ରାଗପୁର ଆଦର୍ଶ ବିଦ୍ୟାଳୟ ପରିସରରୁ ପାଣି ମଟର ଚୋରୀ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରୁ ପାଣି ମଟର ଚୋରୀ ହୋଇଯାଇଛି। ବିଦ୍ୟାଳୟର ପାଚେରୀ ନଥିବା ସହ ବିଦ୍ୟାଳୟ ବନ୍ଦ ରହିଥିବା ସୁଯୋଗ ନେଇ ଦୁର୍ବୁତ୍ତ ଏହାକୁ ଚୋରୀ କରିଥିବା ସନ୍ଦେହ କରାଯାଉଛି। ଘଟଣାକୁ ତଦନ୍ତ କରି ଥାନାରେ ଏତଲା ଦିଆଯିବ ବୋଲି ବିଦ୍ୟାଳୟ ଅଧକ୍ଷା ଏ. ମିତାରାଣ ପ୍ରକାଶ କରିଛନ୍ତି।

ବେଗୁନିଆପଡା ଫାଣ୍ଡି ପୋଲିସ ପକ୍ଷରୁ ଚେକିଂ କଡାକଡି , ଅମାନିଆ ମାନଙ୍କ ଠାରୁ ଜରିମାନା ଆଦାୟ। 

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହର ତାହାର କାୟା ବିସ୍ତାର କରିଥିବା ବେଳେ ବହୁ ଲୋକ ମଧ୍ଯ ଆକ୍ରାନ୍ତ ହେଉଛନ୍ତି । ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରଚାର ଓ ପ୍ରସାର ସତ୍ତ୍ଵେ କିଛି ଲୋକ ଲକ୍ ଡାଉନ, ସଟ୍ ଡାଉନ ଏବଂ ସରକାରଙ୍କ ଗାଇଡ୍ ଲାଇନ୍ କୁ ମାନୁ ଥିବା ବେଳେ ଆଉ କିଛି ଅମାନିଆ ମାନେ ମାନୁ ନାହାନ୍ତିି ।

ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସ ପକ୍ଷରୁ ଚେକିଂ ବେଳେ କିଛି ଅମାନିଆ ମାନଙ୍କ ଠାରୁ ଫାଇନ ଆଦାୟ ସହ ସେମାନଙ୍କୁ ତାଗିଦ୍ କରାଯାଇଥିବା ସୂଚନା ମିଳିଛି। ଏଥିରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।

କରୋନା ରୋଗୀଙ୍କୁ ପାଇପ ଯୋଗେ ଅମ୍ଳଜାନ ଦେବାକୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଉପଦେଷ୍ଟାଙ୍କ ପରାମର୍ଶ ।

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ରାୟଗଡା ଜିଲ୍ଲାରେ କରୋନା ମହାମାରୀ ଯୋଗୁଁ ବିଭିନ୍ନ ସ୍ଥାନରେ ଚିକିତ୍ସା କେନ୍ଦ୍ରମାନ ଖୋଲାଯାଇଛି, ସେଥିମଧ୍ୟରୁ ଜେକେପୁର ଚିକିତ୍ସା କେନ୍ଦ୍ରରେ ଅଧିକ ଆକ୍ରାନ୍ତ ରହିଥାନ୍ତି। ସେଠାରେ ଅଧିକାଂଶ ରୋଗୀ ଅମ୍ଳଜାନ ଅଭାବରୁ ମୃତ୍ୟୁମୁଖରେ ପଡ଼ିଥାନ୍ତି। ସେହି ସମସ୍ୟାକୁ ଗୁରୁତର ସହ ବିଚାରକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ବିଭିନ୍ନ ସମୟରେ ରାୟଗଡା ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ବର୍ତ୍ତମାନର ସ୍ଥିତିକୁ ହୃଦୟଙ୍ଗମ କରି ସୁଧୀର ଦାସ ଏକ ନିଆରା ପରାମର୍ଶ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ମାତ୍ର ୫ ଲିଟର ଅମ୍ଳଜାନ ପାଇଁ ପ୍ରାଣ ହରାଉଥିବାରୁ, ଜେକେପୁର କୋବିଡ଼ କେନ୍ଦ୍ରରେ ପାଇପ ଯୋଗେ ଅମ୍ଳଜାନ ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଏହି ପରାମର୍ଶକୁ ଗୁରୁତ୍ୱର ସହ ନେଇ ପ୍ରଥମ ପର୍ଯ୍ୟାୟରେ ଜେକେପୁର ଠାରେ କରିବା ନିମନ୍ତେ ସମସ୍ତ ପ୍ରୟାସ ଜାରି ରଖିଛନ୍ତି।ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସଙ୍କ ଏହି ପଦକ୍ଷେପକୁ ଜିଲ୍ଲାର ସମସ୍ତ ଜନସାଧାରଣ ହୃଦୟର ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହା ହେବା ଫଳରେ ଅମ୍ଳଜାନ ଅଭାବରୁ ପ୍ରାଣ ହରାଉଥିବା ରୋଗୀଙ୍କ ନିମନ୍ତେ ବରଦାନ ହେବ। ଏହି ପରାମର୍ଶ ଓ ପ୍ରୟାସ ଯୋଗୁଁ ସୁଧୀର ବାବୁ କରୋନା ଆକ୍ରାନ୍ତଙ୍କ ନିମନ୍ତେ ଦରଦୀ ବନ୍ଧୁ ସାଜିଛନ୍ତି।

ଜିଲ୍ଲା ପ୍ରଶାସନକୁ ଅମ୍ଳଜାନ ସିଲିଣ୍ଡର ଓ ଜୀବନ ରକ୍ଷାକାରୀ ଉପକରଣ ଦାନକଲା ୟୁଏଆଇଏଲ …!

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ରାୟଗଡା/କାଶିପୁର)- କୋଭିଡ-୧୯ ବିରୋଧୀ ଲଢେଇରେ ନିଜର ନିରଳସ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ), ମହାମାରୀ କବଳରୁ ରାୟଗଡ ଜିଲାବାସୀଙ୍କୁ ସୁରକ୍ଷିତ ରଖିବାକୁ ରାୟଗଡା ଜିଲା ସଦର ମହକୁମା ହସପିଟାଲକୁ ୩୦ଟି ଅମ୍ଳଜାନ ସାନ୍ଦ୍ରକ, ୩୦ଟି ଅମ୍ଳଜାନ ଜୁମ୍ବୋ ସିଲିଣ୍ଡର, ୧୦୦ଟି ପଲ୍ସ ଅକ୍ସିମିଟର, ୧୦୦ ଥର୍ମୋମିଟର ଏବଂ ୧୨ଟି ଶରୀର ତାପମାତ୍ରା ପରିମାପକ ଯନ୍ତ୍ର (ଥର୍ମାଲ ଗନ୍‍) ଦାନ କରିଛି । ଏହି ସମସ୍ତ ଜୀବନ ରକ୍ଷାକାରୀ ଉପକରଣ ୟୁଏଆଇଏଲର ୟୁନିଟ୍‍ ମୁଖ୍ୟ ମଜହର ବେଗ୍‍ ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ସରୋଜ କୁମାର ମିଶ୍ର, ରାୟଗଡା ପୁଲିସ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏବଂ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାଏକଙ୍କ ଉପସ୍ଥିତିରେ ଜିଲା ସଦର ମହକୁମା ହାସପାତାଳକୁ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମରେ ୟୁଏଆଇଏଲ୍‍ର ୟୁନିଟ ମାନବ ସମ୍ବଳ ବିଭାଗ ମୁଖ୍ୟ ରାକେଶ ପ୍ରତାପ ସିଂ, ସିଏସଆର, ସିଆର ଏବଂ ସଷ୍ଟେନେବିଲିଟି ବିଭାଗ ମୁଖ୍ୟ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଲା ପ୍ରଶାସନର ଅଧିକାରୀଗଣ ଏବଂ ୟୁଏଆଇଏଲର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ମହତ ପ୍ରୟାସ ପାଇଁ ଉତ୍କଳ ଆଲୁମିନାକୁ ପ୍ରଶଂସା କରିବା ଅବସରରେ ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ସରୋଜ କୁମାର ମିଶ୍ର କୋଭିଡ୧୯ର ସଂପ୍ରତି ଦେଖାଦେଇଥିବା ଦ୍ୱିତୀୟ ଲହରକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ, ଯେଉଁ ସମୟରେ ଅମ୍ଳଜାନ ଯୋଗାଣ ଚାହିଦା ଯଥେଷ୍ଟ ବୃଦ୍ଧିପାଇଛି । ସେ ଉଲ୍ଲେଖ କରିଥିଲେ ଯେ, ୟୁଏଆଇଏଲର ଏହି ସହଯୋଗ ଅମ୍ଳଜାନ ଚାହିଦା ପୂରଣ ଦିଗରେ ନିଶ୍ଚିତ ଭାବରେ ଆମକୁ ସହାୟକ ହେବ ଏବଂ ଏହା ଏହି ମହାମାରୀ ପ୍ରକୋପରୁ ରାୟଗଡ ଜନସାଧାରଣଙ୍କୁ ସୁରକ୍ଷିତ ରଖିପାରିବ ।

ଏହି ଅବସରରେ ଉତ୍କଳ ଆଲୁମିନାର ୟୁନିଟ ମୁଖ୍ୟ ଶ୍ରୀ ମଜହର ବେଗ୍‍ ପୂର୍ବ ନିଷ୍ପତ୍ତିକୁ ଦୋହରାଇ କହିଥିଲେ ଯେ, ୟୁଏଆଇଏଲ୍‍ ସର୍ବଦା ରାୟଗଡା ଜିଲା ଏବଂ ମୋଟ ଉପରେ ଜିଲାର ଜନସାଧାରଣଙ୍କ ସାମଗ୍ରିକ ବିକାଶ ଦିଗରେ ପ୍ରତିବଦ୍ଧ ରହିଛି । ଏଥିସହିତ ସେ ପ୍ରତିଶ୍ରୁତି ଦେଇ କହିଥିଲେ, ଅନୁରୂପ ସାମଗ୍ରୀ ନିକଟ ଭବିଷ୍ୟତରେ କଳାହାଣ୍ଡି ଜିଲା ପ୍ରଶାସନକୁ ଯୋଗାଇଦେବା ସକାଶେ ଯୋଜନା କରାଯାଉଛି । ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପାରିପାର୍ଶ୍ୱିକ ଗ୍ରାମ ଗୁଡିକରେର ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥା ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ଏହାର ସିଏସଆର କାର୍ଯ୍ୟକଳାପ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ଅଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ମୋଟ ଉପରେ ୟୁଏଆଇଏଲ୍‍ ଓଡ଼ିଶାର୫୭ଟି ଗ୍ରାମରେ୩୦ ହଜାରରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଉଛି

ଖବର ପ୍ରକାଶ ପାଇବା ପରେ ଚେଇଁଲେ ପ୍ରଶାସକ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଦେଇ ପ୍ରବାହିତ ବଂଶଧାରା ନଦୀର ବିଭିନ୍ନ ବାଲି ପଠାରୁ ରାତିତମାମ ବାଲି ବୁହାହେଉଥିବା ନେଇ ଅଭିଯୋଗ ହେଉଛି । ସ୍ଥାନୀୟ ମାଫିଆ ମାନେ ରୀତିମତ ବାଲି ଚୋରା ଚାଲାଣ କରୁଥିବା ନେଇ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ନୂତନ ଭାବେ ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ ଦାୟିତ୍ବ ଗ୍ରହଣ କରିିବା ପରେ ରାତିଅଧିଆ ବାଲି ଉଠାଉଥିବା ଟ୍ରାକ୍ଟରକୁ ଜବତ କରି ଜରିମାନା ଆଦାୟ କରିବା ପରେ ତୃଣମୂଳ ସ୍ତର ରେ ଲଘୁ ଖଣିଜ ଦ୍ରବ୍ୟର ସୁରକ୍ଷା ନିମନ୍ତେ ନିୟୋଜିତ ରାଜସ୍ୱ ନିରୀକ୍ଷକ ଚେଇଁଛନ୍ତି । ଆଜି ସକାଳ ୬ଘଣ୍ଟା ସମୟରେ ଗୁଣପୁର ରାଜସ୍ୱ ନିରୀକ୍ଷକ ପେଦିନା ମାଣିକଣ୍ଠା ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ସ୍ଥାନୀୟ ପୁରୁଣା ଗୁଣପୁର ଛକ ଠାରେ ଜବତ କରିଛନ୍ତି ।

ଜବତ କରାଯାଇଥିବା ଓଆର ୧୮ ବି ୯୮୬୪ ଗାଡିଟି ବିଜୟ କୁମାର ପଟ୍ଟନାୟକ ଙ୍କ ନାମରେ ଓଡ଼ି ୧୮ ଏ ୬୪୯୭ ଗାଡିଟି କୋଟନି କ୍ରୀଷ୍ଣା ଙ୍କ ନାମରେ ଥିବା ଜଣାପଡିଛି । ପ୍ରତିଟି ଗାଡ଼ିରୁ ଜରିମାନା ବାବଦରେ ୧୫ ହଜାର ଲେଖାଏଁ ଟଙ୍କା ଆଦାୟ କରାଯାଇଛି । ବିନା ରାୟଲଟିରେ ଏହି ଦୁଇଟି ଗାଡି ବାଲି ଉଠାଇ ଆଣିଥିବାରୁ ଏଭଳି ଅର୍ଥ ଦଣ୍ଡ ଦିଆଯାଇଛି । ବାଲି ଚୋରା ଚାଲାଣ ରୋକିବା ଦିଗରେ ସ୍ଥାନୀୟ ଉପଜିଲ୍ଲାପାଳ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହା ମାଫିଆ ଙ୍କୁ ପରୋକ୍ଷରେ ଖୋରାକ ଯୋଗାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ବଢ଼ିଲା ଦିଦିଙ୍କ ଅଡୁଆ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା)- ନାରଦା ଷ୍ଟିଙ୍ଗ ଅପରେସନ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ପାଇଁ ସିବିଆଇ ହାଇକୋର୍ଟରେ ଦାବି କରିଛି। ଏହି ବହୁ ଚର୍ଚ୍ଚିତ ଘୋଟାଲାର ତଦନ୍ତ ବେଳେ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଇନ୍ ମନ୍ତ୍ରୀ ମଳୟ ଘଟକ ଏବଂ ସାଂସଦ କଲ୍ୟାଣ ବାନାର୍ଜୀ ବାଧା ଉପୁଜାଉଛନ୍ତି। ତେଣୁ ଏହି ମାମଲାରେ ମମତାଙ୍କୁ ପକ୍ଷଭୁକ୍ତ କରିଛି ସିବିଆଇ। ଆଉ ମାମଲା ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବା ଦରକାର ବୋଲି ହାଇକୋର୍ଟରେ ସିବିଆଇ କହିଛି।  ଏହି ଷ୍ଟିଙ୍ଗ ଅପରେସନ ମାମଲାରେ ସୋମବାର ମମତାଙ୍କ ଦୁଇ ମନ୍ତ୍ରୀ ଓ ନେତାଙ୍କୁ ଗିରଫ କରିଛି। ଆଉ ସିବିଆଇ ଗିରଫ କରିବା ପରେ ଏହାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସକୁ ଆସି ଗିରଫଦାରୀକୁ ପ୍ରତିବାଦ କରିଥିଲେ। ଆଉ 6 ଘଣ୍ଟା ଅଫିସରେ ରହିଥିଲେ। ଆଉ ତାଙ୍କର ସମର୍ଥକମାନେ ସିବିଆଇ ଅଫିସ ଆଗକୁ ଆସି ହୋ ହାଲ୍ଲା କରିବା ସହିତ ଟେକା ମାଡ଼ କରିଥିଲେ। ତେଣୁ ମାମଲା ଅନ୍ୟରାଜ୍ୟକୁ ସ୍ଥାନାନ୍ତର ହେବା ଦରକାର ବୋଲି ସିବିଆଇ ଦାବି କରିଛି।  ସିବିଆଇର ସ୍ୱତନ୍ତ୍ର କୋର୍ଟ ସୋମବାର ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ। ହେଲେ କୋଲକାତା ହାଇକୋର୍ଟ ଏହି ଜାମିନ ଆଦେଶ ଉପରେ ରୋକ୍ ଲଗାଇଥିଲେ। ତେଣୁ ଚାରି ଟିଏମସି ନେତା ଏବେ ସିବିଆଇ ହେପାଜତରେ ରହିଛନ୍ତି। ଆଜି ମାମଲାର ଶୁଣାଣି ହେବ।  ସୂଚନାଯୋଗ୍ୟ, ୨୦୧୪ରେ ଦିଲ୍ଲୀର ଜଣେ ସାମ୍ବାଦିକ କୋଲକାତା ଆସି ପଶ୍ଚିମବଙ୍ଗରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ଆସି ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

 

 

ଚାଷୀଙ୍କୁ ମୋଦି ୨ ହଜାର ଲେଖାଏ ଦେଲେ, ଦିନକ ପରେ ସାରର ଦାମ ବଢ଼ିଲା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ମେ’ ୧୪ ତାରିଖରେ ଚାଷୀଙ୍କୁ ମୌସୁମୀ ପୂର୍ବରୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ହଜାର ଲେଖାଏ ଟଙ୍କା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାରେ ୯.୫୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ପଠାଯାଇଥିଲା। ପ୍ରତିବର୍ଷ ୩ଟି କିସ୍ତିରେ କେନ୍ଦ୍ର ସରକାର ୬ ହଜାର ଟଙ୍କା ଚାଷୀଙ୍କୁ ଏହି ଯୋଜନା ଅଧୀନୀରେ ଦେଉଛନ୍ତି। ଏଥର ମୋଦି ୧୪ ତାରିଖରେ ଟଙ୍କା ପଠାଇବା ପରେ ୧୫ ତାରିଖରେ ଚାଷୀଙ୍କୁ ଝଟକା ଲାଗିଥିଲା। ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା କଥା କହୁଥିବା ମୋଦି ସରକାର ହଠାତ୍‌ ଚାଷକ୍ଷେତ୍ର ପାଇଁ ବ୍ୟବହୃତ ହେଉଥିବା ସାର ଓ ପିଡ଼ିଆର ଦାମ ବୃଦ୍ଧି କରିଥିଲେ। ୨ ହଜାର ଟଙ୍କା ଲେଖାଏ ଟଙ୍କା ପାଇଥିବା ଚାଷୀ ଏହାକୁ ଦେଖି ସ୍ତବ୍ଧ ହୋଇଯାଇଛନ୍ତି। କାରଣ ୨ ହଜାର ଟଙ୍କା ସହାୟତା କରି ସେପଟେ ମୋଦି ସରକାର ସାର ବଦଳରେ ଅଧିକ ଟଙ୍କା ଚାଷୀମାନଙ୍କ ଠାରୁ ନେବାକୁ ଯୋଜନା କରିଥିବା ତାଙ୍କ ବିରୋଧୀମାନେ ମତ ଦେଇଛନ୍ତି। ଚାଷୀମାନେ ମୌସୁମୀ ଚାଷ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଭିନ୍ନ କମ୍ପାନୀ, ହୋଲ ସେଲର ଓ ଖୁଚୁରା ବ୍ୟବସାୟୀମାନେ ସାରର ଦାମ ବୃଦ୍ଧି କରିଛନ୍ତି। ଏହିଗୁଡ଼ିକର ଦାମ ୨୦ରୁ ୬୦% ଯାଏ ବୃଦ୍ଧି ହୋଇଛି। ଦେଶରେ ଚାଷୀମାନେ ଚାପରେ ରହିଥିବା ବେଳେ ଏଭଳି ଦରବୃଦ୍ଧି ସେମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବ ବୋଲି ଚାଷୀନେତାମାନେ କହିଛନ୍ତି। ଏହି ଦରବୃଦ୍ଧି ସମ୍ପର୍କରେ ପ୍ରଥମେ ଏନସିପି ସ୍ୱର ଉଠାଇଥିଲା। ଦଳ ପକ୍ଷରୁ କେନ୍ଦ୍ର କେମିକାଲ ଓ ଫର୍ଟିଲାଇଜର ମନ୍ତ୍ରୀ ସଦାନନ୍ଦ ଗୌଡ଼ାକୁ ଚିଠି ଲେଖି ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଏନସିପି ମୁଖ୍ୟ ଶରଦ ପାୱାର ମଙ୍ଗଳବାର କହିଛନ୍ତି, ଏହି ଦର ବୃଦ୍ଧି ପ୍ରାକ ଚାଷକାମକୁ ପ୍ରଭାବିତ କରିବ। ଏଥିସହ ଚାଷୀଙ୍କ କଟା ଘା’ରେ ଏହା ଚୂନ ସଦୃଶ ହେବ। ସେ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରିଛନ୍ତି। ଶିବସେନା ମଧ୍ୟ ଦର ବୃଦ୍ଧିକୁ ବିରୋଧ କରିଛି।

ଅକ୍ସିଜେନ୍ ସିଲିଣ୍ଡର ଓ ଔଷଧ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ କଳାବଜାରୀକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ରାଜ୍ୟ ମାନବାଧିକାର ଆୟୋଗ ନିଜ ତରଫରୁ ମାମଲା କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି। OHRC ଅକ୍ସିଜେନ୍ ଏବଂ ଜୀବନ ରକ୍ଷାକାରୀ ଔଷଧର କଳାବଜାରୀ ରୋକିବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ। କଳାବଜାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହେଉଥିବାରୁ ତୁରନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା TMC ଖୋଲିବାକୁ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି କମିଶନ। ସେହିପରି ମୃତଦେହର ଅନ୍ତିମ ସଂସ୍କାର ନେଇ NHRC ଜାରି କରିଥିବା ପରାମର୍ଶକୁ ପାଳନ କରିବାକୁ ମଧ୍ୟ ସରକାରଙ୍କୁ କୁହାଯାଇଛି। ଆସନ୍ତା ଜୁନ୍ ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯୋଗ୍ୟ, ରାଜ୍ୟରେ ଅକ୍ସିଜେନ୍ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଚିକିତ୍ସା କ୍ଷେତ୍ର ପାଇଁ ଅକ୍ସିଜେନ୍ ଉତ୍ପାଦନ, ଗଚ୍ଛିତ ଓ ଯୋଗାଣକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୯ଜଣିଆ ରାଜ୍ୟସ୍ତରୀୟ ଟାସ୍କଫୋର୍ସରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ପୂର୍ତ୍ତ ବିଭାଗର ସଚିବ, ଓଡ଼ିଶା ମେଡିକାଲ ନିଗମର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଡ୍ରଗ୍ସ ନିୟନ୍ତ୍ରକ, ଫିକ୍କି ପ୍ରତିନିଧି ଓ ଉତ୍କଳ ଚାମ୍ବର୍ସ ଅଫ କର୍ମସ(ୟୁସିସିଆଇ)ର ପ୍ରତିନିଧିଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଏହି ଟାସ୍କଫୋର୍ସର ସଦସ୍ୟ ଆବାହକ ଭାବେ ଇପିକଲ୍ ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ ତୁଲାଇବେ।

ଓଡ଼ିଶାରେ ପ୍ରତି ଲକ୍ଷେ ଲୋକରେ ଟେଷ୍ଟିଂ କମ୍: ଧର୍ମେନ୍ଦ୍ର

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଓଡିଶାରେ କୋଭିଡ ଟେଷ୍ଟିଂକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟରେ ଦୈନିକ ଟେଷ୍ଟିଂ ସଂଖ୍ୟା ଜାତୀୟ ହାରଠୁ କମ ଅଛି। ରାଜ୍ୟରେ ଟେଷ୍ଟିଂ ପର୍ଯ୍ୟାପ୍ତ ନୁହେଁ ବୋଲି କହଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କରୋନା ମହାମାରୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ତେଣୁ ଓଡ଼ିଶାରେ ମଧ୍ୟ ଅଧିକ ଟେଷ୍ଟିଂର ଆବଶ୍ୟକତା ଥିବା ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ସର୍ବଭାରତୀୟ ସ୍ତରରେ ଲକ୍ଷେ ଲୋକଙ୍କ ଭିତରେ ୧୪୬ ଜଣଙ୍କର ଟେଷ୍ଟିଂ ହେଉଛି। କିନ୍ତୁ ଆମ ରାଜ୍ୟରେ ଗତ ମେ’ ୧ରୁ ୧୭ ତାରିଖ ଭିତରେ ହୋଇଥିବା ପରିସଂଖ୍ୟାନକୁ ଦେଖିଲେ ଲକ୍ଷେରେ ୧୨୦ ଜଣଙ୍କର ଟେଷ୍ଟିଂ କରାଯାଉଛି । କିନ୍ତୁ ଆମ ରାଜ୍ୟ ତୁଳନାରେ କେରଳରେ ଅଧିକ ଟେଷ୍ଟିଂ କରାଯାଉଛି। କେରଳ ଓ ଓଡ଼ିଶାର ଜନସଂଖ୍ୟା ପ୍ରାୟତ ସମାନ ରହିଛି । କିନ୍ତୁ କେରଳରେ ଲକ୍ଷେରେ ୩୯୦ ଜଣଙ୍କର କରୋନା ଟେଷ୍ଟିଂ କରାଯାଉଛି। ବିଶେଷ କରି ଓଡ଼ିଶାର ସମ୍ବଲପୁର, ଅନୁଗୋଳ, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ଼ ଭଳି ପଶ୍ଚିମାଞ୍ଚଳରେ କରୋନା ପଜିଟିଭ୍ ସଂଖ୍ୟା ଉଦବେଗଜନକ ରହିଛି। ତେଣୁ ସବୁ ବର୍ଗର ଲୋକଙ୍କୁ ନେଇ ରାଜ୍ୟ ସରକାର କୋଭିଡ ମୁକାବିଲା କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦ ହଜାର ୫୧୦ ଜଣଙ୍କ ଟେଷ୍ଟିଂ ହୋଇଛି। ସେପଟେ ଗତକାଲି କୋଭିଡ୍ ସମୀକ୍ଷା ବୈଠକ କରି ସପ୍ତାହକ ମଧ୍ୟରେ ଦୈନିକ ଟେଷ୍ଟିଂ ସଂଖ୍ୟା ୭୦ ହଜାରକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧,୦୯୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୪୮୮୫ଟି ହେଉଛି ଲୋକାଲ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ୧୪୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଯଥାକ୍ରମେ ୯୮୩ ଓ ୮୬୭ ଜଣ ଚିହ୍ନଟ ହୋଇଛନ୍ତି।

ଆସୁଛି ବାତ୍ୟା, ୨୫ରୁ ଓଡ଼ିଶାରେ ବର୍ଷା…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବଙ୍ଗୋପସାଗରରେ ଆସୁଛି ବାତ୍ୟା। ମେ’ ୨୬ ତାରିଖରେ ଏହା ଉପକୂଳ ଆଡ଼େ ମୁହାଁଇବ।ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଉଛି। ତେବେ କେଉଁଠି ଏହା ଉପକୂଳ ଛୁଇଁବ, ଏବେଠୁ କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି, ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ। ୨୫ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ କ୍ଷେତ୍ର। ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନର ଆକଳନ ଅନୁଯାୟୀ, ୨୬ ତାରିଖ ସକାଳେ ଏହା ଉପକୂଳ ଆଡ଼େ ମୁହାଁଇବ। ତେବେ କେଉଁଠି ଉପକୂଳ ଛୁଇଁବ ଏବେ ଠୁ କହିବା ସମ୍ଭବ ନୁହେଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ସଠିକ ଆକଳନ କରାଯାଇପାରିବ। ଅନ୍ୟପକ୍ଷରେ ଓଡ଼ିଶା ଉପରେ ଏହି ବାତ୍ୟାର ପ୍ରଭାବ ନିଶ୍ଚିତ ପଡ଼ିବ ବୋଲି କହିଛନ୍ତି ଆଇଏମ୍‌ଡି ଡିଜି। ସେ କହିଛନ୍ତି, ଏହାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ। ଏହା ସହିତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସେ ସତର୍କ କରିଛନ୍ତି। ଆଇଏମ୍‌ଡି ଡିଜି କହିଛନ୍ତି, ମତ୍ସ୍ୟଜୀବୀମାନେ ମେ’ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ। ସେହିପରି ୨୪ରୁ ୨୭ ଯାଏ ଉତ୍ତର ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ।