ପ୍ରଶାସନ ପକ୍ଷରୁ କରୋନା ଜନିତ ଯାଞ୍ଚ ପ୍ରକ୍ରିୟା ଜୋରଦାର ।

!!! ରାୟଗଡା ଜିଲ୍ଲା ଗୁଣପୁରରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଗୁଣପୁର) – ଗୁଣପୁର ଅଂଚଳରେ କରୋନା ସଂକ୍ରମଣର ବୃଦ୍ଧିକୁ ରୋକିବା ପ୍ରୟାସରେ ସ୍ଥାନୀୟ ପ୍ରଶାସନ ଗୁଣପୁର କୁ ଆନ୍ଧ୍ର ସୀମା ଅତିକ୍ରମ କରି ଆସୁଥିବା ଟ୍ରେନ ଚଳା ଚଳ ଉପରେ କଡା ନଜର ରଖିବା ସହ ଷ୍ଟେସନ ପ୍ଲାଟଫର୍ମ ଠାରେ ଯାଞ୍ଚ କରିବା ସହ ଯାତ୍ରୀ ଙ୍କ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯାଉଥିବା ଦେଖିବାକୁ ମିଳିଛି ।

ଏହି ଯାଞ୍ଚ ପ୍ରକ୍ରିୟା ସ୍ଥାନୀୟ ତହସିଲଦାର ଏ.ଫ୍ ଏକ୍କା ଙ୍କ ତତ୍ୱାବଧାନ ରେ କରାଯାଉଥିବା ବେଳେ ଅତିରିକ୍ତ ତହସିଲଦାର କପିଳେଶ୍ୱର ତାଣ୍ଡି ଉପସ୍ଥିତ ରହି ଯାଞ୍ଚ ପ୍ରକ୍ରିୟା ରେ ସହଯୋଗ କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଏଭଳି ପଦକ୍ଷେପ କୁ ସାଧାରଣରେ ପ୍ରଶଂସା କରିବା ସହ ଏଭଳି ନିଷ୍ପତ୍ତି ସଂକ୍ରମଣ କୁ ରୋକିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି ।

ଗଜପତି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ସଫଳ…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ରୁପ ଧାରଣ କରିବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ନାଇଟ କର୍ଫ୍ୟୁ ଲାଗୁ କରା ଯାଇଥିବା ବେଳେ ପ୍ରତି ଶନିବାର ଓ ରବିବାରକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ଆଜି ଶନିବାର ଦିନଠାରୁ ଏହି ସପ୍ତାହନ୍ତ ସଟଡାଉନ ଲାଗୁ ହୋଇଛି। ଏହି ସପ୍ତାହନ୍ତ ସଟଡାଉନ ବେଳେ ମେଡିକାଲ ଓ ମେଡ଼ିସିନ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାଳୀନ ସେବା ପାଇଁ କୌଣସି କଟକଣା ନ ଥିବାବେଳେ ବିନା କୌଣସି କାରଣ ନ ଥାଇ ହେଉଥିବା ଯାତାୟାତକୁ ଏଥିରେ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସଟଡାଉନ ଯୋଗୁଁ ଚଳଚଞ୍ଚଳ ପାରଳାଖେମୁଣ୍ଡି ସହର ସମ୍ପୂର୍ଣ୍ଣ ଭାବେ ଜନଶୁନ୍ୟ ହୋଇ ନିସ୍ତବ୍ଧ ପାଳଟି ଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଆଦର୍ଶ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ପୋଲିସ ଚାରିଆଡେ ଓ ପ୍ରତି ଛକ ଅଞ୍ଚଳରେ ପଇଁତରା ମାରି ଅମାନିଆଙ୍କ ପ୍ରତି କଡା ନଜର ରଖିଛନ୍ତି ।

ପୋଲିସ ବିଭିନ୍ନ ବସ୍ତି , ଗଳି , ଛକ ଓ ରାସ୍ତାରେ ବୁଲିବୁଲି ସାଇରନ ବଜାଇ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଟଡାଉନ ଉପରେ ସଚେତନ କରାଉଛି । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଉଛି । ଓଡିଶା-ଆନ୍ଧ୍ର ସୀମାନ୍ତର ପୁରୁଣାପାଟଣା ନିକଟରେ ଥିବା ପ୍ରବେଶ ପଥକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସିଲ କରାଯାଇ ସେଠାରେ ନାକା ଲଗାଯାଇଛି । ପ୍ରତ୍ୟେକ ଯିବାଆସିବାଙ୍କ ପ୍ରତି ପୋଲିସ ଯାଞ୍ଚ ଓ ପଚରାଉଚୁରା କରୁଛି । ଆବଶ୍ୟକ ପ୍ରମାଣପତ୍ର ନ ଦେଖାଇଲେ ଛାଡୁନାହାନ୍ତି । ଏହି ସଟଡାଉନ ଆସନ୍ତା ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ , ତେଣୁ ଜରୁରୀ କାମ ନ ଥିଲେ କେହି ଘରୁ ବାହାରନ୍ତୁ ନାହିଁ । ଘରେ ରହି ସୁସ୍ଥ ରୁହନ୍ତୁ ବୋଲି ଏସପି. ଶ୍ରୀ ପଟ୍ଟନାୟକ କହିଛନ୍ତି ।

ରାୟଗଡରେ ସପ୍ତାହାନ୍ତ ତାଲା ବନ୍ଦ ସଫଳ..!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ୍ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ରାୟଗଡା) – ମହାମାରୀ କରନା ସଂକ୍ରମଣରୂ ଜନସାଧାରଣଙ୍କୁ ରକ୍ଷାକରିବାକୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନଦ୍ୱାରା ଡ଼କାଯାଇଥିବା ତାଲାବନ୍ଦର ପ୍ରଭାବପଡିଛି । ପ୍ରତି ସହରାଞ୍ଚଳରେ ଶନିବାର ରବିବାର ତାଲାବନ୍ଦ ଘୋଷଣା କରାଯାଇଥିଲା। ତାରପ୍ରଭାବରେ ଜିଲ୍ଲା ସଦରମହକୁମାରୁ କୌଣସି ଗାଡିମୋଟର ଯାତାୟାତ କରୁନଥିବା ଦେଖିବାକୁମିଳିଛି। ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀହଇରାଣ ହୋଇ ସମସ୍ୟାର ସମୁଖୀନହେଉଥିବାର ଦେଖିବାକୁ ମିଳିଛି l ଜିଲ୍ଲାର ସବୁ ଦୋକାନବଜାର ବନ୍ଦରହିଛି. ସମସ୍ତେ ସ୍ୱତଃପ୍ରବୃତ୍ତରେ ବନ୍ଦରଖି ତାଲାବନ୍ଦକୁ ସପଟକରିଛନ୍ତି । ଜିଲ୍ଲା ବସଷ୍ଟାଣ୍ଡ,ଜୟପୁର ଛକ, ଷ୍ଟେଟବ୍ୟାଙ୍କ ଛକ,ରେଳବାଇ ଛକ ତୁମ୍ବିଗୁଡା ଛକଠାରେ ପୋଲିସ ବାରିକେଟକରି ଯିବାଆସିବା ଲୋକଙ୍କୁ ଓ ଗାଡିକୁ ଭଲଭାବେ ତନଖିକରି ଆସିବାକାରଣ ପଚାରି ଅତି ଆବଶ୍ୟକତା ଥିଲେ ଛାଡୁଛନ୍ତି ନଚେତ ଫାଇନକାଟି ଏଭଳି ନକରିବାକୁ ତାଗିଦକରୁଛନ୍ତି।

ଉପ ଜିଲ୍ଲାପାଳ ପ୍ରତାପକୁମାର ପ୍ରଧାନ ଏକ ସ୍ୱତନ୍ତ୍ର ଟିମସହ ସାହାରରେ ପଇଁତରା ମାରିଛନ୍ତି। ପ୍ରକାଶ ଯୋଗ୍ୟ ଏହିକିଯେ ଗତ କିଛିଦିନ ହେଲା ଜିଲାରେ କରୋନାରୋଗୀ ବଢ଼ି ଚାଲିବାସହ କିଛିରୋଗୀ ମୃତ୍ୟୁବରଣ କରିଥିବା ନଜରକୁଆସିଛି। ଦ୍ୱତୀୟ ସଂକ୍ରମଣ ବଢ଼ିଚାଲିବା ପରେ ମୃତ୍ୟୁସଂଖ୍ୟା ଅଧକରୁ ଅଧିକ ହେଉଥିବା ଯୋଗୁଁ ପ୍ରଶାସନ ଆତଙ୍କିତହେଇଛନ୍ତି ତେଣୁ ସାବଧାନତା ପଦକ୍ଷେପ ଅନୁସାରେ ଘରଘର ବୁଲି ନମୁନା ସଂଗ୍ରହକରି କୁମ୍ଭମେଳା ଯାଇ ଫେରିଥିବା ଲୋକଙ୍କୁ ଟ୍ରେସ ଆଉଟକରି ପରୀକ୍ଷା ନିରୀକ୍ଷ କରାଯାଉଥିବା ପ୍ରଶାସନକହିଛି। ଏହିବନ୍ଦ ଦୁଇଦିନ ଧରି ଚାଲୁରହିବ।

କଲ୍ୟାଣସିଂହପୁର ପାଇଖାନା ନିର୍ମାଣରେ ମହାଘୋଟଲା; ନିରପେକ୍ଷ ତଦନ୍ତ ଦାବିକଲା ଭାଜପା…!

!!!  ରାୟଗଡା ଜିଲ୍ଲା ଟାଉନ ରୁ  ପି.ଦିଲ୍ଲୀପ କୁମାରଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କଲ୍ଯାଣସିଂପୁର) – ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ ପ୍ରାୟ ଆସି ପ୍ରତିଶତ ଦାରିଦ୍ର ସୀମାରେଖା ତଳେ ବସବାସ କରନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ପରିମଳ ଯୋଜନାରେ ପ୍ରତି ଆର୍ଥିକ ଅନଗ୍ରସର ପରିବାରକୁ ବ୍ୟକ୍ତିଗତ ପାଇଖାନା ଯୋଜନା ଯୋଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରି ଏକ ପାଇଖାନା କୁ ୧୨୦୦୦ଲେଖାଏଁ ଟଙ୍କା ଯୋଗାଇ ଦେଇଛନ୍ତି। କିନ୍ତୁ ତାହା ରାୟଗଡା ଜିଲାରେ ସଫଳ ନ ହୋଇ ବାଟ ମାରଣ ହେଇଥିବାର ଦେଖିବାକୁ ୨୬୭୩ମିଳିଛି। ରାୟଗଡା ଜିଲାରେ ସମୁଦାୟ ଗ୍ରାମର ଦାରିଦ୍ର ସୀମାରେଖା ତଳେ ବାସ କରୁଥିବା ସମସ୍ତ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏହା ବାଟ ମାରନା ହେବାସହ ଯୋଜନାର ସଫଳ ହେବା ଭଳି ଦେଖାଯାଉନି। ଗୁଣୁପୁର, ପଦ୍ମପୁର, କଲନରା, କାଶୀପୁର, ଗୁଡ଼ାରୀ, କଲ୍ୟାଣସିଙ୍ଘପୁର ବ୍ଲକ ମାନଙ୍କରେ ବହୁତ ଅନିୟମିତତା ହେଇଥିବା ଦେଖିବାକୁ ମିଳିଛି। କଲ୍ୟାଣସିଙ୍ଘପୁର ବ୍ଲକ ର ବେନିଫିସେର ସଂଖ୍ୟା ପ୍ରାୟ ଏଗାର ହଜାରରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। କିନ୍ତୁ ପରଶାଲୀ, ପାଲାମା, ସେରିଗୁମା, ସୁନାଖଣ୍ଡି, ବୁଡ଼ାଗୁଡ଼ା, ଶିକାରପାଈ ପଞ୍ଚାଯତ ମାନଙ୍କରେ ବଡ଼ ଘୋଟଲା ହେଇଥିବା ଜଣାପଡିଛି। କେଉଁଠି କୁଣ୍ଡ ହେଇନି ତ କେଉଁଠି ତିଆରି ହେଉହେଉ ଭୁଶୁଡିଯାଇଛି ଏହା ପ୍ରଦତ୍ତ ଫଟୋ ଚିତ୍ରରେ ସ୍ୱଷ୍ଟ ଜଣାପଡୁଛି। ସୁନାଖଣ୍ଡିର ନନ୍ଦିନୀଗ୍ରାମରେ ସେପ୍ଟିକଟାଙ୍କି ଠିକଭାବରେ ହୋଇନି.ଏପରିକି କେତେକ ସ୍ଥାନରେ ଟାଙ୍କି ନଥାଇ ବିଲହେଇଛି ରାଇଲାମର ପାଇଖାନା କଥା କହିଲେ ନସରେ ତାହା ତଦନ୍ତକଲେ ଜଣାପଡିବ ବୋଲି ଜନସାଧାରଣଙ୍କ ମତ। ପରଶାଲୀର କିଛିଠିକାଦାର ଅଭିଯୋଗ କରିଛନ୍ତି କି ତାଙ୍କର ସତୁରିରୂ ଉର୍ଦ୍ଧ ପାଇଖାନା ତିଆରି ହୋଇ ଦୁଇବର୍ଷ ହେଲେଣି ଏପର୍ଯ୍ୟନ୍ତ ବିଲ ପାଇ ପାରୁନାହାନ୍ତି। ସେହିଭଳି ପରଶାଲୀ ପଞ୍ଚାୟତ ଡଙ୍ଗମାଟି, ଲମ୍ବା, ଗୁମାର ଲୋକଙ୍କ ବିଲ ହୋଇ ନଥିବା ବେଳେ ସାନ ଓ ବଡ଼ ଡେଂଗିଂନୀଲୀ, ଲାଖପଦରରେ ଖାଲି ଟିଣଘୋଡାଇ ବିଲ ଉଠାଇ ନେଇଥିବା ଖବରରହିଛି। ଏନେଇ ବିଭାଗୀୟ କନିଷ୍ଟଯନ୍ତ୍ରୀ ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରିନଥିବା ବେଳେ ବି ଡି ଓ ଅନୁପ ଅଭିଷେକ ପଣ୍ଡା ଟ୍ରେନିଂ ଯାଇଥିବା କହିଛନ୍ତି. ଆସିଲେ ବୁଝିବି ତାର ଅନୁଧ୍ୟାନକରାଯିବ ବୋଲିକହିଛନ୍ତି। ଏନେଇ ପରଶାଲୀ ସରପଞ୍ଚ ବାମ କାଡ୍ରାକାଙ୍କୁ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇ ପାରିଲାନାହିଁ। ଏହାର ନିରପେକ୍ଷ ତଦନ୍ତ ଦାବୀକରିଛି ଭାଜପା ଏକ ସର୍ବ ଦଳୀୟ ଗଠନକରି ତଦନ୍ତ କରାଯାଉ। ଏହି ଦୁର୍ନୀତିରେ ଠିକାଦାର ଠାରୁ ବିଭାଗୀୟ ଯନ୍ତ୍ରୀ ଅଧିକ ସମ୍ପୃକ୍ତ. ତେଣୁ ଦୁର୍ନୀତି ନିବାରଣ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଦାବୀକରିଛି. ନଚେତ ଆଗାମୀ ଦିନରେ ଅଧିକରୁ ଅଧିକ ତୀବ୍ରତର ହେବବୋଲି ଶିକାରପାଈ ମଣ୍ଡଳ ଚେତାବନୀ ଦେଇଛି ।

ବେଗୁନିଆପଡ଼ା ଓ କୋଦଳାରେ ସାପ୍ତାହିକ ସଟଡାଉନ ପ୍ରଭାବ, ରାସ୍ତାଘାଟ ଜନଶୂନ୍ୟ…!

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବେଗୁନିଆପଡା)- ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏନେଇ ଲୋକମାନଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ଶନିବାର ଓ ରବିବାର ଦୁଇଦିନିଆ ସାପ୍ତାହିକ ସଟଡାଉନ ଘୋଷଣା କରିଛନ୍ତି । ଏହାର ପ୍ରଭାବ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଓ କୋଦଳାରେ ଦେଖିବାକୁ ପଡ଼ିଛି । ଯାହାଫଳରେ ରାସ୍ତାଘାଟ ଶୁନଶାନ୍ ସହିତ ଜନଶୂନ୍ୟ ହୋଇଥିଲା । ଏପରିକି ପ୍ରମୁଖ ସ୍ଥାନ ଛକ ନିକଟରେ ପୋଲିସ ଯାଞ୍ଚ କଡାକଡି କରିଥିଲା । ରାଜ୍ୟରେ କୋରନା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହାକୁ ଦମନ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କୁ ସହରାଞ୍ଚଳ ଗୁଡ଼ିକରେ ସାପ୍ତାହିକ ସଟଡାଉନ କଟକଣା ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ପ୍ରଭାବରେ ସଂକ୍ରମଣ କିଛି ମାତ୍ରାରେ ରୋକିପାରିବ ।

ଦକ୍ଷିଣ ଓଡିଶା ରେ ଗୌରବ ସୃଷ୍ଟି କରିବା ସହ ଖ୍ୟାତି ଅର୍ଜନ କରିଛି ଗୁଣପୁରର ଅମୁଲ୍ୟ ଭାରତ ସଂଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡିଶା ସରକାର ଙ୍କ ଅନୁମୋଦିତ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ କଳା ବିଭାଗ ସହ ସହବଦ୍ଧିତ ଥିବା ଦକ୍ଷୀଣ ଓଡ଼ିଶାର ଏକ ମାତ୍ର କଳା ମହାବିଦ୍ୟାଳୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରାୟଗଡ଼ା ଜିଲ୍ଲାର ଗୁଣପୁର ଠାରେ ଦୀର୍ଘ ୧ ବର୍ଷ ଧରି ଅମୂଲ୍ୟ ଭାରତ ସଙ୍ଗୀତ କଳା ପରିଷଦ ମହାବିଦ୍ୟାଳୟ ନାମରେ ଛାତ୍ର ଛାତ୍ରୀ ଙ୍କୁ ସଙ୍ଗୀତ, ନୃତ୍ୟ, ଶିଳ୍ପ କଳା, ବାଦ୍ୟଯନ୍ତ୍ର ଶିକ୍ଷା ଦେବାରେ ଅଗ୍ରସର ହୋଇ ବହୁ ନାମ କମାଇଛି। ବର୍ତ୍ତମାନ୍ ଏହି ମହାବିଦ୍ୟାଳୟ ରେ ଶିକ୍ଷା ନେଉଥିବା ଶିଳ୍ପକଳା ବିଭାଗର ବିଦ୍ୟାର୍ଥୀ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ର ଦୃଶ୍ୟ, କାର୍ଯ୍ୟରତ ବ୍ୟକ୍ତି ବିଶେଷ ଙ୍କ ଦୃଶ୍ୟ ଏବଂ ବିଭନ୍ନ ପୁରାତନ ଶୀଳ୍ପି ରାଜି ର ଦୃଶ୍ୟକୁ ପେନସିଲ୍ ଓ କାଳୀ ମୁନରେ ଆଙ୍କି ସ୍ଥାନୀୟ ଜନ ସାଧାରଣ ଙ୍କ ଚର୍ଚ୍ଚା ର ପରିସରକୁ ଆସିବା ସହ ପ୍ରସଂଶା ର ପାତ୍ର ହୋଇପାରିଛନ୍ତି।

ଏହି ବିଭାଗ ର ବିଦ୍ୟାର୍ଥୀ ଆଦିବାସୀ ବହୁଳ ଅଞ୍ଚଳ କୁ ଯାଇ ସେମାନଙ୍କ କଳା ସାଉଁଟି ଆଣି ଚିତ୍ର କଳା ମାଧ୍ୟମ ରେ ଲିପି ବଦ୍ଧ କରି ରଖିବା ପ୍ରୟାସ ଆଗାମୀ ଦିନରେ ଶବର ଚିତ୍ର କଳା କୁ ବିଶ୍ଵ ଦରବାରରେ ପହଞ୍ଚାଇ ପାରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପଞ୍ଚାନନ୍ ଚୌଧୁରୀ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଏହି ମହାବିଦ୍ୟାଳୟ ରେ ଅଧ୍ୟୟନରତ ଶିଳ୍ପ କଳା ବିଭାଗର ବିଦ୍ୟାର୍ଥୀ ମହେନ୍ଦ୍ର ଗମାଙ୍ଗ ଗାଁ ଆଖଡା ଭଳି ରିୟାଲିଟି ସୋ ରେ ନିଜର ଚିତ୍ର କଳା ପଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। ଏହି ଭଳି ଏଠାର ସଙ୍ଗୀତ ବିଭାଗରେ ଅଧ୍ୟୟନରତ୍ ବିଦ୍ୟାର୍ଥୀ ବିରାଜୀନୀ ଶବର ଆକାଶ ବାଣୀ ରେ କଣ୍ଠଦାନ କରି ପ୍ରଶଂସିତ ହୋଇଛନ୍ତି। ସୁଶ୍ରୀ. ବିରାଜୀନୀ ରାଜ୍ଯ ସରକାର ଙ୍କ ମିଶନ୍ ଶକ୍ତି ପକ୍ଷରୁ ରାୟଗଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମ ଓ ବଲାଙ୍ଗୀର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଠଦାନ କରି ରାଜ୍ଯ ସରକାର ଙ୍କ ପକ୍ଷରୁ ପ୍ରଶଂସିତ ହୋଇଛନ୍ତି। ଏହାଙ୍କ ଆଗାମୀ ଉଚ୍ଚ ଶିକ୍ଷା ନିମନ୍ତେ ଆବଶ୍ୟକ ସମସ୍ତ ସହଯୋଗ ମୁଖ୍ୟମନ୍ତ୍ରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ମହାବିଦ୍ୟାଳୟରେ ଅଧ୍ଯାପକ ଭାବେ ବିଭିନ୍ନ କ୍ଷେତ୍ର ରେ ପାରିଦର୍ଶିତା ଲାଭ କରିବା ସହ ସମ୍ପୃକ୍ତ ବିଭାଗରେ ପି.ଏଚ୍.ଡି ଏବଂ ଏମ୍.ଫିଲ୍ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅଧ୍ୟାପକ ଭାବେ ପାଇଥିବାରୁ ଏହାଙ୍କ ମାର୍ଗ ଦର୍ଶନ ଓ ଶିକ୍ଷଣଶୈଳୀ ବିଦ୍ୟାର୍ଥୀ ଙ୍କୁ ଆଗକୁ ନେଇ ପାରିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ. ଚୌଧୁରୀ ଆଶା ପ୍ରକାଶ କରିଛନ୍ତି।

ଗୁଣପୁର ଉପଖଣ୍ଡ ରେ ସପ୍ତାହନ୍ତ ସଟଡାଉନ୍ ସଫଳ..!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ମହାମାରୀର ଦ୍ରୁତ ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଦ୍ଵିତୀୟ ପର୍ଯ୍ୟାୟ ସପ୍ତାହନ୍ତ ସଟ୍ ଡାଉନ୍ ର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ. ସୋନାଲ ଜେନା ଭିଡିଓ ସନ୍ଦେଶ ମାଧ୍ୟମରେ ଉପଖଣ୍ଡ ଅଧିବାସୀ ଙ୍କୁ ସଟଡାଉନ୍ ପାଳନ କରିବା ନିମନ୍ତେ ବାର୍ତ୍ତା ଦେଇ ଏଥିରେ ପ୍ରଶାସନକୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା ର ଗୁଣୁପୁର ଉପଖଣ୍ଡ ରେ ଦ୍ଵିତୀୟ ପର୍ଯ୍ୟାୟ ସପ୍ତାହନ୍ତ ସଟ୍ ଡାଉନ୍ କଡ଼ାକଡ଼ି ଭାବେ ପାଳନ ହୋଇଥିବା ଦେଖିବାକୁ ମିଳିଛି। ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଗୁଣୁପୁର, ଗୁଡାରି, ପଦ୍ମପୁର, ରାମନାଗୁଡ଼ା, ମୁନିଗୁଡା, ବିଷମ କଟକ ପ୍ରଭୃତି ସହରାଞ୍ଚଳରେ ସଟ୍ ଡାଉନ ଘୋଷଣା କରାଯାଇଛି, ଫଳରେ ଦୋକାନ ବଜାର ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସେବା କୁ ଅନୁମତି ଦିଆଯାଇଥିବା ବେଳେ ସହରର ବିଭିନ୍ନ ଛକ ଗୁଡିକରେ ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଛି । ଗୁଣୁପୁର ତହସିଲଦାର ଏଫ୍. ଏକ୍କା ଓ ଥାନା ଭାରପ୍ରାପ୍ତ ଅଧିକାରୀ ମୋନଜ କୁମାର ବେହେରା, ଅତିରିକ୍ତ ତହସିଲଦାର କପିଳେଶ୍ଵର ତାଣ୍ଡି ଙ୍କ ନେତୃତ୍ୱରେ ଗୁଣପୁର ଠାରେ ଚେକିଂ କଡାକଡି କରାଯାଇଛି ।

ସହରର ବାଘୁଆ ଶିବ ମନ୍ଦିର ନିକଟରେ କ୍ଷତ ଅବସ୍ଥାରେ ପଡିଥିବା ଏକ ବାଛୁରୀ କୁ ସଟଡାଉନ୍ କେହି ଚିକିତ୍ସା ନିମନ୍ତେ ନେଇ ନଥିବା ହେତୁ ପୋଲିସ ର ପେଟ୍ରୋଲିଂ ସମୟରେ ଯାଇଥିବା ଏସ୍. ଆଇ ଶ୍ରୀ ସୁକାନ୍ତ ବେହେରା ଦେଖି ପ୍ରାଣୀ ଚିକିତ୍ସା ବିଭାଗରେ କାର୍ଯ୍ୟରତ ଚିକିତ୍ସକ ଙ୍କୁ ଡ଼ାକି ବାଛୁରୀ ର ଚିକିତ୍ସା କରାଇଥିଲେ। ବାଛୁରୀଟିର ଚିକିତ୍ସା ପାଇଁ ଶ୍ରୀ ବେହେରା ଙ୍କ ଠାରୁ ଖବର ପାଇ ବ୍ଲକ ପ୍ରାଣୀ ଚିକିତ୍ସକ ଡଃ. ରାଧେଶ୍ୟାମ ଦାଶ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ବିଷ୍ଣୁ ଚରଣ ଶବର, ପ୍ରାଣୀଧନ ନିରୀକ୍ଷକ ଜଗଦିଶ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ବାଛୁରୀ ର କ୍ଷତ ସ୍ଥାନକୁ ପଟି ଦେବା ସହ ଚିକିତ୍ସା କରିଥିଲେ। ଶ୍ରୀ ବେହେରା ଙ୍କ ଏଭଳି କାର୍ଯ୍ୟ କୁ ବୁଦ୍ଧୀଜୀବି ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।

‘ଦକ୍ଷତା ବିକାଶ ନାଁରେ ଠକୁଛନ୍ତି ସରକାର, ନିଯୁକ୍ତି ନାଁରେ ୫୬୮ କୋଟି ହେରଫେର’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ଦକ୍ଷତା ବିକାଶ ନାଁରେ ହେଉଛି ବ୍ୟାପକ ଠକେଇ । ଯୋଗ୍ୟତା ନଥିବା କିଛି ବିଦେଶୀ କଂପାନୀଙ୍କୁ  ଅହେତୁକ ଅନୁକଂପା ଦେଖାଇଛନ୍ତି ସରକାର। ଓଡ଼ିଶା ଯୁବକଙ୍କୁ ଠକାଯାଇ ନିଯୁକ୍ତି ନାଁରେ ୫୬୮ କୋଟି ଟଙ୍କାର ହେରଫେର୍ ହୋଇଛି ।   ଏପରି ସିଏଜି ରିପୋର୍ଟରେ ଉଲ୍ଲେଖ ଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା  ଲେଖାଶ୍ରୀ ସାମନ୍ତସିଂହାର। ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଦେଇଥିବା ସୂଚନା ଅନୁଯାୟୀ,  ସିଏଜି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଦିନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନ ଆସିଲା, ଯେଉଁଥିରେ ଦେଶର ଗ୍ରାମୀଣ ଯୁବକଙ୍କୁ ଟ୍ରେନିଂ ଦିଆଯାଇ ନିଯୁକ୍ତି ଦିଆଯିବା ନିମନ୍ତେ ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର  ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୬୦-୪୦ ପ୍ରତିଶତ ଭାଗିଦାରିରେ ଏହା ହେବ ବୋଲି ସ୍ଥିର କରାଯାଇଥିବା ବେଳେ ପଞ୍ଚାୟତରାଜ ବିଭାଗ କିନ୍ତୁ ସମ୍ପୂର୍ଣ୍ଣ ଟଙ୍କାକୁ ହେରଫର କରିଛି, ହଡ଼ପ କରିଛି।  ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି। ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଓ ବିଭାଗୀୟ ସଚିବ ଦେଓରଞ୍ଜନ କୁମାର ସିଂହଙ୍କୁ ଏଥିନିମନ୍ତେ ଦାୟୀ କରିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି ଦେଓରଞ୍ଜନ କୁମାର ସିଂହଙ୍କୁ ୮-୯ ବର୍ଷ ହେବ ସେହି ଦାୟିତ୍ୱରେ ଅଛନ୍ତି। ଦୁର୍ନିତି ଅଭିଯୋଗ ପରେ ବି ସେ ସେଠାରେ ଅଛନ୍ତି।  ଏହାବ୍ୟତୀତ ଓରମାସ ମାଧ୍ୟମରେ ଯୁବକଙ୍କୁ ଲୁଟାଯିବା ସହ ଚାକିରି ମିଳୁ ନ ଥିବା ସିଏଜି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ।  ଓରମାସ ମୁଖ୍ୟ ବି.ଏନ୍‌ ଦାସ ନିଜ ପଦରେ ଗତ ୨୧ ବର୍ଷ ହେଲା ରହିଛନ୍ତି। ଯେତିକି ବର୍ଷ ବିଜେଡ଼ିର ଆୟୂଷ ଓରମାସରେ ବି.ଏନ୍‌ ଦାସଙ୍କ ଆୟୂଷ ମଧ୍ୟ ସେତିକି ବୋଲି କହିଛନ୍ତି ଲେଖାଶ୍ରୀ। ନିୟମ ଅନୁଯାୟୀ, କୌଶଳ ବିକାଶ ପାଇଁ ମନୋନୀତ ହେବାକୁ ଥିବା  ଏଜେନ୍ସିକୁ ପ୍ରୋଜେକ୍ଟ ସ୍କ୍ରିନିଂ କମିଟି ମନୋନିତ କରି  ପ୍ରୋଜେକ୍ଟ ଦେବ। ସେହି ଏଜେନ୍ସି ସରକାରଙ୍କଠାରୁ ଟଙ୍କା ନେଇ ପିଲାଙ୍କୁ ଟ୍ରେନିଂ ଦେବ। ଯେଉଁମାନଙ୍କ ୩ ବର୍ଷର ଅଭିଜ୍ଞତା ଥିବ, ଯେତିକି ଟର୍ଣ୍ଣ ଓଭର ଥିବ ତାହାର ୪ ଗୁଣା ଟଙ୍କା ଦିଆଯାଇପାରିବ।  ୭୦ ଭାଗ ଟ୍ରେନିଂ ଓ  ୫୦ ପ୍ରତିଶତ ନିଯୁକ୍ତି ଦିଆଗଲେ ଉକ୍ତ କମ୍ପାନୀକୁ ପରବର୍ତ୍ତି  ପ୍ରୋଜେକ୍ଟ ଦିଆଯିବା ନିମନ୍ତେ ଉଲ୍ଲେଖ ରହିଛି। ମାତ୍ର ରାଜ୍ୟ ସରକାର ଏହାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରିଛନ୍ତି।ରାଜ୍ୟ ସରକାରଙ୍କ କହିବାନୁଯାୟୀ, ଲକ୍ଷେ ୩୧ ହଜାର ଯୁବକଙ୍କୁ ଟ୍ରେନିଂ ଦିଆଯାଇଥିବା ବେଳେ ୯୭ ହଜାର୧୯୮ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି।  ମାତ୍ର ସିଏଜି ରିପୋର୍ଟ ଅନୁସାରେ ଏହା ସମ୍ପୂର୍ଣ୍ଣ ମିଥ୍ୟା।  ୯୫ଟି ଏଜେନ୍ସିକୁ ସରକାର ପ୍ରୋଜେକ୍ଟ ଦେଇଥିଲେ, ସେଥିରୁ ୨୬ ଏଜେନ୍ସି ପ୍ରଥମ ପର୍ଯ୍ୟାୟ ଟଙ୍କା ନେଲା ପରେ ଗାଏବ ହୋଇଗଲେ। ୪ଟି ଏଜେନ୍ସିକୁ ୭୬ କୋଟି ଦିଆଯାଇଛି। ସବୁଠୁ ବଡ଼ ଘୋଟାଲା ହୋଇଛି ଏକ ଅଷ୍ଟ୍ରେଲିଆ କମ୍ପାନି ସହ।  ଏହି କମ୍ପାନୀର ଯୋଗ୍ୟତା ଥିଲା ୭୬ ଲକ୍ଷ। ତେଣୁ  ତାକୁ ୪ ଗୁଣ ଅର୍ଥାତ ପାଖାପାଖି ୩ କୋଟି ମିଳିବା କଥା। କିନ୍ତୁ ବିଭାଗ ସଚିବ  ଦେଓ ରଞ୍ଜନ ସିଂ, ସ୍କିଲ ଡେଭଲେପମେଣ୍ଟ ସଚିବ ସଞ୍ଜୟ ସିଂ, ଓରମାସ ଏକଜିକ୍ୟୁଟିଭ ଡାଇରେକ୍ଟର କମ୍ପାନୀ ଟଙ୍କାରେ ଅଷ୍ଟ୍ରେଲିଆ ଯାଇ ବୁଲାବୁଲି କଲେ। ସେଠାରୁ ଫେରିବା ପରେ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ସାଢେ ୮ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୧.୭୬ କୋଟି ଦିଆଗଲା। ତେଣୁ  ଏହି ୩ ଜଣଙ୍କ ନାଁରେ ତଦନ୍ତ କରି ତୁରନ୍ତ ନିଲମ୍ବନ କରାଯିବା ନିମନ୍ତେ ବିଜେପି ପକ୍ଷରୁ ଦାବି ହୋଇଛି। ଏହାବ୍ୟତୀତ ଏସକର୍ଟ ଲିମିଟେଡ ନାମକ କମ୍ପାନୀ ୨ ହଜାର ୨ଶହ ଯୁବକଙ୍କୁ ଟ୍ରେନଂ ଦେଇ ୧୭ଶହ ଯୁବକଙ୍କୁ ନିଯୁକ୍ତି ଦେବ ବୋଲି କହି ୨୭ କୋଟି ନେଇଥିଲା। ହେଲେ ୧୫୭ ଯୁବକଙ୍କୁ ନିଯୁକ୍ତି ଦେଇଥିବା ସ୍ପଷ୍ଟ ହେଲା। ତେଣୁ ରାଜ୍ୟ ସରକାର ଓଡ଼ିଶାର ଯୁବକଙ୍କୁ ଠକିଛନ୍ତି। ଯୁବକମାନେ ନିଯୁକ୍ତି ପାଇପାରୁ ନ ଥିବାରୁ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଓଡ଼ିଶାରେ ସେମାନଙ୍କ ଦକ୍ଷତା ବିକାଶ ହୋଇପାରିଥିଲେ, ଏହି ଯୁବକମାନଙ୍କୁ ନିଜ ଭିଟାମାଟି ଛାଡ଼ି ବାହାରକୁ ଯିବାକୁ ପଡ଼ୁ ନ ଥାନ୍ତା। ତେଣୁ ଏହି ଘଟଣାର ଭିଜିଲାନ୍ସ ଓ ସିବିଆଇ ତଦନ୍ତ ଦାବି କରିଛି ବିଜେପି।

ଆଜିଠୁ ସପ୍ତାହାନ୍ତ ଶଟଡାଉନ୍‌; ଚେକିଂ କଡ଼ାକଡ଼ି, ଅମାନିଆଙ୍କ ଉପରେ ନଜର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହୋଇଛି ସପ୍ତାହାନ୍ତ ଶଟଡାଉନ୍‌। କରୋନା ସଂକ୍ରମଣରେ ରୋକ୍ ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିବା ସପ୍ତାହାନ୍ତ ସଟଡାଉନ୍ ପାଳନ ପାଇଁ ଆଜି ସକାଳୁ ସବୁଠି ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ଶଟଡାଉନ୍ ଅବଧି ଆଜି ସକାଳୁ ଆରମ୍ଭ ହୋଇ ସୋମବାର ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଅବଧି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ‘ମୋ ବସ୍‌’ର ନିୟମିତ ସେବା ବନ୍ଦ ରହିବା ନେଇ ଦି କ୍ୟାପିଟାଲ୍‌ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌ ବେଳେ ମୋ ବସ୍‌ର ନିୟମିତ ସେବା ବନ୍ଦ ରହିଲେ ମଧ୍ୟ ରେଲୱେ ଷ୍ଟେସନ୍‌ରୁ ଯାତ୍ରୀଙ୍କୁ ନେବା ପାଇଁ ଏହା ଚାଲିବ। ରେଲୱେ ଷ୍ଟେସନ୍‌ରୁ କଟକ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ ‘ମୋ ବସ୍‌’। ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ଷ୍ଟେସନକୁ ସେବା ମିଳିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।  ସପ୍ତାହାନ୍ତ ସଟଡାଉନ୍ ବେଳେ ସକାଳ ୫ଟାରୁ ୬ଟା ଯାଏଁ ୧ ଘଣ୍ଟା ଲାଗି ମର୍ଣ୍ଣିଂ ଓ୍ବାକ୍, ଜଗିଂ ଓ  ସାଇକ୍ଲିଂ ଆଦି ବ୍ୟାୟାମ ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି । ସହରାଞ୍ଚଳରେ ଦୁଇ ଦିନିଆ ଶଟଡାଉନ୍ ବେଳେ ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ୬୮ଟି ପଏଣ୍ଟରେ ଚେକିଂ ହେଉଛି । ଟ୍ୱିନ୍‌ ସିଟି (ଭୁବନେଶ୍ୱର ଓ କଟକ)ରେ ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛନ୍ତି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।  କଟକର ୨୫ ଓ ଭୁବନେଶ୍ୱରରେ ୪୩ ଜାଗାରେ ନାକା ପଏଣ୍ଟ ହୋଇଛି । ଏହି ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ନିବେଦନ ସହ ଅମାନିଆଙ୍କ ଉପରେ  କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି । ସିପି ଆହୁରି କହିଛନ୍ତି, ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଇଁ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ସ୍ପେଶାଲ ପାସ୍ ବ୍ୟବସ୍ଥା କରାଯାଇ ନାହିଁ। ସେମାନେ ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ।

ଶଟଡାଉନରେ ରାଜଧାନୀବାସୀଙ୍କୁ ଘରେ ମିଳିବ ମାଛ, ଅଣ୍ଡା ଓ କ୍ଷୀର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜଧାନୀବାସୀ ଶଟଡାଉନବେଳେ ଘରେ ବସି ମାଛ, ଚିକେନ୍ , ଅଣ୍ଡା ଓ କ୍ଷୀର ପାଇପାରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଚିଲିକା ଫ୍ରେସ, ଓପେଲଫେଡ୍ ଓ ଓମ୍‌ଫେଡ୍ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ତେବେ ମାଛ, ଚିକେନ୍ ଓ ଅଣ୍ଡାର ହୋମ୍ ଡେଲିଭରୀ ପାଇଁ ସର୍ବନିମ୍ନ ୪୯୯ଟଙ୍କା ଏବଂ କ୍ଷୀର ନିମନ୍ତେ ସର୍ବନିମ୍ନ ୧୦୦ଟଙ୍କାର ଅର୍ଡର କରିବାକୁ ପଡ଼ିବ। ମାଛ ଓ ଅଣ୍ଡାର ହୋମ୍ ଡେଲିଭରୀ ପାଇଁ ଗ୍ରାହକଙ୍କୁ ଅଧିକ ୫୦ଟଙ୍କା ଓ କ୍ଷୀରର ହୋମ୍ ଡେଲିଭରୀ ପାଇଁ ୩୦ଟଙ୍କା ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠୁ ପ୍ରତି ଶନିବାର ଓ ରବିବାର ଶଟଡାଉନ୍ ଘୋଷଣା କରିଥିବାବେଳେ ରାଜଧାନୀବାସୀଙ୍କୁ ଏହି ହୋମ୍ ଡେଲିଭରୀ ସୁବିଧା ଯୋଗାଇ ଦେବାକୁ ଚିଲିକାଫ୍ରେସ୍‌, ଓପେଲଫେଡ୍ ଓ ଓମଫେଡ୍ ପକ୍ଷରୁ ଆବଶ୍ୟକ ମୋବାଇଲ ନମ୍ବର ଜାରି ହୋଇଛି। ଚିଲିକା ଫ୍ରେସରୁ ମାଛ ପାଇବା ପାଇଁ ସକାଳ ୭ଟାରୁ ୯ଟା ଏବଂ ଦିନ ୧ଟାରୁ ୩ଟା ମଧ୍ୟରେ ବୁକିଂ କରିବାକୁ ପଡ଼ିବ। ଆଉ ଏହି ସାମଗ୍ରୀ ସକାଳ ୯ଟାରୁ ୧୨ଟା ଏବଂ ୪ଟାରୁ ୬ଟା ମଧ୍ୟରେ ଗ୍ରାହକଙ୍କୁ ଘରେ ଯୋଗାଇ ଦିଆଯିବ। ଶିରିପୁର, ସିଆରପି ଛକ, ଶହୀଦ ନଗରରେ ଥିବା ଚିଲିକାଫ୍ରେସ୍‌ର ମୋବାଇଲ ନମ୍ବର ଯଥାକ୍ରମେ ୯୦୪୦୧୪୪୦୬୫, ୯୮୬୧୫୧୧୧୯୮, ୮୨୪୯୫୯୯୭୩୩ ନମ୍ବରରେ ଯୋଗାଯୋଗ କରି ତଟକା ମାଛର ହୋମ୍ ଡେଲିଭରୀ ସୁବିଧା ପାଇପାରିବେ। ସେହିପରି ଅଣ୍ଡା ଓ ଚିକେନ୍ ପାଇଁ ଶହୀଦ ନଗର, ଆଇଆରସି ଭିଲେଜ, ଓୟୁଏଟି କ୍ୟାମ୍ପସ ଓ ଚନ୍ଦ୍ରଶେଖରପୁରର ଓପଲେଫେଡ୍ କାଉଣ୍ଟର ସହ ଯଥାକ୍ରମେ ମୋବାଇଲ ନମ୍ବର ୮୪୮୦୨୨୬୦୮୬,୯୪୩୯୩୪୯୫୨୧,୭୮୭୩୦୦୯୬୧୯ ଓ ୯୫୮୩୨୬୨୨୯ ସହ ଯୋଗାଯୋଗ କରି ହୋମ୍ ଡେଲିଭରି ସୁବିଧା ପାଇପାରିବେ। ସେହିପରି କ୍ଷୀର ଓ ଅନ୍ୟ ଦୁଗ୍ଧଜାତ ସାମଗ୍ରୀ ଯଥା ଦହି,ପନୀର, ଲସି, ଘିଅ, ପେଡ଼ା ଆଦି ସାମଗ୍ରୀ ନିମନ୍ତେ ସକାଳ ୬ଟାରୁ ଅପରାହ୍ନ ୪ଟା ମଧ୍ୟରେ ଅର୍ଡର କରିପାରିବେ। ଏଥିପାଇଁ ଓମଫେଡ୍ ପକ୍ଷରୁ ୪ଟି ମୋବାଇଲ ନମ୍ବର ଜାରି ହୋଇଛି । ଏହି ନମ୍ବର ଗୁଡ଼ିକ ହେଲା ୯୪୩୭୧୩୧୯୪୯, ୯୪୩୯୭୧୮୧୫୧, ୭୦୦୮୨୬୭୨୭୬ ଓ ୯୪୩୯୯୨୩୬୮୯କୁ ଫୋନ୍ ଅବା ହ୍ୱାଟସଅପ ମାଧ୍ୟମରେ ଅର୍ଡର ଦେଇହେବ ବୋଲି ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱିଗି ଆପ୍ ମାଧ୍ୟମରେ ବି ଓମଫେଡ୍ ସାମଗ୍ରୀର ଅର୍ଡର କରାଯାଇପାରିବ।