ଏପ୍ରିଲରୁ ପୁଣି ଚାଲିବ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କରୋନା ଯୋଗୁ ରାଜ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ପୁଣିଥରେ ଚାଲିପାରେ। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି, କରୋନା ଭାଇରସ୍ ଲକଡାଉନ୍ ପୂର୍ବରୁ ରାଜ୍ୟରେ ପୂର୍ବତଟ ରେଲୱେର ମୋଟ ୮୨ ଯୋଡ଼ା ଏକ୍ସପ୍ରେସ୍ ଚାଲୁଥିଲା। କିନ୍ତୁ କୋଭିଡ୍-୧୯ କଟକଣା ଲାଗୁ ହେବା ପରଠାରୁ ବିଭିନ୍ନ ରୁଟରେ ୫୯ ଯୋଡ଼ା ଏକ୍ସପ୍ରେସ୍ ଟ୍ରେନ୍ ଚାଲିଛି। ଯାହାକି ପାଖାପାଖି ୭୨ ପ୍ରତିଶତ ଟ୍ରେନ୍ ଚାଲୁଛି। ଆଗକୁ କରୋନା ମାମଲା ଯେତେ କମିବ, ସେତେ ଅଧିକ ଟ୍ରେନ୍ ଚାଲିବ। ଏ ନେଇ ଆମେ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ଅଛୁ। ତେଣୁ ଆଶା କରୁଛୁ ଏପ୍ରିଲରୁ ଟ୍ରେନ୍ ସଂଖ୍ୟା ବଢ଼ିବ। ଅଧିକାରୀ ଆହୁରି କହିଛନ୍ତି, ‘ବର୍ତ୍ତମାନ ପାସେଞ୍ଜର ଟ୍ରେନ୍ ସଂଖ୍ୟା କମ୍ ରହିଥିବା ବେଳେ ସ୍ପେଶାଲ୍ ଟ୍ରେନ୍ ଅଧିକ ଚାଲୁଛି।’ ଯେହେତୁ ଏବେ କରୋନା ମାମଲାରେ ସାମାନ୍ୟ ହ୍ରାସ ପାଇଛି, ତେଣୁ ପୁଣିଥରେ ସମ୍ପୂର୍ଣ୍ଣ ଟ୍ରେନ୍ ଚଳାଚଳ ପାଇଁ ଯୋଜନା କରୁଛି ପୂର୍ବତଟ ରେଲୱେ। ତେଣୁ ଏପ୍ରିଲ୍ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବା ନେଇ ଆଶାବାଦୀ ଅଛି ପୂର୍ବତଟ ରେଲୱେ। ତେବେ ରାଜ୍ୟ ସରକାର ଓ ପୂର୍ବତଟ ରେଲୱେ ବୋର୍ଡ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ହିଁ କୌଣସି ନିଷ୍ପତ୍ତି ନିଆଯିବ। 

ବନ୍ଦ ହେଲା କି ବିଜୁ ଯୁବ ବାହିନୀ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ରାଜ୍ୟରେ ବନ୍ଦ ହେଲା ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ। ଚଳିତ ଆର୍ଥିକ ବର୍ଷ ବଜେଟରେ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ପାଇଁ କୌଣସି ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ବିଜୁ ଯୁବ ବାହିନୀର ଆଉ କୌଣସି କାର୍ଯ୍ୟକ୍ରମ ନାହିଁ। ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଦେଇଥିବା ଉକ୍ତି ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ରେ ରାଜ୍ୟ ବଜେଟରେ ବିଜୁ ଯୁବ ବାହିନୀ ପାଇଁ ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ଓ ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ପାଇଁ କୌଣସି କାର୍ଯ୍ୟକ୍ରମ ବିଜୁ ଯୁବ ବାହିନୀ ଦ୍ୱାରା ବର୍ତ୍ତମାନ କରାଯାଉ ନାହିଁ। ଚଳିତ ଆର୍ଥିକ ବର୍ଷରେ ବିଜୁ ଯୁବ ବାହିନୀ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ଖର୍ଚ୍ଚର କୌଣସି ଅବକାଶ ନାହିଁ। ବିଜୁ ଯୁବ ବାହିନୀ ବନ୍ଦ ହେବାକୁ  କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। ଏନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ନିର୍ବାଚନ ସମୟରେ ନିଜ ସ୍ୱାର୍ଥ ସାକାର କରିବାକୁ ଏହାକୁ ଗଠନ କରିଥିଲେ। ଆମେ ଏହାକୁ ଗୁଣ୍ଡା ବାହିନୀ ବୋଲି କହୁଥିଲୁ। ନିର୍ବାଚନ ପରେ ଆଉ ଏହି ବାହିନୀର ଆବଶ୍ୟକତା ରହିଲା ନାହିଁ। କାମ ସରିବାରୁ ଏହାକୁ ବନ୍ଦ କଲେ। ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ। ଏଥିସହ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ ସରକାର ସାଧାରଣ ଲୋକଙ୍କ ପଇସା ଏମିତି ଆତ୍ମସାତ ନକରନ୍ତୁ। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ୪୫୦ କୋଟି ଟଙ୍କାର ‘ବିଜୁ ଯୁବ ବାହିନୀ’ ଯୋଜନାରେ ରାଜ୍ୟତମାମ ୨୨.୬୪ ଲକ୍ଷ ଯୁବକଯୁବତୀଙ୍କୁ ସ୍ୱେଚ୍ଛାସେବୀ ଭାବେ ସାମିଲ କରାଯାଇଥିଲା । ମାତ୍ର ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀ ଚୟନ ପ୍ରକ୍ରିୟା ଦଳୀୟ ଭିତ୍ତିରେ ହୋଇଥିବାରୁ ସେମାନେ ସମାଜର ପରିବର୍ତ୍ତନ ବାହକ ଭାବେ ସାଧାରଣ ଲୋକଙ୍କ ପାଖରେ ଗ୍ରହଣୀୟ ହୋଇପାରିନଥିବା ଚର୍ଚ୍ଚା ହୋଇଥିଲା। ଯେଉଁଥିପାଇଁ ସରକାରଙ୍କ ବିଜୁ ଯୁବ ବାହିନୀ ସ୍କିମକୁ ଉଭୟ କଂଗ୍ରେସ ଓ ବିଜେପି ଜୋରଦାର ଢଙ୍ଗରେ ବିରୋଧ କରୁଥିଲେ। ଏପରିକି ବିଜେପିର ଅଭିଯୋଗ ଆଧାରରେ ଅଡିଟ୍ ନସରିବା ପର୍ଯ୍ୟନ୍ତ ବିଜୁ ଯୁବ ବାହିନୀ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ନକରିବାକୁ ସିଏଜି ମଧ୍ୟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ। ୨୦୧୮-୧୯ରେ ବିଜୁ ଯୁବ ବାହିନୀ ନାଁରେ ୧୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହାପର ଆର୍ଥିକ ବର୍ଷରେ ୧୨୯ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା।

ଆଜିଠୁ ୪ ଦିନ ବ୍ୟାଙ୍କ ବନ୍ଦ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)-ମୋବାଇଲ ଓ ଇଣ୍ଟରନେଟ୍‌ ବ୍ୟାଙ୍କିଂକୁ ବାଦ୍‌ ଦେଲେ ଦେଶରେ ଥିବା ସମସ୍ତ ବ୍ୟାଙ୍କ ଆସନ୍ତା ୪ ଦିନ ପାଇଁ ବନ୍ଦ ରହିବ। ଆଜିଠାରୁ ଆସନ୍ତା ମଙ୍ଗଳବାର ଯାଏ ବ୍ୟାଙ୍କର ବ୍ରାଞ୍ଚ ଗୁଡ଼ିକରେ କୌଣସି ଆର୍ଥିକ କାରବାର ହେବନାହିଁ। ତେବେ କାହିଁକି ବ୍ୟାଙ୍କ କ୍ରମାଗତ ଭାବେ ୪ ଦିନ ବନ୍ଦ ରହିବ ଜାଣନ୍ତୁ। କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକର ଘରୋଇ କରଣ କରୁଥିବାରୁ ସମଗ୍ର ଦେଶର ବ୍ୟାଙ୍କ କର୍ମଚାରୀ ସଂଘ ଏହାକୁ ବିରୋଧ କରୁଛି। ଏଥିପାଇଁ ବ୍ୟାଙ୍କ କର୍ମଚାରୀ ସଂଘ ଦୁଇ ଦିନିଆ ଷ୍ଟ୍ରାଇକ୍‌ର ଡାକରା ଦେଇଛି। ଆସନ୍ତା ୧୫ ତାରିଖ(ସୋମବାର) ଓ ୧୬ ତାରିଖ(ମଙ୍ଗଳବାର) ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିପାଇଁ ବ୍ୟାଙ୍କ ସେବା ୨ଦିନ ବନ୍ଦ ରହିବ। ସେହିପରି ଶନିବାର (ମାର୍ଚ୍ଚ ୧୩) ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ବ୍ୟାଙ୍କ ଗୁଡ଼ିକ ସାଧାରଣତଃ ବନ୍ଦ ରହିଥାଏ।୧୪ ତାରିଖ ରବିବାର ହୋଇଥିବାରୁ ଏହା ଛୁଟି ଦିନ। ତେଣୁ ଷ୍ଟ୍ରାଇକ ଓ ଛୁଟି ଦିନକୁ ମିଶାଇଲେ ଆଜିଠାରୁ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତା ବୁଧବାର ଠାରୁ ବିଭିନ୍ନ ବ୍ରାଞ୍ଚରେ ବ୍ୟାଙ୍କ ସେବା ସ୍ୱାଭାବିକ ହେବ। 

ମୋଦି-ବାଇଡେନଙ୍କ ରଣନୀତି ଦେଖି ଚାଇନା ଛାନିଆ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କ୍ୱାଡ ଦେଶ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫେରନସିଂ ଜରିଆରେ ବୈଠକ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ ‘ବସୁଧୈବ କୁଟୁମ୍ବକମ୍’କୁ ଗୁରୁତ୍ୱ ଦେଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପାଇଁ କ୍ୱାଡ ଦେଶ ମିଳିତ ଭାବରେ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ତେବେ ଏହି ବୈଠକ ଆରମ୍ଭ ହେବା ପୂର୍ବରୁ ଚାଇନା ପ୍ରତିକ୍ରିୟା ରଖିଛି। ଯାହାକି କ୍ୱାଡ ଗ୍ରୁପର ବୈଠକକୁ ନେଇ ଚାଇନା ଚିନ୍ତିତ ବୋଲି ଜଣାପଡ଼ିଛି। ଏମିତିକି କ୍ୱାଡ ଦେଶ ମଧ୍ୟରେ ହେବାକୁ ଥିବା ବୁଝାମଣା ଚାଇନାକୁ ଟାର୍ଗେଟ କରି ନହେବା ଦରକାର ବୋଲି ଚାଇନାର ବୈଦେଶିକ ମନ୍ତ୍ରାଳୟ ପରୋକ୍ଷରେ କହିଛି। କ୍ୱାଡ ଦେଶର ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଯୋଗ ଦେଇଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ସହ ଏହା ଥିଲା ତାଙ୍କର ପ୍ରଥମ ବୈଠକ। ଏହି ଭର୍ଚୁଆଲ୍ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଆମର ଏଜେଣ୍ଡାରେ କରୋନା ଟିକା, ଜଳବାୟୁ ପରିବର୍ତ୍ତନ ଏବଂ ଆଇଟିର ସଠିକ୍ ବ୍ୟବହାର। ଯାହା ଦ୍ୱାରା ସମାଜର ଉନ୍ନତି ପାଇଁ ବ୍ୟବହାର କରାଯାଇପାରିବ। ସେ ଆହୁରି କହିଛନ୍ତି ଯେ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପାଇଁ ଏହି ଚାରି ଦେଶ ଏକାଠି ରହିବା ଦରକାର।ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏହି ଚାରି ଦେଶ ଏକାଠି ଅଛନ୍ତି। ଏଭଳି କାର୍ଯ୍ୟ ଆଗକୁ ମଧ୍ୟ ଚାଲିବ ବୋଲି ମୋଦି କହିଛନ୍ତି। ଏକାଠି ହୋଇ କାମ କରିବାର ହେଉଛି ଭାରତର ‘ବସୁଧୈବ କୁଟୁମ୍ବକମ୍’କୁ ବୁଝାଏ। ସେ କହିଛନ୍ତି ଯେ ଏକାଠି ଆମକୁ ଏକ ଧର୍ମନିରପେକ୍ଷ, ସ୍ଥିର ଏବଂ ସମୃଦ୍ଧ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ସୃଷ୍ଟି କରିବାକୁ ପଡିବ।ସେହିପରି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମେ ଉଦବୋଧନ ଦେଇ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ପାଇଁ ଆମେରିକା ତାର ସହଯୋଗୀମାନଙ୍କ ସହ ଏକାଠି ହୋଇ କାମ କରିବ। ବାଇଡେନ ଆହୁରି କହିଛନ୍ତି ଯେ ସମସ୍ତ ସଦସ୍ୟଙ୍କୁ ଜଳବାୟୁ ପରିବର୍ତ୍ତନ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଏହା ସହିତ କରୋନା ଟିକାକରଣରେ ଯେମିତି ବାଧା ନଉପୁଜିବ ସେଥିପ୍ରତି ଧ୍ୟାନ ଦେବା ଉଚିତ୍। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କହିଛନ୍ତି ଯେ ରଣନୀତିକ ବିଶ୍ୱାସର ସହଭାଗିତା ଆବଶ୍ୟକ। ଚାଇନା ବିରୁଦ୍ଧରେ ବିଧିବଦ୍ଧ ସାମରିକ ମେଣ୍ଟ ଚାଇନାର ବଢୁଥିବା ସାମରିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ କାଉଣ୍ଟର କରିବା ଲାଗି ଏହି ଚାରି ଦେଶ ଏକ ହୋଇଛନ୍ତି। ଇଣ୍ଡୋ ପାସିଫିକ୍ ଅଞ୍ଚଳକୁ ମୁକ୍ତ, ଅବାଧ ଓ ନିୟନ୍ତ୍ରଣ ବିହୀନ କରିବା ସହ ଚାଇନାର ବିସ୍ତାରବାଦୀ ନୀତି ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରିବା ହେଉଛି ବୈଠକର ମୂଳ ଲକ୍ଷ୍ୟ। ଆଉ ଚାଇନା ପ୍ରସଙ୍ଗରେ ମୁକ୍ତ ଭାବରେ ଆଲୋଚନା ହେବା ଦରକାର ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ତେବେ କ୍ୱାଡ ସମ୍ମିଳନୀକୁ ନେଇ ଚାଇନା ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି, ଦେଶ ମଧ୍ୟରେ ଆଦାନପ୍ରଦାନ ଏବଂ ସହଯୋଗ ତୃତୀୟ ପକ୍ଷ ଅପେକ୍ଷା ସେହି ଦେଶ ମଧ୍ୟରେ ‘ପାରସ୍ପରିକ ବୁଝାମଣା’ ଏବଂ ବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବା ଉଚିତ୍। ସେ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ସଂପୃକ୍ତ ଦେଶଗୁଡ଼ିକ ସମସ୍ତଙ୍କ ପାଇଁ ମୁକ୍ତ, ଲାଭଦାୟକ ନୀତି ରକ୍ଷା କରିବେ ଏବଂ ସ୍ୱତନ୍ତ୍ର ଗୋଷ୍ଠୀ ତିଆରିରୁ ଦୂରେଇ ରହିବେ।

ବ୍ରହ୍ମପୁତ୍ର ନଦୀରେ ଡ୍ୟାମ ତିଆରି କରିବ ବେଜିଂ, ଚିନ୍ତାରେ ଭାରତ !

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- କ୍ୱାଡ ବୈଠକ ପୂର୍ବରୁ ବେଜିଂ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କିଛି ଦିନ ନିରବ ରହିବା ପରେ ଚାଇନା ପୁରୁଣା ଚାଲ ଚଳାଇଛି। ଯାହାକି ଭାରତକୁ ଉସକାଇବା ଭଳି। ଭାରତର ବିରୋଧ ସତ୍ତ୍ୱେ ଚାଇନା ବ୍ରହ୍ମପୁତ୍ର ନଦୀରେ ମେଗା ଜଳବିଦ୍ୟୁତ ପ୍ରକଳ୍ପ ତିଆରି କରିବାକୁ ନିଷ୍ପତ୍ତି ନେଇଛି। ଆଉ ଚାଇନା ସଂସଦ ଏହାକୁ ଅନୁମତି ଦେଇଛି। ଆସାମରେ ପ୍ରବାହିତ ବ୍ରହ୍ମପୁତ୍ରର ଉପର ମୁଣ୍ଡରେ ଏହି ଡ୍ୟାମ ନିର୍ମାଣ କରିବ ଚାଇନା। ଏହାଦ୍ୱାରା ବ୍ରହ୍ମପୁତ୍ର ନଦୀର ପାଣି ଉପରେ ଚାଇନାର ନିୟନ୍ତ୍ରଣ ରହିବ। ଆଉ ତଳିଆ ଅଞ୍ଚଳରେ ଥିବା ଭାରତ ଏବଂ ବାଂଲାଦେଶ ଏ ନେଇ ସମସ୍ୟାରେ ପଡ଼ିବେ। ଏହି ଡ୍ୟାମ ଅରୁଣାଚଳ ପ୍ରଦେଶ ପାଖ ଦେଇ ଯିବ। ତିବ୍ବତ ସ୍ୱୟଂଶାସିତ ଅଞ୍ଚଳରେ କମ୍ୟୁନିଷ୍ଟ ପାର୍ଟିରେ ଉପମୁଖ୍ୟ ଚେ ଡାଲ୍ହା ଘୋଷଣା କରିଛନ୍ତି ତୁରନ୍ତ ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ସହ ପରିବେଶ ଉପରେ ପ୍ରକଳ୍ପର କି ପ୍ରଭାବ ପଡିବ ସେନେଇ ଅନୁଧ୍ୟାନ କରାଯିବା ଦରକାର ବୋଲି ଚେ କହିଛନ୍ତି।  ବ୍ରହ୍ମପୁତ୍ର ତିବ୍ବତରେ ୟାରଲଙ୍ଗ  ଜ୍ୟାଙ୍ଗବୋ ନାଁରେ ପରିଚିତ। ଯେଉଁଠାରେ ଏହା ଅରୁଣାଚଳ ସୀମା ଛୁଇଁଛି।ତେବେ ଏହି ପ୍ରକଳ୍ପ ହେଲେ ଭବିଷ୍ୟତରେ କୌଣସି ବିପର୍ଯ୍ୟୟ ହେଲେ ଭାରତ ପ୍ରଭାବିତ ହେବ। କାରଣ ତଳମୁଣ୍ଡରେ ଭାରତ ଓ ବାଂଲାଦେଶ ରହିଛି। ଆଉ ଏହି ଦୁଇ ଦେଶ ବ୍ରହ୍ମପୁତ୍ର ନଦୀ ପାଣି ଉପରେ ନିର୍ଭରଶୀଳ। ବ୍ରହ୍ମପୁତ୍ର ନଦୀର ପାଣି ଉପରେ ଚାଇନା ନିୟନ୍ତ୍ରଣରେ ରହିଲେ ଖରାଦିନେ ଜଳ ପ୍ରଭାବ କମିଯିବ। ଆଉ ଭାରତକୁ ଆବଶ୍ୟକ ମାତ୍ରାରେ ପାଣି ମିଳିନପାରେ। ଯଦି ଦାଉ ସାଧିଲା ଭଳି ମାତ୍ରାଧିକ ବର୍ଷା ହୁଏ ଏବଂ ଚାଇନା ଠିକ୍ ଭାବରେ ଡ୍ୟାମ୍ ଜଳ ପରିଚାଳନା ନକଲେ ଭାରତରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ। ନିକଟରେ ଲଦାଖ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହେବା ପରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ରହିଛି। ଏବେ ଚାଇନା ବ୍ରହ୍ମପୁତ୍ର ନଦୀରେ ବନ୍ଧ ବାନ୍ଧିବା ନିଷ୍ପତ୍ତି ଦୁଇ ଦେଶର ସମ୍ପର୍କକୁ ଆହୁରି ଖରାପ କରିବ ବୋଲି ଜଣାପଡ଼ିଛି।

କୃଷି ଆଇନକୁ ନେଇ ଅବସରପ୍ରାପ୍ତ ଅମଲା ଦୁଇ ଭାଗ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/ଲକ୍ଷ୍ନୌ)- କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ୟୁପି-ଦିଲ୍ଲୀ ସୀମାରେ ଚାଷୀଙ୍କ ଆନ୍ଦୋଳନ ୪ ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ଚାଷୀ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ରହିଛି ଆଗକୁ ଆନ୍ଦୋଳନ ମଧ୍ୟ ଜାରି ରହିବ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି। ଏହାରି ଭିତରେ ୟୁପିର ଅବସରପ୍ରାପ୍ତ ବାବୁ ତିନି ଆଇନକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରୁଛି। କିଛି ଅବସରପ୍ରପାପ୍ତ ଆଇଏଏସ ଚାଷୀଙ୍କୁ ଆନ୍ଦୋଳନରୁ ହଟିବାକୁ ନିବେଦନ କରିଛନ୍ତି। ତିନି କୃଷି ଆଇନ ଚାଷୀଙ୍କ ସ୍ୱାର୍ଥରେ ଆସିଛି। ଏହାଦ୍ୱାରା ଆୟ ବଢ଼ିବ ବୋଲି ଏହି ଅବସରପ୍ରାପ୍ତ ଗୋଷ୍ଠୀ କହିଛନ୍ତି। ଅନ୍ୟ ଏକ ଗୋଷ୍ଠୀ ଆନ୍ଦୋଳନକାରୀଙ୍କ ସହ ସ୍ୱର ମିଳାଇଛନ୍ତି। ପ୍ରଥମେ ଏହି ଗୋଷ୍ଠୀ ଆନ୍ଦୋଳନକାରୀ ଚାଷୀଙ୍କୁ ସମର୍ଥନ କରିବା ପରେ ସରକାରଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀ ସକ୍ରିୟ ହୋଇଛି। କୃଷି ଆଇନକୁ ସମର୍ଥନ କରୁଥିବା ଗୋଷ୍ଠୀ କହିଛନ୍ତି, ନିର୍ଦ୍ଦିଷ୍ଟ ସ୍ୱାର୍ଥକୁ ଆଖି ଆଗରେ ରଖି ଚାଷୀଙ୍କୁ ଭୁଲ୍ ସୂଚନା ଦିଆଯାଇ ବିଭ୍ରାନ୍ତି କରାଯାଉଛି। ହେଲେ ସରକାର ଚାଷୀଙ୍କ ଉନ୍ନତୀ ପାଇଁ ଏହି ତିନି ଆଇନ୍ ଆଣିଛନ୍ତି। ଚାଷୀ ଆନ୍ଦୋଳନରେ ବସିଥିବାରୁ ଅନେକ କ୍ଷୟକ୍ଷତି ମଧ୍ୟ ହେଉଛି। ସାଧାରଣ ଲୋକେ ପ୍ରଭାବିତ ହେବା ସହିତ ଛୋଟ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି। ପୂର୍ବତନ ୟୁପି ମୁଖ୍ୟ ଶାସନ ସଚିବ ଅତୁଲ ଗୁପ୍ତା କହିଛନ୍ତି, କେନ୍ଦ୍ରର ତିନି କୃଷି ଆଇନ ଚାଷୀଙ୍କୁ ଅଧିକ ଆୟ କରିବାରେ ସହଯୋଗ କରିବ। ସେହିପରି ୟୁପିର ପୂର୍ବତନ ଆଇଏଏସ ଅଫିସର ବିଜୟ ଶଙ୍କର ପାଣ୍ଡେ, ପୂର୍ବତନ ଆଇପିଏସ ଏସ.ଏନ ସିଂହ କହିଛନ୍ତି ସେମାନେ ତିନି କୃଷି ଆଇନକୁ ସମର୍ଥନ କରୁଛନ୍ତି। କେନ୍ଦ୍ର ତିନି କୃଷି ଆଇନକୁ ରଦ୍ଦ କରିବା ସହିତ ଏମଏସପି ଗ୍ୟାରେଣ୍ଟି ଦେବା ଦରକାର ବୋଲି କହିଛନ୍ତି। ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ଦରକାର। ଦେଶର ମୋଟ୍ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ କୃଷି ସହିତ ଜଡ଼ିତ। ଚାଷୀ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଛନ୍ତି। ଏବେ ସେମାନଙ୍କ ସମସ୍ୟା ଶୁଣି ସମାଧାନ କରିବାକୁ ସରକାରଙ୍କୁ କହିଛନ୍ତି।

ମୋଦିଙ୍କୁ ମହାଦେବଙ୍କ ଅବତାର କହିଲେ ମନ୍ତ୍ରୀ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/ଶିମଲା)- ସାରା ବିଶ୍ୱ କୋଭିଡ୍ ସହିତ ଲଢ଼େଇ କରୁଛି। ହେଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଯେଉଁଭଳି କୋଭିଡ୍ ବିରୋଧରେ ଲଢ଼େଇ କରୁଛି ତାହା ପ୍ରଶଂସନୀୟ। ଯାହାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ଏମିତିକି ବିଭିନ୍ନ ଗରିବ ଦେଶକୁ କୋଭିଡ୍ ଟିକା ଭାରତ ମାଗଣାରେ ଦେଇ ଏବେ ଚର୍ଚ୍ଚାରେ ରହିଛି। ଗତକାଲି ଶିବରାତ୍ରୀ ଥିଲା। ଏହି ଅବସରରେ ବିଜେପି ନେତା ତଥା ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଶିମଲାରେ ଏଭଳି ମନ୍ତବ୍ୟ ରଖିଥିଲେ। ରାମ ମନ୍ଦିରରେ ଶିବରାତ୍ରୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନ୍ତ୍ରୀ ଭରଦ୍ୱାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବଙ୍କ ଅବତାର ବୋଲି କହିଛନ୍ତି। ସେ କହିଛନ୍ତି ୨୦୧୯ ନିର୍ବାଚନ ଫଳାଫଳ ଆସିବାର୨ ଦିନ ପୂର୍ବରୁ, ସେ କେଦାରନାଥ ଗୁମ୍ଫାରେ ୨ ଦିନ ବିତାଇଥିଲେ ଏବଂ ତାଙ୍କୁ ଶିବଙ୍କର ଆଶୀର୍ବାଦ ମିଳିଛି ବୋଲି ଦାବି କରିଛନ୍ତି। କରୋନା ଟିକା ତିଆରି କରୁଥିବା ଦୁଇଟି କମ୍ପାନୀ ଭାରତର। ସର୍ବାଧିକ ଟିକାକରଣ ମଧ୍ୟ ଭାରତରେ ହୋଇଛି। ଏହା ଭଗବାନ ଶିବଙ୍କର ଏକ ବରଦାନ। ଏଥିରୁ ଜଣାପଡୁଛି ଯେ ନରେନ୍ଦ୍ର ମୋଦି ଶିବ ଶଙ୍କରଙ୍କ ଅବତାର ଭାବେ ଉଭା ହୋଇଛନ୍ତି। ଜୟରାମ ଠାକୁର ସରକାରରେ ମନ୍ତ୍ରୀ ଥିବା ଭରଦ୍ୱାଜ ଶିମଲାରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟସଭାକୁ ସେ ଥରେ ନିର୍ବାଚିତ ହୋଇଥିଲେ। ଭରଦ୍ୱାଜ କହିଛନ୍ତି, ଭାରତ ବିଭିନ୍ନ ଦେଶକୁ ଟିକା ପ୍ରଦାନ କରିବା ପରେ ମୋଦିଙ୍କ ଭାବମୂର୍ତ୍ତି ଏବେ ଆହୁରି ବଢ଼ିଛି। ମୋଦି ଏବେ ବିଶ୍ୱର ଜଣେ ବଡ଼ ନେତା ଭାବରେ ନିଜର ପରିଚିୟ ତିଆରି କରିଛନ୍ତି। ସେହିଭଳି ମୋଦିଙ୍କ ନେତୃତ୍ୱ ପାଇଁ ଦେଶରେ କୋଭିଡ ମୃତ୍ୟୁ ଜନସଂଖ୍ୟା ତୁଳନାରେ ସଂଖ୍ୟା କମ୍ ରହିଛି।

ପ୍ରଚାର ପାଇଁ ଦଳର ହେଭିଓ୍ୱେଟଙ୍କ ନାଁ ଘୋଷଣା କଲା କଂଗ୍ରେସ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ସୋନିଆ ଗାନ୍ଧୀ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ନବଜୋତ ସିଂହ ସିଦ୍ଧୁଙ୍କ ଭଳି ମୋଟ୍ ୩୦ ଜଣଙ୍କ ନାଁ ରହିଛି। ରାଜ୍ୟରେ କଂଗ୍ରେସ ବାମପନ୍ଥୀ ଦଳ ଏବଂ ଆଞ୍ଚଳିକ ଦଳ ମିଶି ନିର୍ବାଚନ ଲଢ଼ିବ। ପଶ୍ଚିମବଙ୍ଗରେ ବିଜେପି-ଟିଏମସି ପ୍ରଚାରରେ ଅନେକ ହେବିଓ୍ୱେଟଙ୍କୁ ସାମିଲ୍ କରିଥିବା ବେଳେ କଂଗ୍ରେସ ମଧ୍ୟ ଦଳର ପୁରୁଖା ନେତାଙ୍କୁ ପ୍ରଚରା ତାଲିକାରେ ଯୋଡ଼ିଛି ହେଲେ ଦଳରେ ବିଦ୍ରୋହ ସୃଷ୍ଟି କରିଥିବା ୨୩ କଂଗ୍ରେସ ନେତାଙ୍କ ନାଁ ଏହି ପ୍ରଚାରକ ତାଲିକାରେ ନାହିଁ।ସୋନିଆ, ରାହୁଲଙ୍କ ବ୍ୟତୀତ ପ୍ରଚାରକଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ, ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ରହିଛନ୍ତି। ସେହିଭଳି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଷେକ ମୁଖାର୍ଜୀ, ରାଜ୍ୟର ପିସିସି ସଭାପତି ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖାଡ଼ଗେ, ସଲମାନ ଖୁର୍ସିଦ, ରଣଜୀପ ସିଂହ ସୁରଜେଓ୍ୱାଲା, ଜିତନ ପ୍ରସାଦ, ଦିପେନ୍ଦ୍ର ହୁଡ଼ା ଏବଂ ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନ କଂଗ୍ରେସ ପାଇଁ ପଶ୍ଚିମବଙ୍ଗରେ ପ୍ରଚାର କରିବେ। ସବୁଠୁ ବଡ଼ କଥା ହେଲା କଂଗ୍ରେସର ଅଳ୍ପ ସଂଖ୍ୟକଙ୍କ ଚେହେରା କୁହାଯାଉଥିବା ଗୁଲାମ ନବୀ ଆଜାଦଙ୍କୁ ପ୍ରଚାର ତାଲିକାରେ ରଖିନି କଂଗ୍ରେସ। ଦଳରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରି ଦେଶରେ ଏହି ସର୍ବପୁରାତନ ଦଳରେ ସେ କୋଣଠେସା ହୋଇଛନ୍ତି।

ଫେବୃଆରୀ ୨୭ରେ ଗୁଲାମଙ୍କ ନେତୃତ୍ୱରେ ୨୩ ବିଦ୍ରୋହୀ ନେତା ଜମ୍ମୁ କଶ୍ମୀରରେ ଶାନ୍ତି ବୈଠକ କରିଥିଲେ। ଏହି ବୈଠକରେ ଗୁଲାମ, କପିଲ ସିବଲ, ମନୀଷ ତିଓ୍ୱାରୀଙ୍କ ଭଳି ପୁରୁଖା ନେତା ଦଳକୁ ମଜବୁତ କରିବାକୁ ଯାଇ ଏହି ବୈଠକ କରିଥିବା କଥା କହିଥିଲେ। ପରେ ଏହାକୁ ନେଇ ୨୩ ବିଦ୍ରୋହୀଙ୍କୁ ଜବାବ ଦେଇଥିଲା କଂଗ୍ରେସ।କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହ ଭି ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏହି ନେତାମାନେ ଚାରୋଟି ରାଜ୍ୟ ଏବଂ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଦଳକୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି। ଏହି ସମସ୍ତ ନେତା ସମ୍ମାନିତ ନେତା। ଆମେ ତାଙ୍କୁ ସମ୍ମାନ କରୁଛୁ। ସିଂହ ଭି କହିଥିଲେ ଯେ ସେହି ନେତାମାନଙ୍କ ମଧ୍ୟରୁ ଜଣେ (ଗୁଲାମ ନବୀ ଆଜାଦ) ‘ଇସତେମାଲ’ ଶବ୍ଦ ବ୍ୟବହାର କରିଛନ୍ତି। ହେଲେ ସେ କଂଗ୍ରେସର ଇତିହାସ ଜାଣି ନାହାନ୍ତି। ମନୁ ସିଂହ ଭି ଗୁଲାମଙ୍କ ନାଁ ନନେଇ ପରୋକ୍ଷରେ ତାଙ୍କୁ ଦଳ କ’ଣ ଦେଇଛି ବୋଲି ସିଂହ ଭି ହିସାବ ଦେଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ନିର୍ବାଚନ ଲଢ଼ିବେ କି ?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/କୋଲକାତା)- ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଉପସ୍ଥିତ ହୋଇ ବିଜେପିରେ ସାମିଲ୍ ହୋଇଛନ୍ତି ପୂର୍ବତନ ଟିଏମସି ନେତା ତଥା ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀ। ରାଲିରେ ଲୋକଙ୍କୁ ଉଦବୋଧନ ଦେଇ ମିଥୁନ ବିଜେପି ପାଇଁ ଆଗାମୀ ଦିନରେ ଜୋରଦାର ପ୍ରଚାର କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି। ରାଜ୍ୟରେ ‘ମହାଗୁରୁ’ ଭାବରେ ପରିଚିତ ଏହି କଳାକାରଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି। ଅନ୍ୟପଟେ ଟିଏମସି ମଧ୍ୟ ଅନେକ ବେଙ୍ଗଲୀ କଳାକାରଙ୍କୁ ପ୍ରାର୍ଥୀ କରିଛି। ତେଣୁ ବିଜେପି ମଧ୍ୟ ମିଥୁନଙ୍କ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭର୍ଗିଆ। ଶୁକ୍ରବାର ମିଡିଆକୁ ପ୍ରତିକ୍ରିୟା ଦେଇ ମିଥୁନ ଚଳିତ ବିଧାନସଭାରେ ପ୍ରାର୍ଥୀ ହେବେ କି ନାହିଁ ଚାଲିଥିବା ପ୍ରସଙ୍ଗର ପୂର୍ଣ୍ଣଛେଦ ପକାଇଛନ୍ତି। ସେ କହିଛନ୍ତି ମିଥୁନ ନିର୍ବାଚନ ଲଢ଼ିବେ ନାହିଁ। ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଅଛନ୍ତି କି ବୋଲି ପଚରାଯାଇଥିଲା ହେଲେ ସେ ଜବାବରେ ନାଁ କହିଛନ୍ତି। ତେବେ ଆଗାମୀ ଦିନରେ ସେ ନିର୍ବାଚନ ଲଢ଼ିବେ କି ନାହିଁ ସେ ବାବଦରେ ପାର୍ଟି ବିଚାର କରିବ ବୋଲି କୌଳାଶ ବିଜୟଭର୍ଗିଆ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଆଉ କିଛି ଦିନ ପରେ ପ୍ରଥମ ପର୍ଯ୍ୟାୟ ଆସନ ପାଇଁ ଭୋଟ୍ ପଡ଼ିବ। ହେଲେ ଏଯାବତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି। ଅନ୍ୟପଟେ ରାଜ୍ୟରେ 200 ଆସନ ବିଜୟୀ ହେବାର ଲକ୍ଷ୍ୟ ରଖିଛି ବିଜେପି। ଟିଏମସି ବିଜେପି ଉପରେ ଅଭିଯୋଗ ଆଣି କହିଛି ବାହାର ଲୋକ ବେଙ୍ଗଲୀଙ୍କୁ ଶାସନ କରିପାରିବେ ନାହିଁ। ଆଉ ବିଜେପି ମଧ୍ୟ କହିଛି ବେଙ୍ଗଲୀଙ୍କୁ ବେଙ୍ଗଲୀ ହିଁ ଶାସନ କରିବେ। ହେଲେ କିଏ ସେହି ବିଜେପି ନେତା ଯିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏଯାବତ ଜଣାପଡ଼ିନାହିଁ। ବିଭିନ୍ନ ସମୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ହୋଇଛି ହେଲେ ସେ ଏଯାବତ ବିଜେପିରେ ସାମିଲ୍ ହୋଇ ନାହାନ୍ତି। ଆଗାମୀ ଦିନରେ କିନ୍ତୁ ରାଜନୀତିକୁ ଆସିବାକୁ ଇଚ୍ଛୁକ ବୋଲି ଗାଙ୍ଗୁଲି ମିଡିଆକୁ କହି ସାରିଛନ୍ତି।

ନିର୍ବାଚନ କମିଶନଙ୍କୁ ଭେଟିଲା ଟିଏମସି..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଚାର ବେଳେ ମମତା ବାନାର୍ଜୀ ଆହତ ହେବାକୁ ନେଇ ଆଜି ଟିଏମସି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି ବରଂ ଆକ୍ରମଣର ଶିକାର ହୋଇଛନ୍ତି। ତେଣୁ ଏହି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଟିଏମିସ। ନିର୍ବାଚନ କମିଶନଙ୍କୁ ଟିଏମସିର ୬ ଜଣିଆ ପ୍ରତିନିଧି ଦଳ ଭେଟିଥିଲା। ଏଥିରେ ସାଂସଦ ଡେରେକ ଓ ବ୍ରାଏନ, ସୌଗତ ରୟ, କାକୋଲି ଘୋଷ ଦସ୍ତିଦାକ, ଶତାବ୍ଦୀ ରୟ, ପ୍ରତିମା ମଣ୍ଡଳ ଏବଂ ଶାନ୍ତନ୍ତୁ ସେନ ଥିଲେ।ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ସୌଗତ ରୟ ପ୍ରତିକ୍ରିୟାରେ କହିଛନ୍ତି, ‘ନନ୍ଦିଗ୍ରାମରେ ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ହୋଇନାହାନ୍ତି ବରଂ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଏଭଳି କହିବାର କାରଣ ଦର୍ଶାଇବାକୁ ଯାଇ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କର ଏକ ମନ୍ତବ୍ୟକୁ ସେ ଉଦ୍ଦୃତ କରିଛନ୍ତି। ଯେଉଁଥିରେ ଦିଲ୍ଲୀପ ଘୋଷ କହିଥିଲେ ମମତା ନନ୍ଦିଗ୍ରାମକୁ ଗଲେ ପରିଣାମ ଭୋଗିବେ। ସେହିପରି ବିଜେପି ସାଂସଦ ସୌମିତ୍ର ଖାନ କହିଥିଲେ ମାର୍ଚ୍ଚ ୧୦ ଅପରାହ୍ନ ୫ ପରେ ଏ ସମସ୍ତ କଥା ବୁଝିହେବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଦିଦିଙ୍କ ସ୍କୁଟି ନନ୍ଦିଗ୍ରାମରେ ଓଲଟି ପଡ଼ିବ। ମମତାଙ୍କ ଗାଡ଼ି ଧକ୍କା ହୋଇନାହିଁ। ବରଂ ଜୋର ଜବରଦସ୍ତି ଗାଡ଼ିକୁ ଧକ୍କା ଦିଆଯାଇଛି। ଯେଉଁ ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ ମିଡିଆକୁ ପ୍ରତିକ୍ରିୟା ଦେଇଛନ୍ତି ତାହା ମିଛ ମନ୍ତବ୍ୟ। ଆମେ ଦୁଃଖିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଦିଦିଙ୍କ ସ୍କୁଟି ନନ୍ଦିଗ୍ରାମରେ ଓଲଟି ପଡ଼ିବ’।ସେହିପରି ମମତାଙ୍କ ଉପରେ ଆକ୍ରମଣ ହୋଇଥିବା କହି ଟିଏମସି ଆଜି ରାଜ୍ୟରେ ପ୍ରତିବାଦ ସଭା କରିବ ବୋଲି ଏହି ଟିଏମସି ସାଂସଦ କହିଛନ୍ତି। ତେବେ ନିର୍ବାଚନ କମିଶନ ଏହି ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେଥିପାଇଁ ତାଙ୍କ ଦଳ ଅପେକ୍ଷା କରିବ ବୋଲି ସୌଗତ ରୟ କହିଛନ୍ତି। ତେବେ ମମତାଙ୍କ ଉପରେ ଯଦି ଆକ୍ରମଣ ହୋଇଥିବ ତାହେଲେ ଏହା ଚିନ୍ତାର ବିଷୟ ବୋଲି ନିର୍ବାଚନ ଅଧିକାରୀ କହିଥିବା ସାଂସଦ କହିଛନ୍ତି।