ଟୀକାକରଣକୁ ନେଇ କଂଗ୍ରେସ ହୀନ ରାଜନୀତି ନକରୁ – ୱାଇ ଗଣପତି

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ଗୁଣୁପୁର)- ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସର୍ବ ଭାରତୀୟ ସ୍ତରରେ ବୃହତ ଟୀକାକରଣ ଅଭିଯାନ ଚାଲୁ ରହିଥିବା ବେଳେ, କିଛି ରାଜନୈତିକ ଦଳପକ୍ଷରୁ ଏନେଇ ହୀନରାଜନୀତି କରୁଛନ୍ତି । ଯାହାକି ନିନ୍ଦନୀୟ । ବର୍ତ୍ତମାନ ମହାମାରୀ ପରିସ୍ଥିତି ରେ ଦେଶ ଘଡ଼ିସନ୍ଧି ମୁହୂର୍ତ୍ତଦେଇ ଗତିକରୁଥିବା ବେଳେ ଏଭଳି ନିନ୍ଦନୀୟ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଜାତି, ଧର୍ମ, ଦଳ ନିର୍ବିଶେଷରେଏବେ ସମସ୍ତେ ମିଳିମିଶି ଏ ମହାମାରୀ କିଭଳି ଦୂର ହୋଇ ପାରିବ ଚିନ୍ତାକରିବାର ଆବଶ୍ୟକତା ରହିଛି ବୋଲି ଆଜି ଗୁଣୁପୁର ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ଉପ ସଭାପତି ୱାଇ ଗଣପତି ରାଓ ମତବ୍ୟକ୍ତ କରିଛନ୍ତି । ଗତ ୨୦୨୦ ମସିହାରେ ପ୍ରଥମ କରୋନା ଲହରୀକୁ ମାନନୀୟ ପ୍ରଧାନମନ୍ତ୍ରୀ ସଠିକରୂପେ ପରିଚାଳନା କରିଥିଲେ l ବିଦେଶକୁ ଔଷଧ ଓ ମେଡିକାଲ ସରଞ୍ଜାମ ପଠାଇ ଦେଶପାଇଁ ସୁନାମଆଣିବା ସଙ୍ଗେସଙ୍ଗେ ବିଶ୍ୱ ଦରବାରରେ ଭାରତ ଏକ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଥିଲା l ବର୍ତ୍ତମାନର ଦୟନୀୟ ସ୍ୱାସ୍ଥ୍ୟସଙ୍କଟ ସମୟରେ ସାଧାରଣ ଜନତାର ମନବଳ ବଢାଇବାପାଇଁ,କଂଗ୍ରେସଦଳ ହୀନରାଜନୀତି ଛାଡି,ସରକାରଙ୍କୁ ସମାଲୋଚନା ନକରି ସାହାଯ୍ୟ କରିବା ଉଚିତ   ସମସ୍ତ ଦଳ ରାଜନୀତିରୁ ଉର୍ଦ୍ଧରେ ରହି ଦେଶପାଇଁ ବର୍ତମାନ ସମୟରେ ଏକତ୍ରିତହୋଇ କାମ କରିଲେ କରୋନାକୁ ପରାସ୍ତକରିହେବ ବୋଲି ଉପସଭାପତି ପ୍ରକାଶ କରିଥିଲେ l  ଅନ୍ୟ ମାନଙ୍କ ମଧ୍ୟରେ ନଗରସଭାପତି ଶ୍ରୀନିବାସ ସ୍ୱାଇଁ,ଜଗନ୍ନାଥପୁର ମଣ୍ଡଳ ସଭାପତି ପୃଥ୍ୱୀରାଜ ପାଢ଼ୀ,ଫାଲଗୁଣି ଶବର ପ୍ରମୁଖ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

ଅସରାଏ ବର୍ଷାରେ ବେହାଲ ରାସ୍ତା; ରାଣୀପଡା ଠାରୁ ସାନ ଉସ୍ତାପଡ଼ା ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି…!

!!! ଗଂଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)- ସାମାନ୍ୟ ବର୍ଷାରେ ବେହାଲ ହୋଇପଡୁଛି ବେଗୁନିଆପଡ଼ା ବ୍ଲକ ସାନ ଉସ୍ତାପଡ଼ା ପଂଚୟତର ରାଣୀପଡା ଠାରୁ ସାନ ଉସ୍ତାପଡ଼ାଗାଁକୁ ଯିବା ରାସ୍ତା । ସାମାନ୍ୟ ବର୍ଷାରେ ରାସ୍ତା ମଝିରେ ଆଣ୍ଠୁଏ ପାଣି ଜମି ରହିବା ଫଳରେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାର ଦୁରାବସ୍ଥା ବର୍ତମାନ ସ୍ଥାନୀୟ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଜମି ରହୁଛି ଆଣ୍ଠୁଏ ପାଣି । ଅସରାଏ ବର୍ଷା ହେଲେ ରାସ୍ତା ମଝିରେ ପାଣି ଜମି ଏକ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି । ଫଳରେ ପଥଚାରି ବିଶେଷ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ । ରାସ୍ତାଟି ପଂଚୟତର ଅନ୍ୟତମ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାଉପରେ ସମସ୍ତେ ନିର୍ଭର କରିଥାନ୍ତି । ଏହି ରାସ୍ତାଦେଇ ଗାଁ ବାହାରକୁ ଆଉ ବିଶେଷ କରି ପଂଚୟତ ଅଫିସକୁ ଆସିବା ପାଇଁ ଗ୍ରାମବସୀଙ୍କୁ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି । ପଂଚୟତ ଅଫିସ ନିକଟରେ ପାଣି ଜମି ରହୁଛି । ରାସ୍ତା ମରାମତି ସହ ଡ୍ରେନେଜ ବ୍ୟବସ୍ଥା ପାଇଁ ଏ ପର୍ଯ୍ୟନ୍ତ ବିଭାଗ ତତ୍ପରତା ପ୍ରକାଶ କରିନଥିବା ରାସ୍ତାକୁ ଦେଖିଲେ ଜଣାପଡୁଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି

ରାୟଗଡ଼ା ଭାରତୀୟ ଜନତା ପାର୍ଟି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ…!

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡ଼ା)- ମହାମାରୀ ର ଦ୍ବିତୀୟ ଲହରୀ କୁ ଦୃଷ୍ଟି ରେ ରଖି ରାୟଗଡ଼ା ଭାରତୀୟ ଜନତା ପାର୍ଟିର ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାୟଗଡ ନଗର କର୍ମକର୍ତ୍ତାଙ୍କ ନେତୃତ୍ୱରେ ରାୟଗଡ଼ା ସହରରେ ଏକ ସଚେତନ ଯାତ୍ରା କରା ଯାଇଥିଲା । ଉକ୍ତ ସଚେତନ ଯାତ୍ରା ହୋଟେଲ ଜ୍ୟୋତି ମହଲ ଛକ ଠାରୁ ବାହାରି, ଉପଜିଲ୍ଲାପାଳଙ୍କ ବାସ ଭବନ, ପନିପରିବା ବଜାର, କପିଳାସ ଛକ, କପିଳାସ ରାସ୍ତା, ନିଉକଲୋନୀ, ୟୁନିଅନ ବ୍ୟାଙ୍କ୍, ଉମାଶଙ୍କର ସିନେମା ହଲ୍ ଠାରେ ସମାପ୍ତି କରାଯାଇଥିଲା ।

ଏହି ଯାତ୍ରା ରେ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ, ନଗର ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ରାଜେଶ୍ କୁମାର ପାଣିଗ୍ରାହୀ, ନଗର ସମ୍ପାଦକ ସୁଶାନ୍ତ ମିଶ୍ର, ଏସ୍ ସି ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଶ୍ରୀ ନାଗା ରାଜୁ, ଯୁବ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ଶ୍ରୀ ଜୟରାମ୍ ଭର୍ମା, ଉପସଭାପତି ଶ୍ରୀ ନୀରୋଜ ପାଢ଼ୀ ଓ କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଜନସାଧାରଣଙ୍କ ତରଫରୁ ମାସ୍କ ବାଣ୍ଟିବା ସହ ହାତ ସାନିଟାଇଜର୍ କରାଯାଇଥିଲା ଓ ମହାମାରୀକୁ ଡରିବା ନାହିଁ,ସଚେତନ ହେବା, ନିୟମ ମାନିବା, ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା, ସରକାର ଙ୍କ ନିୟମ ମାନିବା, ଆବଶ୍ୟକ ଥିଲେ ହିଁ ଘରୁ ବାହାରିବା, ନିଜେ ସଚେତନ ହେବା ଓ ଅନ୍ୟ କୁ ସଚେତନ କରାଇବା ସହିତ ଘରେ ରହିବା ସୁସ୍ଥ ରହିବା ବୋଲି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁରୀ ରେ ୧୪୪ ଧାରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ) – ଆସନ୍ତକାଲି ପବିତ୍ର ଅକ୍ଷୟ ତୃତୀୟା ଓ ପବିତ୍ର ଚନ୍ଦନ ଯାତ୍ରା। କୋଭିଡ କଟକଣା ମଧ୍ୟରେ ଏହି ଦୁଇଟି ପର୍ବର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ କରିବା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚିଛି। ନରେନ୍ଦ୍ର ପୁଷ୍କରିଣୀରେ ଆଲୋକ ସଜ୍ଜା, ରଙ୍ଗ ଓ ନୌକା ପ୍ରସ୍ତୁତ ହୋଇ ସାରିଥିବା ବେଳେ ରଥ ଖଳାରେ କାଲି ରଥ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସାଧାରଣ ଭକ୍ତ ମାନଙ୍କ ସହଯୋଗ କାମନା କରାଯାଇଛି। ରଥ ନିର୍ମାଣକୁ ନେଇ ଆବଶ୍ୟକୀୟ କାଠ ପହଞ୍ଚି ସାରିଥିବା ବେଳେ ନିର୍ମାଣରେ ନିୟୋଜିତ ହେବାକୁ ଥିବା ମହାରଣା ଓ ଭୋଇ ସେବକ ମାନେ ବେଶ ଉତ୍ସାହିତ ଅଛନ୍ତି। କୋଭିଡ କଟକଣା ନିୟମକୁ ମାନି ରଥ ନିର୍ମାଣ କାର୍ଯ୍ୟ ସହ ନରେନ୍ଦ୍ର ପୁଷ୍କରିଣୀରେ ଚାପ ପ୍ରସ୍ତୁତି କରାଯାଇଥିବା ବେଳେ ମହାପ୍ରଭୁଙ୍କ ଆସନ୍ତାକାଲି ସୀମିତ ସଂଖ୍ୟକ ସେବାୟତ ମାନଙ୍କୁ ନେଇ ଜଳକ୍ରୀଡ଼ା ନୀତି ବା ଚନ୍ଦନ ଯାତ୍ରା ଆଗାମୀ ୨୧ଦିନ ଧରି ଅନୁଷ୍ଠିତ ହେବ। ଏନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତି ସମ୍ପାଦନ ନେଇ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ନିୟମ ଉଲଂଘନ କାରୀଙ୍କ ବିରୁଧରେ କଡା ପଦକ୍ଷେପ ନିଆଯିବ। ୬ଟି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ ହୋଇଥିବା ବେଳେ ଆଗାମୀ ୨୧ଦିନ ପର୍ଯ୍ୟନ୍ତ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ୧୪୪ ଧାରା ଲଗାଯାଇଥିବା ବେଳେ ପୁରୀ ବାସୀଙ୍କ ସହଯୋଗ କାମନା କରିଛନ୍ତି ପୁରୀ ଏସପି। ସେପଟେ ରଥଖଳା ସମ୍ପୂର୍ଣ୍ଣ ପ୍ରସ୍ତୁତ। ବନଯାଗ ପଦ୍ଧତିରେ ଦେଉଳ ପୁରୋହିତଙ୍କ ସହ ୧୧ଜଣ ବ୍ରାହ୍ମଣ ନୃସିଂହ ମନ୍ତ୍ର ରେ କାଠକୁ ମନ୍ତିତ କରିବେ। କୁରାଢୀକୁ ଶକ୍ତି ମନ୍ତ୍ରରେ ପୂଜା କରିବା ପରେ ରଥନିର୍ମାଣ ଅନୁକୂଳ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପୁରୋହିତ। ସୂଚନା ଯୋଗ୍ୟ ଗତ ବର୍ଷ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା।

ପରେ ପରସ୍ପରକୁ ସମାଲୋଚନା କରିବା, ଏବେ ଏକାଠି ହେବାର ସମୟ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କରୋନା ମହାମାରୀରେ ପ୍ରତିଦିନ ଦେଶରେ ହଜାର ହଜାର ଲୋକ ଆଖି ବୁଜିଛନ୍ତି। ଆଉ ଏହି ଅଦୃଶ୍ୟ ଭାଇରସର କୋପକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଲକଡାଉନ୍, ଶଟଡାଉନ କରାଯାଇଛି। ହେଲେ ରାଜନୀତିକ ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିନି। ସରକାରଙ୍କୁ ସମାଲୋଚନା କରିବା ଏବେ ଶାସକ ଦଳ ବିରୋଧୀଙ୍କୁ କଡ଼ା ଜବାବ ଦେବା ପ୍ରକ୍ରିୟା ଜାରି ରହିଛି। ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ଏହି ବାକ୍ ଯୁଦ୍ଧ ଚାଲିଛି। ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଏବେ ବାକ୍ ଯୁଦ୍ଧ ଲାଗିବା ବନ୍ଦ ହେଉ, ଏକାଠି ହୋଇ କିଭଳି ମହାମାରୀ ବିରୋଧରେ ଲଢ଼େଇ କରିହେବ ସେ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। କରୋନା ମହାମାରୀରୁ ଦେଶ ଉଦ୍ଧାର ପାଇବା ପରେ କିଏ ଠିକ୍ କରିଛି, ଭୁଲ୍ କରିଛି ଖୋଜି ବାହାର କରିବା ଦରକାର ବୋଲି ଏହି ବରିଷ୍ଠ କଂଗ୍ରେସ ନେତା ଟ୍ୱିଟ୍ କରି କହିଛନ୍ତି। ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ହେଲେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ହଠାତ୍ ଟିକା ପାଖରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇଦେବା କେନ୍ଦ୍ର ସରକାର ପାଇଁ କାଠିକର ହୋଇପଡ଼ିଛି। ଆଉ ଏଥିପାଇଁ ଅନେକ ଲୋକ ଆଖି ମଧ୍ୟ ବୁଜୁଛନ୍ତି। ଏହାକୁ ନେଇ କଂଗ୍ରେସ ଶାସକ ଦଳ ବିଜେପିକୁ ହମଲା କରୁଛି। କଂଗ୍ରେସ କହିଛି କରୋନା ପରିଚାଳନା ତ୍ରୁଟିପୂର୍ଣ୍ଣ ରହିଛି। ଶାସକ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରାମର୍ଶ ଗ୍ରହଣ କରିବାକୁ ନାରାଜ। ସରକାର ଏଭଳି କରି ନିଜର ଅଂହକାର ଦେଖାଉଛନ୍ତି ବୋଲି କଂଗ୍ରେସ କହିଛି। ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ନଡ୍ଡା କହିଛନ୍ତି ଯେ କଂଗ୍ରେସ ନିଜର ଦୁଇଟି ପରିଚୟ ଦେଖାଇ ଲୋକଙ୍କୁ ଭ୍ରମିତ କରୁଛି। ପ୍ରଥମେ କଂଗ୍ରେସ ଟିକାକୁ ନେଇ ଭ୍ରମିତ କରାଇଲା। ଏବେ ଟିକା ନୀତିକୁ ନେଇ ସନ୍ଦେହ କରୁଛି। ଏଭଳି କରିବା ଦ୍ୱାରା କଂଗ୍ରେସ ନିଜର ସ୍ଥିତି ହରାଉଛି ବୋଲି ନଡ୍ଡା ସୋନିଆଙ୍କୁ ଲେଖିଥିବା ଚିଠିରେ କହିଛନ୍ତି। ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ ଅଜୟ ମାକେନ୍ କହିଛନ୍ତି ସ୍ଥିତି ଏମିତି ଯେ ବିହାରର ବକ୍ସର ଜିଲ୍ଲା ଦେଇ ଯାଇଥିବା ଗଙ୍ଗା ନଦୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଙ୍କୁ ଚିକିତ୍ସା, ଟିକା ଏବଂ ଏପରିକି ସମ୍ମାନଜନକ ଶେଷ ରୀତି ପ୍ରଦାନ କରିବାରେ ସରକାର ଅସମର୍ଥ ବୋଲି ମାକେନ୍ କହିଛନ୍ତି। ତେଣୁ ସରକାର ଅହଂକାରରୁ ଦୂରେଇ ରହିବା ଦରକାର। ଆଉ ଲୋକଙ୍କୁ ସାହାଯ୍ୟ କରିବା ଦରକାର ବୋଲି କହିଛନ୍ତି। ଶାସକ ବିଜେପି ‘ରାଜଧର୍ମ’କୁ ଅନୁସରଣ କରିବା ଉଚିତ। କଂଗ୍ରେସ ବିରୋଧୀ ଭାବରେ କେବଳ ନିଜର କର୍ତ୍ତବ୍ୟ ପାଳନ କରୁଛି। ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାର ତାଙ୍କ ଭୁଲକୁ ସ୍ୱୀକାର କରିବା ଉଚିତ ଏବଂ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ଆରମ୍ଭ କରିବା ଉଚିତ। ଆଉ କୋଭିଡ ପରିଚାଳନାକୁ ନେଇ ବିରୋଧୀ ଏକ ସର୍ବଦଳୀୟ ବୈଠକ ପାଇଁ ଦାବି କରିଛି।

ସନସାଇନ୍‌ ହସ୍ପିଟାଲକୁ ସୋ’ କଜ୍‌ ନୋଟିସ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଥିବା ସନସାଇନ୍‌ ହସ୍ପିଟାଲକୁ ସୋ କଜ ନୋଟିସ କରି ଭୁବନେଶ୍ୱର ମହାନଗର ନିଗମ(BMC)। କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ବାବଦରେ ଫି’କୁ ନେଇ ନୋଟିସ କରିଛି। ଫି’କୁ ନେଇ ସରକାରଙ୍କ ନିର୍ଦ୍ଧାରିତ ଢାଞ୍ଚାକୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମାନୁ ନଥିବା ଅଭିଯୋଗ ହୋଇଛି। କୋଭିଡ୍‌ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଲାଗି ସରକାର ଫି’ ନିର୍ଦ୍ଧାରଣ କରିଥିଲେ। ହେଲେ ରାଜଧାନୀରେ କେତେକ ହସ୍ପିଟାଲ୍‌ ମନଇଚ୍ଛା ଫି’ ଆଦାୟ କରୁଥିଲେ। ଯେଉଁଥିପାଇଁ ଆଜି ସନ୍‌ସାଇନ୍‌ ହସ୍ପିଟାଲ୍‌କୁ ବିଏମ୍‌ସି ନୋଟିସ୍‌ କରିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୨,୩୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ ହେଉଛି ଲୋକାଲ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୯, ଅନୁଗୋଳରୁ ୫୩୨, ବରଗଡ଼ରୁ ୫୦୭ ବାଲେଶ୍ୱରରୁ ୩୪୦, ଭଦ୍ରକରୁ ୪୧୨ ଓ ବଲାଙ୍ଗିରରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୪୨ ଲକ୍ଷ ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାତି ପାହିଲେ ଅକ୍ଷୟ ତୃତୀୟା। କାଲିଠାରୁ ଚାଷ କାମ ଅନୁକୂଳ କରିଥାଏ ଚାଷୀ। ଚାଷ କାମ ଆରମ୍ଭ କରିବା ପୂର୍ବରୁ ଆଜି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ରାଜ୍ୟର ୪୨ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଖାତାକୁ ଖରିଫ୍‌ ୨୦୨୧ ପାଇଁ ‘କାଳିଆ’ ଯୋଜନାରେ ୯୨୦ କୋଟି ଟଙ୍କା ଜମା ଟ୍ରାନ୍ସଫର କରିଛନ୍ତି। ରାଜ୍ୟର ଛୋଟ ଚାଷୀ, ନାମକୁ ମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାର ‘କାଳିଆ’ ଯୋଜନାର ସହାୟତା ପାଇ ଏହାକୁ ଚାଷ କାମରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ପାଇଁ ସାରା ଦେଶରେ ‘କାଳିଆ’ ଯୋଜନା ସବୁଠାରୁ ଭଲ ଯୋଜନା। ଏହି ଯୋଜନା ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚାଷୀଙ୍କ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି-“ଚାଷୀ ଆମର ଗର୍ବ ଓ ଗୌରବ। ଦେଶ ଓ ସମାଜ ପାଇଁ ଚାଷୀର ତ୍ୟାଗର ତୁଳନା ନାହିଁ। ଗତବର୍ଷ କୋଭିଡ୍‌ ସମୟରେ ଚାଷୀ ହିଁ ଅର୍ଥନୀତିକୁ ସଞ୍ଜିବନୀ ପରି ଶକ୍ତି ଦେଇଥିଲା। ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇ ପାରିବ ନାହିଁ। ମୋ ରାଜ୍ୟର ଚାଷୀ, ଭଲରେ ରହୁ। ତା’ର ରୋଜଗାର ବଢୁ ଓ ତା’ ପରିବାରରେ  ସମୃଦ୍ଧି ଆସୁ। ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି।”କୋଭିଡ୍‌ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି-“ଏବେ ଆମେ କୋଭିଡ୍‌ ସଂକ୍ରମଣର ଦ୍ଵିତୀୟ ଲହର ସାମ୍ନା କରୁଛୁ। ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ ଡାଉନ ଚାଲିଛି। କିନ୍ତୁ କୃଷି କ୍ଷେତ୍ର ପାଇଁ  କୌଣସି ଲକ୍‌ ଡାଉନ ନାହିଁ। ତେଣୁ ଚାଷୀ ଭାଇମାନେ କୋଭିଡ୍‌ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାରଙ୍କ ବିଭିନ୍ନ କୃଷି ବିକାଶ ଯୋଜନାର ସୁଯୋଗ ମଧ୍ୟ ନେଇପାରିବେ।”ପିଏମ କିଷାନ ଯୋଜନାରେ ଓଡ଼ିଶାର ୪୦,୫୦,୧୦୩ ଚାଷୀ ପଞ୍ଜିକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ସପ୍ତମ କିସ୍ତିରେ ୨୪,୭୦,୬୭୧ ଚାଷୀ ମୋଟ୍‌ ୪୯୪.୧୩ କୋଟି ଟଙ୍କାର ସହାୟତା ରାଶି ପାଇଥିଲେ। ଅଷ୍ଟମ କିସ୍ତିରେ ୨୭,୮୩,୨୦୯ ଚାଷୀ ଲାଭ ପାଇଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବଢ଼ିଲା ନନ୍ଦନକାନନ ବନ୍ଦ ଅବଧି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖିବା ଅବଧି ବଢ଼ା ଯାଇଛି । ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ୍ ବନ୍ଦ ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଏ ନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ନନ୍ଦନକାନନ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ନିକଟ ଅତୀତରେ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଭାଲୁ ଶାବକ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି। ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ଖାଇବା ସହ ସେମାନେ ବୁଲା ବୁଲି କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି। କିଛି ଦିନ ତଳେ ରାଜଧାନୀ ନିକଟ ଗଙ୍ଗପଡ଼ା ଟୋଲ୍ ଗେଟ୍ ପାଖ କାଜୁ ଜଙ୍ଗଲରୁ ୫ଟି ଭାଲୁ ଛୁଆ ଉଦ୍ଧାର କରାଯାଇଥିଲା। ଏହା ସହ ଖୋର୍ଦ୍ଧା ବନାଞ୍ଚଳ ଗଡ଼ଖୋର୍ଦ୍ଧା ଗାଁରୁ ମଧ୍ୟ ଭାଲୁଛୁଆ ଉଦ୍ଧାର କରିଥିଲା ବନବିଭାଗ। ଗାଁର ବିପ୍ରଚରଣ ବେହେରାଙ୍କ ଘର ଭିତରକୁ ଦୁଇଟି ଭାଲୁଛୁଆ ପଶି ଆସିଥିଲେ। ପରେ ଖବର ପାଇ ବନ କର୍ମଚାରୀ ଭାଲୁଛୁଆକୁ ଉଦ୍ଧାର କରିବା ସହ ଏକ ଜାଲି ବାକ୍ସରେ ରଖିଥିଲେ। ପରେ ଉଦ୍ଧାର ହୋଇଥିବା ଏହି ଭାଲୁ ଛୁଆ ଦୁଇଟିକୁ ନନ୍ଦନକାନନରେ ଅନ୍ୟ ଭାଲୁ ଛୁଆଙ୍କ ସହ ରଖାଯାଇଥିଲା। ଏବେ ଉଦ୍ଧାର ହୋଇଥିବା ସମସ୍ତ ଭାଲୁ ଛୁଆ ନନ୍ଦନ କାନନରେ ରହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ନନ୍ଦନକାନନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ବର୍ଷ ମଧ୍ୟ କରୋନା ଯୋଗୁ ପ୍ରାୟ ଛଅ ମାସରୁ ଅଧିକ ଦିନ ଧରି ନନ୍ଦନକାନନ ବନ୍ଦ ରହିଥିଲା।

କ୍ୱାରେଣ୍ଟାଇନ୍‌ରେ ଥିବା ଲୋକଙ୍କୁ ଭିଟାମିନ ବଟିକା ବାଣ୍ଟିବ କଂଗ୍ରେସ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କଟକ-ଭୁବନେଶ୍ୱର ମହାନଗରରେ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ମେ’ ୧୪ରୁ ୨୦ ପର୍ଯ୍ୟନ୍ତ ଭିଟାମିନ ଟାବଲେଟ ବାଣ୍ଟିବ କଂଗ୍ରେସ। ମେ’ ୨୧ରୁ ଖାଦ୍ୟ, ଆମ୍ବୁଲାନ୍ସ ଓ ଅକ୍ସିଜେନ ସେବା ଯୋଗାଇବ। ଏଥିପାଇଁ ୨ଟି ନମ୍ବର- ୧୮୦୦୨୫୭୨୬୫୬ ଓ ୯୯୩୭୬୯୬୯୬୯ ଜାରି କଲା କଂଗ୍ରେସ। ରାଜ୍ୟରେ ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିସାରିଲାଣି। ପ୍ରତି ଦିନ ୧୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଆଜି କରୋନା ୨୨ ଜଣ ଲୋକଙ୍କ ଜୀବନ ନେଇଥିବା ବେଳେ ୧୨ ହଜାରରୁ ଅଧିକ ଲୋକଙ୍କୁ ନିଜ ଜାଲରେ ଫସାଇସାରିଛି। ତେବେ ଗ୍ରାମାଞ୍ଚଳର ଅବସ୍ଥା ଅତି ଦୟନୀୟ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ଲୋକମାନେ ଥଣ୍ଡା, ଜ୍ୱର ଓ କାଶ ପରି ରୋଗରେ ପୀଡ଼ିତ ହୋଇଛନ୍ତି। ସେମାନେ ମେଡିକାଲ୍‌ ଯିବା ପରିବର୍ତ୍ତେ ଘରୋଇ ଚିକିତ୍ସା ପଦ୍ଧତ୍ତିକୁ ଆପଣାଇ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ତେବେ ରାଜଧାନୀ ଭୁବନେଶ୍ୱର ଓ ସିଲ୍‌ଭର ସିଟି କଟକର ଅବସ୍ଥା ସଙ୍ଗୀନ ହୋଇଛି। ଏହି ଦୁଇ ସହରରୁ ପ୍ରତିଦିନ ଶହଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ଆୟତ୍ତ କରିବା ପାଇଁ କଟକ ମହାନଗର ନଗମ ଓ ଭୁବନେଶ୍ୱର ମହାନଗର ନିଗମ ଯେଉଁ ପନ୍ଥା ଅପଣାଇଥିଲେ ମଧ୍ୟ ବ୍ୟାପି ଚାଲିଛି। ବିଶେଷକରି ଅମାନୀୟଙ୍କୁ ନେଇ କମିଶନରେଟ୍‌ ପୁଲିସ ଚିନ୍ତାରେ ପଡ଼ି ଯାଇଛି। ଜରିମାନା ଓ ଗିରଫକୁ ଅମାନୀଆ ଖାତିର କରୁନଥିବା ଅଭିଯୋଗ ହେଉଛି ।

୧୪ ମେ’ – ଆଜିର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: କାହାକୁ ଟଙ୍କା ଦିଅନ୍ତୁ ନାହିଁ ବା ଋଣ ବି କରନ୍ତୁ ନାହିଁ। ଅଯଥା ଚିନ୍ତା ବଢ଼ିବ। ଆଘାତ ଲାଗିପାରେ। ବନ୍ଧୁମାନଙ୍କ ସହ ବୁଲାବୁଲି କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ଶତ୍ରୁ ପରାଜିତ ହେବେ। ବ୍ୟବସାୟରେ ଲାଭ ପାଇବେ।

ମିଥୁନ: ଚାକିରକ୍ଷେତ୍ରରେ ପରିବର୍ତ୍ତନ ଯୋଗ ରହିଛି। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଟକିଥିବା କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।

କର୍କଟ: ମାନ-ସମ୍ମାନ ମିଳିବ। ପରିବାରରେ ସମସ୍ୟା ଥିଲେ ଆଜି ଦୂର ହୋଇପାରେ। ଶତ୍ରୁମାନେ ଆପଣଙ୍କ ନିକଟକୁ ଆସିବାକୁ ଭୟ କରିବେ।

ସିଂହ: କୌଣସି କଥାକୁ ନେଇ ଅଧିକ ରାଗିପାରନ୍ତି। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଅଫିସ୍‌ରେ କର୍ମଚାରୀମାନେ ଉତ୍ତମ କାମ କରି ପ୍ରଶଂସିତ ହେବେ।

କନ୍ୟା: ଜୀବନସାଥୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଯଦି ଆପଣ ଚାହୁଁଥିବା ଅନୁଯାୟୀ କାମ ହେଉ ନାହିଁ ତା’ହେଲେ ଧୈର୍ଯ୍ୟ ହରାନ୍ତୁ ନାହିଁ।

ତୁଳା: ଧନହାନି ଯୋଗ ରହିଛି। ସ୍ୱାସ୍ଥ୍ୟଗତ କାରଣରୁ ମନ ଅଶାନ୍ତ ରହିବ। ଦିନସାରା ବ୍ୟସ୍ତ ରହିବେ ଓ କଠିନ ପରିଶ୍ରମ କରିବେ।

ବିଛା: କମ୍‌ ପରିଶ୍ରମରେ ଅଧିକ ଲାଭ ମିଳିପାରେ। ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ଅନ୍ୟମାନଙ୍କ ପରାମର୍ଶ ନିଅନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ: ଉଚ୍ଚାଧିକାରୀଙ୍କ ସହ କଥାବାର୍ତ୍ତା କଲା ବେଳେ ସଂଯମ ଆଚରଣ କରନ୍ତୁ। ପ୍ରିୟଜନଙ୍କ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି ମହିଳାଙ୍କ ସହଯୋଗ ମିଳିବ।

ମକର: କୌଣସି ସମସ୍ୟା ଥିଲେ ସମାଧାନ ହେବ। ପରିବାରରେ ଖୁସିର ବାତାବରଣ ରହିବ। କ୍ୟାରିୟରକୁ ନେଇ ସମସ୍ୟା ଥିଲେ ଦୂର ହେବ।

କୁମ୍ଭ: କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସଂପର୍କରେ ଫାଟ ଥିଲେ ଦୂର ହେବ। ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନସନ୍ତତିଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ଅଟିକ ରହିଥିବା କାମ ପୂରା ହେବ। ଆର୍ଥିକ ସ୍ଥିତି ଠିକ୍‌ଠାକ୍ ରହିବ।