ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆମ ଶରୀରରେ ଥିବା ହୃଦୟ ଏକମାତ୍ର ଅଂଶ, ଯାହା ବନ୍ଦ ନ ହୋଇ ସାରା ଜୀବନ କାମ କରିଥାଏ । ଏପରି ପରିସ୍ଥିତିରେ, ଏହାକୁ ସୁସ୍ଥ ରଖିବା ଆମର ପ୍ରଥମ କାର୍ଯ୍ୟ । କିନ୍ତୁ ଏହାକୁ ସଠିକ୍ ଭାବେ ଯତ୍ନ ନନେବାରୁ ପ୍ରତିବର୍ଷ ଅନେକ ହୃଦଘାତ ରୋଗଜନିତ ମାମଲା ସାମ୍ନାକୁ ଆସିଥାଏ। କେବଳ ଏତିକି ନୁହେଁ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଫୁସଫୁସ ସହ ହାର୍ଟକୁ ମଧ୍ୟ ପ୍ରଭାବିତ କରୁଛି। ଏକ ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହୃଦରୋଗ ସମ୍ବନ୍ଧୀୟ ରୋଗ ଆଶଙ୍କା ଅଧିକ ରହିଥାଏ। ଏପରି ସ୍ଥିତିରେ ସର୍ବଦା ନିଜ ହୃଦୟକୁ ସୁସ୍ଥ ରଖିବା ଆବଶ୍ୟକ, ଯାହାଫଳରେ କରୋନା ସହିତ ଅନ୍ୟ କୌଣସି ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରିବ ନାହିଁ । ହାର୍ଟକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟମ ସହ ଆପଣଙ୍କୁ ଡାଏଟ୍ ମଧ୍ୟ ଭଲ ହେବା ଦରକାର। କିନ୍ତୁ ଆଜିର ସମୟରେ ଅନେକ ଲୋକ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉ ନାହାନ୍ତି। ଯାହା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲ୍ ବଢ଼ିଥାଏ ଏବଂ ଏହା ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ, ଯାହା ଆପଣଙ୍କ ହାର୍ଟକୁ ଖରାପ କରିପାରେ।

ଲୁଣ: ଆମେ ସମସ୍ତେ ଭଲଭାବେ ଜାଣିଛୁ ଯେ ଲୁଣ ଅଧିକ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର ବଢ଼ିଥାଏ। କିନ୍ତୁ ରକ୍ତଚାପ ନିୟନ୍ତ୍ରଣ ନହେବା କାରଣରୁ ଆପଣଙ୍କୁ ହାର୍ଟ ସମ୍ବନ୍ଧିତ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ିପାରେ। ଅନେକ ଗବେଷଣାରେ ମଧ୍ୟ ଏହା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଖାଦ୍ୟରେ ଲୁଣର ପରିମାଣ କମ୍ ବ୍ୟବହାର କରିବା ଦରକାର।

ଏନର୍ଜି ଡ୍ରିଙ୍କ୍: ଏନର୍ଜି ଡ୍ରିଙ୍କରେ ଗୁଆରାନା ଓ ଟେରାଇନ୍ ଭଳି ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ ରହିଥାଏ। ଯେତେବେଳେ ଆପଣ କଫିନ୍ ସଂସ୍ପର୍ଶରେ ଆସନ୍ତି, ଆପଣଙ୍କ ହୃଦସ୍ପନ୍ଦନ ଅଚାନକ ବଢ଼ିଯାଏ। ଏନର୍ଜି ଡ୍ରିଙ୍କ ବହୁତ ମାତ୍ରାରେ କଫିନ୍ ହୋଇଥାଏ, ଯେଉଁଥିରେ ହଜମ ପ୍ରକ୍ରିୟା ସହ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ସୋଡା: ସୋଡା ସେବନ କରିବା ଦ୍ୱାରା ବ୍ଲଡ୍ ସୁଗରର ମାତ୍ରା ବଢ଼ିଥାଏ । ଯେଉଁ କାରଣରୁ ହାର୍ଟ ସମ୍ବନ୍ଧିତ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଦୈନିକ ସୋଡା ସେବନରୁ ଦୂରେଇ ରୁହନ୍ତୁ।

ଫ୍ରିଜରେ ରଖାଯାଇଥିବା ଖାଦ୍ୟ: ଖାଦ୍ୟ ପ୍ରସ୍ତୁତ କରି ଏହାକୁ ଫ୍ରିଜରେ ରଖିବା ସବୁଠାରୁ ଭଲ ଉପାୟ କୁହାଯାଏ। କିନ୍ତୁ ଆପଣ ଭୁଲ ଯାଆନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଫ୍ରିଜରେ ରଖାଯାଇଥିବା ଖାଦ୍ୟରେ ସୋଡିୟମ ମାତ୍ରା ଅଧିକ ରହିଥାଏ। ଯାହା ଆପଣଙ୍କ ହାର୍ଟ ପାଇଁ ବିପଦଜନକ ହୋଇପାରେ।

ଧଳା ଚାଉଳ, ପାସ୍ତା: ଧଳା ମଇଦାରେ ପ୍ରସ୍ତୁତ ହେଉଥିବା ଚାଉଳ, ବ୍ରେଡ୍, ପାସ୍ତା ଆଦି ଖାଦ୍ୟ ସାମଗ୍ରୀରେ ସୁସ୍ଥ ଫାଇବର, ଭିଟାମିନ୍, ମିନେରାଲ୍ସ ନାହିଁ। ଏସବୁ ଜିନିଷରେ ଚିନିର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଚର୍ବି ବଢ଼ିବା ସହ ଆପଣ ବ୍ଲଡ୍ ସୁଗରର ଶିକାର ମଧ୍ୟ ହୋଇପାରନ୍ତି । ଏଥିପାଇଁ ଏହା ବଦଳରେ ଆପଣ ଓଟ୍ସ, ବ୍ରାଇନ୍ ରାଇସ୍ କିମ୍ବା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦରକାର ।

କରୋନା ମହାମାରୀରେ ବି ବେପାର: ବେଡ୍ ଭଡ଼ା ନାଁରେ ୪୧ କୋଟି ନେଇଛି ବିଜେଡି ସାଂସଦଙ୍କ ହସ୍ପିଟାଲ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଗତବର୍ଷ ପ୍ରଥମ ପର୍ଯ୍ୟାୟ କରୋନାରେ ଏକ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲ କରୋନା ଚିକିତ୍ସା ନାଁରେ କିଭଳି ମାଲେମାଲ୍ ହୋଇଛି ତା’ର ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିମ୍ସ ହସ୍ପିଟାଲକୁ କୋଭିଡ୍ ଚିକିତ୍ସା(କେବଳ ଘର ଓ ବେଡ୍ ଭଡ଼ା) ନାଁରେ ରାଜକୋଷରୁ ୪୧.୩୮କୋଟି ଟଙ୍କା ନେଇଥିବା ଓଡ଼ିଶା ଖଣି ନିଗମ ପକ୍ଷରୁ ସୂଚନା ମିଳିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ କିମ୍ସ ହସ୍ପିଟାଲ ପକ୍ଷରୁ ଖୁବକମ୍ ସମୟ ମଧ୍ୟରେ ୫୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିଲା ଓ ତ୍ରିପାକ୍ଷିକ ଏମଓୟୁ ମାଧ୍ୟମରେ ଏହି କୋଭିଡ୍ ହସ୍ପିଟାଲର ଖର୍ଚ୍ଚ ବହନ କରିବାକୁ ୨୦୨୦ ଏପ୍ରିଲ ୨୦ତାରିଖରେ ଓଡ଼ିଶା ଖଣି ନିଗମ ଚୁକ୍ତିବଦ୍ଧ ହୋଇଥିଲା। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ମିଳିଛି ତାହା କୋଭିଡ୍ ମହାମାରୀ ସମୟରେ ଏହି ଘରୋଇ ହସ୍ପିଟାଲକୁ କିଭଳି ଓଡ଼ିଶା ଖଣି ନିଗମରୁ ପାଣି ଭଳିଆ ଟଙ୍କା ଅଯାଚିତ ଭାବେ ଦିଆଯାଇଛି ତାହା ଦେଖିବାକୁ ମିଳିଛି। ତା’ପୁଣି ରାଜ୍ୟ ସରକାରଙ୍କ ଜାଣତରେ। ୨୦୨୦ ଏପ୍ରିଲ ୮ତାରିଖରେ ରାଜ୍ୟ ଉନ୍ନୟନ ସଚିବ ତଥା ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ମହାପାତ୍ର ଘରୋଇ ହସ୍ପିଟାଲକୁ ସୁହାଇବା ଭଳି ନିର୍ଦ୍ଦେଶନାମା ଜାରି କରି ଦୈନିକ ବେଡ୍ ଆଧାରରେ(ବେଡ୍‌ରେ ରୋଗୀ ଥାଆନ୍ତୁ ଅବା ନଥାଆନ୍ତୁ) ହସ୍ପିଟାଲକୁ ଭଡ଼ା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାଧାରଣ ବେଡ୍ ପାଇଁ ଦୈନିକ ୩ହଜାର ଓ ଆଇସିୟୁ ବେଡ୍ ପାଇଁ ୫ହଜାର ଟଙ୍କା ଦିଆଯାଇଛି। ଯାହାର ଫାଇଦା ନେଇ କରୋନା ମହାମାରୀ ସମୟରେ ଭୁବନେଶ୍ୱରସ୍ଥିତ କିମ୍ସ ଭଳି ହସ୍ପିଟାଲକୁ କେବଳ ବେଡ୍ ଭଡ଼ା ବାବଦରେ ଓଡ଼ିଶା ଖଣି ନିଗମ ୪୧.୩୮କୋଟି ଟଙ୍କା ଦେଇଥିବାବେଳେ ରୋଗୀଙ୍କ ଖର୍ଚ୍ଚ ବାବଦକୁ ୨.୦୩କୋଟି ଟଙ୍କା ଦେଇଛି। ଅର୍ଥାତ୍ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲ ୪୩.୪୧କୋଟି ଟଙ୍କା ନେଇଛି।ତେବେ ପ୍ରଶ୍ନ ଉଠୁଛି, କରୋନା ମହାମାରୀ ସମୟରେ ମାନବିକ ସହାୟତା ପାଇଁ ବିଭିନ୍ନ ବର୍ଗର ଲୋକେ ନିଜ ଜମାପୁଞ୍ଜିକୁ ଖର୍ଚ୍ଚ କରିବାକୁ ଆଗେଇ ଆସୁଥିବାବେଳେ ଖୋଦ୍ ଶାସକ ଦଳର ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିମ୍ସ ହସ୍ପିଟାଲ ରୋଗୀ ନଥାଇ ମଧ୍ୟ ଦୈନିକ ବେଡ୍ ଭଡ଼ା ନେବା କେତେଦୂର ଯଥାର୍ଥ। ଓଡ଼ିଶା ଖଣି ନିଗମ ଯେତିକି ଟଙ୍କା(୪୩.୪୧ କୋଟି) କିମ୍ସ ହସ୍ପିଟାଲକୁ ଦେଇଛି, ସେତିକି ଅର୍ଥରେ ତ ରାଜ୍ୟ ସରକାର ଚାହିଁଥିଲେ ଗତବର୍ଷ ନିଜସ୍ୱ କୋଭିଡ୍ ହସ୍ପିଟାଲ କରିପାରିଥାନ୍ତେ, ଯାହା ବର୍ତ୍ତମାନ ସମୟରେ ବି କାମରେ ଆସିଥାନ୍ତା। କୋଭିଡ୍ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲ ମାତ୍ର ୨.୦୩କୋଟି ଟଙ୍କା ରୋଗୀଙ୍କ ବାବଦକୁ ନେଇଥିବାବେଳେ ଘର ଓ ବେଡ୍ ଭଡ଼ା ବାବଦକୁ ୪୧କୋଟିରୁ ଅଧିକ ଟଙ୍କା ନେବା ସାଧାରଣରେ ଡଃ ସାମନ୍ତଙ୍କ ମାନବିକତା ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବଳ ବେଡ୍ ଭଡ଼ା ବାବଦରେ ଏତେ ପରିମାଣର ଅର୍ଥ କିମ୍ସ ହସ୍ପିଟାଲକୁ କିଭଳି ଦିଆଗଲା ସେ ନେଇ ରାଜ୍ୟ ସରକାରଙ୍କ ଅଧିକାରୀମାନେ କିଛି କହିବାକୁ ମନା କରିଦେଇଥିବାବେଳେ ଓଡ଼ିଶା ଖଣି ନିଗମର ସ୍ପେଶାଲ ଅଫିସର ତଲତ୍ ଆଫରିନ୍ ଆରଟିଆଇ ତଥ୍ୟରେ କିମ୍ସ ହସ୍ପିଟାଲକୁ କେବେ କେତେ ଟଙ୍କା ଦିଆଯାଇଛି ତାହା ଅବଗତ କରିଛନ୍ତି। ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେତେବେଳେ ଲକ୍ଷ ଲକ୍ଷ ଲୋକ କରୋନା ମହାମାରୀରୁ ବଂଚିବା ଓ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି ସେତେବେଳେ ରାଜ୍ୟ ପ୍ରଶାସନିକ କଳ ଘରୋଇ ହସ୍ପିଟାଲକୁ ଫାଇଦା ଦେଇ କୋଭିଡ୍ ପାଣ୍ଠିକୁ ଲୁଟ୍ କରିବାକୁ ପଛାଇ ନାହାନ୍ତି। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲକୁ କୋଭିଡ୍ ଚିିକିତ୍ସା ନାଁରେ ଦିଆଯାଇଥିବା ମୋଟ ଅର୍ଥର ୯୬% କେବଳ ବେଡ୍ ଭଡ଼ା ହୋଇଥିବାବେଳେ ବାକି ୪ ପ୍ରତିଶତ ହେଉଛି ରୋଗୀଙ୍କ ଖର୍ଚ୍ଚ ପାଇଁ । ସିଏଜି ଏହାର ଅଡିଟ୍ କଲେ ବାସ୍ତବ ତଥ୍ୟ ଆସିପାରନ୍ତା। ଗତବର୍ଷ କରୋନା ମହାମାରୀ ସମୟରେ କେବଳ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମେଡିକାଲ ବ୍ୟବସାୟକୁ ଫାଇଦା ଦେବା ପାଇଁ ରାଜ୍ୟ ପ୍ରଶାସନିକ କଳ ତାଙ୍କୁ ଅନ୍ୟ ୩ଟି ଜିଲ୍ଲା-ମୟୂରଭଞ୍ଜ, କନ୍ଧମାଳ ଓ ବଲାଙ୍ଗିରରେ କୋଭିଡ୍ ଚିକିତ୍ସା ଦାୟିତ୍ୱ ଦେଇଥିଲା। ଯାହାକି କରୋନା ମହାମାରୀ ସମୟରେ କିମ୍ସ ଭଳି ଘରୋଇ ହସ୍ପିଟାଲକୁ ସବୁଠୁ ଲାଭଦାୟୀ ହସ୍ପିଟାଲ କରାଇ ପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଉପଯୁକ୍ତ ପ୍ଳାନ ନଥାଇ ଆପାର୍ଟମେଣ୍ଟ ନିର୍ମାଣ ; ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାର ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ରାମେଶ୍ଵର ନଗର ଠାରେ ବର୍ତ୍ତମାନ ତିନି ତାଲା ବିଶିଷ୍ଟ ବ୍ୟୟ ବହୁଳ ଆପାର୍ଟମେଣ୍ଟ ନିର୍ମାଣ ହେବାରେ ଲାଗିଛି। କିନ୍ତୁ ସେହି ଆପାର୍ଟମେଣ୍ଟ ର ଆବର୍ଜନା ନିର୍ଗତ ନିମନ୍ତେ କୌଣସି ବ୍ୟବସ୍ଥା ଦେଖିବାକୁ ମିଳିପାରୁନାହିଁ। ଆପାର୍ଟମେଣ୍ଟ ନିର୍ମାଣ ପ୍ରାରମ୍ଭରୁ ସ୍ଥାନୀୟ ବାସିନ୍ଦା ଆପତ୍ତି କରୁଥିଲେ ମଧ୍ୟ ଏଥି ପ୍ରତି କାହାର ନଜର ପଡୁନି ଏବଂ ଆପାର୍ଟମେଣ୍ଟ ନିର୍ମାଣ ପରେ ଏଠିକା ବାସିନ୍ଦାଙ୍କ ଦ୍ଵାରା ବ୍ୟବହୃତ ଆବର୍ଜନା ପାଣି ର ନିଷ୍କାସନ ସମସ୍ୟା ସ୍ଥାନୀୟ ବାସିନ୍ଦା ନିମନ୍ତେ ଏକ ବିରାଟ ସମସ୍ୟା ଭାବେ ଦେଖା ଦେବ ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। କୌଣସି ଆପାର୍ଟମେଣ୍ଟ କିମ୍ବା କୋଠା ଘର ନିର୍ମାଣ ପୂର୍ବରୁ ପୌର ପରିଷଦ ଏବଂ ବର୍ତ୍ତମାନ୍ ନୂତନ ଦିଶା ନିର୍ଦ୍ଦେଶ ପ୍ରକାରେ ଅଗ୍ନିଶମ ବିଭାଗର ଅନୁମତି ମିଳିବା ନିହାତି ଜରୁରୀ ହୋଇଥିଲେ ମଧ୍ୟ ବିନା ସରକାରୀ ମଞ୍ଜୁରୀରେ ଏହି ବେନିୟମ ଆପାର୍ଟମେଣ୍ଟ କିଭଳି ନିର୍ମାଣ ହୋଉଛି ତାହା ସମସ୍ତ ଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।

ପୌର ପରିଷଦ ରେ ଏଭଳି ଅନେକ୍ ପ୍ଲାନିଂ ବିହୀନ କୋଠା ନିର୍ମାଣ ତଥା ଭୁଲ ପ୍ଲାନିଂ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ହେଉଥିଲେ ସୁଦ୍ଧା କତୃପକ୍ଷ ଙ୍କ କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ରାମେଶ୍ଵର ନଗର ରେ ବର୍ତ୍ତମାନ୍ ନିର୍ମାଣ ହେଉଥିବା ଏହି ଆପାର୍ଟମେଣ୍ଟ ପୌର ପରିଷଦ ଙ୍କ ଦୃଷ୍ଟି କୁ କିଭଳି ଆସିନାହିଁ ଅଥବା ଦୃଷ୍ଟି କୁ ଆସିବା ପରେ ମଧ୍ଯ କର୍ତ୍ତୁପକ୍ଷ ଅଣଦେଖା କରୁଛନ୍ତି ତାହା ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ତିନି ମହଲା ଆପାର୍ଟମେଣ୍ଟ ସ୍ଥଳକୁ କୌଣସି ପୌର ପରିଷଦ ଅଧିକାରୀ ଯାଇ ସ୍ଥିତି ର ଯାଞ୍ଚ ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି।ଏହା ମାଲିକ ଓ କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ଚର୍ଚ୍ଚା ଜୋରଧରିଛି । ଦେଖିବାକୁ ରହିଲା କର୍ତ୍ତୃପକ୍ଷ କଣ ନିଷ୍ପତ୍ତି ନେଉଛନ୍ତି ।

କୋଦଳା ତହସିଲଦାରଙ୍କ ଅବହେଳା ଯୋଗୁଁ ବଢୁଛି କରୋନାର ପ୍ରଭାବ..!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କୋଦଳା)- ସମଗ୍ର ଓଡ଼ିଶାରେ କରୋନା ଦ୍ୱିତୀୟ ଲହରୀର ପ୍ରଭାବ ବଢିବା ସହ କ୍ରମାଗତ ଭାବରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ସହ ଅନେକ ଜଣ ଏଥିରେ ମୃତ୍ୟୁ ବରଣ କରିବା ପରେ ଶେଷରେ ଏହି କରୋନା ପଜିଟିଭର ଚେନ୍ କୁ ମାତ୍ ଦେବା ପାଇଁ ରାଜ୍ୟ ସରକାର ମେ ୧୯ ପର୍ଯ୍ୟନ୍ତ ଓଡିଶାବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି। ପ୍ରଥମ ରୁ ଦ୍ୱିତୀୟ ଦିନକୁ ଛାଡିଦେଲେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଖୋଲା ଖୋଲି ଉଲଂଘନ ହେବା ଦ୍ଵଖିବାକୁ ମିଳିଛି। ଏହି ଲକଡାଉନ ସମୟରେ ଜରୁରୀକାଳୀନ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ସକାଳ ୬:୦୦ ରୁ ଦିନ ୧୨:୦୦ ପର୍ଯ୍ୟନ୍ତ ରାସନ ସାମଗ୍ରୀ,କ୍ଷୀର ,ଫଳ ଆଦି ଚାଲି ଚାଲି ଯାଇ ଆଣିବା ପାଇଁ ଅନୁମତି ରହିଛି।

କିନ୍ତୁ କୋଦଳା ତହସିଲଦାର ଅବନୀ କୁମାର ସାହୁଙ୍କ ଅଵହେଳା ଯୋଗୁଁ ଦିନକୁ ଦିନ କୋଦଳା ଏନ.ଏ.ସି ରେ କରୋନା ସଂଖ୍ୟା ବଢିବାରେ ଲାଗିଛି। ଏଥିରେ କୋଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀର୍ଘ ମାସ ଧରି ଏନ.ଏ.ସି କୁ ନ ଆସିବା ଦ୍ୱାରା ଲୋକ ସଚେତନ ମଧ୍ୟ ହୋଇ ପାରୁନାହାନ୍ତି। ଏ ନେଇ କୋଦଳା ତହସିଲଦାରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଯାହା କହିଲେ ଅତ୍ୟନ୍ତ ଦୁଃଖଦାୟକ। ତହସିଲଦାର ଯିଏ କି ସ୍ଥାନୀୟ ପ୍ରଶାସନ ଭାବରେ ଲୋକ ସଚେତନ କଣ କରିବେ ଓଲଟା ଗଣମାଧ୍ୟମ କର୍ମୀଙ୍କୁ ପ୍ରଶ୍ନ କରୁଛନ୍ତି ଆମେ ଯେତେ ପାରିବୁ ଆଉ ବାକି ଲୋକଙ୍କ ଉପରେ ଛାଡି ଦେଇଛୁ। ଲୋକମାନେ ଖୁଲମଖୁଲା ଅଟୋ,ବାଇକ ଆଦି ଧରି ବୁଲୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ମାର୍କେଟରେ ଜନ ଗହଳି ବୃଦ୍ଧି ପାଉଛି। ଯଦି ପରବର୍ତୀ ମୁହୂର୍ତ୍ତରେ ସଂକ୍ରମଣ ବୃଦ୍ଧି ହେବା ସହ ବେଖାତିର ପାଇଁ ରୋଗୀଙ୍କ ମୃତ୍ୟ ହେବ ତାହେଲେ ସ୍ଥାନୀୟ ପ୍ରଶାସନ ଯଥା ତହସିଲଦାର ଦାୟୀ ରହିବେ କି ?

ଆୟୁଷ ଡ଼ଃ ଜୟଦେବ ନାୟକ ଙ୍କଭରସାରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର;ମୋଟାଅଙ୍କ ଦରମା ନେଇ ଡାକ୍ତର ମାନେ ଘରେ …!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କୋଦଳା)- ଦୀର୍ଘଦିନ ଧରି ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବହେଳା ହୋଇ ଆସୁଛି। ୫ ଜଣ ବଦଳରେ ସରକାରଙ୍କ ତରଫରୁ ଏଠି ୩ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଧିକାଂଶ ସମୟ ଦେଖା ମିଳୁନାହିଁ, ଆୟୁଷ ଡାକ୍ତର ଡ଼ଃ ଜୟଦେବ ନାୟକ ଙ୍କୁ ମେଡିକାଲ ପରିସରରେ ବସେଇ ଦେଇ ଡାକ୍ତର ମାନେ ଆସୁନାହାନ୍ତି।କୌଣସିଟି ସାଙ୍ଘାତିକ ମାଡ଼ କିମ୍ବା କୌଣସି ରୋଗରେ ପଡ଼ି ହଟାତ ଏଠାକୁ ଆସିଲେ ଡାକ୍ତରମାନେ ନ ଆସିବା ଫଳରେ ବାଧ୍ୟ ହୋଇ ଆୟୁଷ ଡାକ୍ତର ଜୟଦେବ ନାୟକ ରୋଗୀ ଦେଖୁଛନ୍ତି। ରାଜ୍ୟ ସରକାର କହି ବୁଲୁଛନ୍ତି ଯେ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କୁ ଉଚ୍ଚକୋଟିର ଡାକ୍ତର ଯୋଗାଇଦିଆଯାଇଛି ଓ ସେମାନେ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝୁଛନ୍ତି।କିନ୍ତୁ ଏଠାରେ ଓଲଟା! ନିୟୋଜିତ ହୋଇଥିବା ଡାକ୍ତର ଚିନ୍ମୟ ମହାପାତ୍ର, ଆଦିତ୍ୟ ପ୍ରସାଦ ସାହୁ ଏବଂ ମେଡିକାଲ ଇନଚାର୍ଜ ଡାକ୍ତର ସୁଜିତ ବେହେରାଙ୍କ କେବେ କେବେ ଦେଖା ମିଳୁଛି ଅନେକ ଥର ରୋଗୀଙ୍କ ସହ ଯାଇଥିବା ସମ୍ପର୍କୀୟ ମାନେ ମଧ୍ୟ ବିରକ୍ତି ପ୍ରକାଶ କରୁଛନ୍ତି। ଡ଼ାକ୍ତର ମାନଙ୍କ କାମ ଯାହା ରହିଛି ଯେପରି ଛୋଟ ପିଲାଙ୍କଠୁ ଆରମ୍ଭ କରି ମହିଳା ଓ ପୁରଷ ମାନଙ୍କ ସ୍ବାସ୍ଥ୍ୟବସ୍ଥା କଣ ହୋଇଛି ,କେଉଁ ପ୍ରକାରର ଚିକିତ୍ସା କରି କେଉଁ ପ୍ରକାରର ଔଷଧ ଦେଲେ ସେମାନେ ଯଥାଶୀଘ୍ର ଆରୋଗ୍ୟ ଲାଭ କରିବେ ତାହାର ପ୍ରେସ୍କ୍ରିପସନ ଲେଖିବା ଆଦି। ଆଶ୍ଚର୍ଯ୍ୟର କଥା ଏହି କି ଯେ ଆୟୁଷ ଡାକ୍ତର ମାନେ ଅଭିଜ୍ଞ ଡାକ୍ତର ଭଳି ରୋଗୀ ଦେଖିବା ଓ ପ୍ରେସ୍କ୍ରିପସନ ଲେଖିବାର କୌଣସି ଗାଇଡ଼ଲାଇନ ନାହିଁ ତଥାପି ଆୟୁଷ ଡାକ୍ତର ଅନ୍ୟ ଚିକିତ୍ସା ସହ ଏହି ସବୁ ସେମାନେ କିଭଳି କରୁଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଯଦି କୌଣସି ଲୋକର କିଛି ଅସୁବିଧା ହେବ ସେଇଥି ପାଇଁ ଦାୟୀ କିଏ ଡାକ୍ତର ମାନେ ଉପସ୍ଥିତି ନ ରହିବା ହେତୁ କୌଣସି ପ୍ରକାରର ରୋଗୀ, ଦୁର୍ଘଟଣା ମାନ ଓ ପ୍ରସୂତି କ୍ଷେତ୍ରରେ ଏବଂ ସାମ୍ୟାନ୍ୟ ସ୍ୱାସ୍ଥ୍ୟ ଖରାପ ଥିଲେ ମଧ୍ୟ ସମସ୍ତଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କୁ ସ୍ଥାନାନ୍ତରଣ କରାଯାଉଛି। ଯାହାଫଳରେ ଜନସାଧାରଣ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆସ୍ଥା ପ୍ରକାଶ କରୁନାହାନ୍ତି । ବର୍ତ୍ତମାନ କରୋନା ପରିସ୍ଥିତି ରେ ଆୟୁଷ ଡାକ୍ତର,ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ପ୍ରେତ୍ୟକ ଗ୍ରାମ କୁ ଗ୍ରାମ ଯାଇ ଥର୍ମାଲ ସ୍କ୍ରିନିଂ କରିବା ସହ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରିକି ଆଣୁଛନ୍ତି ଯାହା ଫଳରେ ଉକ୍ତ ସମୟରେ ମେଡିକାଲ ପରିସର ଖାଲି ରହୁଛି। କିଭଳି ଡାକ୍ତର ମାନେ ମଧ୍ୟ ପ୍ରତେକ ଦିନ ଆସି କାର୍ଯ୍ୟରେ ଯୋଗଦେବେ ସ୍ଥାନୀୟ ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମାନେ ମଧ୍ୟ ଦାବି କରିଛନ୍ତି।

ବରିଷ୍ଠ ନାଗରିକଙ୍କୁ ଆଣିବା ପାଇଁ ଘରକୁ ଯିବ ଭ୍ୟାନ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜଧାନୀ ଭୁବନେଶ୍ୱରରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନେ ୧୯୨୯ରେ ଫୋନ୍‌ କଲେ ଘରକୁ ଯିବ ଭ୍ୟାନ୍। ଆଉ ସେଥିରେ ସେମାନେ ଯାଇ କରୋନା ଟଷ୍ଟିଂ ପାଇଁ ନମୂନା ଦେଇପାରିବେ ଓ ଟିକା ନେଇପାରିବେ। ଆସନ୍ତା ସୋମବାରଠାରୁ ଏହି ବ୍ୟବସ୍ଥା କେବଳ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ। ଶ୍ରୀ ସିଂ କହିଛନ୍ତି-“ବିଏମ୍‌ସି ଅଞ୍ଚଳରେ ଏକଟୁଆ ରହୁଥିବା ୬୦+ ବରିଷ୍ଠ ନାଗରିକମାନେ ଟେଷ୍ଟିଂ ସେଣ୍ଟରକୁ ଯାଇପାରୁନାହାନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ ଚାହିଁଲେ ୧୯୨୯ରେ ଫୋନ୍‌ କରି ନିଜର ସମ୍ପୂର୍ଣ୍ଣ ତଥ୍ୟ ଦେଇପାରିବେ। ତା’ପରେ ସେମାନଙ୍କ ପାଖକୁ ନମୂନା ସଂଗ୍ରହ ପାଇଁ ଭ୍ୟାନ୍‌ ଯିବ। ଆସନ୍ତା ସୋମବାରଠାରୁ ଏହି ସେବା ମିଳିବ। ଟେଷ୍ଟିଂ ପରି ଏକୁଟିଆ ରହୁଥିବା ୬୦+ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ୧୯୨୯କୁ ଫୋନ୍‌ କଲେ, ସେମାନଙ୍କ ପାଖକୁ ଭ୍ୟାନ୍‌ ଯିବ। ସେମାନେ ସେହି ଭ୍ୟାନ୍‌ରେ ଆସି ଟିକା ନେବେ। ପରେ ସେହି ଭ୍ୟାନ୍‌ରେ ଘରକୁ ଫେରିବେ। ଏହାଛଡ଼ା ବିଏମ୍‌ସି ଅଞ୍ଚଳରେ ଟେଷ୍ଟିଂକୁ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାୟତଃ ସୋମବାରଠାରୁ ଟେଷ୍ଟିଂକୁ ବଢ଼ାଇବାର ବ୍ୟବସ୍ଥା କରାଯିବ।” ରାଜଧାନୀବାସୀଙ୍କୁ ସେ ଅପିଲ୍‌ କରି କହିଛନ୍ତି-“ଅତି ଆବଶ୍ୟକତା ନଥିଲେ ଘରୁ ବାହାରନ୍ତୁନାହିଁ। ଯଦି କୌଣସି କାମରେ ବାହାରକୁ ଯାଉଛନ୍ତି, ତା’ହାହେଲେ ମାସ୍କ ପିନ୍ଧନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ। ଗହଳି ସ୍ଥାନଠାରୁ ସବୁବେଳେ ଦୂରେଇ ରୁହନ୍ତୁ। ଘରକୁ ଫେରିବା ପରେ ହାତ ଧୋଇବା ଓ ସାନିଟାଇଜ୍‌ କରନ୍ତୁ। ଏହା ସତ୍ତ୍ୱେ ଯଦି କରୋନାର ଲକ୍ଷଣ ଦେଖାଦେଉଛି, ତାକୁ ହେୟଜ୍ଞାନ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।“ ସେ ଆହୁରି କହିଛନ୍ତି-“କରୋନା ସମ୍ପର୍କରେ ସୂଚନା ଦେବା ପାଇଁ ବିଏମ୍‌ସି ପକ୍ଷରୁ କଲ୍‌ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଟେଲିଫୋନ୍‌ ନମ୍ୱର ୧୯୨୯ ରେ ଫୋନ୍‌ କରିବାକୁ କୁହାଯାଇଛି। ଏହି କଲ୍‌ ସେଣ୍ଟର ୨୪ ଘଣ୍ଟା କାମ କରୁଛି। ପୂର୍ବରୁ ଏହି କଲ୍‌ ସେଣ୍ଟରରେ ୨୫ଟି ଲାଇନ୍‌ ଥିଲା। ଏବେ ଏହାକୁ ଆହୁରି ସୁଦୃଢ଼ କରାଯାଇଛି। ଆଉ ୫ଟି ଲାଇନ୍‌ ବଢ଼ାଯାଇଛି। ସେଥିରେ ଫୋନ୍‌ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ।”

ଘରୋଇ କର୍ମଚାରୀଙ୍କ ପାଇଁ ଇ-ପରମିଶନ ବ୍ୟବସ୍ଥା କଲା କମିଶନରେଟ ପୁଲିସ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) ଲକ୍‌ଡାଉନ୍‌ ବେଳେ ଟୁଇନ୍ ସିଟି ପାଇଁ କମିଶନରେଟ ପୁଲିସର ଇ-ପରମିଶନ ବ୍ୟବସ୍ଥା। ଇ-ପରମିଶନ ପାଇଁ ଇ-ଆପ୍ଲିକେସନ ଆରମ୍ଭ କଲା କମିଶନରେଟ ପୁଲିସ। ଟୁଇନ ସିଟିରେ କାର୍ଯ୍ୟରତ ଘରୋଇ କଂପାନୀ କର୍ମଚାରୀଙ୍କ ପାଇଁ ପାସ୍ ବ୍ୟବସ୍ଥା କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୁଲିସ ପାସ୍ ଦେଉନଥିବାରୁ ଇ-ପରମିଶନ ଜରିଆରେ ହେବ ଆବେଦନ।କେଉଁ ସଂସ୍ଥା ନିର୍ଦ୍ଦିଷ୍ଟ କେତେ କର୍ମଚାରୀଙ୍କୁ କାମ ପାଇଁ ଅନୁମତି ଦେଇଛନ୍ତି ସେ ତଥ୍ୟ ରହିବ। ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ ଅଫିସ ଯାଇପାରିବେ କର୍ମଚାରୀ। ନିୟମ ପାଳନ ହେଉଛି କି ନାହିଁ ଅତର୍କିତ ଯାଞ୍ଚ କରିବ କମିଶନରେଟ ପୁଲିସ। ଯେକୌଣସି ଘରୋଇ ଅଫିସରେ ଯାଞ୍ଚ କରିବେ, ଖିଲାପ କଲେ କାଯର୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଇ-ପରମିଶନ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। 

୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଛି – ମୁଖ୍ୟ ଶାସନ ସଚିବ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର। କମିଟି ଗଠନ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି।  କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ଅଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା କମିଟିରେ ଅଛନ୍ତି। କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବେ। ଟିକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ। କମିଟି ଯେଉଁ ପରାମର୍ଶ ଦେବେ, ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ। ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ସଂପର୍କରେ ମଧ୍ୟ ସୂଚନା ଦେଲେ ମୁଖ୍ୟଶାସନ ସଚିବ। ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ୪ ମାସ ମଧ୍ୟରେ ସମସ୍ତ ସପ୍ଲାଇ ଦେବାକୁ କୁହାଯାଇଛି। ସଫଳ ବିଡିଂ ହେଲେ ମେ’ ୨୮ ପରେ ଆମେ ଟିକା କିଣିପାରିବା ।

ଓଡ଼ିଶାରେ ଆଉ ୧୯ଟି ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ୧୫ଟି ଜିଲ୍ଲାରେ ଅତିରିକ୍ତ ୧୯ଟି ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୧ଟି ପିଏସଏ ପ୍ଲାଂଟ ସ୍ଥାପନ ହେଉଥିବାବେଳେ ରାଜ୍ୟର ୧୫ଟି ଜିଲ୍ଲାରେ ଆଉ ୧୯ଟି ପିଏସଏ ପ୍ଲାଂଟ ସ୍ଥାପନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ମାସରେ ପିଏମ କେୟାର୍ସ ଫଣ୍ଡରୁ ୫୫୧ ସମର୍ପିତ ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ରତିଷ୍ଠା ପାଇଁ ଜରୁରୀକାଳୀନ ମଞ୍ଜୁର ହୋଇଥିଲା। ପୂର୍ବରୁ ମଧ୍ୟ ଅତିରିକ୍ତ ୧୬୨ ପିଏସଏ ପ୍ଲା୍‌ଂଟ୍ ସ୍ଥାପନା ପାଇଁ ଆବଂଟନ କରିଥିଲେ। ତନ୍ମଧ୍ୟରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ୨୧ଟି ପିଏସଏ ପ୍ଲାଂଟ୍ ସ୍ଥାପନା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରୁ ଡ଼ିଆରଡ଼ିଓ ଦ୍ୱାରା ୭ଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ୭ଟି ଏବଂ ଭାରତ ସରକାରଙ୍କ ପିଏମ କେୟାର୍ସ ଫଣ୍ଡରୁ ୭ଟି ପିଏସଏ ପ୍ଲାଂଟ୍ ପ୍ରତିଷ୍ଠା ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଓଡ଼ିଶାରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରର ବ୍ୟାପକତା କାରଣରୁ ରାଜ୍ୟର ଆହୁରି ଅଧିକ ଜିଲ୍ଲାକୁ ସହଯୋଗର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅତିରିକ୍ତ ୧୯ ପିଏସଏ ମେଡ଼ିକାଲ ଅକ୍ସିଜେନ ପ୍ଲାଂଟ୍ ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାରେ ୨ଟି ଲେଖାଁଏ ଏବଂ କଟକ, ଦେବଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ପୁରୀ,ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁରରେ ଗୋଟିଏ ଗୋଟିଏ ଲେଖାଁଏ ଅକ୍ସିଜେନ୍ ପ୍ଲାଂଟ ସ୍ଥାପନା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ପ୍ଲାଂଟ ଗୁଡ଼ିକ ପ୍ରତିଷ୍ଠା ହେଲେ ଓଡ଼ିଶାର କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ସହାୟକ ହୋଇପାରିବ। ତେଣୁ ଏହି ସଂକଟ ସମୟରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଅନୁରୋଧ କରିଛନ୍ତି। ଏହି ସମୟୋପଯୋଗୀ ପଦକ୍ଷେପ ରାଜ୍ୟର ବିଭିନ୍ନ ସ୍ଥାନରେ ବାସ କରୁଥିବା ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏମ୍ସ ମୁଖ୍ୟ ଗୁଲେରିଆ କହିଲେ ବ୍ଲାକ ଫଙ୍ଗସ ବୃଦ୍ଧି ପଛର କାରଣ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ସଂକ୍ରମଣ ବେଳେ ବ୍ଲାକ ଫଙ୍ଗସ ଏବେ ଦେଶର ଚିନ୍ତା ବଢ଼ାଇଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ପରେ ଓଡ଼ିଶାରେ ମଧ୍ୟ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଦେଖିବାକୁ ମିଳିଛି। ଶନିବାର ଏ ନେଇ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେବା ପରେ ଅନେକଙ୍କର ମୃତ୍ୟୁ ଘୁଟିଛି। ଆଉ ଏହି ସଂଖ୍ୟା ବଢ଼ୁଛି। ଏକ ସାମ୍ୱାଦିକ ସମ୍ମିଳନା କରି ଗୁଲେରିଆ କହିଛନ୍ତି, ଏମ୍ସରେ ମୋଟ୍ ୨୩ ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୨୦ ଜଣ କୋଭିଡରେ ଆକ୍ରାନ୍ତ। ଅନେକ ରାଜ୍ୟରେ ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ଅଧିକ ରହିଛି। ଏହି ରୋଗରେ ଜଣେ ଆକ୍ରାନ୍ତ ହେଲେ ଶରୀରର ନାକ ଦ୍ୱାରା ସଂକ୍ରମିତ ହୋଇ ମୁହଁକୁ ପ୍ରଭାବିତ କରିବ। ଆଉ କ୍ରମଶଃ ଏହି ରୋଗ ବ୍ରେନ ଏବଂ ଆଖିକୁ ପ୍ରଭାବିତ କରୁଛି। ପରିଣାମ ସ୍ୱରୂପ ଦୃଷ୍ଟିଶକ୍ତି ହରାଇବାର ସମ୍ବାବନା ରହିଛି। ଏହା ଫୁସଫୁସକୁ ମଧ୍ୟ ସଂକ୍ରମିତ କରିପାରିବ ବୋଲି ସେ କହିଛନ୍ତି। ଏହି ବ୍ଲାକ ଫଙ୍ଗସକୁ ମେଡିକାଲ ଶବ୍ଦରେ ମ୍ୟୁକୋରମାୟକୋସିସ କୁହାଯାଏ। ଏହା ମାଟି, ପବନ ଏବଂ ଖାଦ୍ୟର ଥାଏ। ଏହା ବହୁ କମ୍ ପରିମାଣରେ ଥାଏ କିନ୍ତୁ ସଂକ୍ରମିତ କରିନଥାଏ।ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଏବେ ଏହି ବ୍ଲାକ ଫଙ୍ଗସ ବୃଦ୍ଧିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପଛର କାରଣ ଆବଶ୍ୟକତାରୁ ଅଧିକ ଷ୍ଟିରଏଡ ବ୍ୟବହାର କରିବା। କରୋନା ସଂକ୍ରମିତଙ୍କ ଚିକିତ୍ସା ବେଳେ ମାତ୍ରାଧିକ ଷ୍ଟିରଏଡ ବ୍ୟବହାର ହେଉଥିବା ଗୁଲେରିଆ କହିଛନ୍ତି। ଯାହାକି ବ୍ଲାକ ଫଙ୍ଗସକୁ ସକ୍ରିୟ କରିବାରେ ସହଯୋଗ କରୁଛି ବୋଲି ସେ କହିଛନ୍ତି। ଆଉ ଯେଉଁମାନେ କରେୋନାରେ ସଂକ୍ରମିତ ହେବା ସହିତ ମଧୁମେହରେ ଆକ୍ରାନ୍ତ ସେମାନେ ଏହି ବ୍ଲାକ ଫଙ୍ଗସ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ଏହାକୁ ରୋକିବା ପାଇଁ ହେଲେ ଆମେ ସମସ୍ତେ ଷ୍ଟିରଏଡକୁ କମ୍ ବ୍ୟବହାର କରିବା ଦରକାର ବୋଲି ଗୁଲେରିଆ କହିଛନ୍ତି। ଷ୍ଟିରଏଡ ହେଉଛି ଏକ ପ୍ରକାର ଔଷଧ ଯାହାକୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଡାକ୍ତର ମାନେ ଔଷଧ ଭାବରେ ବ୍ୟବହାର କରନ୍ତି।