ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ବଦଳରେ ୩୦ ହଜାର ଟଙ୍କା ଦେବେ ସରକାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲ୍ୟାପଟପ୍ ବଣ୍ଟନ କରିଥାନ୍ତି। ୨୦୧୩ ମସିହାରୁ ରାଜ୍ୟ ସରକାର ଏହି ଲ୍ୟାପଟପ୍ ବଣ୍ଟନ କରୁଥିବା ବେଳେ ଚଳିତବର୍ଷଠୁ ଆଉ ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଉ ଲ୍ୟାପଟପ୍ ନବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି। ଲ୍ୟାପଟପ୍ ବଦଳରେ ଏହି ଛାତ୍ରଛାତ୍ରୀମାନଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ୩୦ ହଜାର ଟଙ୍କା ଦେବେ ବୋଲି ଜଣାପଡ଼ିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା ୧୫ହଜାର ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ଲ୍ୟାପଟପ୍ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଡିବିଟି ମାଧ୍ୟମରେ ୩୦ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଦେବେ, ଯାହାଫଳରେ ସେମାନେ ନିଜ ପସନ୍ଦ ଅନୁସାରେ ଲ୍ୟାପଟପ୍ କିଣିବାର ସୁଯୋଗ ପାଇବେ। ୨୦୧୩ ମସିହାରୁ ଲ୍ୟାପଟପ୍ ବଣ୍ଟନ କରୁଥିବା ସରକାର ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପରୀକ୍ଷାର ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ହୋଇଥିବା ପ୍ରାୟ ୧୫ହଜାର ଛାତ୍ରଛାତ୍ରୀଙ୍କୁ ୩୦ହଜାର ଟଙ୍କା ଦେବେ। ତା’ପୁଣି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ। ତେବେ ଏହି ଲ୍ୟାପଟପ୍ ଅର୍ଥ ପାଇବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଚ୍ଚ ୧୮ତାରିଖ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ରେ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ହଜାର ପିଲାଙ୍କୁ ଏହି ଲ୍ୟାପଟପ୍ ବଣ୍ଟନ କରାଯାଇଥାଏ। କଳା ବର୍ଗରେ ୫୪୦୦, ବିଜ୍ଞାନରେ ୭ହଜାର ,ବାଣିଜ୍ୟରେ ୨ହଜାର, ଧନ୍ଦାମୂଳକ ଶିକ୍ଷାରେ ୨୦୦ ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର ୪୦୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଲ୍ୟାପଟପ୍ ବଣ୍ଟନ କରାଯାଇଥାଏ। ଏହି ଲ୍ୟାପଟପ୍ ବଣ୍ଟନ ପାଇଁ ଛାତ୍ରଛାତ୍ରୀ ଚୟନ ପ୍ରକ୍ରିୟା ଗତବର୍ଷଠୁ ରାଜ୍ୟସ୍ତରରେ ନକରାଯାଇ ଜିଲ୍ଲାସ୍ତରରେ ହେଉଛି। ଚଳିତବର୍ଷ ଏହି ଲ୍ୟାପଟପ୍ ବଣ୍ଟନ ପାଇଁ ରାଜ୍ୟ ସରକାର ୪୫କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛିି।

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)-କୋଟିପତି ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ। ତାଙ୍କ ନାଁରେ ୬୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ରହିଥିବା ବେଳେ ଜଣେ ସମ୍ପର୍କୀୟଙ୍କ ଘରୁ ନଗଦ ୫୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏହି କୋଟିପତି ଯନ୍ତ୍ରୀ ଜଣକ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାଁ ହେଉଛି କେ.ନାଗେଶ୍ୱର ସେନାପତି।ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସ ମିଳିତ ଟିମ୍‌ କେ.ନାଗେଶ୍ୱର ସେନାପତିଙ୍କ ଘରେ ଚଢଉ କରିଥିଲା। ଭିଜିଲାନ୍ସ ବିଭାଗର ୬ଟି ଟିମ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ବିହାର ଠାରେ କେ.ନାଗେଶ୍ୱର ସେନାପତୀଙ୍କ ବସଭବନ, ବ୍ରହ୍ମପୁର ସ୍ଥିତ ସଳାଘର, ଆସିକା ସ୍ଥିତ ପୈତୃକ ବାସ ଭବନ, ରାୟଗଡ଼ ଅଫିସ ଓ ଛଅମାଇଲଠାରେ ପାର୍ଟନରସିପ୍‌ରେ ଚାଲିଥିବା ଇଟା ଫ୍ୟାକ୍ଟ୍ରୀରେ ଚଢଉ କରିଥିଲା। ଭିଜିଲାନ୍ସ ଯନ୍ତ୍ରୀଙ୍କଠାରୁ ୨ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଛି। ଯନ୍ତ୍ରୀଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ନଗଦ ୫୯ ଲକ୍ଷ ଟଙ୍କା ଜବତ ହୋଇଛି। ତାଙ୍କ ନାଁରେ ଥିବା ୬୬ ଲକ୍ଷର ବ୍ୟାଙ୍କ ଜମା ମଧ୍ୟ ଠାବ କରାଯାଇଛି। ଏବେ ମଧ୍ୟ ଚଢଉ ଜାରି ରହିଛି।

ଲଟେରୀ ମାଧ୍ୟମରେ ମିଳିବ ମଦ ଦୋକାନ ଲାଇସେନ୍ସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ମଦ ଲାଇସେନ୍ସ ନିୟମ ବଦଳି ଯାଇଛି। ଆଉ ହେବନି ଲାଇସେନ୍ସର ନବୀକରଣ। ଏବେ ଲଟେରୀ ମାଧ୍ୟମରେ ମଦ ବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିବ। ଏ ନେଇ ଅବକାରୀ ବିଭାଗ ନୂଆ ନିର୍ଦ୍ଦେଶାନାମା ଜାରି କରିଛି। ତେବେ ଏହି ନୂଆ ନିର୍ଦ୍ଦେଶାନାମ ଦ୍ୱାରା ଏବେ ମଦ ବ୍ୟବସାୟୀ ଚିନ୍ତାରେ ପଡ଼ିଯାଇଛନ୍ତି। ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାନାମା ଅନୁଯାୟୀ, ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇବା ପରେ ଏହାର ବୈଧତା ୫ ବର୍ଷ ରହିବ। ତେବେ ନୂଆ ନିୟମ ଆସିବା ପରେ ପୁରୁଣା ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ ହେବ। ନୂଆ ଲାଇସେନ୍ସ ପାଇବାକୁ ହେଲେ ଲଟେରି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ଏଥିପାଇଁ ଅବକାରୀ ବିଭାଗ ୱେବସାଇଟକୁ ଯାଇ ଆଧାର, ପ୍ୟାନ୍ କାର୍ଡ, ଆୟକର ପ୍ରମାଣପତ୍ର ଓ ଏକ ଲକ୍ଷ ଟଙ୍କା ଜମା କରି ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ତେବେ ଲଟେରିରେ ନାଁ ନଉଠିଲେ ଏକ ଲକ୍ଷ ଟଙ୍କା ଫେରସ୍ତ ହେବନାହିଁ। କିନ୍ତୁ ଯେଉଁମାନଙ୍କ ନାଁ ଉଠିବ, ସେମାନଙ୍କୁ ୬ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡ଼ିବ। ଏହାଦ୍ୱାରା ୧୫ ବର୍ଷ ଧରି ମଦ ବ୍ୟବସାୟ କରି ଆସୁଥିବା ବ୍ୟବସାୟୀ ଓ ସେଠାରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହେବେ ବୋଲି ମଦ ବ୍ୟବସାୟୀ ସଂଘ କହିଛି। ସେହିପରି କରୋନା ପାଇଁ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ପୂରଣ ହୋଇନଥିବାରୁ ବର୍ତ୍ତମାନର ଅଧିକାଂଶ ବ୍ୟବସାୟୀ ଏହି ପ୍ରକ୍ରିୟାରେ ସାମିଲ ହୋଇପାରିବେ ନାହିଁ। ଏହାସହ ବାହାର ରାଜ୍ୟର ବ୍ୟବସାୟୀଙ୍କ ଦୌରାତ୍ମ୍ୟ ବଢ଼ିବ ବୋଲି ସଂଘ ଆଶଙ୍କା କରିଛି। ଅନ୍ୟପକ୍ଷରେ ଅବକାରୀ ବିଭାଗ ସଚିବ କହିଛନ୍ତି, ‘ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ନିୟମରେ ପରିବର୍ତ୍ତନର ଆବଶ୍ୟକତା ଥିଲା। ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡିକର ଲାଇସେନ୍ସ ଫି’ ୨୦ ପ୍ରତିଶତ ଓ ୫ ପ୍ରତିଶତ ସର୍ବନିମ୍ନ ଗ୍ୟାରେଣ୍ଟି କୋଟା ବୃଦ୍ଧି କରାଯାଇଛି। ଅପରପକ୍ଷରେ ଅବକାରୀ ବିଭାଗର ନୂଆ ନିର୍ଦ୍ଦେଶାନାମାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିରୋଧୀ ବିଜେପି ଓ କଂଗ୍ରେସ ୫ବର୍ଷିଆ ଲାଇସେନ୍ସ ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ନିଜ ଲୋକଙ୍କୁ ଲାଇସେନ୍ସ ଦେଇ ରାଜସ୍ୱ ବୃଦ୍ଧି କରିବା ଏହାପଛର ଉଦ୍ଦେଶ୍ୟ ବୋଲି ବିଜେପି କହିଛି। ସେହିପରି କଂଗ୍ରେସ କହିଛି ଏଥିରେ ପାତର ଅନ୍ତର ନୀତି ପ୍ରତିଫଳିତ ହେବ। କିନ୍ତୁ ବିଜେଡି କହିଛି, ଅସଙ୍ଗତି ରହିବ ନାହିଁ ଓ ପୂରା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।

 

ଓଡ଼ିଶା ହେବ ଇସ୍ପାତ‌ର ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ ଓ ସିଇଓ ଆଦିତ୍ୟ ମିତଲଙ୍କ ସହିତ ଆଲୋଚନା କରିଛନ୍ତି। ଓଡ଼ିଶାରେ ଇସ୍ପାତ ଉତ୍ପାଦନ, ଖଣି କ୍ଷେତ୍ରର ଅଭିବୃଦ୍ଧି ଓ କମ୍ପାନୀର ସଂପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଓଡ଼ିଶାକୁ ଇସ୍ପାତର ପେଣ୍ଠସ୍ଥଳିରେ ପରିଣତ କରିବା ଓ ଏଥିରେ ଆର୍ସେଲର ମିତଲର ଭୂମିକା କ’ଣ ରହିବ ସେ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଆଜିର ବୈଠକରେ ଅଗ୍ରଣୀ ଇସ୍ପାତ ଉତ୍ପାଦନ କମ୍ପାନୀ ଆର୍ସେଲର ମିତଲର ମୁଖ୍ୟଙ୍କ ସହ ଶ୍ରୀ ପ୍ରଧାନ ତୈଳ, ଗ୍ୟାସ, ଇସ୍ପାତ‍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ବିଶେଷ ଭାବରେ ନୂତନ ଉଦ୍ଭାବନ ମାଧ୍ୟମରେ କିପରି ତୈଳ, ଗ୍ୟାସ, ଇସ୍ପାତ‍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜବୁତ‍, ଦକ୍ଷତାସମ୍ପନ୍ନ ଏବଂ ବୈଶ୍ୱିକ ପ୍ରତିଯୋଗିତାମୂଳକ କରିହେବ ସେ ନେଇ ଆଲୋଚନା ହୋଇଥିଲା।ଶ୍ରୀ ପ୍ରଧାନ କହିଛନ୍ତି-“୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ ଓଡ଼ିଶାରେ ୧୦୦ ମିଲିଟନ ଟନ ଇସ୍ପାତ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଖଣି ଓ ଇସ୍ପାତ ଉତ୍ପାଦନର ଅଭିବୃଦ୍ଧି ନେଇ ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଓ ଆତ୍ମନିର୍ଭର ଭାରତରେ ଓଡ଼ିଶାରେ ଥିବା ଧାତୁ ଏବଂ ଖଣି କ୍ଷେତ୍ରର ଭୂମିକା କ’ଣ ରହିବ ତଥା ଆତ୍ମନିର୍ଭର ଭାରତରେ ଓଡ଼ିଶାର ଏହି କ୍ଷେତ୍ରର ବ୍ୟାପକ ଯୋଗଦାନ କଣ ରହିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା।” ସେ କହିଛନ୍ତି-“ଆଲୋଚନା କାଳରେ ଘରୋଇ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଉନ୍ନତମାନର ଟେକ୍ନୋଲୋଜି ଓ ଇସ୍ପାତ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ଘରୋଇ ଇସ୍ପାତକୁ ବୃଦ୍ଧି କରିବା ଉପରେ ମତପ୍ରକାଶ ପାଇଥିଲା।”

 

‘ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ’ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଲିଭ-ଇନ-ରିଲେସନରେ ଥିଲେ ସହମତିରେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଯଦି ଦୀର୍ଘ ଦିନ ଧରି ଏକାଠି ରହୁଥିବା ମହିଳା କିମ୍ବା ପୁରୁଷ ଶାରୀରିକ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି, ତେବେ ତାହାକୁ ଦୁଷ୍କର୍ମ କୁହାଯିବ ନାହିଁ। ଲିଭ-ଇନ ରିଲେସନକୁ ନେଇ ଆଜି ଏଭଳି କିଛି ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପାଞ୍ଚବର୍ଷ ହେବ କଲ ସେଣ୍ଟରର ଦୁଇ କର୍ମଚାରୀ ଲିଭ-ଇନ-ରିଲେସନସିପରେ ରହିଥିଲେ। ପରେ ଉକ୍ତ ଯୁବତୀଙ୍କୁ ଛାଡ଼ି ଯୁବକ ଜଣକ ଅନ୍ୟ ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ଲିଭ-ଇନ-ରିଲେସନ୍‌ରେ ରହିଥିବା ସଂପୃକ୍ତ ଯୁବତୀ ଜଣ ଯୁବକଙ୍କ ବିରୋଧରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ। ଏପରିକି ଯୁବକଙ୍କ ବିରୋଧରେ ଯୁବତୀ ଜଣକ ଦୁଷ୍କର୍ମ ଭଳି ଅଭିଯୋଗ ମଧ୍ୟ ଆଣିଥିଲେ। ସୁପ୍ରିମକୋର୍ଟ ଏକ ଦୁଇ ଜଣିଆ ଖଣ୍ତପୀଠ ଏହି ମାମଲାରେ ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ ଏକେ ସିକରୀ ଏବଂ ଏସ୍ ଅବଦ୍ଦୁଲା ନଜୀର କହିଛନ୍ତି ଯେ, ଯଦି ଜଣେ ଯୁବକ ଏବଂ ଯୁବତୀ ଲିଭ-ଇନ୍ ରିଲେସନ ସମୟରେ ଆପୋଷ ସହମତିରେ ଶାରୀରିକ ସମ୍ପର୍କ ରଖି ପରେ ବିବାହ ନକରନ୍ତି, ତେବେ ଉକ୍ତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇପାରିବ ନାହିଁ। ଦୁଷ୍କର୍ମ ଏବଂ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ରହିଛି। ଏପରି ପରିସ୍ଥିତିରେ, ଅଭିଯୁକ୍ତ ବିବାହ କରିବାକୁ ଚାହୁଁଛନ୍ତି ନା ଅନ୍ୟ ଉଦ୍ଦେଶ୍ୟ ପାଇଁ ସେ ଏହି ସମ୍ପର୍କ ଗଠନ କରିଛନ୍ତି ତାହା ଉପରେ ନଜର ରଖିବା ଉଚିତ୍ ସର୍ବୋଚ୍ଚ ଅଦାଲତ କହିଛନ୍ତି।କେବଳ ସେତିକି ନୁହେଁ ଏହା ମଧ୍ୟ ପରୀକ୍ଷା କରାଯିବା ଉଚିତ ଯେ ଯୁବକ ଜଣକ କେବଳ ନିଜର ଲୋଭ ସହିତ ଶାରୀରିକ  ସ୍ଥାପନ କରିଛନ୍ତି କି? କିନ୍ତୁ ଯଦି ଯୁବକ ମିଥ୍ୟା ପ୍ରତିଶ୍ରୁତି ନ ଦେଇଏବଂ ଉଭୟଙ୍କ ସହମତିରେ ଶାରୀରିକ ସମ୍ପର୍କ ରହିଥିଲା, ତେବେ ଦୁଷ୍କର୍ମ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ତାମିଲନାଡୁରେ ମାତ୍ର ୨୧ଟି ଆସନରେ ନିର୍ବାଚନ ଲଢ଼ିବ ବିଜେପି !

ଏଥର ସମ୍ଭାଳ ବ୍ୟୁରୋ(ଚେନ୍ନାଇ)- ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୀତିକ ଉଷ୍ଣତା ବଢ଼ି ଯାଇଛି। ଚଳିତ ବର୍ଷ ତାମିଲନାଡୁରେ ବିଜେପି ଓ ଶାସକ ଏଆଇଏଡିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ। ଉଭୟ ଦଳ ସର୍ବସମ୍ମୁଖରେ ଏହା ଘୋଷଣା କରି ସାରିଛନ୍ତି। ବିଜେପି ରାଜ୍ୟର ୬୦ଟି ଆସନରେ ନିଜର ସ୍ଥିତି ଭଲ ଥିବା ଏଆଇଏଡିଏମକେକୁ ଜଣାଇଥିଲା। ତେବେ ଶାସନ ଦଳ ବିଜେପିକୁ ମାତ୍ର ୨୧ଟି ଆସନରେ ପ୍ରାର୍ଥୀ ଦେବାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ରବିବାର ରାତି ପ୍ରାୟ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ପନ୍ନିରସେଲଭମ ଚେନ୍ନାଇର ଗୋଟିଏ ହୋଟେଲରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଙ୍କୁ ଭେଟିଥିଲେ। ରାତି ୧୨ଟା ଯାଏ ଏହି ଆଲୋଚନା ଚାଲିଥିଲା। ଏହି ସମୟରେ ଉଭୟ ଦଳ ସିଟ୍‌ ଶେୟାରିଂ ଡିଲ୍‌କୁ ଚୂଡ଼ାନ୍ତ କରିଛନ୍ତି। ଆଉ କିଛି ଦିନ ମଧ୍ୟରେ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ। ଏହାପୂର୍ବରୁ ଅର୍ଥାତ ଶନିବାର ଦିନ ବିଜେପିର ରାଜ୍ୟସଭାପତି ଏଲ ମୁରୁଗାନଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିମଣ୍ଡଳୀ ସମ୍ଭାବ୍ୟ ସିଟ ଶେୟରିଙ୍ଗ ଫର୍ମୁଲା ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଥିଲେ ।  ଏହି ସମୟରେ ଶାସକ ଦଳ ବିଜେପିକୁ ୨୧ଟି ସ୍ଥାନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା କଥା ପ୍ରତିନିଧିମଣ୍ଡଳୀକୁ ବୁଝାଇ ଦେଇଛି।ସେହିପରି ଏହି ମେଣ୍ଟରେ ଥିବା ପିଏମକେ ୨୩ଟି ଆସନରେ ଲଢ଼ିବ ବୋଲି କହିଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେ ପଲାନାସ୍ୱାମୀ ଓ ତାଙ୍କ ଡେପୁଟି ଓ ପନ୍ନିରସେଲଭମ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇ ଡିଲ୍‌ ଫାଇନାଲ କରିଥିବା ଏଆଇଏଡିଏମକେ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ, ରାଜ୍ୟରେ ପୂର୍ବରୁ ହୋଇଥିବା ନିର୍ବାଚନ ସମୟରେ ବିଜେପି ଭଲ ପ୍ରଦର୍ଶନ କରିଥିବା ୬୦ଟି ଆସନର ତାଲିକା ଏଆଇଏଡିଏମକେକୁ ଦେଖାଇଥିଲା। ଏପରି କି ପିଏମକେ ତୁଳନାରେ ବିଜେପି ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ଶାସକ ଦଳକୁ ବୁଝାଇଥିଲା। କିନ୍ତୁ ଏଆଏଡିଏମକେ ନିଜ ଜିଦ୍‌ରେ ଅଟଳ ରହିବା ସହ ବିଜେପି ୨୧ ଓ ପିଏମକେ ୨୩ଟି ଆସନରେ ପ୍ରାର୍ଥୀ ଦେବେ ବୋଲି କହିଛି। ସେହିପରି ୨୩୪ ବିଧାନସଭା ଆସନରୁ ଏଆଇଏଡିଏମକେ ଏକାକୀ ୧୬୦ରୁ ୧୭୦ ଆସନରେ ପ୍ରାର୍ଥୀ ଦେବାକୁ ଲକ୍ଷ୍ୟ ରଖିଛି। ଏପରି କରି ଦଳ କ୍ରମାଗତ ୩ୟ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଚାହୁଁଛି। ଅନ୍ୟପକ୍ଷରେ ବିଜେପି କୋର କମିଟିର ଜଣେ ସଦସ୍ୟ କହିଛନ୍ତି, କିଛି ବର୍ଷ ମଧ୍ୟରେ ଦଳ ତୃଣମୂଳସ୍ତରରେ ନିଜର ଶକ୍ତି ବୃଦ୍ଧି କରିଛି। ହେଲେ ଏଆଇଏଡିଏମକେ କହିଛି ଯେ ଏକାଧିକ ନିର୍ବାଚନ ମଣ୍ଡଳୀରେ ଆମର ବୁଥ ସ୍ତରୀୟ ଏଜେଣ୍ଟ ନାହାନ୍ତି। ତେଣୁ ଆମକୁ ୨୧ଟି ଆସନରେ ଦଳ ପ୍ରାର୍ଥୀ ଦେବାକୁ ପରାମର୍ଶ ଦେଇଛି। ଅମିତ ଶାହ ମଧ୍ୟ ଦଳୀୟ ନେତାଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାକୁ କହିଛନ୍ତି। ତୃଣମୂଳ ସ୍ତରରେ ମେଣ୍ଟ ହୋଇଥିବା ଦଳଙ୍କ ସହ ମିଶି କାମ କରିବାକୁ ସେ ଆହ୍ୱାନ କରିଛନ୍ତି। ବର୍ତ୍ତମାନ ବିଜେପି ତୃଣମୂଳ ସ୍ତରରେ ପହଞ୍ଚି କାମ କରିବା ଆରମ୍ଭ କରିଥିବା ସେ କହିଛନ୍ତି।

ରାଜ୍ୟପାଳଙ୍କ ଉପରେ ପ୍ରଶ୍ନ ଉଠାଇଲେ ରାହୁଲ୍, ‘ମଣିପୁରରେ ବେଆଇନ୍ ସରକାର’ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ମଣିପୁରର ୧୨ ବିଜେପି ବିଧାୟକ ‘ଅଫିସ୍ ଅଫ୍ ପ୍ରୋଫିଟ୍’ ମାମଲାରେ ଅଯୋଗ୍ୟ ଘୋଷିତ ହେବା କଥା। ହେଲେ ଏଭଳି ନକରି ସାମ୍ୱାଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ରାଜଧର୍ମର ଅପମାନ କରିଛନ୍ତି। ରାହୁଲ୍ ଗାନ୍ଧୀ ଟ୍ୱିଟ୍ କରି ଏଭଳି ବର୍ଷିଛନ୍ତି। ରାଜ୍ୟରେ ବିଜେପି କୁତ୍ରିମ ବହୁମତ ତିଆରି କରି ଅସାମ୍ୱାଧିନିକ ସରକାର ଚଳାଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘୧୨ ବିଧାୟକଙ୍କୁ ଲାଭଜନକ ପଦବୀରେ ଅଯୋଗ୍ୟ କରାଯିବା ଉଚିତ୍। କିନ୍ତୁ ସାମ୍ବିଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ଏହି ନିଷ୍ପତ୍ତିରେ ବିଳମ୍ବ କରୁଛନ୍ତି’।  ସେହିପରି କଂଗ୍ରେସ ମୁଖପାତ୍ର ଅଭିଷେକ ସିଂଭି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ୨୦୧୭ରେ ୧୨ ଜଣ ବିଧାୟକଙ୍କୁ ମଣିପୁରରେ ସଂସଦୀୟ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ପରେ ସେମାନେ ଅଫିସ୍ ଅଫ୍ ପ୍ରୋଫିଟ୍ ଅନୁଯାୟୀ ତାଙ୍କୁ ହଟାଇ ଦିଆଯାଇଥିଲା। ସେ କହିଛନ୍ତି, ‘ସେପ୍ଟେମ୍ବର ୨୦୨୦ରେ ମଣିପୁର ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ବିଧାୟକମାନେ ଅଯୋଗ୍ୟ ହୋଇନଥିଲେ। ରାଜ୍ୟପାଳ ଏବଂ ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି’। ସେ ଅଭିଯୋଗ କରିଛନ୍ତି ଯେ, ୨୦୧୭ରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ​​କିନ୍ତୁ ମାର୍ଚ୍ଚ ୨୦୧୭ରେ ଘୋଡା ବ୍ୟବସାୟ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଜରିଆରେ ବିଜେପି ୨୮ ବିଧାୟକଙ୍କ ସହ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଆଉ ସରକାର ଗଠନ କରିଛି। ସେ ଅଭିଯୋଗ କରିଛନ୍ତି, “ବିଜେପି ସରକାର ଗଠନ କରିବା ପରେ ଦଳ ପରିବର୍ତ୍ତନ କରିଥିବା ୧୨ ଜଣ ବିଧାୟକଙ୍କୁ ପୁରସ୍କାର ପ୍ରଦାନ କରିଥିଲା। ତାଙ୍କୁ ସଂସଦୀୟ ସଚିବ ପଦ ଦିଆଯାଇଥିଲା କିନ୍ତୁ କିଛି ମାସ ପରେ ତାଙ୍କୁ ହଟାଇ ଦିଆଯାଇଥିଲା କାରଣ ଅଫିସ୍ ଅଫ୍ ପ୍ରୋଫିଟ୍ ଅନୁଯାୟୀ ସେହି ପଦଗୁଡିକ ବେଆଇନ ବୋଲି ଜଣାପଡ଼ିଥିଲା’। ରାହୁଲ ଗାନ୍ଧୀ ଟୁଇଟ୍‌ରେ କହିଛନ୍ତି ଯେ ମଣିପୁର ବିଜେପିର ୧୨ ଜଣ ବିଧାୟକଙ୍କୁ ଅଫିସ୍ ଅଫ୍ ପ୍ରୋଫିଟ୍ ବା ଲାଭ ଜନକ ପଦବୀ ଅନୁଯାୟୀ ୨୦୧୮ରେ ଅଯୋଗ୍ୟ ଘୋଷିତ କରାଯିବା ଉଚିତ୍। ଏବେ ନିର୍ବାଚନ କମିଶନ କହିଛନ୍ତି ଯେ ମଣିପୁର ରାଜ୍ୟପାଳଙ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ରାଜ୍ୟପାଳ ଏଭଳି କରି ବିଜେପିକୁ ସୁରକ୍ଷା ଦେବା ସଂପୂର୍ଣ୍ଣ ଅସାମ୍ବିଧାନିକ’।

ଏମରଜେନ୍ସି ଭୁଲ୍ ନିଷ୍ପତ୍ତି ଥିଲା, ଏବେ ଆରଏସଏସ କ’ଣ କରୁଛି କହିଲେ ରାହୁଲ୍ ।

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଦେଶରେ ଏମରଜନ୍ସି ଲାଗୁ କରିବା ନିଷ୍ପତ୍ତି ଭୁଲ୍ ଥିଲା। କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ନିଜେ ଏହା ସ୍ୱୀକାର କରିଛନ୍ତି। ଦ୍ୱିତୀୟ ଥର ପାଇଁ ରାହୁଲ୍ ଗାନ୍ଧୀ ଏମରଜେନ୍ସି ନିଷ୍ପତ୍ତିକୁ ଭୁଲ୍ ବୋଲି ସ୍ୱୀକାର କରିଛନ୍ତି। ହେଲେ ତାଙ୍କ ଦଳ କଂଗ୍ରେସ କୌଣସି ସାମ୍ୱିଧାନିକ ଢ଼ାଞ୍ଚାକୁ ଦଖଲ କରିବାକୁ ଚେଷ୍ଟା କରିନାହିଁ। ଏକ ଓ୍ୱେବିନାରରେ ସାମିଲ୍ ହୋଇ ରାହୁଲ୍ ଗାନ୍ଧୀ ଆରଏସଏସ ଏବଂ ଶାସକ ଦଳ ବିଜେପିକୁ ନେଇ ଏଭଳି ମତ ରଖିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଏମରେଜନ୍ସି ଲଗାଇଥିଲେ। ବିଭିନ୍ନ ସମୟରେ ଏମରଜେନ୍ସିକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି। ଏବେ ଏହାକୁ ରାହୁଲ୍ ଗାନ୍ଧୀ ଏକ ଓ୍ୱେବିନାରରେ ସାମିଲ୍ ହୋଇ ନିଜ ଜେଜେ ମା’ଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଭୁଲ୍ ବୋଲି ସ୍ୱୀକାର କରିଛନ୍ତି। କରୋନେଲ ବିଶ୍ୱବିଦ୍ୟାଳୟର ପ୍ରଫେସର କୌସିକ ବାସୁଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହେବା ବେଳେ ରାହୁଲ୍ ଗାନ୍ଧୀ ଏହା କହିଛନ୍ତି।ତେବେ ଏବେର ସରକାର ଉପରେ ମତ ରଖିବାକୁ ଯାଇ ରାହୁଲ୍ ଗାନ୍ଧୀ କହିଛନ୍ତି, ଏମରଜେନ୍ସି ବେଳେ ଯାହା ହୋଇଥିଲା ଭୁଲ୍ କିନ୍ତୁ ଏବେ ଦେଶରେ ବିଭିନ୍ନ ସାମ୍ୱିଧାନିକ ଅନୁଷ୍ଠାନକୁ ଦଖଲକୁ ନେବାକୁ ଚେଷ୍ଟା କରାଯାଉଛି। ଆରଏସଏସ ଏଭଳି କରୁଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ୍। ହେଲେ କଂଗ୍ରେସ ଏଭଳି କରିବାରେ ବିଶ୍ୱାସ ରଖେନି। ବ୍ୟକ୍ତିଗତ ଭାବରେ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ନିଜେ ଗୁରୁତ୍ୱ ଦିଅନ୍ତି ବୋଲି ରାହୁଲ୍ କହିଛନ୍ତି। ତେବେ ରାହୁଲ୍ ଗାନ୍ଧୀ ଅନ୍ତିମଥର ପାଇଁ ୨୦୧୯ ସାଧାରଣ ନିର୍ବାଚନ ବେଳେ ଏମରଜେନ୍ସିକୁ ଭୁଲ୍ ବୋଲି କହିଥିଲେ। ଏକ ସାକ୍ଷାତକାରରେ ରାହୁଲ୍ ଏମରଜେନ୍ସି ପାଇଁ କ୍ଷମାପ୍ରାର୍ଥନା କରିଥିଲେ ବୋଲି ଇଣ୍ଡିଆ ଟୁଡେର ଏକ ରିପୋର୍ଟରୁ ଜଣାପଡ଼ିଛି।ସେହିପରି ଜାନୁଆରୀ ୨୪, ୧୯୭୮ରେ ମହାରାଷ୍ଟ୍ରର ଏକ ରାଲିରେ ଯୋଗଦେଇ ଇନ୍ଦିରା ଗାନ୍ଧୀ ୧୯୭୫ରେ ତାଙ୍କ ଦ୍ୱାରା ନିଆଯାଇଥିବା ଏମରଜେନ୍ସି ନିଷ୍ପତ୍ତି ପାଇଁ କ୍ଷମାପ୍ରାର୍ଥନା କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି, “ଆଗାମୀ ଦିନରେ ଯଦି ଆମେ ନିର୍ବାଚନରେ ବିଜେପିକୁ ପରାସ୍ତ କରିବୁ ତାପରେ ବି ଆମେ ସେମାନଙ୍କ ଲୋକମାନଙ୍କଠାରୁ ନିସ୍ତାର ପାଇବୁ ନାହିଁ। ଯେଉଁମାନେ ସାମ୍ୱାଧାନିକ ସଂସ୍ଥାର ପ୍ରମୁଖ ଅଧିକାରୀ ରହିଛନ୍ତି।” ଆରଏସଏସ ନାମକ ଏକ ବଡ ମା ଅନୁଷ୍ଠାନ ଅଛି ଯାହା ସମସ୍ତ ସାମ୍ୱାଧାନିକ ସଂସ୍ଥାରେ ମୁଣ୍ଡ ପୁରାଉଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକା, ଗଣମାଧ୍ୟମ, ଅମଲାତନ୍ତ୍ର, ନିର୍ବାଚନ ଆୟୋଗ, ପ୍ରତ୍ୟେକ ଅନୁଷ୍ଠାନରେ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଥିବା ବ୍ୟକ୍ତି ନିୟୋଜିତ ହେଉଛନ୍ତି।

ବିଜେପି ବିରୋଧରେ ପ୍ରଚାର କରିବାକୁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଯିବେ ଚାଷୀ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି। ନିଜ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ସେମାନେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି। ଏବେ ଚାଷୀମାନେ କେଏମପି ଏକ୍ସପ୍ରେସ ୱେକୁ ୬ ତାରିଖରେ ବନ୍ଦ କରିବେ ଓ ଆଗକୁ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଗସ୍ତ କରି ସେମାନଙ୍କ ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବେ ବୋଲି କହିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଆଗକୁ ନିର୍ବାଚନ ହେବାକୁ ଥିବା ସ୍ଥାନଗୁଡ଼ିକୁ ଚାଷୀ ନେତାମାନେ ଗସ୍ତ କରିବେ। ସେଠାରେ ସେମାନେ ଲୋକମାନଙ୍କୁ ବିଜେପି ବିରୋଧରେ ଭୋଟ ଦେଇ ପରାସ୍ତ କରିବାକୁ ଆହ୍ୱାନ ଦେବେ। ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ମାର୍ଚ୍ଚ ୬ରେ ୧୦୦ ଦିନ ପୂରଣ କରିବ। ଏଥିପାଇଁ ଚାଷୀମାନେ ୬ ତାରିଖରେ କେଏମପି ଏକ୍ସପ୍ରେସ ୱେର ବିଭିନ୍ନ ସ୍ଥାନରେ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ ବନ୍ଦ ପାଳନ କରିବେ। ଭାରତୀୟ କିଷାନ ୟୁନିୟନ ସଭାପତି ବଲବୀର ଏସ୍‌ ରାଜେୱାଲ କହିଛନ୍ତି, “ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକରେ ଆମେ ମାର୍ଚ୍ଚ ୧୫ ଯାଏ କ’ଣ ସବୁ କାର୍ଯ୍ୟକ୍ରମ ହେବ, ତା’ର ନିଷ୍ପତ୍ତି ନେଇଛୁ। ଆମେ ବିଧାନସଭା ନିର୍ବାଚନ ହେବାକୁ ପଶ୍ଚିମବଙ୍ଗ ଓ କେରଳକୁ ଆମ ପ୍ରତିନିଧିମାନଙ୍କୁ ପଠାଇବୁ। ଆମେ କୌଣସି ରାଜନୀତିକ ଦଳକୁ ସମର୍ଥନ କରୁନାହୁଁ। କିନ୍ତୁ ଆମେ ଲୋକଙ୍କୁ ବିଜେପିକୁ ପରାସ୍ତ କରିବାର କ୍ଷମତା ରଖିଥିବା ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିବୁ। ଆମେ ଲୋକଙ୍କୁ ମୋଦି ସରକାର ଚାଷୀଙ୍କ ପ୍ରତି ରଖିଥିବା ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଜଣାଇବୁ। ” ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି, ମାର୍ଚ୍ଚ ୬ରେ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୧୦୦ ଦିନ ପୂରଣ ହେଉଥିବାରୁ ଚାଷୀମାନେ କୁଣ୍ଡଲି-ମାନେସର-ପଲୱାଲ ଏକ୍ସପ୍ରେସ ୱେର ବିଭିନ୍ନ ପଏଣ୍ଟରେ ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏ ବନ୍ଦ ପାଳନ କରିବେ। ମୋର୍ଚ୍ଚାର ନେତାମାନେ କର୍ଣ୍ଣାଟକା ମଧ୍ୟ ଗସ୍ତ କରିବେ। ଏଠାରେ ଚାଷୀମାନେ ନିଜର ଧାନ ପାଇଁ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କାରୁ କମ ଦାମ ପାଉଛନ୍ତି। ମାର୍ଚ୍ଚ ୮ରେ ମହିଳା ଦିବସ। ତେଣୁ ମହିଳା ଚାଷୀମାନେ ଦିଲ୍ଲୀ ଓ ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଯୋଗେନ୍ଦ୍ର ଯାଦବ କହିଛନ୍ତି।୧୩୬ କିମି ବିଶିଷ୍ଟ କୁଣ୍ଡଲି-ମାନେସର-ପଲୱାଲ ଏକ୍ସପ୍ରେସ ୱେକୁ ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ। ଦିଲ୍ଲୀକୁ ଟ୍ରକ୍‌ ଓ ଗାଡ଼ି ମଟୋର ପ୍ରବେଶ କରିବା ବେଳେ ପ୍ରବଳ ଭିଡ଼ ହେଉଥିବାରୁ ଏହି ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଥିଲା। ଏହାଦ୍ୱାରା ଦିଲ୍ଲୀରେ ପ୍ରଦୂଷଣ ମଧ୍ୟ କମ ହୋଇଥିଲା।

ତେଜୁଛି କଂଗ୍ରେସରେ ଅନ୍ତଃକନ୍ଦଳ, ଦଳୀୟ ନେତାଙ୍କୁ ତୀବ୍ର ସମାଲୋଚନା କଲେ ଅଧୀର ରଞ୍ଜନ ।

ଏଥର ସମ୍ଭାଳ ବ୍ୟୁରୋ (କୋଲକାତା) – ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖାଯାଇଥିବା ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି। ବିଶେଷ କରି ପଶ୍ଚିମବଙ୍ଗରେ କଂଗ୍ରେସ ନିଜ ବିଚାରଧାରରୁ ଅଲଗା ବାମ ଦଳ ଓ ଆଇଏସଏଫ ସହ ମେଣ୍ଟ କରିଥିବାରୁ ଏହାକୁ ଦଳର ବରିଷ୍ଠ ନେତାମାନେ ବିରୋଧ କରିବାରେ ଲାଗିଛନ୍ତି। ଏହାପୂର୍ବରୁ କଂଗ୍ରେସର ୨୩ ଅସନ୍ତୁଷ୍ଟ ନେତା ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଏପରି କି ଏହି ବିଦ୍ରୋହୀ ଗୋଷ୍ଠୀ କଶ୍ମୀରରେ ଗେରୁଆ ପଗଡ଼ି ପିନ୍ଧି କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଥିଲେ। ନିକଟରେ ରାଜ୍ୟସଭାରୁ ଅବସର ନେଇଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ପରେ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଯାଇଛି। ବରିଷ୍ଠ ନେତାମାନେ ଏହାକୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଛନ୍ତି।ଏସବୁ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଦଳର ବିଦ୍ରୋହୀ ନେତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏପରି କି ବିଦ୍ରୋହୀ ନେତାମାନେ ବିଜେପି କଥାରେ ପଡ଼ି କଂଗ୍ରେସର ଛବି ଖରାପ କରିବାକୁ ଚାହୁଁଛନ୍ତି। ସେମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏପରି କାମ କରି ପଦ୍ମ ଧରିବାକୁ ଚାହୁଁଥିବା  ଅଧୀର ରଞ୍ଜନ କହିବାକୁ ପଛାଇ ନାହାନ୍ତି। ଜାତୀୟ ଗଣମାଧ୍ୟମ NDTVକୁ ସାକ୍ଷାକାର ଦେଇ ଅଧୀର ରଞ୍ଜନ କହିଛନ୍ତି, କଂଗ୍ରେସ ଓ ବାମ ଦଳ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଛି। ଆସନ୍ତାକାଲି ସୁଦ୍ଧା ଏହି ଚୁକ୍ତିନାମା ଚୂଡ଼ାନ୍ତ ହେବ। ଆମେ ୯୨ଟି ଆସନରେ ପ୍ରାର୍ଥୀ ଦେବୁ। ୨୦୧୬ରେ କଂଗ୍ରେସ ଓ ବାମ ଦଳ ଏକ ମିଳିତ ମଞ୍ଚ ଗଠନ କରିଥିଲେ। ଏହି ସମୟରେ ଆମେ ଯେଉଁ ଆସନରେ ଜିତିଥିଲୁ ଓ ଦ୍ୱିତୀୟ ସ୍ଥାନରେ ଥିଲୁ, ସେଠାରେ କଂଗ୍ରେସ ଏଥର ପ୍ରାର୍ଥୀ ଦେବ। ବାମ ଦଳ ନିଜ କୋଟାରୁ ଯାହାକୁ ଆସନ ଦେବାର ଅଛି ଦେବ, ହେଲେ ଆମେ ବରିଷ୍ଠ ନେତା ଆନନ୍ଦ ଶର୍ମା ଟ୍ୱିଟ କରି ବାମ ଦଳ ଓ ଆଇଏସଏଫ ସହ ଦଳ ପଶ୍ଚିମବଙ୍ଗରେ କରିଥିବା ମେଣ୍ଟକୁ ବିରୋଧ କରିଥିଲେ। ଏହା ଉପରେ ଜବାବ ଦେଇ ସେ କହିଛନ୍ତି, ମୁଁ କେବଳ ଆମର ନେତାମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଥରେ ମୋତେ ଫୋନ କରି ଦେଇଥାଆନ୍ତେ, ତା’ହେଲେ କଥା ସରିଥାଆନ୍ତା। କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟରେ ନିଶ୍ଚିତ କିଛି ଅଲଗା। ସେମାନେ ଆଉ କାହାକୁ ଖୁସି କରିବାକୁ ଚାହାନ୍ତି। ଖାସ୍‌ ଏହି କାରଣରୁ ପାଇଁ ସେମାନେ ଟ୍ୱିଟ କରି ସମସ୍ତଙ୍କୁ ଏପରି କହୁଛନ୍ତି। ବେଙ୍ଗଲରେ କଂଗ୍ରେସ ଉଭୟ ଟିଏମସି ଓ ବିଜେପି ସହ ଲଢ଼େଇ କରୁଛି। ଆମେ ଟିଏମସି ଏକଛତ୍ରବାଦୀ ଶାସନ ସହିତ ଲଢ଼େଇ କରୁଛୁ। ଆମର କର୍ମୀମାନେ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ବିଜେପି ହିଂସା ଓ ଘୃଣାର ବାତାବରଣ ସୃଷ୍ଟି କରୁଛି। କିନ୍ତୁ ଆମର ନେତାମାନେ ଏସବୁ କଥା କୁହନ୍ତି ନାହାନ୍ତି। ଏହାର ଅର୍ଥ ହେଉଛି ସେମାନେ କେବଳ କଂଗ୍ରେସକୁ ନିଜ ଇଚ୍ଛାରେ ଗାଳି କରିବେ ଓ ଦଳର ଭାବମୂର୍ତ୍ତିକୁ ନଷ୍ଟ କରିବେ। ଆମର ନେତାମାନେ ଆମକୁ ଉତ୍ସାହିତ କରିବାକୁ ଏଠାକୁ ଆସିବେ ନାହିଁ। ଦଳର ପ୍ରଚାର ମଧ୍ୟ କରିବେ ନାହିଁ। ଯଦି ସେମାନେ ଏଠାକୁ ଆସନ୍ତି, ତା’ହେଲେ ସେମାନେ ଖୁସି କରିବାକୁ ଚାହୁଁଥିବା ଲୋକମାନେ ସେମାନଙ୍କ ଉପରେ ରାଗିଯିବେ। ଆମ ନେତାଙ୍କୁ କିଛି ଲୋକ କଂଗ୍ରେସକୁ ଦୋହଲାଇ ଦେଇ ସର୍ବଶ୍ୱାନ୍ତ କରିବାକୁ ଦାୟିତ୍ୱ ଦେଇଛନ୍ତି। ଆମ ନେତାମାନେ ଚାହୁଁଛନ୍ତି ଯେ କଂଗ୍ରେସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏହାଦ୍ୱାରା ସେମାନେ ନିଜକୁ ଲୋକଙ୍କ ଆଗରେ ସହିଦ ଭାବେ ଚିତ୍ରଣ କରିବେ। କଂଗ୍ରେସ ସେମାନଙ୍କୁ ଦଳରୁ ହଟାଇବା ପର୍ଯ୍ୟନ୍ତ ସେମାନେ ଏମିତି ବୟାନ ଦେଇଚାଲିଥିବେ। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଦିଲ୍ଲୀରେ ବସି ଜ୍ଞାନ ଦେବା ଅପେକ୍ଷା ସେମାନେ ଏଠାକୁ ଆସି କ୍ୟାମ୍ପ କରି ବସିବା ଭଲ। ଆମକୁ ସାହାଯ୍ୟ କରନ୍ତୁ। ଆମ ପାଖରେ ଟଙ୍କା ନାହିଁ। ଆପଣମାନେ ବହୁତ ବଡ଼ବଡ଼ ଲୋକ। ଆପଣମାନଙ୍କ ପାଖରେ ବହୁତ ଟଙ୍କା ଅଛି। ତେଣୁ ଆମକୁ ବି କିଛି ସାହାଯ୍ୟ କରନ୍ତୁ। କଂଗ୍ରେସ ଆପଣମାନଙ୍କୁ ବହୁତ କିଛି ଦେଇଛି, ତୁମେ କଂଗ୍ରେସକୁ କ’ଣ ଦେଇଛ ସେ ବିଷୟରେ ଥରେ ଚିନ୍ତା କର ବୋଲି ଅଧୀର ରଞ୍ଜନ କହିଛନ୍ତି। କାହାକୁ ଆସନ ଛାଡ଼ିବାକୁ ନାହିଁ। ବିଶେଷ କରି ମୁର୍ଶିଦାବାଦ,ମାଲଦା ଓ ଦିନାଜପୁର ଆସନ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।