ରେସଲର୍ ସୁଶୀଲ କୁମାରଙ୍କ ବିରୋଧରେ ଜାମିନବିହୀନ ପରୱାନା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଦିଲ୍ଲୀ ପୁଲିସ୍ ଏବେ ସୁଶୀଲ କୁମାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଜାମିନବିହୀନ ପରୱାନା ଜାରି କରିଛି । ରେସଲର୍ ସାଗରଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୁଲିସ୍ ରେସଲର୍ ଫେରାର ହୋଇଥିବା ସୁଶୀଲ କୁମାରଙ୍କୁ ଖୋଜଛି । ସାଗରଙ୍କ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ୍ ସୁଶୀଲଙ୍କୁ ପଚରାଉଚରା କରିବାକୁ ଚାହେଁ, କିନ୍ତୁ ସୁଶୀଲ କିଛି ଦିନ ହେବ ଫେରାର ଅଛନ୍ତି । ଯେଉଁ କାରଣରୁ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ସୁଶୀଲଙ୍କ ବ୍ୟତୀତ ତାଙ୍କର ଅନ୍ୟ ସାଥୀଙ୍କ ବିରୋଧରେ ମଧ୍ୟ ଜାମିନବିହୀନ ପରୱାନା ଜାରି କରାଯାଇଛି ।ଛତ୍ରସାଲ ଷ୍ଟାଡିୟମରେ ଜୁନିୟର ରେସଲର୍ ସାଗର ରାଣାଙ୍କ ସହ ହୋଇଥିବା ମାରପିଟ୍ ଏବଂ ପରେ ତାଙ୍କର ହତ୍ୟା ସମୟରେ ସୁଶୀଲ କୁମାର ଓ ତାଙ୍କର କିଛି ସାଥୀ ଉପସ୍ଥିତ ଥିଲେ । ଘଟଣାସ୍ଥାନରେ ଥିବା ପ୍ରତ୍ୟକ୍ଷଦର୍ଶୀ ଓ ସିସିଟିଭି ଫୁଟେଜ୍ ଆଧାରରେ ଦିଲ୍ଲୀ ପୁଲିସ୍ ସୁଶୀଲ କୁମାରଙ୍କୁ ସନ୍ଧାନ କରୁଛି । ପୁଲିସ୍ କିଛି ଦିନ ତଳେ ଲୁକ୍ ଆଉଟ୍ ସର୍କ୍ୟୁଲାର୍ ଅର୍ଥାତ୍ ଏଲଓସିର ନୋନିଟ୍ କରିଥିଲା । ଯାହା ପରେ ସୁଶୀଲ କୁମାର ଦେଶ ବାହାରକୁ ଯାଇପାରିବେ ନାହିଁ । ସୂଚନାଯୋଗ୍ୟ, ମେ’ ୪ ତାରିଖ ଦିନ ରାତି ପ୍ରାୟ ୧୨ଟା ବେଳେ ଛତ୍ରସାଲ୍ ଷ୍ଟାଡିୟମରେ ରେସଲରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଖବର ପୁଲିସକୁ ମିଳିଥିଲା । ଏହି ଝଗଡ଼ାରେ ଆହତ ହୋଇଥିବା ରେସଲର୍ ସାଗରଙ୍କୁ ବିଜେଆରଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଟ୍ରୋମା ସେଣ୍ଟ୍ରାଲ୍ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଷ୍ଟାଡିୟମର ପାର୍କିର ଏରିଆରେ ସୁଶୀଲ କୁମାର, ଅଜୟ, ପ୍ରିନ୍ସ, ସୋନୁ, ସାଗର, ଅମିତ୍ ଓ ଅନ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ପୁଲିସ୍ ଜାଣିବାକୁ ପାଇଥିଲା ।

‘ମିଛ ପ୍ରଚାର ଛାଡ଼ୁ ବିଜେପି, ୪ ମାସରେ ମାତ୍ର ୩% ଲୋକଙ୍କୁ କୋଭିଡ୍ ଟିକା’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦେଶର ଟିକାକରଣକୁ ନେଇ ରାଜ୍ୟର ବିଜେପି ନେତାମାନେ ଲୋକଙ୍କୁ ମିଛ କହିବା ବନ୍ଦ କରନ୍ତୁ। ୪ମାସ ମଧ୍ୟରେ ଭାରତରେ ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟିକା ଅଭିଯାନରେ ସାମିଲ କରାଯାଇ ପାରିଛି ବୋଲି କଂଗ୍ରେସ କହିଛି। ପ୍ରଦେଶ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଆଜି ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ କୋଭିଡ୍ ଟିକାକରଣ ଅଭିଯାନ ଉପରେ ପ୍ରଶ୍ନ ଉଠାଇ ସିଧାସଳଖ ବିଜେପିକୁ ସମାଲୋଚନା କରିଥିବାବେଳେ ରାଜ୍ୟର ଟିକା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ, ଭାରତର ଟିକାକରଣ ସାରା ବିଶ୍ୱରେ ସର୍ବବୃହତ ୧ ନମ୍ବର ବୋଲି ବିଜେପି ଛାତି ବାଡ଼େଇ ପ୍ରଚାର କରି ଥିବାବେଳେ ଅସଲରେ ଗତ ଜାନୁଆରୀ ୧୬ ରୁ ଟୀକା ଅଭିଯାନ ଆରମ୍ଭ ହେବାଠାରୁ ଏବେ ଯାଏ ଗତ ଚାରିମାସ ମଧ୍ୟରେ ଭାରତର ମାତ୍ର ୩ ପ୍ରତିଶତ ଲୋକଙ୍କୁ ଟୀକା ଦିଆଯାଇ ପାରିଛି। ଅନ୍ୟପଟେ ଆମେରିକାରେ ୩୭ ପ୍ରତିଶତ ଲୋକ ସଂପୂର୍ଣ୍ଣ ଟିକା ଡୋଜ୍ ନେଇ ସାରିଲେଣି। ଭାରତର ମୋଟ ୧୭ କୋଟି ୮୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ଆମେରିକାରେ ୨୬ କୋଟି ୭୦ ଲକ୍ଷ, ଚୀନ ୩୭ କୋଟି ଲୋକଙ୍କୁ ଟିକା ଦେଇସାରିଲାଣି। ତେଣୁ ବିଜେପି ଏଭଳି ମିଛ ବାହାସ୍ଫୋଟ ମାରିବାରୁ କ୍ଷାନ୍ତ ରହୁ। ୨୦୨୧ -୨୨ ମସିହାରେ ଦେଶରେ କେନ୍ଦ୍ର ସରକାର କେବଳ ଟିକା ପାଇଁ ୩୫ ହଜାର କୋଟି ଟଙ୍କା ପ୍ରାବଧାନ କରିଥିଲେ। ଏଯାବତ ମାତ୍ର ୪୭୦୦ କୋଟି ଟଙ୍କା ଟିକା ବାବଦରେ ଖର୍ଚ୍ଚ ହୋଇଛି । ବାକି ୩୦ ହଜାର ୩ଶହ କୋଟି ଟଙ୍କାର ଟିକା ଖର୍ଚ୍ଚ ନକରି କେନ୍ଦ୍ର ସରକାର କାହିଁକି ଚୁପ ବସିପଡ଼ିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ବିହାର, ପଶ୍ଚିମବଙ୍ଗ ନିର୍ବାଚନବେଳେ ଏବଂ ମନ୍ କି ବାତ୍‌ରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ ଭାରତରେ ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ। କିନ୍ତୁ ଏବେ କାହିଁକି ରାଜ୍ୟ ମାନଙ୍କ ଉପରକୁ ଟିକାର ଦାୟିତ୍ୱ ଠେଲି ଦେଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତରେ ମୋଟ ୯୪ କୋଟି ବୟସ୍କଙ୍କୁ ଟୀକା ଦେବା ପାଇଁ ଏବେ ଆଉ ୧୮୮ କୋଟି ଟିକା ଡୋଜର ଆବଶ୍ୟକତା ଅଛି। ସେଥିପାଇଁ ମୋଟ ୨୫୫୯୮ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଟିକା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଥିବା ୩୫ ହଜାର କୋଟି ଟଙ୍କା ମଧ୍ୟରେ ଏଥିପାଇଁ ଅର୍ଥ ଅଛି। କିନ୍ତୁ ମୋଦି ସରକାର ଏହି ଦାୟିତ୍ୱରୁ ଚୁପଚାପ ହଟିଗଲେ। ଅଥଚ ବିଜେପି ନେତାମାନେ ଓଲଟା ବିରୋଧି ଦଳ ମାନଙ୍କୁ ସମାଲୋଚନାରେ ବ୍ୟସ୍ତ। ଯଦି ରାଜ୍ୟମାନେ ନିଜ ସମ୍ବଳରୁ ଟିକା କିଣିବେ ତେବେ ସେମାନଙ୍କର ସ୍ୱାସ୍ଥ୍ୟ ବଜେଟର ୩୦ ପ୍ରତିଶତ କେବଳ ଟିକାରେ ଖର୍ଚ୍ଚ ହୋଇଯିବ। ଓଡ଼ିଶାର ଚଳିତ ସ୍ୱାସ୍ଥ୍ୟ ବଜେଟ ହେଉଛି ୯୩୪୦ କୋଟି ଟଙ୍କା ଏବଂ ଟିକା କିଣାରେ ପାଖାପାଖି ୩୦ ପ୍ରତିଶତ ଅର୍ଥାତ ପ୍ରାୟ ୨୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଯିବ। ଯାହାଦ୍ୱାରା ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଚିକିତ୍ସା ପାଇଁ ଅର୍ଥାଭାବ ଦେଖାଦେବ ବୋଲି ଶ୍ରୀ ନାୟକ କହିଛନ୍ତି।

ଦିନକ ବ୍ୟବଧାନରେ ପୁଣି ବଢ଼ିଲା ତୈଳ ଦର..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପେଟ୍ରୋଲ୍‌-ଡିଜେଲ୍ ଦର ପ୍ରତିଦିନ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ସରକାରୀ ତୈଳ କମ୍ପାନୀ ଆଜି ମଧ୍ୟ ତୈଳ ଦର ବୃଦ୍ଧି କରିଛି। ଏଥିସହ ଦେଶର ଅଧିକାଂଶ ସହରରେ ତୈଳ ଦର ଏବେ ୧୦୦ ଟଙ୍କା ଅତିକ୍ରମ କରିଛି। ଶ୍ରୀଗଙ୍ଗାନଗର, ଅନୁପପୁର, ରିୱା, ଇନ୍ଦୋର, ଭୋପାଳରେ ତୈଳ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଆଜି ପେଟ୍ରୋଲ ଦର ଲିଟର୍ ପିଛା ୧୮ରୁ ୨୫ ପଇସା ଏବଂ ଡିଜେଲ୍ ଦର ଲିଟର୍ ୨୭ରୁ ୩୦ ପଇସା ବୃଦ୍ଧି ପାଇଛି। ଦିନକ ତଳେ ଅର୍ଥାତ୍ ମେ’ ୧୪ ତାରିଖରେ ପେଟ୍ରୋଲ ଦର ୨୯ ଡିଜେଲ୍ ଦର ୩୪ ପଇସା ବୃଦ୍ଧି ପାଇଥିଲା । କିନ୍ତୁ ଶନିବାର ଉଭୟ ଦର ଅପରିବର୍ତ୍ତିତ ରହିଥିଲା। ହେଲେ ରବିବାର ପୁଣିଥରେ ତୈଳ ଦର ବଢ଼ିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ୍ ୨୪ ପଇସା ଓ ଡିଜେଲ୍ ୨୭ ପଇସା ବଢ଼ିଛି । ଏହି ବୃଦ୍ଧି ସହ ଦିଲ୍ଲୀରେ ପେଟ୍ରୋଲ୍ ଲିଟର୍ ଦର ୯୨.୫୮ ଟଙ୍କା ହୋଇଛି। ସେହିପରି ଡିଜେଲ୍ ଦର ୮୩.୨୨ ଟଙ୍କା ରହିଛି । ଅନ୍ୟପକ୍ଷରେ ମୁମ୍ବାଇରେ ପେଟ୍ରୋଲ୍ ଦର ୯୮.୮୮ ଟଙ୍କା ଓ ଡିଜେଲ୍ ଦର ୯୦.୪୦ ଟଙ୍କା ହୋଇଛି । ଏହାବ୍ୟତୀତ କୋଲକାତାରେ ପେଟ୍ରୋଲ୍ ଦର ୯୨.୬୭ ଟଙ୍କା ଓ ଡିଜେଲ୍ ଦର ୮୬.୦୬ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ୍ ଲିଟର୍ ପିଛା ୯୪.୩୪ ଟଙ୍କା ଓ ଡିଜେଲ୍ ଦର ଲିଟର୍ ପିଛା ୮୮.୦୭ ଟଙ୍କା ହୋଇଛି । ତେବେ ଶ୍ରୀଗଙ୍ଗାନଗରରେ ପେଟ୍ରୋଲ୍ ଦର ୧୦୩.୫୨ ଟଙ୍କା ଓ ଡିଜେଲ୍ ଦର ୯୫.୯୯ ଟଙ୍କା ରହିଛି । ଅନୁପପୁରରେ ପେଟ୍ରୋଲ୍ ଦର ୧୦୩.୨୧ ଟଙ୍କା ଓ ଡିଜେଲ୍ ଦର ୯୩.୯୮ ଟଙ୍କା ହୋଇଛି । ସେହିପରି ରିୱାରେ ପେଟ୍ରୋଲ୍ ଲିଟର୍ ପିଛା ୧୦୨.୮୫ ଟଙ୍କା ଓ ଡିଜେଲ୍ ଦର ୯୩.୬୫ ଟଙ୍କା, ଇନ୍ଦୋରରେ ପେଟ୍ରୋଲ୍ ଦର ୧୦୦.୭ ଟଙ୍କା ଓ ଡିଜେଲ୍ ଦର ୯୧.୬୯ ଟଙ୍କା, ଭୋପାଳରେ ପେଟ୍ରୋଲ ଦର ୧୦୦.୬୩ ଟଙ୍କା ଓ ଡିଜେଲ୍ ଦର ୯୧.୫୯ ଟଙ୍କା, ଜୟପୁରରେ ପେଟ୍ରୋଲ୍ ଲିଟର୍ ପିଛା ୯୯.୦୨ ଟଙ୍କା ଓ ଡିଜେଲ୍ ଲିଟର୍ ୯୧.୮୬ ଟଙ୍କାକୁ ବୃଦ୍ଧି ପାଇଛି ।

ପ୍ରଥମ ଲହର ପରେ ସରକାର ଓ ଲୋକେ ଅବହେଳା କରିଥିଲେ: ଆରଏସଏସ ମୁଖ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ‘ଡାକ୍ତରମାନେ ସତର୍କ କରାଇଥିଲେ। ତା’ସତ୍ତ୍ୱେ କରୋନାର ପ୍ରଥମ ଲହର ପରେ ସମସ୍ତେ ଅବହେଳା କରିଥିଲେ। ସରକାର ହୁଅନ୍ତୁ କି ପ୍ରଶାସନିକ କଳ ଅବା ଲେକେ- ସମସ୍ତେ ଅବହେଳା କରିଥିଲେ।’ କରୋନାର ଦ୍ୱିତୀୟ ଲହର ଅଧିକ ବିପଦଜନକ ହୋଇଥିବା ବେଳେ ଶନିବାର ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଏହି କଥା। ଆରଏସଏସର କୋଭିଡ‌୍‍ ରେସପନ୍ସ ଟିମ‌୍‍ ପକ୍ଷରୁ ଲୋକଙ୍କ ମନରେ ସକାରାତ୍ମକ ଭାବନା ସଞ୍ଚାର କରିବା ପାଇଁ ଆୟୋଜିତ  ଅନଲାଇନ କାର୍ଯ୍ୟକ୍ରମ ପଜିଟିଭିଟି ଅନଲିମିଟେଡରେ ଯୋଗ ଦେଇ ଶ୍ରୀ ଭାଗବତ ଏହି କଥା କହିଛନ୍ତି।ସେ କହିଛନ୍ତି, ବର୍ତ୍ତମାନ ସେମାନେ କହିଲେଣି କରୋନାର ତୃତୀୟ ଲହର ମଧ୍ୟ ଆସିବ। ତାହେଲେ ଆମେ କଣ ଡରି ଯିବା? ନା ତା ବିରୋଧରେ ଲଢ଼େଇ କରିବାକୁ ନିଜକୁ ଆହୁରି ଦୃଢ଼ କରିବା? ଜୀବନ ଓ ମୃତ୍ୟୁର ଚକ୍ର ଚାଲିବ। କିନ୍ତୁ ଏହି ଘଟଣାଗୁଡ଼ିକ ଆମକୁ ଡରାଇ ପାରିବ ନାହିଁ। ସଫଳତା ବା ବିଫଳତା ପରେ ସବୁ କିଛି ସରି ଯାଏ ନାହିଁ। ସବୁ ସ୍ଥିତିରେ ସାହାସ ବଜାୟ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ତା’ସହିତ ଆମ ଜୀବନରେ ନକାରାତ୍ମକ ଭାବନାର ସ୍ଥାନ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଆରଏସଏସ ମୁଖ୍ୟ କହିଛନ୍ତି, ବର୍ତ୍ତମାନର ସ୍ଥିତିରୁ ହାସଲ କରିଥିବା ଅନୁଭୂତିକୁ ପାଥେୟ କରି ଉଭୟ ସରକାର ଓ ସାଧାରଣ ଜନତା ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ। ସମସ୍ତ ଭୟକୁ ଦୂରେଇ କରୋନାର ତୃତୀୟ ଲହରକୁ ମାତ‌୍‍ ଦେବାକୁ ନିଜ ମନରେ ବିଶ୍ୱାସ ଭରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଏହା ସହିତ ଏହି ମହାମାରୀ ଉପରେ ଭାରତ ସଂପୂର୍ଣ୍ଣ ବିଜୟ ଲାଭ କରିବା ନିହାତି ଦରକାର। ସୂଚନାଯୋଗ୍ୟ, ଆରଏସଏସ ପକ୍ଷରୁ ମେ ୧୧ ତାରିଖରୁ ୫ ଦିନ ପାଇଁ ଏହି ପଜିଟିଭିଟି ଅନଲିମିଟେଡ‌୍‍ କାର୍ଯ୍ୟକ୍ରମ ଆୟୋଜି ହୋଇଛି। ଏଥିରେ ୱିପ୍ରୋ ଗ୍ରୁପ ପ୍ରତିଷ୍ଠାତା ଆଜମୀ ପ୍ରେମଜୀଙ୍କ ଭଳି ବ୍ୟକ୍ତି ଯୋଗ ଦେଇ ଦେଶବାସୀଙ୍କୁ ସକାରାତ୍ମକ ହେବାକୁ ଓ ଆତ୍ମବିଶ୍ୱାସ ବଢ଼ାଇବାକୁ ଉତ୍ସାହିତ କରିଛନ୍ତି।

ଘଣ୍ଟାକୁ ୯ କି.ମି ବେଗରେ ମାଡ଼ି ଆସୁଛି ‘ତଉକେତ’, ୧୮ରେ କରିବ ଲ୍ୟାଣ୍ଡଫଲ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆରବ ମହାସାଗରରେ ସୃଷ୍ଟି  ସାମୁଦ୍ରିକ ଝଡ଼ ‘ତଉକେତ’  ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହୋଇ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହି ବାତ୍ୟା ଗୋଆର ପାଣାଜୀଠାରୁ ୧୫୦ କିଲୋମିଟର, ମୁମ୍ବାଇ ଉପକୂଳରୁ ୪୯୦ କିଲୋମିଟର ଏବଂ ଗୁଜରାଟର ବୀରବଲ ଉପକୂଳରୁ ୭୩୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୮ ତାରିଖ ସକାଳେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ୍ କରିବ । ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି । ‘ତଉକେତ’ ପ୍ରଭାବରେ ଲାକ୍ଷାଦୀପ ଦୀପପୁଂଜ ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି  । ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି  । ଅନେକ ଗାଁରେ ପାଣି ପଶିଯାଇଛି  । ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି  । ଏହାସହ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ  । ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ, ୫ଟି ରାଜ୍ୟରେ ୫୩ଟି ଏନଡିଆରଏଫ୍‌ ଟିମ୍ ମୁତୟନ କରାଯାଇଛି  । କେବଳ ଗୁଜରାଟରେ ୧୫ଟି ଏନଡିଆରଏଫ୍‌ ଟିମ୍ ରହିବ । ସେଥିପାଇଁ ଭୁବନେଶ୍ୱରରୁ ୫ଟି NDRF ଟିମ୍‌ର ୧୨୫ ଜଣ ଯବାନ ଗତକାଲି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଜକୋଟ୍ ଯାଇଛନ୍ତି । ଭଲସାଡ଼ ଓ ଜାମନଗର ଆଦି ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ  ଆଲୋଚନା କରିଥିଲେ ।ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉକେତେ”ର ଗତି ଉପରେ ନଜର ରଖାଯାଇଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି  । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍‍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟର  ପହରା ଦେଉଛନ୍ତି । ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍‍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର୍ଯ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍‍ (ଏମଟି)ଙ୍କୁ  ପ୍ରସ୍ତୁତ ରଖାଯାଇଥିବା ଜଣାଯାଇଛି ।

“ତାଉକତେ” ପ୍ରସ୍ତୁତି ସମ୍ପର୍କରେ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ଏଜେନ୍ସିମାନଙ୍କ ସହିତ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସାମୁଦ୍ରିକ ଘୂର୍ଣ୍ଣବାତ୍ୟା “ତଉକତେ”ର ଉପଯୁକ୍ତ ମୁକାବିଲା ସକାଶେ ସମ୍ଭାବ୍ୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି ଯେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା “ତଉକତେ’ ଗୁଜରାଟର ପୋରବନ୍ଦର ଏବଂ ନଲିୟା ମଧ୍ୟରେ ମେ ୧୮ ତାରିଖ ଅପରାହ୍ନ/ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁଲା ବେଳକୁ ଏହାର ଘଣ୍ଟାପ୍ରତି ବେଗ ପ୍ରାୟ ୧୭୫ କିଲୋମିଟର ହୋଇପାରେ ବୋଲି ପୂର୍ବନୁମାନ କରାଯାଇଛି । ଏହାର ପ୍ରଭାବରେ ଗୁଜରାଟର ତଟୀୟ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ସହ ଜୁନାଗଡ଼ ଓ ଗୀର ସୋମନାଥ ଅଞ୍ଚଳରେ ଅତି ପ୍ରବଳ ବର୍ଷା ଏବଂ ସୌରାଷ୍ଟ୍ର, କଚ୍ଛ ଓ ଡିଉର ଗୀର ସୋମନାଥ, ଡିଉ, ଜୁନାଗଡ଼, ପୋରବନ୍ଦର, ଦେବଭୂମି ଦ୍ୱାରକା, ଆମରେଲି, ଜାମନଗର ଆଦି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି ଚେତାବନୀ ଦିଆଯାଇଛି ଯେ ଘୂର୍ଣ୍ଣିବାତ୍ୟା ସମୟରେ ସମୁଦ୍ରରେ ୨- ୩ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ତାହା ମୋରବୀ, କଚ୍ଛ, ଦେବଭୂମି ଦ୍ୱାରକା ଓ ଜାମନଗର ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବେଶ କରିପାରେ। ସେହିଭଳି ପୋରବନ୍ଦର, ଜୁନାଗଡ଼, ଡିଉ, ଗୀର ସୋମନାଥ, ଆମରେଲି, ଭାବନଗର ଆଦି ଉପକୂଳରେ ୧- ୨ ମିଟର ଉଚ୍ଚତାର ଜୁଆର ଉଠିବ ଏବଂ ରାଜ୍ୟର ଅବଶିଷ୍ଟ ତଟୀୟ ଜିଲ୍ଲାର ଉପକୂଳରେ ୦.୫ ମିଟର ଉଚ୍ଚତାର ଜୁଆର ସୃଷ୍ଟି ହେବ । ଏହି ଜୁଆର ମେ ୧୮ ତାରିଖ ଅପରାହ୍ନ / ସନ୍ଧ୍ୟାରେ ହିଁ ସୃଷ୍ଟି ହେବ । ଏହି ସମୟରେ ଘୂର୍ଣ୍ଣବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବାର ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ମେ ୧୩ ତାରିଖ ଠାରୁ ପ୍ରତି ତିନି ଘଣ୍ଟାରେ ଗୋଟିଏ ଲେଖାଏଁ ବୁଲେଟିନ୍‍ ଜାରି କରାଯାଉଛି ଏବଂ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ରାଜ୍ୟମାନଙ୍କୁ ଘୂର୍ଣ୍ଣିବାତ୍ୟା “ତାଉତେ”ର ସଦ୍ୟତମ ସ୍ଥିତି ସମ୍ପର୍କରେ ସୂଚୀତ କରାଯାଉଛି । ଆଜିର ସମୀକ୍ଷା ବୈଠକରେ କରାଯାଇଥିବା ଆଲୋଚନା ଅନୁସାରେ କ୍ୟାବିନେଟ୍‍ ସଚିବ ଘୂର୍ଣ୍ଣିବାତ୍ୟା ସଂପର୍କରେ ସମସ୍ତ ତଟୀୟ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ/ ଏଜେନ୍ସିମାନଙ୍କ ସହିତ ନିରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ପକ୍ଷରୁ ଘୂର୍ଣ୍ଣିବାତ୍ୟା “ତାଉତେ” ସମ୍ପର୍କରେ 24 x 7 ସମୀକ୍ଷା କରାଯାଉଛି ଏବଂ ସଂପୃକ୍ତ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ର ସରକାର ତଥା କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହିତ ପରିସ୍ଥିତିର ସମୀକ୍ଷା କରାଯାଉଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ଇତି ମଧ୍ୟରେ ସଂପୃକ୍ତ ଛଅଟି ତଟୀୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୨ଟି ଦଳଙ୍କୁ ଆଗୁଆ ମୁତୟନ କରାଯାଇଛି ଏବଂ ସେମାନଙ୍କ ନିକଟରେ ବୋଟ, ଗଛକଟା ଯନ୍ତ୍ର, ଟେଲିକମ୍‍ ଉପକରଣ ଆଦି ମହଜୁଦ ରଖାଯାଇଛି । ଏହା ବ୍ୟତୀତ ଅନ୍ୟ ୨୬ଟି ଦଳଙ୍କୁ ଅତିରିକ୍ତ ଭାବେ ଜାଗତିଆର ରଖାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ପକ୍ଷରୁ ରିଲିଫ, ଖୋଜା ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ଜାହାଜ ଏବଂ ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି । ସେହିଭଳି ବାୟୁସେନା ଏବଂ ସ୍ଥଳସେନାର ଇଂଜିନିୟର ଟାସ୍କ ଫୋର୍ସ ୟୁନିଟକୁ ବୋଟ୍‍, ଉଦ୍ଧାରକାରୀ ସରଞ୍ଜାମ ସହିତ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ତୁରନ୍ତ ମୁତୟନ କରାଯାଇପାରିବ । ଅପର ପକ୍ଷରେ ପଶ୍ଚିମ ତଟରେ ସାତଟି ଜାହାଜକୁ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ୟୁନିଟ ଭାବେ ପ୍ରସ୍ତୁତ ରଖାଯାଇଛି । ପଶ୍ଚିମ ତଟ ସାରା ସର୍ଭେଲାନ୍ସ ବିମାନ ଏବଂ ହେଲିକପ୍ଟରଗୁଡି଼କ ଅହୋରାତ୍ର ପହରା ଦେଉଛନ୍ତି । ଏହା ବ୍ୟତୀତ ପଶ୍ଚିମ ଉପକୂଳର ତ୍ରିଭେନ୍ଦ୍ରମ୍‍, କନ୍ନୁର ଏବଂ ଅନ୍ୟାନ୍ୟ ସ୍ଥାନରେ ବିପର୍ଯ୍ୟୟ ରିଲିଫ ଦଳ (ଡିଆରଟି) ତଥା ମେଡ଼ିକାଲ ଟିମ୍‍ (ଏମଟି)ଙ୍କୁ ଅହୋରାତ୍ର ପ୍ରସ୍ତୁତ ରଖାଯାଇଛି ।

ବାହାଘର ପାଇଁ ପରିବାର ସଦସ୍ୟଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଗଞ୍ଜାମ ଜିଲ୍ଲାରେ ବିବାହ ସମାରୋହ ନିମନ୍ତେ ପରିବାର ସଦସ୍ୟଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ବିବାହ ଉତ୍ସବ ଥିଲେ ଉଭୟ ପରିବାରର ସଦସ୍ୟମାନେ କୋଭିଡ୍ ସଂକ୍ରମିତ କି ନାହିଁ ସେଥିପାଇଁ ନିଜର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଦାଖଲ କରିବେ। ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିବାହ ଉତ୍ସବ ଥିଲେ ସମସ୍ତ ପରିବାର ସଦସ୍ୟଙ୍କୁ ନିଶ୍ଚିତ ଭାବେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ କରିବାକୁ ପଡ଼ିବ। ଯଦି ପରିବାରର କୌଣସି ସଦସ୍ୟଙ୍କର କୋଭିଡ୍ ପଜେଟିଭ୍ ଥିବା ଜଣାପଡ଼ିଲା, ତା’ହେଲେ ବିବାହ ଉତ୍ସବ ପାଇଁ ଅନୁମତି ଦିଆଯିବ ନାହିଁ । ଜିଲ୍ଲା ପ୍ରଶାସନ ପୂର୍ବରୁ ଜାରି କରିଥିବା ନିର୍ଦ୍ଦେଶନାମାରେ ବିବାହ ନିମନ୍ତେ ସ୍ଥାନୀୟ ପ୍ରଶାସନଠୁ ଅନୁମତି ନେବା ଜରୁରୀ ବୋଲି କହିଥିଲା। ଏହାସହିତ ବିବାହ ଉତ୍ସବରେ ୫୦ଜଣରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲେ।

ଆଜି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାରେ ଆଜି ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ିର  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ସବୁ ଜିଲ୍ଲା ଗୁଡିକରେ ପାଗ ପ୍ରାୟ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏହି ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନାଯୋଗ୍ୟ, କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ହେବ ବୋଲି ଗତ ଶୁକ୍ରବାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହା ପ୍ରଭାବରେ ଏହି ବର୍ଷା ହେଉଥିବା ଅନୁମାନ କରାଯାଉଛି।

କମିବା ନାଁ ଧରୁନି ମହାମାରୀ; ବନ୍ଦ ହେଲା ସିରିଏଲ, ଚଳଚ୍ଚିତ୍ର ସୁଟିଂ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଘାତକ ସାଜିଲାଣି ମେ’ ମାସ। ଦୀର୍ଘ ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଲକ୍‌ଡାଉନ୍‌, ଶଟଡାଉନ୍‌ କଟକଣା ସତ୍ତ୍ୱେ ତଳମୁହାଁ ହେବା ନାଁ ଧରୁନି ମହାମାରୀ। । ରାଜ୍ୟରେ ପ୍ରତିଦିନ ୧୧ ହଜାର, ୧୨ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ଏପରି ସ୍ଥିତିରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବାକୁ ବନ୍ଦ କରି ଦିଆଯାଇଥିବା ବେଳେ ଆଜି SRC ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।  କରୋନା ସଂକ୍ରମଣ ରାଜ୍ୟରେ ଏବେ ହୁ ହୁ ହୋଇ ବଢ଼ୁଥିବାରୁ ଏବେ ସିରିଏଲ ବା ଚଳଚ୍ଚିତ୍ର ସୁଟିଂ ହୋଇପାରିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି SRC। ସମସ୍ତ ପ୍ରକାର ଇନ୍‌ଡୋର, ଆଉଟଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୁଟିଂ ସେଟ୍‌ରେ ଏକାଧିକ ଲୋକଙ୍କ ସମାଗମ ହେଉଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଦେଇଛନ୍ତି SRC । ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୭୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ ଓ ଅନୁଗୋଳ ଜିଲ୍ଲାରୁ ୭୦୦ ଜଣ ଅଛନ୍ତି। ସେହିପରି ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩ରେ ପହଞ୍ଚି ଯାଇଛି।

୧୬ ମେ’ – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ– ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।

ବୃଷ– ସ୍ଥାୟୀ ସମ୍ପତ୍ତିପ୍ରାପ୍ତିର ଯୋଗ ରହିଛି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଘରେ କୌଣସି କାମକୁ ନେଇ ପରିଶ୍ରମ କରିବାକୁ ପଡ଼ିପାରେ।

ମିଥୁନ– ମାନସମ୍ମାନ ମିଳିବ। ଭାଇଙ୍କ ସହଯୋଗ ମିଳିବ। ପାର୍ଟନରଙ୍କ ସହ ପ୍ରେମ ସଂପର୍କ ଆହୁରି ଗଭୀର ହେବ।

କର୍କଟ– ବିବାହ ସ୍ଥିର ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପୁରୁଣା ସମସ୍ୟା ଥିଲେ ଦୂର ହେବ।

ସିଂହ– ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଅଟକି ଯାଇଥିବା ଧନ ମିଳିବ। କୌଣସି ମହିଳାଙ୍କ ଦ୍ୱାରା ଲାଭବାନ ହେବେ।

କନ୍ୟା– କୌଣସି ବିବାଦରେ ପଶନ୍ତୁ ନାହିଁ। ଉଚ୍ଚ ଅଧିକାରୀଙ୍କ ସହ ପାଟିତୁଣ୍ଡ ହୋଇପାରେ। ନିକଟସ୍ଥ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା– ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ। କର୍ମକ୍ଷେତ୍ରରୁ ଶୁଭ ଖବର ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା– କ୍ୟାରିୟରରେ ସଫଳତା ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାତ୍ରା କରନ୍ତୁ ନାହିଁ।

ଧନୁ– ପ୍ରେମ ମାମଲାରେ ସଫଳତା ମିଳିବ। ନିଜର ଇଚ୍ଛା ଅନୁଯାୟୀ କାମ ହେବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ।

ମକର– ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରରେ ଅଶାନ୍ତି ଦେଖାଯିବ। ଧନହାନି ଯୋଗ ରହିଛି।

କୁମ୍ଭ– ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସଂପତ୍ତି ପାଇଁ ଘରେ ବିବାଦ ଦେଖା ଦେଇପାରେ।

ମୀନ–  ପାରିବାରିକ ଖୁସି ମିଳିବ। ମାନ-ସମ୍ମାନ ମିଳିବ। ପୁରୁଣା ବାଧା ହଟି ଯିବ।