ଜଙ୍ଗଲ ବିଭାଗର ନାଁ ବଦଳିଲା, କ୍ୟାବିନେଟ ଦେଲେ ଅନୁମୋଦନ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁ ପରିବର୍ତ୍ତନ ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ ଦେଇଛନ୍ତି। ଏହାସହିତ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସାମୁହିକ ଟିକାକରଣ ମାଧ୍ୟମରେ ରାଜ୍ୟବାସୀଙ୍କୁ କୋଭିଡ୍‌-୧୯ରୁ ସୁରକ୍ଷିତ ରଖିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କ୍ରୟ କରିବାର ସଂକଳ୍ପ ପ୍ରସ୍ତାବ ସମେତ ଅନ୍ୟ ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁକୁ ପରିବର୍ତ୍ତନ କରାଯାଇ ‘ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ’ ରଖାଯାଇଛି। କ୍ୟାବିନେଟ ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି। ସେହିପରି ଓଡ଼ିଶା ନର୍ସିଂ କଲେଜ ଶିକ୍ଷା ସେବାରେ ନିଯୁକ୍ତି ପାଇଁ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ରୁଲ୍ ପ୍ରସ୍ତୁତ କରାଯାଇଛି। ଏହାକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି। ସେହିପରି ଜଳସେଚିତ କମାଣ୍ଡ ଅଂଚଳରେ ଜଳ ପରିଚାଳନା ଗତିବିଧି ଓ କମାଣ୍ଡ ଏରିଆ ବିକାଶ, ବିଜୁ କୃଷକ ବିକାଶ ଯୋଜନା ଓ ଡିପ୍ ବୋରୱେଲ ସେଚ ଯୋଜନାରେ ସୋଲାର ପମ୍ପ ବ୍ୟବସ୍ଥାରେ ଗଭୀର ନଳକୂପ ଖନନ କରି ଭୂତଳ ଜଳ ସମ୍ବଳର ଉପଯୋଗ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ବିଶ୍ୱକପ ହକି ନିମନ୍ତେ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ଟେଣ୍ଡର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ରାଉରକେଲାଠାରେ ଆନ୍ତର୍ଜାତିକ ହକି ଷ୍ଟାଡ଼ିୟମ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ସେହିପରି ମେଡିକାଲ ଅକ୍ସିଜେନ୍ ଓ କଣ୍ଟେନର ନିର୍ମାଣ ଓ ରିଫିଲିଂ ନିମନ୍ତେ ନକରାତ୍ମକ ତାଲିକାର ସଂଶୋଧନ କରାଯିବା ସହ ଓଡ଼ିଶା ପରିବହନ-ଟ୍ରାଫିକ ଓ ଏନଫୋସମେଣ୍ଟ ରୁଲ-୨୦୧୩ରେ ସଂଶୋଧନ, ଓଡ଼ିଶା ଲୋକସେବା ଆୟୋଗ ବାର୍ଷିକ ରିପୋର୍ଟ-୨୦୧୭-୧୮, ଓଡିଶା ଏକ୍ସ-ସର୍ଭିସମ୍ୟାନ ରୁଲ(ରାଜ୍ୟ ସିଭିଲ ସର୍ଭିସ ଓ ପଦବୀ) ରୁଲସରେ ସଂଶୋଧନ, ୨୦୨୧ରେ ରାଜ୍ୟରେ ବାହାରେ ଗୃହ ବିଭାଗ ଦ୍ୱାରା ପରିଚାଳିତ ଭବନଗୁଡ଼ିକରେ ଆବାସିକ ସୁବିଧା ଓ ଅନ୍ୟ ସେବା ନିମନ୍ତେ ରୁଲ୍ ପ୍ରସ୍ତୁତ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି।

୧୧ ମେ’, ମଙ୍ଗଳବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। କ୍ଷୁଦ୍ର ବ୍ୟବସାୟୀମାନେ କ୍ଷତି ସହିବେ। ନୂତନ ଆୟ ପନ୍ଥା ପାଇଁ ଚେଷ୍ଟା କରିବେ। ପରିବାରରେ ହସଖୁସିର ବାତାବରଣ ରହିବ।

ବୃଷ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ନିଜ ଲୋକଙ୍କ ବିରୋଧର ଶିକାର ହେବେ। ଜଗି ରଖି ଚଳିବାକୁ ପଡ଼ିବ।

ମିଥୁନ: ପରିଶ୍ରମ ଅନୁସାରେ ଫଳ ନମିଳିପାରେ। ଶରୀର ସୁସ୍ଥ ରହିବ। ନିଜକୁ ବିଭିନ୍ନ କାମରେ ନିୟୋଜିତ ରଖିବେ।

କର୍କଟ: କର୍ମକ୍ଷେତ୍ରରେ ସମ୍ମାନ ମିଳିବ। ମନ ଖୁସି ରହିବ। ପାରିବାରିକ ସମସ୍ୟାର ସମାଧାନ ହେବ।

ସିଂହ: ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। କୌଣସି ଜନହିତକର କାର୍ଯ୍ୟ କରିବା ପାଇଁ ଚିନ୍ତା କରିବେ। ବନ୍ଧୁଙ୍କଠାରୁ ସହଯୋଗର ପ୍ରତିଶ୍ରୁତି ମିଳିବାରୁ ଖୁସି ଅନୁଭବ କରିବେ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଆୟ କରିବେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ଅପରାହ୍ଣରେ ମନରେ ଅସ୍ଥିରତା ଦେଖାଦେବ। ତେବେ ଧୈର୍ଯ୍ୟ ରଖି ସବୁ କାମ କରିବାକୁ ପଡ଼ିବ।

ବିଛା: ଆର୍ଥିକ ସ୍ଥିତି ସୁଧୁରିଯିବ। ଶାରୀରିକ କଷ୍ଟ ଦୂର ହେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ। ଭବିଷ୍ୟତ ପାଇଁ ଯୋଜନା କରିବେ।

ଧନୁ: କୌଣସି ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିପାରେ। ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପିଲାମାନଙ୍କ କାର୍ଯ୍ୟରେ ଖୁସି ଅନୁଭବ କରିବେ।

ମକର: ବକେୟା ଅର୍ଥ ପାଇ ପାରନ୍ତି। ପାରିବାରିକ କଳହ ଦେଖାଦେବ। ଗୁପ୍ତଶତ୍ରୁଙ୍କ ସଂଖ୍ୟା ବଢ଼ିବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ।

କୁମ୍ଭ: ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ଅଧିକରୁ ଅଧିକ ଅର୍ଥ ସଞ୍ଚୟ କରିବା ଦିଗରେ ଗୁରୁତ୍ୱ ଦେବେ। ପିଲାମାନଙ୍କର ଭବିଷ୍ୟତ ପାଇଁ ବାପାମା’ ଚିନ୍ତାଗ୍ରସ୍ତ ହେବେ।

ମୀନ: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖା ଦେବ। କୌଣସି କାର୍ଯ୍ୟ ପାଇଁ ଦୁଃଖ ପ୍ରକାଶ କରିପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ।