ସୋମବାରଠାରୁ କାଳବୈଶାଖୀ ଓ ବଜ୍ରପାତ, ସତର୍କ କଲା ଆଇଏମଡି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଗାମୀ ୪୮ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ସହ କାଳବୈଶାଖୀର ଆଶଙ୍କା ରହିଛି। ସେହିପରି ସୋମବାର ଠାରୁ ରାଜ୍ୟରେ କାଳବୈଶାଖୀ ସହ ବଜ୍ରପାତ ଜାରି ରହିବ। ଆଜି ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)। ଆଇଏମ୍‌ଡି ସଦ୍ୟତମ ବୁଲେଟିଂରୁ ଜଣାପଡ଼ିଛି, ବର୍ଷା ଓ କାଳବୈଶାଖୀ ସତ୍ତ୍ୱେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପାମାତ୍ର ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏଭଳି ପାଗରେ ୨ରୁ ୩ ଦିନ ଯାଏ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ଆକଳନ କରିଛି। ବୁଲେଟିନରେ କୁହାଯାଇଛି, ରବିବାର ଗଜପତି, ରାୟଗଡ଼ା ଓ କୋରାପୁଟ୍‌ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ସ୍ୱଳ୍ପଧରଣର ବୃଷ୍ଟିପାତ ହେବ। ଏଥିସହିତ କାଳବୈଶାଖୀର ମଧ୍ୟ ଆଶଙ୍କା ରହିଛି। ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି। ସେଥିପାଇଁ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି। ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ। ଏଥିସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ସେଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି। ବୁଧବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ, କଟକ, ବୌଦ୍ଧ, ଅନୁଗୋଳ, କନ୍ଧମାଳ, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କାଳବୈଶାଖୀ ହେବାର ଆଶଙ୍କା କରାଯାଇଛି। ସେଥିପାଇଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି।

ବନ୍ଦ ହେଲା ଜଗା ଦର୍ଶନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା। ମେ’ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେନି କି ଶ୍ରୀଜିଉଙ୍କ ଦର୍ଶନ କରିପାରିବେନି। ଆଜି  ଏନେଇ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ,  କରୋନା ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଳଗାଇବାକୁ ପ୍ରସ୍ତାବ ଦେଇଥିଲେ ସେବାୟତ।  ନିର୍ବିଘ୍ନ ନୀତିକାନ୍ତି ପାଇଁ ସେବାୟତ ସୁସ୍ଥ ରହିବା ଜରୁରୀ ଥିବାରୁ ଏପରି ପ୍ରସ୍ତାବ ଦିଆଯାଇଥିଲେ ସେବାୟତ। ଏହାକୁ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ ବୋଲି କହିଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ। ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ପରମ୍ପରା ଅନୁସାରେ ରଥ ନିର୍ମାଣ ପ୍ରକ୍ରିୟା ଚାଲୁ ରହିବ। ସେବାୟତଙ୍କ ପାଇଁ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା ହେବ। ଚନ୍ଦନ, ସ୍ନାନ ଓ ରଥ ଯାତ୍ରା ପାଇଁ ପର୍ଯ୍ୟାନ୍ତ ମାସ୍କ ଓ ସାନିଟାଇଜର କିଣାଯିବ।ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପୁରୀରେ ବି ଏହି ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ୩୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପ୍ରିଲ୍‌ ୨୨ ତାରିଖରେ ଜିଲ୍ଲାରୁ ୩୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୨୧ରେ ୨୮୬ ଜଣ ଚିହ୍ନଟ ହୋଇଥିଲେ। ସେବାୟତଙ୍କ କହିବାନୁଯାୟୀ,  “ଶ୍ରୀମନ୍ଦିରକୁ ଭକ୍ତ ଶୂନ୍ୟ କରିପାରିଲେ ସମସ୍ତେ ସୁରକ୍ଷିତ ରହିପାରିବା। ଆଗକୁ ଚନ୍ଦନ ଯାତ୍ରା, ଅଖି ତୃତିୟା, ସ୍ନାନ ଯାତ୍ରା ପରେ ଆୟୋଜିତ ହେବ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ।  ତେଣୁ ବର୍ତ୍ତମାନ ସଂକ୍ରମଣର ସ୍ପିଡକୁ ବ୍ରେକ କରା ନଗଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ। ଏହାକୁ ବିଚାରକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି।”

କମିବନି ବିଦ୍ୟୁତ ଶୁଳ୍କ, ବିରୋଧୀ ବି ନିରବ ; ଧୋକା ଦେଲେ ଶକ୍ତିମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ମହାମାରୀଜନିତ କଟକଣା ସାଙ୍ଗକୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଥିବା ବେଳେ ରାଜ୍ୟ ସରକାର ବିଧାନସଭାରେ କରିଥିବା ଘୋଷଣାକୁ ବି ଏବେ ଭୁଲି ଯାଇଛନ୍ତି। କରୋନା ସଙ୍କଟ କାଳରେ ରାଜ୍ୟରେ ମାତ୍ର ୬ମାସ ବ୍ୟବଧାନରେ ଦୁଇଥରରେ ବିଦ୍ୟୁତ ଶୁଳ୍କରେ ୟୁନିଟ ପିଛା ୫୦ ବୃଦ୍ଧିକୁ ନେଇ ସବୁ ମହଲରୁ ତୀବ୍ର ବିରୋଧ ହେବାପରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ବିବୃତ୍ତି ଦେଇ ଏହି ବର୍ଦ୍ଧିତ ଶୁଳ୍କର ପୁର୍ନବିଚାର କରିବା ନିମନ୍ତେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ପାଖରେ ଆବେଦନ କରାଯିବ ବୋଲି ଆଶ୍ୱସ୍ତ କରିଥିଲେ। କିନ୍ତୁ ଇତିମଧ୍ୟରେ ୨୫ଦିନ ବିତିଯାଇଥିଲେ ବି ସରକାର ଏଦିଗରେ ନିରବ ରହିଛନ୍ତି। ଆଉ କରୋନା କାଳରେ ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ସିଧାସଳଖ ଉପଭୋକ୍ତାଙ୍କ ପେଟରେ ଲାତ ସଦୃଶ ହୋଇଛି। ଆଉ ସରକାର କଥାଦେଇ ପରବର୍ତ୍ତୀ ଅବସ୍ଥାରେ ଓହରି ଯିବାକୁ ମଧ୍ୟ ପଛାଇ ନଥିବା ଜଣାପଡ଼ିଛି। ରାଜ୍ୟ ଶକ୍ତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୪ତାରିଖରୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଲାଗୁ ପାଇଁ ଓଇଆରସିଙ୍କ ନିର୍ଦ୍ଦେଶ ଏବେ କାର୍ଯ୍ୟକାରୀ ହେଉଛି। ମାର୍ଚ୍ଚ ୨୭ତାରିଖରେ ଓଇଆରସି ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ ଟାରିଫ ଘୋଷଣା କରି ୟୁନିଟ୍ ପିଛା ୩୦ପଇସା ବୃଦ୍ଧି କରିଥିଲେ। ବିଭିନ୍ନ ବର୍ଗରୁ ବିରୋଧ ସମେତ ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ତୀବ୍ର ହଟ୍ଟଗୋଳ କରିବାପରେ ରାଜ୍ୟ ସରକାର ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କର ପୁନର୍ବିଚାର କରିବା ନିମନ୍ତେ ଓଇଆରସିଙ୍କ ପାଖରେ ଆବେଦନ କରାଯିବ ବୋଲି ଘୋଷଣା କରିଥିଲେ। ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର ମାର୍ଚ୍ଚ ୩୧ତାରିଖରେ ବିଧାନସଭାରେ ରଖିଥିବା ଏହି ବୟାନକୁ ୟା’ଭିତରେ ୨୫ଦିନ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଓଇଆରସିଙ୍କ ପାଖରେ ସରକାରଙ୍କ ପକ୍ଷରୁ କୌଣସି ଆବେଦନ କରାଯାଇ ନାହିଁ। ଏ ସଂକ୍ରାନ୍ତ ଫାଇଲ୍‌କୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ତାହା ସେଠାରେ ପଡ଼ି ରହିଛି ବୋଲି ଶକ୍ତି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଏବେ ରାଜ୍ୟ ସରକାର ଏହି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର କରିବା ନିମନ୍ତେ ଓଇଆରସିଙ୍କ ପାଖରେ ପୁନର୍ବିଚାର ଆବେଦନ କରି ଅତିରିକ୍ତ ବାର୍ଷିକ ପ୍ରାୟ ୬୦୦କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ଚାହୁଁନାହାନ୍ତି। କାରଣ ଯଦି ସରକାର ପୁନର୍ବିଚାର ଆବେଦନ କରିବେ, ତା’ହେଲେ ବିଦ୍ୟୁତ ଶୁଳ୍କ ଉପରେ ସବସିଡି ଦେବା ନିମନ୍ତେ ଓଇଆରସି ନିର୍ଦ୍ଦେଶ ଦେବାର ସମ୍ଭାବନା ଅଧିକ ରହିଛି। ଆଉ ସରକାର ଏବେ ପ୍ରାୟ ୬୦୦ରୁ ୬୫୦କୋଟି ଟଙ୍କାର ସବସିଡି ବୋଝ ମୁଣ୍ଡାଇବାକୁ ଚାହୁଁନାହାନ୍ତି। କରୋନା ସଙ୍କଟ କାଳରେ ରାଜ୍ୟବାସୀଙ୍କ ତ୍ୱରିତ୍ ଟିକାକରଣ ନିମନ୍ତେ ରାଜ୍ୟ ସରକାର ସିଧାସଳଖ କୋଭିଡ୍ ଟିକା କିଣିବାକୁ ଯୋଜନା କରୁଥିବାରୁ ଅତିରିକ୍ତ ଆର୍ଥିକ ବୋଝର ଚାପ ରହିଛି। ତେଣୁ ଏଭଳି ସ୍ଥିତିରେ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ନିମନ୍ତେ ପୁନର୍ବିଚାର ଆବେଦନ ଓଇଆରସିଙ୍କ ପାଖରେ କରି ହଟହଟା ହେବାକୁ ଚାହୁଁନାହାନ୍ତି। ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୨ହଜାର ମିଲିୟନ ୟୁନିଟ୍ ବିଦ୍ୟୁତ୍ ଉପରେ ସରକାରଙ୍କୁ ସବ୍‌ସିଡି ଦେବାକୁ ପଡ଼ିବ। ୟୁନିଟ୍ ପିଛା ୩୦ପଇସା ହେଲେ ଏହି ସବସିଡି ପରିମାଣ ପ୍ରାୟ ୬୬୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଯଦି ବିପିଏଲ ଓ ଜଳସେଚନ ସବସିଡିକୁ ବାଦ୍ ଦିଆଯାଏ ତା’ହେଲେ ବି ଏହି ପରିମାଣ ପ୍ରାୟ ୬୦୦କୋଟି ଟଙ୍କା ରହିବ। ରାଜ୍ୟର ଆର୍ଥିକ ସ୍ଥିତି ଯାହା ରହିଛି ସରକାର ଏଭଳି ସବ୍‌ସିଡି ଦେଇ ଅତିରିକ୍ତ ଆର୍ଥିକ ବୋଝ ମୁଣ୍ଡାଇବା ଚକ୍କରରେ ନାହାନ୍ତି। ତେଣୁ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ହେବାର ସମ୍ଭାବନା କ୍ଷୀଣ ବୋଲି ଶକ୍ତି ବିଭାଗର ସମ୍ପୃକ୍ତ ବରିଷ୍ଠ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ନେଇ ହୋହାଲ୍ଲା କରୁଥିବା ବିରୋଧୀ ଦଳ ଓ ଅନ୍ୟ ସାମାଜିକ ସଂଗଠନଗୁଡ଼ିକ ମଧ୍ୟ ଏବେ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବ ପାଲଟିଛନ୍ତି। କରୋନା ମାଡ଼ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ବଙ୍କା କରିଦେଇଥିବାବେଳେ ବିଦ୍ୟୁତ୍ ଶୁଳ୍କ ବୋଝ ଅସହ୍ୟ ହେଲାଣି। ଆଉ ଶକ୍ତିମନ୍ତ୍ରୀ ବିଧାନସଭାରେ ଏନେଇ ଆଶ୍ୱାସନା ଦେଇ ଏବେ ଆଉ ଧରାଛୁଆଁ ଦେଉନାହାନ୍ତି। ସରକାରଙ୍କ ଏଭଳି ଧୋକା କରୋନା ସଙ୍କଟ କାଳରେ ରାଜ୍ୟର ସାଧାରଣ ଲୋକଙ୍କ ପାଇଁ ଦୁର୍ବିଷହ ହୋଇପଡ଼ିଛି।

ଶଟ୍‌ଡାଉନ୍‌ରେ ଔଷଧ ଦୋକାନରେ ବିକ୍ରି ହେଉଥିଲା ଗୁଟ୍‌ଖା ଓ ସିଗାରେଟ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଔଷଧ ଦୋକାନରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିଲା। ତା’ପରେ ପୁଣି ଶଟ୍‌ଡାଉନ୍‌ ସମୟରେ। ଆଜି ଏପରି ଅଭିଯୋଗ ଭଦ୍ରକ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ପରେ ପୁଲିସ ଔଷଧ ଦୋକାନରେ ଚଢ଼ଉ କରି ଗୁଟ୍‌ଖା ଓ ସିଗାରେଟ୍‌ ଜବତ କରିବା ସହିତ ମାଲିକକୁ ଗିରଫ କରିଛି। ରାଜ୍ୟ ବଢ଼ୁଥିବା ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସପ୍ତାହକୁ ଦୁଇଦିନ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଶନିବାର ଥିବା ଶଟ୍‌ଡାଉନ୍‌ ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ଦିନଦୟାଲ ମେଡ଼ିସିନ୍‌ ଷ୍ଟୋରରେ ଗୁଟଖା ଓ ସିଗାରେଟ୍‌ ବିକ୍ରି ହେଉଥିଲା। ଏ ସମ୍ପର୍କରେ ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୁଲିସ ମେଡ଼ିସିନ୍‌ ଦୋକାନରେ ରେଡ୍‌ କରିଥିଲେ। ଏହି ସମୟରେ ଦୋକାନରୁ ଗୁଟଖା ଓ ସିଗାରେଟ୍‌ ମିଳିଥିଲା। ଏହି ମାମଲାରେ ପୁଲିସ ମେଡ଼ିସିନ ଦୋକାନ ମାଲିକ ଓ କର୍ମଚାରୀଙ୍କ ସହ ସହ ୩ଜଣଙ୍କୁ ଗିରଫ କରିଛି। ଏଥିସହ ମେଡ଼ିସିନ ଦୋକାନକୁ ୭ ଦିନ ପାଇଁ ସିଲ୍‌ କରାଯାଇଛି। ଏହାଛଡ଼ା 25,000 ଟଙ୍କା ଜରିମାନା କରିଛନ୍ତି ଉପଜିଲ୍ଲାପାଳ।

୨୫ ଏପ୍ରିଲ, ରବିବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)

ମେଷ: ବ୍ୟବସାୟରେ ବାକିଥିବା ଅର୍ଥପ୍ରାପ୍ତି ହେବା ସହ ଭଲ ଲାଭ ପାଇବେ। ପାରିବାରିକ ମାମଲା ବହୁତ ଆନନ୍ଦ ଦାୟକ ରହିବ। ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଇଚ୍ଛା ପୂରଣ ପାଇଁ କୌଣସି ଏକ ଭଲ କାମ କରି ପ୍ରଶଂସା ପାଇପାରନ୍ତି। ସନ୍ତାନମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରା କରନ୍ତୁ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ଶିକ୍ଷାକୁ ଉଚିତ ମନେକରି ପାଠ ପଢାରେ ମନଯୋଗ ଦେବେ। କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସହଯୋଗୀଙ୍କ ପ୍ରତି ସତର୍କ ନରହିଲେ କ୍ଷତି ସହିବେ। ପ୍ରତିକାର- କୁଆ ବା ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ: ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେଇପାରେ। କାରବାରରେ ସୁଧାର ଆସିବା ଫଳରେ ମାନସିକ ଶାନ୍ତି ମିଳିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁଯୋଗ ପାଇ ପାରନ୍ତି। ପ୍ରତିକାର- ମାଆ-ବାପା, ଓ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।