ସାମୂହିକ ଟିକାକରଣ ପାଇଁ ହେବ ଗ୍ଲୋବାଲ ଟେଣ୍ଡର: ମୋଟ ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍ ପରିଚାଳନା ଓ ମହାମାରୀକୁ ରୋକିବା ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ଅନୁମୋଦନ ସହ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅନ୍ୟ ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଓ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ତଥା ଏଥିପାଇଁ ଏକ ସଂକଳ୍ପ ଗୃହୀତ ହୋଇଛି। କ୍ୟାବିନେଟ୍ ଆଜି କୋଭିଡ୍ ଯୋଦ୍ଧାମାନଙ୍କର କାର୍ଯ୍ୟର ଉଚ୍ଚ ପ୍ରଶଂସା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ଲୋକଙ୍କୁ ନିବେଦନ କରିଛନ୍ତି। ଏହି କ୍ୟାବିନେଟ୍ ବୈଠକରେ ଗୃହୀତ ସଂକଳ୍ପ ଅନୁସାରେ, କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇରେ କୋଭିଡ୍ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ କରୁଛନ୍ତି କ୍ୟାବିନେଟ ତା’ର ଉଚ୍ଚ ପ୍ରଶଂସା କରିଛି । କୋଭିଡ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା- ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ ଲକଡାଉନ୍ ଆଦିରେ ରାଜ୍ୟବାସୀଙ୍କ ସହଯୋଗ କରିଥିବାରୁ କ୍ୟାବିନେଟ କୃତଜ୍ଞତା ଜଣାଇଛି। ଭବିଷ୍ୟତରେ କୋଭିଡ୍ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଟିକାକରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ୟାବିନେଟ ଅନୁଭବ କରିଛନ୍ତି। ଇସ୍ରାଏଲ ପରି ଦେଶ ଯେଉଁମାନେ ଏବେ ନିଜ ଜନସଂଖ୍ୟାର ବୃହତ ଭାଗକୁ ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ୱାଭାବିକତା ଆଡ଼କୁ ଫେରୁଛନ୍ତି । ତେଣୁ ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ ଆଗଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ଟିକା ଉପରୁ ସମସ୍ତ ପ୍ରକାରର ଟିକସ ଉଠାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି ଓ ଏହାଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଓ ସାମୁହିକ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ। କୋଭିଡ୍ ବିରୁଦ୍ଧରେ ଚାଲିଥିବା ଏହି ଲଢ଼େଇ ବହୁତ ଲମ୍ବା ଚାଲିବ। ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ମାଧ୍ୟମରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ବଣ୍ଟନ କରିବାର ଆବଶ୍ୟକତା ରହିଛି। ତେଣୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଏହା କୋଭିଡ୍ ଲଢ଼େଇରେ ରାଜ୍ୟମାନଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଶକ୍ତି ଯୋଗାଇବ ବୋଲି କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି।କ୍ୟାବିନେଟ ମଧ୍ୟ ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ୍ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରୁଥିବା ଓ କୋଭିଡ୍ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଦୃଢ଼ ସଂକଳ୍ପର ପୁନଃଘୋଷଣା କରିଛନ୍ତି। ଏହି ଅବସରରେ ରାଜ୍ୟ କ୍ୟାବିନେଟ୍ ପୁଣିଥରେ ରାଜ୍ୟବାସୀଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ଆବଶ୍ୟକତା ନଥିଲେ ବାହାରକୁ ନଯିବା ପାଇଁ ଅନୁରୋଧ କରିଛନ୍ତି।

ଟିକା ନେବାକୁ ଆସି ଘରକୁ କରୋନା ନେବେନି ତ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ବାସୁଦେବପୁର) – ଟିକାକରଣ କେନ୍ଦ୍ରରେ କରୋନା କଟକଣାକୁ ଫୁ। ସାମାଜିକ ଦୂରତା ଭୁଲିଗଲେ ଲୋକେ । ଟିକା କେନ୍ଦ୍ରରେ ଅମ୍ଭାଳ ଭିଡ ଦେଖି ନାକେଦମ ହୋଇଛି ପୁଲିସ । ଆଜି ଏପରି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବ ଡାକ୍ତରଖାନାରେ । ଲୋକଙ୍କ ଠେଲାପେଲା ଦେଖିଲେ ଲାଗୁଛି, ଟିକା ପାଇଁ ନୁହେଁ, ଘରକୁ କରୋନା ନେବା ପାଇଁ ଆସିଛନ୍ତି ? ବାସୁଦେବପୁର ଡାକ୍ତରଖାନାରେ କରୋନା ଟିକାକରଣ କରାଯାଉଛି। ଟିକା ନେବା ପାଇଁ ପ୍ରତିଦିନ ଲୋକମାନେ ଆସୁଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଅନେକ ପଞ୍ଜିକରଣ କରୁନଥିବା ଦେଖିବାକୁ ମିଳୁଛି। ଯାହାକୁ ନେଇ ଅଜଥାରେ ଭିଡ ହେଉଛି।ତେବେ ଭିଡକୁ ଏଡାଇବା ପାଇଁ ମେଡିକାଲଠାରୁ 500 ମିଟର ଦୂରରେ ବିଇଓ ଅଫିସରେ କ୍ୟାମ୍ପସରେ ପଞ୍ଜିକରଣ କରିବାକୁ ରବିବାର ଘୋଷଣା କରାଯାଇଥିଲା।ଲୋକମାନେ ଏ ସମ୍ପର୍କରେ ଜାଣିପାରି ଆଜି ଭୋର 4ଟାରୁ ପଞ୍ଜିକରଣ କରିବାକୁ ଲାଇନ ଦେଇଥିଲେ। 400 ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା ଥିବା ବେଳେ ଲାଇନରେ ଛିଡ଼ା ହୋଇଥିଲେ 2000 । ତେବେ ସୋମବାର କୋଟା 400 ଲୋକଙ୍କ ପାଇଁ ପଞ୍ଜିକରଣ ସରିବା ପରେ ଦେଖାଦେଇଥିଲା ଉତ୍ତେଜନା । ଘଟଣା ସ୍ଥଳରେ ଠେଲାପେଲା ହୋଇଥିଲା। ଯାହା ଫଳରେ ପୁଲିସକୁ ଭିଡ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।ଆଜିର ଏ ଅବସ୍ଥା ଦେଖି କଠୋର ହୋଇଛନ୍ତି ପ୍ରଶାସନ । ଆସନ୍ତା କାଲି ଦିଆଯିବାକୁ ଥିବା 300 ଡୋଜ ପାଇଁ ଧାଡ଼ିରେ କେବଳ300 ଲୋକଙ୍କୁ ଛିଡ଼ା ହେବାକୁ ପରାମର୍ଶ ଦିଆଯାଇଛି । ଆଜି 200 ମହିଳା ଓ 200 ପୁରୁଷ କରୋନା ଟିକା ନେଇଛନ୍ତି । ବାସୁଦେବପୁର ପରି ସମାନ ଚିତ୍ରଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।ଏଠାରେ ଟିକା ନେବା ପାଇଁ ଲୋକମାନେ ଲମ୍ବା ଲାଇନରେ ଛିଡ଼ା ହୋଇଥିଲେ । ଲୋକମାନେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ । ଟିକା ନେବା ପାଇଁ ଠେଲାଠେଲି ହେଉଥିବା ଦେଖିବାକୁ ମିଳିଛି । ଟିକା କେନ୍ଦ୍ର ସମ୍ମୁଖରେ ବିଶୃଙ୍ଖଳା ପରିବେଶ ସୃଷ୍ଟି ହେଉଥିବା ଦେଖି ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରୁଥିଲା । କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ସାମାଜିକ ଦୂରତା ଭୁଲି ଟିକା ପାଇଁ ପ୍ରବଳ ଗହଳି ଲଗାଇ ଥିଲେ । ସ୍ଥିତି ଏଭଳି ହୋଇଛି ଯେ ଭ୍ୟାକ୍ସିନେସନ ସେଣ୍ଟରରେ ୧୫୦ ଟିକା ଥିବା ବେଳେ ହଜାରେରୁ ଅଧିକ ଲୋକେ ଭିଡ଼ ଜମାଇଥିଲେ । କେହି କେହି ତ ରାତି ୨ଟାରୁ ଆସି ଲାଇନ ଲଗାଇଥିବା ଜଣାପଡ଼ିଛି ।

ଟିକା କେନ୍ଦ୍ରରେ ସାମାଜିକ ଦୂରତାକୁ ଫୁ’..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ଜଗତସିଂହପୁର) – ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମୋଟ ୩୫ଟି ସ୍ଥାନରେ ଟିକାକରଣ ପାଇଁ ବ୍ୟବସ୍ଥା ହୋଇଛି । ଟିକା ଗ୍ରହଣ କେନ୍ଦ୍ର ମାନଙ୍କରେ ଟୀକା ନେବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି।   ଟିକା ଅଭାବରୁ ଅଧିକାଂଶ ଟାକାକରଣ କେନ୍ଦ୍ର ବନ୍ଦ ରହିଥିବାବେଳେ  ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଆଉଟଡୋର ସମେତ ମୋଟ 24ଟି ସ୍ଥାନରେ ଟିକାକରଣ ଚାଲିଛି।  ଅନେକ ସ୍ଥାନରେ କୋଭିଡ ଗାଇଡ ଲାଇନ ପାଳନ ହୋଇନଥିବା ଦେଖିବାକୁ ମିଳିଛି । ରଘୁନାଥପୁର ରେଢୁଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବାଲିକୁଦା ବୋରିକିନା ସ୍ୱାସ୍ଥ୍ୟକେନ୍ଦ୍ରରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । ସମୟ ଅତିକ୍ରାନ୍ତ ଭୟରେ 2ୟ ଡୋଜ ନେବା ପାଇଁ ରାତି 4ଟାରୁ ଲୋକମାନେ ଏଠାରେ ଲାଇନ ଲଗାଇଥିଲେ।  ରେଢୁଆରେ ଭିଡ ଯୋଗୁ ଠେଲାପେଲା ହୋଇଥିଲା ଏବଂ 2 ଜଣ ବରିଷ୍ଠ ନାଗରିକ ସାମାନ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବୋରିକିନାଠାରେ ମଧ୍ୟ ଟିକା ନେବା ପାଇଁ ଧାଡିରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରେ ଠେଲାପେଲା ହେବାରୁ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।  ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୁଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ । ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଳା ମୁଖ୍ୟ ଚିକତ୍ସା ଅଧିକାରୀ ଡାଃ ବିଜୟା ପଣ୍ଡା କହିଛନ୍ତି ଯେ, ଅନେକ ଲୋକଙ୍କର ସମୟ ସରି ଆସୁଥିବାରୁ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ କେବଳ 2ୟ ଡୋଜ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  ଅଧିକ ଟିକା ଆସିଲେ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସେ କହିଛନ୍ତି।

ହସ୍‌ପିଟାଲ୍‌ରେ ଲାଞ୍ଚ କାରବାର: ଏସ୍‌ଡିଏମ୍‌ଓଙ୍କୁ ବଦଳି, ଆଟେଣ୍ଡାଣ୍ଟ ନିଲମ୍ବିତ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ବଲାଙ୍ଗୀର) – ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର। ଜଣେ ଏସ୍‌ଡିଏମ୍‌ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର। ପାଟଣାଗଡ଼ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍‌ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଓ କିଛି ଟଙ୍କା ପକେଟରେ ଭର୍ତ୍ତି କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅସ୍ଥିଶଲ୍ୟ ବିଭାଗ ଓପିଡିର ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ର ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏ ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗିର ସିଡିଏମ୍‌ଓ ଡାକ୍ତର ଭୀମ ସାହୁ କହିଛନ୍ତି, ପାଟଣାଗଡ଼ ଏସଡିଏମଓ ଡାକ୍ତର ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଜିଲ୍ଲା ହସପିଟାଲକୁ ବଦଳି କରାଯାଇଛି। ତା’ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ୱନ କରାଯାଇଛି। 

ମୁନୀଗୁଡା ରେ ଚାରିଗୁଣା ଚଢା ଦାମରେ ଚୋରା ଵିଦେଶୀ ମଦ ର ବନ୍ୟା ; ଟେର ପାଉନି ପୋଲିସ୍ , ସନ୍ଦେହରେ ଜନତା, ଛି ଛା ହେଉଛନ୍ତି ମଦ୍ୟପ ।

!!! ରାୟଗଡ଼ା ଜିଲ୍ଲା ମୁନିଗୁଡା ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁନିଗୁଡା) – ରାୟଗଡା ଜିଲ୍ଲାର ପ୍ରମୁଖ ଜନଗହଳି ଓ ବ୍ୟବସାୟିକ ପେଣ୍ଠସ୍ଥଳୀ ମୁନିଗୁଡା କହିଲେ ଅତ୍ୟୁକ୍ତି ହେବନାହିଁ। ଏଠାରେ ଚୋରାରେ ଦେଶୀ ଵିଦେଶୀ ମଦ ସହିତ ନକଲି ମଦର ମଧ୍ୟ ବନ୍ୟା ସୃଷ୍ଟି ହୁଏ। ଏହା ଦ୍ଵାରା ଏଠାରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ମହିଳା ଏବଂ ଭଦ୍ର ବ୍ୟକ୍ତି ମାନେ ମଧ୍ୟ ମାଦକ ଦ୍ରବ୍ୟ ସେବନ କରିଥିବା ମଦୁଆଙ୍କ ଦୁର୍ବ୍ୟବହାର ରୁ ବାଦ୍ ପଡି ନ ଥିଲେ। ମଦ ଦୋକାନ ବନ୍ଦ ପାଇଁ ଭଦ୍ର ମହିଳା ଓ ପୁରୁଷ ମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଅସାଧୁ ଲୋକପ୍ରତିନିଧି ଓ ପ୍ରଶାସନର ପ୍ରୋତ୍ସାହନରେ ମୁନିଗୁଡାରେ ଵିଦେଶୀ ମଦ ଦୋକାନ ସରକାରୀ ସିକୃତି ପାଇ ସ୍ଥାୟୀ ହୋଇଗଲା। ଫଳରେ ବହୁ ଛାତ୍ରଛାତ୍ରୀ ଓ ଯୁବପିଡି ପଥଭ୍ରଷ୍ଟା ହୋଇ ଅର୍ଥ ଅପଵ୍ୟୟ କରିଚାଲିଲେ। ମଦୁଆଙ୍କ ଭୟରେ ଵହୁ ସମୟରେ ଝିଅ ଵୋହୁ ଯାତାୟତ କରିବାକୁ ଅମଙ୍ଗ ମଣୁଥିଲେ। କ୍ରମସ ମଦ୍ୟପଙ୍କ ସଙ୍ଖ୍ୟା ଵୃଦ୍ଧି ପାଇବାରେ ଲାଗିବାସହ ସାହି ସାହି ଗଳିକନ୍ଦି ରେ ଦେଶୀ ବିଦେଶୀ ଚୋରା ମଦର ଆସର ଜମିଗଲା । କିଛି କିଛି ସ୍ଥାନେ ପୋଲିସ ତରଫରୁ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ପୁନରାୟ ଯେଉଁ ତିମିରକୁ ସେହି ତିମିର ହୋଇଗଲା । ହେଲେ ଚଳିତ ବର୍ଷ ମୁନିଗୁଡାର ସରକାରୀ ବିଦେଶୀ ମଦ ଦୋକାନ ନିଲାମ ହେବାପରେ ନୂତନ ମାଲିକ ନିଲାମ ଧାରୀ ହୋଇ ଏଠାରେ ମେ ମାସ ଏକ ତାରିଖରେ ମଦ ଦୋକାନ ଖୋଲିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଯାଇଥିଲା। କିନ୍ତୁ କୌଣସି କାରଣ ବଶତଃ ଆଜି ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ନ ହେବାରୁ ଵିଚରା ମଦ ଗ୍ରାହକ ମାନେ ବାୟା ଵିଚଳା ହୋଇ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ସୁଯୋଗରେ ପୁରୁଣା ମଦ ଦୋକାନରେ ଥିଵା ଶହ ଶହ ସଂଖ୍ୟାରେ ମଦ ଚୋରାରେ ମୁନିଗୁଡା ସମେତ ବିଭିନ୍ନ ସ୍ଥାନରେ ବିକ୍ରି ପାଇଁ ଏଜେଣ୍ଟ ସୃଷ୍ଟି କରି ଵିଭିନ୍ନ ଗାଡି ଵସ୍ ଆଦିରେ ପଠାଗଲା, ହେଲେ ଏହି ଚୋରା ଵେପାରୀ ମାନେ ପୂର୍ବରୁ ଥାନା ସହିତ ସଲାସୁତରାରେ ଵେପାର କରୁଥିଲେ ମଧ୍ୟ ଏଵେ ଥାନାରେ ତାଙ୍କ ମନ୍ତ୍ର କିଛି କାମ କରୁନି କି ଏପରି ଚୋରା ଵେପାରୀଙ୍କୁ ଥାନା ତରଫରୁ କୌଣସି ସୁଯୋଗ ଦିଆଯାଉନି। ଏବେକାର ଥାନା ଅଧିକାରୀଣୀ ଓ ଏସ୍ ଡି ପି ଓ ଙ୍କ ଜାଲରୁ ଏହି ମଦଚାଲାଣ ଖସିନପାରି ବସ୍ ଓ ଟ୍ରାକ୍ଟର ରୁ ମଦ ଜବତ କରାଯିବା ସହ ଏହି କାର୍ଯ୍ୟ ଅବ୍ୟାହତ ଯାରି ରଖିଛନ୍ତି । ଆଉ କିଛି ଚୋରା ଭାଙ୍ଗ ଗୁଟୁକା ଵେପାରୀଙ୍କ ଭଳୀ ନୂଆ ଵେପାରୀ କିଛି ନିଜର ଚା ଖୈନୀ ଦୋକାନ, ପରିବା ଦୋକାନ, ସିମେଣ୍ଟ ଦୋକାନ, ଖାତା ବହି ଦୋକାନ, ଠେଲାଜଳଖିଆ ଦୋକାନ ଛାଡି ଚୋରା ମଦ ବିକ୍ରି ପାଇଁ ଓହ୍ଲାଇ ପଡୁଛନ୍ତି। ଏହି ଲକ୍ଡାଉନ ସେମାନଙ୍କ ପାଇଁ ପୁସୁମାସ ହୋଇଥିବା ବେଳେ ଅନ୍ୟ କାହାପାଇଁ ସର୍ବନାସରେ ପରିଣତ ହୋଇଛି। ସାହି ସାହି ରେ ମଦ ମିଳୁଛି ବାଇକରେ ଧରି ଡୋର ଡେଲିଭରି ଦିଆଯାଉଛି, ସେମାନଙ୍କର ପୋଲିସକୁ ଖାତିରିନା଼ହି, ଯେଉଁ ମଦବୋତଲ ଉପରେ ଧାର୍ଯ୍ୟ ଦାମ ଲେଖା ଅଛି ତାଠାରୁ ଚାରିଗୁଣ ଦାମରେ ଵିକ୍ରି କରାଯାଉଛି। ସେଥିପାଇଁ ଵହୁତ ନୂଆ ନୂଆ ଲୋକମାନେ ଏହି ବେପାରକୁ ଅର୍ଥ ଲୋଭରେ ଓହ୍ଲାଇ ପଡିଛନ୍ତି ,ଯାହାକି ଆନୁମାନିକ ଦୈନିକ ପ୍ରାୟ ଆଠରୁ ଦଶହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଏହାର ଏକମାତ୍ର କାରଣ ନୂତନ ଦୋକାନ ଆଜିପର୍ଯନ୍ତ ଖୋଲାନହେବାରୁ ଅଭ୍ୟସ୍ତ ମଦ୍ୟପ ଵ୍ୟକ୍ତି ମାନେ ଚଢା ଦାମରେ ଏହି ଚୋରା ମଦ କିଣି ଅର୍ଥାଭାବରୁ ଘରକଳନା ଯାବତୀୟ ଜିନିଷ ବିକ୍ରିକରି ମଦପିଇବାକୁ ବାଧ୍ୟ ହେଉଛନ୍ତି ଫଳରେ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେଉଛି । ସାହି ସାହିଠାରୁ ଆରମ୍ଭ କରି ବଜାର ମେନ୍ ରୋଡ, ଫିଲ୍ମି ହଲ ଲାଇନ, ଗୋବର୍ଦ୍ଧନ, ଏବଂ ବାଇକରେ ଵୁଲାଵିକାଳି ମାନଙ୍କର ମଦ ଆସର ଵୁଲିଚାଲୁଛି। ଏ ନେଇ ପୁଲିସ୍ ଙ୍କ ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ମହାମାରୀ କରୋନା ର ଘଢି ସନ୍ଧିମୂହୂର୍ତରେ ଏପରି ଅନିୟମିତ କାର୍ଯ୍ୟ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳଵାସୀ ଦାଵୀ କରିବା ସହ ଲୋକମାନେ ଚୋରା ମଦ ଵେପାରୀଙ୍କ ଅର୍ଥ ଶୋଷଣ କାରୀଙ୍କଠାରୁ ରକ୍ଷା ପାଇପାରିଵେ।

ପୁଣି ଜୟଲଳିତାଙ୍କ ଦୁଇ ଅନୁଗତ ମଧ୍ୟରେ ତେଜିଲା କଳି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ତାମିଲନାଡୁ ରାଜନୀତିରେ ଏଆଇଏମଡିଏମକେ କ୍ଷମତାରୁ ହଟିବା ପରେ ପୁଣିଥରେ ଇପିଏସ ଓ ଓପିଏସ କଳି ରିଟର୍ଣ୍ଣ କରିଛି। ଏବେ ଏହି କଳି ବିରୋଧୀ ଦଳ ନେତା ପଦବୀ ପାଇଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡାପଡି କେ ପଲାନିସ୍ୱାମୀ (ଇପିଏସ) ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଓ. ପନ୍ନୀରସେଲଭମ୍ (ଓପିଏସ) କ୍ୟାମ୍ପ ବିରୋଧୀ ଦଳର ନେତା ପଦବୀ ପାଇଁ ମୁହାଁମୁହଁ ହୋଇଛନ୍ତି। ପରାଜୟର କାରଣ ପରସ୍ପରକୁ ଦୋଷ ଦେଉଛନ୍ତି। ତେବେ ଇପିଏସ ବିରୋଧୀ ଦଳର ନେତା ହେବା ନେଇ ଅଧିକ ସକାରାତ୍ମକ ଯୁକ୍ତି ରହିଛି। ଯାହାକି ଓପିଏସଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି। ଇପିଏସ ସମର୍ଥକ ବିଧାୟକ କହିଛନ୍ତି, ପଲ୍ଲାନିସ୍ୱାମୀ ନିଜ ବିଧାନସଭା ଆସନ ଏଡାପଡି ଆସନରୁ ଡିଏମକେ ପ୍ରାର୍ଥୀଙ୍କୁ ୯୩,୮୦୨ ଖଣ୍ଡ ଭୋଟରେ ହରାଇଛନ୍ତି। ଯାହାକି ତାମିଲନାଡୁ ବିଧାନସଭା ନିର୍ବାଚନରେ ରେକର୍ଡ। ଆଉ ଉତ୍ତର ଏବଂ ପଶ୍ଚିମ ତାମିଲନାଡୁରେ ପଲାନିସ୍ୱାମୀ ୫୪ଟି ଆସନରୁ ୩୨ଟି ଆସନରେ ଦଳକୁ ଜିତାଇଛନ୍ତି। ହେଲେ ଓପିଏସ ଦକ୍ଷିଣ ତାମିଲନାଡ଼ୁର ଜଣେ ଟାଣୁଆ ନେତା ଭାବରେ ଜଣାଶୁଣା। ଦିବଂଗତ ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଜୟଲଳିତାଙ୍କ ଅନୁଗତ ଭାବରେ ଓପିଏସଙ୍କର ଲୋକପ୍ରିୟତା ମଧ୍ୟ ରହିଛି। ହେଲେ ସେ ତାଙ୍କର ଡିଏମକେ ପ୍ରତିଦ୍ୱନ୍ଦୀଠୁ ମାତ୍ର ୧୧,୦୨୧ ଖଣ୍ଡ ଭୋଟରେ ଥେନି ଜିଲ୍ଲାର ବୋଦିନୟକନୁଅର ଆସନରି ବିଜୟୀ ହୋଇଛନ୍ତି।  ଦକ୍ଷିଣ ତାମିଲନାଡୁର ମୋଟ୍ ୬୦ଟି ଆସନରୁ ୧୬ଟି ଆସନରେ ଏଆଇଏମଡିଏମକେ ବିଜୟୀ ହୋଇଛି। ଯେଉଁଥିପାଇଁ ଡିଏମକେ ସରକାର ଗଢ଼ିବାରେ ସଫଳ ହେଲା ବୋଲି ଇପିଏସ ଗୋଷ୍ଠୀ କହିଛନ୍ତି। ତେବେ ଓପିଏସ ଗୋଷ୍ଠୀ କହିଛନ୍ତି ମୁଖ୍ୟମନ୍ତ୍ରୀ ବହୁ ବିଳମ୍ୱରେ ବାଣିୟାର କମ୍ୟିନିଟିକୁ ସଂରକ୍ଷଣ ଦେବେ ବୋଲି ଘୋଷଣା କଲେ। ଯଦି ଆଗୁଆ ହୋଇଥାନ୍ତା ତାହେଲେ ଭୋଟ୍ ଏଆଇଏମଡିଏମକେ ସମର୍ଥନରେ ରହିଥାନ୍ତା। ଅନ୍ୟପଟେ ଡିଏମକେ ବିଧାୟକ ଦଳର ନେତା ଭାବରେ ଏମ୍ କେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଆଗାମୀ ୧୨ ତାରିଖ ଦିନ ବାଚସ୍ପତି ନିର୍ବାଚନ ହେବ। ଶନିବାର ବିଧାନସଭାର ସଚିବ ଏହି ନିର୍ବାଚନ ପାଇଁ ବିଜ୍ଞପ୍ତି ଘୋଷଣା କରିଛନ୍ତି। ତେଣୁ ବିଧାନସଭାର ନିୟମ ଅନୁଯାୟୀ ବାଚସ୍ପତିଙ୍କୁ ତାଙ୍କ ଆସନ ପାଖକୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତା ସମ୍ମାନର ସହ ପାଛୋଟି ନେବେ। ତେଣୁ ୧୧ ତାରିଖ ସୁଦ୍ଧା ବିରୋଧୀ ଦଳର ନେତା ଘୋଷଣା ହେବା ଦରକାର। ସୂଚନାଯୋଗ୍ୟ, ଜୟଲଳିତାଙ୍କ ଦେହାନ୍ତ ପରେ ଏହି ଦୁଇ ଅନୁଗତ ମଧ୍ୟରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଆସନ ପାଇଁ ଓପିଏସ ଓ ଇପିଏସ ଜିଦ୍ ଧରି ବସିବା ପରେ ଦଳ ଦୁଇଫାଳ ହୋଇଯିବ ବୋଲି କୁହାଯାଉଥିଲା। କିନ୍ତୁ ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ବିଜେପିର ହସ୍ତକ୍ଷେପ ପରେ ଉଭୟ ଏକାଠି ହୋଇଥିଲେ। ତେଣୁ ଏବେ ମଧ୍ୟ ବିଜେପି ବଡ଼ ଭାଇର ଭୂମିକା ଲିଭାଇ ଓପିଏସ, ଇପିଏସଙ୍କୁ ବୁଝାଇ ବିରୋଧୀ ଦଳର ନେତା ପାଇଁ ଥିବା ଦ୍ୱନ୍ଦ ଉପରୁ ପରଦା ହଟାଇବ ବୋଲି କୁହାଯାଉଛି। କାରଣ ରାଜ୍ୟରେ ବିଜେପି, ଏଆଇଏଡିଏମକେ ସହ ମିଶି ବିଧାନସଭା ନିର୍ବାଚନ ଲଢ଼ିଥିଲା।

ବିଜେଡିକୁ ବହୁ ବିଳମ୍ବରେ ବାଧିଲା ତୈଳ ଦର, ଅଙ୍କ ଅଡ଼ୁଆ ହେଲା କି ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଚଳିତ ବର୍ଷ ଆରମ୍ଭରୁ ତୈଳଦର କ୍ରମାଗତ ବୃଦ୍ଧି ପାଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ନିରବ ଥିବା ବିଜେଡି ବହୁ ବିଳମ୍ବରେ ତୈଳଦର ବୃଦ୍ଧିକୁ ନିନ୍ଦା କରିଛି। ସାଧାରଣ ନିର୍ବାଚନ ପରଠୁ ତୈଳ ଦର ବୃଦ୍ଧିକୁ ନେଇ ସିଧାସଳଖ ପ୍ରତିକ୍ରିୟା ଦେବାକୁ କୁଣ୍ଠାବୋଧ କରୁଥିବା ବିଜେଡି ଏବେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳକୁ ଦେଖି ନିଜର ରଙ୍ଗ ବଦଳାଇବା ସହ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ତୈଳଦର ବୃଦ୍ଧିର ଆଳ ଦେଖାଇ ଆଜି ଟାର୍ଗେଟ୍ କରିଛି । କେନ୍ଦ୍ରର ୟୁପିଏ ସରକାର ଅମଳରେ ତୈଳଦର ବୃଦ୍ଧିକୁ କ୍ରମାଗତ ଭାବେ ବିରୋଧ କରି ରାଜରାସ୍ତାକୁ ଓହ୍ଲାଉଥିବା ବିଜେଡି ଦୀର୍ଘବର୍ଷ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛି, ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚି ଚାଲିଛି। ପ୍ରତିଦିନ ୪ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୪ହଜାର ଲୋକ ପ୍ରାଣ ହରାଉଛନ୍ତି । କରୋନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ରାଜ୍ୟରେ ଶଟଡାଉନ୍ ଓ ଲକଡାଉନ୍ ଆଦି କଟକଣା ଜାରି ହୋଇଛି। ଏଥିପାଇଁ ଦୋକାନ,ବଜାର ବନ୍ଦ ରହିବା ସହ ଗାଡ଼ିମୋଟର ଚଳାଚଳ ବି ପୂର୍ବପେକ୍ଷା କମ୍ ରହିଛି। କରୋନା ମହାମାରୀ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ତୈଳଦର। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପରଠୁ ନିୟମିତ ଭାବେ ତୈଳ ଦର ଅହେତୁକ ଭାବେ ବଢ଼ିବାରେ ଲାଗିଛି । ନିର୍ବାଚନ ଯେତେବେଳେ ହେଉଛି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହୁଥିବା ଦେଖିବାକୁ ମିଳୁଛି। ହେଲେ ନିର୍ବାଚନ ସରିବା ପରେ ତୈଳ ଦର ବଢ଼ୁଛି। ଚଳିତବର୍ଷ ଏପ୍ରିଲ ୧୫ତାରିଖରେ ଶେଷଥର ପାଇଁ ତୈଳଦର ପରିବର୍ତ୍ତନ ହୋଇଥିଲା। ଏହାପରଠୁ ନିର୍ବାଚନ ଥିବାରୁ ତୈଳଦର ବୃଦ୍ଧି ହୋଇନଥିଲା। ହେଲେ ଗତ ୨ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୪ତାରିଖରୁ ତୈଳ ଦର ବଢ଼ିବାରେ ଲାଗିଛି । ଦେଶର କିଛି ସହରରେ ପେଟ୍ରୋଲ ଦର ୧୦୦ଟଙ୍କା ଓ ଡିଜେଲ ଦର ଲିଟର ପିଛା ୯୫ଟଙ୍କା ଅତିକ୍ରମ କଲାଣି । ମହାମାରୀବେଳେ ସାଧାରଣ ଲୋକଙ୍କ ଉପରେ ଏହି ମହଙ୍ଗା ମାଡ଼କୁ ବିଜେଡି ଦୃଢ଼ ଭାବେ ନିନ୍ଦା କରୁଛି । ଏହା ବେଡ଼ି ଉପରେ କରୋଡ଼ା ମାଡ଼ ଭଳି ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଗତ ୪ଦିନରେ ପେଟ୍ରୋଲ ଲିଟର ପିଛା ୯୨ ପଇସା ଓ ଡିଜେଲ ୧ଟଙ୍କା ୧୩ ପଇସା ବୃଦ୍ଧି ପାଇସାରିଲାଣି। ଆଚ୍ଛେଦିନର ନାରା ଦେଇ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଥିଲା। ହେଲେ ସେ ଆଚ୍ଛାଦିନ ଏବେ ବୁରେଦିନ ହୋଇଯାଇଛି । ଲୋକେ ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକିଲେଣି। ତୈଳଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବି ଆକାଶଛୁଆ ହେଲାଣି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଯେତିକି ରହିଛି ତା’ଉପରେ ବିଭିନ୍ନ ଶୁଳ୍କ ଲଦି ଦେବାରୁ ଏହା ଦର ତିନିଗୁଣ ହୋଇଯାଉଛି। ତୈଳଦରକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ହୋଇଛି। ତେଣୁ ତୈଳଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଜେପି ସରକାରର ଦୋମୁହାଁ ନୀତିକୁ ଉଚିତ୍ ଜବାବ ଦିଆଯିବ ବୋଲି ଶ୍ରୀ ଦାସବର୍ମା ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ମାସରେ ରାଜ୍ୟରେ ପେଟ୍ରୋଲ ଦର ୯୨ଟଙ୍କା ଛୁଇଁଥିବାବେଳେ କାଲିମେଳାରେ ୯୭ଟଙ୍କାରେ ବିକ୍ରି ହେଉଥିଲା। ତୈଳଦରର ଏଭଳି କ୍ରମାଗତ ବୃଦ୍ଧି ପ୍ରତିବାଦରେ ରାଜ୍ୟରେ କଂଗ୍ରେସ ଗତ ଫେବୃୟାରୀ ୧୫ରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେବା ସହ ବିଧାନସଭାରେ ମଧ୍ୟ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ତୈଳଦର ବୃଦ୍ଧିକୁ ନେଇ ରାଜ୍ୟ ତମାମ ବିଭିନ୍ନ ସଂଗଠନ ଓ ବିରୋଧୀ ଦଳଗୁଡ଼ିକ ପ୍ରତିବାଦ କରୁଥିବାବେଳେ କ୍ଷମତାସୀନ ବିଜେଡି ନିରବଦ୍ରଷ୍ଟା ସାଜିଥିଲା। ବିଜେଡିର ଏଭଳି ଆଭିମୁଖ୍ୟକୁ ଚାରିଆଡ଼ୁ ସମାଲୋଚନା କରାଯାଉଥିବାବେଳେ କେନ୍ଦ୍ରରେ ଥିବା ବିଜେପି ସରକାରକୁ ତୁଷ୍ଟୀକରଣ ନୀତିରେ ବିଜେଡି ମୁହଁ ଖୋଲୁନଥିଲା। ମାତ୍ର ୫ଟି ରାଜ୍ୟର ନିର୍ବାଚନୀ ଫଳାଫଳ ଆସିବାପରେ ବିଜେଡି ପୁଣିଥରେ ରଙ୍ଗ ବଦଳାଇଛି ଓ ରାଜ୍ୟରେ ବିଜେପିକୁ ‘ଚେକ୍ ଆଣ୍ଡ ବାଲାନ୍ସ’ରେ ରଖିବାକୁ ଓ ନିଜର ରାଜନୀତିକ ଗୋଟିଚାଳନା ନିମନ୍ତେ ସାନି ରଣନୀତି ଆରମ୍ଭ କରିଥିବା ରାଜନୀତିକ ମହଲରେ ଚର୍ଚ୍ଚା।

ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ନେଇ ଦାବିପତ୍ର ପ୍ରଦାନ କଲେ ହିମନ୍ତ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସନ୍ତାକାଲି ହିମନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହାପୂର୍ବରୁ ହିମନ୍ତ ରାଜଭବନକୁ ଯାଇ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟିଥିଲେ। ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ଏବଂ ତାଙ୍କ ନେତୃତ୍ୱରେ ରାଜ୍ୟରେ ଏନଡିଏ ସରକାର ଗଢ଼ିବେ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ସର୍ବାନନ୍ଦ ସୋନଓ୍ୱାଲ, ସହଯୋଗୀ ଆସାମ ଗଣପରିଷଦର ବିଧାୟକ, ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ ତୋମାରଙ୍କ ସହିତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ। ଏହା ପୂର୍ବରୁ ଆଜି ଆସାମର ଗୌହାଟିରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସର୍ବସମ୍ମତି କ୍ରମେ ହିମନ୍ତଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ହିମନ୍ତ ବିଜେପି ବିଧାୟକ ଦଳର ନେତା ଭାବରେ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍, ଶ୍ରୀଯୁକ୍ତ ରଣଜିତ କୁମାର ଦାସ ଏବଂ ନନ୍ଦିତା ଗରଲୋସା। ଆଉ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ନରେନ୍ଦ୍ର ସିଂ ତୋମାର ଓ ଶ୍ରୀଯୁକ୍ତ ଅରୁଣ ସିଂଙ୍କ ତତ୍ତ୍ୱାବଧାନରେ ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ଶର୍ମା ମନୋନୀତ ହୋଇଛନ୍ତି ବୋଲି ବୈଜୟନ୍ତ ସୂଚନା ଦେଇଛନ୍ତି। ଆଉ ହିମନ୍ତ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେବା ପରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ହିମନ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି । ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୯ଟି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି। ଆଜି ବିଧାୟକ ଦଳ ବୈଠକ ପୂର୍ବରୁ ସର୍ବାନନ୍ଦ ସୋନୱାଲ ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ଏବେ ଗାଁ ଭଗବାନଙ୍କ ଭରସାରେ: ରାହୁଲ୍ ଗାନ୍ଧୀ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସହର ପରେ ଏବେ ବିଭିନ୍ନ ଗାଁରେ କରୋନା ସଂକ୍ରମଣ ବ୍ୟାପିଥିବା ସୂଚନା ରହିଛି। ଏହାକୁ ନେଇ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ଗାଁରେ କିଭଳି କୋଭିଡ ମୁକାବିଲା କରିହେବ ସେ ନେଇ ପ୍ରଧାନମନ୍ତ୍ରୀ ତତ୍ପରତା ଦେଖାଉ ନାହାନ୍ତି ବୋଲି ରାହୁଲ୍ କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ସହର ପରେ ଏବେ ଗାଁ ମୁହାଁ ହୋଇଛି କରୋନା। ଏବେ ସମସ୍ତେ ଭଗବାନଙ୍କ ଭରସାରେ। ଏହା ପୂର୍ବରୁ ରାହୁଲ୍ ଗାନ୍ଧୀ ଟ୍ୱିଟ୍ କରି କହିଥିଲେ ଯେ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଘର ଦରକାର ନାହିଁ। କିନ୍ତୁ ଅକ୍ସିଜେନ ଯାହାକି ଏବେର ସ୍ଥିତିରେ ଲୋକଙ୍କ ଜୀବନ ରକ୍ଷକ ପାଲଟିଛି ତାହା ଦରକାର। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୦୩,୭୩୮ ଜଣ କରୋନାରେ ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ଆଉ ଏହି ଅବଧି ମଧ୍ୟରେ ୪,୦୯୨ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୋଟ ମାମଲା ୨,୨୨,୯୬,୪୧୪ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ମେ ୧ ପରେ ପଞ୍ଚମ ଥର ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚାରି ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତକୁ କୋଭିଡ୍ ଅନୁଦାନ ଦେଲା କେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟରେ ପଞ୍ଚାୟତକୁ ୮୯୨୩.୮ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଶନିବାର ଅର୍ଥ ମନ୍ତ୍ରଣାଳୟ ପଞ୍ଚାୟତ ଗୁଡ଼ିକୁ ୮,୯୨୩.୮ କୋଟି ଟଙ୍କା ପ୍ରଦାନ କରିଛି। ଏହି ଅନୁଦାନ ପଞ୍ଚାୟତ ରାଜ ଅଧୀନରେ ଥିବା ଗାଁ, ବ୍ଲକ ଏବଂ ଜିଲ୍ଲା ପାଇଁ ରହିଛି। ମୋଟ୍ ଅର୍ଥରୁ ଓଡ଼ିଶାକୁ ୩୩୩. ୮ କୋଟି ଟଙ୍କା ଦେଇଛି କେନ୍ଦ୍ର ସରକାର। ଅର୍ଥ ମନ୍ତ୍ରଣାଳୟ ରବିବାର ଟ୍ୱିଟ୍ କରି କହିଛି, ଶନିବାର ଏହି ଟଙ୍କା ଅର୍ଥ ମନ୍ତ୍ରାଳୟ ରିଲିଜ୍ କରିଛି। ଏହି ଟଙ୍କା ୨୦୨୧-୨୨ ବର୍ଷ ପାଇଁ ମୋଟ୍ ଟଙ୍କାର ପ୍ରଥମ କିସ୍ତି। କୋଭିଡ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପଦକ୍ଷେପ ପାଇଁ ସ୍ଥାନୀୟ ପ୍ରଶାସନ ଏହି ଟଙ୍କା ଖର୍ଚ୍ଚ କରିବ।୧୫ ତମ ଅର୍ଥ କମିଶନଙ୍କ ସୁପାରିଶ ଅନୁଯାୟୀ ଜୁନ୍ ମାସରେ ରାଜ୍ୟଗୁଡିକୁ ଏହି ଟଙ୍କା ଦେବାର ଥିଲା। କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବଂ ମନ୍ତ୍ରଣାଳୟର ସୁପାରିଶ ଅନୁଯାୟୀ ଏହି ଟଙ୍କାକୁ ଆଗୁଆ ଦେଇଛି କେନ୍ଦ୍ର। କେନ୍ଦ୍ର ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁରଙ୍କ ଟ୍ୱିଟ୍ ଅନୁଯାୟୀ ଉତ୍ତରପ୍ରଦେଶ ସର୍ବାଧିକ ୧୪୪୧.୬ କୋଟି ଟଙ୍କା ପାଇଥିବା ବେଳେ ଏହା ତଳକୁ ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ବିହାର ୭୪୧.୮ କୋଟି, ଗୁଜୁରାଟକୁ ୪୭୨.୪ କୋଟି, ହରିଆଣାକୁ ୧୮୭ କୋଟି, ଝାଡଖଣ୍ଡକୁ ୨୪୯.୮ କୋଟି, କର୍ଣ୍ଣାଟକକୁ ୪୭୫.୪ କୋଟି, ମଧ୍ୟପ୍ରଦେଶକୁ ୫୮୮.୮ କୋଟି, ମହାରାଷ୍ଟ୍ରକୁ ୮୬୧.୪ କୋଟି, ରାଜସ୍ଥାନକୁ ୫୭୦.୮ କୋଟି ଏବଂ ତାମିଲନାଡୁ ୫୩୩.୨ କୋଟି ଟଙ୍କା ଅନୁଦାନ ପାଇଛି।