ବିଦ୍ୟୁତ୍‌ ଓ ଇଡକୋ ଜମି ପ୍ରସଙ୍ଗରେ ସିଏଜି ରିପୋର୍ଟକୁ ନେଇ ବର୍ଷିଲା ବିଜେପି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟର ବିଦ୍ୟୁତ ସେବା କ୍ଷେତ୍ର ଓ ଇଡକୋ ଜମି ବଣ୍ଟନକୁ ନେଇ ହୋଇଥିବା ଅନିୟମିତତା ସମ୍ପର୍କରେ ସିଏଜିଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି। ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତିଖୋର ଓ ଭଷ୍ଟ୍ରାଚାରୀ ହୋଇଚାଲିଛି। ଆଇନ କାନୁନ, ନିୟମ, ସମ୍ବିଧାନକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ରାଜସ୍ୱହାନି କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ଓ ରାଜ୍ୟବାସୀଙ୍କୁ ଦାରିଦ୍ର‌୍ୟ ଆଡ଼କୁ ଠେଲିଦେବା ଚକ୍ରାନ୍ତ ଚଲାଇଛନ୍ତି। ଓଡିଶାର ପ୍ରାକୃତିକ ସଂପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର ବୋଲି ବିଜେପି ଅଭିଯୋଗ କରିଛି। ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ସିଏଜିଙ୍କ ଯେଉଁ ସଦ୍ୟ ରିପୋର୍ଟ ଆସିଛି ସେଥିରେ ବିଜେଡି ସରକାରର ଦୁର୍ନୀତି ଓ ଅନିୟମିତତାର ଅସଲ ମୁଖା ଖୋଲିଯାଇଛି। ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଯୋଗୁଁ ବିଦ୍ୟୁତ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ୨୦୧୩-୧୪ରେ ବିଦ୍ୟୁତ ଉତ୍ପାଦନରେ ଏଟି ଆଣ୍ଡ ସି କ୍ଷତି ୩୭ ପ୍ରତିଶତ ଥିବା ଜଣାପଡିଥିଲା, ଯାହା କି ୨୨ ପ୍ରତିଶତରୁ ଅଧିକ ହେବା କଥା ନୁହେଁ ବୋଲି ଓଇଆରସି ସମୀକ୍ଷା କରିଥିଲା। ଏହିକ୍ଷତି ଭରଣା କରିବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କାରେ ୫୦୦ ନୂଆ ଟ୍ରାନ୍ସଫରମର ଲଗାଇବା ପାଇଁ ଯୋଜନା ହୋଇଥିଲା। ଏହା ମଧ୍ୟରେ ୮/୯ ବର୍ଷ ବିତିଗଲା ପରେ ବି ରାଜ୍ୟ ସରକାର ମାତ୍ର ୩୫ ପ୍ରତିଶତ କାର୍ଯ୍ୟ ସାରିଛନ୍ତି। ସେତେବେଳର ୨୬୦୦ କୋଟି ଟଙ୍କାର ପ୍ରୋଜେକ୍ଟ ମୂଲ୍ୟ ଏବେ ବୃଦ୍ଧି ହୋଇ ୩୮୪୩ କୋଟି ହେଲାଣି। ସେ କହିଛନ୍ତି, ଘରୋଇ ବିଦ୍ୟୁତ ବେପାରୀଙ୍କ ପାଇଁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ରାଜ୍ୟ ସରକାର । ଯୋଗ୍ୟତା ନଥିବା ୫ଟି ସଂସ୍ଥାକୁ ରାଜ୍ୟ ସରକାର ଟ୍ରାନ୍ସଫରମର କିଣିବାକୁ ଅନୁମତି ଦେଇଥିଲେ । ୩୬ଟି ଟ୍ରାନ୍ସଫରମର ଲଗାଇବାର ଯୋଗ୍ୟତା ଥିବାବେଳେ ଗୁପ୍ତା ପାୱାରକୁ ୯୫ ଟି ଟ୍ରାନ୍ସଫରମର ଲଗାଇବା ପାଇଁ ଅନୁମତି ଦିଆଗଲା । ସେହିପରି ଏଲଆଣ୍ଡଟିକୁ ୨୪ଟି ଟ୍ରାନ୍ସଫରମର ଦେବା ବଦଳରେ ୧୨୩ଟି ଟ୍ରାନ୍ସଫରମର ଲଗାଇବା କାର୍ଯ୍ୟ ଦିଆଯାଇଥିଲା । ସମୁଦାୟ ୩୯୯ଟି ଟ୍ରାନ୍ସଫରମରରୁ ମାତ୍ର ୧୦୯ଟି ଟ୍ରାନ୍ସଫରମର ବର୍ତ୍ତମାନ ସୁଦ୍ଧା ଲଗାଯାଇଛି । ଏହା ଫଛରେ ରାଜ୍ୟ ସରକାରଙ୍କ ହାତ ରହିଛି । ଓପିଟିସିଏଲର ଟ୍ରାନ୍ସଫରମର ଲଗାଇବାର ନିଜର କ୍ଷମତା ଥିବା ସତ୍ତ୍ୱେ ଘରୋଇ କମ୍ପାନୀକୁ ଲାଭ ଦେବା ପାଇଁ ସୁଯୋଗ ଦିଆଯାଇଛି । ଟ୍ରାନ୍ସଫରମର କିଣାବିକାରେ ୧୭୫ କୋଟି କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫରମର ବସାନଗଲେ ସମ୍ପୃକ୍ତ କଂପାନୀ ୧୦୦ କୋଟି ଟଙ୍କା ପେନାଲିଟି ଦେବା କଥା , କିନ୍ତୁ ସେ ଟଙ୍କାକୁ ରାଜ୍ୟ ସରକାର ଛାଡ଼ କରିଛନ୍ତି । ସେହିପରି ୨୦୧୪ ମସିହାରେ ରାଜ୍ୟ ସରକାର ୫୨ ହଜାର କୋଟି ଟଙ୍କାର ଜମି ଦୁର୍ନୀତି କରିଛନ୍ତି ବୋଲି ଓଡ଼ିଶାର ତତ୍କାଳୀନ ଏଜି ଅମର ପଟ୍ଟନାୟକ କହିଥିଲେ । ରାଜ୍ୟ ସରକାରଙ୍କ ଜମି ଦୁର୍ନୀତି ଏବେ ସୁଦ୍ଧା ଚାଲିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା କି, ଲ୍ୟାଣ୍ଡ ବ୍ୟାଙ୍କ ସ୍କିମରେ ୧ ଲକ୍ଷ ଏକର ଜମି ଯୋଗାଡ଼ କରିବେ ଏବଂ ଏଥିରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯିବ । କିନ୍ତୁ ଏପର୍ଯ୍ୟନ୍ତ ସରକାର ମାତ୍ର ୬୦ ହଜାର ଏକର ଅଧିଗ୍ରହଣ କରିଛନ୍ତି । ସେଥିରୁ ୪ ହଜାର ଏକର ଜମି ସାଧାରଣ ଲୋକ ମାଡ଼ିବସିଛନ୍ତି । ରାଜ୍ୟ ସରକାର ଘରୋଇ ଶିଳ୍ପ ଅନୁଷ୍ଠାନ ମାନଙ୍କୁ ଖୁଲମଖୁଲା ଜମି ଯୋଗାଇ ଦେଉଛନ୍ତି କିନ୍ତୁ ସରକାରୀ ଯୋଜନା ପାଇଁ ଆବଶ୍ୟକତା ଠାରୁ କମ୍ ଜମି ଦିଆଯାଉଛି । ରାଜ୍ୟ ସରକାର କିକ୍ ବ୍ୟାକ ନେଇ ଘରୋଇ କମ୍ପାନୀ ମାନଙ୍କୁ ଶାଗ ମାଛ ଦରରେ ସରକାରୀ ଜମି ଯୋଗାଇ ଚାଲିଛନ୍ତି । ୨୦୧୫-୧୬ରେ ଜିଏମଆର ଏବଂ ଲ୍ୟାନକୋ କମ୍ପାନୀକୁ ଅହେତୁକ ଅନୁକଂପା ଦେଖାଇ ୨୦୦୭ ମସିହା ଦରରେ ଜମି ବିକ୍ରି କରାଯାଇଛି । ଏହା ଫଳରେ ରାଜ୍ୟ ସରକାରଙ୍କର ୯.୧୩ କୋଟି କ୍ଷତି ହୋଇଛି । ପାୱାର ପ୍ଲାଂଟ ବସାଇବା ପରେ ବି ଷ୍ଟେରଲାଇଟ ଏନର୍ଜି କମ୍ପାନୀକୁ ଇଡକୋ ୧୦୯୭ ଏକର ଜମି କାହିଁକି ଦେଇଛି ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ  ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଝାରସୁଗୁଡା ଜିଲ୍ଲାରେ ବେଦାନ୍ତ ଲିମିଟେଡ କୁ ୨୧୬୬ ଏକର ଜମି ଦିଆଯାଇଥିଲା । ବଳକା ଜମିରୁ ଏସଇଜେଡକୁ ୫୪୫ ଏକର ଜମି ଦିଆଗଲା । ଏହା ବ୍ୟତୀତ ରାଜ୍ୟ ସରକାର ଆହୁରି ୧୦୨୪ ଏକର ଜମି ବେଦାନ୍ତକୁ କାହିଁକି ଦେଇଛନ୍ତି ? ଘରୋଇ ପୁଂଜିପତିଙ୍କ ପାଇଁ ରାଜ୍ୟ ସରକାର ଜମି ମାଫିଆ ସାଜିଛନ୍ତି । ୧୯୯୯-୨୦୧୫ ମଧ୍ୟରେ ଇଡକୋ ଶିଳ୍ପାଂଚଳ କରିବା ପାଇଁ ୪ ଟି ଜାଗାରେ ୧୪୩୨ ଏକର ଜମି ମାଗିଥବାବେଳେ ମାତ୍ର ୩୨୪ ଏକର ଜମି ମିଳିଛି । ଗତ ୮ ବର୍ଷ ହେବ ରେମୁଣାରେ ୧ ହଜାର ଏକର ଜମି ପଡ଼ିଆ ପଡିଛି । ଏହି ଜମିରେ ଲୋକ ଚାଷ କରିପାରୁନାହାଁନ୍ତି କି ସରକାର ଏହାକୁ ଅଧିକାର କରିପାରୁ ନାହାଁନ୍ତି । ନୂଆ ପଲିସିରେ ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ । ବିଗତ ୬ ବର୍ଷ ଧରି ରାଜ୍ୟ ସରକାର ଜମି ଅଧିଗ୍ରହଣ କରିପାରୁନଥିବା ଯୋଗୁଁ ଅନୁଗୁଳରେ ଆଲୁମିନିୟମ ପାର୍କ ଆରମ୍ଭ ହୋଇପାରୁନାହିଁ । ପାରାଦୀପରେ ପ୍ଲାଷ୍ଟିକ ପାର୍କ ମଧ୍ୟ ସମାନ କାରଣ ପାଇଁ ଆରମ୍ଭ ହୋଇପାରୁନାହିଁ । ପାରାଦୀପରେ ପେଟ୍ରୋକେମିକାଲ ହବ୍ ପାଇଁ ୮ ହଜାର ଏକର ଜମି ଆବଶ୍ୟକ କିନ୍ତୁ ରାଜ୍ୟ ସରକାର ମାତ୍ର ୧୧୦୦ ଏକର ଜମି ଏବେ ସୁଦ୍ଧା ଅଧିଗ୍ରହଣ କରିଛନ୍ତି । ଇଲେକଟ୍ରୋନିକ ମ୍ୟାନୁଫ୍ୟାକଚରିଂ ପାର୍କ ପାଇଁ ୧୧୫ ଏକର ଜମି ଆବଶ୍ୟକଥିବାବେଳେ ରାଜ୍ୟ ସରକାର ମାତ୍ର ୭ ଏକର ଜମି ଅଧିଗ୍ରହଣ କରିଛନ୍ତି । ରାଜ୍ୟ ସରକାର ସରକାରୀ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ ନକରି ଘରୋଇ କଂପାନୀକୁ ଆବଶ୍ୟକତା ଠାରୁ ଅଧିକ ଜମି ଯୋଗାଇ ଚାଲିଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଠାକୁର ରଂଜିତ ଦାସ ଏବଂ ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କଂଗ୍ରେସ ଛାଡ଼ିଲେ ସ୍ମୃତିରେଖା: କହିଲେ- ରାଜ୍ୟରେ ବିଜେଡିର ‘ବି ଟିମ୍ ’ ହେଉଛି କଂଗ୍ରେସ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସ ନେତ୍ରୀ ତଥା ଧର୍ମଶାଳାରୁ କଂଗ୍ରେସ ପ୍ରାର୍ଥୀ ସ୍ମୃତିରେଖା ପହି ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରୁ ସବୁ ସମ୍ପର୍କ ଛିନ୍ନ କରିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସମେତ ସବୁ ପଦପଦବୀରୁ ଇସ୍ତଫା ଦେଇଛନ୍ତି ଓ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଶାସକ ବିଜେଡି ସହ କଂଗ୍ରେସ ଅଘୋଷିତ ମେଣ୍ଟ କରିଛି ଓ ପିପିଲି ନିର୍ବାଚନରେ ମଧ୍ୟ କଂଗ୍ରେସ ଭିତରି ବୁଝାମଣା କରିଛି ବୋଲି ସ୍ମୃତିରେଖା ଅଭିଯୋଗ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପହି କହିଛନ୍ତି ଯେ, କଂଗ୍ରେସ ସଂଗଠନ ରାଜ୍ୟରେ ନିମ୍ନଗାମୀ ହେଉଥିବାବେଳେ ଜଣେ ମହିଳା ହୋଇ ସେ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରେ ଲଢ଼ିବାକୁ ସାହାସ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଂଗ୍ରେସର ଉଚ୍ଚାରଣ ଓ ଆଚରଣ ତାଙ୍କୁ ବ୍ୟଥିତ କରିଥିଲା। ଧର୍ମଶାଳା ନିର୍ବାଚନମଣ୍ଡଳୀର କେତେକ ପ୍ରମୁଖ ବିବାଦୀୟ ଘଟଣା ଯଥା ସ୍ମିତାରାଣୀ ହତ୍ୟାକାଣ୍ଡ ଓ ମାମୁଭଣଜା କୃତ୍ରିମ ଘାଇ ହେବା ଓ ବେଆଇନ ଖଣି ଖନନ ମାମଲାରେ ସେ ସ୍ୱର ଉଠାଉଥିବାବେଳେ କଂଗ୍ରେସ ତାଙ୍କୁ ସହଯୋଗ କଲାନି। ଏପରିକି ଲୋକଙ୍କ ସ୍ୱାର୍ଥ ପାଇଁ ସେ ଏସବୁ ପ୍ରସଙ୍ଗ ଉଠାଉଥିବାବେଳେ କଂଗ୍ରେସର ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ମଧ୍ୟ ଏନେଇ ତାଙ୍କର କଥାକୁ ଅଣଦେଖା କଲେ। ତେଣୁ ଏଥିରୁ କଂଗ୍ରେସ ଦଳ ରାଜ୍ୟରେ ଶାସକ ବିଜେଡି ସହ ରହିଥିବା ସେ ସ୍ପଷ୍ଟ ଅନୁଭବ କରିଥିଲେ। ପିପିଲି ଉପନିର୍ବାଚନ ପ୍ରଚାର ଚାଲିଥିବାବେଳେ କଂଗ୍ରେସର ଅବସ୍ଥା କ’ଣ ସହଜରେ ଜଣାପଡ଼ୁଛି। ପିପିଲିରେ ବି କଂଗ୍ରେସ ଭିତରି ବୁଝାମଣା କରିଛି। ଓଡ଼ିଶାରେ ଯେଉଁ କଂଗ୍ରେସ ୨ ନମ୍ବରରେ ଥିବା ଏବେ ସେ ୩ ନମ୍ବର ଦଳରେ ପହଂଚିଛି। ଓଡ଼ିଶା ମାଟିରେ କଂଗ୍ରେସ ଆଉ ଆଗକୁ ବଢ଼ିପାରିବ ନାହିଁ ବୋଲି ସେ ଅନୁଭବ କରୁଛନ୍ତି। ବିଧାନସଭା ଭିତରେ ହେଉ କି ବାହାରେ ବିଜେଡି ସହ ରାଜ୍ୟରେ କଂଗ୍ରେସ ଅଘୋଷିତ ମେଣ୍ଟ କରିବା ଭଳି ମନେହେଉଛି। ବିଜେଡିର ବି ଟିମ୍ ଭଳି କାମ କରୁଛି। ବାଲେଶ୍ୱର ଉପନିର୍ବାଚନରେ କଂଗ୍ରେସକୁ ମାତ୍ର ୪୯୮୩ଖଣ୍ଡ ଭୋଟ୍ ମିଳିଲା, କିନ୍ତୁ ମାତ୍ର ବର୍ଷକ ପୂର୍ବରୁ ସାଧାରଣ ନିର୍ବାଚନରେ ଦଳ ୧୯୭୦୪ଟି ଭୋଟ୍ ପାଇଥିଲା। ତେଣୁ କେମିତି କଂଗ୍ରେସକୁ ଭରସା କରି ସାଧାରଣ ଲୋକଙ୍କୁ ନ୍ୟାୟ ଦେଇହେବ। ଯେଉଁଠି କଂଗ୍ରେସ ନିଜେ ଶାସକ ବିଜେଡିର ଇଙ୍ଗିତରେ କାମ କରୁଛି ଓ ବି-ଟିମ୍ ପାଲଟିଛି। ତେଣୁ ଧର୍ମଶାଳାରେ ଯେଉଁ ମନମୁଖୀ ନେତୃତ୍ୱ ଚାଲିଛି ତା’ ବିରୁଦ୍ଧରେ ଲଢ଼େଇ ଜାରି ରଖିବାକୁ ହେଲେ କଂଗ୍ରେସରେ ରହି ସେବା ଯୋଗାଇବା ସମ୍ଭବପର ନୁହେଁ। ତେଣୁ ଧର୍ମଶାଳାବାସୀଙ୍କ ସ୍ୱାର୍ଥ ପାଇଁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସ୍ମୃତିରେଖା ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ପଦାରେ ପଡ଼ିଲା ଯୁବ ବିଜେଡି ସଭାପତିଙ୍କ ପାରିବାପଣିଆ, ବିଜେପିରେ ମିଶିଲେ ଶତାଧିକ ବିଜେଡି କର୍ମୀ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଆରେ ଗୋଟେ ଢଗ ଅଛି ‘ବାପପୁଅ ରାତି ସାରା ଅନିଦ୍ରା, ମୁଗୁରା ପଛ ମେଲା’। ଏଭଳି ଲୋକକଥା ଏବେ ପିପିଲି ଉପନିର୍ବାଚନ ଦାୟିତ୍ୱରେ ଥିବା ବିଜେଡି ନେତାଙ୍କ ପାଇଁ ପ୍ରଯୁଜ୍ୟ ହୋଇଛି। ବିଶେଷକରି ବିଜେଡିର ଯୁବ ସଭାପତି ବ୍ୟୋମକେଶ ରାୟଙ୍କ ଦାୟିତ୍ୱରେ ଥିବା ବୀରପୁରୁଷୋତ୍ତମପୁର ପଂଚାୟତର ଶତାଧିକ ବିଜେଡି କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେବାପରେ ଶ୍ରୀ ରାୟଙ୍କ ପାରିବାପଣିଆ ପଦାରେ ପଡ଼ିଛି। ବିଜେପି ପକ୍ଷରୁ ମିିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଏବଂ ପିପିଲି ଆସନରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରି ବୀରପୁରୁଷୋତ୍ତମପୁର ପଂଚାୟତର ଶତାଧିକ ବିଜେଡି କର୍ମୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରିଥିଲେ। ଏହି ମିଶ୍ରଣ ପର୍ବରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବିଜେପି ନେତା ନିରଜଂନ ମିଶ୍ର, ଆଲୋକ ସେଠୀ,ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବୀରପୁରୁଷୋତ୍ତମପୁର ପଂଚାୟତର ପୂର୍ବତନ ୱାର୍ଡମେମ୍ବର ଧନ ବେହେରା, ପାନ ବେହେରା, ଗୀତାଞ୍ଜଳି ନାୟକ, ମଂଚ ସଭାନେତ୍ରୀ ମଂଜୁଳା ସେଠୀ, ସୁଭଦ୍ରା ବେହେରା, ସୁକାନ୍ତି ମହାନ୍ତି, ବାସନ୍ତୀ ଜେନା, ମାନିନୀ ବେହେରା, କୁସୁମ ବେହେରା, ମଂଜୁ ସେଠୀ, ରାଧା ବେହେରା, ଅନୁପମା ମହାନ୍ତିଙ୍କ ସମେତ ଶତାଧିକ ସ୍ୱଂୟ ସହାୟିକା ମହିଳା ବିଜେପିରେ ସାମିଲ ହୋଇଥିଲେ। ଯୁବ ବିଜେଡି ସଭାପତି ଶ୍ରୀ ରାୟ ନିଜର ଟିମ୍ ସହ ଗତ ଏକମାସରୁ ଅଧିକ ଦିନ ହେଲା ଏହି ପଂଚାୟତ ଦାୟିତ୍ୱରେ ରହିଥିବାବେଳେ ଶତାଧିକ ଲୋକ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଏକ ଶକ୍ତ ଧକ୍କା ସଦୃଶ ହୋଇଛି । ଶ୍ରୀ ରାୟଙ୍କ ତତ୍ତ୍ୱାବଧାନରେ ବିଜେଡିର ୫ଜଣିଆ ଟିମ୍ ଏହି ପଂଚାୟତରେ ପଡ଼ି ରହିଛି । ତା’ସତ୍ତ୍ୱେ ଦଳୀୟ କର୍ମୀଙ୍କୁ ସଂଗଠନ ସହ ରଖିବାରେ ସେ ବିଫଳ ହୋଇଛନ୍ତି। ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପରେ ପିପିଲି ନିର୍ବାଚନମଣ୍ଡଳୀରେ ଏହା ପ୍ରଥମ ଘଟଣା, ଯେଉଁଠି ଶତାଧିକ ବିଜେଡି କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ପୁଲିସ ଅଫିସରଙ୍କୁ ଗାଳିଗୁଲଜ କରି ଶ୍ରୀ ରାୟ ଗତକିଛି ଦିନ ତଳେ ବିବାଦୀୟ ହୋଇଥିଲେ। ବିଜେପିର ସୂଚନା ଅନୁସାରେ, ଆଜି ଦଳରେ ସାମିଲ ହୋଇଥିବା ଶତାଧିକ ଲୋକ ବିଭିନ୍ନ ପ୍ରକାରର ସରକାରୀ ଯୋଜନାରୁ ଦୀର୍ଘଦିନ ଧରି ବଂଚିତ ରହିଥିବା ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି। ବିଶେଷକରି ଗତ ଫନିି ବାତ୍ୟାଜନିତ କ୍ଷତିପୂରଣ ଟଙ୍କା ନମିଳିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଗରିବ ବ୍ୟକ୍ତି ଘର ପାଇବାରୁ ବଂଚିତ ହେବା ଆଦି ପାଇଁ ବିଜେଡିରୁ ମୁହଁ ଫେରାଇଛନ୍ତି। ସେହିପରି ବିଜେପି ନେତା ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଫନି ସହାୟତାରେ ବ୍ୟାପକ ଭଷ୍ଟ୍ରାଚାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଅନ୍ତର୍ଗତ ଶୌଚାଳୟ ନିର୍ମାଣ, ଧାନ କିଣାରେ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟାଳୟରେ ଶିକ୍ଷକ ଅଭାବ, ପିପିଲିରେ ବସଷ୍ଟାଣ୍ଡ ନହେବା ଆଦି ସମସ୍ୟା ବିରୁଦ୍ଧରେ ଜନଅସନ୍ତୋଷ ସ୍ଷ୍ଟି ହୋଇଛି। ପୂର୍ବତନ ବିଧାୟକ କେନ୍ଦ୍ରର ଗରିବ କଲ୍ୟାଣ ଯୋଜାନାକୁ ପିପିଲିରେ ଲାଗୁ କରିବାରେ ବିଫଳ ହୋଇଛନ୍ତି। ପିପିଲି ଅଂଚଳ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବା ସତ୍ୱେ ଶୀତଳ ଭଣ୍ଡାରର ଅଭାବ, ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଆଜି ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଛି ବୋଲି ବିଜେପି ନେତା ଶ୍ରୀ ହରିଚନ୍ଦନ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡ୍‌ରେ ପୁଲିସ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କନିର୍ଦ୍ଦେଶ ପରେ ଆକ୍ସନ  ମୁଡ୍‌ରେ ପୁଲିସ।  ଆଜିଠାରୁ ରାଜ୍ୟର ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରୁଛି ରାଜ୍ୟ  ପୁଲିସ।  ୧୬ ତାରିଖ ପର୍ଯ୍ୟନ୍ତ ପୁଲିସ ଏହି ସ୍ପେଶାଲ ଡ୍ରାଇଭ୍ ଚଳାଇବ। ମାସ୍କ ପିନ୍ଧିବା ଓ  ସାମାଜିକ ଦୂରତ୍ୱ ରକ୍ଷା କରିବା ପ୍ରତି କଡ଼ା ନଜର ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ  ସମସ୍ତ ଏସ୍‌ପି, ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ତା’ସହିତ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ  ସଂପର୍କରେ ନିର୍ଦ୍ଧାରିତ ଫର୍ମରେ ଆଇନଶୃଙ୍ଖଳା ଏଡିଜିଙ୍କୁ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି ।  ଛତିଶଗଡ଼ ଯୋଗୁଁ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ଓ ଏହାଯୋଗୁଁ  ସାରା ରାଜ୍ୟ ପ୍ରଭାବିତ ହେବାରୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା  କରିଥିଲେ । ସମୀକ୍ଷା ପରେ ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ଫୋକସ ଦେବାକୁ କହିଥିଲେ ମୁଖ୍ୟ  ଶାସନ ସଚିବ।  ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ  ସେଠାକାର ସ୍ଥିତି ସମୀକ୍ଷା କରିବେ। ଏହା ସହିତ ସ୍ଥିତି ଅନୁଯାୟୀ ଆବଶ୍ୟକ ଜରୁରୀ ପଦକ୍ଷେପ ନେବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ପୁଲିସକୁ ୧୦ ଦିନ ସ୍ପେଶାଲ ଡ୍ରାଇଭ୍ ପାଇଁ ନିର୍ଦ୍ଦେଶ  ଦେଇଥିଲେ।

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଭିନ୍ନ ସୂତ୍ରରୁ ବେଆଇନ ଭାବେ ଟଙ୍କା ନେବାବେଳେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବାରଙ୍ଗ ତହସିଲଦାର ଆଜି ନିଜର ବାସଭବନକୁ ସରକାରୀ ଗାଡ଼ିରେ ଯାଉଥିବାବେଳେ ଭୁବନେଶ୍ୱରର ରଘୁନାଥପୁରସ୍ଥିତ ମଣିତ୍ରିଭୁବନ ଆପର୍ଟମେଣ୍ଟ ସମ୍ମୁଖରେ ଭିଜିଲାନ୍ସ ଟିମ୍ ହାବୁଡ଼ରେ ପଡ଼ିଥିଲେ। ଭିଜିଲାନ୍ସ ଟିମ୍ ସହ ତାଙ୍କର ଯୁକ୍ତିତର୍କ ବେଳେ ସେ ଗାଡ଼ି ଭିତରେ ରଖି ଥିବା ୧ଲକ୍ଷ ୭ହଜାର ଟଙ୍କାକୁ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ। ଏହି ଟଙ୍କାକୁ ଭିଜିଲାନ୍ସ ଟିମ୍ ଜବତ କରିଛି। ଏତେ ଟଙ୍କା ସେ କେଉଁଠୁ ଆଣିଲେ ତା’ର ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ କହିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଭିଜିଲାନ୍ସ ଆଜି ତାଙ୍କ ଉପରେ ଚଢ଼ଉ କରିଥିଲା। ଏହାସହିତ ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନରେ ଏକ ମାମଲା ରୁଜୁ କରି ତାଙ୍କର ବାରଙ୍ଗସ୍ଥିତ ବାସଭବନ, ଢେଙ୍କାନାଳର ଗଁଦିଆ ଥାନା ଅନ୍ତର୍ଗତ ପୈତୃକ ଗାଁ ଗୋପାଳପୁରରେ ମଧ୍ୟ ଏକକାଳୀନ ଚଢ଼ଉ କରିଥିଲା। ଏବେ ଏହି ବେଆଇନ ଅର୍ଥ ଠୁଳ କରିବାର ମାମଲାର ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ କହିଛି।

ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କୋଭିଡ୍ ସଂକ୍ରମିତ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇ ଆଜି ୬୦୦ରେ ପହଂଚିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ କରୋନା ମହାମାରୀ ଏବେ ଅଧିକ ଭାବେ ବ୍ୟାପୁଥିବାରୁ ସେସବୁ ଅଂଚଳ ଉପରେ ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକୁ ଗସ୍ତ କରି ସେଠାରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ଓ ବାସ୍ତବ ସ୍ଥିତି ପରଖି ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବ ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ ପିପିଲି ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏବେ ପଶ୍ଚିମ ଓଡ଼ିଶା ଉପରେ ଫୋକସ୍ ଦେଉଥିବା ଚର୍ଚ୍ଚା। ମିଳିଥିବା ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାରେ ତୁରନ୍ତ ଡାକ୍ତର, ପାରାମେଡିକାଲ କର୍ମଚାରୀ, ଲ୍ୟାବ ଟେକନିସିଆନ ଆଦି କର୍ମଚାରୀଙ୍କୁ ତୁରନ୍ତ ପୁନଃମୁତୟନ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀର ମୁକାବିଲା ପାଇଁ ସେଠାରେ ଆବଶ୍ୟକ ମାନବସମ୍ବଳ ବ୍ୟବସ୍ଥା ସୁଦୃଢ଼ କରିବାକୁ ପରାମର୍ଶ ଦେିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଭିଡ୍‌ର ସମସ୍ତ ଗାଇଡଲାଇନକୁ ପୁଣିଥରେ ସକ୍ରିୟ କରି ଶାସନ କଳକୁ ଏହାର ମୁକାବିଲା ଦିଗରେ ନିୟୋଜିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଦଫାରେ ଆସିଥିବା କରୋନା ମହାମାରୀକୁ ଓଡ଼ିଶା ସଫଳ ଭାବେ ନିୟନ୍ତ୍ରଣ କରିଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଯେ, କୋଭିଡ୍ ନିରାପତ୍ତା ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଓ ମହାମାରୀ ସଂକ୍ରମଣକୁ ରୋକିବା ନିମନ୍ତେ ସମଗ୍ର ରାଜ୍ୟରେ ପୁଲିସ ଦ୍ୱାରା ୧୦ଦିନିଆ ସ୍ୱତନ୍ତ୍ର ଅଭିଯାନ ଚଳାଇବା ନିମନ୍ତେ ପୁଲିସ ଡିଜିଙ୍କୁ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୂଲ୍ୟବାନ ଜୀବନଗୁଡ଼ିକ ବିପଦରେ ଥିବାରୁ ଆତ୍ମସନ୍ତୋଷ ପାଇଁ କୌଣସି ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ୧୫ ଦିନ ବଦଳରେ ଏଣିକି ୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର। ୩୦ ଦିନ ବଦଳରେ ୧୫ ଦିନରେ ମିଳିବ ST, SC, SEBC ଓ OBC ପ୍ରମାଣପତ୍ର। ଆବେଦନର ୩୦ ଦିନରେ ମିଳିବ ଉତ୍ତରାଧିକାରୀ ସାର୍ଟିଫିକେଟ। ବିଭିନ୍ନ କାମ ପାଇଁ ଥରେ ମାତ୍ର ଜାରି ହେବ ଉତ୍ତରାଧିକାରୀ ସାର୍ଟିଫିକେଟ। ଫଳରେ ବିଭିନ୍ନ କାମ ପାଇଁ ଏକାଧିକ ଥର ଆବେଦନ କରିବାକୁ ପଡ଼ିବନି ବୋଲି ସଂଶୋଧିତ ଗାଇଡ୍‌ଲାଇନ୍‌ ଉଲ୍ଲେଖ ରହିଛି। ବାସସ୍ଥାନ, ଆୟ, ST, SC, SEBC, OBC ଆଦି ପ୍ରମାଣପତ୍ର ପାଇବାରେ ଅନେକ ସମୟରେ ସମସ୍ୟା ଦେଖା ଦେଉଥିଲା। ଆବେଦନକାରୀଙ୍କୁ ବାରମ୍ୱାର ଅଫିସ୍‌ ଧାଇଁବାକୁ ପଡ଼ୁଥିଲା। ଯେଉଁଥିପାଇଁ ମଧ୍ୟସ୍ତିଙ୍କ ସାହାଯ୍ୟ ନେଉଥିଲେ ଆବେଦନକାରୀ। ଏବେ କିନ୍ତୁ ଏପରି ସମସ୍ୟା ଦେଖାଦେବ ନାହିଁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିରେ ପରିବର୍ତ୍ତନ କରିଛନ୍ତି। ଯାହାଫଳରେ ନିର୍ଧାରିତ ସମୟରେ ପ୍ରମାଣପତ୍ର ମିଳିବା ସହିତ ଆଉ ମଧ୍ୟସ୍ତିଙ୍କ ସାହାଯ୍ୟ ନେବାକୁ ପଡ଼ିବନାହିଁ ବୋଲି ଅନୁମାନ କରାଯାଉଛି। ତେବେ ପରବର୍ତ୍ତୀ ସମୟରେ ଜଣାପଡ଼ିବ ରାଜ୍ୟ ସରକାରଙ୍କ ଏହି ସଂଶୋଧିତ ଗାଇଡ୍‌ଲାଇନ୍‌ କେତେଦୂର ଫଳପ୍ରଦ ହେଉଛି।

ବିଦ୍ୟତ ଦର ଵୃଦ୍ଧି ପ୍ରତିବାଦରେ ଗୁଣପୁର କଂଗ୍ରେସ ପକ୍ଷରୁ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ନବୀନ ସରକାରଙ୍କ ପକ୍ଷରୁ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି କରାଯାଇଛି ।ଏହାର ପ୍ରତିବାଦରେ ଆଜି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି । ରାଜ୍ୟ ସଭାପତି ଙ୍କ ଅନୁରୋଧ କ୍ରମେ ରାୟଗଡା ଜିଲ୍ଲା ଗୁଣପୁର କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ବିଜୟ ଗମାଙ୍ଗଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରତିବାଦରେ ନବୀନ ପଟ୍ଟନାୟକ ଏବଂ ବର୍ଦ୍ଧିତ ବିଦ୍ୟୁତ ଦର ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ଏଥିରେ ଗୁଣପୁର ସଦର ସଭାପତି ଶ୍ରୀକାନ୍ତ ବେହେରା,ଭୋଳାନାଥ ମହାଙ୍କୁଡ଼ ,ସୋମନାଥ ଲିମା ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ବିଦ୍ୟୁତ ବିଭାଗୀୟ ଅଧିକାରୀ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଗୁଣପୁର ଠାରେ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ହେଉଛି ଭାରତୀୟ ଜନତା ପାର୍ଟି ର 41 ତମ ପ୍ରତିଷ୍ଠା ଦିବସ । ରାୟଗଡା ଜିଲ୍ଲା ଗୁଣୁପୁର ବିଜେପି ଶାଖା ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ପ୍ରତିଷ୍ଠା ଦିବସ କୁ ପାଳନ କରାଯାଇଛି । ପଣ୍ଡିତ ଦୀନ ଦୟାଲ ଙ୍କ ଆଦର୍ଶ, ବାଜପେୟୀଙ୍କ ଚିନ୍ତାଧାରା ତଥା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଧାରା କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ଘରେ ଘରେ କିଭଳି ପହଞ୍ଚିବ, ସ୍ଥାନୀୟ ଅଞ୍ଚଳରେ କିଭଳି ବିଜେପି ସୁଦୃଢ ହୋଇ ପାରିବ ଏନେଇ ଆଲୋଚନା କରାଯାଇଥିଲା । ଆଗାମୀ ପୌର ନିର୍ବାଚନ ପାଇଁ ବୁଥ ସ୍ତରୀୟ କମିଟି ଗଠନ କରି ରଣନୀତି ପ୍ରସ୍ତୁତ କରାଯାଇଥିବା ଉପ ସଭାପତି ପ୍ରକାଶ କରିଥିଲେ । ରାୟଗଡା ଜିଲ୍ଲା ବିଜେପିର ଉପ ସଭାପତି y ଗଣପତି, ଗୁଣୁପୁର ନଗର ସଭାପତି ଶ୍ରୀନିବାସ ସ୍ୱାଇଁ ଙ୍କ ନେତୃତ୍ୱରେ ପୃଥ୍ୱୀରାଜ ପାଢ଼ୀ, ପ୍ରେମ ପଣ୍ଡା, ଉଦୟ ପାଢ଼ୀ, ଜଗଦୀଶ ପଣ୍ଡା, ବିଦ୍ୟା ଶବର, ଫାଲଗୁନୀ ଶବର, ମହିଳା ନେତ୍ରୀ ଲକ୍ଷ୍ମୀ ଶ୍ରୀରାମ ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।

ବିଜେଡି ର ସାମ୍ବାଦିକ ସମିଳନୀ ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ଉପନିର୍ବାଚନ ନିର୍ଦ୍ବନ୍ଦରେ ବିଜୟୀ ହେଲେ ସୁନିତା ସାହୁ ।

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) -ବେଗୁନିଆପଡା ବ୍ଲକ ନିକଟସ୍ଥ କଲ୍ୟାଣ ମଣ୍ଡପ ପରିସରରେ ବେଗୁନିଆପଡା ବିଜେଡିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ବେଗୁନିଆପଡାରେ ପୁଣି ଥରେ ପ୍ରମାଣିତ ହେଲା ନବୀନ ପଟ୍ଟନାୟକ ଓ ଲତିକା ପ୍ରଧାନଙ୍କ ଲୋକପ୍ରିୟତା | ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ଉପନିର୍ବାଚନରେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁନିତା ସାହୁ | ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା | ସବୁଠାରୁ ରୋଚକ କଥା ହେଲା ଚନ୍ଦନପୁର ପଞ୍ଚାୟତ ସମିତି ସଭ୍ୟ ପଦ ଉପନିର୍ବାଚନ ପାଇଁ ଗତକାଲି ପାର୍ଥି ପତ୍ର ଦାଖଲ ଚାଲିଥିବା ବେଳେ ବେଗୁନିଆପଡା ବ୍ଲକ ପରିସରରେ ବିଜେପି ବିଧାୟକ ପାର୍ଥି ରଞ୍ଜନ ପଲାଇ ଓ ତାଙ୍କ ସମର୍ଥକ ଗୁଣ୍ଡାଗିରି କରିଥିବା ଅଭିଯୋଗ କରିଛି ବିଜେଡି |

ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରାଙ୍କ କହିବା ମୁତାବକ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ସର୍ବସମ୍ମତି କ୍ରମେ ସୁନିତା ସାହୁଙ୍କୁ ସମିତି ସଭ୍ୟ ଭାବେ ପାର୍ଥି କରାଯାଇଥିଲା ଏହାକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ସମର୍ଥନ କରିଥିଲେ | ଗତ କାଲି ପାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ଯୋଗୁଁ ଶ୍ରୀମତୀ ସୁନିତା କବିସୂର୍ଯ୍ୟନଗର ବିଧାୟିକାଙ୍କ ଉପସ୍ଥିତିରେ ନିଜର ପାର୍ଥି ପତ୍ର ଦାଖଲ କରିଥିଲେ | ଏହି ସମୟରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଗତ ସାଧାରଣ ନିର୍ବାଚନରେ ବିଜେପି ପାର୍ଥି ହୋଇ ପରାଜୟ କରିଥିବା ରଞ୍ଜନ ପଳାଇ ନିଜ ସମର୍ଥକଙ୍କ ସହ ଆସି ବ୍ଲକ ଅଧକ୍ଷାଙ୍କ କାର୍ଯ୍ୟଳୟରେ ପ୍ରବେଶ କରି ବିଧାୟିକାଙ୍କ ସହ ଯୁକ୍ତି ତର୍କ କରିଥିଲେ | ଏବଂ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଶ୍ରୀ ପଳାଇଙ୍କ ଉପସ୍ଥିତିରେ ପାର୍ଥିପତ୍ର ଦାଖଲ କରିଥିବା କୁନା ସ୍ୱାଇଁଙ୍କ ପାର୍ଥି ପତ୍ର ନାକଚ ହୋଇଛି | ସୁନିତା ସାହୁ ଅଭିଯୋଗ କରିଥିଲେ ଯେ କୁନା ସ୍ୱାଇଁଙ୍କ ଚାରିଗୋଟି ସନ୍ତାନ ରହିଛି ଯାହାକି ନିର୍ବାଚନ ଲଢ଼ିବା ପାଇଁ ସେ ଯୋଗ୍ୟ ନୁହନ୍ତି ଏହାର ତଦନ୍ତ ପରେ ପ୍ରମାଣିତ ହେଲାଯେ ଶ୍ରୀମତୀ ସାହୁଙ୍କ ଅଭିଯୋଗ ସତ୍ୟ ତେଣୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ | ତେବେ ଏଭଳି ଗୁଣ୍ଡା ଗର୍ଦ୍ଦି ଓ ମିଥ୍ୟା ଅଭିଯୋଗ କରି ବିଜୁ ଜନତା ଦଳକୁ ବଦନାମ କରୁଥିବା କହିଛି ବିଜେଡି | ଶ୍ରୀମତୀ ସାହୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପୁଣିଥରେ ନବୀନ ଓ ବିଧାୟିକାଙ୍କ ଲୋକପ୍ରିୟତା ଏବଂ ଧର୍ମର ବିଜୟ ହୋଇଛି ବୋଲି କହିଛନ୍ତି ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା |