ଗାଁରେ ଘରକୁ ଘର ବୁଲି କୋଭିଡ ଟେଷ୍ଟ କରାଇବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଯେଉଁ ରାଜ୍ୟ ଗୁଡ଼ିକରେ କରୋନା ପଜିଟିଭିଟି ରେଟ୍ ବା ସଂକ୍ରମିତ ହାର ଅଧିକ ସେହି ରାଜ୍ୟ ଗୁଡ଼ିକରେ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେବା ଦରକାର। ଯେଉଁ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ସେହି ସ୍ଥାନରେ କଣ୍ଟେନେମେଣ୍ଟ ଜୋନ କରିବା ସହିତ ଘରକୁ ଘର ଯାଇ ଟେଷ୍ଟ କରିବା ଦରକାର। ମୁଖ୍ୟତଃ ଏବେ ଗାଁ ଗୁଡ଼ିକରେ ଟେଷ୍ଟ କିଭଳି ବଢ଼ିବ ଏବଂ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେଇ ହେବ ସେନେଇ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କରୋନାର ଦ୍ୱିତୀୟ ଲହର ଏବେ ମାରାତ୍ମକ ହୋଇଛି। ତେଣୁ ଲୋକମାନେ କିଭଳି ଠିକ୍ ସମୟରେ ଚିକିତ୍ସା ପାଇବେ ଏବଂ ସେମାନଙ୍କର ପରୀକ୍ଷା ଠିକ୍ ହେବ ତା ଉପରେ ଗୁରୁତ୍ୱ ଦେବା ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ କରିଥିଲେ। ଯେଉଁଥିରେ ସେ ଉପରୋକ୍ତ କଥା ଉପରେ ଗୁରୁତ୍ୱ ଦେଇଛନ୍ତି। ଉଭୟ ଆରଟି ପିସିଆର ଏବଂ ରାପିଡ୍ ଟେଷ୍ଟ ବ୍ୟବହାର କରି କରୋନା ପରୀକ୍ଷା ଅଧିକରୁ ଅଧିକ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ନେଇ ସମ୍ବଳ କିଭଳି ବୃଦ୍ଧି କରିହେବ ତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏଥିସହ କୌଣସି ରାଜ୍ୟ କରୋନା ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟାକୁ ସଠିକ ଭାବରେ ଦେଖାଇବା ଦରକାର, ଏହାକୁ ନେଇ ଲୁଚାଇବା ଠିକ୍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗାଁ ଗୁଡ଼ିକରେ ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ମଧ୍ୟ ଏ ଦିଗରେ ନିୟୋଜିତ କରିବା ସହିତ ଏ ସଂକ୍ରାନ୍ତରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଅକ୍ସିଜେନର ଆବଶ୍ୟକତାକୁ ନେଇ ଗ୍ରାମାଞ୍ଚଳରେ ଅକ୍ସିଜେନ କିଭଳି ଅଧିକରୁ ଅଧିକ ଯୋଗାଇ ହେବ ସେନେଇ ସୁନିଶ୍ଚିତ କରିବାକୁ ମୋଦି କହିଛନ୍ତି। ଅକ୍ସିଜନ ଏବଂ ଅକ୍ସିଜେନ କନସେନଟ୍ରେଟର ବାବଦରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ଆବଶ୍ୟକ ତାଲିମ ପ୍ରଦାନ କରାଯିବା ଆବଶ୍ୟକ। ଏହି ଚିକିତ୍ସା ଉପକରଣଗୁଡ଼ିକ କିଭଳି ଚାଲିବ ଏବଂ ଆବଶ୍ୟକ ବିଦ୍ୟୁତ୍ ଯୋଗାଣ କରିହେବ ସେ ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

କେନ୍ଦ୍ର ନିରାଶ, ପ୍ରହସନ ପାଲଟିବ ଗ୍ଲୋବାଲ ଟେଣ୍ଡର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)ଭାରତରେ କରୋନାର ଦ୍ୱିତୀୟ ଲହର ଏବେ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଛି। କରୋନାକୁ ଚେକ୍ ଦେବାକୁ ଲକଡ଼ାଉନ, ଶଟଡାଉନ ସହିତ ଟିକାକରଣ ଉପରେ ଜୋର ଦେଇଛନ୍ତି ସରକାର। ହେଲେ ଦେଶର ଦୁଇ ଟିକା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ ଚାହିଦା ତୁଳନାରେ ଆବଶ୍ୟକ ଟିକା ଏବେ ଯୋଗାଇବାରେ ବିଫଳ ହୋଇଛନ୍ତି। ଯଦିଓ ଋଷିଆର ସ୍ପୁଟନିକ ଭି ଭାରତରେ ପହଞ୍ଚିଛି ହେଲେ ଏହାପରେ ବି ଚାହିଦା ପୂରଣ ହେଉନି। ତେଣୁ ବିଦେଶୀ ଟିକା କିଣିବାକୁ ଚିନ୍ତା କରୁଛନ୍ତି ସରକାର। ଇତି ମଧ୍ୟରେ କେନ୍ଦ୍ର ସରକାର ଟିକା ନେଇ ଆମେରିକାର ତିନି ବିଶ୍ୱସ୍ତରୀୟ ଟିକା କମ୍ପାନୀ ଫାଇଜର, ମୋର୍ଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସହ କଥା ହୋଇଥିଲେ। ହେଲେ ତିନି କମ୍ପାନୀର ଉତ୍ତର କେନ୍ଦ୍ରକୁ ନିରାଶ କରିଛି। ଅନ୍ୟପଟେ କେନ୍ଦ୍ର ଟିକା ଯୋଗାଇବାରେ ବିଫଳ ହେବା ପରେ ଓଡ଼ିଶା, ୟୁପି, ରାଜସ୍ଥାନ ଆଦି ରାଜ୍ୟ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ଓଡ଼ିଶା ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡାକିଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ହେଲେ ଯେଉଁଠି କେନ୍ଦ୍ର ନିରାଶ ସେଠି ଓଡ଼ିଶା ଭଳି ରାଜ୍ୟକୁ କିଭଳି ମିଳିବ ଟିକା ତାହା ଏବେ ସନ୍ଦେହ ଘରେର ? ଦେଶର କୋଭିଡ୍ ଟାସ୍କ ଫୋର୍ସ କମିଟିର ଅଧ୍ୟକ୍ଷ ଡାକ୍ତର ଭିକେ ପାଲ କହିଛନ୍ତି, ଭାରତକୁ ଟିକା ଯୋଗାଇବା ପାଇଁ ସରକାର ‘ଆନୁଷ୍ଠାନିକ ଭାବେ’ ଫାଇଜର, ମୋର୍ଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ସହ କଥା ହୋଇଥିଲେ। ତିନି କମ୍ପାନୀ କହିଛନ୍ତି, ଏବେ ସେମାନଙ୍କ ପାଖରେ ଏତେ ପରିମାଣରେ ଟିକା ନାହିଁ, କି ତିଆରି କରିପାରିବାର କ୍ଷମତା ନାହିଁ। ତେଣୁ ଏ ପ୍ରସଙ୍ଗରେ ସେମାନେ କିଛି ମାସ ପରେ କଥାବାର୍ତ୍ତା ହୋଇପାରିବେ। ସେ ଆହୁରି କହିଛନ୍ତି ଯେ ତିନି ଟିକା କମ୍ପାନୀ ସହିତ ସରକାରଙ୍କର ଭଲ ସମ୍ପର୍କ ରହିଛି। ଟିକା ନେଇ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ କମ୍ପାନୀ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଅର୍ଥାତ ଚଳିତ ବର୍ଷର ଶେଷ ବେଳକୁ। ସରକାର ଆଶା କରୁଛନ୍ତି ଯେ ଏହି ତିନି ଟିକା କମ୍ପାନୀ ଘରୋଇ ଟିକା କମ୍ପାନୀକୁ ଟେକ୍ନୋଲୋଜି ଶେୟାର କରି ଟିକା ଉତ୍ପାଦନକୁ ବୃଦ୍ଧି କରିବେ। ସୂଚନାଯୋଗ୍ୟ, ବିଦେଶରୁ ଭାରତ ଟିକା ଆଣିବା ଏବେ ସହଜ ନୁହେଁ। କାରଣ ସାରା ବିଶ୍ୱ ଏବେ କରୋନା କୋପରୁ ବର୍ତ୍ତିବା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ବିଶ୍ୱରେ ୨୦୦ରୁ ଅଧିକ ଦେଶ ଏହି ଉହାନ ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ହେଲେ ହାତ ଗଣତି କିଛି ଦେଶ ଟିକା ବାହାର କରିବାରେ ସଫଳ ହୋଇଛନ୍ତି। ଚାଇନା ବାହାର କରିଥିବା ଟିକାକୁ କିଣିବା ପାଇଁ କୌଣସି ଦେଶ ଆଗ୍ରହ ଦେଖାଉ ନାହାନ୍ତି। ତେଣୁ ଆମେରିକାର ଏହି ତିନି ଟିକା କମ୍ପାନୀ ଉପରେ ଅନେକ ଦେଶ ନିର୍ଭର କରୁଛନ୍ତି। ଯେହେତୁ ଟିକା ବାହାର କରିନଥିବା ଦେଶ ଆଗୁଆ ଟିକା ବୁକ କରି ଦେଇଛନ୍ତି ତେଣୁ ଭାରତ ଏବେ ସେହି କମ୍ପାନୀ ପାଖରୁ ଟିକା ପାଇ ପାରୁନାହିଁ ବୋଲି ଜଣାପଡ଼ିଛି।

ଅତି ଭୀଷଣ ରୂପ ଧାରଣ କରିବ ବାତ୍ୟା ‘ତଉକତେ’, ୧୮ରେ ଲ୍ୟାଣ୍ଡଫଲ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ତଉକତେରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ତଉକତେ ଅଧିକ ଘନୀଭୂତ ହୋଇ ଭୀଷଣ ଓ ପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ବର୍ତ୍ତମାନ ତଉକତେ ଘଣ୍ଟାପ୍ରତି ୯ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ୧୮ ତାରିଖରେ ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଛୁଇଁବାକୁ ଥିବା ବାତ୍ୟା ତାଉକତେ ଏବେ ଅମୀନ ଦେବୀ ଠାରୁ ୧୬୦ କିମି, ପନଞ୍ଜିମ-ଗୋଆ ଠାରୁ ୩୫୦ କିମି, ଗୁଜରାଟର ଭେରଭଲା ଠାରୁ ୯୬୦ କିମି ଓ ପାକିସ୍ତାନର କରାଚି ଠାରୁ ୧୦୫୦ କିମି ଦୂରରେ ରହିଛି। ତଉକତେ ଆଉ କିଛି ଘଣ୍ଟା ମଧ୍ୟରେ ପ୍ରଥମେ ଭୀଷଣ ବାତ୍ୟା ଓ ଏହାର ୧୨ ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ଅତି ଭୀଷଣ ରୂପ ଧାରଣ କରିବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୮ ତାରିଖ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ଅତି ଭୀଷଣ ବାତ୍ୟା ଗୁଜରାଟର ପୋରବନ୍ଦର ଓ ନଲିୟାରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୦ରୁ ୧୬୦ କିମି ଓ ବେଳେ ବେଳେ ଏହା ୧୭୫ କିମି ଛୁଇଁବାର ଆଶଙ୍କା ରହିଛି। ଏବେ ସମୁଦ୍ର ଉପରେ ଥିବା ତଉକତେ ପ୍ରଭାବରେ ଘଣ୍ଟାପ୍ରତି ପବର ବେଗ ୭୫ରୁ ୮୫ କିମି ରହିଛି। ଧୀରେଧୀରେ ଏହା ବୃଦ୍ଧି ପାଇବ। ସେହିପରି ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। ତଉକତେ ଭୀଷଣ ବାତ୍ୟାର ରୂପ ନେଇଥିବାରୁ କେରଳ ଓ ଏହାର ଆଖପାଖ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। କିଛି ତଳିଆ ଅଞ୍ଚଳରେ ଅଚାନକ ଲଗାଣ ବର୍ଷାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମାଟିର ଘର ଭାଙ୍ଗି ଯାଇଥିବା ବେଳେ ଏନଡିଆରଏଫ ଟିମ୍‌ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। କୋଚି ଠାରୁ ଆରମ୍ଭ କରି ଥିରୁବନନ୍ତପୁରମ ସବୁଠି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଗୁଜରାଟ, ଲାକ୍ଷାଦ୍ୱୀପ ଓ କେରଳ ବ୍ୟତୀତ ବାତ୍ୟା ତଉକତେର ପ୍ରଭାବ କର୍ଣ୍ଣାଟକା, ଗୋଆ ଓ ମହାରାଷ୍ଟ୍ରରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ମହାରାଷ୍ଟ୍ର ଓ ଗୋଆରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୯୦ କିମି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁଜରାଟ, କେରଳ, ଗୋଆ ଓ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।ସ୍ଥିତିକୁ ଦେଖି କେରଳ, କର୍ଣ୍ଣାଟକା, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ରରେ ୫୦ଟି ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି। ଓଡ଼ିଶାରୁ ମଧ୍ୟ ୫ଟି ଟିମ୍‌ରେ ୧୨୫ ଜଣ ଯବାନ ଗୁଜରାଟକୁ ଯାଇଛନ୍ତି। ଗୁଜରାଟର ସବୁ ବନ୍ଦରରେ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ବାତ୍ୟା ଆସୁଥିବାରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟମାନଙ୍କ ସହ ସମୀକ୍ଷା ବୈଠକ କରିବେ। ବାତ୍ୟାର ମୁକାବିଲା ପାଇଁ ଭାରତୀୟ ନୌସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ନୌସେନାର ବିମାନ, ହେଲିକପ୍ଟର, ଜାହାଜ ଗୁଡ଼ିକରେ ରିଲିଫ ଓ ଉଦ୍ଧାର ସାମଗ୍ରୀ ମହୁଜଦ କରି ରଖାଯାଇଛି।

ଆର ସପ୍ତାହରେ ବଜାରକୁ ଆସିବ ଡିଆରଡିଓର କରୋନା ଔଷଧ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା ଔଷଧ ଆସନ୍ତା ସପ୍ତାହରେ ଲଞ୍ଚ ହେବ। କିଛି ଦିନ ତଳେ ଡିଆରଡିଓର 2-deoxy-D-glucose (2-DG) କରୋନା ଔଷଧକୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ(ଡିସିଜିଆଇ) ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ପ୍ରଥମ ବ୍ୟାଚ୍‌ରେ ୧୦ ହଜାର ଡୋଜ୍‌ ୨-ଡିଜି କରୋନା ଔଷଧ ଆର ସପ୍ତାହରେ ବଜାରରେ ଲଞ୍ଚ ହେବ ବୋଲି ଡିଆରଡିଓ ପକ୍ଷରୁ ଘୋଷଣା କରାଯାଇଛି। ଡିଆରଡିଓ ପକ୍ଷରୁ କୁହାଯାଇଛି ଯେ “ପ୍ରଥମ ବ୍ୟାଚ୍‌ରେ ୧୦ ହଜାର ଡୋଜ୍‌ ୨-ଡିଜି ମେଡିସିନ୍‌ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆର ସପ୍ତାହ ଆରମ୍ଭରୁ ମାର୍କେଟକୁ ଆସିବ। ଏହାପରେ ଏହାକୁ ରୋଗୀମାନଙ୍କୁ ଦିଆଯିବ। ଏହି ଔଷଧର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଛି। ଆମର ଆଶା ଖୁବଶୀଘ୍ର ଏହାର ସଂଖ୍ୟା ବୃଦ୍ଧି ପାଇବ। ଡା ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ ଡିଆରଡିଓର ଗୋଟିଏ ଟିମ୍‌ ୨-ଡିଜି କରୋନା ଔଷଧକୁ ତିଆରି କରିଛନ୍ତି।”ସୂଚନାଯୋଗ୍ୟ, କରୋନାକୁ ମାତ ଦେବାର କ୍ଷମତା ରଖିଥିବା ୨ଡିଜି ଔଷଧକୁ ଡିଆରଡିଓ ଲ୍ୟାବ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଓ ଆଲଇଡ ସାଇନ୍ସ ହାଇଦ୍ରାବାଦ ସ୍ଥିତ ଡା ରେଡ୍ଡୀ ଲ୍ୟାବ ସହାୟତାରେ ପ୍ରସ୍ତୁତ କରିଛନ୍ତି। ଏହାର ଉତ୍ପାଦନ ରେଡ୍ଡୀ ଲ୍ୟାବରେ ହିଁ କରାଯିବ। ଏହି ୨-ଡିଜି ଔଷଧ ପାଉଡର ରୂପରେ ଆସିଥାଏ। ଏହାକୁ ପାଣିରେ ଗୋଳାଇ ରୋଗୀଙ୍କୁ ଦିଆଯାଇ ଥାଏ। ଶରୀରକୁ ଏହା ଯିବା ପରେ ସଂକ୍ରମିତ ସେଲ୍‌ ଉପରେ ଜମାଟ ବାନ୍ଧି ଦେଇଥାଏ। ଫଳରେ ଭାଇରସ ଶରୀରର ଅନ୍ୟ ସେଲଗୁଡ଼ିକ ପ୍ରବେଶ କରିପାରି ନଥାଏ। ସଂକ୍ରମିତ ସେଲଗୁଡ଼ିକୁ ଚିହ୍ନଟ କରିବାର କ୍ଷମତା ଏହି ଔଷଧର ରହିଛି। କ୍ଲିନିକାଲ୍ ଟ୍ରାଏଲ ବେଳେ ଜଣାପଡ଼ି ଯେ 2-DGର ବ୍ୟବହାର ଦ୍ୱାରା ଜଣେ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି। ସେହିପରି ଜଣେ ରୋଗୀଙ୍କୁ ଅକ୍ସିଜେନ ଉପରେ ନିର୍ଭର କରିବାକୁ ପଡ଼ୁନି। ତେଣୁ ଏହା କରୋନା ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଇଛି। ୨୦୨୦ ଏପ୍ରିଲ ମାସରୁ ବୈଜ୍ଞାନିକମାନେ ଏହି ଔଷଧ ଉପରେ ପରୀକ୍ଷା ନୀରିକ୍ଷା କରୁଥିଲେ। ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ ୨-ଡିଜି କରୋନାକୁ ରୋକିବାରେ ସହାୟତା କରୁଛି। ଏହି ତଥ୍ୟ ମିଳିବା ପରେ ୨୦୨୦ ମେ’ ମାସରେ ଡିସିଜିଆଇ ଏହାର ଫେଜ୍‌-୨ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା। ଔଷଧର ଫେଜ-୨ ଟ୍ରାଏଲ ଦେଶର ବିଭିନ୍ନ ହସ୍ପିଟାଲରେ କରାଯାଇଥିଲା। ଫେଜ-୨ ଟ୍ରାଏଲ ‘ଏ’କୁ ୬ଟି ଓ ଫେଜ-୨ ଟ୍ରାଏଲ ‘ବି’କୁ ୧୧ଟି ହସ୍ପିଟାଲରେ କରାଯାଇଥିଲା। ଅକ୍ଟୋବର ମାସର ମଧ୍ୟ ଭାଗରେ କରାଯାଇଥିବା ଏହି ଟ୍ରାଏଲ ପ୍ରାୟ ୧୧୦ ଜଣ କରୋନା ରୋଗୀ ସାମିଲ ହୋଇଥିଲେ। ଏହି ଔଷଧ ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀମାନେ ସାଧାରଣ କରୋନା ଆକ୍ରାନ୍ତଙ୍କ ତୁଳନାରେ ୨.୫ ଦିନ ପୂର୍ବରୁ ସୁସ୍ଥ ହେଉଥିବା ଜଣାପଡ଼ିଥିଲା। ୨୦୨୦ ଡିସେମ୍ବର ମାସରୁ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ ଦେଶର ୨୭ଟି ହସ୍ପିଟାଲରେ 2-DGର ଫେଜ ୩ ଟ୍ରାଏଲ କରାଯାଇଥିଲା। ଏଥିରେ ପ୍ରାୟ ୨୨୦ ଜଶ କରୋନା ରୋଗୀ ସାମିଲ ହୋଇଥିଲେ। ମହାରାଷ୍ଟ୍ର, ଦିଲ୍ଲୀ, ୟୁପି, ବେଙ୍ଗଲ, ଆନ୍ଧ୍ର, ତାମିଲନାଡୁ, ଗୁଜରାଟ, ରାଜସ୍ଥାନ ଓ କର୍ଣ୍ଣାଟକା ଭଳି ରାଜ୍ୟର ହସ୍ପିଟାଲରେ ଏହାର ଟ୍ରାଏଲ କରାଯାଇଥିଲା। ପରୀକ୍ଷା ବେଳେ ଯେଉଁମାନଙ୍କୁ ୨-ଡିଜି ଔଷଧ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ୪୨% ରୋଗୀଙ୍କୁ ତୃତୀୟ ଦିନରେ ହିଁ ଆଉ ଅକ୍ସିଜେନ ଦେବାକୁ ପଡ଼ି ନଥିଲା। ଏହାର ଅର୍ଥ ଏହି ଔଷଧ ଅକ୍ସିଜେନର ଆବଶ୍ୟକତା ମଧ୍ୟ କମ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇଥିଲା। ସେମାନଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଚଳିତ ବର୍ଷ ଅଧିକ ଘାତକ ହେବ କରୋନା, ହୁ’ ଜାରି କଲା ସତର୍କ ସୂଚନା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ମହାମାରୀ କରୋନାକୁ ନେଇ ଭୟଙ୍କର ଆକଳନ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଗତବର୍ଷ ତୁଳନାରେ ଚଳିତ ବର୍ଷ ସାରା ବିଶ୍ୱରେ କରୋନା ଅଧିକ ଘାତକ ପରିସ୍ଥିତି ସୃଷ୍ଟି କରିବ ବୋଲି ହୁ’ କହିଛି। ସଂଗଠନର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି, “ଆମେ ବର୍ତ୍ତମାନ ମହାମାରୀର ଦ୍ୱିତୀୟ ବର୍ଷରେ ରହିଛୁ। ପ୍ରଥମ ବର୍ଷ ଅପେକ୍ଷା ଦ୍ୱିତୀୟ ବର୍ଷ ସମଗ୍ର ବିଶ୍ୱ ପାଇଁ ମହାମାରୀ ଅଧିକ ଘାତକ ହେବାକୁ ଯାଉଛି। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।” ବର୍ତ୍ତମାନ ସୁଦ୍ଧା ମହାମାରୀ କରୋନା ସମଗ୍ର ବିଶ୍ୱରେ ପ୍ରାୟ ସାଢ଼େ ୩ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି। ସେହିପରି ଭାରତରେ ମଧ୍ୟ କରୋନାର ତାଣ୍ଡବ ଜାରି ରହିଛି। ଏସବୁ ଭିତରେ ହୁ’ ମୁଖ୍ୟଙ୍କ ଏଭଳି ସତର୍କ ସୂଚନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପକ୍ଷରେ ମହାମାରୀ କରୋନା ଭିତରେ ମଧ୍ୟ ଜାପାନରେ ଅଲିମ୍ପିକ୍ସ ଆୟୋଜନ ହେବାକୁ ଯାଉଛି। ଏହାକୁ ରଦ୍ଦ କରିବାକୁ ଦାବି ତେଜୁଥିବା ବେଳେ ଜାପାନ ସରକାର ଦେଶରେ ଜାରି ଜରୁରୀକାଳୀନ ଅବଧିକୁ ବୃଦ୍ଧି କରିଛନ୍ତି। ଅଲିମ୍ପିକ୍ସର ୧୦ ସପ୍ତାହ ପୂର୍ବରୁ ଜାପାନ ଆଉ ତିନୋଟି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। କରୋନା ସଂକ୍ରମଣ ପାଇଁ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଅଲିମ୍ପିକ୍ସ ବାତିଲ କରିବା ପାଇଁ ଆୟୋଜିତ ଦସ୍ତଖତ ଅଭିଯାନରେ ସାମିଲ ହୋଇସାରିଲେଣି। ପୂର୍ବରୁ ରାଜଧାନୀ ଟୋକିଓ ଓ ଏହାର ଆଖପାଖ ଅଞ୍ଚଳ ମେ’ ଶେଷ ପର୍ଯ୍ୟନ୍ତ ସରକାର ଜରୁରୀକାଳୀନ ସ୍ଥିତି ଲାଗୁ କରିଥିଲେ। ଏବେ ହିରୋସିମା, ଓକାୟାମା, ଉତ୍ତର ହକ୍କାଇଡୋ ମଧ୍ୟ କଟକଣା ପରିସରକୁ ଚାଲି ଆସିଛି। ଏହି ସବୁ ସ୍ଥାନରେ ଅଲିମ୍ପିକ୍ସର ମାରାଥନ୍ ପ୍ରତିଯୋଗିତା ଆୟୋଜନ ହେବାର ଅଛି।

ଭୀଷଣ ବାତ୍ୟାର ରୂପ ନେଇପାରେ ‘ତଉକତେ’, ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍‌ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆରବ ସାଗର ଓ ଲାକ୍ଷାଦ୍ୱୀପର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆଜି ଗଭୀର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଗତକାଲି ବିଳମ୍ବିତ ରାତିରୁ କେରଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କୋଚି ସହର। ଏହବାଦ ରାଜଧାନୀ ଥିରୁବନନ୍ତପୁରମରେ ମଧ୍ୟ ବର୍ଷା ଲାଗି ରହିଛି। ବର୍ଷାର ପ୍ରକୋପ ବଢ଼ୁଥିବାରୁ ଅଧିକ ବିପର୍ଯ୍ୟୟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆରବ ସାଗର ଉପରେ ଥିବା ଗଭୀର ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହି ବାତ୍ୟାର ନାଁ ତଉକତେ ରଖାଯିବ। ତକଉତେ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି। ଭୀଷଣ ବାତ୍ୟାର ରୂପ ନେଇ ଏହା ଉତ୍ତର ଓ ଉତ୍ତର ପଶ୍ଚିମଦିଗରେ ଗତି କରିବ। ଯଦି ଏପରି ହୁଏ, ତା’ହେଲେ ୧୮ ତାରିଖ ସକାଳେ ଏହା ଗୁଜରାଟ ଉପକୂଳରେ ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଗୁଜରାଟ ଉପରେ ଏହାର ପ୍ରଭାବ କ’ଣ ରହିବ, ସେକଥା ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ବିଭାଗ କିଛି କହିନାହିଁ। ବଭାଗ କହିଛି ଯେ ବାତ୍ୟା ପ୍ରଭାବରେ ରବିବାର ସକାଳୁ ପବନର ଘଣ୍ଟା ପ୍ରତି ବେଗ ୧୫୦ରୁ ୧୬୦ କିମି ରହିବ। ସେହିପରି ବେଳେ ବେଳେ ଏହା ୧୭୫ କିମି ମଧ୍ୟ ଛୁଇଁପାରେ। ୱେଷ୍ଟର୍ଣ୍ଣ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବ ଗୋଆରେ ପଡ଼ିପାରେ। ତେଣୁ ପୁଣେରୁ ଏନଡିଆରଏଫ ଟିମ୍‌ ଗୋଆ ଅଭିମୁଖେ ଯାଇଛି। ସେହିପରି ଗୁଜରାଟରେ ତଉକତେ ଲ୍ୟାଣ୍ଡଫଲ କରିବାକୁ ଥିବାରୁ ସମସ୍ତ ବନ୍ଦରେ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ତଟରକ୍ଷୀ ବାହିନୀ ମଧ୍ୟ ହାଇଆଲର୍ଟରେ ରହିଛନ୍ତି ।

ସଂସଦୀୟ କମିଟି ବୈଠକକୁ ଉପ ରାଷ୍ଟ୍ରପତି ଓ ବାଚସ୍ପତିଙ୍କ ନା, ବିରୋଧୀ ଖପ୍ପା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭିଡିଓ କନଫରେନ୍ସିଂ ଜରିଆରେ ସଂସଦୀୟ କମିଟିର ବୈଠକ କରିବାକୁ ବିରୋଧୀ ଦଳ ଗୁଡ଼ିକ ଦେଇଥିବା ପ୍ରସ୍ତାବକୁ ଆଜି ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଅଗ୍ରାହ୍ୟ କରିଦେଇଛନ୍ତି। ବିରୋଧୀଙ୍କ ସହ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ସମର୍ଥନ କରୁଥିବା କିଛି ଦଳ ମଧ୍ୟ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେଉ ବୋଲି ଦାବି କରିଥିଲେ। କିନ୍ତୁ ମହାମାରୀ କରୋନା ସଂକ୍ରମଣ ଆଳରେ ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି ବୈଠକ ପାଇଁ ଅନୁମତି ଦେବାକୁ ମନା କରିଦେଛନ୍ତି। କରୋନା ସ୍ଥିତିରେ ସୁଧାର ଆସିଲେ, ଫିଜିକାଲ ମିଟିଂ ହୋଇପାରିବ। ନଚେତ ନିୟମରେ ସଂଶୋଧନ କରିବାକୁ ପଡ଼ିବ ବୋଲି ରାଜ୍ୟସଭା ସେକ୍ରେଟରିଏଟଙ୍କ ପକ୍ଷରୁ ଜାରି ନୋଟ୍‌ରେ କୁହାଯାଇଛି। ଅନ୍ୟପକ୍ଷରେ ଭିଡିଓ କନଫରେନ୍ସଂରେ ସଂସଦୀୟ କମିଟି ବୈଠକ ଗୁଡ଼ିକୁ ଅନୁମତି ମିଳି ନଥିବାରୁ ବିରୋଧୀ ଦଳଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଏହି ନିଷ୍ପତ୍ତିରେ ମୁଁ ଆଦୌ ଆଶ୍ଚର୍ଯ୍ୟ ହେଉନାହିଁ। କାରଣ ସଂସଦର ଷ୍ଟାଣ୍ଡିଂ କମିଟି ବୈଠକ ଭିଡଓ କନଫରେନ୍ସିଂ ଜରିଆରେ କରିବାକୁ ଅନୁରୋଧ ବର୍ଷେ ହେଲା କରାଯାଉଥିଲେ ହେଁ ଏଥିପାଇଁ ଅନୁମତି ମିଳୁନି। ପ୍ରଧାନମନ୍ତ୍ରୀ ତାଙ୍କର ସବୁ ବୈଠକ ଭିଡିଓ କନଫରେନ୍ସିଂରେ କରୁଛନ୍ତି। କିନ୍ତୁ ପ୍ରାୟ ୩୦ ଜଣ ସାଂସଦଙ୍କ ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା କରିବାକୁ ଅନୁମତି ମିଳୁନି। ଭାରତକୁ ଛାଡ଼ି ଦେଲେ କୌଣସି ଦେଶରେ ସଂସଦ ନିଜର କର୍ତ୍ତବ୍ୟ ଠାରୁ ଏମିତି ଦୌଡ଼ି ପଳେଇବାର ନଜିର ନାହିଁ। ଏତେ ବଡ଼ ବିପର୍ଯ୍ୟୟ ମଧ୍ୟରେ ମୂଲ୍ୟହୀନ ନୂଆ ସଂସଦ ଭବନ କାର୍ଯ୍ୟକୁ ଜରୁରୀ କାମ ତାଲିକାରେ ସ୍ଥାନ ଦେଇ କରାଯାଇ ପାରୁଛି। ହେଲେ ଷ୍ଟାଣ୍ଡିଂ କମିଟିର ବୈଠକ ଭିଡିଓ କନଫରେନ୍ସିଂ ଦ୍ୱାରା କରିବାକୁ ଗୋଟିଏ ଛୋଟିଆ ନିୟମରେ ପରିବର୍ତ୍ତନ କରାଯାଇ ପାରୁନାହିଁ।”

କରୋନା ଲଢ଼େଇ ପାଇଁ ପୁଲିସ୍‌କୁ ଅକ୍ସିଜେନ କନସେଣ୍ଟରେଟର୍ସ ଦେଲେ ଶିଖର ଧୱନ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)ମହାମାରୀ କରୋନାର ଦ୍ୱିତୀୟ ୱେଭରେ ଆଉଟପାଉଟ ହେଉଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ। ସେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଗୁରୁଗ୍ରାମ ପୁଲିସକୁ କନସେଣ୍ଟରେଟର୍ସ ଦାନ କରିଛନ୍ତି। ଗୁରୁଗ୍ରାମ ପୁଲିସ୍‌ ଧୱନଙ୍କ ଦ୍ୱାରା ପାଇଥିବା କନସେଣ୍ଟରେଟର୍ସର ପୋଷ୍ଟ କରି ତାଙ୍କୁ ଧନ୍ୟବାଦ ଜଣାଇଛି। ଏହାକୁ ରି-ଟ୍ୱିଟ କରି ଧୱନ ଲେଖିଛନ୍ତି,“ଏହି ମହାମାରୀରେ ମୋ ଦେଶର ଲୋକଙ୍କୁ ଏହି ଛୋଟିଆ ଉଦ୍ୟମ ଦ୍ୱାରା ସହଯୋଗ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସବୁବେଳେ ମୋ ଦେଶର ଲୋକ ଓ ସମାଜକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛି। ଏହି ମହାମାରୀକୁ ମାତ୍‌ ଦେଇ ଭାରତ ନିଶ୍ଚିତ ଆଗକୁ ବଢ଼ିବ।”

ଏହାପୂର୍ବରୁ ଧୱନ ଅକ୍ସିଜେନ ଯୋଗାଣ ପାଇଁ ସେ ଚଳିତ ଆଇପିଏଲରେ ପାଉଥିବା ସମସ୍ତ ପୁରସ୍କାର ଅର୍ଥ ସହ ଅତିରିକ୍ତ ୨୦ କୋଟି ଟଙ୍କା ଦାନ କରିଥିଲେ। ଚଳିତ ବର୍ଷ ଧୱନ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ରହିବା ସହ ଅରେଞ୍ଜ କ୍ୟାପ୍‌ ମଧ୍ୟ ନିଜ ପାଖରେ ରଖିଥିଲେ। ସେ ୮ଟି ମ୍ୟାଚ୍‌ରୁ ୩୦୮ ରନ୍‌ କରିଥିଲେ। କିନ୍ତୁ ମହାମାରୀ କରୋନା ଆଇପିଏଲରେ ପ୍ରବେଶ କରିବାରୁ ଏହାକୁ ଅଧାରୁ ସ୍ଥଗିତ ରଖାଯାଇଛି। ଆପିଏଲର ଏକାଧିକ ଖେଳାଳି ଓ ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହେବାରୁ ବିସିସିଆଇ ଅନିର୍ଦ୍ଦିଷ୍ଟକାଳ ପାଇଁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖିଛି। ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ସମୟରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଥିବା ବେଳେ ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୪ର୍ଥରେ ମୁମ୍ୱାଇ ଇଣ୍ଡିଆନ୍ସ ରହିଥିଲା।

 

ବିଦ୍ୟୁତ୍ ସଂଯୋଗ ବିଛିନ୍ନ ରେ ଲୋକ ହଟହଟା…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ସହରରେ ଆଜି ହଠାତ୍ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବାରୁ ଲୋକେ ନାହିଁ ନଥିବା ହଟହଟା ହୋଇଥିବା ଦେଖା ଦେଇଛି । ବିଦ୍ୟୁତ ବିଛିନ୍ନତାର କାରଣ ନେଇ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରି ବୁଝିବାରେ ଆଝୁସିଂ ଠାରେ କାମ ଚାଲି ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରକାଶ କରିଛନ୍ତି । ଏନେଇ ଜନସାଧାରଣ ଙ୍କୁ ଅବଗତ କରାଯାଇଛି କି ବୋଲି ପଚାରିବାରେ ଗ୍ରୁପ ମଧ୍ୟରେ ସୂଚନା ଦିଆଯାଇଥିବା କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଡାକ ବାଜି ଯନ୍ତ୍ର ମାଧ୍ୟମରେ ସୂଚନା ନଦେଇ ଗ୍ରୁପ ମଧ୍ୟରେ ଦେଲେ କେତେଯ ଜଣେ ଜାଣିପାରିବେ ? କିଛି କର୍ମଚାରୀ ଏଠାରେ ବହୁବର୍ଷ ଧରି ବଦଳୀ ନହୋଇ ରହିଯାଇଥିବାରୁ ଏଭଳି ମାନମାନି କାମ ହେଉଥିବା ଅଭିଯୋଗ ହେଉଛି । ବେଳ ଥାଉ ଥାଉ ନସୁଧୁରିଲେ ଆମକୁ କହିବାକୁ ହେବ ବାବୁ ଏଥର ସମ୍ଭାଳ ।

ଶ୍ରୀଜୀଉ ଙ୍କ ରଥ ନିର୍ମାଣ ପାଇଁ ଅକ୍ଷୟ ତୃତୀୟା ରେ ପୂଜନ ହେଲା ରଥ କାଠ ..!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ହିନ୍ଦୁ ଧର୍ମ ନୀତି ଅନୁସାରେ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥି କୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ। ଏହି ପବିତ୍ର ଦିନଟି ହିନ୍ଦୁ ଧର୍ମ ରେ ବହୁତ ମହତ୍ତ୍ଵ ରହିଛି। ଗ୍ରହ ଚକ୍ର ଅନୁସାରେ ଏହି ଦିନଟି ଅତ୍ୟନ୍ତ ଶୁଭ ଦାୟକ। ଏଣୁ କୌଣସି ଶୁଭ କାର୍ଯ୍ୟ କରିବା ନିମନ୍ତେ ଏହି ଦିନ ପାଇଁ ପାଞ୍ଜି ଦେଖିବାର ଆବଶ୍ୟକତା ପଡ଼ିନଥାଏ। ଏହାକୁ ଆଧାର କରି ଶ୍ରୀଜୀଉ ଙ୍କ ରଥ ଯାତ୍ରା ନିମନ୍ତେ ତିଆରି କରାଯାଇଥିବା ରଥ ଗୁଡିକର ନିର୍ମାଣ ପାଇଁ ଆବଶ୍ୟକ କାଠ କାମର ଶୁଭାରମ୍ଭ କରାଇଥାଏ।

ଏହି ପରିପ୍ରେକ୍ଷୀରେ ଗୁଣପୁର ଠାରେ ଦେବୋତ୍ତର ବିଭାଗ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ନାୟକ ଶ୍ରୀଜୀଉ ଙ୍କ ଦୁଇଟି ମନ୍ଦିର ନିମନ୍ତେ ନିର୍ମିତ ହେବାକୁ ଥିବା ରଥ କାଠ କୁ ପୂଜାର୍ଚ୍ଚନା କରି ରଥ କାମର ଶୁଭାରମ୍ଭ କରିଛନ୍ତି। ଗତକାଲି ଦେବୋତ୍ତର ବିଭାଗ ର ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ନବ ନିଯୁକ୍ତ ତହସିଲଦାର ଆଜି ପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଶୁଭ ଅନୁକୂଳ କରିଥିବାରୁ ଶ୍ରୀ ନାୟକ ଙ୍କ ଆଗାମୀ ଦିନର ସମସ୍ତ କାର୍ଯ୍ୟ ଶୁଭପ୍ରଦ ହେଉ ବୋଲି ଉପସ୍ଥିତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶୁଭ ମନାସୀଛନ୍ତି। ଏହି ଶୁଭ ପୂଜାର୍ଚ୍ଚନା ରେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶ୍ରୀ କପିଳେଶ୍ଵର ତାଣ୍ଡି ଙ୍କ ସହଯୋଗ ସାଧାରଣ ରେ ପ୍ରଶଂସିତ ହୋଇଛି।