କେବେ ସୁଧୁରିବ ଟ୍ରାଫିକ ଜାମ ସମସ୍ୟା ; ପ୍ରଶାସନ ଙ୍କ ବୈଠକ ଧୂଆଁ ବାଣ …!

!!!  କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କେନ୍ଦୁଝର)- ଦିନ କୁ ଦିନ ବଢି ଚାଲିଛି ଖଣି ଅଞ୍ଚଳ ରେ ଟ୍ରାଫିକ ଜାମ ସମସ୍ୟା, ପ୍ରଶାସନ ପକ୍ଷରୁ ବୈଠକ ପରେ ବୈଠକ କରି ଚାଲିଛନ୍ତି କିନ୍ତୁ ସେସବୁ ମାତ୍ର ଖାତା କଲମ ରେ ସୀମିତ ! ପ୍ରଶାସନ ତରଫରୁ ନିଆ ଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କାହିଁକି ହେଉନାହିଁ ତାକୁ ନେଇ ଅଞ୍ଚଳ ବାସୀ ଙ୍କ ବଡ଼ ପ୍ରଶ୍ନ ? ଅନେକ ଥର ବୈଠକ କରି ଯେଉଁ ଖଣି କମ୍ପାନୀ କିମ୍ବା ଶିଳ୍ପ ସଂସ୍ଥା ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରେ ତେବେ ତାଙ୍କୁ ଫାଇନ ଦେବାକୁ ପଡ଼ିବ ବୋଲି ଏକ ନିୟମ କରିଥିଲେ କିନ୍ତୁ ପ୍ରତ୍ୟେକ ଦିନ ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରୁଥିଲେ ସୁଦ୍ଧା କୈାଣସି ସମସ୍ୟା ର ସମାଧାନ କରୁ ନାହାନ୍ତି କାହିଁକି ବୋଲି ଚର୍ଚ୍ଚା ହେଉଛି ଅଞ୍ଚଳ ରେ !

ଏମିତି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର କାଳିମାଟି ଛକ ଠାରୁ ହାତୀମରା ଛକ ପର୍ଯ୍ୟନ୍ତ ଚାରି ଲାଇନ୍ କରି ରାସ୍ତା ପୁରା ପୁରି ଜାମ ହୋଇଥିବା ଦେଖିବାକୁ ମିଳିଛି ! ତେବେ ଏଠାରେ ଖଣି କମ୍ପାନୀ ଓ ଶିଳ୍ପ ସଂସ୍ଥା ପରିବହନ କାର୍ଯ୍ୟ କରି ମୁନାଫା ଟଙ୍କା କମାଇବା ପାଇଁ ବ୍ୟସ୍ତ ଥିବା ବେଳେ ଚାରି ଚକିଆ ଯାନ ଠାରୁ ଆରମ୍ଭ କରି ବାଇକ ଚାଳକ ମାନେ ନାହିଁ ନ ଥିବା ହିନସ୍ଥା ହେଉଛନ୍ତି ! ଏଥିପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ,ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଜନ ସାଧାରଣ !

ୱେବିନାର ମାଧ୍ୟମରେ କୋଭିଡ ସ୍ଥିତ ସମୀକ୍ଷା କଲେ ଜିଲ୍ଲାପାଳ ….!

!!!  ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା)- ଜିଲ୍ଲାରେ ଦିନକୁ ଦିନ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା କରିବାନିମନ୍ତେ ଜ୍ଜରସର ଉଦ୍ଧ୍ୟମ ଜାରିରଖିଛନ୍ତି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସୀମା ଚେକ ପଏଣ୍ଟ ଗୁଡିକରେ କଡାକଡି ଯାଞ୍ଚ କରାଯାଉଛି l ଆଜି ସେଭଳି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ୱେବିନlର ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି l ବିଶେଷ କରି ବିଭିନ୍ନ ବ୍ଲକର କୋଭିଡ କ୍ୟାର ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଆଗକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତୁତ ରଖିବା ପାଇଁ ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି କୋଭିଡ ଚିହ୍ନଟ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧ ମହଜୁଦ ସମ୍ପର୍କରେ ପଚାରି ବୁଝିଥିଲେ l ସେହିପରି ଜିଲ୍ଲାକୁ ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ ସଙ୍ଗରୋଧ ନିଶ୍ଚିତ କରାଇବl ନିମନ୍ତେ ସମସ୍ତ ବିଡ଼ିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l

ବଢ଼ୁଥିବା ରୋଗୀମାନଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ଆବଶ୍ୟକ ପଦକ୍ଷେ ନେବାକୁ ପ୍ରସ୍ତୁତ ରହିବାକୁ କହିଥିଲେ l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଯେ. ସନlଲ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼l. ଆର୍ତ୍ତବନ୍ଧୁ ନlୟକ ,ଉପଖଣ୍ଡ ଚିକିତ୍ସା ଅଧିକାରୀ ଗୁଣପୁର, ଡିପିଏମ ରାଜେଶ ପଟ୍ଟନାୟକ, ଜିଲ୍ଲାର ସମସ୍ତ ବିଡ଼ିଓ ମାନେ, ସମସ୍ତ ତହସିଲଦାର ମାନେ ଓ ସମସ୍ତ ପୌର ନିର୍ବାହୀ ଅଧିକାରୀ ମାନେ ଗୁଗୁଲ ମିଟିଂ ମାଧ୍ୟମରେ ଯୋଗଦେଇଥିଲେ l

ସବୁ କଲେଜ ଓ ବିଶ୍ୱବିଦ୍ୟାଳୟର କ୍ଲାସ୍ ଓ ପରୀକ୍ଷା ସ୍ଥଗିତ, ହଷ୍ଟେଲ ଖାଲି ପାଇଁ ନିର୍ଦ୍ଦେଶ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଓ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏହାସହିତ ସମସ୍ତ ହଷ୍ଟେଲକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଅବଗତ କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଏହି ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ତଥା ରାଜ୍ୟ ସରକାର କଟକଣା ଜାରି କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠପଢ଼ା (ଅନଲାଇନ୍ ପାଠପଢ଼ା ନୁହେଁ) ଓ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାରଠାରୁ ଏହି ପରୀକ୍ଷା ଓ କ୍ଲାସ ସ୍ଥଗିତ ରହିବ । ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ପରେ କୁଳପତି ଓ ପ୍ରିନ୍ସିପାଲମାନଙ୍କ ସହ ଆଲୋଚନା ପରେ ଘୋଷଣା କରାଯିବ। ଏହାସହିତ ହଷ୍ଟେଲଗୁଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ୧୯ତାରିଖ ସୋମବାର ସୁଦ୍ଧା ହଷ୍ଟେଲକୁ ନିଶ୍ଚିତ ଭାବେ ଖାଲି କରିବା ବାଧ୍ୟତାମୂଳକ ହେବ। କଲେଜ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଠିକ୍ ସମୟରେ ସାରିବା ପାଇଁ ଅନଲାଇନ୍ ମୋଡରେ କ୍ଲାସ୍ କରାଯିବ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ କ୍ଷମତାର ସର୍ବନିମ୍ନ ୫୦ ପ୍ରତିଶତ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନେଇ ଆସନ୍ତା ୧୯ତାରିଖରୁ ପରିଚାଳିତ ହେବ । ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନେ ଅଫିସ୍ କାର୍ଯ୍ୟ ଓ ଏକାଡେମିକ୍ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ କର୍ମଚାରୀମାନଙ୍କର ରୋଷ୍ଟର ଡ୍ୟୁଟି କରିବେ। ଅଧ୍ୟାପକମାନେ ନିଜର କଲେଜ ଅବା ବିଶ୍ୱବିଦ୍ୟାଳୟରୁ କିମ୍ବା ନିଜ ଘର ଅନଲାଇନରେ କ୍ଲାସ ନେଇପାରିବେ। ଅଧ୍ୟାପକ ଓ ଅଣଅଧ୍ୟାପକ କର୍ମଚାରୀମାନଙ୍କର ରୋଷ୍ଟର ଡ୍ୟୁଟି ନଥିବାବେଳେ ସେମାନେ ନିଜ ଘରକୁ ଡ୍ୟୁଟି କରିବେ ଓ ଖବର ପାଇବା ମାତ୍ରେ ନିଜର ଅନୁଷ୍ଠାନରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଉଚ୍ଚଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମା ମେଡିକାଲ କଲେଜଗୁଡ଼ିକ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି କୁହାଯାଇଛି।

ଏଣିକି ସପ୍ତାହରେ ଦୁଇଦିନ ଜଗା ଦର୍ଶନ ବନ୍ଦ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଏହି ଦୁଇ ଦିନ ସାଧାରଣ ଦର୍ଶନାର୍ଥୀ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ। ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ। ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କରୋନା ମହାମାରୀ ପାଇଁ ଆଗରୁ କେବଳ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହୁଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧକ୍ଷତାରେ ଆଜି ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ଛତିଶା ନିଯୋଗ ମହାନାୟକ, ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ। ଦୁଇ ଦିନ ତଳେ ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଥିଲା। ଏଥିରେ ପୁରୀରେ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟଙ୍କ ସମେତ ଜୋତା ଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ସାମିଲ ଅଛନ୍ତି। ଜଗନ୍ନାଥ ଟେମ୍ପଲ ପୁଲିସ୍‌ କର୍ମଚାରୀ ଓ ଜଣେ ମାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନା କୋପ ଦେଖି କିଛି ଦିନ ପୂର୍ବରୁ ପୁରୀରେ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି।। ପୁରୀରେ ପ୍ରବେଶ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା। ହୋଟେଲରେ ରହିବା ପୂର୍ବରୁ କୋଭିଡ୍ ନେଗେଟିଭ ରିପୋର୍ଟ ଯାଞ୍ଚ ହେବ। ଯେଉଁମାନେ ୨ ଡୋଜ ଟିକା ନେଇଥିବେ ସେମାନଙ୍କୁ ହିଁ ଛଡ଼ାଯିବ। ଏହି ନିୟମରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ଆଜିଠାରୁ ୬ ଦିନ ଖରିଆର୍ ରୋଡ୍ ଏନଏସି ଓ ଖଡ଼ିଆଳ ଏନଏସି ଅଞ୍ଚଳ ସମ୍ପୂର୍ଣ୍ଣ ଶଟଡାଉନ୍…!

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ନୂଆପଡ଼ା) – ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର କ୍ଷୀପ୍ର ଗତିରେ ମାଡ଼ିଚାଲିଛି। ଏହାକୁ ଦୃଷ୍ଟି ଆଗରେ ରଖି ବିଭିନ୍ନ ରାଜ୍ୟର ସରକାର କଠୋର ପଦକ୍ଷେପ ନେଇଛନ୍ତି। ଜିଲ୍ଲା ସ୍ତରରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ଖରିଆର୍ ରୋଡ୍ ଏନଏସି ଓ ଖଡ଼ିଆଳ ଏନଏସିକୁ ଶଟଡାଉନ୍ କରିଦିଆଯାଇଛି। ସଂକ୍ରମଣ ବୃଦ୍ଧିକୁ ଆଖି ଆଗରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ବଡ଼ ଘୋଷଣା କରିଛନ୍ତି। ଛତିଶଗଡ଼ ସୀମାନ୍ତରେ ଥିବା ଖରିଆର୍ ରୋଡ୍ ଏନଏସିକୁ ଆଜିଠାରୁ ୨୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟଡାଉନ୍ କରାଯାଇଛି। ଶଟଡାଉନ୍ ବେଳେ ସମସ୍ତ ଦୋକାନ, ରେଷ୍ଟୁରାଣ୍ଟ, ହୋଟେଲ୍, ଢାବା, ବ୍ୟାଙ୍କ, ଅଫିସ୍, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ମେଡିକାଲ୍ ଷ୍ଟୋର୍, ଏଲପିଜି ଗ୍ୟାସ, ପେଟ୍ରୋଲ୍ ପମ୍ପ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ। ଶଟଡାଉନ୍ ସମୟରେ ଆମ୍ବୁଲାନ୍ସ, ମେଡିକାଲ୍ ଗାଡ଼ି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିର ଚଳାଚଳ ଜାରିବ। ତେବେ ସାଧାରଣ ଲୋକଙ୍କ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିବ। ବିବାହ ଓ ଶୁଦ୍ଧି କାର୍ଯ୍ୟ ପାଇଁ ସ୍ୱତନ୍ତ ରିଲିଫ୍ କମିଶନଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ। ସେହିପରି ଆସନ୍ତାକାଲି ସକାଳ ୬ଟା ଠାରୁ ତାରିଖଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଖଡିଆଳ ଏନଏସିକୁ ଶଟଡାଉନ୍ କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଯାନ ବାହାନ ଚଳାଚଳ ବନ୍ଦ ରହିବା ସହ ଲୋକଙ୍କ ଚଳ ପ୍ରଚଳ ମଧ୍ୟ ବନ୍ଦ ରହିବ।

କେମିତି ଫେରାର୍‌ ହୋଇଗଲା ହାଇଦର ;ସିପି ଖୋଲିଲେ ରହସ୍ୟ ପେଡ଼ି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏସସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ୧୨୦ ଘଣ୍ଟାର ଅପରେସନ ପରେ ପୁଣି ଥରେ ପୁଲିସ୍‌ ଜାଲରେ ଧରା ପଡ଼ିଲା। ହାଇଦର ଖସିଯିବାକୁ ନେଇ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିବା କମିଶନରେଟ ପୁଲିସ୍‌ ପାଇଁ ଏହା ଏକ ଚ୍ୟାଲେଞ୍ଜ ଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ପୂରା କାହାଣୀ ବଖାଣିଛନ୍ତି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ହାଇଦର ଫେରାର ହେବାର ବହୁ କାହାଣୀ ସିପି ବଖାଣିଥିଲେ ମଧ୍ୟ ଅସମାହିତ ରହିଯାଇଛି ବହୁ ପ୍ରଶ୍ନ। ଆଗକୁ ହାଇଦରକୁ ପଚରାଉଚରା ପରେ ବହୁ ତଥ୍ୟ ଉନ୍ମୋଚନ କରାଯିବ ବୋଲି ସେ କହିଛନ୍ତି । ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ,  ସେକ ହାଇଦର ଜଣେ ଜଣାଶୁଣା କୁଖ୍ୟାତ ଅପରାଧୀ। ୨ଟି କେସ୍‌ରେ ସମ୍ବଲପୁର ଜେଲ୍‌ରେ ଆଜୀବନ ସଜା କାଟୁଥିଲା। ଅସୁସ୍ଥତା ହେତୁ ମାର୍ଚ୍ଚ ୨୩ରୁ ସମ୍ବଲପୁର ଜେଲ୍‌ରୁ SCB ଆସିଥିଲା ହାଇଦର। ମାତ୍ର ୧୭ ଦିନ ପରେ ଏପ୍ରିଲ ୧୦ ତାରିଖ ଅପରାହ୍ନ ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ଜଗିଥିବା ଗାର୍ଡକୁ ନିଶାଗ୍ରସ୍ତ କରି ଖସି ପଳାଇଥିଲା ଗ୍ୟାଙ୍ଗଷ୍ଟାର।ହାଇଦର ଫେରାର ହେବାର ପ୍ରାୟ ୩ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୭ଟା ପରେ ଏ ସମ୍ପର୍କରେ ଖବର ପାଇଥିଲା  କଟକ ପୁଲିସ୍‌। ଏହା ପରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଥିଲେ ମଧ୍ୟ ହାଇଦରର ଟେର ମିଳି ନ ଥିଲା। ଏହି ୩ ଘଣ୍ଟା ମଧ୍ୟରେ ସେ କାର୍‌ରେ କଟକ ପାର୍‌ ହୋଇ ହାଇଦ୍ରାବାଦ ଅଭିମୁଖେ ଚାଲି ଯାଇଥିଲା। ୩ ଘଣ୍ଟା ପର ପର୍ଯ୍ୟନ୍ତ ପୁଲିସ୍‌ ପାଖରେ କିଛି ଖବର ନ ଥିବାରୁ ହାଇଦର ପାଇଁ ତାହା ଗୋଲଡେନ୍‌ ଆୱାର ସାବ୍ୟସ୍ତ ହେଲା। ଏହି ସମୟର ସଦୁପଯୋଗ କରି ସେ  ଫେରାର ହୋଇଗଲା। ଏହାପରେ ରାଜ୍ୟ ବାହାରକୁ ଖସିଯାଇପାରେ ବୋଲି ସନ୍ଦେହ କରି କଟକ ପୁଲିସ୍‌ ଟିମ୍‌ କରି ପଶ୍ଚିମ ବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ ପଠାଇଥିଲା। ଏହା ମଧ୍ୟରେ ଟେକନିକାଲ  ସୁରାଗ ସହ ପୁରୁଣା କଣ୍ଟାକ୍ଟ ବି ଖୋଜିଲୁ। ପରେ ୟାକୁବ ଗିରଫ ହେଲା ବୋଲି କହିଛନ୍ତି ସିପି।ଏଥିସହ ସେ କହିଛନ୍ତି, ହାଇଦର ଆନ୍ଧ୍ର-ତେଲେଙ୍ଗାନା ପଟକୁ ଯାଇଥିବା ନେଇ ଗତ ୧୧ ତାରିଖରେ ଖବର ପାଇଲୁ। ବାଦାମବାଡ଼ି, ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ୨ଟି ଟିମ୍‌ ସେଠାରେ ୧୧ ତାରିଖ ରାତିରେ ଓ ୧୨ ତାରିଖ ସକାଳେ ପହଞ୍ଚି ଖୋଜାଖୋଜି ଆରମ୍ଭ କଲେ। ହାଇଦରର ପୁଅ ସେଠାରେ ଥିବାରୁ ସେ ଯାଇଥିବା ଆମେ ପୂର୍ବରୁ ସନ୍ଦେହ କରୁଥିଲୁ। ପାଖରେ ଥିବା ପିଲା ବି ତାକୁ ସହଯୋଗ କରୁଥିଲେ। ଏହାପରେ ସାଇବର ଟିମ୍‌ ସହାୟତାରେ ତା’ ଲୋକେସନ ଖୋଜିଲୁ। ସିସିଟିଭିରୁ କିଛି ତଥ୍ୟ ପାଇଲୁ। ଗୋଟିଏ ଗାଡ଼ିରେ ଫେରାର ହୋଇଥିବା ଜାଣିବାକୁ ପାଇଲୁ। ୧୩, ୧୪, ୧୫ ଅପରେସନ ଚାଲିଥିଲା। ହାଇଦ୍ରାବାଦ, ତେଲେଙ୍ଗାନା ପୁଲିସ୍‌ ଟିମ୍‌ ବି ସହାୟତା କରୁଥିଲେ। ଏହାପରେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଥିଲା। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଗତକାଲି ବାଇକ୍‌ରେ ହାଇଦର ଜଣଙ୍କ ସହ ଯାଉଥିବା ଜାଣିବାକୁ ପାଇ ତାକୁ କାବୁ କରିଥିଲୁ। ସେତେବେଳେ ତା’ ପାଖରେ କିଛି ମାରଣାସ୍ତ୍ର ନ ଥିଲା। ବାଦାମବାଡ଼ି ଆଇଆଇସି ତାକୁ କାବୁ କରି ସନ୍ଧ୍ୟା ସାଢେ ୬ଟାରେ ଗିରଫ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ସେଠାକାର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରି ଆଜି ସକାଳୁ ବିମାନ ଯୋଗେ ଭୁବନେଶ୍ୱର ଆଣି ସେଠାରୁ କଟକ ଆଣିଥିଲୁ। ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା କେସ୍‌ରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ। ଏହାପରେ ରିମାଣ୍ଡରେ ଆଣି କିପରି ଫେରାର ହେଲା, କିଏ ସାହାଯ୍ୟ କଲା, କଣ ଷଡ଼ଯନ୍ତ୍ର ଥିଲା ତା’ର ତଦନ୍ତ ହେବ। ଇତି ମଧ୍ୟରେ ତାର ୭ ସହଯୋଗୀଙ୍କୁ ପଚରାଉଚରା କରାଯାଉଛି। ଏହାବ୍ୟତୀତ ଓଡ଼ିଶାରୁ କିପରି ଫେରାର ହେଲା, ହାଇଦ୍ରାବାଦରେ କାହା ପାଖରେ ଥିଲା, ସବୁ ତଦନ୍ତସାପେକ୍ଷ ବୋଲି କହିଛନ୍ତି ସିପି । ଏସସିବିର ଢିଲା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବି ତଦନ୍ତ ହେବ। ଏଥିସହ ହାଇଦରକୁ ଫେରାର ହେବାରେ ଯେଉଁମାନେ ସହଯୋଗ କରିଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ହାଇଦରକୁ ଧରିବାକୁ ଯାଇଥିବା ଟିମ୍ ଲିଡ୍ କରୁଥିବା ବାଦାମବାଡ଼ି ଥାନା IIC ଇନ୍ସପେକ୍ଟର ରଶ୍ମି ମହାପାତ୍ର କହିଛନ୍ତି, ସିପି, ଡିସିପିଙ୍କ ନିର୍ଦ୍ଦେଶରେ ୨ଟି ଟିମ୍ ତେଲେଙ୍ଗାନା ଯାଇଥିଲୁ। ତେଲେଙ୍ଗାନାରେ ଆମେ ବିଭିନ୍ନ ଜାଗା ବାଇକରେ ବୁଲିଥିଲୁ। ଏପଟୁ ଟେକ୍ନିକାଲ ଟିମ୍‌ରୁ ଯାଉଥିବା ନିର୍ଦ୍ଦେଶ ସହାୟକ ହୋଇଥିଲା। ନିଜକୁ ଲୁଚେଇବା ପାଇଁ ହାଇଦର ପ୍ରାୟ ଏକୁଟିଆ ବୁଲୁଥିଲା। କାଲି ସଂଧ୍ୟା ବେଳେ ବାଇକରେ ଯିବା ବେଳେ ତାକୁ ଧରିଥିଲୁ। ହାଇଦର ଫେରାର ଘଟଣାରେ ୩ ଯୁବତୀଙ୍କ ସହ ୮ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ୍‌। ହାଇଦର ସହ ସେମାନେ ନିୟମିତ ଯୋଗସୂତ୍ରରେ ରହିଥିବା ସୂଚନା।

ଆଜିର ଅନୁଚିନ୍ତା – ଛାତ ଉପରେ ତୁଳସୀ ଗଛକୁ କଦାପି ରଖନ୍ତୁ ନାହିଁ …!

!!!  ପ୍ରବଚକ.ଜଗଦୀଶ ପ୍ରସାଦ   !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହିନ୍ଦୁ ଧର୍ମରେ ତଳସୀ ଗଛକୁ ଭଗବାନ କୃଷ୍ଣଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ଏଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛକୁ  ପୂଜା କରାଯାଏ। ତୁଳସୀ ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହି ଗଛରେ ଅନେକ ମହତ୍ତ୍ୱ ରହିଛି। ଏହା ସୁଖ, ସମୃଦ୍ଧତା ଏବଂ କଲ୍ୟାଣକାରୀ ଜୀବନର ପ୍ରତୀକ ବୋଲି କୁହାଯାଇଛି। ତେବେ ତୁଳସୀ ଗଛକୁ ଘରର ସଠିକ୍‌ ସ୍ଥାନରେ ଯଦି ନ ରଖାଯାଏ ତେବେ ଏହା ଅଶୁଭ ଫଳ ଦେଇଥାଏ। ତେଣୁ ତୁଳସୀ ଗଛକୁ ଘରର କେଉଁ ସ୍ଥାନରେ ରଖିବା ଉଚିତ ନୁହେଁ ଆସନ୍ତୁ ଜାଣିବା।

  • କିଛି ଲୋକଙ୍କ ଘରେ ସ୍ଥାନ ଅଭାବ ଯୋଗୁଁ ଲୋକମାନେ ଘରର ଛାତ ଉପରେ ତୁଳସୀ ଗଛକୁ ରଖନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ଗଛକୁ ଛାତ ଉପରେ ରଖିବା ଉିଚିତ ନୁହେଁ। ଏଭଳି ରଖିବା ଦ୍ୱାରା ଏହା ଅଶୁଭ ଫଳ ଦେଇଥାଏ।  ଘରକୁ ନକରାତ୍ମକ ଶକ୍ତି ପ୍ରେବଶ କରିଥାଏ।
  • ଯେଉଁମାନଙ୍କ ରାଶିଫଳରେ ବୁଧ ଗ୍ରହ ଧନ ସହ ସମ୍ପର୍କ ରଖିଥାଏ, ବାସ୍ତୁଶାସ୍ତ୍ର ଅନୁଯାୟୀ ସେହି ଲୋକମାନେ ଯଦି ତୁଳସୀ ଗଛକୁ ଘରର ଛାତ ଉପରେ ରଖି ପୂଜା କରୁଥିବେ ତେବେ ସେମନାଙ୍କ ଧନ ହାନୀ ଘଟିବ। ଏଥିସହ ଆର୍ଥୀକ ସମ୍ପୃକ୍ତି କମିଯିବ।
  • ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କ ଘରର ଛାତ ଉପରେ ତୁଳସୀ ଗଛ ରଖାଯାଇଥାଏ, ସେହି ଘରେ ପକ୍ଷୀ କିମ୍ବା ପାରା ଆସି ବସା ତିଆରି କରନ୍ତି। ଏହା ଅଶୁଭ ଲକ୍ଷଣ ଅଟେ।
  • ତୁଳସୀ ଗଛକୁ ଘରର ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ। ଏଭଳି ରଖିବା ଦ୍ୱାରା  ବ୍ୟବସାୟରେ କ୍ଷତି ହୋଇଥାଏ। ଏଥିସହ ପରିବାର ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଥାଏ।
  • ଯଦି ଆପଣ ତୁଳସୀ ଗଛକୁ ଛାତ ଉପରେ ରଖିଛନ୍ତି, ତେବେ ବିଶ୍ୱାସ ରହିଛି ଯେ ଘରର ଉତ୍ତର ଦିଗରେ ପିମ୍ପୁଡ଼ି ବାହାରିବା ଆରମ୍ଭ କରିବ କିମ୍ବା ଉତ୍ତର ଦିଗର କୌଣସି ନା କୌଣସି ସ୍ଥାନରେ ଫାଟ ସୃଷ୍ଟି ହେବା ଆରମ୍ଭ ହେବ।
  • ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛକୁ ସର୍ବଦା ଘରର ଉତ୍ତର ଦିଗ ତଥା ଐଶାନ୍ୟ କୋଣରେ ରଖିବା ଉଚିତ। ଅପଣ ଚାହିଁଲେ ତୁଳସୀ ଗଛକୁ ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ।  ଏଭଳି କରିବା ଦ୍ୱାରା ଘର ପରିବାରରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।
ଆଜିର ଅନୁଚିନ୍ତା – କେଉଁ ଦିଗକୁ ମୁହଁ କରି ପାଣି ପିଇବେ ,ଜାଣନ୍ତୁ ?

!!!  ପ୍ରବଚକ.ଜଗଦୀଶ ପ୍ରସାଦ   !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିଜ ସ୍ୱପ୍ନର ଘର ନିମନ୍ତେ ସମସ୍ତେ ବହୁ କଷ୍ଟ ସ୍ୱୀକାର କରିଥା’ନ୍ତି। ଘର ମଧ୍ୟରେ ହସଖୁସିରେ ପରିବାର ସହ ସମୟ ଅତିବାହିତ କରିବେ ବୋଲି ଭାବିଥାନ୍ତି। ହେଲେ ବେଳେ ଅଚାନକ ବିନା କୌଣସି କାରଣରେ ଘରେ ଅଶାନ୍ତି ସୃଷ୍ଟି ହୁଏ। ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବା ସହ ଶରୀର ଅସୁସ୍ଥ ରୁହେ। ଏଥିସହ ଧନହାନୀ ମଧ୍ୟ ହୋଇଥାଏ। ହୁଏତ ଏହା ପଛରେ ବାସ୍ତୁଦୋଷ ମୁଖ୍ୟ କାରଣ ହୋଇଥାଇପାରେ। ତେଣୁ ଘରେ ସାମାନ୍ୟ ବାସ୍ତୁ ଟିପ୍ସ ଫଲୋ କଲେ ଏହାର ସକାରାତ୍ମକ ପ୍ରଭାବ ନିଜ ଉପରେ ତଥା ପରିବାର ଉପରେ ପଡ଼ିଥାଏ। ଫଳରେ ବହୁ ବଡ଼ ବଡ଼ ସମସ୍ୟା ଚୁଟକିରେ ସମାଧାନ ହୋଇଯାଏ। ଆଜି ଆସନ୍ତୁ ଜାଣିବା ଏପରି କିଛି ଛୋଟ ଛୋଟ ବାସ୍ତୁ ଟିପ୍ସ ବିଷୟରେ।

  • ଘରର ମୁଖ୍ୟ କବାଟ ସବୁବେଳେ ବାସ୍ତୁ ଅନୁଯାୟୀ ନିର୍ମାଣ ହେବା ଦରକାର। ମୁଖ୍ୟ କବାଟ ସବୁବେଳେ ଭିତର ପଟକୁ ଯେପରି ଖୋଲିବ, ତାହାର ବ୍ୟବସ୍ଥା କରିବା ଦରକାର। ଏହାଦ୍ୱାରା ଘରର ଏନର୍ଜି ବା ଶକ୍ତି ଘର ମଧ୍ୟରେ ହିଁ ରହିଥାଏ ବୋଲି ବିଶ୍ୱାସ ରହିଛି। ଏହାବ୍ୟତୀତ କବାଟ ଖୋଲିବା ସମୟରେ ଯେପରି ତାହା ଶବ୍ଦ ନ କରେ, ସେଥିପ୍ରତି ଦୃଷ୍ଟି ଦେବା ଉଚିତ।
Main Gate

 

  • ଆପଣଙ୍କ ରୁମ୍‌ ମଧ୍ୟରେ ଯଦି ବିମ୍‌ ଯାଇଛି, ତେବେ ଧ୍ୟାନ ରଖିବେ ଯେପରି ବିମ୍‌ ତଳେ ବେଡ ନ ପଡ଼େ। ଏହା ସ୍ୱାସ୍ଥ୍ୟ ପାଇଁ ଶୁଭ ନୁହେଁ।
  • ଘର ନିର୍ମାଣ ବେଳେ ଧ୍ୟାନ ରଖିବେ ଯେପରି କୌଣସି ରୁମ୍‌ର ୫ଟି କୋଣ ନ ରୁହେ। ଯଦି ଏପରି ହୋଇଯାଇଛି, ତେବେ ନିଜ ଘରକୁ ଦୁଷ୍ଟ ଶକ୍ତି କବଳରୁ ରକ୍ଷା କରିବାକୁ  ଆପଣ ବାଉଁଶର ଏକ ବଂଇଶୀକୁ ଘରେ ଝୁଲାଇ ଦିଅନ୍ତୁ।
  • ଘରେ ଥିବା ଆଲମିରା ଓ ବେଡ୍‌ ଘରର ଦକ୍ଷିଣ-ପଶ୍ଚିମ କାନ୍ଥକୁ ଲାଗିକି ରହିବା ଉଚିତ। ଏପରି ରଖିବେ ଯେପରି ଉତ୍ତର-ପୂର୍ବ ଦିଗରୁ ଅଳ୍ପ ଦୂରତା ବଜାୟ ରହୁଥିବ।
Bed Room
                                                               Representational Image
  • ପାଣି ପିଇବା ବେଳେ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ପିଇପାରିବେ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ଏକ ଭଲ ବାସ୍ତୁ ଟିପ୍ସ।
  • ଡାଇନିଂ ରୁମ୍‌ରେ ଏକ ବଡ଼ ମିରର ଉତ୍ତର କିମ୍ବା ଉତ୍ତର-ପୂର୍ବ କାନ୍ଥରେ ରହିବା ଦରକାର । ଏହା ଘରେ ସୁଖସମୃଦ୍ଧି ବୃଦ୍ଧି କରିଥାଏ।
  • ଘରର ଦକ୍ଷିଣ ଦିଗରେ ଗୋଟିଏ ରେଡ ଲ୍ୟାମ୍ପ କିମ୍ବା ରେଡ ଲାଇଟ ଲଗାଇ ଦିଅନ୍ତୁ। ଏହାଦ୍ୱାରା ସକାରାତ୍ମକ ଚିନ୍ତାଧାରା ଆସିବା ସହ ସଫଳତା ମଧ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
Red Light
Representational Image
  • ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁ କରି ଫ୍ୟାମିଲି ଫଟୋ କିମ୍ବା ସ୍ୱାମୀସ୍ତ୍ରୀଙ୍କ ଫଟୋ ଲଗାଇପାରିବେ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ସୃଷ୍ଟି ହେବ।
  • ପାଠ ପଢ଼ିବା ସମୟରେ ପିଲାମାନେ ଉତ୍ତର ଦିଗକୁ ମୁହଁ କରି ପଢ଼ିବା ଉଚିତ। ଏହାଦ୍ୱାରା ସେମାନେ ପରୀକ୍ଷାରେ ସଫଳତା ପାଇବେ।
  • ବିବାହଯୋଗ୍ୟ, ଯୁବକଯୁବତୀ ଘରର ଉତ୍ତର-ପଶ୍ଚିମ ଦିଗରେ ଥିବା ରୁମ୍‌ରେ ଶୋଇବା ଉଚିତ। ଏହାଦ୍ୱାରା ଖୁବ୍‌ ଶୀଘ୍ର ବିବାହ ସ୍ଥିର ହୋଇଯିବାର ସମ୍ଭାବନା ଦେଖାଯାଏ।
୧୬ ଏପ୍ରିଲ, ଶୁକ୍ରବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ: ଅପ୍ରିୟ ସତ କହି ସମାଲୋଚନାର ପାତ୍ର ହେବେ । ମାନସିକ ଦୁଶ୍ଚିନ୍ତା ବଢିବ। ମା’ଙ୍କ ଠାରୁ ଉପହାର ଓ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ପ୍ରତିକାର-  ଗୋମାତାଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ

ବୃଷ: ବହୁତ ଗୁଡାଏ କାର୍ଯ୍ୟରେ ଛନ୍ଦି ହୋଇଯିବେ। କାର୍ଯ୍ୟଭାର ବଢି ଚାଲିବ । ବ୍ୟବସାୟରେ ଆଜି ଅର୍ଥ ଲଗାନ୍ତୁ ନାହିଁ । ପାଖ ଜାଗାକୁ ଯାତ୍ରା କରିବେ। ପ୍ରତିକାର-  ଷଣ୍ଢକୁ ରୁଟି ଆଉ ଗୁଡ ଖାଇବାକୁ ଦିଅନ୍ତୁ  ।

ମିଥୁନ: ପରିବାରରେ ଭଲ ବୁଝାମଣା ହୋଇପାରେ। ଅଯଥା ଖର୍ଚ୍ଚକୁ ଏଡାଇ ଦିଅନ୍ତୁ । ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପ୍ରତିକାର-ସୂର୍ଯ୍ୟଙ୍କୁ ଗୁଡ ଜଳ ଅର୍ପଣ କରନ୍ତୁ  ।

କର୍କଟ: ବ୍ୟବସାୟ ବାଣିଜ୍ୟରୁ ଆଶାଠାରୁ ଅଧିକ ଲାଭବାନ ହେବେ । ସାମାଜିକ ପ୍ରତିଷ୍ଠା ବଢିବ। ଅର୍ଥ ଆୟ ପାଇଁ ବ୍ୟବସାୟରେ ନୂତନ କୌଶଳ ପ୍ରୟୋଗ କରିବେ । କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ । ପ୍ରତିକାର-ଚନ୍ଦନ ଓ କର୍ପୂର ଶିବଲିଙ୍ଗରେ ଅର୍ପଣ କରନ୍ତୁ ।

ସିଂହ: ପରିବାରକୁ ପାଖରେ ପାଇ ମନରେ ଖୁସି ରହିବ।  ମନ ପସନ୍ଦର କାର୍ଯ୍ୟ କରିବେ । ପୂଜା ପାଠରେ ଆଗ୍ରହ ବଢିବ, କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା: ପୂର୍ବରୁ କରିଥିବା କାର୍ଯ୍ୟର ଫଳ ମିଳିବ। ଧର୍ମ ଅନୁଷ୍ଠାନ ସହ ଯୋଡି ହେବେ । ପୂଜା ପାଠ ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ,ଗୁରୁଙ୍କ ଆଶିର୍ବାଦ ମିଳିବ।  ପ୍ରତିକାର- ଗୀତା ପାଠ କରନ୍ତୁ ।

ତୁଳା: କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କ ରୁହନ୍ତୁ । ଅର୍ଥକୁ ନେଇ ଚିନ୍ତିତ ରହିବେ । ନିଜ ଲୋକଙ୍କଠାରୁ କଷ୍ଟର ଅନ୍ତ ଘଟିବ। ଦୂର ଯାତ୍ରା କରନ୍ତୁ ନାହିଁ । ପ୍ରତିକାର- ହଳଦୀ ଜଳରେ ସ୍ନାନ କରନ୍ତୁ ।

ବିଛା: ଜୀବନସାଥୀଙ୍କ ଦ୍ୱାରା ଆଜି ଆପଣଙ୍କ ଭାଗ୍ୟ ବଦଳିଯିବ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ ।  ଜୀବନ ସାଥୀଙ୍କୁ ନେଇ କୌଣସି ମତଭେଦ ଥିଲେ ଆଜି ତାହା ଦୂର ହୋଇଯିବ। ପ୍ରତିକାର- ପାରାକୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ  ।

ଧନୁ: ଯାହା ଭାବୁଚନ୍ତି ତାହା ଆଜି ପାଇପାରିବେନି । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। କଳି ଝଗଡା ଠାରୁ ଦୂରେଇ ରୁହନ୍ତୁ ।  ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିଁ । ପ୍ରତିକାର-ବଜରଙ୍ଗ ବାଣ ପାଠ କରନ୍ତୁ

ମକର: ନିଜ ଲୋକଙ୍କଠାରୁ ଖୁସି ପାଇବେ, ପିଲାମାନଙ୍କ ସହିତ ସୁନ୍ଦର ସମୟ  ଅତିବାହିତ କରିବେ । ନୂତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ଯାହାକୁ ଭଲ ପାଉଛନ୍ତି ତାଙ୍କୁ ସନ୍ଦେହ କରନ୍ତୁ ନାହିଁ। ପ୍ରତିକାର- ମୟୂର ପୁଛରେ ନିଜ ଦେହକୁ ଝାଡି ନିଅନ୍ତୁ   ।

କୁମ୍ଭ: ମା’ଙ୍କ ସହିତ ମନମାଳିନ୍ୟ ହୋଇପାରେ, କିନ୍ତୁ କ୍ରୋଧରେ କିଛି କୁହନ୍ତୁ ନାହିଁ । ଇଛା ନଥିବା ସ୍ଥାନକୁ ଭ୍ରମଣ କରିବେ । ଗାଡି ଧିରେ ଚଳାନ୍ତୁ, ଯାତ୍ରା କଷ୍ଟ ରହିଛି । ପ୍ରତିକାର-ଗଣେଶଙ୍କୁ କର୍ପୂର ଆଳତୀ କରନ୍ତୁ ।

ମୀନ: ସୋଶାଲ ମିଡିଆରେ ଆଜି ବହୁତ ପ୍ରଶଂସା ମିଳିବ। ସମ୍ପର୍କୟଙ୍କ ଦ୍ୱାରା ବହୁ କାର୍ଯ୍ୟ ସମ୍ପାଦିତ ହୋଇଯିବ।  ଭାଇ ଭଉଣୀଙ୍କ ସହିତ ସମସ୍ୟାର ଆଲୋଚନା କରି ସମାଧାନର ବାଟ ବାହାରିଯିବ । ପ୍ରତିକାର– ଛୋଟ ପିଲାଙ୍କୁ କିଛି ଉପହାର ଦିଅନ୍ତୁ ।

 

ମେ’ ୧୫ ଯାଏ ସବୁ କୀର୍ତ୍ତିରାଜି ଓ ମ୍ୟୁଜିୟମ ବନ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ଆଜି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ କୀର୍ତ୍ତିରାଜି ଓ ସଂଗ୍ରାହାଳୟକୁ ବନ୍ଦ ଘୋଷଣା କରାଯାଇଛି। ମେ’ ୧୫ ଯାଏ ଏହି କୀର୍ତ୍ତିରାଜି ଓ ମ୍ୟୁଜିୟମକୁ ସର୍ବସାଧାରଣଙ୍କ ପରିଭ୍ରମଣ ପାଇଁ ବନ୍ଦ ରଖାଯାଇଛି। ଆଜି ଏଏସ୍‌ଆଇ ପକ୍ଷରୁ ଏକ ଚାରି ଧାଡ଼ିଆ ବିଜ୍ଞପ୍ତି ଜାରି କରାଯାଇ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏହାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ମଧ୍ୟ ଟ୍ୱିଟ କରିଛନ୍ତି।ଏଏସ୍‌ଆଇର ଏପରି ଘୋଷଣା ଯୋଗୁ ରାଜ୍ୟରେ ଥିବା ସବୁ କୀର୍ତ୍ତିରାଜିସ୍ଥଳୀ ମଧ୍ୟ ବନ୍ଦ ହେବ। ଏଏସ୍‌ଆଇ ଦ୍ୱାରା ପରିଚାଳିତ ସବୁ କୀର୍ତ୍ତିରାଜିସ୍ଥଳୀ ୧୫ ତାରିଖ ଯାଏ ଖୋଲିବ ନାହିଁ। କୋଣାର୍କର ସୂର୍ଯ୍ୟ ମନ୍ଦିର ଠାରୁ ଆରମ୍ଭ କରି ରାଜାରାଣୀ ମନ୍ଦିର ଏଏସ୍‌ଆଇ ଅଧୀନରେ ଥିବାରୁ ଏଗୁଡ଼ିକ ବନ୍ଦ ରହିବ। ତତ୍କାଳ ଭାବେ ଏହାକୁ ଲାଗୁ କରିବାକୁ ଏଏସ୍‌ଆଇ ତା’ ବିଜ୍ଞପ୍ତିରେ କହିଛି। ଗତବର୍ଷ ମଧ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ଏଏସ୍‌ଆଇ ଦ୍ୱାରା ପରିଚାଳିତ ଦେଶର ସମସ୍ତ କୀର୍ତ୍ତିରାଜି ଓ ମ୍ୟୁଜିୟମକୁ ବନ୍ଦ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ, ଭାରତରେ କରୋନା ସଂକ୍ରମଣ ଏବେ ହୁହୁ ହୋଇ ମାଡ଼ୁଛି। ଗତ ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷରୁ ୨ ଲକ୍ଷରେ ପହଞ୍ଚି ଯାଇଛି। ସ୍ଥିତି ଉତ୍କଟ ହେଉଥିବାରୁ ଏଏସ୍‌ଆଇ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।