ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ନବମ, ଏକାଦଶ କ୍ଲାସ ବନ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବ୍ୟାପୁଛି। ଯାହାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ  ନବମ ଓ ଏକାଦଶ ଶ୍ରେଣୀରେ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିର୍ଦ୍ଦେଶନାମା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ପାଇଁ ଉଦ୍ଦିଷ୍ଟ। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଭାଗର ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖି କୋଭିଡ୍ ସଂକ୍ରମଣ ବ୍ୟାପୁଥିବାରୁ ସ୍କୁଲ ଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଏପ୍ରିଲ ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଯଦି ହଷ୍ଟେଲ୍ କିମ୍ବା ଆବାସିକ ସ୍କୁଲରେ ରହୁଥିବେ, ତାହାହେଲେ ସେମାନେ ତୁରନ୍ତ ଘରକୁ ଫେରିଯିବାକୁ କୁହାଯାଇଛି। ଯଦି ଆବଶ୍ୟକ ପଡ଼ିବ ତା’ହେଲେ ସ୍କୁଲ ଚାହିଁଲେ ଅନଲାଇନ୍ କ୍ଲାସ କରିପାରିବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପୂର୍ବଭଳି ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଦୁଇ ଶ୍ରେଣୀର ପିଲା ବୋର୍ଡ ଓ କାଉନସିଲ ପରୀକ୍ଷା ଦେବାର ଥିବାରୁ ସେମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରହୁଛନ୍ତି ସେମାନେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ସାନିଟାଇଜ୍ ସହ କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ଗତ ଦୁଇମାସ ପୂର୍ବରୁ ରାଜ୍ୟ ସରକାର ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲକୁ ଯାଇ ପାଠ ପଢ଼ିବା ନିମନ୍ତେ ଅନୁମତି ଦେଇଥିଲେ। ଏବେ ପୁଣି ଥରେ ମହାମାରୀ କରୋନା ବ୍ୟାପୁଥିବାରୁ ରାଜ୍ୟ ସରକାର ପୁଣି ଥରେ ନବମ ଓ ଏକାଦଶ ଶ୍ରେଣୀ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ଉଦଳା) – ତହସିଲ୍‌ଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ମାଡ଼ ମାରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବାଲି ଚୋରା ଚାଲାଣ ସମ୍ପର୍କରେ ଖବର ପାଇ କପ୍ତିପଦା ତହସିଲଦାର ସମରଜିତ କର ଓ ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା ବାଘିଆଗଡି ନଦୀ ଘାଟକୁ ଯାଇଥିଲେ। ସେଠାରୁ ସ୍ଥିତି ଦେଖି ଅଫିସ ଫେରୁଥିବା ବେଳେ ଧୁମକେତ ଗାଁ ନିକଟରେ ଜେସିବି ଦ୍ୱାରା ଟ୍ରାକ୍ଟରରେ ମାଟି ଲୋଡ୍‌ ହେଉଥିବା ଦେଖିବାକୁ ମିଳିଥିଲା। ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଦେଖି ଜେସିବି ଓ ଟ୍ରାକ୍ଟର ଧରି ଡ୍ରାଇଭର ଚମ୍ପଟ ମାରିଥିଲେ। ପରେ ତହସିଲଦାର ଓ ଅତିରିକ୍ତ ସେମାନଙ୍କୁ ପିଛା କରିଥିଲେ। ପାଖାପାଖି ୨ କିମି ଗୋଡ଼ାଇବା ପରେ ଟ୍ରାକ୍ଟରକୁ ଧରିଥିଲେ। ସେଠାରେ ମାଫିଆ ଓ ତହସିଲଦାରଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ୩ ଜଣଙ୍କ ଭିତରୁ ଜଣେ ଯୁବକ ଆସି ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନାଙ୍କୁ ହତ୍ୟା ଧମକ ଦେବା ସହ ମାଡ଼ ମାରିଥିଲେ। ତାଙ୍କୁ ଅଟକାଇବାକୁ ଯାଇ ତହସିଲଦାର ମଧ୍ୟ ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ଶ୍ୟାମସୁନ୍ଦର ମଲ୍ଲିକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଫୋକସ୍‌ରେ ନାଇଟ୍‌ କ୍ଲବ୍ ଓ ପାର୍ଟି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ରାଜ୍ୟରେ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଏଥିଲାଗି ଆମକୁ ସଜାଗ ରହିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସମୀକ୍ଷା ପରେ ଯାହା ନିର୍ଦେଶ ଦେଇଛନ୍ତି ତାକୁ ମାନିବାକୁ ପଡିବ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ଛତିଶଗଡ଼ ସୀମାନ୍ତ ଜିଲ୍ଲାର ଲୋକମାନେ ଯାତାୟାତ ଅଧିକ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢ଼ୁଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ବହୁ ପ୍ରଭାବିତ ରାଜ୍ୟରୁ ଲୋକମାନେ ରାଜଧାନୀକୁ ଆସୁଥିବାରୁ ସଂଖ୍ୟା ବଢ଼ୁଛି । ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍କ୍ରିନିଂ କରିବା ଦ୍ୱାରା ଏହା ଜଣାପଡୁଛି।  ଗତଥର କୋଭିଡ ସମୟରେ ଯେଉଁ ପ୍ରସ୍ତୁତି ଥିଲା ତାକୁ ଆଧାର କରି ଆଗକୁ ବଢିବା ସହ ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଡିଏମ୍ଇଟି । ସରକାର ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି । ନାଇଟ କର୍ଫ୍ୟୁ  ସଂକ୍ରମଣ ରୋକିବାର ଏକ ମାଧ୍ୟମ  ରାତିରେ  କ୍ଳବ ଓ ପାର୍ଟି ରେ ଯେଉଁ ଗହଳି ହୋଇଥାଏ ତାକୁ ରୋକିବା ପାଇଁ ନାଇଟ କର୍ଫ୍ୟୁର ଆବଶ୍ୟକତା ରହିଛି । ବର୍ତ୍ତମାନ ଭାଇରସ ପୂର୍ବ ଅପେକ୍ଷା ଅଧିକ ସଂକ୍ରମିତ କରୁଛି।  କିନ୍ତୁ ରୋଗୀଙ୍କ ପାଇଁ ହସ୍ପିଟାଲର ଆବଶ୍ୟକ କମ ପଡ଼ୁଛି ।  ଆଇସିୟୁ, ବେଡ଼, ଭେଣ୍ଟିଲେଟର ବିଶେଷ ଆବଶ୍ୟକତା ରହୁନି ବୋଲି ଡିଏମ୍ଇଟି କହିଛନ୍ତି ।

‘ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ମହାମାରୀ ଏବେ ୮୦୦ ମୁହାଁ ହେଉଥିବା ବେଳେ ସୀମାବର୍ତ୍ତୀ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ହେଲେ ସଂକ୍ରମଣ ରୋକିବାକୁ ନାଇଟ କର୍ଫ୍ୟୁକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଚେତାଇ ଦେଇଛନ୍ତି  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଉଛି । ସୀମାବର୍ତ୍ତି ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କୁ ଅନୁଧ୍ୟାନ କରାଯାଉଛି  । ଜିଲ୍ଲାପାଳ ଓ ପୁଲିସ୍‌ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସ୍ଥିତି ସମୀକ୍ଷା କରିବା ପରେ ବରିଷ୍ଠ ଅଧିକାରୀମାନଙ୍କୁ ପଶ୍ଚିମ ଓଡ଼ିଶା ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଉନ୍ନୟନ କମିଶନର ଝାରସୁଗୁଡା ଓ ସୁନ୍ଦରଗଡ ଯାଇଛନ୍ତି । କରୋନା ମୁକାବିଲା ପାଇଁ ଔଷଧ, ବେଡ଼, ଅକ୍ସିଜେନ ସବୁ ମହଜୁଦ ରଖାଯାଇଛି। ତେବେ ଯଦି ସଚେତନ ନ ହେବା ସ୍ଥିତି ଭୟଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେହିପରି ରାଜ୍ୟରେ ଟିକା ଅଭାବ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଯେତିକି କୋଭିସିଲଡ୍ ଟିକା ଅଛି ତାହା ୨ରୁ ୩ ଦିନ ଯିବ  ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ୧୫ ଲକ୍ଷ କୋଭିସିଲଡ଼ ଟିକା ରାଜ୍ୟକୁ ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ରଖାଯାଇଥିବା ବେଳେ ଗତକାଲି ୩ ଲକ୍ଷ ୪୯ ହଜାର ୧୩୦ କୋଭିସିଲଡ୍ ଟିକା ପହଞ୍ଚିଛି । ଏହା ସତ୍ତ୍ୱେ ଆହୁରି କୋଭିସିଲ୍ଡ ଟିକାର ଆବଶ୍ୟକତା ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ  ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଟିକା ଅଭାବ ଯୋଗୁଁ ବିଭିନ୍ନ ଜିଲ୍ଲାର ୪ ଶହଟି କେନ୍ଦ୍ରରେ ଟିକାକରଣ ବନ୍ଦ ହୋଇଗଲାଣି ।  ବର୍ତ୍ତମାନ ରାଜ୍ୟରେ ୧ ହଜାର ୧୦୩ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଚାଲିଛି ।  ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି, ମାତ୍ର କୌଣସି ଉତ୍ତର ଆସିନଥିବା ବିଜୟ କହିଛନ୍ତି । ରାଜ୍ୟରେ କୋଭସ୍କିନ ଟିକା ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ବେଳେ  କୋଭିସିଲଡ଼ ଟିକାର ଅଭାବ ଯୋଗୁଁ ଭ୍ୟାକ୍ସିନେସନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରୁନାହିଁ ।  ରାଜ୍ୟକୁ ଦୁଇ ଦିନ ଭିତରେ କୋଭିସିଲଡ୍ ଭାକ୍ସିନ୍ ନ ପହଞ୍ଚିଲେ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ସିଲ୍ ହେଲା ରାମ ମନ୍ଦିର କନଫରେନ୍ସ ହଲ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସିଲ୍ ହେଲା ଭୁବନେଶ୍ୱର ଜନପଥ ସ୍ଥିତ ରାମ ମନ୍ଦିର ପରିସରରେ ଥିବା କନଫରେନ୍ସ ହଲ୍। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ରାମ ମନ୍ଦିର କନଫରେନ୍ସ ହଲକୁ ସିଲ୍ କରିଛି ବିଏମସି। କନଫରେନ୍ସ ହଲରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା, ଯେଉଁଥରେ କୋଭିଡ୍ ନିୟମ ଉଲ୍ଲଙ୍ଘନ ହୋଇଥିଲା। ଜୋନାଲୋ ଡେପୁଟୀ କମିଶନର (ସାଉଥ ଇଷ୍ଟ) ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମସିର ଏକ ଟିମ୍ ଆଜି ଚଢ଼ାଉ କରିଥିଲା। ବିଏମସିର ବିନା ଅନୁମତିରେ ଜନ୍ମଦିନ ପାର୍ଟି ହୋଇଥିବା ଜଣାପଡ଼ିଛି। କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜନ୍ମଦିନ ପାର୍ଟି ଆୟୋଜକଙ୍କଠାରୁ ବିଏମସି ୫ହଜାର ଟଙ୍କାର ଜୋରିମାନା ଆଦାୟ କରିଛି। ସେହିପରି ଆଜି ପଳାଶପଲ୍ଲୀ ସ୍ଥିତ ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ୍ ସିଲ୍ ହୋଇଛି। କୋଭିଡ୍ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ବିଏମସି ଉକ୍ତ କଲେଜକୁ ସିଲ୍ କରିଛି। ମଙ୍ଗଳବାର ଭୁବନେଶ୍ୱର ଟଙ୍କପାଣି ରୋଡ୍‌ରେ ଥିବା ତରୁ ଆପାର୍ଟମେଣ୍ଟକୁ ବିଏମସି ସିଲ୍ କରିଥିଲା। ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାକୁ ସିଲ୍‌ କରାଯାଇଛି। ଏହି ଆପାର୍ଟମେଣ୍ଟକୁ ୧୦ ଦିନ ପର୍ଯ୍ୟନ୍ତ ଅର୍ଥାତ ୧୬ ତାରିଖ ଯାଏ ସିଲ୍‌ ହୋଇଛି। ଆପାର୍ଟମେଣ୍ଟ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ମନା ନକରିବାକୁ କୁହାଯାଇଛି। କେବଳ ସ୍ୱୀକୃତିପ୍ରାପ୍ତ BMC ଅଧିକାରୀଙ୍କୁ ପ୍ରବେଶ ଅନୁମତି ଦିଆଯିବ।ସେହିପରି କରୋନା ଆକ୍ରାନ୍ତ ବାହାରିବାରୁ ପୂର୍ବରୁ ଏସ୍‌ବିଆଇର ମୁଖ୍ୟ ଶାଖା ଓ ବିଶାଲ୍‌ ମେଗାମାର୍ଟକୁ ସିଲ୍‌ କରାଯାଇଥିଲା। ସୋମବାର ନୟାପଲ୍ଲୀସ୍ଥିତ ରାଜ୍ୟ ଯୋଗାଣ ନିଗମ ଅଫିସରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହାକୁ ସିଲ୍ କରିଦିଆଯାଇଥିଲା।

ସପ୍ତାରେ ଦିନଟେ ବନ୍ଦ ରହିବ ତାରାତାରିଣୀ ମନ୍ଦିର…!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର) – ରାଜ୍ୟରେ କରୋନା ନିଜ କାୟା ମେଲାଇ ଚାଲିଥିବା ବେଳେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ପୀଠକୁ ଆଗମନ ଏବଂ ଦର୍ଶନ ପାଇଁ ସଂଶୋଧିତ ନିୟମ ଜାରି କରିଛି ଜିଲ୍ଲା ପ୍ରଶାସନ ।  ଏହା ସହ ଚୈତ୍ର ମେଳା କଟକଣା ପାଇଁ ମଧ୍ୟ ନୂଆ ନିୟମ ଜାରି କରାଯାଇଛି । ନୂଆ ନିୟମ ଅନୁସାରେ, ଏଣିକି ବୁଧବାର ବ୍ୟତୀତ ସପ୍ତାହର ଅନ୍ୟଦିନମାନଙ୍କରେ ମନ୍ଦିର ଖୋଲାରହିବ । ମନ୍ଦିର ପାର୍ଶ୍ୱ ଓ ଏହାର ନିକଟରେ କୌଣସି ବ୍ୟକ୍ତି ଭୋଜି କରିବା ନିଷେଧ।  କୋଭିଡ୍ କଟକଣା ପାଇଁ ମୁଣ୍ଡନ ବନ୍ଦ ରହିବ।  ପ୍ରତ୍ୟେକ ବୁଧବାର ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯିବ । ଏଥିସହ ସପ୍ତାହରେ ଦୁଇଦିନ ସର୍ବସାଧାରଣଙ୍କ ଦର୍ଶନ ସରିବା ପରେ ରାତ୍ରିକାଳୀନ ବିଶୋଧନ କରାଯିବ  ।

taratarini temple
                                                                           ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। କରୋନାର ଦ୍ୱିତୀୟ ଲହରର କୋପ ଗଞ୍ଜାମ ଜିଲ୍ଲାରେ ସେଭଳି ଦେଖିବାକୁ ମିଳି ନ ଥିଲେ ମଧ୍ୟ ଗତଥରର ଛାତି ଥରା ଅନୁଭୂତିକୁ ଭୁଲି ପରି ନାହାନ୍ତି ଜିଲ୍ଲାବାସୀ। ଗତ ସୋମବାର ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୮ ଥିବା ବେଳେ ଗତକାଲି ଏହି ସଂଖ୍ୟା ୨୭ରେ ପହଞ୍ଚଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ଏବେଠୁ ବିଭିନ୍ନ କଟକଣା ଜାରି କଲାଣି ଜିଲ୍ଲା ପ୍ରଶାସନ।

୮ ଏପ୍ରିଲ, ଗୁରୁବାର – ଆଜି ର ରାଶିଫଳ

ମେଷ: କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିର ସଫଳ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ଉତ୍ସାହ ଓ ପ୍ରେରଣା ପାଇବେ। ମହିଳାମାନେ ଚେଷ୍ଟା କରୁଥିବା କାର୍ଯ୍ୟରେ କୃତକାର୍ଯ୍ୟ ହେବେ। ପ୍ରତିକାର-  ୫ଟି ଲାଲ ମନ୍ଦାର ଫୁଲ ଗ୍ରାମଦେବୀଙ୍କ ପାଖରେ ଚଢ଼ାନ୍ତୁ।

ବୃଷ: ନିଜ ଜୀବନ ସାଥୀର ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ରାଜନେତାମାନେ ନିଜ ନିଜ କ୍ଷେତ୍ରରେ ସମ୍ମାନିତ ତଥା ପ୍ରଶଂସିତ ହେବେ। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ମାନସିକ ଶାନ୍ତି ଲାଭ କରିବେ । ପ୍ରତିକାର- ଧଳାରଙ୍ଗର ରୁମାଲଟିିଏ ନିଜ ପାଖରେ ରଖନ୍ତୁ।

ମିଥୁନ: ପାରିବାରିକ ଜୀବନରେ ଅଶାନ୍ତି, ଅସନ୍ତୋଷ ଓ ବିଶୃଙ୍ଖଳା ଦେଖାଦେବ। ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ। ତେଣୁ ଜଗିରଖି ଚଳନ୍ତୁ। ବ୍ୟବସାୟ ଓ ବାଣିଜ୍ୟରେ ସେତେଟା ଲାଭ ପାଇବେ ନାହିଁ। ପ୍ରତିକାର- ୭ଟି ତୁଳସୀ ମଞ୍ଜରୀ ଶ୍ରୀ ବିଷ୍ଣ୍ନୁଙ୍କୁ ଅର୍ପଣ କରନ୍ତୁ।

କର୍କଟ: କୌଣସି କ୍ଷେତ୍ରରେ ଠକାମୀରେ ପଡ଼ିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ପୀଡ଼ା ଅନୁଭବ କରିପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ପ୍ରତିକାର-ମହାଦେବଙ୍କ ପାଖରେ କିଛି କଞ୍ଚା କ୍ଷୀର ଓ ୫ଟି ତ୍ରିଶାଖା ବେଲପତ୍ର ଚଢ଼ାନ୍ତୁ।

ସିଂହ: ପ୍ରତ୍ୟେକଟି କାର୍ଯ୍ୟରେ ସିଦ୍ଧିଲାଭ କରିବେ। ଦେହ ଓ ମନ ସୁସ୍ଥ ରହିବ। ମାନସମ୍ମାନ ପ୍ରାପ୍ତି ହେବ। ମହିଳାମାନେ ଘରେ ବାହାରେ ପ୍ରଶଂସନୀୟ ହେବେ। ପ୍ରତିକାର- ଗାଈକୁ କିଛି ଗୁଡ଼ ଖାଇବାକୁ ଦିଅନ୍ତୁ।

କନ୍ୟା: ଗୁପ୍ତ ଶତ୍ରୁମାନେ ପରାଜିତ ହେବେ। ଫଳରେ ମନରେ ସ୍ଥିରତା ଆସିବ। ଉଚ୍ଚ କର୍ମକର୍ତ୍ତାଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ଅଗ୍ରଗତି କରିବେ । ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା: ସାମାନ୍ୟ ଘଟଣାକୁ ନେଇ ପରିବାରରେ ମନୋମାଳିନ୍ୟ ଦେଖାଦେବ। ନିଜର ଲୋକମାନେ ପରୋକ୍ଷରେ ଶତ୍ରୁତା ଆଚରଣ କରିବେ। ପ୍ରତ୍ୟେକଟି ସ୍ଥାନରେ ନିନ୍ଦିତ ଓ ଅପମାନିତ ହେବାର ସମ୍ଭାବନା ରହିଛି। ତେଣୁ ଜଗି ରଖି ଚଳନ୍ତୁ। ପ୍ରତିକାର- କିଛି ଅରୁଆ ଭାତ ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା: ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ପାରିବାରିକ ସୁଖଶାନ୍ତି ଦେଖାଦେବ। ସାହିତ୍ୟ, କଳା ଓ ସାଂଗଠନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ । ପ୍ରତିକାର- ତିନୋଟି ଡାଳିମ୍ବ ହନୁମାନଙ୍କ ପାଖରେ ଚଢ଼ାନ୍ତୁ।

ଧନୁ: ନିଜସ୍ୱ ଯୋଜନା ମୁତାବକ କାମକରି ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି। ବହୁଦିନରୁ ଅଟକିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ପ୍ରତିକାର-ବିଷ୍ଣୁ ଭଗବାନଙ୍କୁ ଦର୍ଶନ କରନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

ମକର: ସନ୍ତାନସନ୍ତତିମାନଙ୍କ ବିଶୃଙ୍ଖଳିତ ବ୍ୟବହାରରେ କ୍ଷୁବ୍ଧ ହେବେ। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ତେଣୁ ଜଗି ରଖି ଚଳନ୍ତୁ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିବେ ସେମାନେ ଶତ୍ରୁତା ଆଚରଣ କରିବେ। ପ୍ରତିକାର- ୨୧ଟି ରାଶି ଲଡୁ ମା’ କାଳୀଙ୍କ ପାଖରେ ଭୋଗ କରନ୍ତୁ।

କୁମ୍ଭ: ଅର୍ଥ, ମାନସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିହେବ। ଉତ୍ତମ ବ୍ୟବହାର ଓ ମଧୁର କଥା ଦ୍ୱାରା ସମସ୍ତଙ୍କର ପ୍ରିୟପାତ୍ର ହେବେ। ଛାତ୍ରଛାତ୍ରୀମାନେ ଆଶାଜନକ ସଫଳତା ଲାଭ କରିବେ। ପ୍ରତିକାର- ମୟୂର ଚନ୍ଦ୍ରିକାଟିଏ ନିଜ ପାଖରେ ରଖନ୍ତୁ।

ମୀନ: ଗୃହକୁ କୌଣସି ସୌଖିନ ଦ୍ରବ୍ୟ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାର ସମ୍ଭାବନା ରହିଛି। ମିତ୍ରମାନଙ୍କ ସହିତ ନୂତନ ସ୍ଥାନ ଭ୍ରମଣର ସୁଯୋଗ ରହିଛି। ପ୍ରତିକାର- ସାତଟି ବୁନ୍ଦିଲଡୁ ସାତଜଣ ପିଲାଙ୍କୁ ବାଣ୍ଟନ୍ତୁ।

୭ ଏପ୍ରିଲ, ବୁଧବାର – ଆଜି ର ରାଶିଫଳ

ମେଷ: ସାମାନ୍ୟ କଥାକୁ ନେଇ ବନ୍ଧୁଙ୍କ ସହିତ ମତଭେଦ ଦେଖାଦେଇପାରେ । ପ୍ରତ୍ୟେକଟି କାର୍ଯ୍ୟରେ ଅଯଥା ବିଳମ୍ବ ଓ ଅସଫଳତା ଦେଖାଦେବ । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଶୁଭଫଳ ପାଇବେ ନାହିଁ। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ  ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ଭୟ ମନରେ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ମନ ଦେବେ ନାହିଁ। ପ୍ରତିକାର-କୌଣସି ଦରିଦ୍ର ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ ।

ମିଥୁନ: ଦୃଢ ମନୋବଳ ଓ ଅଦମ୍ୟ ସାହସ ହେତୁ ବିପଦରୁ ରକ୍ଷା ପାଇବେ । ସନ୍ତାନମାନଙ୍କ କୃତ୍ତିତ୍ୱରେ ଆନନ୍ଦିତ ତଥା ଗର୍ବିତ ଅନୁଭବ କରିବେ । କୌଣସି ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ । ପ୍ରତିକାର-କିଛି ଦୁବ ଘାସ ଗାଈକୁ ଖାଇବାକୁ ଦିଅନ୍ତୁ ।

କର୍କଟ: ହଠାତ୍ କୌଣସି ସୂତ୍ରରୁ ଧନ ପ୍ରାପ୍ତିର ଯୋଗ ରହିଛି । ପାରିବାରିକ ସମସ୍ୟାର ସମାଧାନ ହୋଇଯିବ ଓ ସୁଖ ଶାନ୍ତି ଅନୁଭବ କରିବେ । ଆମଦାନୀ ରପ୍ତାନି ବ୍ୟବସାୟରେ ଲାଭାଂଶ ବୃଦ୍ଧି ପାଇବ । ପ୍ରତିକାର-କିଛି ମିଠା ଦହି ଖାଇ କାର୍ଯ୍ୟ  ଆରମ୍ଭ କରନ୍ତୁ ।

ସିଂହ: ଅପ୍ରିୟ ସତ୍ୟକଥା କୁହନ୍ତୁ ନାହିଁ । ନଚେତ୍ ଅପମାନିତ ହୋଇପାରନ୍ତି । ଆର୍ଥିକ ସମସ୍ୟା ଓ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଚିନ୍ତିତ ରହିବେ । ଯାତ୍ରାକଲାବେଳେ ସତର୍କତା ଅବଲମ୍ବନ କରନ୍ତୁ । ନଚେତ୍ ଦୁର୍ଘଟଣା ଘଟିପାରେ । ପ୍ରତିକାର- ସୂର୍ଯ୍ୟଙ୍କ ଗାୟତ୍ରୀ ମନ୍ତ୍ର ପଢି ଗୁଡ ପାଣିରେ ଅର୍ଘ୍ୟ ପ୍ରଦାନ କରନ୍ତୁ ।

କନ୍ୟା: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ । ପରିବାରରେ ସ୍ନେହ ସମ୍ପର୍କ ବୃଦ୍ଧି ପାଇବ । ମହିଳାମାନଙ୍କ କାର୍ଯ୍ୟ ସମସ୍ତ କ୍ଷେତ୍ରରେ ପ୍ରଶଂସନୀୟ ହେବ । ପ୍ରତିକାର-ସାତଟି ପାନପତ୍ର ଓ ସାତଟି ଦୁବ ଶ୍ରୀଗଣେଶଙ୍କୁ ଚଢାନ୍ତୁ ।

ତୁଳା: ସଭା ସମିତି ଓ ଧାର୍ମିକ ଅନୁଷ୍ଠାନରେ ଯୋଗଦାନ କରିପାରନ୍ତି । ବନ୍ଧୁମିଳନର ସୁଯୋଗ ରହିଛି ଯାହା ଫଳରେ ମନ ଆନନ୍ଦିତ ରହିବ । ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତି ସୁଦୃଢ ହେବ । ପ୍ରତିକାର- କିଛି ଅରୁଆ ଭାତ ଗାଈକୁ ଖାଇବାକୁ ଦିଅନ୍ତୁ

ବିଛା: ସାମାନ୍ୟ ଘଟଣାକୁ ନେଇ ଦାମ୍ପତ୍ୟ ଜୀବନରେ ମତ ପାର୍ଥକ୍ୟ ଦେଖାଦେବ । କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ । ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ,ଅାକସ୍ମିକ ଦୁର୍ଘଟଣା ଦେଖାଦେଇପାରେ । ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ ଲାଗି କରନ୍ତୁ

ଧନୁ: ଅର୍ଥ, ମାନ ସମାନ ମିଳିବା ସହିତ ସ୍ବାଦିଷ୍ଟ ଭୋଜନ ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ସହଯୋଗ ଲାଭ କରିବେ । ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ । ପ୍ରତିକାର- ହଳଦୀ ରଙ୍ଗର ଟୀକା ମଥାରେ ଲଗାନ୍ତୁ ।

ମକର: ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ବାଦବିବାଦ ଦୂର ହେଇଯିବ। ମହିଳାମାନେ ଗୃହ କାର୍ଯ୍ୟରେ ଲିପ୍ତ ରହିବେ । ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ନିବେଶ କରିବେ । ପ୍ରତିକାର- ରାଶି ତେଲର ଦୀପଟିଏ ମା’ କାଳୀଙ୍କ ପାଖରେ ପ୍ରଦାନ କରନ୍ତୁ ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ ଓ ଦିନଟି ହସ ଖୁସିରେ କଟିବ । ଅନେକ ଦିନରୁ କରିବାକୁ ଚାହୁଁଥିବା କାମଟିକୁ ଶେଷ କରିବାରେ ସମର୍ଥ ହେବେ । ବକେୟା ଅର୍ଥ ହସ୍ତଗତ ହେବ ଓ ଆର୍ଥିକ ସ୍ଥିତି ସୁଦୃଢ ରହିବ । ପ୍ରତିକାର- ସାତଟି ନୀଳ ଅପରାଜିତା ଫୁଲ ମହାଦେବଙ୍କୁ ଅର୍ପଣ କରନ୍ତୁ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି । ମହିଳାମାନେ ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ। ପ୍ରତିକାର- ୩ଟି ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ ।

‘ଫନି’ କ୍ଷତିଗ୍ରସ୍ତଙ୍କୁ ମିଳିନି ସହାୟତା, ନିର୍ବାଚନୀ ପ୍ରସଙ୍ଗ କଲା ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନରେ ‘ଫନି’ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନଥିବାକୁ ନେଇ ବିଜେପି ଆଜି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଉପରେ ବର୍ଷିଛି । ଫନି ବାତ୍ୟାର ୨ବର୍ଷ ପରେ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଖରେ ସହାୟତା ନପହଂଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି । ଶ୍ରୀ ପାତ୍ର ଆଜି ପିପିଲି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିବା ଅବସରରେ କହିଛନ୍ତି ଯେ,ଗତ ୨୦୧୯ ଫନିବାତ୍ୟାରେ ପୁରୀ ଜିଲ୍ଲାର ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ବାତ୍ୟା ପୂର୍ବରୁ ଏବଂ ପରେ କେନ୍ଦ୍ରରୁ ମୋଦି ସରକାର ପ୍ରଚୁର ମାତ୍ରାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ୨ ବର୍ଷ ପରେ ବି ଫନି ବାତ୍ୟାରେ ଭାଙ୍ଗିଯାଇଥିବା ଘର ସଜଡା ଯାଇପାରିଲା ନାହିଁ । ଆଜି ମଧ୍ୟ ଭଙ୍ଗା ଘରେ କୁଡ଼ିଆରେ ସ୍ଥାନୀୟ ବାସିନ୍ଦା ବାସ କରୁଛନ୍ତି । ବିଶେଷ ଭାବେ ଏହି ଅଂଚଳରେ ମା’ଭଉଣୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ସେ କହିଛନ୍ତି, ଦଳୀୟ ଅଧାରରେ ଗୃହ ବଂଟନ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଯାହା ପାଖରେ କୋଠା ଘର ଅଛି ସେମାନଙ୍କୁ ଗୃହଯୋଗାଇ ଦିଆଯାଇଛି, ମାତ୍ର ଯାହାର ଚାଳ ଛପର ଉଡ଼ିଯାଇଥିଲା ସେମାନେ ଆଜି ମଧ୍ୟ ଖୋଲା ଆକାଶ ତଳେ ବାସ କରୁଛନ୍ତି । ଏହା ଶାସନ ବ୍ୟବସ୍ଥା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଶ୍ରୀ ପାତ୍ର ଯଶୁଆପୁର ଏବଂ ବୀରପୁରୁଷୋତ୍ତମପୁର ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ଦଳୀୟ ସମର୍ଥକଙ୍କ ଗହଣରେ ପଥପ୍ରାନ୍ତ ସଭା କରିବା ସହ ସାଧାରଣ ଜନତାଙ୍କୁ ଭେଟି ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପଦ୍ମ ଫୁଲ ଚିହ୍ନରେ ଭୋଟ୍‌ ଦେବା ପାଇଁ ଅନୁରୋଧ କରିଥିଲେ। ଡ. ପାତ୍ର କହିଛନ୍ତି ଯେ, ନିର୍ବାଚନ ଆସିବ ଏବଂ ଯିବ । କିନ୍ତୁ ଗରିବ ଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯିବା ଅତ୍ୟନ୍ତ ଲଜ୍ଜାଜନକ । ୩୫ ବର୍ଷ ଧରି ବିଜେଡିର ସ୍ଥାନୀୟ ନେତା ଲୋକପ୍ରତିନିଧି ଥିବା ସତ୍ତ୍ୱେ ଗ୍ରାମାଂଚଳର ବିକାଶ ହୋଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ବିଜେଡିର ଆନ୍ତରିକତା ଅଭାବର ପ୍ରମାଣ । ଗରିବଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରରୁ ଆସୁଥିବା ପ୍ରଚୁର ପରିମାଣ ଅର୍ଥ କାହିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିବା ସହ ବାଟମାରଣା ଓ ଦୁର୍ନୀତି ହିଁ ଏହାର ମୁଖ୍ୟ କାରଣ ବୋଲି ଶ୍ରୀ ପାତ୍ର କହିଛନ୍ତି । ପିସି କାରବାର କାରଣରୁ ଏହି ଅଂଚଳରେ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ରାସ୍ତା-ଘାଟ ନିର୍ମାଣ ଆଦିରେ ବ୍ୟାପକ ମାତ୍ରାରେ ପିସି କାରବାର ହେଉଛି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପଂଚାୟତର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ଅର୍ଥ ବାଟମାରଣା କରାଯାଉଛି । ପିପିଲି-ଡ଼େଲାଙ୍ଗବାସୀ ହିଂସା ରାଜନୀତିକୁ ପରିତ୍ୟାଗ କରି ବିକାଶର ରାଜନୀତିରେ ସାମିଲ ହେବା ପାଇଁ ନିଷ୍ପତ୍ତି କରିସାରିଛନ୍ତି । ପିପିଲି ଉପ ନିର୍ବାଚନ ପରିବର୍ତ୍ତନର ସ୍ୱର ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

ପିପିଲି ନିର୍ବାଚନ; ୧୫ରେ ପ୍ରଚାର କରିବେ ନବୀନ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ଶେଷଦିନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବେ। ପିପିଲିରେ ୧୭ତାରିଖରେ ଭୋଟ୍ ହେବାକୁ ଥିବାବେଳେ ୧୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରଚାର ଶେଷ ହେବ ଓ ସେହିଦିନ ହିଁ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆସନ୍ତା ୧୫ତାରିଖରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ପିପିଲି ନିର୍ବାଚନ ଜିତିବା ନୁହେଁ ବରଂ ବିଜୟ ଭୋଟ୍ ବ୍ୟବଧାନକୁ ଅଧିକ କରିବା ପାଇଁ ଶେଷଦିନରେ ନବୀନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି । ଅବଶ୍ୟ ନବୀନ ବ୍ୟକ୍ତିଗତ ଭାବେ ପିପିଲି ନିର୍ବାଚନ ମଣ୍ଡଳୀକୁ ଯାଇ ପ୍ରଚାର କରିବେ ନା ଭର୍ଚୁଆଲ ମୋଡ୍‌ରେ କରିବେ ତାହା ସ୍ଥିର ହୋଇନି। ତେବେ ସୂତ୍ର ଅନୁସାରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ। ଦଳ ଏବେ ନିଜର ଆଗଧାଡ଼ିର ନେତାମାନଙ୍କୁ ପିପିଲିରେ ପଂଚାୟତ ଓ ଏନଏସି ଦାୟିତ୍ୱ ଦେଇଥିବାରୁ ଏଲଇଡି ଲଗାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସିଧାସଳଖ ପ୍ରସାର କରିବାକୁ ଯୋଜନା ଚାଲିଛି । ଭର୍ଚୁଆଲ ମୋଡରେ ପିପିଲି ଓ ଡେଲାଙ୍ଗରେ ବ୍ଲକସ୍ତରରେ ଦୁଇଟି ସାଧାରଣ ସଭା ମାଧ୍ୟମରେ ନବୀନ ପଟ୍ଟନାୟକଙ୍କ ସଭା କରିବା ନେଇ ଦଳ ଏବେ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଆସନ୍ତା ୪-୫ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ନବୀନଙ୍କ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି ପିପିଲି ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ସପକ୍ଷରେ ପ୍ରଚାର ନବୀନ ପଟ୍ଟନାୟକ କରିବେ ବୋଲି ଦଳ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା।