେ ବିଦ୍ୟା ବାଲାନ୍ ଏକ ଦୃଢ଼ ଇଚ୍ଛାଶକ୍ତି ମହିଳା ଅଫିସର୍ ଭୂମିକାରେ ନଜର ଆସିବେ, ଯିଏ କଠିନ ପରିସ୍ଥିତିରେ ମଧ୍ୟ ନିଷ୍ଠାର ସହ ନିଜ କାର୍ଯ୍ୟ ତୁଲାଇବାକୁ ପ୍ରୟାସ କରନ୍ତି । ବିଦ୍ୟାଙ୍କ ଏହି ଫିଲ୍ମକୁ ଫ୍ୟାନ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ‘ଶେରନୀ’ ସମ୍ବନ୍ଧରେ ଆମାଜନ ପ୍ରାଇମ ଭିଡିଓର ନିର୍ଦ୍ଦେଶକ ବିଜୟ ସୁବ୍ରମଣ୍ୟମ କହିଛନ୍ତି, ଗତ କିଛି ବର୍ଷ ଧରି ଆବନଡାଣ୍ଟିଆ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍ ନିଜର ରୋଚକ କଣ୍ଟେଣ୍ଟ ସହିତ ଭଲ କାହାଣୀ ଦର୍ଶାଉଥିବା ଏକ ପାୱାରହାଉସ୍ ପ୍ରମାଣିତ ହୋଇଛି । ଆମେ ସେମାନଙ୍କ ଆମର ସହଭାଗିତାକୁ ଅଧିକ ମଜଭୁତ୍ କରିବା ପାଇଁ ରୋମାଞ୍ଚିତ ।

 

 

ପୁଣି ରାମୁଙ୍କ ଫିଲ୍ମରେ ଓଡ଼ିଶା ଝିଅ ଅପସରା ରାଣୀ, ରିଲିଜ୍ ହେଲା ଟ୍ରେଲର୍….!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ଜଣାଶୁଣା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ନିଜର ଫିଲ୍ମ ଓ ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏବେ ରାମ ଗୋପାଳ ବର୍ମା ନିଜର ପ୍ରଥମ ଲେସବିଆନ୍ କ୍ରାଇମ୍ ଡ୍ରାମା ଫିଲ୍ମ ‘ଡେଞ୍ଜରସ୍‌’ ପରଦା ଉପରକୁ ଆଣିବାକୁ ଯାଉଛନ୍ତି । ଏହି ଫିଲ୍ମରେ ପୁଣିଥରେ ଓଡ଼ିଶା ଝିଅ ଅପସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାକୁ ନେଇଛନ୍ତି । ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି ଏବଂ ନାଁ ଅନୁସାରେ ଫିଲ୍ମଟି ମଧ୍ୟ ବହୁତ ଡେଞ୍ଜରସ୍ ଲାଗୁଛି । ଏହି ଫିଲ୍ମରେ ଦର୍ଶକଙ୍କୁ ସବୁକିଛି ମସଲା ଦେଖବାକୁ ମିଳିବ । ଫିଲ୍ମରେ ଦୁଇ ଯୁବତୀଙ୍କ କାହାଣୀକୁ ଦର୍ଶାଯାଇଛି, ଯିଏ ଲେସବିଆନ୍ । ଫିଲ୍ମର ଟ୍ରେଲରରେ କୌଣସି ଡାଇଲଗ୍ ନାହିଁ, କିନ୍ତୁ ଏହାକୁ ଦେଖି ଜଣାପଡ଼ୁଛି ଯେ ଏହି ଦୁଇ ଯୁବତୀଙ୍କ ବୟଫ୍ରେଣ୍ଡ ସେମାନଙ୍କ ସହ ଖରାପ ବ୍ୟବହାର କରୁଛନ୍ତି । ଯେଉଁକାରଣରୁ ଦୁହେଁ ଲେସବିଆନ୍ ହେବାକୁ ବାଧ୍ୟ ହୋଇଛନ୍ତି । ଟ୍ରେଲରରେ ମସଲା ଭରପୂର ରହିଛି ଏବଂ ଫିଲ୍ମର ଥିମ ଅନୁଯାୟୀ ବହୁତ ହଟ୍ ସିନ୍ ଦର୍ଶକଙ୍କୁ ଦେଖିବାକୁ ମିଳିବ । ରାମ ଗୋପାଳ ବର୍ମାଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ଡେଞ୍ଜରସ୍‌’ ପାଇଁ ସୋଶାଲ ମିଡିଆରେ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଏହି ଫିଲ୍ମରେ ନୈନା ଗାଙ୍ଗୁଲିଙ୍କ ବ୍ୟତୀତ ଅପସରା ରାଣୀ ଲିଡ୍ ରୋଲରେ ନଜର ଆସିବେ । ଫିଲ୍ମର ଟ୍ରେଲରେ ରାଜପାଲ୍ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଓଡ଼ିଆ ଝିଅ ଅପସରା ରାଣୀଙ୍କ ଗ୍ଲାମରସ୍ ଅନ୍ଦାଜ ଦେଖିବାକୁ ମିଳିବ । ଏହା ପୂର୍ବରୁ ଅପସରା ରାମୁଙ୍କ ‘ଥ୍ରୀଲର’ ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମଟି ଗତବର୍ଷ ରିଲିଜ୍ ହୋଇଥିଲା । ଆଉ ଏହି ଫିଲ୍ମର ଉଭୟ ନାୟକ ଓ ନାୟିକା ଥିଲେ ଓଡ଼ିଆ। ସେମାନେ ହେଲେ ଅପସରା ରାଣୀ ଓ ରକ୍ କାଚି।

ଲୁଚି ଲୁଚି ବାହା ହୋଇଗଲେ ଗୀତା ମା’…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡ଼ର ଆଗଧାଡିର କୋରିଓଗ୍ରାଫର ହେଉଛନ୍ତି ଗୀତା କପୁର। ନୃତ୍ୟ ଭିତ୍ତିକ ରିଆଲିଟି ଶୋ‘ ଗୁଡ଼ିକରେ ତାଙ୍କୁ ଜଜ୍‌ ରୂପେ ମଧ୍ୟ ଦେଖିବାକୁ ମିଳେ। ତେବେ ଗୀତା ମା’ ଭାବେ ଜଣାଶୁଣା ଏହି ପ୍ରସିଦ୍ଧ କୋରିଓଗ୍ରାଫରଙ୍କ ଏକ ଫଟୋ ଏବେ ଖୁବ୍ ଭାଇରାଲ ହେଉଛି। କାରଣ ଏଯାଏଁ ବାହା ହୋଇ ନଥିବା ଗୀତା ମଥାରେ ଲଗାଇଛନ୍ତି ସିନ୍ଦୂର। ୪ ଦିନ ତଳେ ଗୀତା ଏହି ଫଟୋକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଫଟୋଟିକୁ ପୋଷ୍ଟ କରି ସେ ଲେଖିଥିଲେ, ସୁପର ଡ୍ୟାନ୍ସର ଚାପଟର ୪ର ଶୁଟିଂ ପାଇଁ ପ୍ରସ୍ତୁତ। ଫଟୋରେ ସେ ଅନାରକଲି ଡ୍ରେସ୍ ପିନ୍ଧିଥିବା ବେଳେ ତାକୁ ମ୍ୟାଚ କରି ଆଣ୍ଟିକ ଜୁଏଲାରୀ ପିନ୍ଧିଛନ୍ତି। ଏଥିରେ ସେ ବେଶ୍ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି। କିନ୍ତୁ ଏହି ଫଟୋରେ ସବୁଠୁ ଖାସ ହେଉଛି ଗୀତା ମା’ଙ୍କ ମଥାରେ ଝଲସୁଥିବା ସିନ୍ଦୂର। ତାଙ୍କ ମଥାରେ ସିନ୍ଦୂର ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ସେ ବାହା ହୋଇଗଲେ କି ବୋଲି ପ୍ରଶ୍ନ କରିଛନ୍ତି।ଏହା ସହିତ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ମା’ଙ୍କ ସିନ୍ଥିରେ ସିନ୍ଦୂର, କେବେ ବାହା ହେଲେ ମା’। କେବଳ ଫ୍ୟାନ୍ ନୁହନ୍ତି, ଟିଭି ସିରିଏଲ କଳାକାର ରଶ୍ମୀ ଦେଶାଇ ଓ ଯଶବୀର କୌର ମଧ୍ୟ ଗୀତାଙ୍କ ଏହି ଫଟୋ ଦେଖି ହାର୍ଟ ଇମୋଜୀ ପୋଷ୍ଟ କରିଛନ୍ତି। ତେବେ ଗୀତା ସିନ୍ଦୂର ପଛର ରହସ୍ୟ ଖୋଲି ନାହାନ୍ତି। ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ୱର୍କ ଫ୍ରଣ୍ଟ କଥା କହିଲେ ଗୀତା ଏବେ super dancer 4 ଶୁଟିଂରେ ବ୍ୟସ୍ତ ଅଛନ୍ତି। ବାୟୋ ବବଲ ଭିତରେ ଡାମନରେ ଏହାର ଶୁଟିଂ ଚାଲିଛି। ଗୀତାଙ୍କ ଆଉ ଏକ ଡ଼୍ୟାନ୍ସ ଶୋ’ ‘ଇଣ୍ଡିଆସ ବେଷ୍ଟ ଡ୍ୟାନ୍ସର’ର ଦ୍ୱିତୀୟ ସିଜିନ୍ ବି ଆଗକୁ ଆସିବ। ଏଥିରେ ଜଜ୍ ଆସନରେ ତାଙ୍କ ସହିତ ରହିବେ ମଲାଇକା ଅରୋରା ଓ ଟେରେନ୍ସ ଲୁଇସ।

ବାତ୍ୟା ତଉକତେର ଆଖି ଥିଲା କେତେ ଭୟଙ୍କର? କହିଲା ଭାରତୀୟ ନୌସେନା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ଝଡ଼ ତଉକତେ ଏବେ ଦୁର୍ବଳ ହେବାରେ ଲାଗିଛି। ଦୁର୍ବଳ ହେବା ପୂର୍ବରୁ ଏହା ଗୁଜରାଟ ଓ ମହାରାଷ୍ଟ୍ର ସମେତ ଏକାଧିକ ରାଜ୍ୟରେ ଭୟଙ୍କର ତାଣ୍ଡବ ରଚିଛି। ତଉକତେ ୱେଷ୍ଟର୍ଣ୍ଣ ଉପକୂଳରେ ତାଣ୍ଡବ ରଚିବା ବେଳେ ସମୁଦ୍ର ମଧ୍ୟରେ barges, oil rigs ଓ ଅନ୍ୟାନ୍ୟ ନୌକାରେ ଥିବା କିଛି ଲୋକ ଫସି ଯାଇଥିଲେ। ସେମାନଙ୍କୁ ଭାରତୀୟ ନୌସେନାର ବୀର ଯବାନମାନେ ଉଦ୍ଧାର କରିଥିଲେ। ଅଶାନ୍ତ ସମୁଦ୍ର, ଭୟଙ୍କର ପବନ ଓ ପ୍ରବଳ ବର୍ଷା ମଧ୍ୟରେ ଯବାନମାନେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। ସମୁଦ୍ର ଏତେ ଅଶାନ୍ତ ଥିଲା ଯେ ଦୁଇଟି ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା। ଏଥିରେ ଥିବା ୧୮୮ ଜଣଙ୍କୁ ନୌସେନା ଉଦ୍ଧାର କରିଥିବା ବେଳେ ୯୩ ଜଣଙ୍କ ପତ୍ତା ଏଯାଏ ମିଳିନି। ସେମାନଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରହିଛି। ଏସବୁ ଭିତରେ ତଉକତେକୁ ପୂରା ପାଖରୁ ସାମ୍ନା କରିଥିବା ଭାରତୀୟ ନୌସନା ଏହାର ଭୟଙ୍କର ଚିତ୍ର ସମ୍ପର୍କରରେ ସୂଚନା ଦେଇଛି। ଝଡ଼ ଯୋଗୁ ସମୁଦ୍ର ମଧ୍ୟରେ ଢେଉ ପ୍ରାୟ ୨୩ ଫୁଟ ଉପରକୁ ଉଠୁଥିଲା। ସେହିପରି ୦.୫ କିମି ଯାଏ ରାସ୍ତା ହିଁ ଦେଖାଯାଉଥିଲା। ଏହା ସତ୍ତ୍ୱେ ଯବାନମାନେ ଉଦ୍ଧାର କାର୍ଯ୍ୟ କରିଥିଲେ। ସୋମବାର ସନ୍ଧ୍ୟାରେ ତଉକତେ ଗୋଟିଏ ବାରେଜ ପି-୩୦୫କୁ ସୁମଦ୍ରରେ ବୁଡ଼ାଇ ଦେଇଥିଲା। ସେହିପରି ଆଉ ଗୋଟିଏକୁ ଅଧା ଓଲଟାଇ ଦେଇଥିଲା। ଏଥିରେ ପ୍ରାୟ ୪୧୦ ଜଣ କର୍ମଚାରୀ ଥିଲେ। ଖବର ପାଇ ଜାହାଜରେ ଯବାନମାନେ ଆଗୁ ବଢ଼ିଥିଲେ। ଏ ସମ୍ପର୍କରେ କମାଣ୍ଡର ଏକେ ଝା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବାତ୍ୟାର ଆଖି ଠିକ୍‌ ମୁମ୍ବାଇର ପଶ୍ଚିମରେ ରହିଥିଲା। ଏହାକୁ ଖାତିର ନ କରି ଆମ ଜାହାଜ ଆଗକୁ ବଢ଼ିଲା। ଜାହାଜ ଆଗକୁ ବଢ଼ିବା ବେଳେ ଢେଉର ଉଚ୍ଚତା ୫ରୁ ୭ ମିଟର ଥିଲା। ପବନର ଘଣ୍ଟାପ୍ରତି ବେଗ ପ୍ରାୟ ୧୦୦ରୁ ୧୨୦ କିମି ରହିଥିଲା। ପ୍ରବଳ ବର୍ଷ ହେଉଥିବା ବେଳେ ଆଗକୁ କିଛି ବି ଦେଖାଯାଉ ନଥିଲା। ମାତ୍ର ୦.୫ କିମି ଆଗକୁ ରାସ୍ତା ଦେଖାଯାଉଥିଲା। ସମୁଦ୍ରର ଭୟଙ୍କର ରୂପକୁ ସାମ୍ନା କରି ଆଗକୁ ବଢ଼ିବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ସବୁ କିଛିର ମୁକାବିଲା କରି ବୁଡ଼ି ଯାଇଥିବା ପି-୩୦୫ ଓ ଅନ୍ୟ ଡଙ୍ଗାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଯବାନମାନେ ଲାଇଫ ଜ୍ୟାକେଟ୍ ପିନ୍ଧି ସମୁଦ୍ରକୁ ଡେଇଁଥିଲେ ଓ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।”

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ପାଇଁ ଭଙ୍ଗା ହେବ ୩ ଐତିହାସିକ କୋଠା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ର ସରକାରଙ୍କ ୨୦ ହଜାର କୋଟି ଟଙ୍କାର ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିସ୍ତାକୁ ପୂରଣ କରିବା ପାଇଁ ଦିଲ୍ଲୀର ୩ଟି ଐତିହାସିକ କୋଠା ଭଙ୍ଗାଯିବ। ଭଙ୍ଗାଯିବାକୁ ଏହି ୩ କୋଠା ହେଲା- ଜାତୀୟ ସଂଗ୍ରାହଳୟ, ଇନ୍ଦିରା ଗାନ୍ଧି ନ୍ୟାଶନାଲ ସେଣ୍ଟର ଫର ଆର୍ଟସ (ଆଇଜିଏନସିଏ) ଏବଂ ନ୍ୟାଶନାଲ ଆରକ୍ରାଇଭ୍ସ ଆନେକ୍ସ-ଏମ୍ବଲମେଟିକ ଅଫ ହିଷ୍ଟ୍ରୀ ଓ କଲଚର। ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପରେ ନୂଆ ସଂସଦ ଭବନ, ପ୍ରଧାନମନ୍ତ୍ରୀ ଓ ଉପ ରାଷ୍ଟ୍ରପତିଙ୍କ ନୂଆ ବାସଭବନ ତିଆରି କରାଯାଉଛି। ଏହି ୩ ବିଲଡିଂ ବ୍ୟତୀତ ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟ ପାଇଁ ଭଙ୍ଗା ଯିବାକୁ ଥିବା ଅନ୍ୟ କୋଠା ଗୁଡ଼ିକ ହେଲା ଶାସ୍ତ୍ରୀ ଭବନ, କୃଷି ଭବନ, ବିଜ୍ଞାନ ଭବନ, ଉପ ରାଷ୍ଟ୍ରପତିଙ୍କ ବାସଭବନ, ଜବାହର ଭବନ, ନିର୍ମାଣ ଭବନ, ଉଦ୍ୟୋଗ ଭବନ ଓ ରକ୍ଷା ଭବନ। ମୋଟ ଉପରେ ୪,୫୮,୮୨୦ ବର୍ଗ ମିଟର ଅଞ୍ଚଳକୁ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଶେଷ କରିବା ପାଇଁ ଭଙ୍ଗାଯିବ। ଜାତୀୟ ସଂଗ୍ରାହଳୟରେ ଅନେକ ପୁରୁଣା ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ପ୍ରାଇସଲେସ କଏନ, ପେଣ୍ଟିଂ, ଅଳଙ୍କାର ଓ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହ ଜଡ଼ିତ ଅନେକ ଜିନିଷ ସଂରକ୍ଷିତ ହୋଇ ରହିଛି। ଏହି ସବୁ ଜିନିଷ ଗୁଡ଼ିକୁ ଉତ୍ତର କିମ୍ବା ଦକ୍ଷିଣ ବ୍ଲକକୁ ସ୍ଥାନାନ୍ତର ହେବ। ନ୍ୟାଶନାଲ ଆରକ୍ରାଇଭ୍ସର ମୁଖ୍ୟ ବିଲଡିଂ ଭଙ୍ଗା ଯିବନି। କିନ୍ତୁ ଆନେକ୍ସ ବିଲଡିଂକୁ ଭଙ୍ଗା ଯାଇ ନୂଆ କରି ନିର୍ମାଣ କରାଯିବ। ଏହି ଆରକ୍ରାଇଭ୍ସରେ ୪୫ ଲକ୍ଷ ଫାଇଲ, ୨୫,୦୦୦ ବିରଳ ମନୁସ୍କ୍ରିପ୍ଟି, ୧ ଲକ୍ଷରୁ ଅଧିକ ମ୍ୟାପ୍‌ ଓ ୧.୩ ଲକ୍ଷ ମୋଗଲ ଦସ୍ତାବିଜ୍‌ ରହିଛି। ସେଣ୍ଟ୍ରାଲ ଭିସ୍ତା ପାଇଁ ଐତିହାସିକ ବିଲଡିଂ ସବୁ ଭଙ୍ଗା ଯାଉଥିବାରୁ ଏହାକୁ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

ସର୍ଭେ ଦେଶରେ କମୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ସହ ଦେଶବାସୀ ଗୋଟିଏ ପଟେ ଲଢ଼େଇ କରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନଥିବା ବେଳେ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଦେଶବାସୀଙ୍କ ଆଗରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଆସ୍ଥା ହରାଇବାକୁ ଲାଗିଲେଣି। ୨୦୧୪ରେ ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି ୨୦୧୯ରେ ପ୍ରଚଣ୍ଡ ଜନମତ ସହ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲେ। ଦୀର୍ଘ ୩ ଦଶନ୍ଧି ମଧ୍ୟରେ ସର୍ବାଧିକ ଆସନ ଜିତି ମୋଦି ନୂଆ ଇତିହାସ ସୃଷ୍ଟି କରିଥିଲେ। କିନ୍ତୁ ଏବେ ମହାମାରୀ କରୋନା ତାଙ୍କ ଛବିକୁ ମଳିନ କରିବାରେ ଲାଗିଛି। ଭାରତରେ କରୋନା ସଂକ୍ରମଣ ୨୫ ମିଲିୟନ ପାର୍‌ କରି ଯାଇଥିବାରୁ ଭାଇରସକୁ ମୁକାବିଲା କରିବାରେ ସରକାର ବିଫଳ ବୋଲି କୁହାଯାଉଛି। ଏହାର ପ୍ରଭାବ ମଧ୍ୟ ମୋଦିଙ୍କ ଛବି ଉପରେ ପଡ଼ିଛି। ଏହା ତାଙ୍କ ଲୋକପ୍ରିୟତାକୁ ହ୍ରାସ କରିଛି ବୋଲି ଆମେରିକାର ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଜାରି ‘ଗ୍ଲୋବାର ଆପ୍ରୁଭାଲ ରେଟିଂ’ରେ କୁହାଯାଇଛି। ଏହି କମ୍ପାନୀ ବିଭିନ୍ନ ଦେଶର ନେତାଙ୍କ ଲୋକପ୍ରିୟତା ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସର୍ଭେ କରି ରିପୋର୍ଟ ଦେଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଟିଂ ଏବେ ୬୩% ରହିଛି। ୨୦୧୯ ଅଗଷ୍ଟରୁ ହିଁ ଏହି ଆମେରିକା କମ୍ପାନୀ ତାଙ୍କ ଲୋକପ୍ରିୟତାକୁ ଟ୍ରାକ୍‌ କରୁଥିଲା। ହେଲେ ପ୍ରଥମଥର ପାଇଁ ତାଙ୍କ ରେଟିଂ ପଏଣ୍ଟ ଏତେ ତଳକୁ ଖସିଥିବା ଜାଣିବାକୁ ପାଇଛି। ମୋଦିଙ୍କ ରେଟିଂ ପଏଣ୍ଟ ଏପ୍ରିଲ ମାସରେ ହିଁ ସର୍ବାଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଏପ୍ରିଲ ୧ରୁ ମେ’ ୧୧ ମଧ୍ୟରେ ତାଙ୍କ ଆପ୍ରୁଭାଲ ରେଟିଂ ୧୦% ହ୍ରାସ ଘଟିଛି। ପୂର୍ବରୁ ଗ୍ଲୋବାଲ ଆପ୍ରୁଭାଲ ରେଟିଂରେ ମୋଦିଙ୍କ ପଏଣ୍ଟ ୭୩% ଥିବା ବେଳେ ଏବେ ଏହା ୬୩%କୁ ଖସି ଆସିଛି। ତାଙ୍କ ଡିସଆପ୍ରୁଭାଲ ପଏଣ୍ଟ ୨୧%ରୁ ୩୧%କୁ ବୃଦ୍ଧି ପାଇଛି। ମହାମାରୀ କରୋନାକୁ ମୁକିବିଲା କରିବାରେ ମୋଦି ସରକାର ଫେଲ ହୋଇଥିବା ଲୋକମାନେ କହୁଛନ୍ତି। କରୋନା ବ୍ୟାପିଥିଲେ ହେଁ ବିଭନ୍ନ ସ୍ଥାନରେ ହସ୍ପିଟାଲରେ ବେଡ୍‌ ଓ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଏହବାଦ୍‌ ନଦୀରେ ଶହଶହ ଶବ ଭାସି ଘଟଣାର କୁପ୍ରଭାବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଉପରେ ପଡ଼ିଛି। ଏହାପୂର୍ବରୁ YouGov ପକ୍ଷରୁ ସହରାଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଜାଣିବାକୁ ସର୍ଭେ କରାଯାଥିଲା। ସର୍ଭେରୁ ଜଣାପଡ଼ିଥିଲା ଯେ ମହାମାରୀକୁ ମୁକାବିଲା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଲୋକମାନେ କହିଛନ୍ତି। ବିଶେଷ କରି ଫେବୃଆରୀ ମାସ ଠାରୁ ମୋଦି ସରକାର ଉପରେ ଲୋକମାନେ ନିଜର ଆସ୍ଥା ହରାଇବା ଆରମ୍ଭ କରିଛନ୍ତି। ଏପ୍ରିଲ ଶେଷ ସୁଦ୍ଧା କେବଳ ୫୯% ଲୋକ ସରକାର ମହାମାରୀ କରୋନାକୁ ଠିକ ଭାବେ ମୁକାବିଲା କରିବାକୁ ସକ୍ଷମ ହେଉଥିବା କହିଛନ୍ତି। ପ୍ରଥମ ୱେଭ ବେଳେ ୮୯% ଲୋକ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମର୍ଥନ କରିଥିଲେ। ତେଣୁ କରୋନା ମାମଲା ବଢ଼ିବା ସହ ମୋଦିଙ୍କ ଲୋକପ୍ରିୟତା କମିବା ଆରମ୍ଭ ହୋଇଛି।

ସ୍ୱାସ୍ଥ୍ୟସେବା ପାଇଁ ଅକ୍ସିଜେନ୍, ସରକାର ଗଢ଼ିଲେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ କରୋନା ମହାମାରୀ ସଂକ୍ରମିତଙ୍କ ମଧ୍ୟରେ ଅକ୍ସିଜେନ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଚିକିତ୍ସା କ୍ଷେତ୍ର ପାଇଁ ଅକ୍ସିଜେନ୍ ଉତ୍ପାଦନ, ଗଚ୍ଛିତ ଓ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୯ଜଣିଆ ରାଜ୍ୟସ୍ତରୀୟ ଟାସ୍କଫୋର୍ସରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ପୂର୍ତ୍ତ ବିଭାଗର ସଚିବ, ଓଡ଼ିଶା ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଡ୍ରଗ୍ସ ନିୟନ୍ତ୍ରକ, ଫିକ୍କି ପ୍ରତିନିଧି ଓ ଉତ୍କଳ ଚାମ୍ବର୍ସ ଅଫ କର୍ମସ(ୟୁସିସିଆଇ)ର ପ୍ରତିନିଧିଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଏହି ଟାସ୍କଫୋର୍ସର ସଦସ୍ୟ ଆବାହକ ଭାବେ ଇପିକଲ୍ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ ତୁଲାଇବେ। ଏହି ଟାସ୍କଫୋର୍ସ ରାଜ୍ୟରେ ସ୍ୱାସ୍ଥ୍ୟସେବା ପାଇଁ ମେଡିକାଲ ଅକ୍ସିଜେନ୍ ଉପଲବ୍ଧ କରାଇବା ନିମନ୍ତେ ଦୀର୍ଘମିଆଦୀ ପଦକ୍ଷେପ ନେବେ। ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ନିମନ୍ତେ ବିଭିନ୍ନ ଷ୍ଟେକହୋଲଡରମାନଙ୍କ ସହ ସମନ୍ୱୟ ରକ୍ଷା, ଟେକ୍ନୋଲୋଜିର ଉପଯୋଗ, ନିବେଶ ଓ ନିର୍ଦ୍ଧାରିତ ଅବଧି ମଧ୍ୟରେ ଏହା ସାରିବା ଉପରେ ଏହି ଟାସ୍କଫୋର୍ସ ଗୁରୁତ୍ୱ ଦେବ। ଟାସ୍କଫୋର୍ସ ସ୍ୱଳ୍ପ, ମଧ୍ୟମ ଓ ଦୀର୍ଘମିଆଦୀ ପଦକ୍ଷେପ ନେବେ। ରାଜ୍ୟରେ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ, ମେଡିକାଲ ଅକ୍ସିଜେନ୍ ଗଚ୍ଛିତ ରଖିବା ପାଇଁ ସିଲିଣ୍ଡର ଓ ଟ୍ୟାଙ୍କରର ଉପଲବ୍ଧତା ପାଇଁ ଷ୍ଟେକହୋଲଡରଙ୍କୁ ନିୟୋଜିତ, ରାଜ୍ୟରେ ଅକ୍ସିଜେନ୍ ରିଫିଲିଂ ସାମର୍ଥ୍ୟ ବୃଦ୍ଧି, ଅକ୍ସିଜେନ୍ ପରିବହନ ପାଇଁ ସୁବିଧାଜନକ ଲଜିଷ୍ଟିକ ବ୍ୟବସ୍ଥା, ଅକ୍ସିଜେନ୍ ଉତ୍ପାଦନସ୍ଥଳରୁ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ପାଇପ୍ ଯୋଗେ ଅକ୍ସିଜେନ୍ ଯୋଗାଣ, ରାଜ୍ୟରେ ଅକ୍ସିଜେନର ସୁରକ୍ଷା ପାଇଁ ଦୀର୍ଘମିଆଦୀ ଯୋଜନା ଆଦି ପ୍ରସ୍ତୁତ ଦିଗରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ ବୋଲି ଆଜି ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି।

ଅସ୍ତିତ୍ୱ ହରାଇଲା ଖଲ୍ଲିକୋଟ ୟୁନିର୍ଭସିଟି, ଅକ୍ଟୋବରରୁ ବ୍ରହ୍ମପୁର ୟୁନିର୍ଭସିଟିରେ ମିଶିବ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟର ପ୍ରଥମ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଖଲ୍ଲିକୋଟ ୟୁନିର୍ଭସିଟି ସମ୍ପୂର୍ଣ୍ଣ ଭାବେ ଅସ୍ତିତ୍ୱ ହରାଇବ। ଆସନ୍ତା ଅକ୍ଟୋବର ପହିଲାରୁ ବ୍ରହ୍ମପୁର ୟୁନିର୍ଭିସିଟିରେ ଏହାର ସମ୍ପୂର୍ଣ୍ଣ ମିଶ୍ରଣ ହୋଇଯିବ । କିଭଳି ଭାବେ ମିଶ୍ରଣ ପ୍ରକ୍ରିୟା ହେବ ଓ କେବେସୁଦ୍ଧା ଏହି କାର୍ଯ୍ୟ ସରିବ ସେଥିପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଖଲ୍ଲିକୋଟ ୟୁନିର୍ଭସିଟି କୌଣସି ପ୍ରକାରର ନୂଆ ଆଡମିଶନ କରାଇ ପାରିବେ ନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବ୍ରହ୍ମପୁର ୟୁନିର୍ଭସିଟି ମଧ୍ୟ ଚଳିତ ଶିକ୍ଷାବର୍ଷରେ ଖଲ୍ଲିକୋଟ ୟୁନିର୍ଭିସିଟି ଦ୍ୱାରା ଦିଆଯାଉଥିବା ବିଷୟ ଓ କୋର୍ସରେ ନାମଲେଖା କରାଇପାରିବେ ନାହିଁ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ, ବ୍ରହ୍ମପୁର ନିକଟସ୍ଥ କୋନିଷିଠାରେ ଭଡ଼ା ଘରେ ଚାଲିଥିବା ଖଲ୍ଲିକୋଟ ୟୁନିର୍ଭସିଟି ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖରୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ୟୁନିର୍ଭସିଟିର ସମସ୍ତ ନିୟମିତ କର୍ମଚାରୀ ବ୍ରହ୍ମପୁର ୟୁନିର୍ଭିସିଟିର ନିୟମିତ କର୍ମଚାରୀ ଭାବେ କାର୍ଯ୍ୟ କରିବେ ଓ ସେମାନେ ଅକ୍ଟୋବର ପହିଲାରୁ ବ୍ରହ୍ମପୁର ୟୁନିର୍ଭସିଟି ଅଧୀନରେ ନିଜର ଦରମା ପାଇବେ। ଖଲ୍ଲିକୋଟ ୟୁନିର୍ଭସିଟିର ସମସ୍ତ ସମ୍ପତ୍ତିକୁ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ବ୍ରହ୍ମପୁର ୟୁନିର୍ଭସିଟିକୁ ହସ୍ତାନ୍ତର କରାଯିବ। ଖଲ୍ଲିକୋଟ ୟୁନିର୍ଭସିଟି ପାଇଁ ରାଜ୍ୟ ସରକାର ଯୋଗାଇଥିବା ସରକାରୀ ଜମି ଏବେ ଯେଉଁ ଅବସ୍ଥାରେ ରହିଛି, ସେଭଳି ଭାବେ ଜିଲ୍ଲା ରାଜସ୍ୱ କର୍ତ୍ତୃପକ୍ଷଙ୍କୁ ସରେଣ୍ଡର କରାଯିବ। ଖଲ୍ଲିକୋଟ ୟୁନିର୍ଭସିଟି ଆସନ୍ତା ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ସମସ୍ତ ଅଣ୍ଡର ଗ୍ରାଜୁଏଟ, ପୋଷ୍ଟ ଗ୍ରାଜୁଏଟ ପରୀକ୍ଷା ସହ ବ୍ୟାକଲଗ ପରୀକ୍ଷା ଶେଷ କରି ତା’ର ଫଳାଫଳ ମଧ୍ୟ ନିଶ୍ଚିତ ଭାବେ ଏହି ଅବଧି ମଧ୍ୟରେ ପ୍ରକାଶ କରିବେ। ଏହାପରେ ସେହି ଛାତ୍ରଛାତ୍ରୀଙ୍କର ଉପସ୍ଥାନ ସ୍ୱତଃ ବ୍ରହ୍ମପୁର ୟୁନିର୍ଭସିଟି ଅଧୀନକୁ ଆସିଯିବ। ଖଲ୍ଲିକୋଟ ୟୁନିର୍ଭସିଟିରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା ମାର୍କ ଓ ଗ୍ରେଡ୍ ବ୍ରହ୍ମପୁର ୟୁନିର୍ଭସିଟିରେ ସମାନ ରହିବ। ସେପ୍ଟେମ୍ବର ୩୦ତାରିଖ ପରେ ଖଲ୍ଲିକୋଟ ୟୁନିର୍ଭସିଟିରେ ରିସର୍ଚ୍ଚ ଡିଗ୍ରୀ କରୁଥିବା ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ୟୁନିର୍ଭସିଟିକୁ ସ୍ଥାନାନ୍ତର ହେବେ କିନ୍ତୁ ସେମାନଙ୍କର ରେଜିଷ୍ଟ୍ରେସନ୍ ତାରିଖ ଓ ଥେସିସ୍ ସୁପରଭାଇଜର ପରିବର୍ତ୍ତନ ହେବେ ନାହିଁ। ସେପ୍ଟେମ୍ବର ୩୦ତାରିଖ ପରେ ଖଲ୍ଲିକୋଟ ୟୁନିର୍ଭସିଟି ଛାତ୍ରଛାତ୍ରୀଙ୍କର ଡିଗ୍ରୀ, ସାର୍ଟିଫିକେଟ୍‌, ଟ୍ରାନ୍ସଫର, ଗ୍ରେଡ୍ ଓ ମାର୍କ ଆଦି ସମସ୍ତ ପ୍ରସଙ୍ଗ ବ୍ରହ୍ମପୁର ୟୁନିର୍ଭସିଟି ଦ୍ୱାରା ପରିଚାଳିତ ହେବ। କେବଳ ସେତିକି ନୁହେଁ ଖଲ୍ଲିକୋଟ ୟୁର୍ନିର୍ଭସିଟିକୁ ମିଳିଥିବା ସମସ୍ତ ସରକାରୀ ଅନୁଦାନ, ଉପକରଣ ଆଦି ମଧ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର ହେବ। ଖଲ୍ଲିକୋଟ ୟୁନିର୍ଭସିଟିର ରେଜିଷ୍ଟ୍ରାର ସମସ୍ତ ସରକାରୀ ଫାଇଲ, ରେକର୍ଡ ଓ ଦସ୍ତାବିଜକୁ ବ୍ରହ୍ମପୁର ୟୁନିର୍ଭସିଟିର ରେଜିଷ୍ଟ୍ରାରଙ୍କୁ ହସ୍ତାନ୍ତର କରିବେ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ସୂଚନାଯୋଗ୍ୟ,ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ୨୦୧୫ ମେ’ ମାସରେ ରାଜ୍ୟର ପ୍ରଥମ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଦିଆଯାଇଥିଲା । ୨୦୨୦ ଫେବୃୟାରୀ ମାସରେ ଏହି ବିଶ୍ୱବିଦ୍ୟାଳୟକୁ ୟୁନିଟାରୀ ୟୁନିର୍ଭସିଟି ଭାବେ ରାଜ୍ୟ ସରକାର ସ୍ୱୀକୃତି ଦେଇଥିଲେ । ତେବେ ଏହି ବିଶ୍ୱବିଦ୍ୟାଳୟକୁ କାହିଁକି ବନ୍ଦ କରାଗଲା ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନି ।