ସେବାୟତଙ୍କୁ ୧୦ ହଜାର ଲେଖାଏଁ ପ୍ରଦାନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ)- କରୋନା ପାଇଁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ଥିବାରୁ ସେବାୟତଙ୍କୁ ସହାୟତା ପ୍ରଦାନ କରାଯାଇଛି। ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ। ମୋଟ ୨୪୬୩ ସେବାୟତଙ୍କୁ ପ୍ରତ୍ୟେକ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି। ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ପ୍ରଦାନ ନେଇ ନୀତି ପ୍ରଶାସକ ସୂଚନା ଦେଇଛନ୍ତି। କୋଭିଡ୍ -୧୯ ମୁକାବିଲା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ରହିଥିବାରୁ ସେବାୟତମାନଙ୍କ ଆର୍ଥିକ ଅବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତଙ୍କୁ ଗତ ବର୍ଷ ମଧ୍ୟ ୧୦, ୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା। ଏହି ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯାଇଥିଲା। ମହାମାରୀ କରୋନା ଯୋଗଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ଯାହା ସେବାୟତମାନଙ୍କ ଆର୍ଥିକ ସ୍ଥିତକୁ ଦୁର୍ବଳ କରିଦେଇଛି । ଏଣୁ ଏହି ବିପତ୍ତି ସମୟରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି।

ଏଣିକି ମର୍ଣ୍ଣିଂ ୱାକ୍ ଓ ସାଇକ୍ଲିଂ ମନା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ସମ୍ପୂର୍ଣ୍ଣ ମନା । ଆଜି ଏହି ଘୋଷଣା କରିଛନ୍ତି ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ବିଶେଷ କରି ଟୁଇନ୍ ସିଟିରେ ସଂକ୍ରମଣ ଅଧିକ ବ୍ୟାପୁଥିବା ଦେଖିବାକୁ ମିଳିଛି। ଯେଉଁ କାରଣରୁ ରାଜ୍ୟ ସରକାର ପୂରା ରାଜ୍ୟକୁ ଲକଡାଉନ୍ କରିଛନ୍ତି । ଲକଡାଉନ୍ କଟକଣା ସମୟରେ ଲୋକେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ ଓ ସାଇକ୍ଲିଂ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେ ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି ସିପି। ସିପି କହିଛନ୍ତି, କିଛି ଲୋକେ ଲକଡାଉନରେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍ ଓ ସାଇକ୍ଲିଂ କରୁଥିବା ଦେଖିବାକୁ ମିଳିଛି, ଯାହା ସମ୍ପୂର୍ଣ୍ଣ ଗାଇଡଲାଇନର ଉଲ୍ଲଙ୍ଘନ। ରାସ୍ତା ଉପରକୁ ଆସି ଗହଳି ନକରିବା ହେଉଛି ଲକଡାଉନର ଉଦ୍ଦେଶ୍ୟ । ତେଣୁ ଏବେ କୌଣସି ଗହଳି କଲା ଭଳି କାର୍ଯ୍ୟ ଅର୍ଥାତ୍ ୱାକିଂ ଓ ସାଇକ୍ଲିଂ କରିପାରିବେ ନାହିଁ। ସେହିପରି ରାଜ୍ୟରେ କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠୱା। ଜେଠୱା କହିଛନ୍ତି, ଏଣିକି କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା କୌଣସି ଘରୋଇ ହସ୍ପିଟାଲରେ ଅଧିକ ଅର୍ଥ ନେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସବୁ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍କ୍ୱାଡ୍ କଠନ ହୋଇଥିବା ଜେଠୱା କହିଛନ୍ତି। ରାଜ୍ୟରେ ଅମାନିଆଙ୍କଠାରୁ ୨ କୋଟି ୮୦ ଲକ୍ଷ ଜରିମାନା ଆଦାୟ ହୋଇଛି । ଏଥିସହ ୭୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୬୯ ଗିରଫ ଓ ୮୩୦୦ ଗାଡି ଜବତ ହୋଇଥିବା ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ସଂକ୍ରମଣ ଭିତରେ ଏକାଠି ଇସ୍ତଫା ଦେଲେ ଗୋଟିଏ ଜିଲ୍ଲାର ୧୪ ଡାକ୍ତର..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ଲକ୍ଷ୍ନୌ) – ମହାମାରୀ କରୋନା ଭିତରେ ଉତ୍ତର ପ୍ରଦେଶର ଉନ୍ନାଓରୁ ବିଚଳିତ କରିବା ଭଳି ଘଟଣା ଘଟିଛି। ଜିଲ୍ଲାର ଗ୍ରାମାଞ୍ଚଳ ହସ୍ପିଟାଲଗୁଡ଼ିକର ଦାୟିତ୍ୱରେ ଥିବା ୧୪ ଜଣ ଡାକ୍ତର ଏକାଠି ଇସ୍ତଫା ଦେଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସରକାର ସେମାନଙ୍କୁ ବଳିର ବୋଦା ବନାଇବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଥିବା କଥା କହିଛନ୍ତି।ଇସ୍ତଫା ଦେଇଥିବା ଡାକ୍ତରମାନେ ଉନ୍ନାଓରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟ କରୁଥିଲେ। ଏହି ହସ୍ପିଟାଲଗୁଡ଼ିକ ଉପରେ ଗ୍ରାମାଞ୍ଚଳର ଲୋକମାନେ ହିଁ ଚିକିତ୍ସା ପାଇଁ ନିର୍ଭର କରନ୍ତି। ମିଳିତ ଇସ୍ତଫାପତ୍ରରେ ଦସ୍ତଖତ କରିଥିବା ୧୪ ଜଣ ଡାକ୍ତରଙ୍କ ମଧ୍ୟରୁ ୧୧ ଜଣ ବୁଧବାର ସନ୍ଧ୍ୟାରେ ଉନ୍ନାଓର ମୁଖ୍ୟ ମେଡିକାଲ ଅଧିକାରୀଙ୍କ ଅଫିସକୁ ଯାଇଥିଲେ। ସେମାନେ ସେଠାରେ ମିଳିତ ଇସ୍ତଫାପତ୍ରକୁ ତାଙ୍କ ଡେପୁଟିଙ୍କୁ ହସ୍ତାନ୍ତର କରିଛନ୍ତି। ଇସ୍ତଫାପତ୍ରରେ ଡାକ୍ତରମାନେ କହିଛନ୍ତି, ମହାମାରୀ ସମୟରେ ସେମାନେ କଠିନ ପରିଶ୍ରମ କରୁଛନ୍ତି। ତଥାପି କୌଣସି କାରଣ ନଥାଇ, ଡାକ୍ତରମାନଙ୍କୁ ଖରାପ ବ୍ୟବହାର କରାଯାଉଛି। ସେମାନଙ୍କୁ ଉପଯୁକ୍ତ ସମ୍ମାନ ମଧ୍ୟ ଦିଆଯାଉନି। ଆମ ଟିମ ଦିନରାତି ଏକ କରି ଲୋକଙ୍କ କାମ କରୁଛି। ହେଲେ ଆମେ କିଛି କାମ କରୁନାହୁଁ ବୋଲି କୁହାଯାଉଛି। ଡିଏମଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀ, ଏସଡିଏମ ଓ ତହସିଲଦାର ଆମକୁ ସୁପରଭାଇଜ କରୁଛନ୍ତି। ସେମାନେ ବାରମ୍ବାର କେବଳ ରିଭ୍ୟୁମ ମିଟିଂ କରୁଛନ୍ତି। ଆମ ଟିମ୍‌ ମଧ୍ୟାହ୍ନରୁ କୋଭିଡ୍‌ ପଜିଟିଭ ରୋଗୀଙ୍କୁ ଚିହ୍ନଟ କରି ଆଇସଲେଟ କରିବା କାର୍ଯ୍ୟରେ ଲାଗୁଛନ୍ତି। ନମୁନା ସଂଗ୍ରହ ଠାରୁ ଆରମ୍ଭ କରି ମେଡିସିନ ଓ ସେବା ଯୋଗାଉଛନ୍ତି। ସବୁ କିଛି ସନ୍ଧ୍ୟା ବେଳକୁ ଶେଷ ହେଉଛି। ଏହି ସମୟରେ ହଠାତ୍‌ ଏସଡିଏମ ଫୋନ କରି ରିଭ୍ୟୁ ମିଟିଂ ଡାକି ଦେଉଛନ୍ତି। ଯଦି କେହି ୩୦ କିମି ଦୂରରେ କାର୍ଯ୍ୟ କରୁଛି, ତା’ହେଲେ ସେ ମଧ୍ୟ ଏହି ତଥାକଥିତ ରିଭ୍ୟୁ ମିଟିଂକୁ ଆସିବାକୁ ବାଧ୍ୟ ହେଉଛି। ଆମେ କାମ କରୁଛୁ ବୋଲି ଆମକୁ ପ୍ରମାଣିତ କରିବାକୁ ପଡ଼ୁଛି। ଆମେ ଠିକ୍‌ ଭାବେ କାମ କରୁ ନଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ସେମାନେ ବାରମ୍ବାର ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଅଧିକାରୀମାନେ ବାରମ୍ବାର କେବଳ ରିଭ୍ୟୁ ମିଟିଂ ଡାକୁଛନ୍ତି। ଏହା କେବେ ଶେଷ ହେଉନାହିଁ। ଏସବୁ ଦୃଷ୍ଟିରେ ରଖି ଆମେ ଇସ୍ତଫା ଦେଉଥିବା ଡାକ୍ତରମାନେ କହିଛନ୍ତି। ଉନ୍ନାଓର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସବୁ କିଛି ଶୀଘ୍ର ସମାଧାନ ହୋଇଯିବ। ଆମେ ଡାକ୍ତରମାନଙ୍କ ସହ କଥା ହୋଇଛୁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମସ୍ତଙ୍କ ସହ ଆଲୋଚନା କରାଯାଇଛି। ଆମର ଆଶା ଶୀଘ୍ର ସମସ୍ୟାର ସମାଧାନ ହେବ। ସେମାନେ ଆମ ଟିମ୍‌ର ସଦସ୍ୟ। ସେମାନେ ବାହାର ଲୋକ ନୁହନ୍ତି। ଆମେ ନିଶ୍ଚିତ ଏହି ସମସ୍ୟାର ସମାଧାନ କରିବୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଓଡ଼ିଶାରେ ୧୪ରେ ପାଳନ ହେବ ‘ଇଦ୍‌’ ପର୍ବ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଆସନ୍ତା ୧୪ତାରିଖରେ ‘ଇଦ୍ ପର୍ବ’ ପାଳନ ହେବ। ଅଞ୍ଜୁମାନ ଇସଲାମିଆ ଏହେଲେ ସୁନ୍ନତଅଲ ଜମାତ୍ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। କମିଟିର ସଭାପତି ମହମ୍ମଦ ଅବଦୁଲ୍ଲ ଆହେବ ଏ ସମ୍ପର୍କରେ କହିଛନ୍ତି ଯେ, କୋଭିଡ୍ କଟକଣା ମଧ୍ୟରେ ମସଜିଦ୍‌ରେ ନମାଜ ପାଠ ହେବ। ତେବେ ମସଜିଦରେ ସମୂହ ନମାଜ ପାଠ କରାଯିବ ନାହିଁ।ଇମାମଙ୍କ ସହ ସର୍ବାଧିକ ୫ଜଣ ନମାଜ ପାଠ କରିବେ। ମୁସଲିମ୍ ଭାଇମାନଙ୍କୁ ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ମାଧ୍ୟମରେ ନମାଜ ପାଠ , ସାମାଜିକ ଦୂରତ୍ୱ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।