ବାୟୁ ପ୍ରଦୂଷଣ ରୋକିବାକୁ ଏନଜିଟି ଗଠନ କଲେ ଜାତୀୟ ଟାସ୍କ ଫୋର୍ସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ଦେଶରେ ଦିନକୁ ଦିନ ବାୟୁ ପ୍ରଦୂଷଣ ସାଂଘାତିକ ରୂପ ନେଉଛି। ଭାରତରେ ବାର୍ଷିକ ୧.୫ ନିୟୁତ ଲୋକ ବାୟୁ ପ୍ରଦୂଷଣ ଯୋଗୁ ପ୍ରାଣ ମଧ୍ୟ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ୮ ଜଣିଆ ଜାତୀୟ ଟାସ୍କ ଫୋର୍ସ(ଏନଟିଏଫ) ଗଠନ କରିଛନ୍ତି। ଏନଟିଏଫ ବାୟୁ ପ୍ରଦୂଷଣ ଉପରେ ନଜର ରଖିବା ସହ ଏହାକୁ ହ୍ରାସ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକୁ ତର୍ଜମା କରିବ। ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଏକେ ଗୋଏଲ କହିଛନ୍ତି, ବର୍ତ୍ତମାନ ସମୟରେ ସରକାରୀ ସ୍ତରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ହେବ। ଏହା ସମୟର ଆବଶ୍ୟକତା। ଏଥିପାଇଁ ସର୍ବୋଚ୍ଚ ସ୍ଥାନରେ ଥିବା ଅଧିକାରୀ ଟ୍ରଷ୍ଟି ଭାବେ କାର୍ଯ୍ୟ କରି ଲୋକଙ୍କ ପାଇଁ ସାମ୍ବିଧାନିକ ଓ ବୈଧାନିକ ନିର୍ଦ୍ଦେଶନାମା ଜାରି କରିବା ଉଚିତ। ଏହା ଛଡ଼ା ଆଉ କୌଣସି ମ୍ୟାଜିକର ଆବଶ୍ୟକତା ନାହିଁ। ବିଶ୍ୱରେ ଭାରତ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ସର୍ବାଧିକ ଲୋକ ବାୟୁ ପ୍ରଦୂଷଣ ଯୋଗୁ chronic respiratory ରୋଗରେ ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି। ଏନଜିଟି ଗଠନ କରିଥିବା ଏନଟିଏଫର ମୁଖ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସଚିବ ରହିବ। ଏଥିରେ ନଗର ଉନ୍ନୟନ, ସଡ଼କ ପରିବହନ, ପେଟ୍ରୋଲିୟମ, ଶକ୍ତି, କୃଷି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦସ୍ୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ନୋମିନ ଭାବେ କାର୍ଯ୍ୟ କରିବେ।ଏନଟିଏଫ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଣନାମାକୁ ପାଳନ କରାଯାଉଛି କି ନାହିଁ, ତା’ର ତର୍ଜମା କରିବ। ସେହିପରି ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ଗ୍ରହଣ କରିବ। ଏନଟିଏଫ ତା’ର ପ୍ରଥମ ବୈଠକ ମାସକ ମଧ୍ୟରେ କରିବ। ଏହାପରେ ୪ ମାସରେ ଥରେ ପ୍ରଦୂଷଣ ବଢ଼ୁଥିବା ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ସଚିବମାନଙ୍କ ସହ ଆଲୋଚନା କରାଯିବ। ଏନସିଏପି ଅଧୀନରେ ଜାତୀୟ ଓ ରାଜ୍ୟ ସ୍ତରରେ ଗଠନ ହୋଇଥିବା କମିଟି ଗୁଡ଼ିକ ସହ ସମନ୍ୱୟ ମଧ୍ୟ ରକ୍ଷା କରିବ।

ବିଜେପିରେ ମିଶିଲେ କଂଗ୍ରେସ ନେତ୍ରୀ: ଧର୍ମେନ୍ଦ୍ର କହିଲେ- ଓଡ଼ିଶାରେ ରାଜନୀତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗତସପ୍ତାହରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଧର୍ମଶାଳାର ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହାସହିତ ଓଡ଼ିଶାରେ ରାଜନୀତିକ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଓ ଏହାକୁ କେହି ରୋକିପାରିବେ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ନିଜ ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଅନୁଗୁଳ ଛେଣ୍ଡିପଦାର ଅନେକ ବିଜେଡି ଓ କଂଗ୍ରେସ କର୍ମୀମାନେ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଏହି ଅବସରରେ ସମସ୍ତଙ୍କୁ ବିଜେପିରେ ସ୍ୱାଗତ କରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେପି କର୍ମକର୍ତ୍ତାଙ୍କ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ଅବଶ୍ୟ ହେବ। ଏହାକୁ କେହି ରୋକିପାରିବେ ନାହିଁ। ଓଡ଼ିଶାରେ ଲୋକମାନଙ୍କୁ ପିଇବା ପାଣି ଓ ମୌଳିକ ସୁବିଧା ମିଳୁନଥିବା ବେଳେ ରାଜ୍ୟରେ ନଗଡ଼ା ଭଳି ସ୍ଥିତି ଦେଖିବାକୁ ମିଳୁଛି। ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ଗଠନ ହେବାର ୧୦୦ ବର୍ଷ ପୂରଣ ହେଉଥିବାବେଳେ ଶିଶୁମାନେ ଅପପୁଷ୍ଟିର ଶୀକାର ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ତେଣୁ ଓଡ଼ିଶାରେ ପରିବର୍ତ୍ତନ ଅବଶ୍ୟାମ୍ଭବୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସ୍ୱୀକାର କରି ଦଳରେ ମିଶିଥିବା ନୂଆ ନେତାମାନଙ୍କୁ ଧନ୍ୟବାଦ ଦେବା ସହ ସମସ୍ତଙ୍କ ଉପସ୍ଥିତି ବିଜେପିକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ୍ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଓଡ଼ିଶାର ରାଜନୀତିକୁ ପରିବର୍ତ୍ତନ କରିବା ଏବଂ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାର ପ୍ରୟୋଗଶାଳା କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ। ଓଡ଼ିଶାରେ ନୂଆ ପରିବର୍ତନ ତଥା ନୂଆ ଜାଗରଣ ତିଆରି କରିବା ପାଇଁ ଦଳ ପକ୍ଷରୁ ହେଉଥିବା ପ୍ରଚେଷ୍ଟାରେ କର୍ମକର୍ତ୍ତାମାନେ ନିରନ୍ତର ପରିଶ୍ରମ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସକୁ ରାଜ୍ୟରେ ବିଜେଡିର ବି-ଟିମ୍ ଓ ବିଜେଡି ଇଙ୍ଗିତରେ କଂଗ୍ରେସ ରାଜ୍ୟରେ କାର୍ଯ୍ୟ କରୁଛି ବୋଲି ଦର୍ଶାଇ ଧର୍ମଶାଳାର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ଏପ୍ରିଲରେ ପ୍ରଥମ ଥର କମିଲା ପେଟ୍ରୋଲ ଓ ଡିଜେଲ ଦର..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଚଳିତ ମାସରେ ପ୍ରଥମ ଥର ପାଇଁ ଏହି ଦର କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ପଇସା କମିଛି। ତେଲ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ୯୦ ଟଙ୍କା ୪୦ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ୯୬.୯୮ ପଇସା ରହିଥିବାବେଳେ ଡିଜେଲ ୯୬ ଟଙ୍କା ୮୩ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୦.୭୭ ପଇସା, ଡିଜେଲ ୯୦.୬୨ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ୯୨.୫୮ ପଇସା ରହିଥିବାବେଳେ ଡିଜେଲ ୯୨.୪୩ ପଇସା ରହିଛି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ଡିଜେଲର ଦର ତିନି ଥର ହ୍ରାସ ପାଇଥିଲା। ଅନ୍ତିମ ଥର ପାଇଁ ମାର୍ଚ୍ଚ ୩୦ରେ ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା କମିଥିଲା। ମୋଟ୍ ମାର୍ଚ୍ଚ ମାସରେ ପେଟ୍ରୋଲ ୬୧ ପଇସା ଏବଂ ଡିଜେଲ ୬୦ ପଇସା ହ୍ରାସ ପାଇଥିଲା। ଏହି ସମୟରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ଦାମ ୭୧ ଡଲାରରୁ ଆସି ୬୩ ଡଲାରରେ ପହଞ୍ଚିଥିଲା। ଏବେ କିନ୍ତୁ ଆଉଥରେ ଅଶୋଧିତ ତେଲର ଦାମ ଉପରମୁହାଁ ହୋଇଥିବା ସୂଚନା ରହିଛି। ତେଣୁ ଦର ବଢ଼ିବାର ସମ୍ଭାବନା ରହିଛି।ସୂଚନାଯୋଗ୍ୟ, ଗତବର୍ଷ ଠିକ୍ ଏହି ସମୟରେ ପେଟ୍ରୋଲ ଦର ୬୯.୫୯ ପଇସା ରହିଥିବା ବେଳେ ଡିଜେଲ ଦର ୬୨.୨୯ ପଇସା ରହିଥିଲା। ଏବେର ଦରକୁ ଯଦି ଗତବର୍ଷର ଦର ସହିତ ତୁଳନା କରିବା ତାହେଲେ ଗୋଟିଏ ବର୍ଷରେ ପେଟ୍ରୋଲ ୨୦.୮୧ ପଇସା ଓ ଡିଜେଲ ୧୮.୪୪ ପଇସା ମହଙ୍ଗା ହୋଇଛି। ସେତେବେଳେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୩୦ ଡଲାର ରହିଥିଲା। ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟ ସରକାର ତେଲରେ ଲଗାଉଥିବା ଏକ୍ସାଇଜ୍ ଡ୍ୟୁଟି ପାଇଁ ଦେଶରେ ତେଲ ଦର ବୃଦ୍ଧି ହେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ପେଟ୍ରୋଲରୁ ୩୨.୯୦ ପଇସା ଆଦାୟ କରୁଥିବା ବେଳେ ଡିଜେଲ ୩୧.୮୦ ପଇସା ଆଦାୟ କରୁଛନ୍ତି।

୧୫ ଏପ୍ରିଲ, ଗୁରୁବାର – ଆଜି ର ରାଶିଫଳ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) 

ମେଷ :   ଘରୋଇ ସମସ୍ୟୁକୁ ବ୍ୟସ୍ତ ବିବ୍ରତ ହୋଇଯିବେ। ନିଜ କଥାକୁ ନିୟନ୍ତ୍ରଣରେ ରଖନ୍ତୁ। ସୁଅର୍ଜିତ ଧନ ପ୍ରଭାବିତ ରହିବ। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିକାର-  ତୁଳସୀ ଗଛ ମୂଳରେ ଗୁଡ ରଖି ଯାତ୍ରା କରନ୍ତୁ।

ବୃଷ: ଅଫିସର ମିଟିଂ ବହୁତ ଭଲ ରହିବ। ଉଦ୍ଦେଶ୍ୟମୂଳକ କାର୍ଯ୍ୟରେ ସଫଳତା ମିଳିବ। ଭବିଷ୍ୟତ ପାଇଁ ବହୁତ ପ୍ଲାନିଂ କରିବେ, ବ୍ୟବସାୟରେ ଆୟବ୍ୟୟ ସମାନ ରହିବ। ପ୍ରତିକାର-ହଳଦୀ ଟିକା ମଥାରେ ଲଗାନ୍ତୁ।

ମିଥୁନ: ଅର୍ଥ ଖର୍ଚ୍ଚ ବଢିଯିବ। ପରିବାରରୁ କେହି ଦୂରକୁ ଯିବାର କଷ୍ଠ ମନରେ ଅଧିର ଲାଗିବ ।  ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ।

କର୍କଟ: ଅଳ୍ପ ପରିଶ୍ରମରେ ଅଧିକ ଧନ  ଆସିବ। ରାଜନୀତିରେ ଥିଲେ କୌଣସି ପଦ ପଦବୀ ମିଳିବାର ସମ୍ଭାବନା ରହିଛି । ବଡ ଭାଇ ଭଉଣୀଙ୍କ ସହିତ ସାକ୍ଷାତ ଭ୍ରମଣ ଯୋଗ ରହିଛି। ଗଳାରେ ସମସ୍ୟା ଲାଗିପାରେ। ପ୍ରତିକାର- ପାରାଙ୍କୁ ସୋରିଷ ଦିଅନ୍ତୁ।

ସିଂହ: କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଆଇଟି କ୍ଷେତ୍ରରେ ଥିଲେ କିନ୍ତୁ ନୂତନ କାର୍ଯ୍ୟ କରିବାର ସୁଯୋଗ ମିଳିବ। ପ୍ରତିକାର- ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ।

ନ୍ୟା: ଆପଣଙ୍କ ଭାଗ୍ୟ ଆପଣଙ୍କ ହାତ ମୁଠାରେ ରହିବ। ଗୁରୁଙ୍କଠାରୁ ଉପଦେଶ ଓ ଆଶୀର୍ବାଦ ଆଗକୁ ବଢିବାରେ ସାହାଯ୍ୟ କରିବ। ବିଦେଶରୁ କୌଣସି ଖୁସି ଖବର ଆସିବ। ପ୍ରତିକାର- ମା ଲକ୍ଷ୍ମୀଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା: ଅର୍ଥ ଧାର ଆଣନ୍ତୁ ନାହିଁ। ଅର୍ଥ ଓ ସ୍ୱାସ୍ଥ୍ୟରେ ଅଚାନକ ସମସ୍ୟା ଦେଖାଦେବ। ବ୍ୟସ୍ତ ରହିବେ, କାର୍ଯ୍ୟରେ ବାଧା ଦେଖାଦେବ। ପୁରୁଣା ବିବାଦ ସାମ୍ନାକୁ ଆସିବ । ପ୍ରତିକାର-ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ।

ବିଛା: ବିବାହ ପ୍ରସ୍ତାବ ପସନ୍ଦ ଆସିବ । ନୂତନ ବ୍ୟବସାୟରେ ପରିବାରରୁ କେହି ସାହାଯ୍ୟ ସହଯୋଗର ହାତ ବଢାଇବେ। ଯାତ୍ରା ନ କରିବା ଭଲ ରହିବ। ଜୀବନ ସାଥୀଙ୍କଠାରୁ କିନ୍ତୁ ଉପହାର ପ୍ରାପ୍ତି ସହିତ କୌଣସି ସମସ୍ୟାର ସମାଧାନ ବି ହୋଇଯିବ। ପ୍ରତିକାର- ମା ଲକ୍ଷ୍ମୀଙ୍କୁ ଖିରୀ ପ୍ରସାଦ ଲଗାନ୍ତୁ।

ଧନୁ: ସଭା ସମିତିରେ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। କୌଣସି ବିବାଦୀୟ ବୟାନ ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ଓ ଶତ୍ରୁ ପୀଡା ରହିଛି। ପ୍ରତିକାର- ମା’ ବଗଳାମୁଖୀଙ୍କୁ ପୂଜା କରନ୍ତୁ ।

ମକର: ନୂତନ ବନ୍ଧୁ ଜୀବନରେ ଆସିବେ। କଷ୍ଟର ସମ୍ମୁଖୀନ ହେବେ। ହୋଟେଲ ଯିବେ, ଭଲ ଖାଦ୍ୟ ସହିତ ନୂତନ ବସ୍ତ୍ର ଉପହାର ରୂପରେ ପ୍ରାପ୍ତି ହେବ।  ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବହୁତ ଭଲ ଅଛି। ପ୍ରତିକାର-  ଅଶୋକ ପତ୍ରରେ ସିନ୍ଦୁର ଲଗାଇ ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ।

କୁମ୍ଭ: ମା’ଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ ଓ ମା’ଙ୍କୁ ନେଇ ବ୍ୟସ୍ତ ରହିବେ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଭୂମି କିଣିବା ଓ ବିକ୍ରିକୁ ଆଜିର ଦିନରେ ଏଡାଇ ଦିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ପ୍ରତିକାର- କେଶରର ଟୀକା ମଥାରେ ଲଗାନ୍ତୁ।

ମୀନ: ପଡୋଶୀଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ। ସନ୍ତାନମାନଙ୍କଠାରୁ ସମ୍ମାନ ପାଇବା ସହିତ ସେମାନଙ୍କୁ ନେଇ ମନରେ ଗର୍ବ ଅନୁଭବ କରିବେ। ସାନ ଭଉଣୀଙ୍କ ସହିତ ସମୟ କାଟିବେ। ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରତିକାର- ମା’ ଲକ୍ଷ୍ମୀଙ୍କୁ ମିଠା ପ୍ରସାଦ ଲଗାନ୍ତୁ।