ଶିକ୍ଷକ ଙ୍କ ଦାବୀ ଯଥାର୍ଥ ମଣି, ପାଦେ ଆଗେଇଲେ ବିଧାୟକ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟରେ ଦେଖାଦେଉଥିବା ଦ୍ଵିତୀୟ ଲହରୀ କରୋନାର ମୁକାବିଲା ନିମନ୍ତେ ସରକାର ଙ୍କ ପକ୍ଷରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଏହାର ପ୍ରତିହତ ନିମନ୍ତେ ପ୍ରସ୍ତୁତ ଯୋଜନାରେ ବିଭିନ୍ନ ବିଭାଗ ପକ୍ଷରୁ ସରକାରୀ କର୍ମଚାରୀ ଙ୍କୁ ନିଯୁକ୍ତ କରାଯାଇଛି । କରୋନା ପରିସ୍ଥିତି ସହିତ ଲଢ଼ୁଥିବା ସମସ୍ତ କର୍ମଚାରୀ ଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଇ ବହୁ ସୁବିଧା ଯୋଗାଇ ଦିଆଯାଇଛି । ସମସ୍ତ କର୍ମଚାରୀ ଙ୍କ ଭଳି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ଶିକ୍ଷକ ଙ୍କୁ ନାକା ଗେଟ ପୋଷ୍ଟ ରେ ଜଗୁଆଳିରୁ ଆରମ୍ଭ କରି ଘର ଘର ବୁଲି ସର୍ଭେ କରିବା ନିମନ୍ତେ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏମାନଙ୍କୁ କରୋନା ଯୋଦ୍ଧାର ଆଖ୍ୟା ଦିଆଯାଇନି କିମ୍ବା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇନି । ଏପରିକି କରୋନା କାର୍ଯ୍ୟ ରେ ଯୋଗଦେବା ଶିକ୍ଷକଙ୍କୁ ଟିକାଦେବା ବ୍ୟବସ୍ଥା ମଧ୍ୟ ନାହିଁ । କରୋନା ସଂକ୍ରମଣର ଭୟରେ ଘରୁ ବାହାରିବା ଭୟ ଥିବାବେଳେ ଶିକ୍ଷକ ଘର ଘର ବୁଲି କରୋନା ଜନିତ ସର୍ଭେ କରିବାକୁ ଅଣ୍ଟା ଭିଡ଼ିଛି । ତଥାପି ନିଜ ମନରୁ ଏବଂ ପରିବାରଙ୍କ ମନରୁ ସଂକ୍ରମଣ ଜନିତ ଭୟ ଦୁରେଇ ପାରୁନି । ମନରେ ଉଙ୍କି ମାରୁଛି ଅସରନ୍ତି ଭୟ । ଯଦି କିଛି ଅଘଟଣ ଘଟେ ତେବେ କେବଳ ଏକମାତ୍ର ସ୍ୱଳ୍ପ ବେତନରେ ଗୁଜୁରାଣ ମେଣ୍ଟାଉ ଥିବା ତା’ ପରିବାରର ପରବର୍ତ୍ତୀ ଅବସ୍ଥା କଣ ହେବ ? ଏଣୁ ବର୍ତ୍ତମାନ ଭଳି ଘଡି ସନ୍ଧି ମୁହୂର୍ତ୍ତରେ ଦାୟିତ୍ୱବାନ କାର୍ଯ୍ୟ ତୁଲାଇବାକୁ ଶିକ୍ଷକ ସମାଜ ପଛଘୁଞ୍ଚା ଦେଇ ଏହା ବିରୁଦ୍ଧରେ ସ୍ୱର ଉଠାଇଛି । ଏମାନଙ୍କ ଏଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ଦାବୀ ପ୍ରତି ଜନସାଧାରଣଙ୍କ ସମ୍ପୁର୍ଣ୍ଣ ସମର୍ଥନ ରହିଥିବା ଦେଖିବାକୁ ମିଳିଛି ।

 

ଏମିତି ପରିସ୍ଥିତିରେ ଶିକ୍ଷକଙ୍କ ଦାବୀ ମାନ୍ୟବର ବିଧାୟକ ଙ୍କ ହୃଦୟ କୁ ଛୁଇଁ ପାରିଛି । ଲୋଇସିଙ୍ଘା ବିଧାୟକ ଡ଼ଃ . ମୁକେଶ ମହାଲିଙ୍ଗ ରାଜ୍ୟ ସରକାରଙ୍କ ସ୍ୱାସ୍ତ୍ୟ ବିଭାଗ ଅଧିକାରୀ ଙ୍କୁ ଏକ ପତ୍ର ମାଧ୍ୟମରେ କୋଭିଡ କାର୍ଯ୍ୟ ରେ ନିୟୋଜିତ ଶିକ୍ଷକଙ୍କୁ କୋଭିଡ ଯୋଦ୍ଧାର ସମସ୍ତ ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ମାନ୍ୟବର ବିଧାୟକ ଙ୍କ ଏଭଳି ପଦକ୍ଷେପ କୁ ଶିକ୍ଷକ ସମାଜ ଓ ପରିବାର ପକ୍ଷରୁ ସାଧୁବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ଅନ୍ୟ ବିଧାୟକ ମାନେ ମଧ୍ୟ ଶିକ୍ଷକ ଙ୍କ ଏହି ସମସ୍ୟାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଉପସ୍ଥାପନା କରିବା ନିମନ୍ତେ ଶିକ୍ଷକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

କରୋନା ଲଢ଼େଇରେ ସାମିଲ ହେଲେ ପନ୍ତ, ଦେଲେ ଆର୍ଥିକ ସହାୟତା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନାର ଦ୍ୱିତୀୟ ୱେଭ ସହ ଲଢ଼େଇ କରୁଥିବା ଦେଶବାସୀଙ୍କ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ଯୁବ ୱିକେଟ କିପର ଋଷଭ ପନ୍ତ। ସେ କରୋନା ସଂକ୍ରମଣ ଭିତରେ ଲୋକଙ୍କ ଅକ୍ସିଜେନ ସିଲିଣ୍ଡର ଓ ବେଡ୍‌ ସଙ୍କଟ ଦୂର କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା କରୋନା ରୋଗୀଙ୍କ ପାଇଁ ସେ ଏଭଳି ଅର୍ଥ ଦାନ କରିଥିବା କହିଛନ୍ତି। ସେହିପରି ଗ୍ରାମୀଣ ଭାରତ ଓ ନନ୍‌ ମେଟ୍ରୋରେ କରୋନା ରୋଗୀଙ୍କୁ ସେବା ଯୋଗାଉଥିବା ସଂଗଠନ ସହ ମିଶି କାମ କରିବା ପାଇଁ ପନ୍ତ ସବୁବେଳେ ଚାହୁଁଥିବା କଥା ମଧ୍ୟ କହିଛନ୍ତି। ଶନିବାର ନିଜର ସୋଶାଲ ମିଡିଆ ଆକାଉଣ୍ଟରେ ପନ୍ତ ଲେଖିଛନ୍ତି, ବର୍ତ୍ତମାନ ଦେଶରେ ନିରାଶା ସୃଷ୍ଟି ହୋଇଛି। ମୁଁ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି। ମୁଁ ବହୁତ ପାଖରୁ ନିଜ ଲୋକଙ୍କୁ ହରାଇବାର କଷ୍ଟ ଦେଖିଛି। ବର୍ଷେ ହେଲାଣି ଯେଉଁ ଲୋକମାନେ କଷ୍ଟ ସହି ଚାଲିଛନ୍ତି, ସେମାନଙ୍କୁ ମୁଁ ସମବେଦନା ଜଣାଉଛି। ଏହି ମହାମାରୀରେ ଆମକୁ ଛାଡ଼ି ଚାଲି ଯାଇଥିବା ଲୋକଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଗୋଟିଏ କାରଣ ପାଇଁ ସମସ୍ତେ ଟିମ୍‌ ଭଳି ଲଢ଼ିବା ମୁଁ ଖେଳରୁ ଶିଖିଛି। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ନିୟମିତ ଓ ନିରବଚ୍ଛିନ୍ନ ଭାବେ ଭାରତକୁ ସହଯୋଗ କରି ଆସୁଥିବା ସମ୍ମୁଖ ଯୋଦ୍ଧାଙ୍କୁ ମୁଁ ସାଲ୍ୟୁଟ କରୁଛି। କିନ୍ତୁ ଏହି ଅଭୂତ ପୂର୍ବ ସମୟରେ ସମଗ୍ର ଦେଶକୁ ଆମେ ସମସ୍ତେ ଏକାଠି ହୋଇ ସହଯୋଗ କରିବା ଦରକାର। ମୁଁ ହେମକୁଣ୍ଠ ଫାଉଣ୍ଡେସନକୁ କିଛି ଆର୍ଥିକ ସହାୟତା କରୁଛି। ଏହି ଫାଉଣ୍ଡେସନ ସମଗ୍ର ଦେଶରେ ଲୋକଙ୍କୁ ଅକ୍ସିଜେନ ସିଲିଣ୍ଡର ସହ ବେଡ୍‌, କୋଭିଡ ରିଲିଫ କିଟ୍‌ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବ। ବିଶେଷ କରି ମୁଁ ଗ୍ରାମାଞ୍ଚଳ ଓ ନନ୍‌ ମେଟ୍ରୋଲର ଲୋକଙ୍କ ପାଇଁ କାମ କରୁଥିବା ସଂଗଠନ ସହ ସାମିଲ ହେବାକୁ ସବୁବେଳେ ଆଗ୍ରୀହ ରହିଥାଏ। କାରଣ ସହରରେ ମିଳୁଥିବା ସ୍ୱାସ୍ଥ୍ୟସେବା ସାଧାରଣତଃ ସେମାନଙ୍କୁ ମିଳେନାହିଁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ କ୍ଷମତା ଓ ଶୈଳୀ ଅନୁସାରେ ସହଯୋଗ କରିବାକୁ ଆଗେଇ ଆସନ୍ତୁ। ଏହାଦ୍ୱାରା ଆମେ ଭାରତର ବିଚ୍ଛାନ୍ନଞ୍ଚଳରେ ପହଞ୍ଚି ପାରିବା। ସେଠାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା କୋଭିଡ ରିଲିଫ ଏବଂ ଟିକାକରଣର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନାତା ବାର୍ତ୍ତା ବାଣ୍ଟି ପାରିବା।ଦୟା କରି ସମସ୍ତେ ମନେ ରଖନ୍ତୁ ସୁରକ୍ଷିତ ରୁହନ୍ତୁ ଓ ସରକାରଙ୍କ ଧାର୍ଯ୍ୟ ନିୟମକୁ ପାଳନ କରନ୍ତୁ। ସେହିପରି ସମ୍ଭବ ହେବା ମାତ୍ରେ ଟିକା ନିଅନ୍ତୁ ବୋଲି ପନ୍ତ କହିଛନ୍ତି। ଭାରତରେ ଏବେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଏଥିପାଇଁ ପନ୍ତଙ୍କ ପୂର୍ବରୁ ବିରାଟ କୋହଲି, ସଚିନ ତେନ୍ଦୁଲକର, ଶିଖର ଧୱନ, ପ୍ୟାଟ କମିନ୍ସ ଓ ବ୍ରେଟ ଲି’ ପ୍ରମୁଖ ଆର୍ଥିକ ସହାୟତା ଦେଇଛନ୍ତି।

୮ ଥର ବାହା ହୋଇଥିଲେ ଏହି ହଲିଉଡ ଅଭିନେତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ମୁମ୍ବାଇ) – ଏଲିଜାବେଥ ଟେଲର ଥିଲେ ହଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ୫୦ରୁ ଅଧିକ ହଲିଉଡ‌୍‍ ଫିଲ୍ମରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଦୁଇ ଥର ଅସ୍କାର ପୁରସ୍କାର ମଧ୍ୟ ପାଇଥିଲେ। ୨୦୧୧ ମସିହାରୁ ତାଙ୍କର ନିଧନ ହୋଇସାରିଛି। ତେବେ ଏବେ ବି ସାରା ବିଶ୍ୱରେ ତାଙ୍କର ଫ୍ୟାନ‌୍‍ ଅଛନ୍ତି। ନିଜ ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚିତ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ଥିଲେ ତାଙ୍କ ବାହାଘରକୁ ନେଇ। ତାଙ୍କ ଫିଲ୍ମ କ୍ୟାରିୟର ବହୁତ ଭଲ ଥିଲା। କିନ୍ତୁ ତାଙ୍କ ବୈବାହିକ ଜୀବନ ଏହାର ପୂରା ଓଲଟା ଥିଲା। ସେ ମୋଟ ୮ ଥର ବିବାହ କରିଥିଲେ। ତା’ମଧ୍ୟରେ ଜଣେ ବ୍ୟକ୍ତିଙ୍କୁ ସେ ଦୁଇ ଥର ବିବାହ କରିଥିଲେ। ଏଲିଜାବେଥ ପ୍ରଥମ ବାହାଘର ହୋଇଥିଲା କୋନରାଡ‌୍‍ ନିକି ହିଲ୍ଟନଙ୍କ ସହିତ। ୧୯୫୦ରେ ଏହି ବିବାହ ହୋଇଥିଲା। କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ପାରି ନଥିଲା। ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା ଓ ୧୯୫୧ରେ ସେମାନେ ଅଲଗା ହୋଇଯାଇଥିଲେ। ଏଲିଜାବେଥଙ୍କ ଦ୍ୱିତୀୟ ବିବାହ ବେଶ‌୍‍ ଚର୍ଚ୍ଚାରେ ରହିଥିଲା। ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମ ଥିଳା ମାଇକେଲ ୱାଇଲ୍ଡିଙ୍ଗ। ଏଲିଜାବେଥଙ୍କ ଠାରୁ ତାଙ୍କ ଦ୍ୱିତୀୟ ସ୍ୱାମୀ ୨୦ ବର୍ଷ ବଡ଼ ଥିଲେ। ଏ ବାହାଘର ୧୯୫୨ରେ ହୋଇଥିଲା ଓ ପ୍ରାୟ ୫ ବର୍ଷ ଧରି ତିଷ୍ଠି ଥିଲା। ପରେ ସେମାନଙ୍କ ମଧ୍ୟରେ ମତଭେଦ ହେଲା ଓ ୧୯୫୭ରେ ଏଲିଜାବେଥ ତାଙ୍କୁ ଛାଡ଼ି ଦେଇଥିଲେ। ଏହା ପରେ ଏକୁଟିଆ ଥିବା ଏଳିଜାବେଥଙ୍କ ଜୀବନକୁ ଆସିଲେ ମାଇକ ଟୋଡ‌୍‍‌ । ଦେଖା-ସାକ୍ଷାତ ଓ ଡେଟିଂ ପରେ ମାଇକଙ୍କୁ ଏଲିଜାବେଥ ବିବାହ କରିଥିଲେ। ଏହା ଥିଲା ତାଙ୍କ ତୃତୀୟ ବିବାହ, ଯାହା ୧୯୫୭ରେ ହୋଇଥିଲା। କିନ୍ତୁ ୧୯୫୮ରେ ମାଇକଙ୍କ ପରଲୋକ ହୋଇଯାଇଥିଲା।ମାଇକଙ୍କ ମୃତ୍ୟୁ ପରେ ଏଡି ଫିସରଙ୍କ ନିକଟତର ହୋଇଥିଲେ ଏଲିଜାବେଥ ଟେଲର। ଫିସର ବିବାହିତ ଥିଲେ। ତଥାପି ସେ ଏଲିଜାବେଥଙ୍କ ପ୍ରେମରେ ପଡ଼ିଥିଲେ ଓ ଦୁହିଁଙ୍କ ବିବାହ ହୋଇଥିଲା। ଏଲିଜାବେଥଙ୍କ ଚତୁର୍ଥ ବିବାହ ୧୯୫୯ରେ ହୋଇଥିଲା ଓ ପ୍ରାୟ ୫ ବର୍ଷ ତିଷ୍ଠି ଥିଲା। ୧୯୬୪ରେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଫିସରଙ୍କ ଠାରୁ ଅଲଗା ହେବା ପରେ ଏଲିଜାବେଥଙ୍କ ସଂପର୍କ ଗଢ଼ି ଉଠିଥିଲା ରିଚାର୍ଡ ବର୍ଟନଙ୍କ ସହିତ। ରିଚାର୍ଡ ଜଣେ ଅଭିନେତା ଥିଲେ। ସେ ବି ଏଲିଜାବେଥଙ୍କୁ ଭଲ ପାଉଥିଲେ। ଏଲିଜାବେଥ ତାଙ୍କୁ ବାହା ହୋଇଥିଲେ। ୧୯୬୪ରୁ ୧୯୭୪ ପର୍ଯ୍ୟନ୍ତ ରିଚାର୍ଡଙ୍କ ସହିତ ରହିବା ପରେ ଅଲଗା ହୋଇଯାଇଥିଲେ ଏଲିଜାବେଥ। ତେବେ ୧୯୭୫ରେ ପୁଣି ଦୁହେଁ ବିବାହ କରିଥିଲେ। ଏହା ପରେ ୧୯୭୬ରେ ସେମାନେ ଅଲଗା ହୋଇଯାଇଥିଲେ। ଅଥାର୍ତ‌୍‍ ଏଲିଜାବେଥଙ୍କ ପଞ୍ଚମ ଓ ଷଷ୍ଠ ବିବାହ ରିଚାର୍ଡଙ୍କ ସହିତ ହୋଇଥିଲା। ରିଚାର୍ଡଙ୍କ ପରେ ଏଲିଜାବେଥଙ୍କ ଜୀବନକୁ ଆସିଥିଲେ ଜନ ୱାର୍ଣ୍ଣର। ୧୯୭୬ରେ ସେ ଜନଙ୍କୁ ବିବାହ କରିଥିଲେ ଓ ଏହା ଥିଲା ତାଙ୍କର ସପ୍ତମ ବିବାହ। ୧୯୮୨ରେ ଏ ବାହାଘର ଭାଙ୍ଗି ଯାଇଥିଲା। ଏହା ପରେ ଏଲିଜାବେଥ ପଡ଼ିଥିଲେ ଲାରୀ ଫୋଟେନସ୍କିଙ୍କ ପ୍ରେମରେ। ୧୯୯୧ରେ ତାଙ୍କୁ ବିବାହ କରଥିଲେ ଏଲିଜାବେଥ ଟେଲର। ଏହା ଥିଲା ତାଙ୍କର ଅଷ୍ଟମ ବିବାହ। ୧୯୯୬ ପର୍ଯ୍ୟନ୍ତ ଏହି ବିବାହ ତିଷ୍ଠି ପାରିଥିଲା।

ହେମା ମାଳିନୀଙ୍କୁ ବାହା ହେବା ପରେ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ମୁମ୍ବାଇ) – ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ପ୍ରେମ ବିଷୟରେ ସମସ୍ତେ ଜାଣନ୍ତି। ବାହା ହୋଇ ଚାରି ସନ୍ତାନସନ୍ତତିଙ୍କ ବାପା ହେବା ପରେ ବି ହେମାଙ୍କ ପ୍ରେମରେ ପଡ଼ିଥିଲେ ଧର୍ମେନ୍ଦ୍ର ଓ ତାଙ୍କୁ ବାହା ହୋଇଥିଲେ। ତେବେ କୁହାଯାଏ, ହେମାଙ୍କୁ ବାହା ହେବା ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଧର୍ମେନ୍ଦ୍ର। ଆଉ ସେ ହେଲେ ଅନୀତା ରାଜ। ଧର୍ମେନ୍ଦ୍ର ଓ ଅନୀତା ରାଜ ଏକାଠି ଅନେକ ଫିଲ୍ମରେ କାମ କରିଥିଲେ। ଆଉ ଫିଲ୍ମ ଶୁଟିଂ ବେଳେ ସେମାନଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା ବୋଲି କୁହାଯାଏ। ଏହାକୁ ନେଇ ସେତେବେଳେ ଖୁବ‌୍‍ ଚର୍ଚ୍ଚା ବି ହୋଇଥିଲା। ଅବଶ୍ୟ ସେମାନଙ୍କ ପ୍ରେମ ଅଧିକ ଦିନ ଆଗେଇ ପାରି ନଥିଲା । ୮୦ ଦଶକରେ ଅନୀତା ରାଜ ବେଶ‌୍‍ ପପୁଲାର ଥିଲେ। ସେ ବି ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡ଼ିଯାଇଥିଲେ। ଉଭୟଙ୍କ ବୟସରେ ଖୁବ‌୍‍ ବ୍ୟବଧାନ ଥିଲା। ଧର୍ମେନ୍ଦ୍ରଙ୍କ ଠାରୁ ଅନୀତା ୨୭ ବର୍ଷ ସାନ ଥିଲେ। ଦୁହିଁଙ୍କ ମଧ୍ୟରେ ଆଫେୟାର ନେଇ ଯେତେବେଳେ ମିଡିଆରେ ଖବର ଆସିଲା, ସେତେବେଳେ ହେମା ମାଳିନୀ ବିଚଳିତ ହୋଇଯାଇଥିଲେ।

କୁହାଯାଏ, ଏହା ପରେ ଅନୀତା ରାଜଙ୍କ ଠାରୁ ଦୂରେଇ ରହିବା ପାଇଁ କୁଆଡେ଼ ଧର୍ମେନ୍ଦ୍ରଙ୍କୁ ଧମକ ଦେଇଥିଲେ ହେମା ମାଳିନୀ। ଏହା ପରେ ଧର୍ମେନ୍ଦ୍ର ଓ ଅନୀତାଙ୍କ ମଧ୍ୟରେ ଚାଲିଥିବା ଆଫେୟାରରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ୧୯୮୧ରେ ଅନୀତାଙ୍କ ପ୍ରଥମ ଫିଲ୍ମ ପ୍ରେମ ଗୀତ ରିଲିଜ ହୋଇଥିଲା। ଏହା ପରେ ସେ ପପୁଲାର ହୋଇଗଲେ ଏବଂ ପାଖାପାଖି ୧୦୦ ଫିଲ୍ମରେ କାମ କରିଥିଲେ। ୧୯୯୩ରେ ଫିଲ୍ମ ପ୍ରଯୋଜକ ସୁନୀଲ ହିଙ୍ଗୋରାନୀଙ୍କୁ ବିବାହ କରିଥିଲେ। ଫିଲ୍ମ ଠାରୁ ଦୂରେଇ ଯିବା ପରେ ଛୋଟ ପରଦାରେ କାମ କରିଥିଲେ ଅନୀତା। ମାୟା, ୨୪, ତୁମହାରୀ ପାକ୍ଷୀ, ଏକ ଥା ରାଜା ଏକ ଥୀ ରାନୀ ଓ ଇନା ମୀନା ଡିକା ଭଳି ଧାରାବାହିକରେ ସେ ଅଭିନୟ କରିଛନ୍ତି।

‘ଯେଉଁମାନଙ୍କୁ ଗାଦିରେ ବସାଇଛୁ, ତାଙ୍କ ପାଇଁ ବାର ଦୁଆର ହେଉଛୁ’…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ମୁମ୍ବାଇ) – ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଛି ସମଗ୍ର ଦେଶ। ଦିନକୁ ଦିନ ଆକ୍ରାନ୍ତ ତଥା ମୃତକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାଦ୍ୱାରା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି। ଏଥିନିମନ୍ତେ ସିଧାସଳଖ ରାଜନେତାଙ୍କୁ ଟାର୍ଗେଟ କରିଛନ୍ତି ବଲିଉଡ଼ର ଆଗ ଧାଡ଼ିର ଅଭିନେତା ସୁନିଲ ସେଟ୍ଟି। ନେତାମାନେ ଠିକ୍‌ ଭାବେ ନିଜ କାମ କରିଥିଲେ ଆଜି ଲୋକମାନଙ୍କୁ ନିଜ ପରିବାର ଲୋକଙ୍କ ଜୀବନ ବଞ୍ଚାଇବାକୁ ଏ ମେଡିକାଲରୁ ସେ ମେଡିକାଲ ଦୌଡ଼ିବାକୁ ପଡ଼ୁ ନ ଥାନ୍ତା ବୋଲି କହିଛନ୍ତି ସୁନିଲ । ଲୋକଙ୍କ ଦୁଃଖ ସହି ନ ପାରି ରାଜନେତାଙ୍କ ଉପରେ ଆକ୍ରୋଶ ଶୁଝାଇଛନ୍ତି ଏହି ଅଭିନେତା। ସୁନିଲ ସେଟ୍ଟି କହିଛନ୍ତି, ଯେଉଁ ରାଜନେତା ଗାଦିରେ ବସୁଛନ୍ତି କେବଳ ଆଗାମୀ ୫ ବର୍ଷରେ କେତେ ରୋଜଗାର କରି ହେବ ତାହା ଭାବୁଛନ୍ତି। ବ୍ୟବସ୍ଥାରେ ସୁଧାର ଆଣିବାକୁ କେହି ତତ୍ପର ନୁହନ୍ତି। ଏଥିସହ ସେ କହିଛନ୍ତି, ଯେଉଁମାନଙ୍କୁ ଦିନେ ଆମେ ବାଛିକି ଗାଦିରେ ବସାଇଥିଲେ, ଆଜି ସେମାନଙ୍କ ପାଇଁ ଆମେ ବାର ଦୁଆର ହେଉଛୁ। ସେମାନଙ୍କ ପାଇଁ ଆମ  ବନ୍ଧୁ, ପରିଜନଙ୍କୁ ବେଡ, ଅକ୍ସିଜେନ, ଭେଣ୍ଟିଲେଟର କିଛି ମିଳି ପାରୁ ନାହାନ୍ତି। ଏହିମାନେ ଆମକୁ ପ୍ରତ୍ୟେକ ଜିନିଷ ପାଇଁ ଅନ୍ୟପାଖରେ ହାତ ପତାଇବାକୁ ବାଧ୍ୟ କରୁଛନ୍ତି। ହେଲେ ଏହି ସମୟ ଦିନେ ବଦଳିବ ଓ ଗାଦିରେ ବସିଥିବା ଲୋକ ବି ବଦଳିବେ । ଏ ସମୟରେ ପରସ୍ପରକୁ ଦୋଷାରୋପ କରିବା ଉଚିତ ନୁହେଁ ବୋଲି ମଧ୍ୟ କହିଛନ୍ତି ଏହି ଭେଟେରାନ ଆକ୍ଟର । ତେଣୁ ଭବିଷ୍ୟତରେ ଏହି ଧାରାରେ ପରିବର୍ତ୍ତନ ଆଣି ଠିକ୍‌ ଲୋକଙ୍କୁ ଭୋଟ ଦେବା ପାଇଁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।  ଯେଉଁମାନେ ଅନ୍ୟମାନଙ୍କ ପାଇଁ କିଛି କରିବାର ମାନସିକତା ରଖୁଛନ୍ତି, ସେମାନେ କୌଣସି ବି ଦଳର ହୋଇପାରନ୍ତି। ତେଣୁ ସେମାନଙ୍କୁ ବାଛି ଦାୟିତ୍ୱ ଦେବା ଆମ କର୍ତ୍ତବ୍ୟ।  ପରସ୍ପରକୁ ସହଯୋଗ କରି ଏପରି ଖରାପ ସମୟରୁ ଆମକୁ ବାହାରିବାକୁ ପଡ଼ିବ ବୋଲି କହିଛନ୍ତି ବଲିଉଡ଼ର ଏହି ଷ୍ଟାଇଲିଷ୍ଟ ଅଭିନେତା। ସମଗ୍ର ଦେଶରେ ଅକ୍ସିଜେନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବହୁ ବଲିଉଡ଼ କଳାକାର ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ସୁନିଲ ସେଟ୍ଟି ଗତ ମାସଠୁ ସୋଶାଲ ମିଡିଆ ଜରିଆରେ ଆବଶ୍ୟକ କରୁଥିବା ଲୋକଙ୍କ ନିକଟରେ ଫ୍ରିରେ ଅକ୍ସିଜେନ ପଠାଇବା ବ୍ୟବସ୍ଥା କରିଛନ୍ତି।  ଏବେ ସେ ବମ୍ବେ ଓ ବାଙ୍ଗାଲୋରରେ ଲୋକଙ୍କ ନିକଟରେ ମାଗଣାରେ ଅକ୍ସିଜେନ ପହଞ୍ଚାଉଥିବା ବେଳେ ଆଗକୁ ହାଇଦ୍ରାବାଦରେ ବି ଏହି ସୁବିଧା ଉପଲବ୍ଧ କରାଇବେ ବୋଲି କହିଛନ୍ତି।

୧୦ହଜାର ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବେ ସନ୍ନି ଲିଓନୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ମୁମ୍ବାଇ) – କରୋନା ମହାମାରୀ ସମୟରେ ଅନେକ ସେଲିବ୍ରିଟୀ ଗରିବଙ୍କୁ ସହାୟତା କରୁଛନ୍ତି । ଏବେ ଏଥିରେ ସାମିଲ୍ ହୋଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ । ସନ୍ନି ୧୦ହଜାର ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଖୁଆଇବା ପାଇଁ ମନସ୍ଥ କରିଛନ୍ତି । ଏଥିପାଇଁ ସେ ପିପୁଲ୍ ଫର୍ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସର ସହ ହାତ ମିଳାଇଛନ୍ତି । ସନ୍ନି କହିଛନ୍ତି, ଆମେ ବର୍ତ୍ତମାନ ଏକ ବଡ଼ ସଙ୍କଟର ସାମ୍ନା କରୁଛୁ, କିନ୍ତୁ ଏହା ସହ କରୁଣା ଓ ଏକାଗ୍ରତାର ସହ ଆମେ ନିଶ୍ଚୟ ଆଗେଇବା । ପେଟା ଇଣ୍ଡିଆ ସହ ହାତ ମିଳାଇ ମୁଁ ବହୁତ ଖୁସି । ଏଥର ହଜାର ହଜାର ସଂଖ୍ୟକ ଅସହାୟ ଲୋକଙ୍କୁ ଆମେ ପ୍ରୋଟିକ୍ ଯୁକ୍ତ ଶାକାହାରୀ ଖାଦ୍ୟ ଯୋଗାଇବୁ। ଭୋଜନରେ ଡାଲି ଓ ଭାତ କିମ୍ବା ଖେଚୁଡି ଏବଂ ଫଳ ମଧ୍ୟ ଦିଆଯିବ । ସନ୍ନିଙ୍କୁ ୨୦୧୬ରେ ପେଟା ଇଣ୍ଡିଆର ପର୍ସନ୍ ଅଫ୍ ଦି ଇୟରରେ ମନୋନୀତ କରାଯାଇଥିଲା ଏବଂ ଏହା ପୂର୍ବରୁ ସଂଗଠନର ଅଭିଯାନରେ ଶାକାହାରୀ ଫ୍ୟାସନ, ଶାକାହାରୀ ଭୋଜନ ଓ କୁକୁର ଓ ବିଲେଇକୁ ପୋଷ୍ୟ ଭାବେ ଗ୍ରହଣ କରିବା ଆଦିରେ ସାମିଲ୍ ହୋଇଥିଲେ । ପେଟା ଓ ସନ୍ନି ଉଦୟ ଫାଉଣ୍ଡେସନ ମାଧ୍ୟମରେ ଭୋଜନ ଦାନ କରାଯିବ ।

ସପ୍ତାହେ ବିତିଲା, ଏଯାଏ ଘୋଷଣା ହୋଇପାରିଲାନି ବିରୋଧୀ ଦଳ ନେତା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/କୋଲକାତା) – ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା କିଏ ହେବେ? ଶୁଭେନ୍ଦୁ ଅଧିକାରୀ ନା ମୁକୁଲ ରୟ? ନିର୍ବାଚନ ଫଳାଫଳର ସପ୍ତାହକ ପରେ ବି ବିରୋଧୀ ଦଳ ନେତା ଘୋଷଣା କରିପାରିନି ବିଜେପି। ତେବେ ଏହି ଦୁଇ ନେତା ଟିଏମସିରୁ ଆସିଛନ୍ତି। ଉଭୟ ଟିଏମସିରେ ମଧ୍ୟ ଗୁରୁ ଦାୟିତ୍ୱରେ ଥିଲେ। ଏବେ କିନ୍ତୁ ବିଜେପିକୁ ଆସିବା ପରେ ଉଭୟଙ୍କ ମଧ୍ୟରେ ପଦବୀକୁ ନେଇ କନ୍ଦଳ ରହିଥିବା ସୂଚନା ରହିଛି। ଯାହାକୁ ନେଇ ପଦ୍ମ ଶିବୀର ଏବେ ଅଡୁଆରେ। ତେବେ କନ୍ଦଳର ସମାଧାନ ପାଇଁ କେନ୍ଦ୍ର ବିଜେପି ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ପର୍ଯ୍ୟବେକ୍ଷକଙ୍କ ନିଷ୍ପତ୍ତି ଆଧାରରେ ବିରୋଧୀ ଦଳର ନେତା ବାଛିବ ଦଳ। ଶନିବାର ରାତିରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଘରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ ନଡ୍ଡା ବିରୋଧୀ ଦଳର ନେତା ଚୟନ କରିବାର ଦାୟିତ୍ୱ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବଙ୍କୁ ଦେଇଛନ୍ତି। ତେବେ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳର ନେତା ହେବେ ବୋଲି ସୂଚନା ରହିଛି। ସେ ଦୀର୍ଘ ଦିନ ଧରି ରାଜ୍ୟର ମନ୍ତ୍ରୀ ତଥା ସାଂସଦ ଥିଲେ। ବହୁ ବର୍ଷ ଧରି ବିଧାୟକ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପଦ୍ମ ଶିବୀର ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳର ନେତା ଭାବରେ ପ୍ରୋଜେକ୍ଟ କରିପାରେ। ଏଥିସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେ ନିର୍ବାଚନରେ ​​ହରାଇଛନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ତାଙ୍କ ନାମ ବିରୋଧୀ ଦଳର ନେତା ଭାବରେ ଆଗରେ ରହିଛି। ହେଲେ ଏହି ପଦବୀ ପାଇଁ ତୁଳନାତ୍ମକ ଭାବେ ଦଳର ପୁରୁଣା ସଦସ୍ୟ ମୁକୁଲ ରୟଙ୍କ ନାମ ମଧ୍ୟ ରହିଛି। ସେ କୃଷ୍ଣନଗର ଉତ୍ତର ଆସନରୁ ଜିତିଛନ୍ତି। ସେ ମମତାଙ୍କ ନିକଟତମ ଥିଲେ। ଏମିତିକି ୟୁପିଏ ସରକାର ବେଳେ ମମତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାପରେ ରେଳ ମନ୍ତ୍ରୀ ପଦବୀ ଛାଡ଼ି ଦେଇଥିଲେ। ଆଉ ମୁକୁଲ ରୟ ହୋଇଥିଲେ କେନ୍ଦ୍ରରେ ରେଳ ମନ୍ତ୍ରୀ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁକୁଲ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ। ତେବେ ବିଜେପି ଦଳର ନିୟମ ଅନୁଯାୟୀ ଦିଲ୍ଲୀରେ ସଂସଦୀୟ ବୋର୍ଡର ବୈଠକ ବସିବ। ସେଠାରେ ନାମ ଚୂଡ଼ାନ୍ତ ହେବ। ଯେଉଁମାନେ ପର୍ଯ୍ୟବେକ୍ଷକ ଭାବରେ ଆସିଛନ୍ତି ସେମାନଙ୍କ ରିପୋର୍ଟ ଆଧାରରେ ବିରୋଧୀ ଦଳ ନେତାର ନାମ ସ୍ଥିର କରାଯିବ। ଏବେ ପର୍ଯ୍ୟବେକ୍ଷକମାନେ ବିଧାୟକଙ୍କୁ ଭେଟିବେ ଏବଂ ସମସ୍ତଙ୍କ ମତ ନେବେ ତା’ପରେ ଏହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯିବ। ସୋମବାର ସୁଦ୍ଧା ବିରୋଧୀ ଦଳର ନେତାଙ୍କ ନାମ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ତେବେ ବିଜେପି ସୂତ୍ରରୁ ପ୍ରକାଶ ଯେ ଶୁଭେନ୍ଦୁ ଅଧିକାରୀ ଏହି ପଦବୀ ପାଇଁ ଦାବିଦାର।

ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଡାକ୍ତର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ମହାମାରୀ ବେଳେ ସମସ୍ତଙ୍କ ଭରସା ଡାକ୍ତର। ହେଲେ ଇତିମଧ୍ୟରେ ଜଣେ ମହିଳା ଡାକ୍ତର ଅସଦାଚାରଣର ଶିକାର ହୋଇଛନ୍ତି। ଆଉ ଏହି ଅସଦାଚରଣ ଅଭିଯୋଗ ଆସିଛି ସିଆରପିଏଫ ଡିଆଇଜିଙ୍କ ନାମରେ। ଯାହାକୁ ନେଇ ବିହାର ମୁଜାଫରନଗର ଏବେ ଶିରୋନମାରେ। ପ୍ରସଙ୍ଗ ଗମ୍ଭୀର ହେଉଥିବା ଦେଖି ଏହି ମାମଲାର ତଦନ୍ତ ହେବ ବୋଲି ରବିବାର ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ମହିଳା ଡାକ୍ତର ଜଣଙ୍କ ବିହାର ମୁଜାଫରନଗରରେ ଡିଆଇଜି ସୁରିନ୍ଦର ପ୍ରସାଦଙ୍କ ନାମରେ ଏତଲା ଦେବା ପରେ ତଦନ୍ତ ହେବ ବୋଲି ଜଣାପଡ଼ଛି। ମହିଳା ଡାକ୍ତର ଜଣଙ୍କ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ଡିଆଇଜି ବିଳମ୍ବିତ ରାତିରେ ମଦ ପିଇ ବାରମ୍ବାର ତାଙ୍କୁ ଫୋନ୍ କଲ୍ କରୁଥିଲେ। ଡିଆଇଜି ଜଣଙ୍କ ମୁଜାଫରନଗର ହସ୍ପିଟାଲରେ ନିୟୋଜିତ ଥିଲେ। ବିଭିନ୍ନ ସମୟରେ ତାଙ୍କୁ ହଇରାଣ ମଧ୍ୟ କରୁଥିବା ନେଇ ମହିଳା ଜଣଙ୍କ ଏତଲାରେ ଦର୍ଶାଇଛନ୍ତି। ଏହାପରେ ସିଆରପିଏଫ ଏକ ବିବୃତ୍ତିରେ କହିଛି ଯେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ମହିଳା କର୍ମଚାରୀଙ୍କୁ ସୁରକ୍ଷା ତଥା ନିରାପଦ ପରିବେଶ ଯୋଗାଇବା ପାଇଁ ସିଆରପିଏଫ ପ୍ରତିଶ୍ରୁତିବଦ୍ଧ। ଅସଦାଚରଣ ନେଇ ଯେଉଁ ଅଭିଯୋଗ ଆସିଛି ସେଥିରେ ସିଆରପିଏଫ ଜୀରୋ ଟୋଲରେନସ ନୀତି ଆପଣାଇବ ବୋଲି କହିଛି।

ହିମନ୍ତ ବିଶ୍ୱଶର୍ମା ନୂଆ ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଜାରି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି । ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଘୋଷଣା କରାଯାଇଛି । କେନ୍ଦ୍ର ମନ୍ତ୍ରୀ ତଥା ଆସାମ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଏହି ଘୋଷଣା କରିଛନ୍ତି। ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସର୍ବସମ୍ମତି କ୍ରମେ ହିମନ୍ତଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ହିମନ୍ତଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍। ହିମନ୍ତଙ୍କ ନେତୃତ୍ୱରେ ଆସାମରେ ଏନ୍‌ଡିଏ ସରକାର ଗଠନ ହେବ। ଆଜି ହିମନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ। ସୂଚନା ଅନୁସାରେ ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ବିଧାୟକ ଦଳ ବୈଠକରେ ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଏଲ୍ ସନ୍ତୋଷ ଏବଂ ଅଜୟ ଜାମୱାଲ୍‌ ଉପସ୍ଥିତ ଥିଲେ। ଆସାମରେ ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି ବିଜେପି। ନିର୍ବାଚନ ରାଲି ସମୟରୁ ହିଁ ହିମନ୍ତଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଜୋରଦାର ଚର୍ଚ୍ଚାରେ ରହିଥିଲା। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି । ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୯ଟି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି । ଆଜି ବିଧାୟକ ଦଳ ବୈଠକ ପୂର୍ବରୁ ସର୍ବାନନ୍ଦ ସୋନୱାଲ ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱାଧୀନ ସରକାରରେ ହିମନ୍ତ ବିଶ୍ୱଶର୍ମା ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ସେ ଆସାମରେ ବିଜେପିର ସଙ୍କଟମୋଚକ ଭାବେ ମଧ୍ୟ ବେଶ ଜଣାଶୁଣା।

ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସର୍ବାନନ୍ଦ ସୋନୱାଲ ଆଜି ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଆଜି ବସିଛି ବିଜେପି ବିଧାୟକ ଦଳ ବୈଠକ। ଏଥିରେ ସ୍ଥିର ହେବ କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏଥିରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଦଳୀୟ ସାଧାରଣ ସଂପାଦକ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି। ଯାହା ସୂଚନା ମିଳିଛି ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶନିବାର ଉଭୟ ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ୱଶର୍ମା ଦିଲ୍ଲୀ ଯାଇଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ସେମାନଙ୍କର ସରକାର ଗଠନ ନେଇ ଆଲୋଚନା ହୋଇଥିଲା। ହିମନ୍ତ ବିଶ୍ୱଶର୍ମା ଓ ସୋନୱାଲଙ୍କ ସହ ଶାହ, ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ପ୍ରଥମେ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ପରେ ସୋନୱାଲଙ୍କୁ ଡାକରା ମିଳିଥିଲା। ସୂଚନାଯୋଗ୍ୟ, ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱାଧୀନ ସରକାରରେ ହିମନ୍ତ ବିଶ୍ୱଶର୍ମା ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ସେ ଆସାମରେ ବିଜେପିର ସଙ୍କଟମୋଚକ ଭାବେ ମଧ୍ୟ ବେଶ ଜଣାଶୁଣା।