ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ଆଜି ସ୍କୁଲ୍ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ସ୍ପଷ୍ଟ କରି ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛତ୍ରୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ। ଏହି ଦୁଇ ଶ୍ରେଣୀର ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ ବୋଲି ସେ କହିଛନ୍ତି। ସେହିପରି ମନ୍ତ୍ରୀ କହିଛନ୍ତି, ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ କିଛି ସ୍ଥିର ହୋଇନି। ଯେହେତୁ ନବମ କ୍ଲାସ ବନ୍ଦ ରହିଛି, ପରୀକ୍ଷା କଥା ସ୍ଥିର ହୋଇନି। କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବ୍ୟାପୁଥିବାରୁ ରାଜ୍ୟର ସମସ୍ତ ସ୍କୁଲ୍‌ରେ ଗତକାଲି ଠାରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ ରହିଛି। ଏହି ନିର୍ଦ୍ଦେଶନାମା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଯଦି ହଷ୍ଟେଲ୍ କିମ୍ବା ଆବାସିକ ସ୍କୁଲରେ ରହୁଥିବେ, ତାହାହେଲେ ସେମାନେ ତୁରନ୍ତ ଘରକୁ ଫେରିଯିବାକୁ ଏପ୍ରିଲ ୭ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ ଅନଲାଇନ୍ କ୍ଲାସ କରିପାରିବେ। ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପୂର୍ବଭଳି ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଥିଲା। ସୂଚନାଯୋଗ୍ୟ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହେବ। ଏହା ୧୫ ତାରିଖ ଯାଏ ଚାଲିବ। ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ। ମେ’ ୩ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ହେବ। ୫ ତାରିଖରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ସେହିପରି ମେ’ ୧୮ ତାରିଖରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ। ଏହା ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ। ତା’ ସହିତ ମେ’ ୨୮ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ।

ଏଥର ଗଡ଼ିବ ରୁକୁଣା ରଥ, ହେଲେ ଭାଗ ନେଇ ପାରିବେନି ଭକ୍ତ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଗତବର୍ଷ କରୋନା ମହାମାରୀ ପାଇଁ ଗଡ଼ିପାରି ନ ଥିଲା ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ। ରଥ ନିର୍ମାଣ ଶେଷ ହୋଇ ମଧ୍ୟ ଶେଷ ମୁହୂର୍ତ୍ତରେ କରୋନା ପାଇଁ ଏହି ଯାତ୍ରାକୁ ବନ୍ଦ କରାଯାଇଥିଲା । ଚଳିତ ବର୍ଷ ଏହି ରଥ ଯାତ୍ରା ଧୁମଧାମରେ ଆୟୋଜିତ ହେବ ବୋଲି ଶ୍ରଦ୍ଧାଳୁ ଆଶା କରିଥିବା ବେଳେ ଏଥର ମଧ୍ୟ ମହାମାରୀ ଲୋକଙ୍କ ଆଶାରେ ପାଣି ପକାଇ ଦେଇଛି। ଆସନ୍ତା ୨୦ରେ ଗଡ଼ିବ ରୁକୁଣା ରଥ। ତାହା ପୁଣି ବିନା ଭକ୍ତରେ। ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛି ବିଏମ୍‌ସି । ଏଥିପାଇଁ ରାଜ୍ୟ ସରକାର ମଧ୍ୟ ମୋହର ଲଗାଇ ସାରିଛନ୍ତି। କୋଭିଡକୁ ଦେଖି ବିନା ଭକ୍ତରେ କେମିତି ରୁକୁଣା ରଥ ଆୟୋଜନ ହେବ, ସେଥପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ SOP ଜାରି କରାଯାଇଛି ।  ଏହି ଏସ୍ଓପି ଅନୁସାରେ ରୁକୁଣା ରଥରେ କେବଳ ସେବାୟତ ଭାଗ ନେବେ । କୌଣସି ଭକ୍ତ ଭାଗ ନେଇପାରିବେ ନାହିଁ।  ଯେଉଁ ସେବାୟତମାନେ ଭାଗ ନେବେ, ୪୮ ଘଣ୍ଟା ପୂର୍ବରୁ ସେମାନଙ୍କର RT PCR ଟେଷ୍ଟ କରାଯିବ।  ଯାହାର ନେଗେଟିଭ ରିପୋର୍ଟ ଆସିବ, କେବଳ ସେମାନେ ହିଁ ରୁକୁଣା ରଥଯାତ୍ରାରେ ଭାଗ ନେଇପାରିବ । କୋଭିଡ ନେଗେଟିଭ ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ। ରୁକୁଣା ରଥଯାତ୍ରା ବେଳେ ଖାଇବା ଦୋକାନ, ମିନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏପରିକି ବାଣ ମଧ୍ୟ ଫୁଟା ଯାଇପାରିବ ନାହିଁ  । ରୁକୁଣା ରଥଯାତ୍ରା ଆୟୋଜନ ନେଇ ଗତକାଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଡିଏ କାର୍ଯ୍ୟାଳୟରେ ବସିଥିବା ବୈଠକରେ ୪ ନିଯୋଗ, ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଯୋଗ ଦେଇଥିଲେ । ସମସ୍ତଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା  । ଆସନ୍ତା ୨୦ରେ ରୁକୁଣା ରଥଯାତ୍ରା ହେବ । ଗତ ବର୍ଷ ଏହା ହୋଇପାରିନଥିଲା।  ରଥ ନିର୍ମାଣ ହୋଇଥିଲେ ସୁଦ୍ଧା ଶେଷ ମୁହୂର୍ତ୍ତରେ କରୋନା ପାଇଁ ରୁକୁଣା ରଥ ଯାତ୍ରାକୁ ବନ୍ଦ କରାଯାଇଥିଲା   । ସୂଚନାଯୋଗ୍ୟ, ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବା ପରେ ଆଜି ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଡେଇଁଛି। ସୂଚନା ଓ ଲୋକ ସଂପର୍କ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୨ ଓ କଳାହାଣ୍ଡିରୁ ୧୦୮ ଜଣ ଚିହ୍ନଟ ହୋଇଛନ୍ତି।

ଆଜିଠୁ ବୁଢ଼ୀ ଠାକୁରାଣୀ ଯାତ୍ରା, ମା’ଙ୍କ ସମ୍ମୁଖରେ ହୋଇ ପାରିବନି ଭୋଗ …!

!!!  ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ବ୍ରହ୍ମପୁର) – ରାଜ୍ୟରେ କରୋନା ଲମ୍ବା ଡିଆଁ ମାରି ଏବେ ୧୩୦୦ ମୁହାଁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଉଛି।  ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ମଧ୍ୟ କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ମଧ୍ୟରାତ୍ରରେ ମା’ଙ୍କୁ  ଆବାହନ କରାଯିବ । ମା’ଙ୍କ ଘଟ ଅଣାଯାଇ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯିବ । ଭିଡ଼ ଏଡ଼ାଇବା ପାଇଁ ଘଟ ଆସିବା ସମୟରେ କରୋନା କଟକଣାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ହୋଇଛି । ମା’ଙ୍କ ସମ୍ମୁଖରେ କେହି ମାନସିକଧାରୀ ବା ଶ୍ରଦ୍ଧାଳୁ ଭୋଗରାଗ କରିପାରିବେ ନାହିଁ । କେବଳ ମା’ଙ୍କୁ ଦର୍ଶନ କରିବାର ଅନୁମତି ଅଛି। ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ଯାତ୍ରାକୁ ଅନୁମତି ମିଳିଛି। ଅପରପକ୍ଷେ, କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭିଡ଼ ନିୟନ୍ତ୍ରଣ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଗୋପାଳପୁର, ସୁନାପୁର ବେଳାଭୂମିକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶନିବାର ଓ ରବିବାର ଦୁଇ ଦିନ ପାଇଁ ବେଳାଭୂମି ବନ୍ଦ ରହିବ । ସେହିପରି ସୋମବାର  ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ରୋକିବା ଲାଗି ଗଞ୍ଜାମର ମା’ ତାରାତାରଣୀ ପୀଠକୁ ପ୍ରତି ବୁଧବାର ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ରାୟଗଡାରେ ସିନେମା ହଲ ସିଲ …!

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ରାୟଗଡାରେ ସିନେମା ହଲ ସିଲ କରାଯାଇଛି । ରାୟଗଡା ସହରରେ ଥିବା ଅଶୋକ ସିନେମା ହଲ ସିଲ କରାଯାଇଛି । କୋଭିଡ ନିୟମ ଉଲଘଂନ ଅଭିଯୋଗ ରେ ସିନେମା ହଲ ସିଲ ହୋଇଛି । ରାୟଗଡା ଜିଲ୍ଲାପାଳ ଓ ଏସପି ଚଢାଉ କରି ସିଲ କରିଛନ୍ତି ବୋଲି ସୂଚନା ମିଳୁଛି । କୋଭିଡ ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଯାଞ୍ଚକୁ କଡାକଡି କରାଯାଇଛି ଓ ୧୦ ଦିନିଆ ସ୍ପେସାଲ ଡ୍ରାଇଭ ଚାଲିଛି । ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ତେବେ ରାୟଗଡାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ କୋରନା ପଜେଟିଭ ଚିହ୍ନଟ ହୋଇଛନ୍ତି ।

କୋଭିଡ ସୁରକ୍ଷା ନିୟମକୁ କଡାକଡି ପାଳନ ପାଇଁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯାନ l

!!! ରାୟଗଡ଼ା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି.ଦିଲ୍ଲିପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଦୃଷ୍ଟିରେ ରଖି କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ସାଧାରଣ ଜନତା ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ରାୟଗଡ ଜିଲ୍ଳାପାଳ ଶ୍ରୀ ସରୋଜ କୁମାର ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମିଳିତ ଭାବେ ସହରର କପିଳାଶ ଛକରୁ ଆଭିଯାନ ଆରମ୍ଭ କରି ଅଭେରବ୍ରିଜ ତଳ, ରେଳ ଷ୍ଟେସନ, ଓ ଅଶୋକ ଟକିଜ ସିନେମା ହଲରେ ଚଢ଼ାଉ କରିଥିଲେ l

କୋଭିଡ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଏବଂ ସଚେତନତା ସୃଷ୍ଟି କରାଯିବା ସହ କୋଭିଡ ନିୟମ ଉଂଲଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ ସହରର ସ୍ଥାନୀୟ କପିଳାଶ ଛକ ଠାରେ ଆଜି ଏହି ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ମାସ୍କ ସହ ଯାଂଚ କଡାକଡି କରାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଓ ଏସ.ପି. ଶ୍ରୀ ଶର୍ମା ନିଜେ ଚାଲି ଚାଲି ଜାତୀୟ ରାଜପଥ କଡରେ ବସୁଥିବା ଉଠା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିିଭିନ୍ନ ଦୋକାନ ଆଦିକୁ ଅଚାନକ ଗସ୍ତ କରି ମାସ୍କ ପିନ୍ଧି ନ ଥିବା ଗ୍ରାହକ ଏବଂ କୋଭିଡ୍ ନିୟମ ପାଳନ କରୁ ନ ଥିବା ବ୍ୟବସାୟୀଙ୍କୁ ତାଗିଦ କରାଯିବ ଚେତାବନୀ ଦେଇଥିଲେ ଓ ଜରିମାନା ଆଦାୟ କରିଥିଲେ । ପରେ ଉଭୟ ଅଶୋକ ଟକିଜ ଯାଇ କୋଭିଡ ନିୟମ ପାଳନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଓ ଅଶୋକ ଟକିଜ କୁ ସିଲ କରିଥିଲେ । ସହରର ଦୋକାନ ଭିତରେ ସାମାଜିକ ଦୂରତାକୁ ଏବଂ ମାସ୍କ ପରିଧାନ କରି ନ ଥିବା ଦୋକାନ, ଏବଂ ଅନ୍ୟାନ୍ୟ ଦୋକାନଗୁଡିକକୁ ଯାଇ ଗ୍ରାହକଙ୍କୁ ମାସ୍କ ପରିଧାନ କରି ଆସିବା ସହ ବ୍ୟବସାୟୀମାନେ ନିଜ ଦୋକାନରେ କମ ସଂଖ୍ୟକ କର୍ମଚାରୀରେ ସାମାଜିକ ଦୂରତା ବଜାୟ ରଖି ବ୍ୟବସାୟ କରିବା ଏବଂ ଗ୍ରାହକଙ୍କ ପାଇଁ ୬ଫୁଟ ବ୍ୟବଧାନରେ ଚିହ୍ନ କରି କୋଭିଡ ନିୟମ ପ୍ରକାରେ ବ୍ୟବସାୟ କରିବା ପାଇଁ କହିଥିଲେ ।

ଏହି ଯାଂଚ କରିବା ବେଳେ ଅନେକ ଦୋକାନରେ ଗ୍ରାହକଙ୍କ ଗହଳି ରହିଥିବାରୁ କୋଭିଡ ନିୟମ ଉଂଲଘନ ଅଭିଯୋଗରେ ବ୍ୟବସାୟୀମାନଙ୍କଠାରୁ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାୟଗଡ ଜିଲ୍ଳାରେ ତଥା ଜିଲ୍ଳା ସଦର ମହକୁମାରେ ବର୍ତମାନ ସୁଦ୍ଧା ସଂକ୍ରମିତଙ୍କ ବେଶୀ ବଢିଆ ନଥିଲେ ମଧ୍ୟରେ ଆଗକୁ ସମସ୍ତଙ୍କ ସହଯୋଗ ରହିଲେ ସଂକ୍ରମଣ ବ୍ୟାପିବାରୁ ରୋକାଯାଇପାରିବ ବୋଲି ଉଭୟ ଜିଲ୍ଲାପାଳ ଏବଂ ଏସ. ପି. ପ୍ରକାଶ କରିଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନରେ ରାୟଗଡ ତହସିଲଦାର ଶ୍ରୀ ଉମାଶକାଙ୍କର ବେହେରା, ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ୟାଶୀର ବିଲାଲ ଅହମଦ ସମେତ ଅନ୍ୟମାନେ ପୋଲିସ କର୍ମଚାରୀ ଓ ପୌର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।

ସୁରଟ ଓ ମହାରାଷ୍ଟ୍ର ସ୍ଥିତି ଅଣାୟତ୍ତ, ଗଞ୍ଜାମରେ ବଢିଚାଲିଛି କରୋନା ସ୍ଥିତି..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (କୋଦଳା)- ଗୁଜୁରାଟର ସୁରଟ ଓ ମହାରାଷ୍ଟ୍ରର ପୁନେ ଓ ମୁମ୍ବାଇରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଇତି ମଧ୍ୟରେ ରେ ସୁରଟ ମହାନଗର ନିଗମରେ ୩୫୦ ପଜିଟିଭ ଚିନ୍ହଟ ବେଳେ ମହାରାଷ୍ଟ୍ର ରେ ୬୦୦ ଉପରେ ପଜିଟିଭ ଚିନ୍ହଟ ହେଲାଣି। ଏଥି ରୁ ସମସ୍ତଙ୍କୁ ସଙ୍ଗରୋଧରେ ମଧ୍ୟ ରଖାଗଲାଣି।ଏପଟେ ଗଞ୍ଜାମ ଜିଲ୍ଲାରେ ମଧ୍ୟ କରୋନା ଗ୍ରାଫ ଉପର ମୁହାଁ ହୋଇଚାଲିଛି। ଗଞ୍ଜାମରେ କରୋନା ଉପରମୁହାଁ ହେବାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ସଚେତନତାର ଭିଡିଓ ବାର୍ତ୍ତା ଛାଡିବା ସହ ସମସ୍ତ ପୋଲିସ ଥାନା ପକ୍ଷରୁ ମଧ୍ୟସଚେତନତା ଅବଲମ୍ବନ ପାଇଁ ଡ଼ାକବାଜି ଯନ୍ତ୍ରରେ କୁହାଯାଇଛି ଏଥିସହ ପଞ୍ଚସୁତ୍ରୀ ନିୟମ ପାଳନ ପାଇଁ ଦୋକାନୀ ମାନଙ୍କୁ ନିର୍ଦେଶ ଦିଆଯାଇଛି।

ଯେଉଁମାନେ ଅଯଥାରେ ବିନା ମାସ୍କରେ ବାହାରେ ବୁଲୁଛନ୍ତି ତାଗିଦ କରିବା ସହ ପରବର୍ତ୍ତୀ ସମୟରେ ଚାଲାଣ କଟାଯିବ ବୋଲି ନିର୍ଦେଶ ଦିଆଯାଇଛି। ସେପଟେ ସୁରଟ ଛାଡି ଗଞ୍ଜାମକୁ କେତେକ ପ୍ରବାସି ଓଡ଼ିଆ ପ୍ରତ୍ୟାବର୍ତ୍ତନ କରୁଥିବାରୁ ତାହାକୁ ନେଇ ମଧ୍ୟ ଆଶଙ୍କା ବଢ଼ି ଚାଲିଛି। ଅନ୍ୟପକ୍ଷରେ ଦିନେ କରୋନା ଗ୍ରାଫରେ ଗଞ୍ଜାମ ସର୍ବ ଉପରେ ଥିବାକୁ ନେଇ ଏବେ ସେଭଳି ପରିସ୍ଥିତି ଯେପରି ନ ଉପୁଜିବ ସେକଥା ଭାବି ମଧ୍ୟ ଗଞ୍ଜାମ ବାସୀ ଭୟବୀତ ହେଉଛନ୍ତି। ତତସହ ପଜିଟିଭ ସଂଖ୍ୟା ବଢିବାକୁ ନେଇ ଆସିକା ବ୍ଲକ ର ୫ ଗୋଟି ଗ୍ରାମରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି।

ଗୁଣପୁର ମହାବିଦ୍ୟାଳୟରେ “ବିଶ୍ବ ସ୍ବାସ୍ଥ୍ୟ ଦିବସ” ପାଳନ..!

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ  !!!

ଏଥର ସମ୍ଭାଳ (ଗୁଣପୁର)- ଗୁଣପୁର ମହାବିଦ୍ୟାଳୟର ଏନସିସି ୟୁନିଟ ତରଫରୁ ଆଜି “ବିଶ୍ବ ସ୍ବାସ୍ଥ୍ୟ ଦିବସ” ଉପଲକ୍ଷେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହାର ଶୁଭାରମ୍ଭ ହୋଇଥିଲା । ଗୁଣାତ୍ମକ ଜୀବନ ଏବଂ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ, ଏପ୍ରିଲ 7 କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ଆଜି, ଯେତେବେଳେ ସମଗ୍ର ବିଶ୍ବ Covid-19 ର ଦ୍ୱିତୀୟ ତରଙ୍ଗର ସାକ୍ଷୀ ହେଉଛି, ଏହି ଦିନକୁ ପାଳନ କରିବା ଏବଂ ହାତରେ ଥିବା ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତେଣୁ ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ମାସ୍କ ବଣ୍ଟନ କରିଥିଲେ ଗୁଣପୁର ମହାବିଦ୍ୟାଳୟର ଏନସିସି ସ୍ବେଚ୍ଛାସେବୀବୃନ୍ଦ । ଏଥିରେ ଏନସିସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ବଡ଼ମୁଣ୍ଡି, ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

“ରାୟଗଡ ଜିଲ୍ଲାର ୩୧ଟି ବିଦେଶୀ ମଦ ଦୋକାନ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଲଟେରୀ ଉଠାଣ ସମ୍ପନ୍ନ”

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାରଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – ତା. ୮/୦୪/୨୦୨୧- ରାୟଗଡ଼ ଜିଲ୍ଲାରେ ଥିବା 31ଟି ବିଦେଶୀ ମଦ ଦୋକାନ ପରିଚାଳନା ନିମନ୍ତେ ଆଜି ଶାନ୍ତି ପୂର୍ଣ୍ଣ ଭାବରେ ଲଟେରୀ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି l ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଭିଡ ନିୟମ ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହିତ ସମାପନ ହୋଇଛି l ପ୍ରକାଶ ଥାଉକି ଜିଲ୍ଲାରେ 31ଟି ବିଦେଶୀ ମଦ ଦୋକାନ ପରିଚାଳନା ନିମନ୍ତେ ଜିଲ୍ଲା ଅବକାରୀ ବିଭାଗ, ରାୟଗଡ଼ ତରଫରୁ ବିଜ୍ଞାପନ ପ୍ରକାଶ ଥିଲl l ବିଜ୍ଞାପନ ଅନୁଯାୟୀ ଜିଲ୍ଲାରୁ ମୋଟ 642ଟି ଆବେଦନ ପତ୍ର ପଡ଼ିଥିଲା l ଆବେଦନକାରୀ ମାନେ ଆବେଦନ କଲା ବେଳେ ତାଙ୍କର ଡ୍ରାଫ୍ଟ ସହ ଆବେଦନ ଲଟେରୀ କୂପନ ସଂଗ୍ରହ କରି ନେଇଥିଲେ l ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ଲଟେରୀର ଉଠାଣ ବ୍ୟବସ୍ଥା କରାଯାଇଥିଲା l ଏହି ଆବେଦନ କାରୀଙ୍କ ମଧ୍ୟରୁ 505 ଜଣ ଆବେଦନକାରି ଉପସ୍ଥିତ ଥିଲେ ।

ଆବେଦନକାରୀଙ୍କ ଠାରୁ ଅବକାରୀ ରାଜସ୍ୱ ଭାବେ ସରକାର ସିଧାସଳଖ ୬କାେଟି ୪୨ଲକ୍ଷ ଟଙ୍କା ପାଇଛନ୍ତି । କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଆଜି ସମସ୍ତ ଆବେଦନକାରି ମାସ୍କ ଓ ସାନିଟାଈଜର ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖି ଶାନ୍ତି ଶୃଙ୍ଖଳା ସହ ଉପସ୍ଥିତ ଥିଲେ l ଆଜିର ଏହି ଲଟେରୀରେ ଚୟନ ହୋଇଥିବା ନୂଆ ଭେଣ୍ଡର ମାନେ ଚଳିତ ଆର୍ଥିକ ବର୍ଷରୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ସରକାରୀ ସ୍ୱୀକୃତିପ୍ରାପ୍ତ ଲlଇସେନ୍ସ ପାଇଛନ୍ତି ଏବଂ ବର୍ଷକୁ ବର୍ଷ ଦୋକାନର ନବୀକରଣ ନିମନ୍ତେ ଅବକାରୀ ରାଜସ୍ୱ ସରକାରଙ୍କୁ ଦାଖଲ କରି ଦୋକାନ ପରିଚାଳନା କରିବେ l ଏହି ଲଟେରୀ ଉଠାଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶନ୍ନ କୁମାର ନାୟକ ଉପସ୍ଥିତ ରହିଥିଵା ବେଳେ ଅବକାରୀ ବିଭାଗ କର୍ମଚାରୀ ମାନେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଏହି ଲଟେରି ଉଠାଣ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପୋଲିସ ମୁତୟନ କରାଯାଇଥିଲା l

“କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ “

!!! ରାୟଗଡା ଜିଲ୍ଲା ରୁ ଟାଉନ ପ୍ରତିନିଧି ପି. ଦିଲ୍ଲୀପ କୁମାରଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ (ରାୟଗଡା) – କୋରନାର ଦ୍ଵିତୀୟ ଲହରୀ ସଂକ୍ରମଣ ବ୍ୟାପିବାର ଦେଖି ଏହାର ମୁକାବିଲା ପାଇଁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ତପ୍ତରତା ପ୍ରକାଶ କରିଛନ୍ତି । ଏହାର ମୁକବିଲ୍ଲା ନିମନ୍ତେ ଆଜି ଏକ ଜରୁରୀ ବୈଠକ ଡାକି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବିଶେଷକରି ବିଭିନ୍ନ ବ୍ଲକର ଲୋକମାନେ ବାହାରକୁ ଯାଇ ଫେରୁଥିବା ଲୋକମନଙ୍କୁ ଚିହ୍ନଟ କରିବା ଏବଂ ସେମାଙ୍କୁ ସଙ୍ଗରୋଧରେ ରଖିବାସହିତ ଓ ଆବଶ୍ୟକ ପଡିଲେ କୋଭିଡ ଚିକିତ୍ସା ଯୋଗାଇବା ପାଇଁ ସମ୍ପୃକ୍ତ ବ୍ଲକର ବିଡିଓ ମାନଂକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ବାହାରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନଂ କରି ଆବଶ୍ୟକ ପଡିଲେ ସେମାନଙ୍କୁ ସଙ୍ଗରୋଧରେ ରଖି ଚିହ୍ନଟ ରୋଗୀଙ୍କୁ କୋଭିଡ଼ କ୍ୟାର ସେଣ୍ଟରରେ ଚିକିତ୍ସା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଜିଲ୍ଲାର ସମସ୍ତ ବସ ମାଲିକ ମାନଙ୍କୁ ବସ ଛାଡିବା ପୂର୍ଵରୁ ସାନିଟାଇଜେର କରିବା, ଓ ମାସ୍କ ବ୍ୟବହାର କରିବା ପାଇଁ ଜିଲ୍ଲପାଳ ପରାମର୍ଶ ଦେଇଥିଲେ । ସେହିପରି ବାହାରୁ କାମ ପାଇଁ ଆସୁଥିବା ଲୋକମାନଙ୍କୁ କାହାସହିତ ମିଳାମିଶା ନକରିବା ଓ ତୁରନ୍ତ କାମସାରିଲେ ହଟେଲ ଛାଡି ପଳାଇବାକୁ କହିବା ପାଇଁ ହୋଟେଲ ମାଲିକମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ବୃଦ୍ଧ, ବୃଦ୍ଧା, ରୋଗାକ୍ରାନ୍ତ ବ୍ୟକ୍ତି ଓ ଶିଶୁ ମାନଙ୍କୁ ଅଯଥାରେ ବାହାରେ ନ ବୁଲିବାକୁ ଓ ଆବଶ୍ୟକସ୍ଥଳେ ମାସ୍କ ଓ ସାନିଟାଈଜର ବ୍ୟବହାର କରିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ ରହିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ଓ କର୍ମଚାରୀ ନିୟୋଜିତ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହ ଛଡା ମାସ୍କ ବ୍ୟବହାର ଉପରେ କଡାକଡି ଯାଞ୍ଚ କରିବାକୁ ଜିଲ୍ଲା ଆରୋଖୀ ଅଧିକାରୀ କୁହାଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡି.ଆର. ଡିଏ ଶ୍ରୀ ମହେଶ୍ୱର ନାଏକ, ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଆର୍ତ୍ତବନ୍ଧୁ ନାୟକ, ପିଏ, ଆଇଟିଡିଏ ଶ୍ରୀ ଟୁକୁ ବାରିକ, ତହସିଲଦାର ରୟାଗଡ଼ ଶ୍ରୀ ଉମାଶଙ୍କର ବେହେରା ଏବଂ ଡିପିଏମ ଶ୍ରୀ ରାଜେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଗୁଣୁପୁର ପୌର ପରିଷଦ ରେ କର୍ମୀ ମାଳମାଳ କାମ ଦୁର୍ବଳ ..!

!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ତ ରୁ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର)- ରାୟଗଡାଜିଲ୍ଲା ଗୁଣୁପୁର ପୌରପରିଷଦ ଏବେଚର୍ଚ୍ଚାରେ । କୌଣସି ଉନ୍ନତି ମୂଳକ କାର୍ଯ୍ୟପାଇଁ ନୁହେଁ, ବରଂ ନାମ ତୁଳନାରେ କିଛି ଉନ୍ନତି ମୂଳକ କାର୍ଯ୍ୟ ହେଉନଥିବାରୁ ଆଜି ବାଧ୍ୟହୋଇ ଗୁଣୁପୁର ବିଜେପି ଶାଖାପକ୍ଷରୁ ଗୁଣୁପୁର ଉପଜିଲ୍ଲାପାଳଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିବାଦୀୟ ସ୍ମସାନ ଘାଟକୁ ଚିହ୍ନଟକରି ହିନ୍ଦୁ ଓ ଖ୍ରୀଷ୍ଟିଆନ ମାନଙ୍କପାଇଁ ବ୍ୟବସ୍ଥାକରିବା,ସହରରେ ପାନୀୟ ଜଳ ଯୋଗାଣର ସୁ ବନ୍ଦୋବସ୍ତ କରିବା, ରାସ୍ତାଘାଟରେ ଆଲୋକୀକରଣରେ ଉନ୍ନତିକରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ତୁରନ୍ତ ଘର ଯୋଗାଇଦେବା, ପରିମଳ ବ୍ୟବସ୍ଥାରେ ଉନ୍ନତିସାଧନ କରିବାଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକି ପୌରପରିଷଦର ବାଧ୍ୟତାମୂଳକ କାର୍ଯ୍ୟର ଅଂଶବିଶେଷଅଟେ.ଏସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଭାଜପାପକ୍ଷରୁ ଦାବୀହୋଇଛି ।

ଜିଲ୍ଲା ଉପସଭାପତି ୱାଇ.ଗଣପତି, ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ପୃଥ୍ୱୀରାଜ ପାଢ଼ୀ, ଉଦୟ ପାଢ଼ୀ, ଜଗଦୀଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଉପସଭାପତି ୱାଇ.ଗଣପତି ରାଓ ଗୁଣୁପୁର ପୌରପାଳିକା ଅଞ୍ଚଳ ବାସୀଙ୍କର ସର୍ବାଙ୍ଗୀନ ଉନତିପାଇଁ ଗୁଣୁପୁର ବିଜେପି ପ୍ରତିଶୁତିବଦ୍ଧ ବୋଲି ପ୍ରକାଶ କରିଥିଲେ l