ସିଲ୍‌ ହେଲା ଆଉ ୨ଟି ସିନେମା ହଲ୍‌…!

!!! ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)-  ପୁଣି ସିଲ୍ ହେଲା ସିନେମା ହଲ୍। ଗଜପତି ପାରଳାଖେମୁଣ୍ଡିର ୨ଟି ସିନେମା ହଲ୍ ସିଲ୍ କରିଛି ଜିଲ୍ଲା ପ୍ରଶାସନ।  ଜୟ ମା ଓ ଲକ୍ଷ୍ମୀ ସିନେମା ହଲ୍ ଅନିର୍ଦ୍ଦିଷ୍ଟ କାଳ ଯାଏଁ  ସିଲ କରାଯାଇଛି। ଏହି ଦୁଇଟି ସିନେମା ହଲ୍‌କୁ କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରାଯାଇଥିବା ସୂଚନା ମିଳିଛି। ଦୁଇଟି ହଲକୁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ହୋଇଛି। ଯାଞ୍ଚ ବେଳେ ଆବଶ୍ୟକ ଅନୁମତି ପତ୍ର ବା କାଗଜପତ୍ର ନଥିବା ଯୋଗୁଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିନେମା ହଲ୍ କୁ ସିଲ୍ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ତହସିଲଦାର । ଚାରିଆଡେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ରାଜ୍ୟରେ ଦିନକୁ ଲଗାତର ଦୁଇ ଦିନ ହେବ ୧୦୦୦ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣାକୁ କଡାକଡି ପାଳନ କରିବାକୁ କହିଛନ୍ତି। ଏଥିସହ ଆସନ୍ତା ୧୪ ଦିନ ଯାଏଁ ମାସ୍କ ଅଭିଯାନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମାସ୍କ ପିନ୍ଧିନଥିବା ଅମାନିଆଙ୍କୁ ସାବଡ କରିବାକୁ ଯାଇ ପ୍ରଶାସନ ଜରିମାନା ରାଶି ବଢ଼ାଇଛି। ପୂର୍ବରୁ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ରହିଥିଲା। ଏବେ ଏହା ୧୦୦୦ ଟଙ୍କା ହୋଇଛି। ପ୍ରଥମ ଓ ଦ୍ୱିତୀୟ ଥର ଭୁଲ୍‌ କଲେ ଜରିମାନା ରାଶି ୨୦୦୦ ଟଙ୍କା ଆଦାୟ କରିବ ପ୍ରଶାସନ। ଯଦି ଏଭଳି ଭୁଲ୍‌ ବାରମ୍ବାର ହୁଏ ତେବେ ୫୦୦୦ ଟଙ୍କା ଦେବାକୁ ପଡିବ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ କରୋନାରେ ରାଜ୍ୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି। ୧୩୭୪ ଜଣଙ୍କ ମଧ୍ୟରୁ ୮୧୨ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୫୬୨ଟି ହେଉଛି ଲୋକାଲ୍ କେସ୍‌। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩ ଓ ନୂଆପଡ଼ା ଜିଲ୍ଲାରୁ ୧୩୫ ଜଣ ଚିହ୍ନଟ ହୋଇଛନ୍ତି।

ଟାଟା ଷ୍ଟିଲ କମ୍ପାନୀ ର ସ୍ଥାନୀୟ ନିର୍ବାହୀ ଅଧିକାରୀ ଙ୍କ ଯୋଡ଼ା ଅଞ୍ଚଳ ପ୍ରତି ଅବହେଳା ପ୍ରଦର୍ଶନ !

!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଯୋଡ଼ା) – ଏକ ଶତାବ୍ଦୀ ଧରି ଟାଟା ଷ୍ଟିଲ କମ୍ପାନୀ ଯୋଡ଼ା ଖଣି ଅଞ୍ଚଳ ରେ କାୟା ବିସ୍ତାର କରି ଆସୁଅଛି। ଏହି କମ୍ପାନୀ ଉକ୍ତ ଅଞ୍ଚଳର ପ୍ରତ୍ୟେକ ସମସ୍ୟା ର ନିଦାନ ଏବଂ ତା’ର ଉପଚାର କରିବା କଥା। ଏପରି ସ୍ଥଳେ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ଅବହେଳା ପ୍ରଦର୍ଶନ କରିବା ଅତି ଅଶୋଭନୀୟ। ଏହା ଟାଟା ଷ୍ଟିଲ କମ୍ପାନୀ ପ୍ରତି ମର୍ଜଦା କ୍ଷୂର୍ଣ୍ଣ କରିବା ସହିତ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ସୁନା ନଦୀ ହେଉଛି ଯୋଡ଼ା ର ଜୀବନ। ତା’ର ଜଳ କୁ ସଂରକ୍ଷିତ କରିବା ଏବଂ ତା’ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ କୁ ସୁରକ୍ଷା ପ୍ରଦାନ କରିବା ସହିତ ସ୍ବଚ୍ଛତା ର ଆବଶ୍ୟକତା ଥିବା ସ୍ଥଳେ ଏଥି ପ୍ରତି କମ୍ପାନୀ ପକ୍ଷରୁ ଗୁରୁତ୍ୱାରୋପ କରାଯାଉନାହିଁ। ପ୍ରତି ବଦଳରେ ଟାଟା ଷ୍ଟିଲ କମ୍ପାନୀ ଏହାର ଜଳକୁ ନିଜ ପାଇଁ ଉପଯୋଗ କରୁଛି। ଏହାକୁ ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ। ପୂର୍ବେ ଟାଟାଷ୍ଟିଲ ର ବୈଧାନିକ ନିୟମ ଏବଂ କମ୍ପାନୀ ର ନିଜସ୍ଵ ବିଚାର ଦ୍ଵାରା ଏକ ସୁନ୍ଦର ଅନୁଭୁତି ନିଯୁକ୍ତି କ୍ଷେତ୍ରରେ ପରିଲକ୍ଷିତ ହେଉଥିଲା । ବର୍ତମାନ କମ୍ପାନୀ ର ଯୋଜନା ରେ ସମସ୍ତ କାର୍ଯ୍ୟ ସ୍ଥାନୀୟ ଅଧିବାସୀ ଙ୍କୁ ଅଣଦେଖା କରି ଠିକାଦାର ମାନଙ୍କୁ ଟେକି ଦେଇଥିବା ହେତୁ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ନିଜର ଆସ୍ତା ଓ ବିଚାର କୁ ହରାଉଥିବା କୁହାଯାଉଛି। ଏହି ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ମାନେ ରୋଜଗାର ହିନ ଏବଂ ନିଯୁକ୍ତି ପାଇଁ ଡହଳବିକଳ ହେଉ ଥିବା ବେଳେ ଏଥିପ୍ରତି ଖଣି ସଂସ୍ଥାନ ର ଦୃଷ୍ଟି ଦେଉନଥିବା ଏବଂ ଚିକିତ୍ସା କ୍ଷେତ୍ରରେ ଦେଖାଦେଉଥିବା ଟାଣଟୁଣ ନିତି ନିୟମ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଙ୍କ ମନରେ କ୍ଷୋଭ ପ୍ରକାଶ କରିଛି । ଏହି ସମସ୍ୟା ଗୁଡିକ ପ୍ରତି ଯଥା ଶୀଘ୍ର କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ। ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁଜନ ସାଧାରଣ ମେଳି ବାନ୍ଧିବା ସୂଚନା ମିଳିଛି।

ସଂକ୍ରମିତ ବ୍ୟକ୍ତିଙ୍କୁ ହୋମ ଆଇସୋଲେସନରେ ରଖାଯିବ I ଏଣିକି ଗ୍ରାହକ ମାସ୍କ ପରିଧାନ କରିନ ଥିଲେ ଦୋକାନୀ ଠାରୁ ଜୋରିମାନା ଆଦାୟ ହେବ I

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ(ଛତ୍ରପୁର) – ଗଞ୍ଜାମ ଜ଼ିଲ୍ଲାରେ ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି I ପ୍ରଥମ ପର୍ଯ୍ୟାୟରେ କରୋନା ସଂକ୍ରମଣ ସଂଖ୍ୟାକୁ ରୋକିବା ସକାଶେ ଗଞ୍ଜାମ ଜ଼ିଲ୍ଲାକୁ ଫୋକସ କରି ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସକାଶେ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଓ ଡାକ୍ତର ଯୋଗାଇ ଦିଆଯାଇଥିଲା, କିନ୍ତୁ ବର୍ତମାନ ସମୟରେ ସେହି ସବୁ ସୁବିଧା ଉପଲବ୍ଧ ହେବା କାଠିକର ବ୍ୟାପାର ଏଣୁ ଜ଼ିଲ୍ଲାଵାସି ନିଜଆଡୁ ସତର୍କତା ଅଵଲମ୍ବନ କରିବା ଆବଶ୍ୟକ, ନଚେତ ପରିସ୍ଥିତି ସାଙ୍ଘାତିକ ଆଡକୁ ଗତିକରି ବିପର୍ଯୟ ସ୍ଥିତି ଦେଖାଦେବ I ଏଥି ସକାଶେ ଆଜି ଶନିବାର ପୂର୍ବାହ୍ନ ସମୟରେ ଭିଡିଓ କନଫରେନ୍ସ ଜରିଆରେ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ଅଧିକାରୀ ମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଛନ୍ତି I ବର୍ତମାନ ଯାହା ସବୁ କାର୍ଯ୍ୟଧାରା ଗ୍ରହଣ କରାଯିବ ସବୁ ଗୁଡିକ ଵିକେନ୍ଦ୍ରୀକରଣ କରିକରାଯିବ Iଫେରୁଥିଵା ପ୍ରବାସୀ ମାନଙ୍କର ପଞ୍ଜିକରଣ ନିହାତି ଆବଶ୍ୟକ I ଯେଉଁ ପ୍ରବାସୀ ମାନେ ପଞ୍ଜିକରଣ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

ସମସ୍ତ ଚିକିତ୍ସାଳୟରେ RRT କୀଟ ମହଜୁଦ କରି ରଖାଯିବ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଏକୁଟିଆ ଵା ଆଇସୋଲେସନରେ ରଖିବା ସକାଶେ ସମସ୍ତ ସୁବିଧା ଥାଇ ବେଡ଼ ପ୍ରସ୍ତୁତ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ I ଚି଼ହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ I ଜ଼ିଲ୍ଲାବାସୀଙ୍କୁ ମାସ୍କ ପରିଧାନ ଏବଂ ସାନିଟାଇଜେସନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି I ଯେଉଁ ଦୋକାନ ଵା ମଲ ଗୁଡିକରେ ଗ୍ରାହକ ମାସ୍କ ପରିଧାନ ନକରି ସାମଗ୍ରୀ କିଣୁଥିଵା ନଜର ଆସିଲେ ଏଣିକି ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ I ଯେଉଁ ଅଞ୍ଚଳରେ ସଂକ୍ରମିତ ଚି଼ହ୍ନଟ ହେବେ ସେହି ଅଞ୍ଚଳକୁ କରେଣ୍ଟଇନ ଅଞ୍ଚଳ ଘୋଷଣା କରି ଖାଦ୍ୟ ଓ ଅନାନ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ I ଅସ୍ଥାୟୀ ପରିଚାଳନା ସେଣ୍ଟର ଗୁଡିକରେ ଚିକିତ୍ସକ ମୁତୟନ କରାଯିବ I ଅକ୍ସଜେନ ରହିତ ଆମ୍ବୁଲାନ୍ସ ପ୍ରସ୍ତୁତକରି ରଖାଯିବ I ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଏଭଳି ତିରିଶି ଗୋଟି ଆମ୍ବୁଲାନ୍ସ ରଖାଯିବ I

ସମସ୍ତ ଆମ୍ବୁଲାନ୍ସ ଡ୍ରାଇଭର ମାନଙ୍କୁ ଟିକା ପ୍ରଦାନ କରାଯିବ I ତହସିଲଦାରଗଣ ଚଢ଼ାଉ କାର୍ଯ୍ୟ ବ୍ୟାପକ କରି ଦୋକାନୀ ଓ ମାସ୍କ ପରିଧାନ କରିନଥିଵା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରିବେ I ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମରେ ମାସ୍କ ପରିଧାନ ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯିବ I ସମସ୍ତ ବସ ଡ୍ରାଇଭର ମାନଙ୍କୁ ଟିକା ଦିଆଯିବ I ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ କୋଭିଡି କେଏର ସେଣ୍ଟର ପ୍ରସ୍ତୁତ କରାଯିବ I କୌଣସି ଅଧିକାରୀ ଓ ଶିକ୍ଷକଗଣ ନିଜ ହେଡ଼କ୍ୱାଟର ଛାଡ଼ିବେ ନାହିଁ Iକୋଭିଡ କେୟାର ସେଣ୍ଟର ଆବଶ୍ୟକ ରହିଛି ଏଣୁ ଦଶମ ଶ୍ରେଣୀ ଛାତ୍ର ପଢୁଥିବା ସ୍କୁଲ ଛାଡି ଅନ୍ୟ ସମସ୍ତ ସ୍କୁଲ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି I ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼. ବଳିରାମ ବୋନ୍ଦାର, ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଅତିରିକ୍ତ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜ଼ିଲ୍ଲାପାଳ ୱ. କୀର୍ତ୍ତି ୱାସନ, ଡୁଡା ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜ଼ିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ I

କଟକ ବଡ଼ ମେଡିକାଲର ନର୍ସିଂ କଲେଜ ବନ୍ଦ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ପରେ ACS (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂ କଲେଜକୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ SCB ନର୍ସିଂ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏହି ନର୍ସିଂ କଲେଜକୁ ବନ୍ଦ କରିବା ପଛର କାରଣ ଭିନ୍ନ ବୋଲି କୁହାଯାଉଛି। ନର୍ସିଂ ଛାତ୍ରଛାତ୍ରୀ କଲେଜ ଅଧ୍ୟ’ଙ୍କ ବଦଳି ନେଇ ଦୀର୍ଘ ଦିନ ହେଲା ଦାବି ଉଠାଇ ଆସୁଛନ୍ତି। ଏବେ ଏହାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରାଯିବା ପରେ ପରେ ନର୍ସିଂ ଛାତ୍ରଛାତ୍ରୀ କହିଛନ୍ତି, ଯଦି ଅନ୍ୟ କେଉଁଠି ହଷ୍ଟେଲ ଓ କଲେଜ ବନ୍ଦ ହେଉ ନାହିଁ, ତେବେ ଏଠାରେ କାହିଁକି ବନ୍ଦ କରାଯାଉଛି। ରାଜ୍ୟ ସରକାରଙ୍କ ଦ୍ୱାହି ଦେଇ ବନ୍ଦ କରାଯାଇଥିବାରୁ ଏନେଇ ପିଲାଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। କିଛି ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ,  ସୁପରିଣ୍ଟେଣ୍ଡେଣ୍ଟ ସେମାନଙ୍କ ସହ ଆଲୋଚନା କଲା ବେଳେ କହିଥିଲେ ଯେ ଦୀର୍ଘ ଦିନ ଆନ୍ଦୋଳନ କଲେ ସରକାରଙ୍କୁ ଲେଖି କଲେଜ ବନ୍ଦ କରାଇ ଦିଆଯିବ ବୋଲି ଚେତାଇ ଦେଇଥିଲେ। ତେଣୁ ଆଜିର ଏହି ବନ୍ଦ ନିର୍ଦ୍ଦେଶ ସେହି ଚେତାବନୀର ପ୍ରତିଫଳନ ବୋଲି କେହି କେହି କହୁଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା ସଂକ୍ରମଣ। ଗତ କାଲି ୧୨୮୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟା ୧୩୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୩, ନୂଆପଡ଼ାରୁ ୧୩୫ ଓ କଟକ ଜିଲ୍ଲାରୁ ୫୧ ଜଣ ଚିହ୍ନଟ ହୋଇଛନ୍ତି।

ସମଲେଇ ମନ୍ଦିର ବିକାଶ ପାଇଁ କ୍ଷତିପୂରଣ ପ୍ୟାକେଜ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ୱରୀ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଂଚଳର ବିକାଶ ପାଇଁ ସମଲେଇ ପ୍ୟାକେଜ୍ ଘୋଷଣା କରିଛନ୍ତି। ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ ସେଠାରେ ଉଭୟ ସରକାରୀ ଓ ବେସରକାରୀ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମନ୍ଦିରର ଡିଜାଇନ, ପରିବହନ, ନଦୀ ସମ୍ମୁଖ ଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ନିମନ୍ତେ ଥଇଥାନ ଓ ପୁନର୍ବାସ ପ୍ୟାକେଜ୍ ଘୋଷଣା ହୋଇଛି । ଆବଶ୍ୟକ ପଡ଼ିଲେ ଏହି ପ୍ୟାକେଜକୁ ଅଧିକ ଆକର୍ଷଣୀୟ କରାଯିବ। ଏଥିପାଇଁ ଲୋକଙ୍କ ମତାମତ ଲୋଡ଼ାଯାଇଛି। ସମ୍ପୂର୍ଣ୍ଣ ସମଲେଇ ଯୋଜନାକୁ ମେ’ ୧୫ତାରିଖ ସୁଦ୍ଧା ପ୍ରସ୍ତୁତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବାବେଳେ ସମଲେଶ୍ୱରୀ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଲୋକମାନେ ଯେଉଁ ତ୍ୟାଗ କରିଛନ୍ତି ତାକୁ ଯୁଗଯୁଗ ଧରି ଉତ୍ତରପୀଢ଼ୀ ମନେ ରଖିବେ ବୋଲି କହିଛନ୍ତି। ଏହି ଥଇଥାନ ଓ ପୁନର୍ବାସ ପ୍ୟାକେଜରେ ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ। ପୁନର୍ବାସ ଓ ଥଇଥାନ ଆଇନ-୨୦୧୩ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ। ମନ୍ଦିରର ପୂଜାରୀମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ। ଯଦି ପୂଜାରୀଙ୍କ ମୂଳ ଜମିର ବଜାର ଦର ଅଧିକ ହୁଏ ତା’ହେଲେ ସେଥିପାଇଁ ପାର୍ଥକ୍ୟ ଅନୁସାରେ କ୍ଷତିପୂରଣ ଟଙ୍କା ଆକାରରେ ଦିଆଯିବ। ଏହାସହିତ ପୂଜାରୀମାନଙ୍କୁ ୨୦ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ ତାକୁ ପ୍ରଦାନ କରାଯିବ । ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ତୁରନ୍ତ ୧ଲକ୍ଷ ଟଙ୍କା, ପ୍ରତି ପରିବାରକୁ ୧୨ମାସ ପାଇଁ ୧୦ହଜାର ଟଙ୍କା ଲେଖାଏଁ ଘରଭଡ଼ା ଦିଆଯିବ। ଯେଉଁ ପୂଜାରୀମାନଙ୍କର ଘର ନଥିବ ସେମାନଙ୍କୁ ଜିଲ୍ଲାପାଳଙ୍କ ସହ ଆଲୋଚନା ଜରିଆରେ ଉପଯୁକ୍ତ ପୁନର୍ବାସ ପ୍ୟାକେଜ ଦିଆଯିବ।ସେହିପରି ବେସରକାରୀ ଜାଗାରେ ଦୋକାନ କରିଥିବା ମାଲିକଙ୍କ ଜମିକୁ ମଧ୍ୟ ସିଧାସଳଖ କିଣାଯିବ । କ୍ଷତିପୂରଣ ଆଇନ-୨୦୧୩ ଅନୁସାରେ ଏହି କ୍ଷତିପୂରଣ ଦିଆଯିବ। ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଓ ସମ୍ପତ୍ତି ଅଧିଗ୍ରହଣ ପରେ ଆଉ ଗୋଟିଏ କିସ୍ତି ପ୍ରଦାନ କରାଯିବ। ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ଲକ୍ଷ ଟଙ୍କାର ସହାୟତା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ସେହିପରି ସରକାରୀ ଜାଗାରେ ବସ୍ତି ଅବା ଛୋଟଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କାଘର ଥିବା ପରିବାରକୁ ଏକକାଳୀନ ୫୦ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ହୋଇଥିବ ତାହା ଦିଆଯିବ। ଏହାସହିତ ସେମାନଙ୍କ ପୁନର୍ବାସ ପାଇଁ ୬୫୦ବର୍ଗଫୁଟ ଅଂଚଳର ଜାଗା ଦିଆଯିବ। ବଡ଼ ବଡ଼ ପକ୍କାଘର ଥିବା ବସ୍ତିର ପରିବାରଗୁଡ଼ିକୁ ଘରର ମୂଲ୍ୟ ଓ ୬୫୦ ବର୍ଗଫୁଟର ଜାଗା ଦିଆଯିବ। ସମ୍ବଲପୁର ମହାନଗର ନିଗମ ଦ୍ୱାରା ଏହି ବସ୍ତି ଲୋକମାନଙ୍କୁ ପରିବହନ ସୁବିଧା ସମେତ ୮ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ। ସେହିପରି ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଜାଗାରେ ଅନଧିକୃତ ଘର ପାଇଁ ପ୍ରତ୍ୟେକ ପରିବାରକୁ ବଜାର ଦର ଅନୁସାରେ କ୍ଷତିପୂରଣ ଦିଆଯିବ। ପ୍ରତି ପରିବାରକୁ ୨ଲକ୍ଷ ୫୭ହଜାର ଟଙ୍କାର ପୁନର୍ବାସ ସହାୟତା, ଅନ୍ୟ ସ୍ଥାନକୁ ଯିବା ପାଇଁ ପରିବାର ପିଛା ଏକକାଳୀନ ୫୦ହଜାର ଟଙ୍କା ସହାୟତା ଦିଆଯିବ। ସେହିପରି ସରକାରୀ ଜାଗାରେ ଉଠାଦୋକାନୀ କରିଥିବା ବ୍ୟବସାୟୀ, ଭିକ୍ଷାବୃତ୍ତି କରୁଥିବା ଲୋକ, ସରକାରୀ ଜମିରେ ଧାର୍ମିକ ଅନୁଷ୍ଠାନ ଓ କ୍ଲବ ନିମନ୍ତେ ମଧ୍ୟ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

୧୦ ଏପ୍ରିଲ, ଶନିବାର – ଆଜି ର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେବ। ଆୟ ଅପେକ୍ଷା ବ୍ୟୟ ଅଧିକା ହେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ। ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଆଗ୍ରହ ବଢିବ।

ବୃଷ: କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ମହିଳା ଏବଂ ଛାତ୍ରଛାତ୍ରୀ  ଖୁସିରେ ଦିନଟିକୁ ଅତିବାହିତ କରିବେ।

ମିଥୁନ: କର୍ମକ୍ଷେତ୍ରରେ ଆଶାରୁ ଅଧିକ ଶୁଭଫଳ ପାଇବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ। ମହିଳାମାନେ ଘରେ ଆନନ୍ଦରେ ଦିନଟିକୁ ଅତିବାହିତ କରିବେ।

କର୍କଟ: ଶାରିରୀକ ଅସୁସ୍ଥତା ଯୋଗୁଁ ଦେହ ଓ ମନ ଭଲ ରହିବ ନାହିଁ। ଦୁର୍ଘଟଣା ଭୟ ରହିଥିବାରୁ ଯାନବାହନ ଚଳାଚଳ  ବେଳେ ସତର୍କତା ଅବଲମ୍ବନ କରନ୍ତୁ। ମହିଳା ଏବଂ ଛାତ୍ରଛାତ୍ରୀଙ୍କ ମନରେ ଅସ୍ଥିରତା ଦେଖା ଦେବ।

ସିଂହ: ବାଦବିବାଦ ଯୋଗୁଁ ମନ ଭଲ ରହିବ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ, ନୂତନ କାର୍ଯ୍ୟ ଭାର ହାତକୁ ନେବେ। ମହିଳା ଏବଂ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।

କନ୍ୟା: ଶାରିରୀକ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ। ନୂତନ ଆୟ ପନ୍ଥା ମିଳିବାର ସମ୍ଭାବନା ରହିଛି।

ତୁଳା: ଦେହ ଓ ମନ ସୁସ୍ଥ ରହିବ, କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ସୁଖାଦ୍ୟ ଭୋଜନ ସହିତ ତୀର୍ଥ ଭ୍ରମଣ ପାଇଁ ସୁଯୋଗ ପାଇବେ। ମହିଳା ଏବଂ ପିଲାମାନେ ଆନନ୍ଦରେ ଦିନ କାଟିବେ।

ବିଛା: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ସାଙ୍ଗସାଥୀମାନେ ଅସହଯୋଗ କରିବେ, ଦୁର୍ଘଟଣା ଭୟ ରହିଛି। ମହିଳାମାନେ ରୋଷେଇ କାର୍ଯ୍ୟ ବେଳେ ସାବଧାନ ରୁହନ୍ତୁ।

ଧନୁ: କାର୍ଯ୍ୟ ଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିବେ । ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ମନପସନ୍ଦ ଦ୍ରବ୍ୟ ହାନିର ଯୋଗ ରହିଛି ।

ମକର: ଶାରିରୀକ ସୁସ୍ଥତା ଅନୁଭବ କରିବେ। ଆର୍ଥିକ ଲାଭ ହେବ, ନୂତନ ଆୟ ପନ୍ଥା ପ୍ରାପ୍ତ ହେବ। ମହିଳା ଏବଂ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।

କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଭାର ବଢିଯିବ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ, ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି। ମହିଳା ଏବଂ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।

ମୀନ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ଏବଂ ଆନନ୍ଦର ସହିତ ଦିନଟିକୁ ଅତିବାହିତ କରିବେ।