ଗୁଣପୁର ରେ ଦାୟିତ୍ୱ ନେଲେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଶ୍ରୀ ରାଜ କିଶୋର୍ ଦାଶ ଙ୍କ ବଦଳୀ ପରେ ଦୀର୍ଘ ୩ ମାସ ହେବ ଗୁଣପୁର ଠାରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପଦବୀ ଖାଲି ପଡିଥିଲା । ଆଜି ଶ୍ରୀ ଅଜୟ କୁମାର ବାରିକ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ବାରିକ ଙ୍କ ଯୋଗଦାନ କୁ ସ୍ଥାନୀୟ ବୁଦ୍ଧୀଜିବି ମହଲରେ ସ୍ୱାଗତ୍ କରାଯାଇଛି। ଶ୍ରୀ ଦାଶ ଙ୍କ କାର୍ଯ୍ୟକାଳ ସମୟରେ ଗୁଣପୁର ଉପଖଣ୍ଡ ରୁ ବେଆଇନ ଘୁଟକା,ଗଞ୍ଜେଇ ଓ ବାଲି ଚୋରା ଚାଲାଣ ପ୍ରତି ରୋକ୍ ଲଗାଯାଇ ପାରିଥିଲା । ଏହାଙ୍କ ବଦଳୀ ପରେ ମାଫିଆ ମାନେ ସକ୍ରିୟ ହୋଇ ପଡ଼ିଥିବା ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଛି । ଏପରିକି ସ୍ଥାନୀୟ ଅଞ୍ଚଳର ଟ୍ରାଫିକ ସମସ୍ୟା ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦାୟିତ୍ୱ ଗ୍ରହଣ କରିବା ପରେ ଏସବୁ ସମସ୍ୟା ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ନିମନ୍ତେ ଏକ ଚାଲେଞ୍ଜ ସୃଷ୍ଟି କରୁଛି । ପୋଲିସ ବିଭାଗରେ ଥାନା ଅଧିକାରୀ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରି ସମସ୍ତ ଥାନାରେ ନାମ କମାଇ ପଦୋନ୍ନତୀ ପାଇ ଆସିଥିବା ଏହି କୁଶଳୀ କାରୀଗର କିଭଳି ଏସବୁ ସମସ୍ୟାର ସମାଧାନ କରୁଛନ୍ତି ଦେଖିବାକୁ ରହିଲା ।

ବସନ୍ତ ଦେଲେ ପ୍ରସ୍ତାବ, ପ୍ରମିଳା ଦେଲେ ଜବାବ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କୋଭିଡ୍‌ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେଉଥିବା କହି ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା। ବର୍ତ୍ତମାନର ସ୍ଥିତିକୁ ନେଇ ଓଡିଶା ସରକାର ଗମ୍ଭୀରତାର ସହ ଚିନ୍ତା କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ଗ୍ରାମାଞ୍ଚଳରେ ଟେଷ୍ଟିଂ ଅଭାବରୁ ଅନେକ ଲୋକ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି। କିନ୍ତୁ ସରକାର ଜାଣିପାରୁନାହାନ୍ତି। ତେଣୁ ପ୍ରତ୍ୟେକ ସ୍ଥାନରେ ଟେଷ୍ଟିଂ ବୃଦ୍ଧି କରାଯିବା ଦରକାର। ସେ ଆହୁରି କହିଛନ୍ତି, ସମଗ୍ର ଦେଶରେ ବିଭିନ୍ନ ରାଜ୍ୟ ଲକଡାଉନ ଘୋଷଣା କରିଥିବାରୁ ଅନେକ ପ୍ରବାସୀ ଓଡ଼ିଆ ଶ୍ରମିକ ଘରକୁ ଫେରୁଛନ୍ତି। ସେମାନେ ଘରକୁ ଆସିବା ପରେ ସଂକ୍ରମଣ ବଢ଼ି ଚାଲିଛି। ଏଣୁ ପଞ୍ଚାୟତ ସ୍ତରରେ ଗତବର୍ଷ ହୋଇଥିବା ଟିଏମସି ଓ ଅସ୍ଥାୟୀ କ୍ୱାରେଣ୍ଟିନ ସେଣ୍ଟର ଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ। ଏହାସହ କୋଭିଡ ସ୍ଥିତିର ପରିଚାଳନା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଓ ଗାଁରେ ଆଶା କର୍ମୀ, ବିଭିନ୍ନ ସ୍ୱାସ୍ଥ୍ୟକର୍ମୀ ଓ ବିଭିନ୍ନ ଦଳର ଲୋକ, ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ କ୍ରାଏସେସ୍ ମ୍ୟାନେଜମେଣ୍ଟ ଟିମ ତିଆରି କରନ୍ତୁ। କେମିତି କୋଭିଡ ମ୍ୟାଜେମେଣ୍ଟ ଠିକ୍ ଭାବେ ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ସାଂସଦ ଶ୍ରୀ ପଣ୍ଡା କହିଛନ୍ତି, ସରକାର ଭୁଲନ୍ତୁ ନାହିଁ ଯେ କରୋନା ସଂକ୍ରମଣ ଧୀରେ ଧୀରେ ଗ୍ରାମାଭିମୁଖୀ ହୋଇଚାଲିଛି। ତେଣୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଗ୍ରାମାଭିମୁଖୀ କରିବା ହେବା ଦରକାର। ଅନ୍ୟପକ୍ଷରେ ବରିଷ୍ଠ ବିଜେଡି ବିଧାୟିକ ପ୍ରମିଳା ମଲ୍ଲିକ କହିଛନ୍ତି, ଗ୍ରାମାଞ୍ଚଳରେ ମେଡିକାଲ କ୍ୟାମ୍ପ କରାଯାଉଛି। ଅଧିକ ଟେଷ୍ଟିଂ ଓ ସାନିଟାଇଜ୍ କରାଯାଉଛି। ଅଭିଯୋଗ ଆସିଲେ ଟିମ୍ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରୁଛି। ସବୁ ଜାଗାରେ ବ୍ୟବସ୍ଥା ହେଇଛି। ବିରୋଧୀ ଅନ୍ଧାରରେ ବାଡ଼ି ବୁଲାଇଲେ ହେବ ନାହିଁ। ନିର୍ଦ୍ଦିଷ୍ଟ ଭାବେ କୁହନ୍ତୁ, କେଉଁଠି ଅବ୍ୟବସ୍ଥା ହୋଇଛି। ପ୍ରବାସୀ ଓଡ଼ିଆ ଘରକୁ ଫେରୁଥିବା ନେଇ ସାଂସଦ ଶ୍ରୀ ପଣ୍ଡା ଯେଉଁ କଥା କହିଛନ୍ତି ତାକୁ କାଉଣ୍ଟର କରି ପ୍ରମିଳା ମଲ୍ଲିକ କହିଛନ୍ତି ଯେ ଗୁଜରାଟ ଭଳି ରାଜ୍ୟରେ ତାଙ୍କ ଦଳର ସରକାର ରହିଛି। ଯେଉଁ ରାଜ୍ୟରୁ ଶ୍ରମିକ ମାନେ ଫେରୁଛନ୍ତି ସେହି ରାଜ୍ୟର ସରକାରମାନେ ଯଦି ସେମାନଙ୍କୁ ରଖନ୍ତେ, ତା’ହେଲେ ସେମାନେ କାହିଁକି ସେଠାରୁ ଫେରନ୍ତେ। ଆମ ଶ୍ରମିକମାନଙ୍କୁ ବାହାର ରାଜ୍ୟରେ ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉନାହିଁ। ତେଣୁ ସେମାନେ ସେଠାରୁ ଫେରୁ ନାହାନ୍ତି। କିନ୍ତୁ ଓଡ଼ିଶାରେ ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସୁବିଧା କରାଯାଇଥିବା ସେ କହିଛନ୍ତି।

ଶୁଭେନ୍ଦୁ ଓ ମୁକୁଲଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ସୋମବାର ଚାରି ଟିଏମସି ନେତାଙ୍କୁୁ ଗିରଫ କରିଛି। ହେଲେ ଏହି ମାମଲାରେ ଜଡିତ ଥିବା ଅନ୍ୟ ଦୁଇ ନେତା ମୁକୁଲ ରୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନାରାଦା ଷ୍ଟିଙ୍ଗ ଅପରେସନର ମାଷ୍ଟର ମାଇଣ୍ଡ ତଥା ସାମ୍ୱାଦିକ ମାଥ୍ୟୁ ସାମୁଏଲ। ସେ କହିଛନ୍ତି ଚାରି ଜଣ ଏଯାବତ ଷ୍ଟିଙ୍ଗ ଅପରେସନ ମାମଲାରେ ଗିରଫ ହୋଇଛନ୍ତି। ଏ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ହେଲେ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମାଥ୍ୟୁ ସାମୁଏଲ ହେଉଛନ୍ତି ଜଣେ ଇନଭେଷ୍ଟିଗେଟିଭ ସାମ୍ୱାଦିକ। ଯିଏକି ନାରାଦା ନ୍ୟୁଜର ପ୍ରତିଷ୍ଠାତା। ସେ ୨୦୧୪ରେ ନାରଦା ଷ୍ଟିଙ୍ଗ୍ କରିଥିଲେ। ଯେଉଁଥିରେ ସେ ଦିଲ୍ଲୀକୁ ଜଣେ ଇନଭେଷ୍ଟର ଭାବରେ ଯାଇଥିଲେ। କୋଲକାତାରେ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଥିବା ଜଣେ ବ୍ୟବସାୟୀ ଭାବରେ ସାତଜଣ ଟିଏମସି ସାଂସଦ, ଚାରିଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ପୁଲିସ କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ। ଆଉ ସେ ଏହି ଅପରେସନକୁ ସ୍ପାଏ କ୍ୟାମେରାରେ ରେକର୍ଡିଂ କରିଥିଲେ। ଯେଉଁଥିରେ ସମସ୍ତେ ଲାଞ୍ଚ ନେଉଥିବାର ଦେଖିବାକୁ ମିଳିଥିଲା। ଆଉ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଷ୍ଟିଙ୍ଗ୍ ଅପରେସନ ପଶ୍ଚିମବଙ୍ଗ ରାଜନୀତିକୁ ଦୋହଲାଇ ଦେଇଥିଲା। ଷ୍ଟିଙ୍ଗ ଅପରେସନ୍ ସଂପର୍କରେ ମାର୍ଚ୍ଚ ୨୦୧୭ରେ କୋଲକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାମୁଏଲ କହିଛନ୍ତି, ଚାର୍ଜଶିଟ୍ ତିନି ବର୍ଷ ତଳେ ସିବିଆଇ ଦାଖଲ କରିଥିଲା। ସେତେବେଳେ ସିବିଆଇ ତାଙ୍କୁ ମଧ୍ୟ ପଚରା ଉଚରା କରିଥିଲା। ଆଉ ଶୁଭେନ୍ଦୁ ଅଧିକାରୀ ଯିଏକି ଏବେ ବିଜେପି ବିଧାୟକ ଲାଞ୍ଚ ନେଉଥିବାର ପ୍ରମାଣ ରହିଛି। ଫରେନସିକ୍ ରିପୋର୍ଟରେ ମଧ୍ୟ ସେ ଲାଞ୍ଚ ନେଇଥିବା ଜଣାପଡ଼ିଛି। ହେଲେ ସିବିଆଇ ଏଯାବତ ମୁକୁଲ ରୟ ଏବଂ ଶୁଭେନ୍ଦୁଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇନାହିଁ। ତେବେ ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେତେବେଳେ ଶୁଭେନ୍ଦୁ ସାଂସଦ ଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିବିଆଇ ୨୦୧୯ରେ ଲୋକସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଛି। ବାଚସ୍ପତି ଅନୁମତି ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ରହିଛି।

ବେଲ୍ ଆଦେଶ ଉପରେ ଲାଗିଲା ରୋକ୍, ଚାରି ଟିଏମସି ନେତା ସିବିଆଇ ହେପାଜତରେ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଚାରି ଟିଏମସି ନେତାଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଆଉ ଏବେ ଏହାକୁ ଚ୍ୟାଲେଞ୍ଜ କରି ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ। ହାଇକୋର୍ଟ ଏବେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦେଇଥିବା ଜାମିନ୍ ଆଦେଶ ଉପରେ ରୋକ୍ ଲଗାଇଛନ୍ତି। ବୁଧବାର ଏହି ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ଚାରି ଟିଏମସି ନେତା ଏବେ ସିବିଆଇ ହେପାଜତରେ ରାତିର କାଟିବେ।  ଏହି ଚାରି ଟିଏମସି ନେତା ହେଲେ ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ର। ଆଜି ସକାଳୁ ସକାଳୁ ସିବିଆଇ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ମମତା ବାନାର୍ଜୀଙ୍କ ଦଳର ଏହି ଚାରି ନେତାଙ୍କୁ ଦୁର୍ନୀତି ମାମଲାରେ ବାନ୍ଧି ଥିଲା। ଏହାପରେ ମମତା ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆସି ହୋ ହାଲ୍ଲା କରିଥିଲେ। ଆଉ ଟିଏମସି ସମର୍ଥକ ସିବିଆଇ ଅଫିସ ଉପରକୁ ଟେକା ପଥର ଫିଙ୍ଗିଥିଲେ। ତେଣୁ ସିବିଆଇ ଚାରି ନେତାଙ୍କୁ ବାହାରକୁ ନେଇ କୋର୍ଟରେ ହାଜର କରିବା ସମ୍ଭବ ହୋଇନଥିଲା। ଏହାପରେ ଭିଡିଓ କନଫରେନସିଂ ଜରିଆରେ ଚାରି ନେତାଙ୍କୁ ସିବିଆଇ ସ୍ୱତନ୍ତ୍ର ଅଦଲତରେ ହାଜର କରିଥିଲା। ସିବିଆଇ ଏହି ସମୟରେ ୪୮ ପୃଷ୍ଠାର ଏକ ଚାର୍ଜଶିଟ୍ ଦାଖଲ କରିଥିଲା। ଆଉ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ଖାରଜ କରିବା ସହିତ ଜାମିନ ପ୍ରଦାନ କରିଥିଲେ।

ବୋଲ ମାନୁନି ଟିଏମିସ ନେତାଙ୍କ ତୁଣ୍ଡ, ରାଜ୍ୟପାଳଙ୍କୁ ନେଇ କହିଲେ ଅପଶବ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – କ୍ଷମତା ନିଶାରେ ବୋଲ ମାନୁନି ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ନେତାଙ୍କ ତୁଣ୍ଡ। ଆଉ କାହାକୁ କଣ କୁହାଯାଏ ସେତକ ଶାଳୀନତା ମଧ୍ୟ ଭୁଲି ଯାଇଛନ୍ତି ମମତା ବାନାର୍ଜୀଙ୍କ ଦଳୀୟ ନେତା। ଯାହାକୁ ନେଇ ସୋଶାଲ ମିଡିଆରେ ଖୁବ୍ ସମାଲୋଚନାର ଶିକାର ହେଉଛି  ଟିଏମସି। ଆଜି ଚାରି ଟିଏମସି ନେତାଙ୍କୁ ସିବିଆଇ ଗିରଫ କରିବା  ପରେ ଆଇନଜୀବୀ ତଥା ଟିଏମସି ନେତା ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି। ଆଉ ତାଙ୍କୁ କୁକୁର ବୋଲି କହିବାକୁ ପଛାଇ ନାହାନ୍ତି ଏହି ‘ଭଦ୍ରଲୋକ’। ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, “ଆମେ କୋର୍ଟକୁ ଯାଉଛୁ। ଆପଣ ଜାଣନ୍ତି ଯେ କୋଭିଡ୍ ବେଳେ ସୁପ୍ରିମକୋର୍ଟ ଏକ ରାୟ ଦେଇଛନ୍ତି ଯେ ପୁଲିସ ଆବଶ୍ୟକ ନଥିଲେ କାହାକୁ ଗିରଫ ନକରିବା ଉଚିତ ହେବ ଏହି ମହାମାରୀ ବେଳେ। ଏହା ପରେ ବି ସିବିଆଇ ଗିରଫ କରିଛି। “ରାଜ୍ୟ ସରକାରଙ୍କ ବିନା ପରାମର୍ଶରେ ରାଜ୍ୟପାଳ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ ପ୍ରତିଶୋଧ ନେଇଛନ୍ତି। ରାଜ୍ୟପାଳ ଜଣେ ରକ୍ତଶୋଷୁଥିବା ଜଣେ ମଣିଷ। ସେ ବର୍ତ୍ତମାନ ବିଜେପିରୁ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରୟାସ କରୁଛନ୍ତି। ତେଣୁ ସେ ଟିଏମସି ବିରୋଧରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି।” ସେ କହିଛନ୍ତି, ରାଜ୍ୟପାଳ ଜଣେ ଗୋଟିଏ ମିନିଟ୍ ମଧ୍ୟରେ ଏଠି ରହିବା ଠିକ୍ ନୁହେଁ। ସେ ପାଗଳ କୁକୁର ଭଳି ଏଣେତେଣୁ ବୁଲୁଛନ୍ତି।ସୂଚନାଯୋଗ୍ୟ, ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ସିବିଆଇ ଗିରଫ କରିଥିବା ଚାରି ଟିଏମସି ନେତାଙ୍କୁ ଜାମିନ ମିଳିଛି। ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି। ଉଭୟ ୫୦ ହଜାର ଟଙ୍କାର ବେଲ୍ ବଣ୍ଡ ଜମା କରି ଜାମିନରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଜଷ୍ଟିସ ଅନୁପମ ମୁଖୋପାଧ୍ୟାୟ। ଏହି ଚାରି ଟିଏମସି ନେତା ହେଲେ ସୁବ୍ରତ ମୁଖାର୍ଜୀ, ମନ୍ତ୍ରୀ ଫିରହାଦ୍ ହାକିମ, ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ଏବଂ ବିଧାୟକ ମଦନ ମିତ୍ର।ଆଜି ସକାଳୁ ସକାଳୁ ସିବିଆଇ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ମମତା ବାନାର୍ଜୀଙ୍କ ଦଳର ଏହି ଚାରି ନେତାଙ୍କୁ ଦୁର୍ନୀତି ମାମଲାରେ ବାନ୍ଧି ଥିଲା। ଏହାପରେ ମମତା ଏବଂ ତାଙ୍କ ସମର୍ଥକମାନେ ସିବିଆଇ ଅଫିସ ଆଗରେ ଆସି ହୋ ହାଲ୍ଲା କରିଥିଲେ। ଆଉ ଟିଏମସି ସମର୍ଥକ ସିବିଆଇ ଅଫିସ ଉପରକୁ ଟେକା ପଥର ଫିଙ୍ଗିଥିଲେ।

ଡାକ୍ତରଙ୍କ ସହ କରୋନା ଓ ବ୍ଲାକ ଫଙ୍ଗସ ବାବଦରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଢ଼ ବର୍ଷରୁ ଅଧିକ ଦିନ ହେବ ଦେଶର ଚିକିତ୍ସକ ମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଲୋକଙ୍କୁ ଚିକିତ୍ସକ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଆଉ କିଛି ଆଖି ବୁଜିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଏହି ମହାମାରୀ ପାଇଁ ନିର୍ଦ୍ଦିଷ୍ଟ ଔଷଧ ବାହାରି ନାହିଁ। କିଛି ଔଷଧକୁ ଆକ୍ରାନ୍ତଙ୍କୁ ଦିଆଯାଉଛି। ଯାହାକି ଡାକ୍ତରଙ୍କ ଅନୁଭବରୁ। ତେଣୁ ଡାକ୍ତରମାନଙ୍କର କିଭଳି ଅଭିଜ୍ଞତା ରହିଛି ଆଗକୁ କି ଚ୍ୟାଲେଞ୍ଜ ରହିପାରେ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ସବୁଠୁ ବଡ଼ ଚ୍ୟାଲେଞ୍ଜ କଣ ଏହାକୁ ନେଇ ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଡାକ୍ତରଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ କଥା ହୋଇଥିଲେ। ଆଉ କରୋନା ଚିକିତ୍ସା ଉପରେ ଡାକ୍ତରଙ୍କ ପରାମର୍ଶ ଏବଂ ଅଭିଜ୍ଞତା ବିଷୟରେ ପଚାରି ବୁଝିଥଲେ। ସମସ୍ତ ଡାକ୍ତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରୋନାର ପ୍ରଥମ ଲହର ଓ ଦ୍ୱିତୀୟ ଲହର ବେଳର ଅଭିଜ୍ଞତା ବାଣ୍ଟିଥିଲେ। ଡାକ୍ତର ମାନେ କହିଥିଲେ ଆକ୍ରାନ୍ତଙ୍କ ସହ ଯେଉଁମାନେ ସଂକ୍ରମିତ ହୋଇ ନାହାନ୍ତି ସେମାନଙ୍କର ମଧ୍ୟ ଆବଶ୍ୟକ ଚିକିତ୍ସା କରାଯାଉଛି। ଔଷଧର ଅପବ୍ୟବହାର ବିଷୟରେ ଅବଗତ କରାଯାଉଛି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରାଯାଉଛି ବୋଲି ଡାକ୍ତରମାନେ କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଅନେକ ରୋଗୀ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟେଲି ମେଡିସିନ୍ ସେବା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର। ଆଗାମୀ ଦିନରେ ଗାଁ ଲୋକଙ୍କ ପାଇଁ ଏହି ସେବା ଉପଯୁକ୍ତ ପଦ୍ଧତି ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ରଖିଛନ୍ତି। ତେଣୁ ଟେଲିମିଡିସିନ ସେବାକୁ କିଭଳି ଅଧିକ ଗୁରୁତ୍ୱ ଦେଇ ହେବ ସେ ନେଇ ଗୁରୁତ୍ୱ ଦିଆଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ବ୍ଲାକ୍ ଫଙ୍ଗକୁ ନେଇ ଡାକ୍ତରଙ୍କ ଅଭିଜ୍ଞତା ପଚାରି ବୁଝିଥିଲେ। ଆଉ ଡାକ୍ତରମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବଂ ଏ ବିଷୟରେ ସଚେତନତା ପାଇଁ ଅତିରିକ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଛନ୍ତି। ଶାରୀରିକ ଯତ୍ନ ସହିତ ମାନସିକ ଯତ୍ନ ବାବଦରେ ମୋଦି ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ମହାମାରୀ ବିରୁଦ୍ଧରେ କ୍ରମାଗତ ଭାବରେ ଏହି ଲଢ଼େଇ ବେଳେ ମେଡିକାଲ କର୍ମଚାରୀଙ୍କ ପାଇଁ ସବୁଠୁ ବଡ଼ ମାନସିକ ସ୍ୱାସ୍ଥ୍ୟାବସ୍ଥା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଡାକ୍ତର, ନର୍ସ ଏବଂ ମେଡିସିନ କମ୍ପାନୀର କର୍ମଚାରୀଙ୍କ ଅହରହ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ।

ଗରିବ ପରିବାରକୁ ମାସିକ ୬ହଜାର ଟଙ୍କା ସହାୟତା ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ନିକଟରେ କେନ୍ଦ୍ର ସରକାର ପିଏମ୍ କେୟାର ଫଣ୍ଡରୁ ବିଭିନ୍ନ ରାଜ୍ୟକୁ ଭେଣ୍ଟିଲେଟରର ଯୋଗାଇଥିଲେ। ହେଲେ ଅନେକ ରାଜ୍ୟ ଏହି ଭେଣ୍ଟିଲେଟରକୁ ବ୍ୟବହାର ନକରି ଗୋଦାମ ଘରେ ରଖିଥିବା ଦେଖିବାକୁ ମିଳିଛି। ରାଜସ୍ଥାନ ଏବଂ ପଞ୍ଜାବ ଦୁଇ କଂଗ୍ରେସ ଶାସିତ ରାଜ୍ୟରେ ଶହ ଶହ ଭେଣ୍ଟିଲେଟର ବ୍ୟବହାର ନହୋଇ ଏକ ଗୋଦାମ ଘରେ ପଡି ରହିଥିବା ଦେଖିବାକୁ ମିଳିଛି। ଉଭୟ ରାଜ୍ୟ ସରକାର କହିଥିଲେ ପିଏମ୍ କେୟାର ଫଣ୍ଡରେ ଆସିଥିବା ଏହି ଭେଣ୍ଟିଲେଟର ଅକାମୀ, କାମ କରୁନି ବୋଲି କହିଥିଲେ। ତିନି ପଞ୍ଜାବ ସରକାରୀ ମେଡିକାଲ କଲେଜର ମୁଖ୍ୟ କହିଥିଲ ଯେ ପିଏମ କେୟାର ଫଣ୍ଡ ମାଧ୍ୟମରେ ମିଳିଥିବା ୩୨୦ ଭେଣ୍ଟିଲେଟର ମଧ୍ୟରୁ ଅତି କମରେ ୨୩୭ ଟି ତ୍ରୁଟିପୂର୍ଣ୍ଣ ରହିଛି। ଏହାକୁ ବ୍ୟବହାର କରିହେବନି। ଏହାପରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜବାବ ରଖିଛି। ଅଭିଯୋଗରେ ସତ୍ୟତା ନାହିଁ। ଭେଣ୍ଟିଲେଟର କିଭଳି ରୋଗୀଙ୍କ ସେବାରେ ଲାଗିପାରିବ ସେ ନେଇ ଗୁରୁତ୍ୱ ଦେବା ଦରକାର ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଭେଣ୍ଟିଲେଟରକୁ ନେଇ ଆସୁଥିବା ଅଭିଯୋଗକୁ ବିରୋଧ କରିଛନ୍ତି। ପିଏମ୍ କେୟାର ଫଣ୍ଡରୁ ଯୋଗାଇ ଦିଆଯାଉଥିବା ଭେଣ୍ଟିଲେଟରରେ କୌଣସି ଭୁଲ୍ ନାହିଁ। ମନ୍ତ୍ରଣାଳୟ ଦାବି କରିଛି ଯେ ରାଜ୍ୟଗୁଡିକ ସେମାନଙ୍କର ଉପଯୋଗକୁ ଭୁଲ୍ ପରିଚାଳନା କରୁଛନ୍ତି ଯେଉଁଥି ପାଇଁ ମେସିନ ମାସ ମାସ ପର୍ଯ୍ୟନ୍ତ ବ୍ୟବହାର ନ ହୋଇ ପଡ଼ି ରହୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ମୁଖ୍ୟ ସଚିବଙ୍କୁ ଏ ନେଇ ଏକ ଚିଠି ଲେଖିଛନ୍ତି ଯେ ବ୍ୟବହାର ନହୋଇ ପଡ଼ିରହିଥିବା ଭେଣ୍ଟିଲେଟର ଗୁଡିକୁ କାମରେ ଲଗାଯିବା ଦରକାର। ସେ କହିଛନ୍ତି, “ଭେଣ୍ଟିଲେଟର ବିତରଣ ଏବଂ ଏହାକୁ କାମରେ ଲଗାଇବା ମଧ୍ୟରେ ବଡ଼ ବ୍ୟବଧାନ ରହୁଥିବା ଜଣାପଡିଛି। ତେଣୁ ଗୋଦାମ ଘରେ ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟରକୁ ନରଖି ବ୍ୟବହାର କରାଯିବା ଦରକାର। ତେବେ ଭେଣ୍ଟିଲେଟର ସତରେ ଅକମୀ ନା ରାଜ୍ୟ ପରିଚାଳନା କରିବାରେ ଭୁଲ୍ ଥିବାରୁ ଭେଣ୍ଟିଲେଟର ଗୋଦାମ ଘରେ ପଡ଼ି ରହିଛି ତାହା ଏବେ ବଡ଼ ପ୍ରଶ୍ନ ? ସୂଚନାଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ସଂପର୍କିତ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ସମୟରେ ବିଭିନ୍ନ ରାଜ୍ୟ କେନ୍ଦ୍ର ପଠାଇଥିବା ଭେଣ୍ଟିଲେଟର ବ୍ୟବହାର ହେଉନଥିବା ନେଇ ଉପସ୍ଥିତ ଅଧିକାରୀ ପିଏମଙ୍କୁ କହିଥିଲେ। ଏହାପରେ ପିଏମ୍ କେୟାର ଫଣ୍ଡରୁ ଦିଆଯାଇଥବା ସ୍ୱାସ୍ଥ୍ୟ ଉପକରଣକୁ ଅଡିଟ୍ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କେନ୍ଦ୍ର ସରକାର ପଠାଇଥିବା ସ୍ୱାସ୍ଥ୍ୟ ଉପକରଣ ଠିକ୍ ଭାବରେ ବ୍ୟବହାର ହେଉଛି କି ନାହିଁ ଅଡିଟ୍ ଆରମ୍ଭ କରିଛି ।

ଗରିବ ପରିବାରକୁ ମାସିକ ୬ହଜାର ଟଙ୍କା ସହାୟତା ଦାବି କଲା କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ବିପତ୍ତି ସମୟରେ ରୋଜଗାରହୀନ ଗରିବ ଓ ସ୍ୱଳ୍ପ ଆୟକାରୀ ପରିବାରକୁ ମାସିକ ୬ ହଜାର ଟଙ୍କା ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ଆଜି ଏକ ସର୍ବସମ୍ମତି ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ଏହାସହିତ କୋଭିଡ୍ ମହାମାରୀ ପରିଚାଳନା, ଟିକାକରଣ ସଂକ୍ରାନ୍ତ ସମସ୍ତ ପ୍ରସଙ୍ଗରେ ଏକ ଶ୍ୱେତପତ୍ର ରାଜ୍ୟ ସରକାର ପ୍ରକାଶ କରିବାକୁ କଂଗ୍ରେସ କହିଛି। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆୟୋଜିତ ବୈଠକରେ ଓଡ଼ିଶା ପ୍ରଭାରୀ ଏ ଚେଲାକୁମାର ଓ ସହପ୍ରଭାରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ରାଜ୍ୟର କରୋନା ସ୍ଥିତି ଓ ସାଂଗଠନିକ କାର୍ଯ୍ୟକଳାପ ସମୀକ୍ଷା ହୋଇଥିଲା। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତାମାନେ ସାମିଲ ହୋଇ କରୋନା ଦାଉରୁ ଓଡ଼ିଶାବାସୀଙ୍କୁ ରକ୍ଷା କରିବା କ୍ଷେତ୍ରରେ କଂଗ୍ରେସ ନେଇଥିବା ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। ଏହାସହିତ ରାଜ୍ୟ ସରକାରଙ୍କ କରୋନା ପରିଚାଳନାର ଅବ୍ୟବସ୍ଥା ଓ ବିଫଳତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।  କଂଗ୍ରେସ ପକ୍ଷରୁ ଭୁବନେଶ୍ୱର, କଟକ, ବାଲେଶ୍ୱର, ବଲାଙ୍ଗୀର, ନୂଆପଡ଼ା ଓ ପାରାଦ୍ୱୀପ ଠାରେ ନିଶୁଳ୍କ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ଦଳର ପ୍ରତ୍ୟେକ ବିଧାୟକ ଯେଉଁମାନେ ବର୍ତମାନ ସୁଦ୍ଧା ଆଂଚଳିକ ବିଧାୟକ ପାଣ୍ଠିରୁ ଆମ୍ବୁଲାନ୍ସ ସେବାରେ ସାମିଲ ହୋଇ ନାହାଁନ୍ତି ସେମାନଙ୍କୁୁ ତୁରନ୍ତ ନିଜ ପାଣ୍ଠିରୁ ଆମ୍ବୁଲାନ୍ସ କିଣି ଜନସାଧାରଣଙ୍କୁ ସେବା ଯୋଗାଇ ଦେବାକୁ ପିସିସି ତରଫରୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ସଟ୍‌ଡାଉନ ଓ ଲକ୍‌ଡାଉନ ଲାଗୁ ଥିବାରୁ ବିପିଏଲ ପରିବାର, ସ୍ୱଳ୍ପ ରୋଜଗାର ପରିବାର, ବେରୋଜଗାରୀ ଆଦିବାସୀ ଓ ହରିଜନ ପରିବାର, ମତ୍ସ୍ୟଜୀବୀ ପରିବାର ଓ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ପରିବାର ଅର୍ଥାଭାବ ଜନିତ ଦୁର୍ବିସହ ଜୀବନଯାପନ କରୁଥିବାରୁ ସରକାର ସମ୍ବେଦନଶୀଳ ହୋଇ ମାସିକ ସର୍ବନିମ୍ନ ୬ ହଜାର ଟଙ୍କା କରୋନା ସଂକଟ ଦୂର ହେବା ପର୍ଯ୍ୟନ୍ତ ଯୋଗାଇ ଦେବା ଏକ ସାମ୍ବିଧାନିକ କର୍ତ୍ତବ୍ୟ (ଧାରା-୨୧) ଦୃଷ୍ଟିରୁ ରାଜ୍ୟ ସରକାର ତୁରନ୍ତ ଏହା କାର୍ଯ୍ୟକାରୀ କରିବାକୁ କଂଗ୍ରେସ ଦାବି କରିଛି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଅନ୍ଧକାରରେ ନ ରଖି କେଉଁ ୨ ମାସର କେତେ କେତେ ପରିମାଣର ଟୀକା ପ୍ରଦାନ କରାଯିବ ଓ କେବେ ସୁଦ୍ଧା ୧୮ରୁ ୪୪ ବର୍ଷର ଯୁବଶ୍ରେଣୀକୁ ଟିକାକରଣ କରାଯିବ ତାହାର ଏକ ବିସ୍ତୃତ ତାଲିକା ପ୍ରଦାନ କରିବା ପାଇଁ ଅନୁରୋଧ କରାଯାଇଛି। କରୋନା ପାଇଁ ଆଇସିୟୁ ବେଡ୍ ଅଭାବ ଥିବା ଓ ଧାନ,ପାନ ଓ ଦୁଗ୍ଧ ଚାଷୀଙ୍କୁ ତୁରନ୍ତ ସହଯୋଗ ଯୋଗାଇବାକୁ ମଧ୍ୟ କଂଗ୍ରେସ ଆହ୍ୱାନ ଦେଇଛି। ଏହି ବୈଠକରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ସିଏସ ରାଜନ ଏକା, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ଏଆଇସିସି ସଂପାଦକ ଶରତ ରାଉତ, ବିଶ୍ୱ ମହାନ୍ତି, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ରାଜ୍ୟ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ୟାସିର ନୱାଜ, ପିସିସି କୋଭିଡ କଂଟ୍ରୋଲରୁମ ସଂଯୋଜକ ପଦ୍ମାକର ଗୁରୁ, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ବାଙ୍କନିଧି ବେହେରା, ସୁଚରିତା ମହାନ୍ତି, ସୁରେନ୍ଦ୍ର ନାଥ କର, ସୁଦର୍ଶନ ଦାସ, ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ବୋଲି ପିସିସି ମୁଖପାତ୍ର ଗଣେଶ୍ୱର ବେହେରା ସୂଚନା ଦେଇଛନ୍ତି।

ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟ୍ୱିଟ୍‌ ୱାର..!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବ୍ରହ୍ମପୁର) – କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ମଧ୍ୟରେ ଟ୍ୱିଟ୍‌ ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟ୍ୱିଟ୍‌କୁ ନେଇ ମୁହାଁମୁହିଁ  ହୋଇଛନ୍ତି। ପ୍ରଥମେ ସୋନୁଙ୍କ ସାହାଯ୍ୟ ଦାବିକୁ ଅଗ୍ରାହ୍ୟ ଏବଂ ପରେ ସୋନୁ ପ୍ରମାଣ ଦେବା ପରେ ଆଭିମୁଖ୍ୟରେ ପରିବର୍ତ୍ତନ କଲେ ଜିଲ୍ଲାପାଳ । ପ୍ରଦୀପ ବେହେରା ନାମକ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ପାଇଁ ଏକ ବେଡ୍ ବ୍ୟବସ୍ଥା କରିବାକୁ ଏକ ଟ୍ୱିଟ୍ କରିଥିଲେ। ଏଥିପାଇଁ ବହୁ ଚେଷ୍ଟା କରି ବିଫଳ ହେବାପରେ ସାହାଯ୍ୟ କରିବାକୁ ସୋନୁଙ୍କୁ ଟ୍ୱିଟ୍‌ କରି ଅନୁରୋଧ କରିଥିଲେ ପ୍ରଦୀପ।

ଏହାର ଜବାବରେ ସୋନୁ ଟ୍ୱିଟ୍‌ କରି ଅଶ୍ୱାସନା ଦେଇଥିଲେ ଯେ ଯେ, ବ୍ୟସ୍ତ ହେବା ଦରକାର ନାହିଁ, ଗଞ୍ଜାମ ସିଟି ହସ୍ପିଟାଲରେ ବେଡ ବ୍ୟବସ୍ଥା ହୋଇଯାଇଛି । ହେଲେ ଏହା ପରେ ଗଞ୍ଜାମ ଜିଲ୍ଲାପାଳ ଏକ ଟ୍ୱିଟ୍‌ କରି ଏହି ଘଟଣାରେ ସ୍ପଷ୍ଟୀକରଣ ରଖିଥିଲେ ଯେ, ସୋନୁ ସୁଦଙ୍କ ଠାରୁ କୌଣସି ଯୋଗାଯୋଗ ତାଙ୍କ ନିକଟକୁ ହୋଇନାହିଁ । ଏଥି ସହିତ କୌଣସି ବେଡ୍ ଇସ୍ୟୁ ନାହିଁ ବୋଲି ଟ୍ୱିଟ୍‌ କରିବା ସହ ରୋଗୀ ଜଣକ ହୋମ ଆଇସୋଲେସନରେ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ପରେ ପୁଣି ସୋନୁ ସୁଦ ଟ୍ୱିଟ୍‌ କରି କହିଥିଲେ ସମ୍ପୃକ୍ତ ରୋଗୀ ଜଣଙ୍କ ତାଙ୍କୁ ଅନୁରୋଧ କରିଥିବାରୁ ଆମେ ତାଙ୍କୁ ସାହାଯ୍ୟ କରିଥିଲୁ। ରେଫରେନ୍ସ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଚାଟକୁ ମଧ୍ୟ ତାଙ୍କ ଟ୍ୱିଟେର ପ୍ରମାଣ ଆକାରରେ ଦର୍ଶାଇଥିଲେ ସୋନୁ । ଏହା ପରେ କାହା କଥା ଠିକ୍, ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ୟୁ ଟର୍ଣ୍ଣ କରି ଗଞ୍ଜାମ ଜିଲ୍ଲାପାଳ ପୁଣି ଏକ ଟ୍ୱିଟ୍‌ କରିଥିଲେ।

ସୋନୁ ସୁଦଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଯେ, ତାଙ୍କୁ ସମାଲୋଚନା କରିବା ଉଦ୍ଦେଶ୍ୟ ନଥିଲା। ଏଥି ସହିତ ସୋନୁଙ୍କୁ ପ୍ରସଂଶା ମଧ୍ୟ କରିଥିଲେ । ତେବେ ପ୍ରଥମେ ସୋନୁଙ୍କ ଦାବିକୁ ଅଗ୍ରାହ୍ୟ କରିବା ଏବଂ ପରେ କାହିଁକି ଆଭିମୁଖ୍ୟରେ ପରିବର୍ତ୍ତନ କଲେ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ସରପଞ୍ଚ ନେବେ ଗାଁରେ ଲକଡାଉନ୍‌ ଓ କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲିବା ନିଷ୍ପତ୍ତି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଆଶା କର୍ମୀମାନେ ଚଳିତମାସ ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ। ଗାଁରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରପଂଚମାନେ ଲକଡାଉନ୍ ଓ ଅସ୍ଥାୟୀ ମେଡିକାଲ କେନ୍ଦ୍ର(ଟିଏମସି) ବା କ୍ୱାରେଣ୍ଟାଇନ କେନ୍ଦ୍ର ଖୋଲିବା ଭଳି ନିଷ୍ପତ୍ତି ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କରୋନା ପରିସ୍ଥିତି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ବିଧାୟକମାନେ ଭର୍ଚୁଆଲ ମୋଡରେ ସାମିଲ ହୋଇ କରୋନା ମୁକାବିଲା ନେଇ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତିକୁ କୋଭିଡ୍ ମୁକାବିଲା ଓ ନିୟନ୍ତ୍ରଣ କାର୍ଯ୍ୟରେ ସାମିଲ କରାଯିବ । ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ମଧ୍ୟ ମିଳିବ। ଚଳିତମାସ ୨୪ରୁ ଆସନ୍ତା ୩ମାସ ପାଇଁ ରାଜ୍ୟବ୍ୟାପୀ ସର୍ଭେ କରାଯିବ । ଏଥିପାଇଁ ଆଶ ଓ ଏଏନଏମ୍ ଦିଦିମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ସର୍ଭେ କରିବେ। ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯିବ। ଏହାସହିତ ଗାଁ କଲ୍ୟାଣ ସମିତିଗୁଡ଼ିକୁ ମଧ୍ୟ କୋଭିଡ୍ ନିୟନ୍ତ୍ରଣ ପାଇଁ ୧୦ହଜାର ଟଙ୍କା ସହାୟତା ଦିଆଯିବ। ଏବେ ସମଗ୍ର ରାଜ୍ୟରେ ୪୬୧୦୬ଟି ଗାଁ କଲ୍ୟାଣ ସମିତି ରହିଛି। କୋଭିଡ୍ ସଂକ୍ରମିତ ରୋଗୀମାନେ ଗୃହ ସଙ୍ଗରୋଧ ରହିଥିବାବେଳେ ଏହାର ତଦାରଖ ଦାୟିତ୍ୱରେ ଥିବା ଆଶାକର୍ମୀମାନଙ୍କୁ ସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପବୋର୍ଡ ଆଦି ପାଇଁ ଏକକାଳୀନ ୧୦ହଜାର ଟଙ୍କା ସହାୟତା ଦିଆଯିବ। ଗାଁର ଆବଶ୍ୟକତାକୁ ଦେଖି ଟିଏମସି ଖୋଲିବା ଓ ଲକଡାଉନ୍ କାର୍ଯ୍ୟକାରୀ କରିବା ନିଷ୍ପତ୍ତି ସରପଂଚମାନେ ନେଇପାରିବେ। ଏଥିପାଇଁ ସରପଂଚମାନେ ସେମାନଙ୍କୁ ମିଳିଥିବା ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରିପାରିବେ। ଚଳିତବର୍ଷ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା କମ୍ ଥିଲେ ମଧ୍ୟ ସରକାର ଜୋନାଲ ଟିଏମସି କାର୍ଯ୍ୟକ୍ଷମ କରାଇଛନ୍ତି। କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ବିଧବା ଓ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ ସହିତ ସେହି ପିଲାମାନଙ୍କର ମାଗଣା ଶିକ୍ଷା ବ୍ୟବସ୍ଥା କରାଯିବ। କୋଭିଡ୍ ମୁକାବିଲାରେ ହିଁ ସରକାର ଆରମ୍ଭରୁ ପଂଚାୟତ ଓ ଗାଁ କଲ୍ୟାଣ ସମିତିକୁ ସାମିଲ କରିଛନ୍ତି। ଲୋକଙ୍କୁ ସେବା ଯୋଗାଇବା ପାଇଁ ଏଏନଏମ, ଆଶା, ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ଗୋଷ୍ଠୀ ଆଦି ସମସ୍ତଙ୍କୁ ସାଥିରେ ନେଇ କୋଭିଡ୍ ପରିଚାଳନା କାମ ଜାରି ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ କୋଭିଡର ଦ୍ୱିତୀୟ ଲହର ଚାଲିଛି । ଆଗକୁ ଆଉ କେତେ ଲହର ଓ କେତେ ପ୍ରକାରର କରୋନା ଆସିବ ତଥା ମୁକାବିଲା କରିବାକୁ ପଡ଼ିବ ତାହା କେହି ଜାଣିନାହାନ୍ତି । ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇଁ ଏବେ ଲକଡାଉନ୍ କରାଯାଇଛି। କିନ୍ତୁ ଲକଡାଉନ୍ ଏହାର ସମାଧାନ ନୁହେଁ। ଅନେକ ଲୋକଙ୍କ ଜୀବିକା ଗଭୀର ଭାବେ ପ୍ରଭାବିତ ହେଉଛି। ଏହା ଏକ ଲମ୍ବା ଲଢ଼େଇ । ତେଣୁ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ ଉପରେ ଅଧିକ ସଚେତନ କରାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଏବେ ୭୮୬ଜଣ ଡାକ୍ତର ଓ ୫୧୩୭ଜଣ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସହିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜ ରାଜ୍ୟର ଚାହିଦା ପୂରଣ ସହିତ ଓଡ଼ିଶା ଅନ୍ୟରାଜ୍ୟକୁ ମଧ୍ୟ ଅକ୍ସିଜେନ୍ ଯୋଗାଇ ବହୁ ମୂଲ୍ୟ ଜୀବନକୁ ରକ୍ଷା କରିପାରୁଛି। ତ୍ରୁଟିଶୂନ୍ୟ ଅକ୍ସିଜେନ୍ ଯୋଗାଣ ପାଇଁ ଅଧିକ ଅକ୍ସିଜେନ୍ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି। ଅକ୍ସିଜେନ୍ ଯୋଗାଣର ସୁପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ ହେବ ଓ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏସବୁ ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କୁ ନିଜ ତଥା ନିଜ ପରିବାର ଯତ୍ନ ନେବାକୁ ପରାମର୍ଶ ଦେବା ସହ କୋଭିଡ୍ ପରିଚାଳନା କାର୍ଯ୍ୟ ବିଶେଷତଃ ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଂଗ୍ରେସ ଓ ବିଜେପି ବିଧାୟକମାନେ ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ଶଟଡାଉନ୍ ଅବଧି ବୃଦ୍ଧି, ଅଧିକ ସଂଖ୍ୟକ କୋଭିଡ୍‌-୧୯ ପରୀକ୍ଷା କେନ୍ଦ୍ର କରିବା, ଅକ୍ସିଜେନ ଯୋଗାଣକୁ ସୁବ୍ୟବସ୍ଥିତ କରିବା, ଗାଁରେ ଟିଏମସି କେନ୍ଦ୍ର ଖୋଲିବା ସହ ହସ୍ପିଟାଲଗୁଡ଼ିକରେ ଅଧିକ ସଂଖ୍ୟକ କୋଭିଡ୍ ବେଡ୍ ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବାଚସ୍ପତି ଶ୍ରୀ ପାତ୍ର କୋଭିଡ୍ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟ କରିବା ନିମନ୍ତେ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ।