ଇତିହାସ ରଚିଲେ ପନ୍ତ, ପ୍ରଥମ ଭାରତୀୟ ୱିକେଟ କିପର ଭାବେ ସୃଷ୍ଟି କଲେ ଏମିତି ରେକର୍ଡ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଟିମ୍‌ ଇଣ୍ଡିଆର ୱିକେଟ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ୱିକେଟ କିପର ଭାବେ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟସମାନଙ୍କ ରାଙ୍କିଙ୍ଗ ଜାରି କରାଯାଇଛି। ଏହି ତାଲିକାର ୬ନଂ ସ୍ଥାନରେ ପନ୍ତ ରହିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ରାଙ୍କ। ସେ କେବେ ହେଲେ ଟେଷ୍ଟ ବ୍ୟାଟସମ୍ୟାନ ତାଲିକାର ଟପ୍‌ ୧୦ରେ ପ୍ରବେଶ କରି ନଥିଲେ। ଭାରତ ନିକଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିଥିଲା। ଏଥିରେ ପନ୍ତ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପନ୍ତ ତାଙ୍କ ଟେଷ୍ଟ କ୍ୟାରିୟର୍‌ରେ ୩ୟ ଶତକ ମଧ୍ୟ ହାସଲ କରିଥିଲେ। ଘରୋଇ ମାଟିରେ ଏହା ତାଙ୍କର ପ୍ରଥମ ଶତକ ଥିଲା। ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚ୍‌ରେ ହିଁ ପନ୍ତ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆରେ ମଧ୍ୟ ପନ୍ତଙ୍କ ଜବରଦସ୍ତ ବ୍ୟାଟିଂ ଯୋଗୁ ଭାରତ ସିରିଜ୍‌ ଜିତିଥିଲା। କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବାରୁ ପନ୍ତଙ୍କୁ ଆଇସିସିର ଟପ୍‌ ଟେନ୍‌ ଟେଷ୍ଟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସ୍ଥାନ ମିଳିଛି। ପନ୍ତଙ୍କ ପୂର୍ବରୁ କୌଣସି ଭାରତୀୟ ୱିକେଟ କିପର କେବେ ହେଲେ ଆଇସିସି ଟେଷ୍ଟ ବ୍ୟାଟିଂ ତାଲିକାର ଟପ୍‌ ୧୦ରେ ସ୍ଥାନ ପାଇ ନଥିଲେ। ପନ୍ତ ନୂଆ ଇତିହାସ ସୃଷ୍ଟି କରିଥିବାରୁ ତାଙ୍କ ଆଇପିଏଲ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛି। ଟେଷ୍ଟ ମ୍ୟାଚ୍‌ରେ ବିଫଳ ହେଉଥିବା ପନ୍ତଙ୍କୁ ଏକଦା ସ୍କ୍ୱାଡରୁ ବାଦ ଦିଆଯାଇଥିଲା। ତେବେ ୬ ମାସ ମଧ୍ୟରେ ସେ ଜବର ଦସ୍ତ କମବ୍ୟାକ କରିଥିଲେ। ଅଷ୍ଟ୍ରେଲିଆ ମାଟିରେ ସେ ଘରୋଇ ଦଳ ବିପକ୍ଷରେ ୨ଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ।

ଇଂଲଣ୍ଡ ଟୁର୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଫେରିଲେ ଜାଡେଜା ଓ ଶାମି..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସନ୍ତା ଜୁନ୍ ମାସରେ ଇଂଲଣ୍ଡର ସାଉଥାମ୍ପଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦ ଜଣିଆ ଭାରତୀୟ ଦଳର ଘୋଷଣା କରିଛି । ସେହିପରି ଅଗଷ୍ଟରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ସମାନ ଦଳ ଘୋଷଣା କରାଯାଇଛି । ସ୍କ୍ୱାଡକୁ ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୁହେଁ ଆହତ କାରଣରୁ ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ । ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଯୁବ ଓପ୍ନର ପୃଥ୍ୱୀ ଶ’ ଓ ପେସର ଭୁବନେଶ୍ୱର କୁମାରଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ । ଶାମି ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଶାମି ଭାରତ ପକ୍ଷରୁ ଖେଳିଥିଲେ। ଏହି ଟେଷ୍ଟରେ ଶାମିଙ୍କ କାନ୍ଧରେ ଆଘାତ ଲାଗିଥିଲା ।

ଏହି ଜୁସ୍‌ ପିଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, କରୋନାକୁ ଦେବେ ମାତ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଲେମ୍ୱୁରେ ବହୁ ଔଷଧୀୟ ଗୁଣ ରହିଛି। ମଣିଷ ଶରୀରରେ ଜଳୀୟ ଅଂଶ ବୃଦ୍ଧିରେ ଲେମ୍ୱୁ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଆମେ କେଉଁ କାଳରୁ ଏହି ଉପାୟକୁ ପ୍ରୟୋଗ କରି ଆସୁଛୁ। ଘରେ ଘରେ ପରିଚିତ ଏହି ଲେମ୍ୱୁ ପାଣି ଏବେ କରୋନା ବିରୋଧୀ ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଛି। ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ସକାଳେ ଉଷୁମ୍ ପାଣିରେ ଲେମ୍ୱୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ। ଯାହା ମହାମାରୀ କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇଥାଏ। ସମଗ୍ର ବିଶ୍ୱ କରୋନା ମାୟା ଜାଲରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଲେମ୍ବୁ ପାଣିର ଉପକାରୀତା ସମ୍ପର୍କରେ ନୋଏଡା ସ୍ଥିତ ଫୋରଟ୍ସି ହସ୍ପିଟାଲର ମୁଖ୍ୟ Nutritionist ଡାକ୍ତର ନମୀତା ନାଦାର ଏହି ସୂଚନା ଦେଇଛନ୍ତି ।ତାଙ୍କ ମତରେ ପ୍ରତିଦିନ ସକାଳେ ଉଷୁମ୍ ପାଣିରେ ଲେମ୍ୱୁ ଓ ଲୁଣ ମିଶାଇ ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ । ଯାହା ଯେକୌଣସି ବିଦେଶୀ ଭୂତାଣୁ ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ।

କେମିତି ପ୍ରସ୍ତୁତ କରିବେ ଲେମ୍ବୁ ସର୍ବତ – ପ୍ରଥମେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଏକରୁ ଦୁଇ ଚାମଚ ଲେମ୍ୱୁ ରସ ମିଶାଇବେ। ପରେ ସେଥିରେ ଗୋଟିଏ ଚାମଚର ଏକ ଚତୁର୍ଥାଂଶ ସମୁଦ୍ର ଲୁଣ ମିଶାଇବେ। ଦିନକୁ ଦୁଇ ଥର ଏହି ପାଣି ପିଇଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବ। ଲେମ୍ବୁ ପାଣି ଶରୀରକୁ ଭିଟାମିନ୍ ସି ଯୋଗାଇଥାଏ। ଡାକ୍ତର ନମୀତା ନାଦାରଙ୍କ କହିବା ଅନୁସାରେ ଲେମ୍ୱୁ ପାଣି ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ଏହା ଥଣ୍ଡା ଓ ବିଭିନ୍ନ ଭାଇରାଲ୍ ଜ୍ୱର ବିରୋଧରେ ଲଢ଼େଇ କରିଥାଏ। ଲେମ୍ୱୁରେ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଡେଣ୍ଟ୍ ରହିଛି, ଯାହା ଶରୀର ପାଇଁ ବହୁ ଉପକାରୀ।

ଯଦି ନିୟମିତ ଭାବରେ ଲେମ୍ୱୁ ଖାଉଥିବା ଓ ଲେମ୍ୱୁ ପାଣି ପିଅଥିବେ, ତା’ହେଲେ ଜଣେ ବ୍ୟକ୍ତିର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ହୃଦରୋଗ ସମସ୍ୟାକୁ ବି ହ୍ରାସ କରିଥାଏ। କିଡନୀ ଷ୍ଟୋନ୍ ବିରୋଧୀ ଲଢ଼େଇରେ ଲେମ୍ବୁ ପାଣି ସଞ୍ଜିବନୀ ସାବ୍ୟସ୍ତ ହୋଇଥାଏ।ଆପଣ ଏହି ଲେମ୍ବୁ ପାଣିକୁ ସକାଳେ ପିଇ ପାରିବେ। ସେହିପରି ଏହାକୁ ଗ୍ରୀନ ଟି’ ଆକାରରେ ଦିନରେ ଯେତେବେଳେ ଇଚ୍ଛା ସେତେବେଳେ ମଧ୍ୟ ପିଇ ପାରିବେ ବୋଲି ଡାକ୍ତର କହିଛନ୍ତି।

ଖାଉଟି ସାମଗ୍ରୀର କଳାବଜାରୀ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଏବେ ରାଜ୍ୟବ୍ୟାପୀ ଲକଡାଉନ୍ ରହିଛି। ଏହି ସମୟରେ ଖାଉଟି ସାମଗ୍ରୀର କଳାବଜାରୀକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ କଳାବଜାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଲକଡାଉନବେଳେ ଅତ୍ୟାବଶ୍ୟକ ସାମଗ୍ରୀର ବେଆଇନ ମହଜୁଦ ଓ କଳାବଜାରୀ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି ବୋଲି ଖାଉଟିକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିବା ସହ ବେଆଇନ ମହଜୁଦ ଓ କଳାବଜାରୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ଚାଉଳ, ଡାଲି, ଅଟା, ମଇଦା, ସୁଜି ଓ ଖାଇବା ତେଲଠୁ ଆରମ୍ଭ କରି ଆଳୁ,ପିଆଜ, ଚିନି ଇତ୍ୟାଦି ଖାଉଟି ସାମଗ୍ରୀ ଚାହିଦାଠୁ ଅଧିକ ରହିଛି ବୋଲି ସେ କହିଛନ୍ତି। ତେଣୁ କୋଭିଡ୍ ସଂକ୍ରମଣ ରୋକିବା ପାଇଁ ହୋଇଥିବା ଲକଡାଉନବେଳେ ଅତ୍ୟାବଶ୍ୟକ ସାମଗ୍ରୀକୁ ବେଆଇନ ଭାବେ ମହଜୁଦ ନକରିବାକୁ ସେ ବ୍ୟବସାୟୀମାନଙ୍କୁ ତାଗିଦ୍ କରିଛନ୍ତି। ଲକଡାଉନ ହୋଇଥିଲେ ମଧ୍ୟ ଅତ୍ୟାବଶ୍ୟକ ଓ ଖାଉଟି ସାମଗ୍ରୀର ଆମଦାନୀ ଓ ପରିବହନ ଉପରେ କଟକଣା ନାହିଁ। ତେଣୁ ଲୋକେ କେବଳ ନିଜର ଆବଶ୍ୟକତା ଅନୁସାରେ ଖାଉଟି ସାମଗ୍ରୀ କିଣିବା ପାଇଁ ଓ ଅଯଥା ମହଜୁଦ ନକରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି। ଲକଡାଉନବେଳେ ଗୋଦାମରେ ବେଆଇନ ଗଚ୍ଛିିତ ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକ ମାଲଗୋଦାମରେ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଉପରେ ନଜର ରଖିବାକୁ ୧୨ଜଣିଆ କମିଟି ଗଠନ ହୋଇଥିବା ଜଣାପଡ଼ିଛି ।

ଲକଡାଉନରେ ସହରାଞ୍ଚଳର ବୁଲା ପଶୁଜନ୍ତୁଙ୍କୁ ଖାଇବା ଦେବେ ସରକାର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀଜନିତ ୧୪ଦିନିଆ ଲକଡାଉନ୍ ଓ ଶଟଡାଉନ୍ ଜାରି ରହିଥିବାବେଳେ ରାଜ୍ୟ ସରକାର ସମସ୍ତ ସହରାଂଚଳରେ ବୁଲା ପଶୁଜନ୍ତୁଙ୍କୁ ଖାଇବା ନିମନ୍ତେ ଅର୍ଥ ମଞ୍ଜୁର କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଂଚଳ ପାଇଁ ଦୈନିକ ୨୦ହଜାର ଟଙ୍କା, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ପାଇଁ ଦିନକୁ ୧୦ହଜାର ଟଙ୍କା, ସମସ୍ତ ପୌର ପରିଷଦ ଅଂଚଳରେ ୫ହଜାର ଓ ସମସ୍ତ ଏନଏସିରେ ୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ନଗର ଉନ୍ନୟନ ସଚିବ ଜି ମାଥିଭାଥାନନ୍ ସମସ୍ତ ମହାନଗର ନିଗମ କମିଶନର, ପେରାଂଚଳ ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ମେ’ ୫ରୁ ୧୯ତାରିଖ ପର୍ଯ୍ୟନ୍ତ କରୋନା ଲକଡାଉନବେଳେ ବୁଲା ପଶୁଜନ୍ତୁଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ୍ ଯୋଗୁ ହଜାର ହଜାର ବୁଲା ପଶୁଜନ୍ତୁଙ୍କ ପାଇଁ ଏବେ ଖାଦ୍ୟ ଯୋଗାଡ଼ କରିବା କଠିନ ସମସ୍ୟା ହୋଇଛି ଓ ଏହାର ମଧ୍ୟ ଅନ୍ୟ ପ୍ରତିକୂଳ ଦିଗ ରହିଛି । ତେଣୁ ଲକଡାଉନ ସମୟରେ ସହରାଂଚଳରେ ବୁଲା ପଶୁଜନ୍ତଙ୍କ ଖାଇବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଅର୍ଥକୁ ଏସଆରସି କିମ୍ବା ସିଏମଆରଏଫ୍ ପାଣ୍ଠିରୁ ଖର୍ଚ୍ଚ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ସହରାଂଚଳରେ ଅନାହାର ମୃତ୍ୟୁ ଏଡ଼ାଇବା ପାଇାଁ ବୁଲା କୁକୁର ଓ ପଶୁଜନ୍ତୁଙ୍କୁ ଏହି ଖାଦ୍ୟ ଦେବାକୁ କୁହାଯାଇଛି। ବୁଲା କୁକୁର ଓ ଜୀବଜନ୍ତୁଙ୍କ କଲ୍ୟାଣ, ଖାଇବା ଯୋଗାଣ କରି ବୁଲା କୁକୁର ଓ ପଶୁଜନ୍ତଙ୍କ ମଧ୍ୟରେ ଆକ୍ରୋଶକୁ କମାଇବା ଭଳି ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସହରାଂଚଳଗୁଡ଼ିକରେ ପଶୁଜନ୍ତଙ୍କ ପାଇଁ କାମ କରୁଥିବା ସଂସ୍ଥା ସହ ମହାନଗର କିମ୍ବା ପୌର ପରିଷଦଗୁଡ଼ିକ ଏମଓୟୁ ସ୍ୱାକ୍ଷର କରି ଏହି କାମ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଲକଡାଉନର ପ୍ରଥମ ଦିନ ଅର୍ଥାତ୍ ମେ’ ୫ତାରିଖରୁ ଏହି ଚିଠି ଜାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ ସମେତ ରାଜ୍ୟର କୌଣସି ସହରାଂଚଳରେ ବୁଲା ପଶୁଜନ୍ତଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି।ସୂଚନାଯୋଗ୍ୟ, ଗତବର୍ଷ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଲକଡାଉନ୍ ଓ ଶଟଡାଉନବେଳେ ରାଜ୍ୟ ସରକାର ଅନୁରୂପ ଭାବେ ସହରାଂଚଳଗୁଡ଼ିକରେ ବୁଲା ପଶୁଜନ୍ତୁଙ୍କ ଖାଇବା ପାଇଁ ଥର୍ଥ ବ୍ୟବୟରାଦ କରିଥିଲେ।

ଦୁଗ୍ଧ ସଂଗ୍ରହ କମାଇବାକୁ ସମସ୍ତ ୟୁନିଅନକୁ ଓମଫେଡର ନିର୍ଦେଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ‘ଆଜିଠାରୁ ଦୁଗ୍ଧ ସଂଗ୍ରହ କମାଅ।’ ଲକଡାଉନ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଓମଫେଡ ପକ୍ଷରୁ ସମସ୍ତ ୟୁନିଅନକୁ ଦିଆଯାଇଛି ଏପରି ନିର୍ଦେଶ। ମେ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ଓମଫେଡ ପକ୍ଷରୁ ଜାରି ହୋଇଛି ଏପରି ନିଦ୍ଦେଶନାମା। ଲକଡାଉନ୍‌ ଯୋଗୁଁ ଦୁଗ୍ଧ ବିକ୍ରୟ ଖସିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମଫେଡ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଦୈନିକ ହାରାହାରି ୫.୪୫ ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହେଉଛି । ହେଲେ ଦୁଗ୍ଧ ବିକ୍ରି ୨ ଲକ୍ଷ ଲିଟରକୁ ଖସି ଆସିଛି । ପୂର୍ବରୁ ଦୈନିକ ୩.୭୫ ଲିଟର ବିକ୍ରି ହେଉଥିବାବେଳେ ଲକଡାଉନ ପାଇଁ ୧ ଲକ୍ଷ ୭୫ ହଜାର ଲିଟର ବିକ୍ରି ହ୍ରାସ ପାଇଛି । ଏଣୁ ଦୈନିକ ଦୁଗ୍ଧ ସଂଗ୍ରହକୁ କମ୍‌ କରିବାକୁ ୟୁନିଅନଗୁଡିକୁ କୁହାଯାଇଛି । ଓମଫେଡର  ନିଷ୍ପତ୍ତି ଯୋଗୁଁ ଦୁଗ୍ଧ ଚାଷୀ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଗୁଣପୁର ଠାରେ କେହି ମାନୁ ନାହାଁନ୍ତି କୋଭିଡ ନିୟମ ; ଅମାନିଆ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ  !!!

ଏଥର ସମ୍ଭାଳ (ଗୁଣପୁର) – ରାଜ୍ୟରେ ହୁହୁ ହୋଇ କରନା ସଂକ୍ରମଣ ବଢି ଚାଲିଥିବା ରୁ ରାଜ୍ୟ ସରକାର ଲାକଡାଉନ,ସଟ ଡାଉନ ଓ ନାଇଟ କର୍ଫ୍ୟୁ ଭଳି ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଏଥିପାଇଁ ମୁଖ୍ୟ ଶାସନ ସଚିବ ବିସ୍ତୃତ ଭାବେ ଲଡାଉନର ମାର୍ଗଦର୍ଶିକା ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିଥିଲେ । ଏହାକୁ କଡାକଡି ପାଳନ କରିବାକୁ ପ୍ରଶାସନ ଓ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ରାୟଗଡା ଜିଲ୍ଲା ଗୁଣୁପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭିଡ଼ ପରିଲକ୍ଷିତ ହେବାରୁ ପରିବା ଓ ସଉଦା ଦୋକାନକୁ ଲୋକେ ପାଞ୍ଚ ଶହ ମିଟର ଭିତରେ ଚାଲି ଚାଲି ଯିବାକୁ କୁହାଯାଇଛି । ସେହିପରି କୌଣସି ଯାନବାହନ ଚଳାଚଳ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସନ, ପରିବା, କ୍ଷୀର, ମାଛ, ମାଂସ ଦୋକାନ ଦିନ ୧୨ ଟା ଯାଏଁ ଖୋଲା ରଖିବାକୁ ମଧ୍ୟ କୁହାଯାଇଥିଲା । କିନ୍ତୁ ପରିତାପର ବିଷୟ ହେଉଛି ଗୁଣୁପୁରରେ ଏସବୁର ପ୍ରଭାବ କିଛି ପଡ଼ିନାହିଁ। ସହରରେ ସମସ୍ତ ପ୍ରକାର ଦୋକାନ ବଜାର ଖୋଲା ରହୁଛି । ଲୋକେ ନାହିଁ ନଥିବା ଭିଡ଼ ମଧ୍ୟ କରୁଛନ୍ତି । ବସକୁ ଛାଡି ଅନ୍ୟ ସମସ୍ତ ଯାନବାହନ ଓଭର ଲୋର୍ଡିଙ୍ଗ କରି ଚଳାଚଳ କରୁଥିବା ଦେଖିବାକୁ ମିଳିଛି ।

ମଧ୍ୟାହ୍ନ ପରେ ମଧ୍ୟ ବଜାର ଖୋଲା ରହୁଛି । ସେହିଭଳି ସ୍ଥାନୀୟ ଓଭର ବ୍ରିଜ ଛକ, ତ୍ରିନାଥ ମନ୍ଦିର ଛକ, ପୁରୁଣା ଗୁଣୁପୁର ନିକଟରେ ଅଟୋ, ମେକ୍ସ ପିକପରେ ଲୋକେ ଖୁନ୍ଦା ଖୁନ୍ଦି ହୋଇ ଅତି ଦହନୀୟ ଓ ବିପଦପୂର୍ଣ୍ଣ ଯାତାୟାତ କରୁଛନ୍ତି । ସବୁଠାରୁ ଆଶ୍ଚର୍ୟ୍ୟ ବିଷୟ ହେଉଛି ସ୍ଥାନୀୟ ପ୍ରଶାସନ ଓ ପୁଲିସ ସବୁ ଦେଖି ନୀରବ ଦ୍ରଷ୍ଟା ସାଜିଥିବା ସହରର ବୁଦ୍ଧିଜୀବୀଙ୍କୁ ଚକିତ କରିଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଏଠି କିଭଳି ପାଳନ କରାଯାଉଛି ତାହା ଜଳଜଳ ହୋଇ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହାର ଭରପୁର ଫାଇଦା ଉଠାଉଛନ୍ତି ଲାଭଖୋର ବ୍ୟବସାୟୀ । ବିଭିନ୍ନ ସାମଗ୍ରୀ ମହଜୁଦ ରଖି ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ବର୍ତ୍ତମାନର ପରିସ୍ଥିତିରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବାର ସମୟ ଆସିଥିବା ବେଳେ ଗୁଣପୁର ଠାରେ କିଛି ଅମାନିଆ ଏହାକୁ ମାନୁ ନଥିବା ଦେଖା ଦେଇଛି । ଏହି ସମୟରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଗୁଡିକ ଖୋଲିବା ପାଇଁ ମନା ଏହା ସ୍ପଷ୍ଟ ଭାବରେ ଜଣାନଥିବା ଅଭିଯୋଗ କରି ପ୍ରାୟ ସମସ୍ତ ଦୋକାନ ଖୋଲୁଥିବା ଏପରିକି ଅନେକ ଦୋକାନ ରେ ଭିଡ଼ ଜମାଇ ସାମାଜିକ ଦୂରତା କୁ ମାନୁନଥିବା ଦେଖିବାକୁ ମିଳୁଛି।ଏଣୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜନସଧାରଙ୍କୁ ଓ ବ୍ୟବସାୟୀଙ୍କୁ ସଚେତନତା ର ବାର୍ତ୍ତା ଦେବା ସହ ଏଭଳି ଖାମ ଖିଆଲି ମନୋଭାବ ଓ ଦାୟିତ୍ୱ ହୀନତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । ସରକାର କେବଳ ରାସନ ଓ ଅଣ୍ଡା, କ୍ଷୀର ଦୋକାନ ଖୋଲିବାକୁ ଅନୁମତି ଦେଇଥିବାରୁ ଅନେକ ଦୋକାନୀ ନିଜ ଦୋକାନ ସାମନାରେ କିଛି ଆଳୁ, ପିଆଜ, ଅଣ୍ଡା, କ୍ଷୀର ରଖିଦେଇ ଭିତରେ ତାଙ୍କ ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି । କିଛି ପାନ ଦୋକାନ ହଠାତ ରାସନ ଦୋକାନ ଭାବେ ବଦଳୀ ଯାଇଛି ଏବଂ କେତେକ ସ୍ଥାନରେ ଦୋକାନ ବନ୍ଦକରି କବାଟ ଦେଇ ଗଳା ବାଟରେ ବ୍ୟବସାୟ କରୁଥିବା ଦେଖା ଦେଇଛି । ଏଭକି ବ୍ୟବସାୟୀ ଙ୍କୁ ଠାବ କରି ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ଫଳପ୍ରଦ ହୋଇ ପାରିବ ନାହିଁ ।ପରେ ଏହାକୁ ଦେଖି ଆମକୁ କହିବାକୁ ପଡିବ ଏଥର ସମ୍ଭାଳ…

ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସେକେଣ୍ଡ ଡୋଜ କରୋନା ଟିକା ଅଭାବରୁ ଜନ ଅସନ୍ତୋଷ … !

!!! ରାୟଗଡ଼ା ଜିଲ୍ଲା ମୁନିଗୁଡା ରୁ ସୁକାନ୍ତ ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୁନିଗୁଡା) – କରୋନା ମହାମାରୀରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାରଙ୍କର ବହୁବିଧ ପଦକ୍ଷେପ ନେଇ କରୋନା ଟୀକା ଯୋଗାଇ ଦିଆଯାଇଛି। ହେଲେ ପର୍ଯାପ୍ତ ପରିମାଣର ଟିକା ଆସୁ ନଥିବାରୁ ଅଧିକାଙ୍ସ ଲୋକେ ଟିକା ନେବାରୁ ବଞ୍ଚିତ ହୋଇଥିବା ଵେଳେ ପ୍ରଥମ ଡୋଜ ନେଇଥିବା ଵ୍ୟକ୍ତିଙ୍କ ପାଇଁ ଦ୍ଵିତୀୟ ଡୋଜ ଟିକା ଯଥେଷ୍ଟ ନ ଥିବାରୁ ଶହ ଶହ ସଂଖ୍ୟାରେ ଲୋକ ଟିକା ନ ନେଇ ଫେରିଯାଇଥିବା ରାୟଗଡା ଜିଲ୍ଲା ମୁନିଗୁଡା ସଦରମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଦେଖିବାକୁ ମିଳିଥିଲା।

ବିବରଣୀରୁ ଜଣାଯାଏ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଵହୁଲୋକ ପ୍ରଥମ ଡୋଜ କରୋନା ଟିକା ନେଇଥିଲେ। ଦ୍ଵିତୀୟ ଡୋଜ ଟିକା ନେବାପାଇଁ ଉପଯୁକ୍ତ ସମୟ ସୀମା ହୋଇଥିଲେ ମଧ୍ୟ ଭ୍ୟାକ୍ସିନ ନଥିବାରୁ ଠିକ୍ ସମୟରେ ଟିକା ଦିଆଯାଇପାରିନଥିଲା। ହେଲେ ଗତକାଲି ଭ୍ୟାକ୍ସିନ ଆସିବା ଖବର ମିଳିଯିବା ପରେ ଆଜି ସକାଳୁ ଟିକା ନେବାପାଇଁ ଲୋକଙ୍କ ଭିଡ ହେବାସହ ଟିକାକରଣ ରୁମ୍ ଠାରୁ ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଗେଟ୍ ପର୍ଯ୍ୟନ୍ତ ଖରାକୁ ଖାତିରି ନକରି ଲମ୍ଵା ଲାଇନ ଲାଗିଥିବା ଦେଖିବାକୁ ମିଳିଥିଲା।

କିନ୍ତୁ ସରକାର ଯୋଗାଇଥିବା ଟିକା ସମସ୍ତଙ୍କ ପାଇଁ ସମ୍ଭବ ନଥିଲା। କେଵଳ ଏକଶହ ପଚାଶ ଜଣଙ୍କ ପାଇଁ ଟିକା ଗଛିତ ଥିଲା, ସେତିକି ଲୋକଙ୍କୁ ହିଁ ଟିକା ଦିଆଯାଇଥିଲା। ଅଧାରୁ ଅଧିକ ଲୋକ ଟିକା ଅଭାବରୁ ନେଇ ପାରିନାହାନ୍ତି। ସେମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚିଠା ଦିଆଯାଇଛି ଅପେକ୍ଷା କରିବାକୁ, ପରବର୍ତ୍ତୀ ସମୟରେ ଭ୍ୟାକ୍ସିନ ଆସିଲେ ନୋଟିସ୍ କରି ଡକାଇ ଟିକାଦେବାର ବ୍ୟବସ୍ଥା କରାଯିବ ଵୋଲି ମେଡିକାଲ ଅଧିକାରୀଙ୍କ ଠାରୁ ପ୍ରକାଶ। ସବୁ ବର୍ଗର ଲୋକେ ଚାତକ ପରି ଚାହିଁ ବସିଛନ୍ତି ଟିକା ନେବାପାଇଁ ଏ ଘଡିସନ୍ଧୀ ସମୟରେ ସରକାର ଯଥେଷ୍ଟ ପରିମାଣର ଭ୍ୟାକ୍ସିନ ଯୋଗାଇ ଦେଲେ ଲୋକମାନେ ଉପକୃତ ହୋଇପାରିବେ ବୋଲି ବରିଷ୍ଠ ନାଗରିକ ମଞ୍ଚ ଓ ଅଵସର ପ୍ରାପ୍ତ କର୍ମଚାରୀ ସଂଘ, ଵୁଦ୍ଧିଜୀଵି ମହଲରେ ଦାବି କରିଛନ୍ତି।

ମଣିଷ ପରେ ପଶୁପକ୍ଷୀଙ୍କୁ କରୋନା ସଂକ୍ରମିତ ଆଶଙ୍କା, ସତର୍କ କରାଇଲା କେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମଣିଷ ପରେ ପଶୁପକ୍ଷୀ ବି କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି। ନିକଟରେ କୋଭିଡ୍ ଯୋଗୁ ହାଇଦ୍ରାବାଦର ଏକ ଚିଡିଆ ଖାନାରେ ସିଂହଙ୍କ ମୃତ୍ୟୁ  ପରେ ଏବେ ଆକ୍ସନ ମୁଡ୍‌ରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ । ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ୍ ରୋକିବାକୁ ସବୁ ରାଜ୍ୟର PCCFଙ୍କୁ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି। ଏପଟେ ରାଜ୍ୟରେ ଏଥିପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଥିବା ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ ତୁରନ୍ତ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ବନ୍ଦ କରାଯାଉ। ଡ୍ୟୁଟି ପୂର୍ବରୁ କର୍ମଚାରୀଙ୍କ କୋଭିଡ ରିପୋର୍ଟ ନେଗେଟିଭ ବୋଲି ସୁନିଶ୍ଚିତ କରାଯାଉ। ଏସବୁ ଅଞ୍ଚଳରେ ଲୋକଙ୍କ ଆତଯାତ ଉପରେ କଟକଣା ଲଗାଇବା ଏବଂ ସ୍ଥିତିର ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠନ କରିବା ନେଇ ଆଡଭାଇଜରିରେ ଉଲ୍ଲେଖ କରାଯାଇଛି। ସେହିପରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ମଧ୍ୟ ନିର୍ଦେଶନାମା ଜାରି କରି ବନ୍ୟଜନ୍ତୁଙ୍କ ଏନକ୍ଲୋଜରେରେ କାମ କରୁଥିବା କର୍ମଚାରୀଙ୍କ ପାଇଁ RT-PCR ଟେଷ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି । ବନ୍ୟଜନ୍ତୁଙ୍କ ଦେଖାରଖା କରୁଥିବା କର୍ମଚାରୀଙ୍କ ପାଇଁ ଉନ୍ନତମାନର ପିପିଇ କିଟ୍ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ଜୀବଜନ୍ତୁଙ୍କ ସହ ସଂସ୍ପର୍ଶକୁ ଏଡାଇବା ସହ ୨ ମିଟର ସାମାଜିକ ଦୂରତା ରଖିବାକୁ କୁହଯାଇଛି । ସେହିଭଳି ବଡ଼ ମାଂସାଶୀ ପ୍ରାଣୀଙ୍କ ପାଇଁ  କୋଭିଡ୍ ଟେଷ୍ଟ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।  ସେପଟେ ପରିବେଶ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁଯାୟୀ ଚିଡିଆଖାନାର ସମସ୍ତ ଜନ୍ତୁଙ୍କ ଉପରେ ନଜର ରଖାଯିବା ସହିତ କେୟାର ଟେକରଙ୍କ ବ୍ୟତୀତ ଅନ୍ୟ କାହାରିକୁ ଜନ୍ତୁଙ୍କ ନିକଟକୁ ଛଡା ଯାଉନଥିବା ଏବଂ ଚିଡ଼ିଆଖାନା ଓ ଇକୋ ଟୁରିଜିମ୍ ସ୍ଥଳକୁ ପଯର୍ୟଟକଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ଓଡ଼ିଶା ଓ୍ୱାଇଡ୍ଲାଇଫ୍ ପିସିସିଏଫ୍  କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ଜନ୍ତୁଙ୍କ ଶରୀରରେ କରୋନା ଲକ୍ଷଣ ପ୍ରକାଶ ପାଇ ନଥିବା ଆଶ୍ୱସ୍ତିକର ବିଷୟ ବୋଲି ସେ କହିଛନ୍ତି। ଗତବର୍ଷ ନନ୍ଦନକାନନରେ ବଣ ବିଲେଇ ଓ ସିଂହଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ତେବେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେପଟେ ବନ୍ୟଜନ୍ତୁ ତଥା ଗୃହପାଳିତ ପଶୁଙ୍କ ଠାରେ କରୋନା ଲକ୍ଷଣକୁ ନେଇ ଅଧିକ ତର୍ଜମା ଜାରି ରହିଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ମତ ରଖିଛନ୍ତି।

ସରକାରୀ ପ୍ରକଳ୍ପରେ ବିଜେଡିର ଶଂଖ ଚିହ୍ନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିୟମ ରହିଛି କୌଣସି ସରକାରୀ କାମର ଫଳକରେ ଦଳୀୟ ଚିହ୍ନ ଦିଆଯାଇପାରିବ ନାହିଁ । କିନ୍ତୁ ବେଳପଡା ବ୍ଲକ ଧୁମାଭଟା ପଂଚାୟତରେ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଛି ଶାସକ ଦଳ ବିଜେଡି । ଧୁମାଭଟା ପଂଚାୟତର ଜଲିଆ ଗାଁର ଜଗନ୍ନାଟ ମନ୍ଦିର ନିକଟରେ ତିନି ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଉଛି । ଡିଆରଡିଏ ଦ୍ୱାରା ନିର୍ମାଣ କରାଯାଉଥିବା ସରକାରୀ କାମର  ଫଳକରେ କିନ୍ତୁ ଦଳୀୟ ବିଜେଡିର ଶଙ୍ଖ ଚିହ୍ନ ରହିଛି । ଏପରିକି ବିଜେଡି ମଧ୍ୟ ଲେଖାଯାଇଛି। କେବଳ ଜଲିଆ ନୁହଁ ଧୁମାଭଟା ପଂଚାୟତର ଡାହିମାଲ ଗାଁରେ ସରକାରୀ ଅନୁଦାନରେ  ନିର୍ମାଣ କରାଯାଇଥିବା ଗ୍ରାମପତୀ ଠାକୁରାଣୀ ମନ୍ଦିରର  କମ୍ୟୁନିଟି ସେଣ୍ଟରରେ ମଧ୍ୟ ଦଳୀୟ ବିଜେଡି ଚିହ୍ନ ଏବଂ  ବିଜେଡି ଲେଖାଯାଇଛି । ସରକାରୀ ଅନୁଦାନରେ ବିଜେଡି ଠିକାଦାର ମାନେ ନିଜ ଦଳର ପ୍ରଚାର ପାଇଁ ଏପରି କରୁଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ । ଶୀଘ୍ର ସରକାରୀ କାମର ନାମଫଳକରୁ ଦଳୀୟ ଚିହ୍ନ ହଟାଇବା ପାଇଁ ବେଳପଡା ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ସମାଜସେବୀ ଅଚ୍ୟୁତ ସିପୁନ ଖମାରୀ । ସେ କହିଛନ୍ତି ସରକାରୀ ପ୍ରକଳ୍ପରେ ଦଳୀୟ ଚିତ୍ର ରହିବା ଗଣତନ୍ତ୍ର ପ୍ରତି ଅଶୋଭନୀୟ। ତେବେ ଏନେଇ ବେଳପଡା ବିଡିଓଙ୍କ ମତାମତ ମିଳିପାରିନାହିଁ ।