ଆମ୍ବେଦକର ହରିଜନ କୂଳ ସେବା ଟ୍ରଷ୍ଟ ସମ୍ପାଦକ ଙ୍କ ଅଭିଯୋଗ : ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟରେ ସହଯୋଗ କରୁଛନ୍ତି ବିଡିଓ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧୀନସ୍ଥ ସିରିଝୋଲି ଗ୍ରାମଠାରେ କମ୍ୟୁନିଟ ହଲ ନିର୍ମାଣ କରିବା ନିମନ୍ତେ ଆମ ଗାଁ ଆମ ବିକାଶ ପକ୍ଷରୁ ୩ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଜଣାପଡିଛି । କାର୍ଯ୍ୟ ନିର୍ମାଣ କରିବା ନିମନ୍ତେ ଏହି ଅନୁଦାନ ରାଶି ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ଆମ୍ବେଦକର ହରିଜନ କୂଳ ସେବା ଟ୍ରଷ୍ଟର ନାମରେ ମଞ୍ଜୁର ହୋଇଥିବା ଜଣାପଡିଛି । କିନ୍ତୁ ଏହାର କାର୍ଯ୍ୟାଦେଶ ସ୍ଥାନୀୟ ଗ୍ରାମ ସେବକ ତଥା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଗ୍ରାମରେ ତାଙ୍କ ହାତ ବାରିସି ସାଜି ରହିଥିବା କିଛି ବ୍ୟକ୍ତି ବିଶେଷ ଙ୍କୁ ଏହାର ନିର୍ମାଣ କାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ, ଦେଇଥିବାକୁ ବିରୋଧ କରି ଆମ୍ବେଦକର ଟ୍ରଷ୍ଟର ସମ୍ପାଦକ ବି ଡି ଓ ଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ବିଡ଼ିଓ ଉଭୟଙ୍କୁ ୧୦ ତାରିଖ ଶନିବାର ଦିନ ନିଜ କାର୍ଯ୍ୟାଳୟ କୁ ଡାକିଥିଲେ । ପରନ୍ତୁ ଟ୍ରଷ୍ଟ ସମ୍ପାଦକ ଙ୍କ ଅଭିଯୋଗ ପ୍ରତି କୌଣସି ଗୁରୁତ୍ୱ ନଦେଇ ଗ୍ରାମସେବକ ଙ୍କ ଉପସ୍ଥିତିରେ ତାଙ୍କ ହାତ ବାରିସି ସାଜିଥିବା ବ୍ୟକ୍ତି ଙ୍କୁ ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ କହିଥିଲେ ।

 

ଏହାକୁ ଟ୍ରଷ୍ଟ ସମ୍ପାଦକ ବିରୋଧ କରିବାରୁ ଏହା ସେ ତାଙ୍କ ପ୍ରଶାସନିକ କ୍ଷମତା କ୍ରମେ କହିଥିବା ଏବଂ ଆବଶ୍ୟକ ହେଲେ ଉକ୍ତ ମଞ୍ଜୁରୀ ଆଦେଶ କୁ ରଦ୍ଦ କରିଦେବେ ବୋଲି କହିଥିବା ଟ୍ରଷ୍ଟ ସମ୍ପାଦକ ଅଭିଯୋଗ କରିଛନ୍ତି । ବିଡ଼ିଓ ଙ୍କ ଏଭଳି ଏକ ତରଫା ନିର୍ଦେଶ ବିରୁଦ୍ଧରେ ଟ୍ରଷ୍ଟ ସମ୍ପାଦକ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି । ବିଡ଼ିଓ ଙ୍କ ଠାରୁ ସବୁଜ ସଙ୍କେତ ପାଇବା ପରେ ସଂପୃକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ ତାଙ୍କ ହାତବାରିସୀ ଙ୍କ ସହ ଖୁସି ମନାଉଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଏକ ଭିଡିଓ ଆମ ହସ୍ତଗତ ହୋଇଛି ।

ଏହା ପାଠକଙ୍କ ଅବଗତି ନିମନ୍ତେ ଆମ୍ଭେ ଏହାକୁ ଏଠାରେ ଉପସ୍ଥାପନା କରୁଛୁ । କାହାର ବ୍ୟକ୍ତିଗତ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା ଉଦ୍ଦେଶ୍ୟରେ ନୁହେଁ । ବାବୁଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ପଞ୍ଚାୟତ ସମିତି ପକ୍ଷରୁ ଗୋଟିଏ ଘର କୁ ଦେଖାଇ ତିନିଥର ଭିନ୍ନ ଭିନ୍ନ ଯୋଜନାରେ ଟଙ୍କା ଯୋଗାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଦେଖିବାକୁ ରହିଲା ଏସବୁର ଅନୁସନ୍ଧାନ କେବେ ହୋଇ, କି କାର୍ଯ୍ୟାନୁଷ୍ଠାନ ହେଉଛି ।

ସୋଶାଲ ମିଡିଆରେ ନିଆଁ ଲଗାଇଲେ ନୋରା…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଡର ମୋଷ୍ଟ ବିୟୁଟିଫୁଲ୍‌ ଡ୍ୟାନ୍ସିଂ କୁଇନ୍‌ ନୋରା ଫତେହି। ତାଙ୍କ ଖତରନାକ୍‌ ଡ୍ୟାନ୍ସ ମୁଭ୍‌ସ ଦେଖି ସମସ୍ତେ ମତୁଆଲା ହୋଇଯା’ନ୍ତି। ଯେକୌଣସି ବି ବିଟ୍‌ରେ ସେ ଡ୍ୟାନ୍ସ କରି ଦର୍ଶକଙ୍କ ମନ କିଣି ନିଅନ୍ତି। ନୋରା ବଲିଉଡ ସମେତ ସୋଶାଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ। ପ୍ରତିଦିନ ସେ ନିଜର କିଛି ନା କିଛି ଫଟୋ ହେଉ ଅବା ଡ୍ୟାନ୍ସ ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥା’ନ୍ତି। ନିକଟରେ ଏଭଳି ହିଁ ଏକ ଡ୍ୟାନ୍ସ ଭିଡିଓ ସେ ପୋଷ୍ଟ କରିଛନ୍ତ। ତାଙ୍କର ଏହି ଡ୍ୟାନ୍ସ ଏବେ ସୋଶାଲ ମିଡିଆରେ ନିଆଁ ଲଗାଇ ଦେଇଛି। ନୋରାଙ୍କ ଏହି ଡ୍ୟାନ୍ସ ଭିଡିଓର ନାଁ ରହିଛି, `ବସ୍‌ ଇଟ୍‌ ଡାଉନ୍‌’।  ଏହି ଭିଡିଓରେ ନୋରା ବେଶ୍‌ ସୁନ୍ଦର ଭାବେ `ବସ୍‌ ଇଟ୍‌ ଡାଉନ୍‌’ ଡ୍ୟାନ୍ସ ଚ୍ୟାଲେଞ୍ଜକୁ ପୂରଣ କରିଛନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଏଭିଳ ଡ୍ୟାନ୍ସ କରି ଦେଖାଇବା ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଯାଏ ଏହି ଭିଡିଓକୁ ୧୧ ମିଲିଅନରୁ ଅଧିକ ଲୋକ ଦେଖିସାରିଲେଣି। ନୋରା ଫତେହିଙ୍କ ନାଁ ବଲିଉଡର ସବୁଠାରୁ ବଡ଼ ଡ୍ୟାନ୍ସର ଲିଷ୍ଟରେ ସାମିଲ ହୋଇସାରିଛି। ନିଜ ପରିଶ୍ରମ ବଳରେ ସେ ଏହା ହାସଲ କରିଛନ୍ତି। ନୋରାଙ୍କ ପପୁଲାରିଟି ପୁରା ବିଶ୍ୱରେ ମଧ୍ୟ ପ୍ରସିଦ୍ଧ। ସୂଚନାଯୋଗ୍ୟ ଯେ ଅନେକ ଡ୍ୟାନ୍ସ ରିଆଲିଟି ଶୋ’, ବଲିଉଡ ଫିଲ୍ମ, ଆଇଟମ୍‌ ସଙ୍ଗ ଓ ତେଲୁଗୁ ଫିଲ୍ମରେ ମଧ୍ୟ ନୋରା କାମ କରିସାରିଛନ୍ତି।

ରୋହିତ ସେଟ୍ଟି ଓ ଅକ୍ଷୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା, ଶୁଟିଂ ସେଟ୍‌ରେ ମାର୍‌ପିଟ୍‌…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଖିଲାଡି ଷ୍ଟାର ଅକ୍ଷୟ କୁମାର ମଧ୍ୟରେ ମାରପିଟ୍‌। ଶୁଟିଂ ସେଟ୍‌ରେ ଉଭୟଙ୍କ ମଧ୍ୟରେ ହେଲା ଜୋରଦାର ଝଗଡା। ପରିସ୍ଥିତି ଏପରି ହେଲା ଯେ ଶେଷରେ ପୁଲିସ ଆସିବାକୁ ପଡିଲା। ଏହି ବଲିଉଡ କଳାକାରଙ୍କ ଲେଢ଼ଇର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ରୋହିତ ଓ ଅକ୍ଷୟଙ୍କ ଏହି ଲେଢ଼ଇ ପ୍ରକୃତରେ ନୁହେଁ। ଗତବର୍ଷ କରୋନା ଯୋଗୁଁ ଫିଲ୍ମ ଶୁଟିଂ ଅଟକି ରହିଥିଲା। ଏହାରି ଭିତରେ ମନୋରଞ୍ଜନ କରିବା ପାଇଁ ପରସ୍ପର ସହ ମଜାଳିଆ ଢ଼ଙ୍ଗରେ ଅଭିନୟ କରି ଲେଢ଼ଇ କରିଛନ୍ତି ଏହି ଦୁଇ ଷ୍ଟାର୍‌। ଏମାନଙ୍କ ଲେଢ଼ଇକୁ ଦେଖି ପୁଲିସ ବେଶରେ ଥିବା ତାଙ୍କ ଷ୍ଟାଫ୍‌ମାନେ ଦୌଡି ଆସି ଉଭୟଙ୍କୁ ଛଡାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ମଜାଦାର ଲଢ଼େଇକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିଜ ମୋବାଇଲ୍‌ରେ ସୁଟ୍‌ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ଅକ୍ଷୟ କୁମାର ନିଜେ ତାଙ୍କ ଟୁଇଟ ହ୍ୟାଣ୍ଡେଲରେ ଶେଆର କରିଛନ୍ତି। ସୂଚନାଯୋଗ୍ୟ ଯେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବେ ତାଙ୍କ ଅପ୍‌କମିଂ ଫିଲ୍ମ `ରାମ ସେତୁ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏହାରି ଭିତରେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି କାରଣ ଯୋଗୁଁ ଫିଳ୍ମ ଶୁଟିଂ ଅଟକି ଯାଇଛି। ଏହା ପୂର୍ବରୁ ମଧ୍ୟ ଅକ୍ଷୟଙ୍କ ଫିଲ୍ମ `ସୂର୍ଯ୍ୟବଂଶୀ’ ରିଲିଜ ଅପେକ୍ଷାରେ ରହିଛି। ଗତବର୍ଷ ଏହି ଫିଲ୍ମଟି ରିଲିଜ ହେବାର ଥିଲା। କିନ୍ତୁ ଲକଡାଉନ୍‌ ଯୋଗୁଁ ଫିଲ୍ମଟି ରିଲିଜ ହୋଇପାରିନଥିଲା। ତେବେ ଅନ୍‌ଲକ୍‌ ହେବା ପରେ ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ଏହି ଫିଲ୍ମଟିକୁ ରିଲିଜ କରିବା ପାଇଁ ଧାର୍ଯ୍ୟ  କରାଯାଇଛି। ତେବେ ଏହାରି ଭିତରେ ପୁଣି ଥରେ ଫିଲ୍ମର ରିଲିଜ ତାରିଖ ଘୁଞ୍ଚି ପାରେ ବୋଲି ଶୁଣିବାକୁ ମିଳିଛି। ଏହି ଫିଲ୍ମର ଲିଡ୍‌ ରୋଲରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟ୍‌ରେ କ୍ୟାଟ୍ରିନା କୈଫ ଅଛନ୍ତି।

ପ୍ରଥମଥର ଆଇପିଏଲରେ ୪ ଟିମର କ୍ୟାପଟେନ୍ ହେଉଛନ୍ତି ୱିକେଟକିପର, କାରଣ ଜଣାଇଲେ ବଟଲର୍…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆରମ୍ଭ ହୋଇ ସାରିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ। ପ୍ରଥମଥର ଲାଗି ଭାରତରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଉଛି, ତା’ ପୁଣି ବିନା ଦର୍ଶକରେ। ଏହା ସତ୍ତ୍ୱେ ଆଇପିଏଲର ରୋମାଞ୍ଚ ଶୀର୍ଷରେ। ସବୁଠାରୁ ବଡ଼ କଥା ହେଉଛି, ଆଇପିଏଲରେ ଯେଉଁ ୮ଟି ଦଳ ଭାଗ ନେଇଛନ୍ତି, ସେଥିମଧ୍ୟରୁ ୪ଟି ଦଳର କ୍ୟାପଟେନ ହେଉଛନ୍ତି ପେସାରେ ୱିକେଟକିପର। ଆଉ ସେହି ୱିକେଟକିପରମାନେ ମଧ୍ୟ ଭାରତୀୟ। କୌଣସି ଟୁର୍ଣ୍ଣାମେଣ୍ଟରେ ୱିକେଟକିପର ଟିମର କ୍ୟାପଟେନ୍ ନିଶ୍ଚିତ ଭାବେ ବଡ଼ କଥା। ଆଉ ଏହାର ପଛର କାରଣ ହେଉଛନ୍ତି ସ୍ୱୟଂ ମହେନ୍ଦ୍ର ସିଂ ଧୋନି। ଏହା ଆମେ କହୁନୁ, କହିଛନ୍ତି ଇଂଲଣ୍ଡର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର। ଧୋନିଙ୍କୁ ଶ୍ରେୟ ଦେଇ ବଟଲର୍ କହିଛନ୍ତି ଯେ ‘ଆଜିର ଯୁବ ଖେଳାଳି ତାଙ୍କ (ଧୋନି) ପଦାଙ୍କ ଅନୁସରଣ କରି ଚାଲୁଛନ୍ତି’। ଖୋଦ୍ ଧୋନି ଚେନ୍ନାଇ ସୁପର୍ କିଙ୍ଗସର କ୍ୟାପଟେନ୍ ଅଛନ୍ତି। ସେହିପରି ଗତ ସଂସ୍କରଣରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କୁ ଟିମର କ୍ୟାପଟେନ୍ କରିଥିଲା। ଚଳିତ ସଂସ୍କରଣରେ ସଞ୍ଜୁ ସାମସନ୍ ରାଜସ୍ଥାନ ରୟାଲ୍ସ ଓ ଶ୍ରେୟସ ଆୟରଙ୍କ ଆହତ କାରଣରୁ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଉଛନ୍ତି ଋଷଭ ପନ୍ତ । ବଟଲର୍ କହିଛନ୍ତି, ୱିକେଟକିପର କ୍ୟାପଟେନ୍ ହେବା ପ୍ରଚଳନର ଶ୍ରେୟ ଧୋନି ଏବଂ ତାଙ୍କଙ୍କ ଷଷ୍ଠ ଇନ୍ଦ୍ରୀୟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଦିଆଯିବ। ସେ ଦୁନିଆର ଅନ୍ୟତମ ମହାନ୍ କ୍ୟାପଟେନ୍ ଏବଂ ଅନେକ ଖେଳାଳି ତାଙ୍କର ସଫଳତାକୁ ଦୋହରାଇବାକୁ ଚାହାନ୍ତି। ୱିକେଟ୍ ପଛରେ ନେତୃତ୍ୱ ନେବାର ଅତିରିକ୍ତ ଫାଇଦା ମିଳିଥାଏ। ଜଣେ ୱିକେଟକିପର ୱିକେଟ୍ ପଛରେ ତୀକ୍ଷ୍ଣ ନଜର ରଖିଥାଏ, ଯାହାଦ୍ୱାରା ନିଷ୍ପତ୍ତି ନେବାରେ ସହଜ ହୋଇଥାଏ। ତେଣୁ ଧୋନି ୱିକେଟ୍ ପଛରେ ଛିଡ଼ା ହୋଇ ଅନେକ ସଫଳତା ଅର୍ଜନ କରିଛନ୍ତି। ଏବେ ସଞ୍ଜୁ ସାମସନଙ୍କ ପାଖରେ ଏମିତି କିଛି କାରନାମା କରିବାର ସୁଯୋଗ ରହିଛି। ବଟଲର୍ କହିଛନ୍ତି, ଚଳିତ ସଂସ୍କରଣରେ ଆମ ପାଖରେ ଅନେକ ପ୍ରତିଭା ଅଛନ୍ତି। ବେନ୍ ଷ୍ଟୋକ୍ସ ଓ କ୍ରିସ୍ ମୋରିସଙ୍କ ଭଳି ଅଲରାଉଣ୍ଡରଙ୍କ ଉପସ୍ଥିତିରେ ଆମ ଟିମ୍ ବହୁତ ମଜଭୁତ୍। ମୋର ବିଶ୍ୱାସ ଯେ ନୂଆ କ୍ୟାପଟେନ୍ ସାମସନଙ୍କ ନେତୃତ୍ୱରେ ଆମ ଟିମ୍ ନିଶ୍ଚୟ ସଫଳ ହେବ ବୋଲି ବଟଲର୍ କହିଛନ୍ତି।

ବିଳମ୍ବିତ ରାତିରେ ଖାଉଛନ୍ତି କି ? ଆଣିପାରେ ଭୟଙ୍କର ବିପଦ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅନେକ ଲୋକେ ନିଜର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ରାତିରେ ଶୀଘ୍ର ଖାଇ ପାରନ୍ତି ନାହିଁ। ସେମାନଙ୍କୁ ବିଳମ୍ବିତ ରାତିରେ ଖାଦ୍ୟ ଖାଇବାକୁ ପଡିଥାଏ। ତେବେ ଡେରିରେ ରାତ୍ରୀ ଭୋଜନ କରିବା ଶରୀରj ଓଜନ ବୃଦ୍ଧି କରିବା ସହିତ ହୃଦୟ ପାଇଁ ମଧ୍ୟ ବିପଦ ଡାକି ଆଣିପାରେ। ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଖରାପ ପ୍ରଭାବ ପଡିଥାଏ। ଲେଟ୍‌ ନାଇଟ୍‌ ଭୋଜନ କଲେ କ’ଣ ସବୁ ସମସ୍ୟା ଉପୁଜେ ଆସନ୍ତୁ ଜାଣିବା। 

  • ବିଳମ୍ବିତ ରାତିରେ ଭୋଜନ କରିବା ଦ୍ୱାରା ଓଜନ କମିବା ବଦଳରେ ବଢ଼ିବାକୁ ଲାଗିବ। ଓଜନ ବୃଦ୍ଧି ହେବା ଫରେ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ସେଥିପାଇଁ ରାତ୍ରୀ ଭୋଜନ ସବୁବେଳେ ଠିକ୍ ସମୟରେ ଖାଇବା ଉଚିତ୍। ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଠିକ୍ ସମୟରେ ରାତ୍ରୀ ଭୋଜନ ଆରମ୍ଭ କରନ୍ତୁ।
  • ବିଳମ୍ବିତ ରାତିରେ ଖାଇବା ଆପଣଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସାଂଘାତିକ ହୋଇପାରେ। ଅନେକ ଗବେଷଣା ଅନୁଯାୟୀ, ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ। ଏହା ଆପଣଙ୍କ ଏକାଗ୍ରତା ଏବଂ ସ୍ମରଣ ଶକ୍ତି କ୍ଷମତାକୁ ପ୍ରଭାବିତ କରିଥାଏ। ଏଥିପାଇଁ ଡାକ୍ତରମାନେ ରାତି ୭ଟାରୁ ୯ଟା ଭିତରେ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି।
  • ଯଦି ଆପଣଙ୍କ ଲେଟ୍‌ ନାଇଟ୍‌ରେ ଖାଇବା ପରେ ତୁରନ୍ତ ଶୋଇବା ଅଭ୍ୟାସ ଅଛି ତେବେ ସାବଧାନ ହୋଇ ଯାଆନ୍ତୁ। ଏପରି କରିବା ଦ୍ୱାରା ଛାତିରେ ଯନ୍ତ୍ରଣା, ଅମ୍ଳପିତ ଏବଂ ପେଟ ଜନିତ ସମସ୍ୟା ଆଦି  ଦେଖା ଦେଇପାରେ।
  • ରାତିରେ ଜଙ୍କ ଫୁଡ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ଲେଟ୍‌ ନାଇଟ୍‌ରେ ଜଙ୍କ ଫୁଡ୍‌ ଖାଇବା ଦ୍ୱାରା ମେଦବହୁତଳା ସମସ୍ୟା ସୃଷ୍ଟି ହୋଇପାରେ। ଏଥିପାଇଁ ଆପଣ ନିଜ ଦୈନନ୍ଦିନ ରାତ୍ରି ଭୋଜନରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଏଥିସହ ଆପଣ ଚାହିଁଲେ ଖାଇବା ପରେ ବାଦାମ କିମ୍ବା ଆପଲ ମଧ୍ୟ ଖାଇପାରିବେ।
କାଶ, ଜ୍ୱର ନଥିଲେ ବି ସାବଧାନ;କରୋନାର ନୂଆ ଲକ୍ଷଣ ଜାଣନ୍ତୁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦେଶରେ ଏବେ ପ୍ରତିଦିନ ଏକ ଲକ୍ଷରୁ ଅଧିକ କରୋନାର ନୂଆ ମାମଲା ସାମ୍ନାକୁ ଆସୁଛି। କାଶ, ଜ୍ୱର, ସ୍ୱାଦ ଏବଂ ଘ୍ରାଣ ଶକ୍ତି ହରାଇବା ଏହି ମାରାତ୍ମକ ମହାମାରୀର ସାଧାରଣ ଲକ୍ଷଣ ଥିଲା। ଏବେ କିନ୍ତୁ ଏସବୁ ଲକ୍ଷଣ ନଥାଇ ବି ଲୋକେ କରୋନାରେ ଆକ୍ରାନ୍ତ ହେଉଛନ୍ତି।  କରୋନାର ନୂଆ ଷ୍ଟ୍ରେନ ତା’ର ଏବେ ନୂଆ ଲକ୍ଷଣ ଦେଖାଉଛି। ସାମ୍ନାକୁ ଆସିଛି ଏହି କିଲର ଭାଇରସର ନୂଆ ରୂପ, ଯାହା ପୂର୍ବ ଲକ୍ଷଣଠାରୁ ପୂରାପୁରି ଭିନ୍ନ। ନିକଟରେ ହୋଇଥିବା ଏକ ଅଧ୍ୟୟନ ମୁତାବକ, ଏବେ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଆଖି ନାଲି ପଡିବା ସହ ଫୁଲି ଯାଉଛି। ଏଥିସହ ଆଖିରୁ ଲଗାତର ପାଣି ବାହାରିବା ଭଳି ସମସ୍ୟା ଦେଖାଦେଉଛି। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଅଡିଓଲୋଜିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ର ନୂଆ ଷ୍ଟ୍ରେନ୍ କାନ ସମସ୍ୟା ସୃଷ୍ଟି କରୁଛି। ଅଧ୍ୟୟନରେ ପ୍ରାୟ ୫୬ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ପରିଲକ୍ଷିତ ହୋଇଛି। ଯଦି ଆପଣ ମଧ୍ୟ ଏପରି କୌଣସି ସମସ୍ୟା ଅନୁଭବ କରୁଛନ୍ତି ତେବେ ଏହା କରୋନା ଜୀବାଣୁର ଏକ ନୂଆ ସଙ୍କେତ ହୋଇପାରେ। କେବଳ ସେତିକି ନୁହେଁ ପେଟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। କରୋନର ଏହି ନୂଆ ଷ୍ଟ୍ରେନରେ ପାକସ୍ଥଳି ସହ ଜଡିତ ସମସ୍ୟା ମଧ୍ୟ ଉତ୍ପନ୍ନ ହେଉଥିବା ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି। ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ କେବଳ ଶ୍ୱାସକ୍ରିୟା ଜନିତ ସମସ୍ୟା ରହୁଥିଲା, କିନ୍ତୁ ଏବେ ପେଟ ଜନିତ ସମସ୍ୟା ମଧ୍ୟ ସାମ୍ନାକୁ ଆସୁଛି। ଏହି ଷ୍ଟ୍ରେନ୍‌ରେ ସଂକ୍ରମିତ ବ୍ୟକ୍ତି ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ଏବଂ ହଜମ ପ୍ରକ୍ରିୟାରେ ଅସୁବିଧା ଅନୁଭବ କରୁଛନ୍ତି। କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଠାରେ ନ୍ୟୁରୋଲଜିକାଲ ଡିସଅର୍ଡର ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି। medRxiv ର ଏକ ରିପୋର୍ଟ ମୁତାବକ, ଦୀର୍ଘ ସମୟ ଧରି କରୋନାରେ ଆକ୍ରାନ୍ତ ହୋଇ ରହିଥିବା ରୋଗୀଙ୍କ ଠାରେ ମାନସିକ ବିକୃତ ସମସ୍ୟା ମଧ୍ୟ ଉତ୍ପନ୍ନ ହେଉଥିବା ଦାବି କରାଯାଇଛି। JAMA ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କ ହାର୍ଟ ବିଟ୍‌ ବଢ଼ି ଯାଉଥିବା କୁହାଯାଉଛି।

ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶୀଲ ଚନ୍ଦ୍ରା …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ର ନିର୍ବାଚନ ଅଧିକାରୀ ସୁଶୀଲ ଚନ୍ଦ୍ରା ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର। ରବିବାର କେନ୍ଦ୍ର ସରକାର ସୁଶୀଲ ଚନ୍ଦ୍ରାଙ୍କ ନାମରେ ମୋହର ମାରିଛନ୍ତି। ଖୁବଶୀଘ୍ର ସୁଶୀଲଙ୍କ ନିଯୁକ୍ତି ନେଇ ସରକାର ବିଜ୍ଞପ୍ତି ଜାରି କରିବେ ବୋଲି ସୂଚନା ରହିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ତଳେ ଥିବା ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର କରାଇବାର ପରମ୍ପରା ରହିଛି। ସିଇସି ସୁନୀଲ ଆରୋରା ଏପ୍ରିଲ ୧୨ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଏହାର ପରଦିନ ଅର୍ଥାତ ୧୩ ଏପ୍ରିଲରେ ସୁଶୀଲ ଚନ୍ଦ୍ର ସିଇସି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ୧୪ ମେ ୨୦୨୨ ଯାଏ ସୁଶୀଲଙ୍କ କାର୍ଯ୍ୟକାଳ ରହିବ। ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଫେବୃଆରୀ ୨୦୧୯ ରେ ସୁଶୀଲ ଚନ୍ଦ୍ରା ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ନିର୍ବାଚନ କମିଶନରେ ଯୋଗଦେବା ପୂର୍ବରୁ ସୁଶୀଲ ଚନ୍ଦ୍ରା କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ର ଅଧ୍ୟକ୍ଷ ଥିଲେ। ଟିଏସ କୃଷ୍ନାମୃର୍ତ୍ତିଙ୍କ ପରେ ସୁଶୀଲ ଦ୍ୱିତୀୟ ଆଇଆରଏସ ଅଧିକାରୀ ଯିଏକି ମୁଖ୍ୟ ନିର୍ବାଚନ କମିଶନର ହେବାକୁ ଯାଉଛନ୍ତି। ୨୦୦୪ରେ କୃଷ୍ଣାମୃର୍ତ୍ତି ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ।ମେ ୧୫, ୧୯୫୭ରେ ଜନ୍ମ ଗ୍ରହଣ କରିଥିଲେ ସୁଶୀଲ। ସେ ୧୯୮୦ ବ୍ୟାଚର ଆଇଆରଏସ (IRS)। ସେ ଆଇଆଇଟି ଋଋକିରୁ ବିଟେକ ଏବଂ ଡେରାଡୁନରୁ ଏଲଏଲବି ପାସ କରିଥିଲେ। ସୁଶୀଲଙ୍କ ନେତୃତ୍ୱରେ ଗୋଆ, ମଣିପୁର, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟ ଗୁଡ଼ିକର ବିଧାନସଭା କାର୍ଯ୍ୟକାଳ ଆସନ୍ତା ବର୍ଷ ମାର୍ଚ୍ଚରେ ଭିନ୍ନ ଭିନ୍ନ ତାରିଖରେ ଶେଷ ହେବ। ୟୁପି ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ମେ’ ୧୪ରେ ଶେଷ ହେବ।

୧୪ ପରେ ଲକଡାଉନ୍; କେତେ ଦିନ ହେବ ?

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ୱାଇ) – ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଉ କରୋନାର ହଟସ୍ପଟ ମହାରାଷ୍ଟ୍ର ପାଲଟିଛି। ଏବେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ରରେ ଲକଡାଉନ୍ ହେବା ଏକ ପ୍ରକାର ଥୟ ବୋଲି ଜଣାପଡ଼ିଛି। ହେଲେ ଆସନ୍ତାକାଲି ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କର ଏକ ବୈଠକ ହେବ। ଏଥିରେ କେବେ ଲକଡାଉନ୍ ହେବ ସେ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସୂଚନା ରହିଛି। ଲକଡାଉନ୍ ଲାଗୁ ହେଲେ ବ୍ୟବସାୟିକ ପ୍ରତିବନ୍ଧକ ପାଖରୁ ଆରମ୍ଭ କରି ଅନେକ କିଛି କଟକଣା ଲାଗୁ ହେବ। ଏହାଦ୍ୱାରା ଅନେକ ଆର୍ଥିକ କ୍ଷତି ହେବାର ସମ୍ଭାବନା ମଧ୍ୟ ରହିଛି। ତେଣୁ ଏସବୁକୁ ବିଚାର କରି ମହାରାଷ୍ଟ୍ର ସମସ୍ତ କଥା ବୁଝି ବିଚାରି ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ପ୍ରଥମେ ଶନିବାର ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ବସିଥିଲା, ରବିବାର ଟାସ୍କ ଫୋର୍ସ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆଉ ସୋମବାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିବ। ଏପ୍ରିଲ ୧୪ ପରେ ଲକଡାଉନ୍ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି। ରବିବାର ବସିଥିବା ବୈଠକରେ ଟାସ୍କ ଫୋର୍ସ ଲକଡାଉନ୍ ଛଡ଼ା ବିକଳ୍ପ ନାହିଁ ବୋଲି କୁହାଯାଇଛି। ବୈଠକରେ ୧୪ ଦିନିଆ ଲକଡାଉନ୍ ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିବା ବେଳେ ଉଦ୍ଧବ ଠାକରେ ୮ ଦିନିଆ ଲକଡାଉନ୍ ପ୍ରସ୍ତାବ ଦେଇଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସୋମବାର ହେବାକୁ ଥିବା ବୈଠକରେ ନିଆଯିବ ବୋଲି ଜଣାପଡ଼ିଛି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ ଅକ୍ସିଜେନରେ ଅଭାବ ରହିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଥିବା ସୂଚନା ରହିଛି। ଏହାର ସମାଧାନ ପାଇଁ ପ୍ରତି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ବସାଇବାକୁ ଯୋଜନା ରହିଛି। ହେଲେ ଏହା ବ୍ୟୟବହୁଳ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ହେଲେ ଅକ୍ସିଜେନ ଅଭାବକୁ ଦୂର କରିବା ପାଇଁ ବ୍ୟବସ୍ଥା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି। ସେହିପରି ଅନ୍ତିମ ସଂସ୍କାରରେ ଅସୁବିଧା ହେଉଥିବାରୁ ପ୍ରତି ନଗରପାଳିକାରେ ବିଦ୍ୟୁତ ଏବଂ ଗ୍ୟାସରେ ଶବ ଦାହ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

କୁଚ ବିହାର ହିଂସା ଘଟଣା ପାଇଁ ଦିଦିଙ୍କୁ ଦାୟୀ କଲେ ଅମିତ ଶାହ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ପଶ୍ଚିମବଙ୍ଗ କୁଚ ବିହାର ହିଂସାକାଣ୍ଡକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପ୍ରମୁଖ ରାଜନୀତିକ ଦଳ ଟିଏମସି ଏବଂ ବିଜେପି। ସିଆଇଏସଏଫ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନରସଂହାର କହିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦିଦିଙ୍କ ଭାଷଣ ପାଇଁ ଏଭଳି ହୋଇଛି। ଶନିବାର (ଏପ୍ରିଲ ୧୦) ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାର ମଥାଭଙ୍ଗା ବ୍ଲକର ୧୨୬ ନମ୍ୱର ବୁଥରେ ସକାଳେ ଆନନ୍ଦ ବର୍ମନ ନାମକ ବିଜେପି ସମର୍ଥକ ଭୋଟ ଦେବାକୁ ଆସିଥିଲେ। ସେଠାରେ ସେ ହତ୍ୟାର ଶିକାର ହୋଇଥିଲେ। ମୃତକଙ୍କ ପରିବାର ଲୋକେ ହତ୍ୟା ପଛରେ ଟିଏମସିକୁ ଦାୟୀ କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଆଉ ସିଆଇଏସଏଫ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ଗୁଳି ଚଳାଇଥିଲା ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏହି ଘଟଣାରେ ମମତା ବାନାର୍ଜୀ ପ୍ରେସ କନଫେରନସ କରିଥିଲେ। ଜଣେ ସାମ୍ବାଦିକଙ୍କୁ ଭିଡିଓ କଲ କରି ମମତା ବାନାର୍ଜୀ କୁଚ ବିହାର ହିଂସାରେ ୪ ପୀଡ଼ିତ ଲୋକଙ୍କ ସହ କଥା ହୋଇଥିଲେ। ଏହି ସମୟରେ ମମତା ବାନାର୍ଜୀ ମୋଦି ସରକାରକୁ ହତ୍ୟାକାଣ୍ଡ ପାଇଁ ଦାୟୀ କରିଥିଲେ। ସୁରକ୍ଷାକର୍ମୀ ପାଦ କିମ୍ବା ଅଣ୍ଟା ତଳକୁ ଗୁଳି ଚଳାଇ ପାରିଥାନ୍ତେ ଭିଡ଼ ନିୟନ୍ତ୍ରଣ ପାଇଁ ହେଲେ ସେମାନେ ଲୋକଙ୍କ ଛାତି ଓ ବେକ ମଝିରେ ମାରିଥିଲେ ବୋଲି ମମତା କହିଛନ୍ତି। ବିଜେପି ନିର୍ବାଚନ ହାରୁଥିବାରୁ ବନ୍ଧୁକ ବ୍ୟବହାର କରୁଛି। ଟିଏମସି ବୁଲେଟର ପ୍ରତିଶୋଧ ନେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୁଚ ବିହାରା ଘଟଣା ପାଇଁ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଯାହା ବି ହୋଇଛି ଦୁଃଖଦ ଘଟଣା। ଏହି ଘଟଣାକୁ ଯେଉଁଭଳି ରାଜନୀତିକରଣ କରାଯାଉଛି ତାହା ଅତ୍ୟନ୍ତ ଦୁଃଖଦାୟକ। ଯେଉଁ ବୁଥରେ ଆନନ୍ଦ ବର୍ମନଙ୍କୁ ହତ୍ୟା କରାଯାଇଛି ତା ପଛରେ ଟିଏମସି। କାରଣ ସେହି ବୁଥରେ ମମତାଙ୍କ ପାଇଁ ଗୋଟିଏ ବି ଭୋଟ୍ ନାହିଁ। ଆଉ ଜନମତ ପ୍ରଭାବିତ କରିବାକୁ ଯାଇ ଦଳୀୟ ଗୁଣ୍ଡାକୁ ଲଗାଇ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଗୃହମନ୍ତ୍ରୀ କହିଛନ୍ତି ମମତା ଦିଦି କେବଳ ଚାରି ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ହେଲେ ଆନନ୍ଦ ବର୍ମନଙ୍କ ମୃତ୍ୟୁରେ ପୀଡିତ ନୁହଁନ୍ତି। ମୃତ୍ୟୁ ସମୟରେ ମଧ୍ୟ ଭୋଟ୍ ରାଜନୀତି କରୁଛନ୍ତି। ମମତା କିଛି ଦିନ ପୂର୍ବରୁ ସମାନ ସୀତଲୁକୁଚି ଆସନରେ ଅଭିଭାଷଣ ଦେବାବେଳେ କହିଥିଲେ କେନ୍ଦ୍ରୀୟ ସୁରକ୍ଷାକର୍ମୀ ଆସିଲେ ଘେରି ଯିବାକୁ କହିଥିଲେ। ଯାହାକୁ ଟିଏମସି କର୍ମୀ କରୁଛନ୍ତି ବୋଲି ଶାହ କହିଛନ୍ତି।

ହାଇଦର ଫେରାର ଘଟଣାରେ ୬ ପୁଲିସ୍ କର୍ମଚାରୀ ସସ୍‌ପେଣ୍ଡ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ସମ୍ବଲପୁର)ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ତା’ ଉପରେ ନଜର ରଖିବା ପାଇଁ ନିୟୋଜିତ ହୋଇଥିବା ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ହାବିଲଦାରଙ୍କ ନାଁ ରମେଶ ଚନ୍ଦ୍ର ଦେହୁରୀ। ସେହିପରି ନିଲମ୍ବିତ ହୋଇଥିବା ୫ କନଷ୍ଟେବଲ ହେଉଛନ୍ତି- ବୁଲ୍‌ବୁଲ୍‌ ସାହୁ, ଦୀପକ ସାହୁ, ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝୀ। ଗ୍ୟାଙ୍ଗଷ୍ଟର ହାଇଦର SCBରୁ ଫେରାର ଘଟଣାରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଥିଲେ, ରାଜ୍ୟର ସମସ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି। ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଷ୍ଟେସନ, ବିମାନ ବନ୍ଦର ଓ ବସ୍‌ଷ୍ଟାଣ୍ଡ ଉପରେ ବି ନଜର ରଖାଯାଇଛି। ୫ରୁ ୬ଟି ଟିମ୍ ଗଠନ କରାଯାଇଛି। ସିସିଟିଭି ଫୁଟେଜ ଦେଖୁଛୁ। ଖୁବଶୀଘ୍ର ହାଇଦରକୁ ଗିରଫ କରାଯିବ। ସେହିପରି ଏହି ବୈଠକ ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଇଛି। ଯଥାଶୀଘ୍ର ହାଇଦରକୁ ଗିରଫ କରିବାକୁ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ, କଟକ ବଡ଼ ଡାକ୍ତରଖାନାରେ ହାଇଦର ଚିକିତ୍ସାଧୀନ ଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ସେ ସେଠାରୁ ଫେରାର ହୋଇଯାଇଛି। ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍‌ ସୁଲେମାନର ଭାଇ ସେକ୍‌ ଚୁନା ଓରଫ ମାଲିକ ହନନ୍‌କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍‌ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା। ୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍‌ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍‌ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତେବେ କିଛି ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡ଼ିଥିଲା। ତେଣୁ ତାକୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଭଲ ‌ନହେବାରୁ ତାକୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା।