ବିଶିଷ୍ଟ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ରଘୁନାଥ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ। ରଘୁନାଥଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ପଥର କାମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ରଘୁନାଥ ମହାପାତ୍ରଙ୍କ ପୁଅଙ୍କ ସହିତ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ୧୯୪୩ ମସିହା ମାର୍ଚ୍ଚ ୨୩ତାରିଖରେ ପୁରୀର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ସ୍ଥପତି ଭାବେ ସେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ । ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡି ପଥରରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ । ୧୮ ବର୍ଷ ବୟସରେ ସେ ପୁରୀ ଛାଡ଼ି, ଭୁବନେଶ୍ୱର ଚାଲି ଆସିଥିଲେ । ଆଉ ଓଡ଼ିଶା ସରକାରଙ୍କ ହସ୍ତକଳା ତାଲିମ ଓ ଡିଜାଇନ ସେଣ୍ଟରରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଖୁବ କମ ବୟସରୁ ପ୍ରତିଷ୍ଠାଲାଭ କରିଥିବା ରଘୁନାଥ ମହାପାତ୍ରଙ୍କୁ ୧୯୭୬ ମସିହାରେ ମାତ୍ର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ଭାରତ ସରକାର ମନୋନୀତ କରିଥିଲେ । ବିଜେଡ଼ି ସମର୍ଥନରେ ସେ ସ୍ୱାଧୀନ ଭାବେ ରାଜ୍ୟସଭା ସାଂସଦ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ । ତେବେ ଗତ ବର୍ଷ ତାଙ୍କୁ ରାଷ୍ଟ୍ରପତି ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ। ଦ୍ୱିତୀୟ କୋଣାର୍କ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା କିନ୍ତୁ ଅଧୁରା ରହିଗଲା । ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ ଭାବେ ଜଣାଶୁଣା ଥିଲେ। ସେ ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପୀ ଗ୍ରାମ ଓ “ରଘୁନାଥ କ୍ରାଫ୍ଟସ୍”ର ପ୍ରତିଷ୍ଠାତା ଥିଲ । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୂଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ଭାରତ ସାରା ଅନେକ ମନ୍ଦିର ନିର୍ମାଣ କରିଛନ୍ତି । ୨୦୧୬ ମସିହାରେ ଓଡ଼ିଶା ସରକାର  ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ତେବେ ସେ ଗଢ଼ିଥିବା ବିରଳ କୃତିତ୍ୱ ମଧ୍ୟରେ ରହିଛି ଭୁବନେଶ୍ୱର ମାଷ୍ଟରକାଣ୍ଟିନ ଛକରେ ୧୮ଫୁଟ ଲମ୍ବା ଓ ୧୫ଫୁଟ ଉଚ୍ଚତାର କୋଣାର୍କ ଘୋଡ଼ା,  କଟକ ବାରବାଟୀ ଷ୍ଟାଡିୟମରେ ୧୨ଫୁଟର କୋଣାର୍କ ଘୋଡ଼ା, ଭୁବନେଶ୍ୱର ବିମାନବନ୍ଦରରେ ୧୬ଟି କୋଣାର୍କ ଚକ୍ର, ଟିଟଲାଗଡ଼ରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର, ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିର , ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି, ରାଜୀବ ଗାନ୍ଧୀଙ୍କ ସମାଧି ପୀଠ, ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର, ଧଉଳିରେ ୨ଟି ବୌଦ୍ଧ ମୂର୍ତ୍ତି, ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୌଦ୍ଧ ମୂର୍ତ୍ତି, ଫ୍ରାନ୍ସରେ କାଠର ବିଶାଳ ବୌଦ୍ଧ ମୂର୍ତ୍ତି ଓ  ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

କୋଭିଡ କଟକଣା ଭିତରେ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ) – କୋଭିଡ କଟକଣା ଭିତରେ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି।  ଶ୍ରୀ ନଅର ସମ୍ମୁଖ ରଥଖଳାକୁ ପ୍ରସ୍ତୁତ କରାଯାଉଛି। ନରେନ୍ଦ୍ର ପୁଷ୍କରଣୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ଡଙ୍ଗାକୁ ପାଣି କଢାଯାଇ ଚାପ ପ୍ରସ୍ତୁତ କରାଯାଉଛି। ଆଗାମୀ ୧୨ତାରିଖରୁ କରାଯିବ ଚନ୍ଦନଯାତ୍ରା ଏବଂ ରଥ ର୍ନିମାଣରେ ସାମିଲ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ରହିବ ସେମାନେ ଏହି ଯାତ୍ରାରେ ସାମିଲ ହୋଇପାରିବେ । ଏବେ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶେଷ ହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବିନାଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାବଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି। ବିଭିନ୍ନ ନିଯୋଗର ପ୍ରାୟ ଦେଢ଼ଶହ ସେବାୟତରେ ନୀତିକାନ୍ତି ସଂପୂର୍ଣ୍ଣ କରିବାକୁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି।

କୋରନା ଟାଇମରେ ବେପାରି ମାଲାମାଲ ଗ୍ରାହକ ବେହାଲ…!

!!! ରାୟଗଡ଼ା ରୁ ଜିଲ୍ଲା ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡା) – ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକରେ କୋରଣା କାହା ପାଇଁ ସର୍ବନାଶ ପାଲଟିଥିଲା ବେଳେ କାହା ପାଇଁ ପୁସମାସ ଚାଲିଛି। ବର୍ତ୍ତମାନ ମହାମାରୀ ମହାଗତି ରେ ରାଜ୍ୟ ତଥା ଜିଲ୍ଲାରେ ମାଡି ଚାଲିଥିବା ବେଳେ, ସରକାରଙ୍କ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି। ଏହାର ଫାଇଦା ଉଠାଇ ବ୍ୟବସାୟୀ ମାନେ ତମାଖୁ ଜାତ ସାମଗ୍ରୀର କଲାବଜାରୀ କରି ମାଲା ମାଲ ହେଉଛନ୍ତି। ସଫଳ ଗୁଟଖା ପକେଟ ପିଛା୧୩୦ ଟଙ୍କା ଆଗରୁ ଥିବା ବେଳେ ଏବେ ୪୫୦ ଟଙ୍କା, ସେପରି ଭାଙ୍ଗ ପକେଟ ପିଛା୧୦୦ ଟଙ୍କା ଥିବା ବେଳେ ଏବେ ୩୫୦ ଟଙ୍କା ମସଲା ଜାତ ସାମଗ୍ରୀକୁ ଲୁଚେଇ ରଖି ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରାଯାଇଛି। ଫଳରେ ପେକେଟ ପିଛା ତିନିଗୁଣା ଦରରେ ବିକ୍ରି କରୁଛନ୍ତି।

୫ ଟଙ୍କାର ଗୁଟଖା ପାଉଚକୁ ୧୫ ଟଙ୍କା,୫ ଟଙ୍କାର ଭାଙ୍ଗ ପାଉଚ କୁ ୩୦ ଟଙ୍କା ରେ ବିକ୍ରି କରୁଛନ୍ତି। ସେହିପରି ମାର୍କେଟ ରେ ଖାଇବା ତେଲ ମଧ୍ୟ ମିଶ୍ରଣ କରି ବଡ଼ ବଡ଼ ହୋଲସେଲ ମାର୍କେଟରେ ଛାଡୁଛନ୍ତି। ଡାଲି ଜାତୀୟ ଦ୍ରବ୍ୟ ମଧ୍ୟ ଛଡ଼ା ଦରରେ ବିକ୍ରି କରାଯାଉଛି। ଯାହା ଦ୍ୱାରା ଏଥିରେ ସାଧାରଣ ଲୋକ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ,ଅସାଧୁ ବ୍ୟବସାୟୀ ମାନେ ମାଲା ମାଲ ହେଉଛନ୍ତି। ବର୍ତ୍ତମାନ ନିଜର କୋଠର ପଦକ୍ଷେପ ପାଇଁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଏ ନେଇ ଅସାଧୁ ବ୍ୟବସାୟୀ ମାନଙ୍କୁ ଚିହ୍ନଟ କରି ତାଙ୍କ ପ୍ରତି ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ବିନା କରୋନା ପରୀକ୍ଷା ଓ କୋଭିଡ୍ ଟୀକା ଦେଇ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯାଉଛି ସର୍ଭେ ଡ୍ୟୁଟି ଓ ଚେକ୍ ପୋଷ୍ଟ ଠାରେ ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ବାସନ୍ତୀ କୁମାରୀ ପାଟଜୋଷୀ  ଓ ଏମ.ଶ୍ରୀକାନ୍ତ !!!

ଏଥର ସମ୍ଭାଳ (ଗୁଣପୁର) – ବର୍ତ୍ତମାନ ରାଜ୍ୟରେ କରୋନାର ଦ୍ଵିତୀୟ ଲହରୀ ଚାଲୁଥିବା ବେଳେ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାକୁ ଲାଗିଛି । ଏଥିରେ ଶିକ୍ଷକ ମାନେ ବିଶେଷ ଭାବରେ ପ୍ରଭାବିତ ହେବା ସଙ୍ଗେ ସଙ୍ଗେ ଅନେକ ଶିକ୍ଷକଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯାଉଛି । ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡରେ କରୋନା ତାର କାୟାବିସ୍ଥାର କରିବା ସହ ଅନେକ ଲୋକଙ୍କ ପାଇଁ ପ୍ରାଣଘାତୀ ସାଜିଛି। କରୋନା ଯୋଗୁଁ ଗୁଣପୁର ଅଞ୍ଚଳ ରେ ମଧ୍ୟ ଜୀବନ ଯିବା ଆରମ୍ଭ ହେଲାଣି । କରୋନା ନିୟନ୍ତ୍ରଣ ତଥା ସଚେତନତା ପାଇଁ ଗୁଣପୁର ବ୍ଲକ ର ଶିକ୍ଷକ ମାନଙ୍କ ସହ ଅଙ୍ଗନବାଡି ଦିଦି ଏବଂ ଆଶା ଦିଦି ଙ୍କ ମିଳିମିଶି ଲୋକଙ୍କୁ ସଚେତନ କରୁଛନ୍ତି । ଶିକ୍ଷକ ମାନଙ୍କୁ ଆଗୁଆ କରୋନା ଟୀକା ନ ଦେଇ ଡ୍ୟୁଟି କରିବା ପାଇଁ ସେମାନଙ୍କ ଡ୍ୟୁଟି ଚାର୍ଟ ପ୍ରସ୍ତୁତି କରାଯାଇ ସେମାନଙ୍କୁ କେତେବେଳେ ସର୍ଭେ ଡ୍ୟୁଟି ରେ ନିୟୋଜିତ କରାଯାଉଛି ତ କେତେବେଳେ ଆନ୍ଧ୍ର ଓଡିଶା ସୀମା ନିରୀକ୍ଷଣ ଡ୍ୟୁଟି ରେ ନିୟୋଜିତ କରାଯାଉଛି । ଗୁଣପୁର ବ୍ଲକ ର ସହ ଶିକ୍ଷକ ଶ୍ରୀ ସଞ୍ଜୟ ଦାଶ ଙ୍କୁ ଗୁଣପୁର ଉପ ଜିଲ୍ଲାପାଳ କରୋନା ଡ୍ୟୁଟି ରେ ନିୟୋଜିତ କରିଥିଲେ କିନ୍ତୁ ଶ୍ରୀ ଦାଶ ନିଜେ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୁଚନା ଦେବା ପରେ ତାଙ୍କ ନିୟୋଜନ ଅଡର୍ କୁ ରଦ୍ଧ କରାଯାଇ ଅନ୍ୟ ଜଣ ଶିକ୍ଷକ ଙ୍କୁ ତାଙ୍କ ବଦଳରେ ନିୟୋଜିତ କରାଯାଇଥିବା ସୁଚନା ମିଳିଛି । ଚେକ୍ ପୋଷ୍ଟ ହେଉ ଅଥବା ସର୍ଭେ ନିମନ୍ତେ ଶିକ୍ଷକ ମାନଙ୍କୁ ନିୟୋଜିତ କରିବା ପୁର୍ବରୁ ସେମାନଙ୍କ ଆଣ୍ଟିଯେନ୍ ଟେଷ୍ଟ ଓ ଆର.ଟି.ପି.ସି.ଆର ଟେଷ୍ଟ କରା ଯାଇଛି କି ନାହିଁ , ସେମାନଙ୍କୁ କୋଭିଡ୍ ଟୀକା ଦିଆଯାଇଛି କି ନାହିଁ ତାହା ଜାଣିବା ଜରୁରୀ ମନେ କଲେ ନାହିଁ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ ମିଶ୍ର ଓ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ସୋନାଲ୍ ଜେନା ।

ଶିକ୍ଷକ ମାନଙ୍କୁ ଛାଡ଼ି ଅଙ୍ଗନବାଡି କର୍ମୀ ତଥା ଆଶାକର୍ମୀ ମାନଙ୍କୁ କରୋନା ଯୋଦ୍ଧା ରୂପେ ବିବେଚିତ କରି ଟୀକାକରଣ କରାଯାଇଛି । ଟୀକାକରଣ ପରେ ନିଶ୍ଚିତ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଥିବା ଯୋଗୁଁ ସେମାନଙ୍କ ସଂକ୍ରମିତ ହେବା ଆଶଙ୍କା କମ ଥିବା ସହଜେ ଅନୁମେୟ କିନ୍ତୁ ତାଙ୍କ ସାଙ୍ଗରେ ବିନା ଟୀକାକରଣ ହେଇ ଜିଲ୍ଲାର ଏଭଳି ଶହ ଶିକ୍ଷକ ଡ୍ୟୁଟି କରୁଛନ୍ତି ଯାହାପାଇଁ ସେମାନଙ୍କର ଜୀବନ ଅକାଳରେ ଯାଇପାରେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖଦ ବିଷୟ ଏହିକି ଯେ ପରୋକ୍ଷରେ କହିବାକୁ ଗଲେ ବୋଧହୁଏ ଶିକ୍ଷକଙ୍କ ଜୀବନର କୌଣସି ମୁଲ୍ୟ ନାହିଁ, ଯଦି ଏଭଳି ନୀତିରେ କିଛିଦିନ ଚାଲେ ତେବେ ଅନେକ ଶିକ୍ଷକଙ୍କ ଜୀବନ ଚାଲିଯିବାର ଆଶଙ୍କାକୁ ଏଡ଼ାଇ ଦେଇ ପାରିବେନି ରାଜ୍ୟ ସରକାର ଏବଂ ରାୟଗଡ଼ା ଜିଲ୍ଲାପାଳ । ଏଥିପାଇଁ ତୁରନ୍ତ ଶିକ୍ଷକ ମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା କରିବା ସହ ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗେଇଦେବା ପାଇଁ ଜନ ସାଧାରଣ ରେ ଦାବୀ ହେବା ସହ ଆଗାମୀ ଦିନ ରେ କରୋନା ରେ ଯଦି କୌଣସି ଶିକ୍ଷକ ମୃତ୍ୟୁ ବରଣ କରନ୍ତି ତେବେ ସେହି ଘର ପରିବାର ର ମୁରବି ତଥା ଶିକ୍ଷକ ଙ୍କୁ ପରିବାର କୁ ଫେରାଇ ପାରିବେ କି ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି । ରାୟଗଡ଼ା ଜିଲ୍ଲାପାଳ ଓ ଗୁଣପୁର ଉପ ଜିଲ୍ଲାପାଳ ବେଳ ଥାଉ ଥାଉ ବନ୍ଧ ବାନ୍ଧିବେ ନା ପରିସ୍ଥିତି ର ସମାଧାନ କରିବେ ତାହା ଦେଖିବାକୁ ରହିଲା । ନଚେତ ପରେ ଆମକୁ କହିବାକୁ ପଡ଼ିବ ଏଥର ସମ୍ଭାଳ ।

ରାଜଧାନୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍, ମେଟ୍ରୋ ବି ବନ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଦିଲ୍ଲୀରେ ଏବେ ଲକଡାଉନ୍ ମେ’ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏଥର ଲକଡାଉନରେ ଦିଲ୍ଲୀ ମେଟ୍ରୋ ମଧ୍ୟ ବନ୍ଦ ରହିବ । କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ା ଯାଉଛି, ଯାହା ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଦିଲ୍ଲୀରେ ଆସନ୍ତାକାଲିଠାରୁ ମେଟ୍ରୋ ଚଳାଚଳ ମଧ୍ୟ ବନ୍ଦ ରହିବ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ଏପ୍ରିଲ୍ ୨୬ ତାରିଖ ପରେ କରୋନା ମାମଲା କମିବା ଆରମ୍ଭ ହୋଇଛି । ଗତ ଦିନେ-ଦୁଇ ଦିନ ହେବ ପଜିଟିଭ୍ ହାର ୩୫ରୁ ୨୩ ପ୍ରତିଶତ ହୋଇଛି । ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତିକର ଖବର। ଅନ୍ୟପକ୍ଷରେ ଜିଲ୍ଲୀର ସାଧାରଣ ଜନତା ଓ ସମସ୍ତ ସଂଗଠନଙ୍କ ପରାର୍ମଶ ପରେ ମୁଖ୍ୟମନ୍ତ୍ରୀ ଲକଡାଉନକୁ ବଢ଼ାଇଛନ୍ତି । ଏଥର ଲକଡାଉନ୍ ପୂର୍ବ ତୁଳନାରେ ଅଧିକ କଡ଼ାକଡ଼ି ହେବ।

ସର୍ବାନନ୍ଦ ନିରାଶ, ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱଶର୍ମା !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସାମରେ ବିଜେପି ସରକାର ଗଠନ କରିବାକୁ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ହେଁ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ହେବା ରେସ୍‌ରେ ଦୁଇ ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମା ଓ ସର୍ବାନନ୍ଦ ସୋନୱାଲ ରହିଛନ୍ତି। ଆଜି ଉଭୟ ଦିଲ୍ଲୀ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ସହ ନଡ୍ଡା ଓ ଶାହ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଏକ ପ୍ରକାରର ଚୂଡ଼ାନ୍ତ ହୋଇଛି। କିନ୍ତୁ ଦଳ ପକ୍ଷରୁ ଏଯାଏ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ, ଦଳୀୟ ହାଇକମାଣ୍ଡ ହିମନ୍ତ ବିଶ୍ୱଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। କାରଣ ୨୦୧୬ରୁ ଚଳିତ ବିଧାନସଭା ନିର୍ବାଚନ ଯାଏ ସର୍ବାନନ୍ଦ ସୋନୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେଣୁ ଆଗାମୀ ୫ ବର୍ଷ ହିମନ୍ତ ଆସାମ କମାଣ ସମ୍ଭାଳିବେ ବୋଲି ନଡ୍ଡା ଓ ଶାହ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏ ସଂକ୍ରାନ୍ତରେ ଆସନ୍ତାକାଲି ଜଣାପଡ଼ିବ। କାରଣ କାଲି ବିଜେପି ବିଧାୟକ ଦଳ ବୈଠକ ବସିବ। ଏହି ସମୟରେ ବିଧାୟକ ଦଳ ନେତା ନିର୍ବାଚିତ ହେବ। ଏହାପରେ ବିଜେପି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଆସାମ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇବ।ସୋନୱାଲ ଆସାମରେ ଦୁଇଥର ପାଇଁ ମୁଖ୍ୟମନ୍ତ୍ରୀ ହେବେକୁ ବହୁତ ଆଶା ରଖିଥିଲେ। ହେଲେ ଆଜି ପ୍ରାୟତଃ ହିମନ୍ତଙ୍କ ନାଁ ଉପରେ ମୋହର ବାଜିଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ହିମନ୍ତ ବିଶ୍ୱଶର୍ମା ଓ ସୋନୱାଲଙ୍କ ସହ ଶାହ, ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ପ୍ରଥମେ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ପରେ ସୋନୱାଲଙ୍କୁ ଡାକରା ମିଳିଥିଲା।ନଡ୍ଡାଙ୍କ ବାସଭବନରୁ ହସହସ ମୁହଁରେ ବାହାରକୁ ଆସିଥିବା ବିଶ୍ୱଶର୍ମା କହିଛନ୍ତି, “ବିଜେପିର ବିଧାୟକ ଦଳ ବୈଠକ ଆସନ୍ତାକାଲି ଗୌହାଟୀରେ ବସିବ। ଏହି ସମୟରେ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ସେହି ମିଟିଂ ପରେ ସମସ୍ତେ ସବୁ କିଛି ଜାଣିପାରିବେ।” ତେବେ ସୋନୱାଲଙ୍କ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ। ସର୍ବାନନ୍ଦ ସୋନୱାଲଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ହିମନ୍ତ ବିଶ୍ୱଶର୍ମା ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଆସାମରେ ବିଜେପିର ସଙ୍କଟମୋଚକ ଭାବେ ମଧ୍ୟ ବେଶ ଜଣାଶୁଣା। ସମସ୍ତେ ଆଶା କରିଥିଲେ ଯେ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଉପରେ ମୋହର ମାରିବ। ତେବେ କାଳେ ଏହି ଘୋଷଣା ସର୍ବାନନ୍ଦ ସୋନୱାଲଙ୍କ କ୍ୟାମ୍ପରେ ଅସନ୍ତୋଷ ସୃଷ୍ଟି କରିବ, ସେଥିପାଇଁ ଦଳ କାହାକୁ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନଥିଲା ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ଜରୁରୀ ନଥିଲେ ଅଭିଯୁକ୍ତଙ୍କୁ ଏବେ ଗିରଫ କରନି: ସୁପ୍ରିମକୋର୍ଟ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ୭ ବର୍ଷରୁ କମ ଦଣ୍ଡ ଥିବା ମାମଲାରେ ଫସିଥିବା ଅଭିଯୁକ୍ତଙ୍କୁ ଅତି ଜରୁରୀ ନଥିଲେ ଗିରଫ କରନାହିଁ। ସେହିପରି ଜେଲ ଓ ଥାନାରେ ଥିବା ଅନ୍ତେବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ଭିତରେ ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭିଡ଼ କମାଇବା ପାଇଁ ସୁପ୍ରିମକୋର୍ଟ ପୁଲିସ୍‌ ପ୍ରଶାସନ ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅତି ଜରୁରୀ ନଥିଲେ କୌଣସି ଅଭିଯୁକ୍ତଙ୍କୁ ଗିରଫ ନ କରିବାକୁ କୋର୍ଟ କହିଛନ୍ତି। ଏଥିସହ ଜେଲ କଥା ବୁଝିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ଜରୁରୀ କାଳୀନ ଭିତ୍ତିରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା କଏଦୀଙ୍କୁ ତୁରନ୍ତ ଚିହ୍ନଟ କରି ରିଲିଜ୍‌ କରନ୍ତୁ। ଜେଲ୍‌ରେ ଭିଡ଼ କମାଇବାକୁ ଗତବର୍ଷ ଯେଉଁମାନଙ୍କୁ ପାରୋଲରେ ଛଡ଼ା ଯାଇଥିଲା, ସେମାନଙ୍କୁ ମଧ୍ୟ ତୁରନ୍ତ ଏବର୍ଷ ୯୦ ଦିନ ପାଇଁ ଘରକୁ ଯିବାକୁ ଅନୁମତି ଦିଆଯାଉ। ଗତବର୍ଷ ମାର୍ଚ୍ଚ ୨୩ରେ ସୁପ୍ରିମକୋର୍ଟ ଜେଲ୍‌ରେ ଭିଡ଼ କମାଇବାକୁ ଉଚ୍ଚସ୍ତରୀୟ କମିଟି କଏଦୀମାନଙ୍କୁ ପାରୋଲରେ ଛାଡ଼ିବାକୁ କହିଥିଲେ। ଏବେ ଉକ୍ତ ନିର୍ଦ୍ଦେଶନାମା ଆଧାରରେ ସମସ୍ତଙ୍କୁ ୯୦ ଦିନ ପାଇଁ ପୁଣି ଛାଡ଼ିବାକୁ କହିଛନ୍ତି। ୭ ବର୍ଷରୁ କମ ଦଣ୍ଡ ଥିବା ମାମଲାରେ ଏହି ନିୟମ ଲାଗୁ ହେବ ବୋଲି କୋର୍ଟ କହିଥିଲେ। ଜେଲ୍‌ରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ କଏଦୀଙ୍କ ନିୟମତ ଟେଷ୍ଟ କରିବାକୁ କୋର୍ଟ କହିଛନ୍ତି। ସେହିପରି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ସୁପ୍ରିମକୋର୍ଟ ଗଠନ କଲେ ଜାତୀୟ ଟାସ୍କଫୋର୍ସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ଅକ୍ସିଜେନ ସଙ୍କଟ ସାମ୍ନାକୁ ଆସିବାରେ ଲାଗିଛି। ଏହି ସଙ୍କଟକୁ ଦୂର କରିବା ପାଇଁ ବାରମ୍ବାର କେନ୍ଦ୍ରକୁ ତାଗିଦ କରୁଥିବା ସୁପ୍ରିମକୋର୍ଟ ବଡ଼ ପଦକ୍ଷେପ ନେଇଛନ୍ତି। ସାରା ଦେଶରେ ଅକ୍ସିଜେନ ଯୋଗାଣ, ଆବଶ୍ୟକ ଓ ଆକଳନ ଉପରେ ନଜର ରଖିବା ପାଇଁ ସୁପ୍ରିମକୋର୍ଟ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଟାସ୍କଫୋର୍ସରେ ୧୨ ଜଣ ସଦସ୍ୟ ରହିବେ। ଏହି ସଦସ୍ୟମାନେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ନଜର ରଖିବେ। କେବଳ ଅକ୍ସିଜେନ ବଣ୍ଟନ ନୁହେଁ, ଜରୁରୀ ଔଷଧ ବିତରଣ ଉପରେ ମଧ୍ୟ ଏମାନଙ୍କର ନଜର ରହିବ। କରୋନା ମହାମାରୀ ବେଳେ ଲୋକଙ୍କୁ ଆବଶ୍ୟକ ଏକ୍ସିଜେନ ଓ ଔଷଧ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଏହି ଟାସ୍କଫୋର୍ସ ଗଠନ କରିଛନ୍ତି। ମହାମାରୀ କରୋନା ବେଳେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଏହି ଟାସ୍କଫୋର୍ସ ପ୍ରସ୍ତାବ ଦେଇପାରିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଠାରୁ ସଦସ୍ୟମାନେ ଇନପୁଟ୍‌ ହାସଲ କରିବେ ଓ ମହାମାରୀକୁ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ ପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଟାସ୍କଫୋର୍ସର ନେତୃତ୍ୱ ପଶ୍ଚମବଙ୍ଗ ବିଶ୍ୱବିଦ୍ୟାଳୟର ହେଲଥ ସାଇନ୍ସର ପୂର୍ବତନ କୁଳପତି ଡା ଭବତୋଷ ବିଶ୍ୱାସ ନେବେ। ତାଙ୍କ ବ୍ୟତୀତ ଟାସ୍କଫୋର୍ସରେ ମେଦାନ୍ତ ହସ୍ପିଟାଲର ମୁଖ୍ୟ ଡା ନରେଶ ତେହେରାନ, ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡା ଦେବେନ୍ଦ୍ର ସିଂହ ରାଣା, ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ମେଡିକାଲର କଲେଜର ପ୍ରଫେସର ଡା ଗଗନଦୀପ କଙ୍ଗ ଓ ନିର୍ଦ୍ଦେଶକ ଜେଭି ପିଟର, ବେଙ୍ଗାଲୁରୁର ସ୍ଥିତ ନାରାୟଣ ହେଲଥ କେୟାରର ଅଧ୍ୟକ୍ଷ ଡା ଦେବୀ ପ୍ରସାଦ ସେଟ୍ଟୀ, ମୁମ୍ବାଇର ଫୋରଟିସ ହସ୍ପିଟାଲର ଆଇସିୟୁ ନିର୍ଦ୍ଦେଶକ ଡା ରାହୁଲ ପଣ୍ଡିତ ପ୍ରମୁଖ ରହିଛନ୍ତି। ନ୍ୟାଶନାଲ ଟାସ୍କଫୋର୍ସର ଆବାହକ ଭାବେ ଭାରତର ସରକାରଙ୍କ କ୍ୟାବିନେଟ୍‌ ସଚିବ କାର୍ଯ୍ୟ କରିବେ। ଦରକାର ପଡ଼ିଲେ କ୍ୟାବିନେଟ୍‌ ସଚିବ ଜଣେ ଅଧିକାରୀଙ୍କୁ ତାଙ୍କ ବଦଳରେ ନିଯୁକ୍ତ କରିପାରିବେ। କିନ୍ତୁ ଉକ୍ତ ଅଧିକାରୀଙ୍କ ପାହ୍ୟା ଆଡିସନାଲ ସଚିବ ତଳକୁ ହୋଇ ନଥିବ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଛାଟ ପରେ କୋଭିଡ୍‌ ନୀତି ପରିବର୍ତ୍ତନ କଲା କେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶେଷରେ କୋଭିଡ୍‌ ନୀତି ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ସର୍ବଭାରତୀୟ ସ୍ତରରେ ହସ୍ପିଟାଲରେ ଆଡ୍‌ମିଶନ ପାଇଁ ଆଜି କେନ୍ଦ୍ର ସରକାର ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁସାରେ, ହସ୍ପିଟାଲରେ ଆଡମିଶନ ପାଇଁ ଏଣିକି କରୋନା ପଜିଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ଜଣେ ଲୋକ କରୋନାର ପ୍ରାଥମିକ ଲକ୍ଷଣ ବେଳେ ବିନା କୌଣସି ପଜିଟିଭ ରିପୋର୍ଟରେ ଚାହିଁଲେ ହସ୍ପିଟାଲରେ ଆଡମିଶନ କରିପାରିବେ। କୌଣସି ହସ୍ପିଟାଲ ଏଥିପାଇଁ କାହାକୁ ବାରଣ କରିପାରିବେ ନାହିଁ ବୋଲି ଗାଇଡଲାଇନରେ କୁହାଯାଇଛି। କୌଣସି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ କରିବାକୁ ଏଭଳି ନୀତି ଅଣାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ବିଭିନ୍ନ ସ୍ଥାନରେ ବାହାର ରାଜ୍ୟ ଓ ସହରର ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲ ଆଡମିଶନ କରିବାକୁ ମନା କରୁଛନ୍ତି। ଏଥିସହ ବିନା ପଜିଟିଭ ରିପୋର୍ଟ ନଥିଲେ ଲୋକଙ୍କୁ ଲକ୍ଷଣ ଥାଇ ମଧ୍ୟ କୋଭିଡ୍‌ ହସ୍ପିଟାଲରେ ଆଡମିଶନ ମିଳୁନି। ଏହାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏଥିସହ ହସ୍ପିଟାଲ ଆଡନମିଶନ ପାଇଁ ଜାତୀୟ ନୀତି ଆଣିବାକୁ କହିଥିଲେ। ଏହାକୁ ଆଧାର କରି ଆଜି କେନ୍ଦ୍ର ସରକାର ନୂଆ ନୀତି ପ୍ରଣୟନ କରିଛନ୍ତି।

୧-କୋଭିଡ ହସ୍ପିଟାଲରେ ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ। ଜଣେ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ସିସିସି, ଡିସିଏଚସି କିମ୍ବା ଡିଏଚ୍‌ସି ୱାର୍ଡରେ ଆଡମିଶନ ମିଳିବ। ଏଥିପାଇଁ କେହି ବି ମନା କରିପାରିବେ ନାହିଁ।

୨-ରୋଗୀଙ୍କୁ କୌଣସି ବି ପରିସ୍ଥିତିରେ ସେବା ଯୋଗାଇ ଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିପାରିବେ ନାହିଁ। ଅନ୍ୟ ସହର କିମ୍ବା ରାଜ୍ୟର ହୋଇଥିଲେ ମଧ୍ୟ ସ୍ଥାନୀୟ ହସ୍ପିଟାଲଗୁଡ଼ିକ ଜଣେ ରୋଗୀଙ୍କୁ ଆଡମିଶନ କରି ସମସ୍ତ ପ୍ରକାରର ଜରୁରୀ ସେବା ଯଥା ଅକ୍ସିଜେନ ଓ ଜୁରୁରୀ ଔଷଧ ଯୋଗାଇ ଦେବାକୁ ବାଧ୍ୟ।

୩-ନିର୍ଦ୍ଦିଷ୍ଟ ପରିଚୟପତ୍ର ଦେଖାଇ ନପାରିଲେ ମଧ୍ୟ ଜଣେ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ।

୪-‘ଆବଶ୍ୟକ’ ହିଁ ହସ୍ପିଟାଲ ଆଡମିଶନ ପାଇଁ ମାପକାଠି ହେବ।

୫-ଆବଶ୍ୟକ ନଥାଏ ଲୋକଙ୍କୁ ଆଡମିଶନ ଦେଇ ବେଡ୍‌କୁ ଅଯଥାରେ କେହି ବି ଦଖଲ କରି ରହିପାରିବେ ନାହିଁ।

୬-ରୋଗୀଙ୍କ ପାଇଁ ଜରୁରୀ ଅଛି ମାନେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର ଆଡମିଶନ କରିବାକୁ ବାଧ୍ୟ।

୭-କେହି ବି ରୋଗୀଙ୍କୁ ହସ୍ପିଟାଲ ଥିବା ସହରର ଲୋକ ନୁହନ୍ତି ବୋଲି କହି ଆଡମିଶନ କରିବାକୁ ମନା କରିପାରିବେ ନାହିଁ।

ଧାରା ୩୭୦ ପ୍ରସଙ୍ଗରେ ଛେପ ଢୋକିଲା ପାକିସ୍ତାନ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ତେଣୁ ଭାରତ ପାଖରେ ଏହି ଆଇନ ପ୍ରତ୍ୟାହାର କରିପାରିବାର କ୍ଷମତା ରହିଛି ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏହାକୁ ବିରୋଧ କରି ତମ୍ୱି ତୋଫାନ କରୁଥିଲା ପାକିସ୍ତାନ। ଭାରତ ଧାରା ୩୭୦ ପ୍ରତ୍ୟାହାର କରିପାରିବ ନାହିଁ, ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଆଦି କେତେ କଣ କହି ଜାତିସଂଘ ପାଖରୁ ଆରମ୍ଭ କରି ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ପାକିସ୍ତାନ। ଆଉ ସବୁଠି ଲୋକହସା ହୋଇଥିଲା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶ। ଏବେ କିନ୍ତୁ ପାକିସ୍ତାନର ସ୍ୱର ନରମିଛି। ଆଉ ଧାରା ୩୭୦ ପ୍ରସଙ୍ଗରେ ନିଜ ଛେପ ନିଜେ ଢୋକିଛି। ପାକିସ୍ତାନର ସାମ୍ୱାଦିକ ନୈଇଲା ଇନାୟତ ଟ୍ୱିଟ୍ କରି ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସାମ୍ମା ଟିଭିକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି, ଭାରତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଜମ୍ମୁ କଶ୍ମୀରରୁ ଏହି ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ବୋଲି କୁରେଶୀ ସାକ୍ଷାତକାରରେ କହୁଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି, ଭାରତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ସେମିତି କିଛି ଲାଭ ପାଇବ ନାହିଁ। ଦୁଇ ଦେଶ ମଧ୍ୟରେ ଯେଉଁ ସମସ୍ୟା ରହିଛି ତାହା ପରସ୍ପର ମଧ୍ୟରେ ଆଲୋଚନା ଜରିଆରେ ହିଁ ସମାଧାନ ହୋଇପାରିବ। ଆଉ ଯୁଦ୍ଧ କଲେ ଏହା ଆତ୍ମଘାତୀ ହେବ ବୋଲି କୁରେଶୀ ସାକ୍ଷାତକାର ବେଳେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ନିକଟରେ ପରମାଣୁ ବୋମା ରଖିଛି କହି ଭାରତକୁ ନାଲି ଆଖି ଦେଖାଇଥିଲା। ଆଉ ଭାରତ ସହିତ ଯୁଦ୍ଧ କରିବାକୁ ଉସକାଉଥିଲା। ହେଲେ ପରେ ନିଜେ ଥଣ୍ଡା ପଡ଼ିଯାଇଥିଲା। ସେହିପରି ଭାରତର ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ। ଏହାପରେ ଭାରତ ସହିତ ପାକିସ୍ତାନର ସମସ୍ତ ପ୍ରକାର ସମ୍ପର୍କ ବିଛିନ୍ନ ରହିଛି। ହେଲେ ଭାରତର ଏୟାର ଷ୍ଟ୍ରାଇକକୁ ପାକିସ୍ତାନ ଖଣ୍ଡନ କରିଥିଲା। ଯାହାକୁ ସମର୍ଥନ କରି ଦେଶର ବିରୋଧୀ କଂଗ୍ରେସ ସମେତ ଅନେକ ରାଜନୀତିକ ଦଳ କେନ୍ଦ୍ରର ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଥିଲେ। ହେଲେ କିଛି ଦିନ ପରେ ପାକିସ୍ତାନ ସରକାର ତାଙ୍କ ଦେଶର ସଂସଦରେ ଭାରତ ଏୟାର ଷ୍ଟ୍ରାଇକ କରିଥିବା କଥାକୁ ସ୍ୱୀକାର କରିଥିଲେ।