ରାଜ୍ୟରେ ଦିନକରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ …!

ଏଥର ସମ୍ଭାଳ (ଭୁବନେଶ୍ୱର) – ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ ଜିଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଅନୁଗୁଳ ଜିଲାରୁ ୭୫ ବର୍ଷ ବୟସ୍କା ମହିଳା, ୮୯ ବର୍ଷ ପୁରୁଷ ଏବଂ ୫୬ ବର୍ଷ ପୁରୁଷ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଖୋର୍ଦ୍ଧା ଜିଲାରୁ ୭୬ ବର୍ଷ ବୟସ୍କ ପୁରୁଷ, ୫୮ ବର୍ଷ ବୟସ୍କା ମହିଳା ଓ ୫୫ ବର୍ଷ ବୟସ୍କା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିଭଳି କଳାହାଣ୍ଡି ଜିଲାରେ ୫୪ ବର୍ଷ ବୟସ୍କ ପୁରୁଷ ଓ ୩୩ ବର୍ଷ ବୟସ୍କ ପୁରୁଷ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ନୂଆପଡା ଜିଲାରେ ୬୧ ବର୍ଷ ବୟସ୍କ ପୁରୁଷ ଏବଂ ୪୮ ବର୍ଷ ବୟସ୍କା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଛି। ସୁନ୍ଦରଗଡ ଜିଲାରେ ଜଣେ ୩୪ ବର୍ଷ ବୟସ୍କ ପୁରୁଷ ,ବଂ ୬୨ ବର୍ଷ ବୟସ୍କା ମହିଳା ଏଥିରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ ବାଲେଶ୍ୱର ଜିଲାରେ ଜଣେ ୩୮ ବର୍ଷ ବୟସ୍କ ପୁରୁଷ, ବଉଦରେ ୪୫ ବର୍ଷ ପୁରୁଷ, ଢେଙ୍କାନାଳ ଜିଲାରେ ୪୨ ବର୍ଷ ପୁରୁଷ, ଗଞ୍ଜାମ ଜିଲାରେ ୬୨ ବର୍ଷ ପୁରୁଷ ଏବଂ ପୁରୀ ଜିଲାରେ ଜଣେ ୬୩ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୨୩୨କୁ ବୃଦ୍ଧିପାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୬୬୧୬୪୭ ନମୁନା ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬୫୬୪୮ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ ୪୬୫୧୩୩ ଆରୋଗ୍ୟଲାଭ କରିସାରିଥିବାବେଳେ ରାଜ୍ୟରେ ୯୮୨୩୦ ସକ୍ରିୟ ସଂକ୍ରମିତ ରହିଛନ୍ତି।

ଅଷ୍ଟ୍ରେଲିଆ ଉପରେ ଆକ୍ରମଣ ଧମକ: ଚୀନ ସରକାରୀ ଗଣମାଧ୍ୟମ ଦେଲା ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ ଧମକ ….!

ଏଥର ସମ୍ଭାଳ (ବେଜିଂ) – ତାଇୱାନ ପ୍ରସଙ୍ଗ ଉପରେ ଅଷ୍ଟ୍ରେଲିଆ ଉପରେ ଚୀନ ଆକ୍ରମଣ କରିବ। ଅଷ୍ଟ୍ରେଲିଆ ଯଦି ତାଇୱାନ ପ୍ରସଙ୍ଗକୁ ନେଇ ସମ୍ଭାବ୍ୟ ସାମରିକ ବିବାଦରେ ସଂପୃକ୍ତ ହୁଏ ତେବେ ତାହା ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯିବ। ଏଭଳି ଧମକ ଦେଇଛି ଚୀନର ସରକାରୀ ଗଣମାଧ୍ୟମ। ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଗତ ସପ୍ତାହରେ ମୁ୍‍ଖ୍ୟ ସଂପାଦକ ହୁ ଜିଜିନ୍‍ଙ୍କ ଦ୍ୱାରା ପ୍ରକାଶିତ ସଂପାକଦୀୟରେ କୁହାଯାଇଛି, ଅଷ୍ଟ୍ରେଲିଆର ଅତିମାତ୍ରାରେ ବଳପ୍ରୟୋଗକୁ ପ୍ରତିହତ କରାଯିବା ଯୋଜନା ଚୀନ କରିବାର ଆବଶ୍ୟକତା ରହିଛି। ଏଥିରେ ହୁ କହିଛନ୍ତି, ଅଷ୍ଟେଲିଆ ଯଦି ତାଇୱାନ ପ୍ରସଙ୍ଗକୁ ନେଇ ସାମରିକ ବିବାଦରେ ଲିପ୍ତ ରହେ ତେବେ ଚୀନ ତାହା ଉପରେ ଦୀର୍ଘଗାମୀ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣକରିବା ଉଚିତ। ଏପରିକି ସେ କହିଛନ୍ତି, ଅଷ୍ଟ୍ରେଲିଆର ସାମରିକ ସ୍ଥଳ ଏବଂ ଅନ୍ୟ ଅଷ୍ଟେଲିଆ ମାଟିରେ ଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥଳଗୁଡିକ ଉପରେ ଆକ୍ରମଣ କରାଯିବା ଆବଶ୍ୟକ। ହୁ କହିଛନ୍ତି ଚୀନ ଶାନ୍ତି ଚାହେଁ, ତାହା ସତ୍ତେ୍ୱ ଅଷ୍ଟ୍ରେଲିଆ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବା ଧମକ ମଧ୍ୟ ଦେଉଛି। ଅଷ୍ଟ୍ରେଲିଆର ଗୃହ ସଚିବ ମାଇକ ପେଜୁଲୋ ‘ଯୁଦ୍ଧର ଦୁନ୍ଦୁଭି ବାଜିଛି’ ବୋଲି କହିବା ପରେ ଚୀନ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। ପେଜୁଲୋ ଦେଶର ସୈନ୍ୟବାହିନୀକୁ ବାର୍ତ୍ତାଦେଇ ନିର୍ଦ୍ଦିଷ୍ଟ ଭାବେ ଚୀନର ନାମ ଉଲ୍ଲେଖ କରିନଥିଲେ ମଧ୍ୟ କହିଥିଲେ ଯେ ରଣ ଦୁନ୍ଦୁଭି ବାଜିଛି। କେତେବେଳେ କ୍ଷୀଣ ଭାବରେ ଏଦଂ ଦୂରାନ୍ତରୁ ଏବଂ ଅନ୍ୟ କେତେବେଳେ ଜୋର୍‍ରେର ଏବଂ ଅତି ନିକଟରୁ ବାଜିଛି। ଗତମାସରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନ୍‍ ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ତାଇୱାନକୁ ନେଇ ସମ୍ଭାବ୍ୟ ବଡଧରଣର ବିବାଦକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ସତର୍କ କରାଇ ଦେଇଥିଲେ। ତାଇୱାନ ଉପରେ ବେଜିଂ ପୂର୍ଣ୍ଣ ଆଧିପତ୍ୟ ଜାହିର କରୁଛି। ୨୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ତାଇୱାନ ଚୀନର ଦକ୍ଷିଣ-ପୂର୍ବ ତଟରେ ଅବସ୍ଥିତ। ଅବଶ୍ୟ ସାତ ଦଶନ୍ଧିରୁ ଅଧିକ ସମୟ ଧରି ଦୁଇ ପଟ ପୃଥକ ଭାବରେ ଶାସିତ ହୋଇଆସୁଛି। ଚୀନର ମାତ୍ରାଧିକ ବଳପ୍ରୟୋଗକୁ ପ୍ରତିହତ କରିବାକୁ ତାଇପେ, ଆମେରିକା ଭଳି ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ସହିତ ସାମରିକ ସଂପର୍କ ବୃଦ୍ଧି କରିବାରେ ଲାଗିଛି, ଯାହାକୁ ବେଜିଂ ବରାବର ବିରୋଧ କରିଆସୁଛି। ଚୀନ ଧମକ ଦେଇ କହିଛି ଯେ ତାଇୱାନର ସ୍ୱାଧୀନତା ଅର୍ଥ ହେଉଛି ଯୁଦ୍ଧ। ଅଷ୍ଟ୍ରେଲିଆ ଏବଂ ଚୀନ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଘନୀଭୂତ ହେବାରେ ଲାଗିଛି। ସବୁଠାରୁ ବଡ କଥା ହେଉଛି, ଚୀନ ସରକାର ସାର୍ସ ଭୂତାଣୁକୁ ଅସ୍ତ୍ର ଭାବରେ ବ୍ୟବହାର କରିବାକୁ ଯୋଜନା କରୁଥିବା ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ନିକଟରେ ରିପୋର୍ଟ ପ୍ରକାଶ ପାଇବା ପରେ ବେଜିଂ ଓ କାନବେରା ମଧ୍ୟରେ ଉତ୍ତେଜନା ବୃଦ୍ଧିପାଇଛି।

ଗୋଷ୍ଠୀ ରୋଗ ପ୍ରତିରୋଧ କ୍ଷମତା ସୃଷ୍ଟି ପାଇଁ ଭାରତକୁ ୩.୫ ବର୍ଷ ଲାଗିବ ….!

ଏଥର ସମ୍ଭାଳ (ନୂଆଦିଲ୍ଲୀ) – ଭାରତରେ ସଂପ୍ରତି କୋଭିଡ-୧୯ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଯଦି ଜାରିରହେ, ତେବେ ଦେଶରେ ଗୋଷ୍ଠୀ ଶାରୀରିକ ରୋଗ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପାଖାପାଖି ୩.୫ ବର୍ଷ ଲାଗିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ସେମାନେ ଗତ ୧୦୦ ଦିନରେ ଦେଶରେ ହୋଇଥିବା ଟିକାକରଣକୁ ହିସାବକୁ ନେଇ କହିଛନ୍ତି ଯେ ଭାରତରେ ଟିକାକରଣ ଏକ ଦୀର୍ଘ ପ୍ରକ୍ରିୟା ଭାବରେ ଚାଲିବ। ଯଦି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ବୃଦ୍ଧି କରାନଯାଏ ଏବଂ ଅଧିକରୁ ଅଧିକ ଟିକାକୁ ଏହି ପ୍ରୟାସରେ ସାମିଲ କରାନଯାଏ ତେବେ କୋଭିଡ ମୁକାବିଲା ପାଇଁ ଦେଶକୁ ଦୀର୍ଘ ସମୟ ଲାଗିବ। ସୂଚନାଯୋଗ୍ୟ ଯେ ଭାରତ ସରକାରର କୋଭିସିଲ୍ଡ, କୋଭାକ୍ସିନ ସମେତ ରୁଷିଆ ଟିକା ସ୍ପୁଟନିକ-ଭି କୁ ଅନୁମତି ପ୍ରଦାନ କରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ ପାଖାପାଖି ୧୯ କୋଟି ପାନ ଟିକା ଦିଆଯାଇଛି। ପ୍ରତ୍ୟେକଙ୍କୁ ଦୁଇ ପାନ ଟିକା ଦେବାକୁ ହେବ। ଏହି ପ୍ରକ୍ରିୟା ଗତ ୧୧୫ ଦିନରୁ ଅଧିକ ସମୟ ହେଲା ଚାଲିଛି। ଦେଶର ୧୩୦ କୋଟି ଲୋକଙ୍କୁ ଦୁଇପାନ ଟିକା ଦେବାକୁ ୨୬୦ କୋଟି ପାନ ଆବଶ୍ୟକ।

୧୨ ମେ ବୁଧବାର : ଆଜିର ରାଶିଫଳ …!

ମେଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବ। ସୁସ୍ୱାଦୁ ଭୋଜନ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ବୃଷ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସମାଜରେ ମାନସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: ଆତ୍ମୀୟମାନେ କଟୁ କଥା କହିବେ। ଫଳରେ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଉଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଗ୍ରୋସୋରୀ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଭଲ ଲାଭ ପାଇବେ।

ସିଂହ: ନୂତନ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ଆଶା କରୁଥିବା କଥା ଅଚାନକ ପୂରଣ ହେବ। ମିଡିଆ ସେକ୍ଟରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

କନ୍ୟା: ପ୍ରତିଟି ସମସ୍ୟାକୁ ଅତି ସହଜରେ ସମାଧାନ କରିବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାଖରେ ଦୁବ ଘାସ ରଖନ୍ତୁ, ଶୁଭ ଫଳ ପ୍ରାପ୍ତି ହେବ।

ତୁଳା: ଅପରାହ୍ନରେ ପାରିବାରିକ ଅଶାନ୍ତି ଦେଖାଦେଇପାରେ। ଭାତୃବିବାଦ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ବ୍ୟୟ ବୃଦ୍ଧି ହେବ।

ବିଛା: ଜୀବନ ସାଥୀଙ୍କ ସହ ସମୟ ବିତାଇବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେଇପାରେ। କାହା ସହିତ କଥା କଟାକଟି ହୋଇପାରେ।

ଧନୁ: ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।

ମକର: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ। ନଚେତ୍ ଅଯଥା ବିବାଦ ଦେଖାଦେବ। ଆୟ ଅନୁପାତରେ ବ୍ୟୟ ଅଧିକ ହେବ।

କୁମ୍ଭ: ବ୍ୟବସାୟ ବଢ଼ାଇବା ପାଇଁ ବନ୍ଧୁଙ୍କର ପରାମର୍ଶ ନେଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟକୁ ଉତ୍ସାହର ସହିତ କରିବେ। ଜୀବନ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଅର୍ଥାଭାବ ଦେଖାଦେବ।

ମୀନ: ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ମାନସମ୍ମାନ ବଢ଼ିବ। ବିଦେଶରୁ କୌଣସି ଶୁଭ ଖବର ଆସିପାରେ।