ମମତା ସରକାର ଉପରେ ବର୍ଷିଲେ କୋଲକାତା ହାଇକୋର୍ଟ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଉପରେ ବର୍ଷିଛନ୍ତି କୋଲକାତା ହାଇକୋର୍ଟ। ନିର୍ବାଚନ ପରେ ଦେଖାଦେଇଥିବା ହିଂସାକୁ ନେଇ ଗୁରୁବାର ଟିଏମସି ସରକାର ଉପରେ ବର୍ଷିଛନ୍ତି ହାଇକୋର୍ଟ। ରାଜ୍ୟରେ ଏବେ ଆଇନ୍ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ସେ ନେଇ ତିନି ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ରିପୋର୍ଟ ଦାଖଲ କରିବା ବେଳେ କେଉଁ କେଉଁ ସ୍ଥାନରେ ହିଂସା ହୋଇଛି, ସେଠାକାର ସ୍ଥିତି କଣ ରହିଛି। ହିଂସାକୁ ପ୍ରଶମିତ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ଆଦି ସମସ୍ତ ବିଷୟରେ ବିସ୍ତୃତ ଭାବରେ ରିପୋର୍ଟରେ ଉଲ୍ଲେଖ କରିବାକୁ ହାଇକୋର୍ଟ କହିଛନ୍ତି। ବିଧାନସଭା ନିର୍ବାଚନରେ ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଥିଲା। ଆଉ ଏହାପରେ ୧୨ ବିଜେପି ନେତା ହତ୍ୟାର ଶିକାର ହୋଇଥିବା ବିଜେପି ଅଭିଯୋଗ କରିଛି। ଏମିତିକି ଟିଏମସି କର୍ମୀ ବିଜେପି ସମର୍ଥକଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହିତ ମହିଳାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ବିଜେପି କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟର ୫ ଜଣିଆ ଖଣ୍ଡପୀଠ ମାମଲାକୁ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ଏହାପରେ ରାଜ୍ୟ ଗୃହ ସଚିବଙ୍କୁ ତିନି ଦିନ ମଧ୍ୟରେ ହିଂସା ବାବଦରେ ବିସ୍ତୁତ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ମେ ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ତେବେ ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ହିଂସାକୁ ପ୍ରଶମିତ କରିବା ତାଙ୍କର ପ୍ରଥମ କାମ ବୋଲି କହିଥିଲେ। ଏହାପରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ ମମତା ବାନାର୍ଜୀ। ସରକାରଙ୍କ ରିପୋର୍ଟ ଅନୁଯାୟୀ ମୋଟ୍ ୧୬ ଜଣ ହିଂସାର ଶିକାର ହେବାରୁ ଆଖି ବୁଜିଛନ୍ତି। ଯେଉଁଥିରେ ବିଜେପିର ୯ ଜଣ, ୬ ଜଣ ଟିଏମସିର ଏବଂ ଜଣେ ବାପପନ୍ଥୀ ସମର୍ଥକ ରହିଛନ୍ତି। ସେହିପରି କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ନିର୍ବାଚନୀ ପରେ ଦେଖାଦେଇଥିବା ହିଂସାକୁ ନେଇ ମମତା ସରକାରକୁ ରିପୋର୍ଟ ଦେବାକୁ କହିଛନ୍ତି। ଗୁରୁବାର କେନ୍ଦ୍ର ଗୃହ ବିଭାଗର ଚାରି ଜଣିଆ ଟିମ୍ ଆସି ପଶ୍ଚିମବଙ୍ଗର ବିଭିନ୍ନ ହିଂସାକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରି ଫେରିଛି।

ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ (କେଭି) ପ୍ରତିଷ୍ଠା ହେବ। ମହାନଦୀ କୋଲ ଫିଲ୍ଡ(ଏମସିଏଲ୍‌) ବୋର୍ଡ ଏହି ଦୁଇ ବିଦ୍ୟାଳୟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛି। ଏଥିପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ ସାଂସଦ ସୁରେଶ ପୂଜାରୀ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପତ୍ର ଆଧାରରେ ଗତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏକ ପତ୍ର ଲେଖିଥିଲେ। ଏଥିରେ ସେ ଏମସିଏଲ୍‌ ଦ୍ୱାରା ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୋଳ ଜିଲ୍ଲାରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଅନୁରୋଧ କରିଥିଲେ। ଏହାଦ୍ୱାରା ଉକ୍ତ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ପତ୍ରର ଜବାବରେ ଶ୍ରୀ ଯୋଶୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରାରେ ଗୋଟିଏ ଓ ଅନୁଗୋଳ ଜିଲ୍ଲାର ଜଗନ୍ନାଥ ଏବଂ ସୁଭଦ୍ରା ଅଂଚଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏମଏସିଏଲ ବୋର୍ଡ ଅନୁମୋଦନ ଦେଇଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରାଥମିକ ଶିକ୍ଷା ସ୍ତରରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସଂପନ୍ନ ଜାତୀୟ ଶିକ୍ଷା ନୀତି ୨୦୨୦ରେ ମୁଖ୍ୟ ଏଜେଣ୍ଡା ରହିଛି। ଏହି ଖଣିଖାଦାନ ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଗୁଣାତ୍ମକ ଶିକ୍ଷା ପାଇପାରିବେ ଏବଂ ସ୍ଥାନୀୟ ଲୋକଙ୍କର ଆକାଂକ୍ଷା ମଧ୍ୟ ପୂରଣ ହୋଇପାରିବ।

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ..!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜନୀକାନ୍ତ ସମରଲିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବଡ଼କର୍ଲାକୋଟ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି। ଜୟପାଟଣା ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ନିରାକାର ନାଏକ ବଡ଼କାର୍ଲକୋଟ ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ମୁଖୀଗୁଡ଼ା ସ୍ଥିତ ଇରିଗେସନ କଲୋନୀର ସେକ୍ଟର ୨ରେ ରହୁଥିଲେ। ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ମଧ୍ୟ ଇରିଗେସନ କଲୋନୀରେ ରହନ୍ତି। ଗତ ମାସ ୨୮ ତାରିଖରେ ଏହି ବିବାହିତ ମହିଳା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ ନିରାକାର ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ସଂପର୍କରେ ଜୟପାଟଣା ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଜୟପାଟଣା ପୁଲିସ୍ ତଦନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀ ନିରାକାର ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ଼ ଡିଏସ୍‌ପି ଧୀରଜ କୁମାର ଚୋପଦାର କହିଛନ୍ତି।

ସ୍ଥିତି ସୁଧୁରିଲେ ପରୀକ୍ଷା : ମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମାଟ୍ରିକ୍ ଫଳ ପ୍ରକାଶ ପାଇଁ ମୂଲ୍ୟାୟନ ନିୟମାବଳୀକୁ ମାଧ୍ୟମିକ ଶିକ୍ଷା ପରିଷଦ ଅନୁମୋଦନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ମନ୍ତ୍ରୀ କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଆସିଛି । ଏନେଇ ଆମ ପାଖରେ ବିକଳ୍ପ କିଛି ନଥିବାରୁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହାଦ୍ୱାରା ପିଲାଙ୍କ ସ୍ୱାର୍ଥହାନୀ ହେବ ନାହିଁ ଓ ପିଲାମାନେ ମଧ୍ୟ ଅସନ୍ତୋଷ ହେବେନାହିଁ ବୋଲି ସେ କହିଛନ୍ତି । ନ ହେଲେ ପରବର୍ତ୍ତୀ ସମୟରେ ସ୍ଥିତି ସୁଧାରିଲେ ପୁଣି ପରୀକ୍ଷା ଦେଇପାରିବେ ବୋଲି ସେ କହିଛନ୍ତି । ତେବେ ଯୁକ୍ତ ୨ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ କହିଛନ୍ତି । ଜୁନ୍ ୩୦ ପରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏ ନେଇ ବିଚାର କରାଯିବ ବୋଲି ସେ କହିଛନ୍ତି । ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ମାଟ୍ରିକ ପିଲାଙ୍କ ପରୀକ୍ଷା ମୂଲ୍ୟାୟନ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଛି । ସୂଚନା ଅନୁଯାୟୀ, ଚଳିତ ବର୍ଷ ମାଟ୍ରିକ ମୂଲ୍ୟାୟନ ସିବିଏସ୍ଇ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ନବମ ଶ୍ରେଣୀର ପରୀକ୍ଷା ମାର୍କ ଓ ଦଶମ ଶ୍ରେଣୀର ପ୍ରି ବୋର୍ଡ ବା ଟେଷ୍ଟ ମାର୍କକୁ ଭିତ୍ତି କରି ମୂଲ୍ୟାୟନ ହେବ। ତା’ ସହିତ ଦଶମ ଶ୍ରେଣୀର ଇଣ୍ଟରନାଲ୍ ଆସେସମେଣ୍ଟ ମାର୍କକୁ ମଧ୍ୟ ମୂଲ୍ୟାୟନ ପାଇଁ ଗ୍ରହଣ କରାଯିବ। ଏଥିପାଇଁ ଏହିସବୁ ପରୀକ୍ଷାର ଟାବୁଲେସନ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ପୂରଣ କରି ଗତବର୍ଷର ମାଟ୍ରିକ ପରୀକ୍ଷା କେନ୍ଦ୍ର ବା ସହଯୋଗୀ କେନ୍ଦ୍ରରେ ଦାଖଲ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି।

୯ ମେ’, ରବିବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ସବୁ ଦିଗରୁ ସଫଳତା ମିଳିବ। ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ।

ବୃଷ: ସନ୍ତାନସନ୍ତତିଙ୍କୁ ନେଇ ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରଙ୍କ ସହ ଭେଟ ହେବା ଯୋଗୁ ମନ ପ୍ରସନ୍ନ ହେବ।

ମିଥୁନ: ଦିନଟି ବେଶ୍ ଭଲ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ମାନସମ୍ମାନ ଲାଭ କରିବେ। ଗୁରୁଜନମାନଙ୍କ ଆଶୀର୍ବାଦ ମିଳିବ।

କର୍କଟ: କର୍ମକ୍ଷେତ୍ରର ପ୍ରଶଂସା ମିଳିବ। ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିବେ। ଆପଣଙ୍କ
ଅପ୍ରିୟ ସତ୍ୟକଥା କାହାକୁ ବାଧି ପାରେ।

ସିଂହ: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

କନ୍ୟା: ହଠାତ୍ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ମନୋରଞ୍ଜନରେ ଦିନଟି ବିତିବ। ମହିଳାମାନେ ଘରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ବ୍ୟସ୍ତ ରହିବେ।

ତୁଳା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସଂପନ୍ନ କରିବେ। ପାରିବାରିକ ଜୀବନ ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଚ୍ଛା: କୌଣସି କାର୍ଯ୍ୟ କରି ମାନସିକ ଶାନ୍ତି ଅନୁଭବ କରିବେ। ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ୟାରିୟରକୁ ନେଇ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ।

ଧନୁ: ଅଯଥା ବାଦ-ବିବାଦ କରନ୍ତୁ ନାହିଁ। ଧନ ଓ ମାନସମ୍ମାନ ମିଳିବ। ବ୍ୟବସାୟକୁ ବଢ଼ାଇବା ପାଇଁ ଯୋଜନା କରିବେ।

ମକର: ପାରିବାରିକ ଜୀବନ ଭଲ ରହିବ। ଭାଇମାନଙ୍କ ସହିତ ସମ୍ପର୍କ ଦୃଢ଼ ହେବ। ବହୁ ଦିନର ସ୍ୱପ୍ନ ଆଜି ପୂରଣ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମୀନ: ଦିନଟି ଶୁଭଫଳ ପ୍ରଦାନ କରିବ। ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରୋତ୍ସାହନ ପାଇବେ।