ହାଇଦରକୁ ଧରିଲା କିଏ? ଓଡ଼ିଶା ନା ତେଲେଙ୍ଗାନା ପୁଲିସ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏସ୍‌ସିବିରୁ ଚମ୍ପଟ ମାରିଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିଲା କିଏ? କମିଶନରେଟ୍‌ ପୁଲିସ ନା ହାଇଦ୍ରାବାଦ ପୁଲିସ। ହାଇଦର ଧରାପଡ଼ିବା ପରେ ଉଭୟ ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟ ପକ୍ଷରୁ କରାଯାଉଥିବା ଦାବିକୁ ନେଇ ଉଠିଛି ସନ୍ଦେହ। ଆଜି ହାଇଦର ଧରାପଡ଼ିବା ନେଇ କଟକ-ଭୁବନେଶ୍ୱର ପୁଲିସ କମିଶନର ସାମ୍ୱାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଥିଲେ। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ-“ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କଟକ ପୁଲିସ ତେଲେଙ୍ଗାନାରୁ ଧରିଛନ୍ତି। ତେଲେଙ୍ଗାନା ପୁଲିସ ସହାୟତାରେ ସଙ୍ଗାରେଡି ଜିଲ୍ଲାରୁ ଗିରଫ କରିଛି। ସେ ବାଇକ୍‌ରେ ଯିବା ବେଳେ ଆମ ଟିମ୍‌ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ।” ଏନେଇ ଡିଜିପି ଓଡ଼ିଶା ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଛି। ସେଥିରେ ପୁଲିସ କମିଶନର ଏସ୍‌.କେ ପ୍ରିୟଦର୍ଶୀଙ୍କୁ ପ୍ରଶଂସା କରାଯାଇଛି। ସେଥିରେ ଉଲ୍ଲେଖ ରହିଛି ଯେ, କମିଶନର ଏସ୍‌.କେ ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତିକ ଜି ସିଂହଙ୍କ ନେତୃତ୍ୱରେ ଫେରାର ହାଇଦରକୁ ହାଇଦ୍ରାବାଦରୁ ଗିରଫ କରାଯାଇଛି। ସେପଟେ ହାଇଦ୍ରାବାଦ ସିଟି ପୁଲିସ୍‌ ପକ୍ଷରୁ ଏକ ଟ୍ୱଟ୍‌ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାରୁ ଫେରାର ଥିବା ଅପରାଧୀ ହାଇଦରକୁ ହାଇଦ୍ରାବାଦ ପୁଲିସ ଦ୍ୱାରା ଗିରଫ କରାଯାଇଛି। ୬୦ ବର୍ଷୀୟ ଜଘନ୍ୟା ଅପରାଧୀ ହାଇଦରକୁ ହାଇଦ୍ରାବାଦ ପୁଲିସ  ଧରିବାରେ ସକ୍ଷମ ହୋଇଥିଲା। ସମ୍ପୃକ୍ତ ଅପରାଧୀ ରଶ୍ମୀରଞ୍ଜନ ମହାପାତ୍ର ହତ୍ୟା ଅଭିଯୁକ୍ତ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି।ଏବେ ପ୍ରଶ୍ନ ଉଠୁଛୁ ହାଇଦରକୁ ଧରିଲା କିଏ? କାରଣ ଏସ୍‌ସିବିରୁ ଫେରାର ହେବା ପରେ ହାଇଦରକୁ ଧରିବା ପାଇଁ ଓଡ଼ିଶା ପୁଲିସ ଜୋରଦାର ଉଦ୍ୟମ ଆରମ୍ଭ କରିଥିଲା। ଯଦି ଓଡ଼ିଶା ପୁଲିସ ହାଇଦରକୁ ଧରିବାରେ ସଫଳ ହୋଇଛି, ତାକୁ ତେଲେଙ୍ଗାନା ପୁଲିସ ଶ୍ରେୟ ଦେବାକୁ ଚାହୁଁନାହିଁ କି ?

୫ ଦିନର ଖେଳ ଖତମ : ଗ୍ୟାଙ୍ଗଷ୍ଟର ହାଇଦର ହାତରେ ପୁଣି ହ୍ୟାଣ୍ଡକପ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୫ ଦିନର ଲୁଚକାଳି ଖେଳ ଖତମ। କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି। ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ତାକୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କଟକ ପୁଲିସ ତେଲେଙ୍ଗାନା ପୁଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଛଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିଶନର କହିଛନ୍ତି, ହାଇଦର ବାଇକରେ ଯିବା ବେଳେ ଆମ ଟିମ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ପୁଲିସ କମିଶନର କହିଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଶନିବାର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇଥିବା ବେଳେ ସେଠାରୁ ଫେରାର୍ ହୋଇଯାଇ ଥିଲା । ଏହାରି ଭିତରେ ଆଜି ତା’ର ପୁରୁଣା ସହଯୋଗୀ ୟାକୁବ ପୁଲିସ୍ ଆଗରେ ଆତ୍ମସମର୍ପଣ କରି ଥିଲା । କିନ୍ତୁ ହାଇଦର କେଉଁଠି ଥିଲା  ତା’ର ପତ୍ତା ମିଳୁ ନଥିଲା। ହାଇଦର ଚମ୍ପଟ ମାରିବା ନେଇ ଅନେକ ପ୍ରଶ୍ନ ଉଠିଥିଲା। ହାଇଦର ଖସିଯିବା ନେଇ ଭିନ୍ନ ଭିନ୍ନ ସ୍ଥାନକୁ ନେଇ ଚର୍ଚ୍ଚା ହେଉଥିଲା। କେବେ ବାଂଲାଦେଶ ତ କେବେ ପଶ୍ଚିମବଙ୍ଗକୁ ଖସିଯିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ସବୁ ସସ୍‌ପେନ୍ସ ଉପରୁ ଆଜି ପରଦା ହଟାଇଛି ପୁଲିସ। ତେବେ ହାଇଦରର ଫେରାର୍ ପଛରେ ତା’ର ସମ୍ପର୍କୀୟ ଥିବା ଚର୍ଚ୍ଚା ହୋଇଥିଲା। ଏମାନଙ୍କ ମଧ୍ୟରେ ପୁଅ, ଭାଇ, ଶଳା ଓ ପୁତୁରାଙ୍କ ସମେତ ଆଉ କିଛି ଘନିଷ୍ଠ ସମ୍ପର୍କୀୟ ସାମିଲ୍ ଥିବା ସୂଚନା ଆସିଥିଲା। ଏ ନେଇ ମଙ୍ଗଳାବାଗ ଥାନାରେ ଦିଆଯାଇଥିବା ଏଫଆଇଆରରୁ ସ୍ପଷ୍ଟ ହୋଇଥିଲା । ଶନିବାର ଏସସିବି ସର୍ଜରୀ ୱାର୍ଡରେ ହାଇଦର ରହୁଥିବା କ୍ୟାବିନ ନମ୍ବର-୫ରେ ସୁରକ୍ଷା ଦାୟିତ୍ୱରେ ଥିବା ଖୋଦ୍ ପୁଲିସ କନଷ୍ଟେବଲ ମହମ୍ମଦ ମୌସିମ୍ ଏଫଆଇଆରରେ ଲେଖିଥିଲେ। ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୁଲିସ ଏସକର୍ଟରେ କଟକ ଅଣାଯାଇଥିଲା। ଚିକିତ୍ସା ସମୟରେ ହାଇଦର ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ଶଳା ଓ ଜ୍ୱାଇଁ ପ୍ରମୁଖ କ୍ୟାବିନରେ ଦେଖା କରି କଥା ହୋଇଥିଲେ। ଗତ ଶନିବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କନଷ୍ଟେବଲ ଜଣକ  ଡ୍ୟୁଟି କରୁଥିବାବେଳେ ମଧ୍ୟ ଏହି ଲୋକମାନେ ହାଇଦର ପାଖକୁ ଆସିବା ସହ ହଠାତ୍ ତାଙ୍କ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇଥିଲେ। ଯାହାଫଳରେ ସେ ଅଚେତ ହୋଇଯିବାରୁ ଅଧିକ କିଛି ଜାଣିପାରିନଥିବା ମୌସିମ୍ ଅଭିଯୋଗ କରିଥିଲେ। ଫଳରେ ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ଏତଲାରେ ମୌସିମ୍ ଉଲ୍ଲେଖ କରିଥିଲେ।

ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ପଶ୍ଚିମଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟକର୍ଫ୍ୟୁ ସମେତ ସାପ୍ତାହିକ ଶଟଡାଉନ୍ ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବା ସହ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି। ସେହିପରି ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ।  ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ଆସନ୍ତା ୧୯ତାରିଖରୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରାଯିବ। ରାଜ୍ୟ ଭିତରେ ବସ୍ ଚଳାଚଳ କରିବ। ତେବେ ବସରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ ଓ କେବଳ ସିଟ୍ ଯେତିକି ସେହି ସଂଖ୍ୟକ ଯାତ୍ରୀ ଯିବେ। ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ସିନେମା ହଲରେ ସିଟ୍ କ୍ଷମତାର ୫୦ ପ୍ରତିଶତ ଆସନରେ ଦର୍ଶକଙ୍କୁ ଅନୁମତି ମିଳିବ। ଅପେରା ଓ ଯାତ୍ରା ଏକ ହଜାର ଲୋକଙ୍କୁ ନେଇ ଚାଲିପାରିବ। ତେବେ ସ୍ଥାନୀୟ ଜିଲ୍ଲାପାଳମାନେ ସ୍ଥିତିକୁ ଚାହିଁ ଏହି ଯାତ୍ରା ଓ ଅପେରା ପାଇଁ ଅନୁମତି ଦେବେ। ରାଜ୍ୟର ସମସ୍ତ ସରକାରୀ ଅଫିସଗୁଡ଼ିକରେ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶନାମା ଜାରି କରିବ । ତା’ଛଡ଼ା ଘରୋଇ ସଂସ୍ଥାର ଅଫିସଗୁଡ଼ିକ ଓ ବ୍ୟାଙ୍କଗୁଡ଼ିକରେ ଯଥାସମ୍ଭବ କମ୍ କର୍ମଚାରୀ ହୋଇପାରିବ ସେଥିରେ କାମ କରିବେ। ସେହିପରି ଧାର୍ମିକ, ସାଂସ୍କୃତିକ, ରାଜନୀତିକ ସଭା ଓ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ମନ୍ଦିରରେ କେବଳ ସେବକଙ୍କୁ ନେଇ ନୀତିକାନ୍ତି ପାଳନ ହେବ। ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି ହୋଇଛି । ଜିଲ୍ଲାପାଳମାନେ ଧାର୍ମିକ ଅନୁଷ୍ଠାନର ସ୍ଥିତିକୁ ଦେଖି ଆବଶ୍ୟକ ନିଷ୍ପତ୍ତି ନେବେ। ହାଟ ବଜାରରେ ପୂର୍ବଭଳି ବ୍ୟବସାୟୀମାନେ ଦୂରେଇ ବସି ବ୍ୟବସାୟ କରିବେ। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ଫେରିଲା ଶଟ୍‌ଡାଉନ୍, ପୂରା ରାଜ୍ୟରେ ନାଇଟ୍ କର୍ଫ୍ୟୁ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଏହାସହିତ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସାପ୍ତାହିକ ଶଟଡାଉନ୍ ସହ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ ଏବଂ ଅନ୍ୟ ୨୦ଟି ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଅତ୍ୟାବଶ୍ୟକ ସେବାକୁ ଏସବୁରୁ ବାଦ୍ ଦିଆଯିବ। ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। କୋଭିଡ୍ ସଂକ୍ରମଣ ମାମଲା ଦିନକୁ ଦିନ ଭୟଙ୍କର ହେଉଛି ଓ ବ୍ୟାପକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି। ତେଣୁ ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ସୀମାବର୍ତ୍ତୀ ଯେଉଁ ୧୦ଟି ଜିଲ୍ଲା ଯଥା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଥିଲା। କିନ୍ତୁ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ସରକାର ଏସବୁ ଜିଲ୍ଲାରେ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ କରିବେ। ଏସବୁ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସାପ୍ତାହିକ ଶଟଡାଉନ୍ ହେବ। ତେବେ ଏସବୁ ଏହି ଜିଲ୍ଲାର କେବଳ ସହରାଂଚଳ(ପୌରା ଓ ଏନଏସି) ପାଇଁ ଲାଗୁ ହେବ। ସେହିପରି ଭୁବନେଶ୍ୱର, କଟକ, ପୁରୀ ଆଦି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ବାକି ୨୦ଟି ଜିଲ୍ଲାରେ ଆସନ୍ତାକାଲିଠୁ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ। ଏହି ଜିଲ୍ଲାରେ ମଧ୍ୟ ଅତ୍ୟାବଶ୍ୟକ ସେବାକୁ ଏହି ନାଇଟକର୍ଫ୍ୟୁରୁ ବାଦ୍ ଦିଆଯିବ । ମାଲବାହୀ ପରିବହନ ଯଥାବତ୍ ଜାରି ରହିବ। ଶପିଂ ମଲ୍ ଓ ବ୍ୟବସାୟିକ ଦୋକାନ ମଧ୍ୟ ଖୋଲା ରହିବ । କିନ୍ତୁ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ ବାଧ୍ୟତାମୂଳକ ହେବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ସଂସ୍ଥାଠୁ ମିଳିଥିବା ପରିଚୟ ପତ୍ର ଦେଖାଇ ସେମାନେ ଯାତାୟତ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ଆଦିଗୁଡ଼ିକ ନିଜର ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବେ। ସରକାର ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରି ଜୀବିକା ପ୍ରଭାବିତ କରିବାକୁ ଚାହୁଁନାହାନ୍ତି । ତେଣୁ ଏସବୁ ଖୋଲା ରହିବ, କିନ୍ତୁ କୋଭିଡ୍ ଗାଇଡଲାଇନ୍‌କୁ ପାଳନ କରିବାକୁ ପଡ଼ିବ। ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।