କରୋନାରୁ ବର୍ତ୍ତିବା ପାଇଁ କ’ଣ ଖାଇବେ ଜଣାନ୍ତୁ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାରା ଦେଶରେ ମାଡି ଚାଲିଛି ମହାମାରୀ। ବେକାବୁ ହେଉଛି କରୋନାର ନୂଆ ରୂପ। ଦ୍ରୁତ ଗତିରେ ଲୋକଙ୍କୁ କରୁଛି ସଂକ୍ରମଣ। ଏପିରି ସ୍ଥିତିରେ ସାମାନ୍ୟ ଅବହେଳା ମହାମାରୀକୁ ଆମନ୍ତ୍ରଣ କଲା ଭଳି ହେବ। ତେଣୁ ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ସହିତ, ଆପଣ ନିଜ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ତେବେ କରୋନାରୁ ଦୂରେଇ ରହିବା ପାଇଁ କେଉଁ ପ୍ରକାରର ଖାଦ୍ୟ ଗ୍ରହଣ କରାଯିବା ଉଚିତ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ଡାଇଟ୍‌ ଚାର୍ଟ ପ୍ରସ୍ତୁତ କରାଯାଇଛି।

  • WHOର ସୂଚନା ମୁତାବକ ଏହି ମହାମାରୀ ସମୟରେ ଆପଣମାନେ ନିଜ ଖାଦ୍ୟରେ ତାଜା ଫଳ ଏବଂ ଅନ୍‌ପ୍ରୋସେସ୍‌ଡ୍‌ ଫୁଡ୍‌ ସାମିଲ କରିବା ଉଚିତ। ଏହାଦ୍ୱାରା ଆପଣ ଅକବଶ୍ୟକୀୟ ଭିଟାମିନ୍‌, ମିନେରାଲ୍ସ, ଫାଇବର, ପ୍ରୋଟିନ୍‌ ଏବଂ ଆଣ୍ଟି୍ରକ୍ସିଡାଣ୍ଟ ପାଇପାରିବେ।
  • ପ୍ରଚୁର ପରିମାଣର ଫଳ, ପନିପରିବା, ଲେମ୍ବୁ, ବିନ୍ସ, ଡାଲି, ବାଦାମ ଏବଂ ଅଣ ପ୍ରକ୍ରିୟାକୃତ ମକା, ବାଜରା, ଓଟସ୍‌, ଗହମ, ଉଷୁନା ଚାଉଳ, ଆଳୁ, ମିଠା ଆଳୁ ଏବଂ ଖମ୍ବ ଆଳୁ କିମ୍ବା ସାରୁ ଭଳି ପନିପରିବା ଖାଆନ୍ତୁ। ନିଜ ଖାଦ୍ୟରେ ମାଂସ, ମାଛ, ଅଣ୍ଡା ଏବଂ କ୍ଷୀର ମଧ୍ୟ ସାମିଲ କରନ୍ତୁ।
  • କରୋନା ମହାମାରୀରୁ ବଂଚିବା ପାଇଁ ପ୍ରତିଦିନ ଅତି କମ୍‌ରେ ପ୍ରତିଦିନ ୨ କପ୍ ଫଳ, ୨.୫ କପ୍ ପନିପରିବା, ୧୮୦ ଗ୍ରାମ ଶସ୍ୟ ଏବଂ ୧୬୦ ଗ୍ରାମ ମାଂସ ଏବଂ ବିନ୍ସ ଖାଆନ୍ତୁ । ଆପଣ ସପ୍ତାହରେ ୧-୨ ଥର ଲାଲ ମାଂସ ଏବଂ ଚିକେନ୍ ୨-୩ ଥର ଖାଇପାରିବେ । ସନ୍ଧ୍ୟାରେ ହାଲକା ରନ୍ଧା ହୋଇଥିବା କଞ୍ଚା ପନିପରିବା ଏବଂ ତାଜା ଫଳ ଖାଇପାରିବେ। ଅଧିକ ଲୁଣ କିମ୍ବା ଚିନି ଖା’ନ୍ତୁ ନାହିଁ।
  • ଶରୀର ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ରକ୍ତକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ, ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ପ୍ରତିଦିନ ଅତି କମରେ ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ। ପାଣି ବ୍ୟତୀତ ଆପଣ ଫଳ ପନିପରିବା ରସ କିମ୍ବା ଲେମ୍ବୁ ପାଣି ମଧ୍ୟ ପିଇପାରିବେ। ମୃଦୁ ପାନୀୟ, କୋଲ୍ଡ ଡ୍ରିଙ୍କ, ସୋଡା ଏବଂ କଫି ଯଦି ପିଉଛନ୍ତି ତେବେ ଏହାର ପରିମାଣକୁ କମାଇ ଦିଅନ୍ତୁ।
  • ଅସନ୍ତୁଳିତ ଚର୍ବି ଯୁକ୍ତ ଖାଦ୍ୟ ଖା’ନ୍ତୁ ନାହିଁ। ଫ୍ୟାଟି ମାଛ, ବଟର, ନଡିଆ ତେଲ, କ୍ରିମ, ଚିଜ୍‌ ଏବଂ ଘିଅ ଠାରୁ ଦୂରେଇ ରହିବା ଉଚିତ। ଏସବୁ ବଦଳରେ ଆପଣ ମାଛ, ଆଭୋକାଡୋ, ବାଦାମ, ଅଲିଭ୍ ତେଲ, ସୋୟା, କାନୋଲା, ସୂର୍ଯ୍ୟମୁଖୀ ଏବଂ ମକା ତେଲ ଖାଇ ପାରିବେ।  ଲାଲ୍ ମାଂସ ବଦଳରେ ଧଳା ମାଂସ କିମ୍ବା ମାଛ ଖାଇପାରିବେ। ଫ୍ରୋଜନ ମାଂସ ଜମାରୁ ବି ଖା’ନ୍ତୁ ନାହିଁ।
  • ମେଦବହୁଳତା, ହୃଦ୍‌ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ କେତେକ ପ୍ରକାର କର୍କଟ ରୋଗକୁ ଏଡ଼ାଇବା ପାଇଁ ଚିନି, ଚର୍ବି ଜାତୀୟ ଖାଦ୍ୟ ଏବଂ ଅଧିକ ଲୁଣ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଦିନସାରା ୧ ଚାମଚରୁ ଅଧିକ ଲୁଣ ଖାଆନ୍ତୁ ।
  • ପୁଷ୍ଟିକର ଖାଦ୍ୟ ଏବଂ ଉପଯୁକ୍ତ ହାଇଡ୍ରେସନ୍ ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତିରେ ଉନ୍ନତି ଆଣିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ମୁତାବକ ଯେଉଁମାନେ ପୂର୍ବରୁ ଅସୁସ୍ଥ ଅଛନ୍ତି କିମ୍ବା ଯେଉଁମାନେ କରୋନାରେ ସଂକ୍ରମିତ ଅଛନ୍ତି ସେମାନଙ୍କ ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଆବଶ୍ୟକ।
ଜୀବନ ଓ ମୃତ୍ୟୁର ଖେଳ ; ଫିଲ୍ମ ୭୨ ଘଣ୍ଟା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହସଖୁସିରେ ବିତୁଥିଲା ଜୀବନ, କିନ୍ତୁ ହଠାତ୍‌ ମାଡି ଆସିଲା କଳାବାଦଲ।  ଘଟିଲା ଏକ ବଡ଼ ଅଘଟଣ। ଯାହା ବଦଳାଇଦେଲା ଜୀବନର ରୂପରେଖ। ଜୀବନ ଓ ମୃତ୍ୟୁର ଖେଳରେ ନିଷ୍ପତ୍ତି ନେବା ହୋଇଗଲା କଷ୍ଟକର। କାରଣ ହାତରେ ମାତ୍ର ୭୨ ଘଣ୍ଟା। ଏହାରି ଭିତରେ ପୁଣି ଷଡଯନ୍ତ୍ର। ଗୋଟିଏ ପଟେ ଜୀବନ ଓ ଅନ୍ୟପଟେ ମରଣ। ୭୨ ଘଣ୍ଟାର ଚାପରେ ପଡି କ’ଣ କରିପାରେ ଗୋଟେ କୁନି ଝିଅର ଅସହାୟ ବାପା । ଏଭଳି କିଛି କାହାଣୀ ନେଇ ପ୍ରସ୍ତୁତ ହୋଇଥିଲା ତରଙ୍ଗ ସିନେ ପ୍ଲସର ୱେବସିରି୍‌ `୭୨ ଆୱାର୍ସ: ଲାଇଫ୍‌ ଅର୍‌ ଡେଥ୍‌’। ଏହି ୱେବ୍‌ସିରିଜ୍‌ଟି ଏବେ ଫିଲ୍ମ ଆକାରରେ ପ୍ରସାରିତ ହେବାକୁ ଯାଉଛି। ଏଇ ରବିବାର ଅର୍ଥାତ ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୬ଟାରେ ତରଙ୍ଗ ଟିଭି ୱାଲ୍ଡ ଟେଲିଭିଜନ ପ୍ରିମିୟର୍‌ରେ ପ୍ରସାରିତ ହେବ। ଜଣେ ବାପା ଓ ତାଙ୍କ ଝିଅକୁ ନେଇ ଏହି ଫିଲ୍ମର କାହାଣୀ ଆଧାରିତ। ପୂର୍ବରୁ ଏହା ୱେବ୍‌ସିରିଜ୍‌ ରୂପେ ତରଙ୍ଗ ପ୍ଲସ୍‌ରେ ଷ୍ଟ୍ରିମିଂ ହୋଇଥିଲା। ଭିନ୍ନ ଧରଣର ଏହି ସସ୍‌ପେନ୍ସ ଓ ଥ୍ରୀଲର ଫିଲ୍ମରେ ବାପା ଭୂମିକାରେ ଅଭିନେତା ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିବ। କୁନି ଝିଅ ଭୂମିକାରେ ନଜର ଆସିବେ ଶିଶୁ କଳାକାର ସିଦ୍ଧି। ସେହିପରି ମା’ ଭୂମିକାରେ ଅଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ। ଖଳନାୟକ ଭୂମିକାରେ ଅଛନ୍ତି ମିହିର ଦାସ। ଅନ୍ୟ ପ୍ରମୁଖ ଭୂମିକାରେ ଅଙ୍କିତ, ଅଶ୍ରୁମୋଚନ, ତପି ମିଶ୍ର, ଆୟୁଷି ଜେନା, ରାଜୀବ ମହାନ୍ତି, ବବି ଆଚାର୍ଯ୍ୟ, ବିଶ୍ୱ ରଂଜନ, ନିମାଇଁ ଚରଣ ବିଶ୍ୱାଳ, ସୌମ୍ୟ ରଂଜନ ମିଶ୍ର, ଅମ୍ରିତା ମିଶ୍ର ଅଛନ୍ତି।ଏହି ଫିଲ୍ମର କାହାଣୀ ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ଓ କ୍ରିଏଟିଭ ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଇଛନ୍ତି ବିଜୟ କିଶୋର ଓ ମାନସ ପଢ଼ିହାରୀ। ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ପଟ୍ଟନାୟକ ।  ନିଆରା ଢ଼ଙ୍ଗରେ ତିଆରି ନୂଆ ସ୍ୱାଦର ଏହି ଓଡ଼ିଆ କାହାଣୀଟି ନିଶ୍ଚିତ ରୂପେ ସିନେଦର୍ଶକଙ୍କ ମନକୁ ଛୁଇଁବ ବୋଲି ଫିଲ୍ମ ନିର୍ମାତାମାନେ ଆଶା ରଖିଛନ୍ତି।

 

ନିଜ ବିବାହକୁ ନେଇ ମା’ଙ୍କ ରାଣ ଖାଇଲେ ରାଖୀ..!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବି-ଟାଉନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସବୁବେଳେ ସେ ରୁହନ୍ତି ଚର୍ଚ୍ଚା। କେତେବେଳେ ନିଜ ମନ୍ତବ୍ୟକୁ ନେଇ ତ ଆଉ କେତେବେଳେ ନିଜ ଲୁକ୍ସକୁ ନେଇ। ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପୁଣି ଥରେ ରାଖୀ ଚର୍ଚ୍ଚାକୁ ଆସିଛନ୍ତି। ନିଜ ବୈବାହିକ ଜୀବନକୁ ନେଇ ସେ ଦେଇଛନ୍ତି ଏକ ଦୃଢ଼ ମନ୍ତବ୍ୟ, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଚଳିତ ବିଗ୍‌ବସ୍‌ ସିଜିନରେ ରାଖୀ ସାୱନ୍ତଙ୍କୁ ଦେଖିବାକୁ ମିଳିଥିଲା। ସେଠାରେ ସେ ନିଜ ସ୍ୱାମୀ ଓ ବିବାହକୁ ନେଇ ଚର୍ଚ୍ଚା କରିଥିଲେ। ତେବେ ଏପର୍ଯ୍ୟନ୍ତ ପ୍ରଶଂସକଙ୍କ ସାମ୍ନାରେ ସେ ତାଙ୍କ ସ୍ୱାମୀଙ୍କୁ ଆଣି ନାହାନ୍ତି। କି ତାଙ୍କ ଫଟୋ ମଧ୍ୟ ଦେଖାଇ ନାହାନ୍ତି।  ବର୍ତ୍ତମାନ ଏ ସବୁ ଭିତରେ  ରାଖୀ ସାୱନ୍ତ ତାଙ୍କ ସ୍ୱାମୀ ରିତେଶଙ୍କ ବିଷୟରେ  ଏକ ବଡ଼ କଥା କହିଛନ୍ତି। ରାଖୀ କ୍ୟାନ୍‌ସର ରୋଗ ସହ ସଂଗ୍ରାମ କରୁଥିବା ତାଙ୍କ ମା’ଙ୍କ ରାଣ ଖାଇ କହିଛନ୍ତି ଯେ “ସତରେ ତାଙ୍କ ସ୍ୱାମୀ ରିତେଶ। ସେ ତାଙ୍କୁ ବିବାହ କରିଛନ୍ତି। କିନ୍ତୁ ତାଙ୍କ ବିବାହ ଏବେ କେଉଁ ଦିଗ ଦେଇ ଗତି କରୁଛି, ତାହା ସେ ଜାଣି ନାହାନ୍ତି।’  ଏକ ସାକ୍ଷାତକାର୍‌ରେ ସେ ଏଭଳି କହିଛନ୍ତି। ପ୍ରକୃତରେ ଅଧିକାଂଶ ଲୋକ ବିଶ୍ୱାସ କରୁଛନ୍ତି ଯେ, ରାଖୀଙ୍କ ବିବାହ କେବଳ ଏକ ପବ୍ଲିସିଟି ଷ୍ଟଣ୍ଟ। ଏହାକୁ ନେଇ ରାଖୀ ଏବେ ଜବାବ ଦେଇଛନ୍ତି। ସେ କହିଛନ୍ତି ମୋର ସ୍ୱାମୀ ଅଛନ୍ତି। ମୁଁ ରିତେଶଙ୍କୁ ବିବାହ କରିଛି, କିନ୍ତୁ ସେ ଭାରତରେ ରୁହନ୍ତି ନାହିଁ। କେବଳ ସେତିକି ନୁହେଁ ସେ ନିଜ ବିବାହକୁ ନେଇ ଆଶଙ୍କା ପ୍ରକଟ ମଧ୍ୟ କରିଛନ୍ତି। ରାଖୀ କହିଛନ୍ତି, ”ମୁଁ ଏବେ ବିବାହର ଷ୍ଟେଜ୍‌ରେ ଅଛି ନା ନାହିଁ ଜାଣିନି। ଏବେ ଲକ୍‌ଡାଉନ ଚାଲିଛି। ମୁଁ ମୋ ସ୍ୱାମୀଙ୍କ ସହ ରହିବି ନା ନାହିଁ ତାହା ମଧ୍ୟ ଜାଣିନି।, ଡିଭୋର୍ସ ହେବ ନା ନାହିଁ ସେ ନେଇ ବି କିଛି ଜଣା ନାହିଁ । କାରଣ ସେମାନେ କାନାଡାରେ ଅଛନ୍ତି ଏବଂ ଏପର୍ଯ୍ୟନ୍ତ ସେଠାରେ ଭିସା ଆରମ୍ଭ ହୋଇନାହିଁ।” ସୂଚନାଯୋଗ୍ୟ ଯେ, ରାଖୀ ସାୱାନ୍ତ ୨୦୧୯ରେ ୟୁକେରେ ରହୁଥିବା ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କୁ ବିବାହ କରିଥିବା ନେଇ ଦାବି କରିଥିଲେ। କେବଳ ସେତିକି ନୁହେଁ ୱେଡିଂ ଲୁକ୍‌ରେ ନିଜ ବିବାହର କିଛି ଫଟୋକୁ ମଧ୍ୟ ସୋଶାଲ ମିଡିଆରେ ସେଆର କରିଥିଲେ। କିନ୍ତୁ ଏହି ଫଟୋରେ ସେ ନିଜ ସ୍ୱାମୀଙ୍କ ଫଟୋ ସେଆର କରିନଥିଲେ। ରାଖୀଙ୍କ ଏହି ସିକ୍ରେଟ ବିବାହକୁ ନେଇ ବି-ଟାଉନ୍‌ରେ ଜୋରଦାର ଚର୍ଚ୍ଚା ମଧ୍ୟ ହୋଇଥିଲା। ନିକଟରେ ବିଗ୍‌ବସ୍ ରିଆଲିଟି ଶୋ’ରେ ସେ ନିଜ ସ୍ୱାମୀଙ୍କ ସହ ଦୁଇ ବର୍ଷ ହେଲା ଦେଖାସାକ୍ଷାତ ହୋଇନାହିଁ ବୋଲି ମଧ୍ୟ ରାଖୀ ଦାବି କରିଥିଲେ।

୧୮୦ କୋଟି ଟଙ୍କାର ଫିଲ୍ମ ଛାଡିଲେ ଅଜୟ…!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ବଲିଉଡର ସୁପରଷ୍ଟାର ଅଜୟ ଦେବଗନ। ଏବେ ସେ ଭାରି ବ୍ୟସ୍ତ। ଅନେକଗୁଡିଏ ଫିଲ୍ମ ପାଇଁ ସେ ଏକା ସହ କରୁଛନ୍ତି ସୁଟିଂ। କିନ୍ତୁ ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଅଜୟ ଦେବଗନ ୧୮୦ କୋଟି ଟଙ୍କାର ଫିଲ୍ମ ଛାଡି ଦେଇଛନ୍ତି। ସେ ୟଶରାଜ ଫିଲ୍ମସ୍‌ରେ କାମ କରିବା ପାଇଁ ସଫା ସଫା ମନା କରିଦେଇଛନ୍ତି। ଯାହାକୁ ନେଇ ଏବେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମଟି ସୁପରହିରୋ ଉପରେ ଆଧାରିତ ଥିଲା। ଏଥିରେ ତାଙ୍କୁ ସୁପର ଭିଲେନ୍‌ ଭୂମିକାରେ ଦେଖିବାକୁ ମିଳିଥା’ନ୍ତା।  ସୂଚନା ଅନୁଯାୟୀ ଅଜୟ ପ୍ରଥମ ଥର ପାଇଁ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ। ଏବେ କିନ୍ତୁ ସେ ଏହାକୁ ନା’ କହିଛନ୍ତି। ଅଜୟଙ୍କ ପାଖରେ ଏହି ଫିଲ୍ମ ପାଇଁ ସମୟ ଅଭାବ ଥିବା ଯୋଗୁଁ ସେ ମନା କରିବାକୁ ବାଧ୍ୟ ହୋଇଛନ୍ତି। ଅଜୟଙ୍କ ମନା କରିବା ପରେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ଫିଲ୍ମକୁ ହୋଲ୍ଡ କରିଦେଇଛନ୍ତି । ସେ ବର୍ତ୍ତମାନ ଏହାକୁ ଆଗକୁ ବଢାଇବାକୁ ଚାହୁଁନାହାଁନ୍ତି । କାରଣ ସେ ଅଜୟଙ୍କ ସହ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ । ଯଦି ଅଜୟ ଏହି ଫିଲ୍ମ ପାଇଁ ପୁଣି ଥରେ ସମୟ ବାହାର କରି ପାରନ୍ତି କିମ୍ବା ନିଜ ବିଜି ସେଡ୍ୟୁଲରୁ ଫ୍ରି ହୋଇପାରନ୍ତି, ତେବେ ସେ ପୁଣିଥରେ କାମ କରିବା ଆରମ୍ଭ କରିବେ। ସୂଚନା ମୁତାବକ, ଅଜୟ ଦେବଗନ ଏବେ ତାଙ୍କ ଅପମେକିଂ ଫିଲ୍ମ ‘ଭୁଜ୍: ପ୍ରାଇଡ୍ ଅଫ୍ ଇଣ୍ଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବ । ଏହି ଫିଲ୍ମ ବ୍ୟତୀତ ସେ ‘ମୈଦାନ’, ‘ଆରଆରଆର’, ‘ମେ ଡେ’ ଏବଂ ‘ଥ୍ୟାଙ୍କ୍ ଗଡ୍’ ଭଳି ଫିଲ୍ମରେ ନଜର ଆସିବେ ।

ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଗୃହମନ୍ତ୍ରୀ ପଦବୀରେ ଥିବା ବେଳେ ପୁଲିସ ଅଧିକାରଙ୍କୁ ବଟି ଆଦାୟ କରିବା ମାମଲାରେ ବଢ଼ିଲା ଏନସିପି ବିଧାୟକ ଅନୀଲ ଦେଶମୁଖଙ୍କ ଅଡୁଆ। ଶନିବାର ସିବିଆଇ ମହାରାଷ୍ଟ୍ରର ଏହି ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଛି। ଏଥିସହ ଦେଶମୁଖଙ୍କ ସହ ଜଡିତ ମାମଲାରେ ସିବିଆଇ ବିଭିନ୍ନ ଦେଶରେ ରେଡ୍ କରୁଥିବା ସୂଚନା ରହିଛି। ବମ୍ୱେ ହାଇକୋର୍ଟରେ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆଣିଥିଲେ ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ଏହାପରେ କୋର୍ଟ ସିବିଆଇକୁ ପ୍ରାଥମିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ଏବେ ମାମଲା ରୁଜୁ କରିବା ପରେ ମୁମ୍ବାଇର ଅନେକ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପ୍ରାଥମିକ ତଦନ୍ତ କରିବା ବେଳେ ଦେଶମୁଖଙ୍କ ବିରୋଧରେ ଅନେକ ପ୍ରମାଣ ପାଇଥିବା ଜଣାପଡ଼ିଛି। ଏହି ମାମଲାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତ ରହିଛି। ଯେଉଁମାନଙ୍କୁ ପ୍ରାଥମିକ ତଦନ୍ତ ବେଳେ ଚିହ୍ନଟ କରାଯାଇ ପାରିନାହିଁ। ତେଣୁ ଦେଶମୁଖଙ୍କ ସହିତ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଛି। ପରମବୀର ସିଂହ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଏକ ଅଭିଯୋଗ ଦାଖଲ କରିଥିଲେ। ଦେଶମୁଖ ନିଲମ୍ବିତ ଏପିଆଇ ସଚିନ୍ ବାଜେଙ୍କ ସମେତ ଆଉ କିଛି ପୁଲିସ କର୍ମଚାରୀଙ୍କୁ ବାର ଏବଂ ରେଷ୍ଟୁରାଣ୍ଟରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସକୁ ଏକ ଚିଠି ମଧ୍ୟ ପଠାଇଥିଲେ। ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରମବୀର। ହେଲେ କୋର୍ଟ ଏହି ମାମଲାରୁ ଗମ୍ଭୀର ବୋଲି କହିବା ସହିତ ବମ୍ୱେ ହାଇକୋର୍ଟଙ୍କ ଯିବାକୁ କହିଥିଲେ। ଏହାପରେ ଦେଶମୁଖଙ୍କ ବିରୋଧରେ ପିଆଇଏଲ ଦାଖଲ କରିଥିଲେ। ଆଉ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅନୀଲ ଦେଶମୁଖ ଏବଂ ମହାରାଷ୍ଟ୍ର ସରକାର। ହେଲେ କୋର୍ଟ ଖାରଜ କରି ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ବଳବତ୍ତର ରଖିଥିଲେ।ସୂଚନାଯୋଗ୍ୟ, ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଏକ ପ୍ରେସ କନଫରେନସ କରିଥିଲେ। ଯେଉଁଥିରେ ସେ ଦେଶମୁଖଙ୍କୁ କ୍ଲିନଚିଟ୍ ଦେଇଥିଲେ। ପରମବୀରଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଥିଲେ।

‘ଶସ୍ତା ଲୋକପ୍ରିୟତା ପାଇଁ କେଜ୍ରିଓ୍ୱାଲ କିଛି ବି କରିପାରିବେ’…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)-  ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୋଧରେ ବର୍ଷିଛନ୍ତି। ଶସ୍ତା ଲୋକପ୍ରିୟତା ପାଇଁ କେଜ୍ରିଓ୍ୱାଲ ସମସ୍ତ ନିୟମ ଭାଙ୍ଗିବାକୁ ରାଜି ବୋଲି ଯୋଗୀ କହିଛନ୍ତି। ପ୍ରଧାନମନ୍ତ୍ରୀ କୋଭିଡ୍ ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରୁଥିଲେ। ନିୟମ ଅନୁଯାୟୀ ଏହି ବୈଠକ ସାର୍ବଜନୀନ କରାଯାଏନି। ହେଲ ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରି ଦେଇଥିଲେ। ଯାହାକି ବିଭିନ୍ନ ଟିଭିରେ ସିଧା ପ୍ରସାରିତ ହୋଇଥିଲା। ଏହି ସମୟରେ ଦିଲ୍ଲୀରେ ଅକ୍ସିଜେନ ଅଭାବ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କର ଅଟକା ଯାଉଥିବା କଥା ମୋଦିଙ୍କ ଆଗରେ କହୁଥିଲେ କେଜ୍ରିଓ୍ୱାଲ। ଏହାକୁ ସାରା ଦେଶ ମଧ୍ୟ ଶୁଣିଥିଲା।  ଆଉ ପ୍ରଧାନମନ୍ତ୍ରୀ ଏହି ସମୟରେ ଜାଣିପାରିଥିଲେ ଯେ ଏହି ବୈଠକର ସିଧା ପ୍ରସାରଣ ହେଉଛି। ଆଉ ହଠାତ୍ କେଜ୍ରିଓ୍ୱାଲଙ୍କୁ ମଝିରେ ରୋକିଥିଲେ। ଆଉ କହିଥିଲେ ନିୟମ ବାହାରକୁ ଯାଇ ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ସିଧା ପ୍ରସାରଣ କରୁଛନ୍ତି। ଏହା ପ୍ରୋଟୋକଲ ବାହାରେ। ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ଆଚରଣ ଓ ବ୍ୟବହାର ପାଇଁ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିଥିଲେ। ଆଗକୁ ଏଭଳି ଭୁଲ୍ ହେବନି ବୋଲି କେଜ୍ରିଓ୍ୱାଲ କହିଥିଲେ। ଏହାକୁ ନେଇ ଯୋଗୀ ଟ୍ୱିଟ୍ କରି କହିଛନ୍ତି, କେଜ୍ରିଓ୍ୱାଲଙ୍କ ଆଉ ଏକ କାରନାମା ସାମ୍ନାକୁ ଆସିଛି। ଆମ୍ ଆଦାମୀ ପାର୍ଟି ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ଅନ୍ୟ ଉପରେ ଦୋଷ ଲଦିବାରେ ବ୍ୟସ୍ତ। ଏଭଳି କରି ଲୋକଙ୍କ ଆଗରେ ସେ ଭଲ ବୋଲି ଦେଖାଇ ହେଉଛନ୍ତି। ଏହା ରାଜନୀତିର ‘ଅଶ୍ଳୀଳ ଏବଂ ନିମ୍ନ ଆଚରଣ’। ଏହାକୁ ସେ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି। ବିଜେପି କହିଛି, କୋଭିଡ ମୁକାବିଲାରେ କେଜ୍ରିଓ୍ୱାଲ ସରକାର ବିଫଳ। ତେଣୁ ସେ ଏଭଳି ଭିଡିଓ ଅତି ଚତୁରତାର ସହ ସାର୍ବଜନୀନ କରି ଲୋକଙ୍କ ଆଗରେ ନିଜର ଭାବମୂର୍ତ୍ତି ଠିକ୍ କରିବାକୁ ଚେଷ୍ଟା କରିଥିଲେ। ଆଉ ଏହାକୁ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଠଉରାଇପାରିଥିଲେ।

୪୮ତମ ପ୍ରଧାନ ବିଚାରପତି ଭାବରେ ଶପଥ ନେଲେ ଜଷ୍ଟିସ୍ ଏନ୍.ଭି ରମନା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)-  ଦେଶର ୪୮ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଏନ୍.ଭି ରମନା। ଗତକାଲି ଜଷ୍ଟିସ ଶରଦ ଚନ୍ଦ୍ର ବୋବଡେ ଏହି ପଦବୀରୁ ଅବସର ଗ୍ରହଣ କରିବା ପରେ ଜଷ୍ଟିସ ରମନା ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ରମନାଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କୋଭିଡ ପ୍ରୋଟୋକଲ ଅନୁଯାୟୀ ଏହି ଶପଥ ପାଠ ସମାରୋହ ଆୟୋଜିତ ହୋଇଥିଲା। ସାଧାରଣତଃ ପ୍ରଧାନ ବିଚାରପତି ଭାବରେ ଶପଥ ନେଲା ବେଳେ ତାଙ୍କର ପରିବାର ଲୋକ, ଶୁଭେଚ୍ଛୁ ଉପସ୍ଥିତ ରୁହନ୍ତି। ହେଲେ କୋଭିଡ ପାଇଁ ଅଳ୍ପ ଲୋକଙ୍କୁ ଉପସ୍ଥିତ ରହିବାକୁ ରାଷ୍ଟ୍ରପତି ଭବନ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ପରମ୍ପରା ଅନୁଯାୟୀ ସିଜେଆଇ ଶପଥ ନେବା ବେଳେ ସୁପ୍ରିମକୋର୍ଟ ଏବଂ ଅନ୍ୟାନ୍ୟ ହାଇକୋର୍ଟର ବିଚାରପତି ମଧ୍ୟ ଉପସ୍ଥିତ ରୁହନ୍ତି। ହେଲେ ଚଳିତଥର ସୁପ୍ରିମକୋର୍ଟର ଅନେକ ବିଚାରପତି କୋଭିଡରେ ସଂକ୍ରମିତ ଥିବାରୁ କେବଳ ନେଗେଟିଭ ରିପୋର୍ଟ ଥିବା ବିଚାରପତି ଏହି ସମାରୋହରେ ଉପସ୍ଥିତ ଥିବା ସୂଚନା ରହିଛି।ଜଷ୍ଟିସ ରମନା ୨୭ ଅଗଷ୍ଟ ୧୯୫୭ ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଫେବୃଆରୀ ୨, ୨୦୧୭ ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କର କାର୍ଯ୍ୟକାଳର ଅବଧି ପୂରଣ ହେବାକୁ ମାତ୍ର ଦୁଇ ବର୍ଷ ବାକି ଅଛି। ସେ ୨୬ ଅଗଷ୍ଟ ୨୦୨୨ରେ ଅବସର ନେବାକୁ ଯାଉଛନ୍ତି। ୧୦ ଫେବୃଆରୀ ୧୯୮୩ ରେ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ଜଷ୍ଟିସ ରମନା ମଧ୍ୟ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଥିଲେ। ଜଣେ ଚାଷୀ ପରିବାରରୁ ଆସିଥିବା ରମନା ବିଜ୍ଞାନ ଏବଂ ଆଇନରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଏବଂ ସୁପ୍ରିମକୋର୍ଟରେ ଆଇନ ପ୍ରାକ୍ଟିସ କରିଥିଲେ। ସେ ରାଜ୍ୟ ସରକାରଙ୍କ ଏଜେନ୍ସିଗୁଡ଼ିକ ପାଇଁ ଏକ ପ୍ୟାନେଲ ପରିଷଦ ଭାବରେ ମଧ୍ୟ କାମ କରିଥିଲେ। ୨୭ ଜୁନ୍ ୨୦୦୦ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହାପରେ ୧୩ ମାର୍ଚ୍ଚରୁ ୨୦ ମେ ୨୦୧୩ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଥିଲେ। ୨ ସେପ୍ଟେମ୍ବର ୨୦୧୩ରେ ପଦୋନ୍ନତି ମିଳିବା ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାପରେ ଫେବୃଆରୀ ୧୭, ୨୦୧୪ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବରେ ପଦୋନ୍ନତି ହୋଇଥିଲା।

ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ଅନୁମତି…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଜି ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଆଉ ଗୋଟିଏ ଔଷଧକୁ ଅନୁମତି ମିଳିଛି। ଆଜି ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍ନାଲ ଦେଇଛି। ଏହି ଔଷଧକୁ ମଧ୍ୟମଧରଣର କରୋନା ଲକ୍ଷଣ ଥିବା ଲୋକଙ୍କୁ ଦିଆଯାଇପାରିବ। ଏହାକୁ ବ୍ୟବହାର କରି ସେମାନଙ୍କ ଚିକିତ୍ସା କରାଯିବ। ତେବେ ଭିରାଫିନ୍‌କୁ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ କରୋନା ଆକ୍ରାନ୍ତଙ୍କୁ ଦିଆଯାଇପାରିବ ବୋଲି ଡିଜିସିଆଇ କହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ଭିରାଫିନ୍‌ ଡୋଜ୍‌ ନେଉଥିବା କରୋନା ଆକ୍ରାନ୍ତ ସାଧାରଣ ରୋଗୀଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହୋଇପାରିବେ। ସେହିପରି ସଂକ୍ରମଣ ଆକ୍ରାନ୍ତଙ୍କ ଶରୀରରେ ମଧ୍ୟ ଅଧିକ କ୍ଷିପ୍ର ଗତିରେ ବ୍ୟାପିବ ନାହିଁ। ହସ୍ପିଟାଲ/ ଇନଷ୍ଟିଚ୍ୟୁସନାଲ ଷ୍ଟେଟଅପ୍‌ରେ ଡାକ୍ତରଙ୍କ ପ୍ରେସକ୍ରିପସନ୍‌ ଜରିଆରେ ହିଁ ଲୋକଙ୍କୁ ଏହି ଔଷଧ ମିଳିବ। ଅନୁମତି ପାଇଁ ଆବେଦନ କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଏହି ଔଷଧର ପରୀକ୍ଷା ଦେଶର ୨୦ରୁ ୨୫ଟି କେନ୍ଦ୍ରରେ ହୋଇଥିଲା। ପରୀକ୍ଷା ବେଳେ ଜଣାପଡ଼ିଛି ଯେ ଭିରାଫିନ ବ୍ୟବହାର କରୁଥିବା ଲୋକଙ୍କୁ ଅତିରିକ୍ତ ଅମ୍ଳଜାନର ବ୍ୟବହାର କରିବାକୁ ପଡ଼ୁନି। ସେହିପରି ଭିରାଫିନ ଡୋଜ୍‌ ନେଉଥିବା ଲୋକଙ୍କ ଶ୍ୱାସନଳୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ କରୋନା ସଂକ୍ରମଣ କରିପାରୁ ନାହିଁ। କେବଳ କରୋନା ନୁହେଁ, ଅନ୍ୟ ଭାଇରାଲ ସଂକ୍ରମଣ ବିରୋଧରେ ମଧ୍ୟ ଭିରାଫିନ୍‌ତ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଜଣାପଡ଼ିଛି ଯେ ଭିରାଫିନ ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ୭ ଦିନ ପରେ ନେଗେଟିଭ ଆସୁଛି। ତେଣୁ ଭିରାଫିନ୍‌ ନିଶ୍ଚିତ ଭାବେ ଭାରତର କରୋନା ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କମ୍ପାନୀ କହିଛି।ଏବେ ଭାରତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଫାଭିପିରାଭିର ଓ ରେମଡିସିଭିର ଭଳି ଔଷଧକୁ ବ୍ୟବହାର କରାଯାଉଛି।

ପାକିସ୍ତାନ ଡ୍ରୋନକୁ ଗୁଳି କରି ଘଉଡ଼ାଇଲେ ଭାରତୀୟ ଯବାନ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳ ଡ୍ରପ୍‌ କରିବାକୁ ପାକିସ୍ତାନ କରିଥିବା ଉଦ୍ୟମକୁ ଆଜି ଭାରତୀୟ ସୁରକ୍ଷାକର୍ମୀ ଭଣ୍ଡୁର କରିଦେଇଛନ୍ତି। ଗୁଳିଗୋଳ ଧରି ଭାରତୀୟ ବାୟୁସୀମାରେ ପ୍ରବେଶ କରିଥିବା ଦୁଇଟି ପାକିସ୍ତାନୀ ଡ୍ରୋନ୍‌କୁ ଆଜି ବିଏସ୍‌ଏଫ ଯବାନମାନେ ଗୁଳି ଚଳାଇଛନ୍ତି। ଫଳରେ ସେମାନେ ସୀମାନ୍ତରୁ ହିଁ ପାକିସ୍ତାନକୁ ଫେରି ଯାଇଛନ୍ତି। ଜମ୍ମୁର ଆରନିଆ ସେକ୍ଟର୍‌ରେ ଏହି ଘଟଣା ଘଟିଛି। ବିଏସ୍‌ଏଫ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, ଅନ୍ତର୍ଜାତୀୟ ସୀମା ନିକଟ ଜାବୋୱାଲ ଓ ବିକ୍ରମ ଆଉଟପୋଷ୍ଟ ନିକଟରେ ଦୁଇଟି ଯାକ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଭୋର ୪.୩୦ ଓ ପରେ ୪.୪୫ରେ ଏହାକୁ ଠାବ କରାଯାଇଥିଲା। ଡ୍ରୋନ୍‌ଗୁଡ଼ିକୁ ଦେଖିବା କ୍ଷଣି ବିଏସ୍‌ଏଫ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଗୁଳିମାଡ଼କୁ ସମ୍ମୁଖୀନ ହୋଇ ନପାରି ସେମାନେ ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ। ଯବାନଙ୍କ ପକ୍ଷରୁ ଡ୍ରୋନଗୁଡ଼ିକୁ ଘଉଡ଼ାଇବା ପାଇଁ ପ୍ରାୟ ୧୫ ରାଉଣ୍ଡ ଗୁଳି ମାଡ଼ କରାଯାଇଥିଲା। ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଭାରତ ପାକିସ୍ତାନ ଫେବୃଆରୀ ୨୪-୨୫ରେ ରାଜି ହୋଇଥିଲେ। ଏହାପରଠାରୁ ସୀମାନ୍ତରେ ପାକିସ୍ତାନର କୌଣସି ହରକତ ଦେଖିବାକୁ ମିଳି ନଥିଲା। ହେଲେ ଏବେ ପାକିସ୍ତାନ ପୁଣିଥରେ ନିଜର ପୁରୁଣା ରୋଗ ବାହାର କରିଛି। ପୂର୍ବରୁ ଅନେକ ଥର ଡ୍ରୋନ ଦ୍ୱାରା ପାକିସ୍ତାନ ଗୁଳିଗୋଳା ଓ ଡ୍ରଗ୍ସ ଭାରତକୁ ରପ୍ତାନୀ କରୁଥିବାର ନଜିର ରହିଛି। ଏବେ ସମାନ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇନାହିଁ। ବିଏସ୍‌ଏଫର ଡିଆଇଜି ଏସ୍‌ପିଏସ୍‌ ସାନ୍ଧୁ କହିଛନ୍ତି, “ପାକିସ୍ତାନର ଡ୍ରୋନ ଅନୁପ୍ରବେଶକୁ ଆଜି ଆରନିଆ ସେକ୍ଟର୍‌ରେ ବିଏସ୍‌ଏଫ ଯବାନମାନେ ଭଣ୍ଡୁର କରିଦେଇଛନ୍ତି। ପାକିସ୍ତାନରୁ ଦୁଇଟି ଡ୍ରୋନ୍‌ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା କ୍ଷଣି ସତର୍କ ରହିଥିବା ବିଏସ୍‌ଏଫ ଯବାନ ଗୁଳି ଚଳାଇଥିଲେ। ଫଳରେ ଦୁଇଟି ଯାକ ଡ୍ରୋନ୍‌ ପାକିସ୍ତାନକୁ ଫେରି ଯାଇଛନ୍ତି। ପୂର୍ବରୁ ହିଁ ବିଏସ୍‌ଏଫର ଗୁଇନ୍ଦା ସଂସ୍ଥା ପାକିସ୍ତାନରୁ ଡ୍ରୋନ୍‌ ଦ୍ୱାରା ଅନୁପ୍ରବେଶ ହେବାର ଆଶଙ୍କା ଥିବା ସୂଚନା ଦେଇଥିଲା।”

ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିବ ଲକ୍‌ଡାଉନ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ। ଉପର ମୁହାଁ ରହିଛି କରୋନା ଗ୍ରାଫ୍‌। ସବୁଠୁ ଅଧିକ ଚିନ୍ତାଜନକ ରହିଛି ରାଜଧାନୀ ଦିଲ୍ଲୀର ସ୍ଥିତି। ଏଠାରେ ମହାମାରୀର ପ୍ରକୋପ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ଲକଡାଉନ୍‌ ଲାଗୁ କରାଯାଇଛି। ତେବେ ଏହି ଲକଡାଉନ୍‌ ଅବଧି ଆଉ ୭ ଦିନ ବଢ଼ାଇବା ନେଇ ଦିଲ୍ଲୀ ସରକାର ଚିନ୍ତା କରୁଥିବା ଏକ ସୂତ୍ରରୁ ଜଣାପଡିଛି। ଏନେଇ ଆଜି ଦିଲ୍ଲୀ ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ଆଦେଶନାମା ଜାରି କରିପାରେ। ସୂଚନା ମୁତାବକ, ଦିଲ୍ଲୀରେ ବର୍ତ୍ତମାନ କରୋନା ପଜିଟିଭ ରେଟ୍ ୩୨ ପ୍ରତିଶତ ଉପରେ ରହିଛି । ଏହାସହ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଓ ବେଡ୍ ସଙ୍କଟ ଦେଖାଦେଇଛି । ଏହାକୁ ନଜରରେ ରଖି ସରକାର ଲକଡାଉନ୍ ବଢାଇବାକୁ ଚିନ୍ତା କରୁଛନ୍ତି । କାରଣ ଲକଡାଉନ୍ ଛଡା ସଂକ୍ରମଣ ରୋକିବାକୁ  ସରକାରଙ୍କ ହାତରେ ଅନ୍ୟ କୌଣସି ବିକଳ୍ପ ନାହିଁ । ସୂଚନାଯୋଗ୍ୟ, ଏପ୍ରିଲ ୧୯ ତାରିଖ ରାତି ୧୦ଟାରୁ ଦିଲ୍ଲୀରେ ଲକଡାଉନ୍ ଲାଗୁ ହୋଇଥିଲା । ଯାହାର ଅବଦ୍ଧି ଏପ୍ରିଲ ୨୬ ତାରିଖ ସକାଳ ୫ଟାରେ ଶେଷ ହେବାକୁ ଯାଉଛି । ତେବେ ଲକଡାଉନ୍‌ ଅବଧି ସରିବା ପୂର୍ବରୁ  ରବିବାର ଦିଲ୍ଲୀ ସରକାର ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ଦିଲ୍ଲୀରେ ଥିବା ଉନ୍ନତ ହସ୍ପିଟାଲ୍‌ ସବୁ ଅକ୍ସିଜେନ ଅବାବ ସଂକ୍ରାନ୍ତରେ ‘ଏସ୍‌ଓଏସ୍‌ ମେସେଜ୍‌’ ପଠାଇ ଚାଲିଥିବା ବେଳେ ଗତ ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଟୁଇଟ୍‌ କରି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ନିବେଦନ କରିଥିଲେ। ଯଦି କାହା ପାଖରେ ବଳକା ଅକ୍ସିଜେନ ମହଜୁଦ ଅଛି, ତେବେ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ ବୋଲି ସେ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୫୭ଜଣ କୋଭିଡ୍‌-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଏହି ମୃତ୍ୟୁସଂଖ୍ୟା ହେଉଛି ଦିଲ୍ଲୀ ପାଇଁ ସର୍ବାଧିକ। ଏହାଛଡ଼ା, ଦିଲ୍ଲୀରେ ୨୪୦୦୦ରୁ ଅଧିକ ଦୈନିକ ସଂକ୍ରମଣ ମାମଲା ମଧ୍ୟ ରେକର୍ଡ ହୋଇଛି।