ବାଜିଲା ଆଇପିଏଲ ବିଗୁଲ: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ ) – ମହାମାରୀ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଭିତରେ ଆଜିଠାରୁ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବିନା ଦର୍ଶକରେ ଆୟୋଜିତ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବିରାଟ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ। ଏଯାଏ ୫ଥର ଟ୍ରଫି ଜିତିଥିବା ମୁମ୍ବାଇ ପକ୍ଷରୁ ଆଇପିଏଲର ୧୪ତମ ସଂସ୍କରଣରେ ଦୁଇ ଜଣ ଖେଳାଳି ଡେବ୍ୟୁ କରୁଛନ୍ତି। ଏଯାଏ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନଥିବା ମାରକୋ ଜାନସେନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ଗତ ସଂସ୍କରଣରେ ବେଞ୍ଚରେ ବସିବସି ଯାଇଥିବା କ୍ରିସ୍‌ ଲୀନଙ୍କୁ ପ୍ରଥମ ମ୍ୟାଚ୍‌ରେ ସୁଯୋଗ ମିଳିଛି।  ମୁମ୍ବାଇର ନିୟମିତ ଓପନର କ୍ୱିଣ୍ଟିନ ଡି’କକ୍‌ ଏବେ କ୍ୱାରେଣ୍ଟାଇନରେ ଥିବାରୁ ଲୀନ ଓ ରୋହିତ ଶର୍ମା ହିଁ ଦଳ ପାଇଁ ଇନିଂସ ଆରମ୍ଭ କରିବେ। ସେହିପରି ୱିକେଟ କିପିଂ ଦାୟିତ୍ୱ ଈଶାନ କିଶାନ ନିର୍ଭାହ କରିବେ। ସେହିପରି ବାହାଘର ପରେ ପ୍ରଥମଥର ମୈଦାନକୁ ଓହ୍ଲାଉଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ତାଙ୍କ ବୋଲିଂରେ ସହଯୋଗ କରିବା ପାଇଁ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ରହିଛନ୍ତି। ଏମାନଙ୍କ ସହ ବାମହାତୀ ଡେବ୍ୟୁଟାଣ୍ଟ ମାରକୋ ମଧ୍ୟ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଏରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା ଓ ରାହୁଲ ଚହର ରହିଛନ୍ତି।ଅନ୍ୟପକ୍ଷରେ ଆରସିବି ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ, ଜାମିସନ ଓ ଡାନିଏଲ କ୍ରିଷ୍ଟିଆନ ଡେବ୍ୟୁ କରୁଛନ୍ତି। ସେହିପରି ଅସୁସ୍ଥତା କାରଣରୁ ଦେବଦତ୍ତ ପାଡ୍ଡିକଲ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ତେଣୁ ରଜତ ପାଟିଦାର ମଧ୍ୟ ଡେବ୍ୟୁ କରୁଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ –  ରୋହିତ ଶର୍ମା, କ୍ରିସ ଲୀନ, ସୂର୍ଯ୍ୟ କୁମାର ଯାଦବ, ଈଶାନ କିଶନ(ୱିକେଟ କିପର), କାଏରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ମାରକୋ ଜାନସେନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍ରା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ରଜତ ପାଟିଦର, ବିରାଟ କୋହଲି, ଏବି ଡିଭିଲୟର୍ସ(ୱିକେଟ କିପର), ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ କ୍ରିଷ୍ଟିଆନ, ୱାଶିଂଟନ ସୁନ୍ଦର, କାୟଲ ଜାମିସନ, ଶାହାବାଜ ଅହମଦ, ହର୍ଷ ପଟେଲ, ମହମ୍ମଦ ସିରାଜ ଓ ୟୁଜବେନ୍ଦର ଚହଲ।

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟ୍‌କା, ପ୍ରଥମ ମ୍ୟାଚ୍‌ରୁ ଷ୍ଟାର୍ ଓପ୍ନର ଆଉଟ୍…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ ) – ଦୁଇ ବର୍ଷର ବ୍ୟବଧାନ ପରେ ଭାରତକୁ ଫେରିଛି ଦୁନିଆର ସବୁଠାରୁ ବ୍ୟୟବହୁଳ ଟି-୨୦ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)। ଆଇପିଏଲର ୧୪ଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇକୁ ବଡ଼ ଝଟକା ଲାଗିଛି। ଗତ ସିଜନରେ ରୋହିତଙ୍କ ଓପନ୍ କରି ଧମାକା କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଫିସିଆଲ୍ ୱେବସାଇଟରେ ଏହି ସୂଚନା ଦେଇଛି। ଏଥିରେ କୁହାଯାଇଛି, ପ୍ରଥମ ମ୍ୟାଚ୍ ପାଇଁ ଡିକକ୍ ଉପଲବ୍ଧ ରହିବେ ନାହିଁ। ଆଇପିଏଲ୍ ଏସଓପି ଅନୁଯାୟୀ ଡି’କକଙ୍କୁ ୭ ଦିନର କ୍ୱାରେଣ୍ଟାଇନ୍ ପିରିୟଡ ଶେଷ କରିବାକୁ ପଡ଼ିବ। ଏହି କାରଣୁରୁ ଡି’କକ୍ ମୁମ୍ବାଇ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ରୋହିତଙ୍କ ଓପନିଂ ପାର୍ଟନର୍ କିଏ ହେବ, ତାହା ସ୍ପଷ୍ଟ ହୋଇନାହିଁ। ଯାହା ସୂଚନା ମିଳିଛି, ରୋହିତଙ୍କ ସହ ଈଶାନ୍ କିଶନ ଓପନ୍ କରିପାରନ୍ତି। ଏହାଦ୍ୱାରା ଡାହାଣ ଓ ବାମ ହାତୀ ଓପନିଂ କମ୍ବିନେଶନ୍ ମଧ୍ୟ କାଏମ ରହିବ। ନିକଟରଆ ଟିମ୍ ଇଣ୍ଡିଆ ପକ୍ଷରୁ ଓପନିଂ କରି ଈଶାନ୍ ୫୬ ରନର ଜବରଦସ୍ତ ଇନିଂସ୍ ଖେଳିଥିଲେ। ଏଭଳି ସ୍ଥିତିରେ ରୋହିତଙ୍କ ସହ ଈଶାନଙ୍କୁ ଓପନ୍ କରୁଥିବାର ଦେଖିବାକୁ ମିଳିପାରେ। ଡି’କକ୍ ଓ ରୋହିତଙ୍କ ଓପନିଂ ଯୋଡ଼ି ଗତ ସଂସ୍କରଣରେ ମୁମ୍ବାଇକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ତେବେ କ୍ୱାରେଣ୍ଟାଇନ୍ ପିରିୟଡ ଶେଷ କରିବା ପରେ ଡି’କକ୍ ମୁମ୍ବାଇ ପକ୍ଷରୁ ବାକି ମ୍ୟାଚ୍ ଗୁଡ଼ିକରେ ଉପଲବ୍ଧ ହେବେ ବୋଲି ଜଣାପଡ଼ିଛି। ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଚେନ୍ନାଇ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଚଳିତ ସଂସ୍କରଣର ସବୁଯାକ ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ତେବେ ଏଥର ସବୁ ଟିମ୍ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବେ। ଅର୍ଥାତ ଚଳିତଥର ହୋମ୍ ଓ ଆୱେ ମ୍ୟାଚ୍ ହେବ ନାହିଁ।

ମହେନ୍ଦ୍ର ସିଂହ ଧୋନୀଙ୍କୁ ବଡ଼ ଦାୟିତ୍ୱ ଦେବେ ଝାଡ଼ଖଣ୍ଡ ସରକାର…!

ଏଥର ସମ୍ଭାଳ ବ୍ୟୁରୋ (ରାଞ୍ଚି) – ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଝାଡ଼ଖଣ୍ଡ ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଏହି କିମ୍ୱଦନ୍ତୀ ଖେଳାଳି ଆଗାମୀ ଦିନରେ ଝାଡ଼ଖଣ୍ଡର କୃଷି ବିଭାଗର ବ୍ରାଣ୍ଡ ଆମ୍ୱାସଡ଼ାର ହୋଇପାରନ୍ତି। ଗୁରୁବାର ଝାଡ଼ଖଣ୍ଡ ସରକାରର କୃଷି ବିଭାଗର ଏକ ସମୀକ୍ଷା ବୈଠକ ବସିଥିଲା। ଏଥରେ କୃଷି ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଧୋନୀଙ୍କୁ କୃଷିର ବ୍ରାଣ୍ଡ ଆମ୍ୱାସଡାର କରାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଫଟାଫଟ କ୍ରିକେଟ ଆଇପିଏଲ ପାଇଁ ବ୍ୟସ୍ତ ରହିଥିବା ସିଏସକେ  କ୍ୟାପଟେନ ଏହାକୁ ନେଇ କୌଣସି ମତ ରଖିନାହାନ୍ତି।ଗତକାଲି କୃଷି ବିଭାଗର ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ବାଦଲ ପତ୍ରଲେଖ ଗଣମାଧ୍ୟମକୁ କହିଥିଲେ ଯେ ଟିମ୍ ଇଣ୍ଡିଆର  ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ରାଜ୍ୟ ପାଇଁ ଅନେକ ଗୌରବ ଆଣିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚାଷବାସରେ ମନୋନିବେଶ କରି ସଫଳ ହୋଇଛନ୍ତି। ଏହା କୃଷି ଜଗତ ପାଇଁ ଗର୍ବର କଥା। ତେଣୁ ମହେନ୍ଦ୍ର ସିଂହ ଧୋନୀଙ୍କୁ କୃଷି ବିଭାଗର ବ୍ରାଣ୍ଡ ଆମ୍ବାସାଡର କରିବା ପାଇଁ ନିଷ୍ପତ୍ତି ନେଇଛି। ସେ କହିଥିଲେ ଯେ ସମୟ ପାଇବା ମାତ୍ରେ ବିଭାଗର ଅଧିକାରୀମାନେ ଧୋନୀଙ୍କୁ ଭେଟିବେ ଏବଂ ତାଙ୍କୁ ବିଭାଗର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଅନୁରୋଧ କରିବେ। ସୂଚନାଯୋଗ୍ୟ, ଆଜିଠାରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ସିଜନ ୧୪ ଆରମ୍ଭ ହେବାକୁ ଯାଉଛି। ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଗତ ସିଜନରେ ପ୍ରଥମ ଥର ପାଇଁ ତାଙ୍କ ଦଳ ପ୍ଲେ-ଅଫ୍ ଖେଳିବାରେ ବିଫଳ ହୋଇଥିଲା।

ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅଧିକ ଫୋକସ୍ ; ମିଶନ ଶକ୍ତି ମହାସଂଘକୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି ଦୁଇମାସ ମଧ୍ୟରେ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆମର ପଞ୍ଚାୟତଠାରୁ ଆରମ୍ଭକରି ବ୍ଲକ ଓ ଜିଲ୍ଲା ମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା, ଦୋକାନ ଘର, ଗଡ଼ିଆ, ପୋଖରୀ ଇତ୍ୟାଦି ।

ଏଗୁଡିକୁ ସମ୍ପୃକ୍ତ ଜିଲ୍ଲା, ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘମାନଙ୍କୁ ଦିଆଗଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହାକୁ ସେ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଲଗାଇ ପାରିବେ । ସାଧାରଣ ଲୋକ ଉପକାର ପାଇବେ । ମିଶନ ଶକ୍ତିର ମା’ମାନେ ତାକୁ ଆର୍ଥିକ କାର୍ଯ୍ୟରେ ଲଗାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାରର ପ୍ରାଥମିକତା ରହିଆସିଛି । ମିଶନ ଶକ୍ତି ଆଜି ପରିବର୍ତ୍ତନର କର୍ଣ୍ଣଧାର ହୋଇଛି । ମା’ମାନଙ୍କର ଏହି ନୀରବ ଆନ୍ଦୋଳନକୁ ଆହୁରି ମଜବୁତ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଇଛନ୍ତି । ଆମର ୭୦ଲଷ ମା’ ମାନଙ୍କୁ ସଶକ୍ତ କରିବାରେ ଏହା ଆହୁରି ଦଷତାର ସହ ସେବା ଯୋଗାଇବ ବୋଲି ଆଶା କରାଯାଏ ।

ଡ଼ି.ଭୁବନ ମୋହନ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ବି ତେଲେୟା ଓ ବି ରାମାରାଓ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ …!

!!!  ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟଜୋଷୀ  !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଉକୁମ୍ବା ଗ୍ରାମ ଠାରେ ବରିଷ୍ଠ ଆଇନଜୀବି ତଥା କମ୍ୟୁନିସ୍ଟ ନେତା ଡ଼ି ଭୁବନ ମୋହନ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ବି ତେଲେୟା ଓ ବି ରାମାରାଓ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ରାୟଗଡ ଜିଲ୍ଲା ବିକାଶ ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପରିଷଦ ର ମୁଖ୍ୟ ଆବାହକ ତଥା ଆଇନଜୀବି ଶ୍ରୀ ପ୍ରଦୀପ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ରାଜ୍ୟ ଉପଦେଷ୍ଟା ଶ୍ରୀ ସୁଧୀର ଦାସ , ସମ୍ମାନିତ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମଞ୍ଚାସୀନ ହୋଇଥିଲେ । ଏହା ବ୍ୟତିତ ବିକାଶ ପରିଷଦ ର ଜିଲ୍ଲା ଆବାହକ ବୋମାଲି କାନ୍ତା ରାଓ , ଡ଼ି ଭୁବନ ମୋହନ ପଟ୍ଟନାୟକ ଙ୍କ ସୁପୁତ୍ର ଶ୍ରୀ ଡ଼ି ବ୍ରହ୍ମାନନ୍ଦ ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଅଶ୍ୱିନ ଗମାଙ୍ଗ , ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀ ବିଜୟ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

ବିଭିନ୍ନ ସ୍ଥାନରେ ପୋଲିସର ମାସ୍କ ଚେକିଂ..!

!!! ଗଞ୍ଜାମ ରୁ ଜିଲ୍ଲା ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡ଼ା)-  କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଠିରେ ରଖି ପୁଣି ଥରେ କୋଭିଡ ନିୟମକୁ କଡାକଡି କରାଯାଇଛି । ଆଜି ବେଗୁନିଆପଡ଼ା ଫାଣ୍ଡି ଓ କୋଦଳା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ବିନା ମାସ୍କ ଧାରୀ ମାନଙ୍କୁ ମାସ୍କ ଦେଇ ସଚେତନତା କରୁଛନ୍ତି । ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ତାଗିତ କରାଯିବା ସହ ସେମାନଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

ସଂପୂର୍ଣ୍ଣ ଲକଡାଉନ ପାଇଁ ପ୍ରସ୍ତାବ ଦେଲେ ମନ୍ତ୍ରୀ, କାଲି ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି …!

ଏଥର ସମ୍ଭାଳ ବ୍ୟୁରୋ(ମୁମ୍ବାଇ)- ମହାମାରୀ କରୋନା ମହାରାଷ୍ଟ୍ର ସମେତ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ମହାରାଷ୍ଟ୍ର ସ୍ଥିତି ବିଗୁଡ଼ୁଥିବାରୁ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବିଜୟ ୱାଡେଟିୱାର ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବା ସପକ୍ଷରେ ମତ ଦେଇଛନ୍ତି। ଏବେ ରାଜ୍ୟର କରୋନା ଗ୍ରାଫ ଉପର ମୁହାଁ ହୋଇଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସ୍ଥିତି ଆହୁରି ଉତ୍କଟ ହେବାର ଆଶଙ୍କା ରହିଛି। ଏହି କାରଣରୁ ମନ୍ତ୍ରୀ ବିଜୟ ପୂରା ମହାରାଷ୍ଟ୍ରକୁ ଲକଡାଉନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ମହାମାରୀ ଚେନ୍‌କୁ ବ୍ରେକ୍‌ କରିବାକୁ ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ହେବା ଜରୁରୀ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆଜି ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ମୁଁ ସଂପୂର୍ଣ୍ଣ ଲକଡାଉନର ପ୍ରସ୍ତାବ ଦେଇଛି। ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେବେ। କାରଣ କାଲି ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା ସେ କରିବାକୁ ଯାଉଛନ୍ତି। ଏହି ସମୟରେ ସଂପୂର୍ଣ୍ଣ ଲକଡାଉନ ଉପରେ ନିଷ୍ପତ୍ତି ନିଆଯିବ। ପ୍ରତିଦିନ ରାଜ୍ୟରେ ୫୦ରୁ ୬୦ ହଜାର ନୂଆ ମାମଲା ଆସୁଛି। ଆଜି ମହାରାଷ୍ଟ୍ରରେ ଆକ୍ଟିଭ କେସ୍‌ ୫.୩୧ ଲକ୍ଷ ରହିଛି। ଯଦି ଏମିତି ଧାରା ଜାରି ରହିବ, ତା’ହେଲେ ଆକ୍ଟିଭ କେସ୍‌ ୧୦ ଲକ୍ଷ ଛୁଇଁଯିବ। ଏହାକୁ ରୋକିବାକୁ ହେଲେ ଆମକୁ ଭିଡ଼ କମାଇବାକୁ ପଡ଼ିବ। ଅଧା ଦୋକାନ ଓ ପ୍ରତିଷ୍ଠାନକୁ ଖୋଲି ଆମେ କେବେ ହେଲେ କରୋନା ଚେନ୍‌କୁ ଭାଙ୍ଗି ପାରିବା ନାହିଁ। ତେଣୁ ଅତିକମରେ ୩ ସପ୍ତାହ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ହେବ। ଏବେ ସପ୍ତାହାନ୍ତ ଲକଡାଉନ ଲାଗୁ କରାଯାଇଛି। ହେଲେ ଲୋକମାନେ ପରିବା ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦୋକାନରେ ଭିଡ଼ କରୁଛନ୍ତି। ତେଣୁ ଲୋକଙ୍କ ଘରେ ପରିବା ପହଞ୍ଚାଇବାକୁ ବ୍ୟବସ୍ଥା କରିବାକୁ ପଡ଼ିବ। ମୁଁ ମୋର କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ସାରିଛି। ଏବେ ସେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ବିଜୟ କହିଛନ୍ତି।

ପ୍ରାପ୍ତ ବୟସ୍କ ନିଜ ଇଚ୍ଛା ଅନୁସାରେ ଧର୍ମ ଆପଣାଇ ପାରିବେ – ସୁପ୍ରିମକୋର୍ଟ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଗୁଣି ଗାରେଡି, ଆର୍ଥିକ ପ୍ରଲୋଭନ, ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଧର୍ମ ପରିବର୍ତ୍ତନ କରୁଛନ୍ତି। ଏଭଳି ପ୍ରଥା ଉପରେ ରୋକ୍ ଲାଗିବା ଦରକାର ବୋଲି ସୁପ୍ରିମକୋର୍ଟରେ ବିଜେପି ନେତା ତଥା ସାମାଜିକ କର୍ମୀ ଅଶ୍ୱିନୀ ଉପାଧ୍ୟାୟ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଯାହାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଏଭଳି କୌଣସି କାରଣ ପାଇଁ ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରୁଥିବ ବୋଲି କୁହାଯାଇପାରିବ ନାହିଁ। ଜଣେ ପ୍ରାପ୍ତ ବୟସ୍କ ନିଜ ଇଚ୍ଛା ଅନୁସାରେ ଧର୍ମ ଆପଣାଇ ପାରିବ। ଏଥିସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଜଷ୍ଟିସ ରୋହିନତନ ଫାଲିମାନ ନରିମାନ ଏହି ପିଆଇଲକୁ ଅନୁଧ୍ୟାନ କରିବା ପରେ କହିଛନ୍ତି, ସମ୍ବିଧାନ ଅନୁସାରେ ଜଣକୁ ନିଜ ଧର୍ମର ପ୍ରଚାର ପାଇଁ ଅଧିକାର ଦିଆଯାଇଛି। ଦାଏର ହୋଇଥିବା ମକଦ୍ଦମା ଜନସ୍ୱାର୍ଥ ମାମଲା ନୁହେଁ ବରଂ ଏହା ହେଉଛି ଏକ ପ୍ରଚାର ସ୍ୱାର୍ଥ ମାମଲା। ଏହା ସମାଜ ପାଇଁ କ୍ଷତିକାରକ। ଯଦି ଏଭଳି ଆବେଦନକୁ ଆଗକୁ ନିଆଯିବ ତାହେଲେ ଆବେଦନକାରୀଙ୍କ ବିରୋଧରେ ଜୋରିମାନା ଲାଗୁ କରାଯାଇପାରେ। ଏହାପରେ ଆବେଦନକାରୀ କୋର୍ଟରୁ ପିଆଇଏଲ ପ୍ରତ୍ୟାହାର କରିନେଇଛନ୍ତି। ଆବେଦନକାରୀ ଜଣଙ୍କ କହିଥିଲେ, ଏଭଳି ଧର୍ମାନ୍ତୀକରଣକୁ ରୋକିବା ପାଇଁ ଏକ କମିଟି ତିଆରି କରି ଏ ବାବଦରେ ଆଇନ ତିଆରି କରିବା ଦରକାର। ବଳ ପୂର୍ବକ ଧର୍ମାନ୍ତୀକରଣ ସମ୍ୱିଧାନର ଧାରା ୧୪, ୨୧, ୨୫କୁ ଉଲ୍ଲଂଘନ କରୁଛି। ଆଉ ଏହା ସମ୍ୱିଧାନର ମୂଳ ଅନୁଚ୍ଛେଦ ଧର୍ମନିରପେକ୍ଷତାକୁ ମଧ୍ୟ ଉଲ୍ଲଂଘନ କରୁଛି। କେନ୍ଦ୍ର ଓ ରାଜ୍ୟ ସରକାର ଧର୍ମ ପରିବର୍ତ୍ତନକୁ ରୋକିବାରେ ବିଫଳ ହୋଇଛନ୍ତି। ତେଣୁ ଧାରା ୫୧ଏ ଅନୁଯାୟୀ ଏହା ଉପରେ ରୋକ୍ ଲଗାଇବା ଦରକାର। ଆବେଦନରେ ଆହୁରି କୁହାଯାଇଛି ଯେ, ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରିବା ସମାଜର ଏକ ଖରାପ ଅଭ୍ୟାସ ପାଲଟି ଗଲାଣି। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏଭଳି ମାମଲାକୁ ରୋକିବା ପାଇଁ କେନ୍ଦ୍ର ଏକ ଆଇନ ପ୍ରଣୟନ କରିପାରିବ, ଯେଉଁଥିରେ ସର୍ବନିମ୍ନ ତିନି ବର୍ଷର ଦଣ୍ଡବିଧାନ ହେବ, ଆଉ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ ଏବଂ ଜୋରିମାନା ମଧ୍ୟ ଲାଗୁ କରାଯାଇପାରିବ ବୋଲି ଆବେଦନରେ କୁହାଯାଇଥିଲା।

ମୁଖ୍ୟମନ୍ତ୍ରୀ କଥା ହେଲା କାର୍ଯ୍ୟକାରୀ;ମାସ୍କ ନପିନ୍ଧିଲେ ୨ହଜାର ଫାଇନ୍….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଡବଲ୍ ଜରିମାନା। କିଛି ସମୟ ପୂର୍ବେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଥିଲେ। ଯାହାର ତୁରନ୍ତ ବାଦ୍ ରାଜ୍ୟ ସରକାର ମାସ୍କ ଜରିମାନାକୁ ବଢ଼ାଇ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବ ଦୁଇଗଣା ଫାଇନ୍। ଅର୍ଥାତ ଯେଉଁ ଅମାନିଆ ବିନା ମାସ୍କରେ ବିନ୍ଦାସରେ ବୁଲୁଛନ୍ତି, ସେମାନଙ୍କୁ ମୋଟା ଅଙ୍କର ଫାଇନ୍ ଦେବାକୁ ପଡ଼ିବ। ଜଣେ ବ୍ୟକ୍ତି ପ୍ରଥମ ଓ ଦ୍ୱିତୀୟଥର ବିନା ମାସ୍କରେ ଧରା ପଡ଼ିଲେ, ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ପରବର୍ତ୍ତୀ ଥର ଧରାପଡ଼ିଲେ ଏକାଥରକେ ୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ଦ୍ୱିତୀୟଥର ପାଇଁ ଜରିମାନା ୧ ହଜାର ଟଙ୍କା ଥିଲା। ଯାହାକୁ ଏବେ ଡବଲ କରିଦିଆଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କ ସମ୍ବୋଧନ କରି ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିପାଇଁ ସମସ୍ତେ ମାସ୍କ ପିନ୍ଧିବା ପାଇଁ ସଂକଳ୍ପ ନେବା ଦରକାର ଏବଂ ମାସ୍କକୁ ସଠିକ୍ ଭାବେ ପିନ୍ଧିବା ଦରକାର। ମାସ୍କକୁ ବେକରେ ନ ଝୁଲାଇ ଠିକ୍ ଭାବେ ନାକକୁ ଘୋଡ଼ାଇ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ‘ବିନା ମାସ୍କରେ କେବେ ବି ଘରୁ ବାହାରିବାକୁ ମୁଖ୍ୟମନ୍ତ୍ରୀ ମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମା’ ମାନଙ୍କୁ ଅନୁରୋଧ କରିଛନ୍ତି ଯେ ପରିବାର ଲୋକ ବାହାରକୁ ଗଲେ ମାସ୍କ ପିନ୍ଧାନ୍ତୁ। ମା’ ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସିପାରିବନି। ସରକାର ବାହାରେ ଜଗିଛନ୍ତି, ମା ମାନେ ଘରେ ଜଗନ୍ତୁ। କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡ଼ିବ। ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ନିଶ୍ଚୟ ଜରିମାନା ଆଦାୟ ହେବ। ମାସ୍କ ନପିନ୍ଧିଲେ ଏବେ ୨ ଗୁଣା ଜରିମାନା ପାଇଁ ନିଷ୍ପତ୍ତି ହୋଇଛି। ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି।

ତାତିଲେ ପିଲା; ସରକାର ନରମି କହିଲେ – ବନ୍ଦ ହେବନି ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜଧାନୀ ଭୁବନେଶ୍ୱରରର ଶିକ୍ଷାନୁଷ୍ଠାନଗୁଡ଼ିକୁ ଖାଲି କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ନିର୍ଦ୍ଦେଶ ଦେବାକୁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥ ଅବରୋଧ କରିବା ପରେ ସରକାର କୋହଳ ଆଭିମୁଖ୍ୟ ପୋଷଣ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଏବେ ବନ୍ଦ ହେବ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଗତ ୨ଦିନ ତଳେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖାଲି ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୨ତାରିଖ ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସାହୁ ଆଜି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳକୁ ଡକାଇ ସେମାନଙ୍କ ସହ ଆଲୋଚନା ପରେ ଏବେ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ ବୋଲି ଘୋଷଣା କରିଛନ୍ତି। ପିଲାମାନଙ୍କ ପାଠପଢ଼ା ଓ ଉଚ୍ଚଶିକ୍ଷା ପାଇଁ ହଷ୍ଟେଲ ଖୋଲା ଯିବାର ଆବଶ୍ୟକତା ରହିଛି। ତେଣୁ ଏବେ ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ। ପରବର୍ତ୍ତୀ ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ। କରୋନା ଗାଇଡଲାଇନ ମାନି ହଷ୍ଟେଲରେ ରହିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।ସୂଚନାଯୋଗ୍ୟ, ୧୨ତାରିଖ ସୁଦ୍ଧା ଚତୁର୍ଥ ସେମିଷ୍ଟାର ପିଲା ଓ ୧୬ତାରିଖ ସୁଦ୍ଧା ପ୍ରଥମ ସେମିଷ୍ଟାର ପିଲାଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେବା ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆଜି ବାଣୀବିହାର ନିକଟରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ସରକାର ଓ ବିଏମସିର ଏଭଳି ନିଷ୍ପତ୍ତିକୁ କଡ଼ା ବିରୋଧ କରି ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଛାତ୍ରଛାତ୍ରୀମାନେ ଚେତାବନୀ ଦେବାପରେ ସରକାର କୋହଳ ଆଭିମୁଖ୍ୟ ପୋଷଣ କରିଛନ୍ତି ଓ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଖୋଲା ରହିବ ବୋଲି କହିଛନ୍ତି।