ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମାଗଣାରେ ମିଳିବ ଅଧିକ ୫କିଲୋ ଚାଉଳ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଅତିରିକ୍ତ ୫କିଲୋ ଚାଉଳ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିକାର ଅନ୍ତର୍ଗତ ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫କିଲୋ ଚାଉଳ ଦେବା ନିମନ୍ତେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମେ’ ମାସରୁ ଅତିରିକ୍ତ ୫କିଲୋ ଚାଉଳ ମାଗଣାରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହିତାଧିକାରୀମାନେ ମେ’ ଓ ଜୁନ୍ ମାସରେ ମାଗଣାରେ ମାସିକ ଅତିରିକ୍ତ ୫କିଲୋ ଚାଉଳ ପାଇବେ। ଏହାଦ୍ୱାରା ପ୍ରାୟ ୧୨ଲକ୍ଷ ହିତାଧିକାରୀ ଉପକୃତ ହେବେ ଓ ଏବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ କିଛଦିନ ତଳେ କେନ୍ଦ୍ର ସରକାର ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ମାଗଣାରେ ଅତିରିକ୍ତ ୫କିଲୋ ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ପ୍ରାୟ ୩.୨୦କୋଟି ଲୋକ ଏହି ଯୋଜନାରେ ଉପକୃତ ହେଉଛନ୍ତି।

ମହାମାରୀ ସମୟରେ ଆଗେଇ ଆସିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମହାମାରୀ କରୋନାର ଦ୍ୱିତୀୟ ଲହରୀ ଉଗ୍ର ରୂପ ଧାରଣ କରିଛି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି। ଏପରି ସମୟରେ ଆଗକୁ ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କୋଭିଡ୍‌ ଗାଇଡଲାଇନ୍‌ ଭିତରେ ବର୍ଷା ଅସହାୟ ଓ ଗରିବ ଲୋକଙ୍କୁ ସହାୟତା କରୁଛନ୍ତି। କୋଭିଡ୍‌ ସମୟରେ ଭୁବନେଶ୍ୱର ସୁନ୍ଦରପଦାର ଅଭିରାମ ବସ୍ତିବାସିନ୍ଦା ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କରେ ଖବର ପାଇ ବର୍ଷା ସେମାନଙ୍କୁ ସହାଯ୍ୟ କରିବା ପାଇଁ ଅଭିରାମ ବସ୍ତିରେ ପହଞ୍ଚି ଥିଲେ।

ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସାହି ଲୋକଙ୍କୁ ଚାଉଳ, ଡାଲି, ଅଟା, ଆଳୁ ଭଳି ଜରୁରୀ କାଳିନ ସାମଗ୍ରୀ ଥିବା ପୁଡିଆ ବାଣ୍ଟିଥିଲେ । ବର୍ଷା ୩୦ରୁ ଊର୍ଦ୍ଧ୍ୱ ପରିବାରକୁ ଖାଦ୍ୟ ପୁଡ଼ିଆ ବାଣ୍ଟିଥିଲେ। ଏପରିକି ପିଲାମାନଙ୍କୁ ବିସ୍କୁଟ ମଧ୍ୟ ବାଣ୍ଟିଥିଲେ। କିଛି ଅସୁବିଧା ହେଲେ ସହାୟତା କରିବେ ବୋଲି ବର୍ଷା ଗଲା ବସ୍ତି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଯାଇଥିଲେ।

ହାଇକୋର୍ଟରେ ଆଗୁଆ ଲାଗୁ ହେଲା ଗ୍ରୀଷ୍ମକାଳୀନ ଅବକାଶ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ନିମ୍ନ ଅଦାଳତର ଗ୍ରୀଷ୍ମକାଳୀନ ଅବକାଶକୁ ଆଗୁଆ ଭାବେ ଲାଗୁ କରାଯାଉଛି । ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ଜୁନ ୫ ତାରିଖ ଯାଏଁ ରାଜ୍ୟର ସମସ୍ତ ଅଦାଳତ ଗ୍ରୀଷ୍ମ ଅବକାଶ ପାଇଁ ବନ୍ଦ ରହିବ  । ପୂର୍ବ କ୍ୟାଲେଣ୍ଡର ଅନୁଯାୟୀ, ହାଇକୋର୍ଟରେ ଏହି ଗ୍ରୀଷ୍ମ ଅବକାଶ ମେ ୨୪ରୁ ଏବଂ ନିମ୍ନ ଅଦାଳତ ଗୁଡିକରେ ମେ ୨୨ରୁ  ଆରମ୍ଭ ହୋଇଥାନ୍ତା । ସେହିପରି ହାଇକୋର୍ଟ ସମେତ ସମସ୍ତ ନିମ୍ନ ଅଦାଳତ ଜୁନ ୭ ତାରିଖରେ ଖୋଲା ହେବ । ରଜ ପର୍ବ ପାଇଁ ଜୁନ ୧୪ରୁ ୧୭ ଯାଏଁ ସମସ୍ତ  ଅଦାଳତ ବନ୍ଦ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟ ଓ ସମସ୍ତ ନିମ୍ନ ଅଦାଳତ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବେ ବୋଲି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି  । ଅପରପଟେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପୂର୍ବରୁ ଜାରୀ କରାଯାଇଥିବା ସମସ୍ତ ଅନ୍ତରୀଣ ଆଦେଶ ଆସନ୍ତା ଜୁନ ୩୦ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଜାରୀ କରିଛନ୍ତି  ।

ଆଜିଠୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିଠାରୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ସ୍ପାଇସ ଜେଟ ପକ୍ଷରୁ ଆଜିଠାରୁ ଏହି ବିମାନ ଯାତ୍ରା ଆରମ୍ଭ ହେଉଛି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିହାର ରାଜଧାନୀ ପାଟନାକୁ ବିମାନ ଆଜିଠାରୁ ଚଳାଚଳ କରିବ  । ପାଟଣାରୁ ଏହା ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ ଅପରାହ୍ଣ ୪ଟା ୨୦ ମିନିଟରେ ପହଞ୍ଚିବ । ଏହାପରେ ଅପରାହ୍ଣ ୪ଟା ୪୦ ମିନିଟରେ ପୁଣି ପାଟନା ଅଭିମୁଖେ ଯାତ୍ରା କରିବ । ପାଟନାକୁ ଶୀଘ୍ର ଗମନାଗମ ଲାଗି ଏହି ବିମାନଯାତ୍ରା ସହାୟକ ହେବ  । ସ୍ପାଇସ ଜେଟ ପକ୍ଷରୁ ଏହି ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।

ରାଜ୍ୟକୁ ଆସିଲା ଦେଢ଼ ଲକ୍ଷ କୋଭାକ୍ସିନ୍ ଟିକା ଡୋଜ୍….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ସମସ୍ତଙ୍କୁ ମାଗଣା କୋଭିଡ୍ ଟିକା ପ୍ରଦାନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଆଜି ପ୍ରଥମ ଦଫାରେ କୋଭାକ୍ସିନ୍ ଟିକାର ଦେଢ଼ ଲକ୍ଷ ଡୋଜ୍ ଓଡ଼ିଶାରେ ପହଂଚିଛି। ଆଜି ରାତି ୯ଟାରେ ଏହି ଟିକା ପହଂଚିଛି ଓ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଏହି ଟିକାକୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ଲୋକଙ୍କୁ ପ୍ରଦାନ କରାଯିବ । ଯେଉର୍ମାନେକି ଟିକା ନେବା ନିମନ୍ତେ କୋୱିନ୍ ୱେବସାଇଟରେ ନିଜକୁ ପଞ୍ଜିକରଣ କରିଥିବେ ଓ ଏଥିପାଇଁ ସେମାନଙ୍କର ସ୍ଲଟ୍ ଆସନ୍ତା ମେ’ ୩ତାରିଖରୁ ଖୋଲାଯିବ। ଆସନ୍ତାକାଲି ରାଜ୍ୟର ସହରାଂଚଳରେ ଶଟଡାଉନ୍ ଥିଲେ ମଧ୍ୟ ପରୀକ୍ଷାମୂଳକ ଭାବେ ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିମାନଙ୍କୁ କୋଭିଡ୍ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପକ୍ଷରୁ ମାଗଣା ଟିକା ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ତୁରନ୍ତ ଟିକା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ନିଜସ୍ୱ ସମ୍ବଳରେ ୧୮ରୁ ୪୪ବର୍ଷ ବୟସର ଲୋକଙ୍କୁ ଟିକା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଭାରତ ବାୟୋଟେକ ସମେତ ଅନ୍ୟାନ୍ୟ କମ୍ପାନୀକୁ ଅର୍ଡର ମଧ୍ୟ ଦେଇଛନ୍ତି।

ରାଜ୍ୟ ଗୁଡ଼ିକୁ ଏସଡିଆରଏଫ ଫଣ୍ଡରୁ ୮୮୭୩.୬ କୋଟି ଦେଲା କେନ୍ଦ୍ର..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମାସକ ପୂର୍ବରୁ କେନ୍ଦ୍ର ଦେଲା ବିପର୍ଯ୍ୟୟ ଟଙ୍କା। କରୋନା ମହାମାରୀ ବେଳେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ବିଭିନ୍ନ ରାଜ୍ୟକୁ ବିପର୍ଯ୍ୟୟ(ଏସଡିଆରଏଫ) ଟଙ୍କା ମେ ମାସରେ ପ୍ରଦାନ କରିଛି। ଶନିବାର ଏହି ଟଙ୍କା ରାଜ୍ୟ ସରକାରକୁ କେନ୍ଦ୍ର ପ୍ରଦାନ କରିଛି। ମୋଟ୍ ୮୮୭୩.୬ କୋଟି ଟଙ୍କାର ବିପର୍ଯ୍ୟୟ ରାଶି ପ୍ରଦାନ କରିଛି କେନ୍ଦ୍ର ଅର୍ଥମନ୍ତ୍ରାଳୟ। ଏହି ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ କ୍ରମେ ଅର୍ଥ ମନ୍ତ୍ରାଳୟ ଏହି ଟଙ୍କା ବିଭିନ୍ନ ରାଜ୍ୟକୁ ପ୍ରଦାନ କରିଛି। ମୋଟ୍ ଟଙ୍କାରୁ ୪୪୩୬.୮ କୋଟି ଟଙ୍କା କୋଭିଡ ପାଇଁ ବିଭିନ୍ନ ରାଜ୍ୟ ଖର୍ଚ୍ଚ କରିପାରିବେ ବୋଲି ସୂଚନା ରହିଛି। ସାଧାରଣତଃ ଜୁନ୍ ମାସରେ ଏହି ଟଙ୍କା ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ପ୍ରଦାନ କରାଯାଏ। ତେବେ କୋଭିଡ୍ ମହାମାରୀକୁ ଦେଖି କେନ୍ଦ୍ର ସରକାର ମାସେ ପୂର୍ବରୁ ୮୮୭୩.୬ କୋଟି ରାଜ୍ୟ ଗୁଡ଼ିକୁ ପ୍ରଦାନ କରିଛନ୍ତି। ସବୁଠୁ ବଡ଼ କଥା ହେଲା ଚଳିତଥର ମୋଦି ସରକାର ପ୍ରଥମ ଥର ପାଇଁ କେବେଳ ଏହି ଟଙ୍କା ଆଗୁଆ ଦେଇ ନାହାନ୍ତି ବରଂ ଗତବର୍ଷ ଏହି ଟଙ୍କାର ଖର୍ଚ୍ଚ ହିସାବ ରାଜ୍ୟ ଗୁଡ଼ିକ ଦେଇନଥିଲେ ବି କେନ୍ଦ୍ର ଆଗୁଆ ଟଙ୍କା ପ୍ରଦାନ କରିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଜାରି କରିଥିବା ଏସଡିଆରଏଫ ଫଣ୍ଡ ଜରିଆରେ କୋଭିଡ୍ ମୁକାବିଲା ପାଇଁ ଆବଶ୍ୟକ ଫଣ୍ଡ ଯୋଗାଡ଼ କରିବେ। ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ଏୟାର ପ୍ୟୁରିଫାଇର, ଆମ୍ୱୁଲେନ୍ସ ସେବା, କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର, ଥର୍ମାଲ ସ୍କ୍ରିନିଂ, ସ୍କାନର, ପିପିଇ କିଟ୍, ଟେଷ୍ଟିଂ ଲାବରୋଟେରୀ, କଣ୍ଟେନମେଣ୍ଟ ଜୋନ୍ ଇତ୍ୟାଦି ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇପାରିବ।

ମେ ୧, ଶନିବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୁଝିବିଚାରି କାମ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ବେଳେ ବନ୍ଧୁ ଅବା ଘରର ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

ବୃଷ:କାହା ସହିତ ମତାନ୍ତର ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

ମିଥୁନ: ଧନହାନି ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଦାୟିତ୍ୱ ବଢ଼ିବ। ଅଧିକ ପରିଶ୍ରମ କରିପାରନ୍ତି। ସୁସ୍ଥ ରହିବେ। ସୁସ୍ୱାଦୁ ଭୋଜନ ଖାଇବେ।

ସିଂହ: ଅଳସୁଆ ଅନୁଭବ କରିବେ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଖର୍ଚ୍ଚ ବଢ଼ିବ। ସୁସ୍ଥ ରହିବେ।

କନ୍ୟା: ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ମାନ-ସମ୍ମାନ ମିଳିବ। ଉପହାର ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟ କରୁଥିବା ଲୋକେ ଆୟ ବଢ଼ାଇବାକୁ ନୂଆ ଯୋଜନ ପ୍ରସ୍ତୁତ କରିବେ। ଘରକୁ ବନ୍ଧୁ ଆସିପାରନ୍ତି।

ବିଚ୍ଛା: କ୍ୟାରିଅରରେ ସଫଳତା ପାଇବେ।  ଅନାବଶ୍ୟକ ଦାୟିତ୍ୱ ନିଅନ୍ତୁ ନାହିଁ।  ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ।

ଧନୁ: ବ୍ୟସ୍ତତା ଭିତରେ ଦିନ କଟିବ। ଉପହାର ମିଳିବ। ଧୈର୍ଯ୍ୟର ସହ କାମ କରନ୍ତୁ।

ମକର: କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କାର୍ଯ୍ୟରେ ସଫଳତା ପାଇବେ। ଅପରାହ୍ନ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ପାରେ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।

ମୀନ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଘରର କୌଣସି କଥାକୁ ନେଇ ଚିନ୍ତିତ ରହିବେ।