ପ୍ରଚାର ପାଇଁ ଦଳର ହେଭିଓ୍ୱେଟଙ୍କ ନାଁ ଘୋଷଣା କଲା କଂଗ୍ରେସ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, ସୋନିଆ ଗାନ୍ଧୀ, ରାହୁଲ୍ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭାଡ୍ରା, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ନବଜୋତ ସିଂହ ସିଦ୍ଧୁଙ୍କ ଭଳି ମୋଟ୍ ୩୦ ଜଣଙ୍କ ନାଁ ରହିଛି। ରାଜ୍ୟରେ କଂଗ୍ରେସ ବାମପନ୍ଥୀ ଦଳ ଏବଂ ଆଞ୍ଚଳିକ ଦଳ ମିଶି ନିର୍ବାଚନ ଲଢ଼ିବ। ପଶ୍ଚିମବଙ୍ଗରେ ବିଜେପି-ଟିଏମସି ପ୍ରଚାରରେ ଅନେକ ହେବିଓ୍ୱେଟଙ୍କୁ ସାମିଲ୍ କରିଥିବା ବେଳେ କଂଗ୍ରେସ ମଧ୍ୟ ଦଳର ପୁରୁଖା ନେତାଙ୍କୁ ପ୍ରଚରା ତାଲିକାରେ ଯୋଡ଼ିଛି ହେଲେ ଦଳରେ ବିଦ୍ରୋହ ସୃଷ୍ଟି କରିଥିବା ୨୩ କଂଗ୍ରେସ ନେତାଙ୍କ ନାଁ ଏହି ପ୍ରଚାରକ ତାଲିକାରେ ନାହିଁ।ସୋନିଆ, ରାହୁଲଙ୍କ ବ୍ୟତୀତ ପ୍ରଚାରକଙ୍କ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବାଘେଲ, ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ରହିଛନ୍ତି। ସେହିଭଳି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଷେକ ମୁଖାର୍ଜୀ, ରାଜ୍ୟର ପିସିସି ସଭାପତି ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ, ମଲ୍ଲିକାର୍ଜୁନ ଖାଡ଼ଗେ, ସଲମାନ ଖୁର୍ସିଦ, ରଣଜୀପ ସିଂହ ସୁରଜେଓ୍ୱାଲା, ଜିତନ ପ୍ରସାଦ, ଦିପେନ୍ଦ୍ର ହୁଡ଼ା ଏବଂ ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନ କଂଗ୍ରେସ ପାଇଁ ପଶ୍ଚିମବଙ୍ଗରେ ପ୍ରଚାର କରିବେ। ସବୁଠୁ ବଡ଼ କଥା ହେଲା କଂଗ୍ରେସର ଅଳ୍ପ ସଂଖ୍ୟକଙ୍କ ଚେହେରା କୁହାଯାଉଥିବା ଗୁଲାମ ନବୀ ଆଜାଦଙ୍କୁ ପ୍ରଚାର ତାଲିକାରେ ରଖିନି କଂଗ୍ରେସ। ଦଳରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରି ଦେଶରେ ଏହି ସର୍ବପୁରାତନ ଦଳରେ ସେ କୋଣଠେସା ହୋଇଛନ୍ତି।

ଫେବୃଆରୀ ୨୭ରେ ଗୁଲାମଙ୍କ ନେତୃତ୍ୱରେ ୨୩ ବିଦ୍ରୋହୀ ନେତା ଜମ୍ମୁ କଶ୍ମୀରରେ ଶାନ୍ତି ବୈଠକ କରିଥିଲେ। ଏହି ବୈଠକରେ ଗୁଲାମ, କପିଲ ସିବଲ, ମନୀଷ ତିଓ୍ୱାରୀଙ୍କ ଭଳି ପୁରୁଖା ନେତା ଦଳକୁ ମଜବୁତ କରିବାକୁ ଯାଇ ଏହି ବୈଠକ କରିଥିବା କଥା କହିଥିଲେ। ପରେ ଏହାକୁ ନେଇ ୨୩ ବିଦ୍ରୋହୀଙ୍କୁ ଜବାବ ଦେଇଥିଲା କଂଗ୍ରେସ।କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହ ଭି ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏହି ନେତାମାନେ ଚାରୋଟି ରାଜ୍ୟ ଏବଂ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଦଳକୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି। ଏହି ସମସ୍ତ ନେତା ସମ୍ମାନିତ ନେତା। ଆମେ ତାଙ୍କୁ ସମ୍ମାନ କରୁଛୁ। ସିଂହ ଭି କହିଥିଲେ ଯେ ସେହି ନେତାମାନଙ୍କ ମଧ୍ୟରୁ ଜଣେ (ଗୁଲାମ ନବୀ ଆଜାଦ) ‘ଇସତେମାଲ’ ଶବ୍ଦ ବ୍ୟବହାର କରିଛନ୍ତି। ହେଲେ ସେ କଂଗ୍ରେସର ଇତିହାସ ଜାଣି ନାହାନ୍ତି। ମନୁ ସିଂହ ଭି ଗୁଲାମଙ୍କ ନାଁ ନନେଇ ପରୋକ୍ଷରେ ତାଙ୍କୁ ଦଳ କ’ଣ ଦେଇଛି ବୋଲି ସିଂହ ଭି ହିସାବ ଦେଇଥିଲେ।

ମିଥୁନ ଚକ୍ରବର୍ତ୍ତୀ ନିର୍ବାଚନ ଲଢ଼ିବେ କି ?

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ/କୋଲକାତା)- ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଉପସ୍ଥିତ ହୋଇ ବିଜେପିରେ ସାମିଲ୍ ହୋଇଛନ୍ତି ପୂର୍ବତନ ଟିଏମସି ନେତା ତଥା ବଲିଉଡ କଳାକାର ମିଥୁନ ଚକ୍ରବର୍ତ୍ତୀ। ରାଲିରେ ଲୋକଙ୍କୁ ଉଦବୋଧନ ଦେଇ ମିଥୁନ ବିଜେପି ପାଇଁ ଆଗାମୀ ଦିନରେ ଜୋରଦାର ପ୍ରଚାର କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି। ରାଜ୍ୟରେ ‘ମହାଗୁରୁ’ ଭାବରେ ପରିଚିତ ଏହି କଳାକାରଙ୍କର ଯଥେଷ୍ଟ ଲୋକପ୍ରିୟତା ରହିଛି। ଅନ୍ୟପଟେ ଟିଏମସି ମଧ୍ୟ ଅନେକ ବେଙ୍ଗଲୀ କଳାକାରଙ୍କୁ ପ୍ରାର୍ଥୀ କରିଛି। ତେଣୁ ବିଜେପି ମଧ୍ୟ ମିଥୁନଙ୍କ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମଙ୍ଗ ବିଜେପି ପ୍ରଭାରୀ କୈଳାଶ ବିଜୟଭର୍ଗିଆ। ଶୁକ୍ରବାର ମିଡିଆକୁ ପ୍ରତିକ୍ରିୟା ଦେଇ ମିଥୁନ ଚଳିତ ବିଧାନସଭାରେ ପ୍ରାର୍ଥୀ ହେବେ କି ନାହିଁ ଚାଲିଥିବା ପ୍ରସଙ୍ଗର ପୂର୍ଣ୍ଣଛେଦ ପକାଇଛନ୍ତି। ସେ କହିଛନ୍ତି ମିଥୁନ ନିର୍ବାଚନ ଲଢ଼ିବେ ନାହିଁ। ସେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଅଛନ୍ତି କି ବୋଲି ପଚରାଯାଇଥିଲା ହେଲେ ସେ ଜବାବରେ ନାଁ କହିଛନ୍ତି। ତେବେ ଆଗାମୀ ଦିନରେ ସେ ନିର୍ବାଚନ ଲଢ଼ିବେ କି ନାହିଁ ସେ ବାବଦରେ ପାର୍ଟି ବିଚାର କରିବ ବୋଲି କୌଳାଶ ବିଜୟଭର୍ଗିଆ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଆଉ କିଛି ଦିନ ପରେ ପ୍ରଥମ ପର୍ଯ୍ୟାୟ ଆସନ ପାଇଁ ଭୋଟ୍ ପଡ଼ିବ। ହେଲେ ଏଯାବତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି। ଅନ୍ୟପଟେ ରାଜ୍ୟରେ 200 ଆସନ ବିଜୟୀ ହେବାର ଲକ୍ଷ୍ୟ ରଖିଛି ବିଜେପି। ଟିଏମସି ବିଜେପି ଉପରେ ଅଭିଯୋଗ ଆଣି କହିଛି ବାହାର ଲୋକ ବେଙ୍ଗଲୀଙ୍କୁ ଶାସନ କରିପାରିବେ ନାହିଁ। ଆଉ ବିଜେପି ମଧ୍ୟ କହିଛି ବେଙ୍ଗଲୀଙ୍କୁ ବେଙ୍ଗଲୀ ହିଁ ଶାସନ କରିବେ। ହେଲେ କିଏ ସେହି ବିଜେପି ନେତା ଯିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏଯାବତ ଜଣାପଡ଼ିନାହିଁ। ବିଭିନ୍ନ ସମୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ହୋଇଛି ହେଲେ ସେ ଏଯାବତ ବିଜେପିରେ ସାମିଲ୍ ହୋଇ ନାହାନ୍ତି। ଆଗାମୀ ଦିନରେ କିନ୍ତୁ ରାଜନୀତିକୁ ଆସିବାକୁ ଇଚ୍ଛୁକ ବୋଲି ଗାଙ୍ଗୁଲି ମିଡିଆକୁ କହି ସାରିଛନ୍ତି।

ନିର୍ବାଚନ କମିଶନଙ୍କୁ ଭେଟିଲା ଟିଏମସି..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପ୍ରଚାର ବେଳେ ମମତା ବାନାର୍ଜୀ ଆହତ ହେବାକୁ ନେଇ ଆଜି ଟିଏମସି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ହୋଇ ନାହାନ୍ତି ବରଂ ଆକ୍ରମଣର ଶିକାର ହୋଇଛନ୍ତି। ତେଣୁ ଏହି ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ବୋଲି ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ଟିଏମିସ। ନିର୍ବାଚନ କମିଶନଙ୍କୁ ଟିଏମସିର ୬ ଜଣିଆ ପ୍ରତିନିଧି ଦଳ ଭେଟିଥିଲା। ଏଥିରେ ସାଂସଦ ଡେରେକ ଓ ବ୍ରାଏନ, ସୌଗତ ରୟ, କାକୋଲି ଘୋଷ ଦସ୍ତିଦାକ, ଶତାବ୍ଦୀ ରୟ, ପ୍ରତିମା ମଣ୍ଡଳ ଏବଂ ଶାନ୍ତନ୍ତୁ ସେନ ଥିଲେ।ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ସୌଗତ ରୟ ପ୍ରତିକ୍ରିୟାରେ କହିଛନ୍ତି, ‘ନନ୍ଦିଗ୍ରାମରେ ମମତା ବାନାର୍ଜୀ ଦୁର୍ଘଟଣାର ଶିକାର ହୋଇନାହାନ୍ତି ବରଂ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି। ଏଭଳି କହିବାର କାରଣ ଦର୍ଶାଇବାକୁ ଯାଇ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କର ଏକ ମନ୍ତବ୍ୟକୁ ସେ ଉଦ୍ଦୃତ କରିଛନ୍ତି। ଯେଉଁଥିରେ ଦିଲ୍ଲୀପ ଘୋଷ କହିଥିଲେ ମମତା ନନ୍ଦିଗ୍ରାମକୁ ଗଲେ ପରିଣାମ ଭୋଗିବେ। ସେହିପରି ବିଜେପି ସାଂସଦ ସୌମିତ୍ର ଖାନ କହିଥିଲେ ମାର୍ଚ୍ଚ ୧୦ ଅପରାହ୍ନ ୫ ପରେ ଏ ସମସ୍ତ କଥା ବୁଝିହେବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଦିଦିଙ୍କ ସ୍କୁଟି ନନ୍ଦିଗ୍ରାମରେ ଓଲଟି ପଡ଼ିବ। ମମତାଙ୍କ ଗାଡ଼ି ଧକ୍କା ହୋଇନାହିଁ। ବରଂ ଜୋର ଜବରଦସ୍ତି ଗାଡ଼ିକୁ ଧକ୍କା ଦିଆଯାଇଛି। ଯେଉଁ ଦୁଇ ଜଣ ପ୍ରତ୍ୟକ୍ଷଦର୍ଶୀ ମିଡିଆକୁ ପ୍ରତିକ୍ରିୟା ଦେଇଛନ୍ତି ତାହା ମିଛ ମନ୍ତବ୍ୟ। ଆମେ ଦୁଃଖିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଦିଦିଙ୍କ ସ୍କୁଟି ନନ୍ଦିଗ୍ରାମରେ ଓଲଟି ପଡ଼ିବ’।ସେହିପରି ମମତାଙ୍କ ଉପରେ ଆକ୍ରମଣ ହୋଇଥିବା କହି ଟିଏମସି ଆଜି ରାଜ୍ୟରେ ପ୍ରତିବାଦ ସଭା କରିବ ବୋଲି ଏହି ଟିଏମସି ସାଂସଦ କହିଛନ୍ତି। ତେବେ ନିର୍ବାଚନ କମିଶନ ଏହି ମାମଲାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସେଥିପାଇଁ ତାଙ୍କ ଦଳ ଅପେକ୍ଷା କରିବ ବୋଲି ସୌଗତ ରୟ କହିଛନ୍ତି। ତେବେ ମମତାଙ୍କ ଉପରେ ଯଦି ଆକ୍ରମଣ ହୋଇଥିବ ତାହେଲେ ଏହା ଚିନ୍ତାର ବିଷୟ ବୋଲି ନିର୍ବାଚନ ଅଧିକାରୀ କହିଥିବା ସାଂସଦ କହିଛନ୍ତି।

ନିର୍ବାଚନ କମିଶନ ନିରପେକ୍ଷ ରହିବା ଦରକାର ବୋଲି କହିଲେ ସୁପ୍ରିମକୋର୍ଟ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ କେବେ ହେଲେ ବୁଝାମଣା କରାଯାଇପାରିବ ନାହିଁ। ନିର୍ବାଚନ କମିଶନ ସବୁବେଳେ ନିରପେକ୍ଷ ରହିବା ଉଚିତ ବୋଲି ଆଜି ସୁପ୍ରିମକୋର୍ଟ ଗୋଟିଏ ମାମଲାର ଶୁଣାଣି କରିବା ବେଳେ କହିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ କମିଶନର ଅତିରିକ୍ତ ଚାର୍ଜ ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଦେବା ଭାରତୀୟ ସମ୍ବିଧାନକୁ ଉପହାସ କରିବା ସହ ସମାନ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ଗୋଆ ନିର୍ବାଚନ କମିଶନଙ୍କୁ ପଞ୍ଚାୟତ ନିର୍ବାଚନ ପାଇଁ ୧୦ ଦିନ ଭିତରେ ବିଜ୍ଞପ୍ତି ଓ ଏପ୍ରିଲ ୩୦ ସୁଦ୍ଧା ପୂରା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନର ଯିଏ ହେବେ, ସେ ସବୁବେଳେ ନିରପେକ୍ଷ ରହିବା ଦରକାର। ସେହିପରି କୌଣସି ରାଜ୍ୟ ସରକାରୀ ପଦପଦବୀରେ ରହିଥିବା ବ୍ୟକ୍ତିଙ୍କୁ ନିର୍ବାଚନ କମିଶନ ଭାବେ ଅତିରିକ୍ତ ଦାୟିତ୍ୱ ଦେଇପାରିବେ ନାହିଁ। ପରିତାପର ବିଷୟ ହେଉଛି ଯେ ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଗୋଆରେ ନିର୍ବାଚନ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସରକାରରେ ରହି କାର୍ଯ୍ୟ କରୁଥିବା ଅଧିକାରୀ ଜଣଙ୍କ କ୍ଷମତା ପାଇବା ପରେ ହାଇକୋର୍ଟଙ୍କ ରାୟକୁ ବଦଳାଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି। ହାଇକୋର୍ଟ କହିବା ସତ୍ତ୍ୱେ ସେ ଗୋଆରେ ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ଚେଷ୍ଟା କରିବା ଦୁଃଖର ବିଷୟ ବୋଲି ଜଷ୍ଟିସ ନରିମନ କହିଛନ୍ତି।ଅନ୍ୟପକ୍ଷରେ ଗୋଆର ମାରଗୋ, ମୋରମୁଗାଓ, ମାପୁସା, ସଙ୍ଗଉମେ ଓ ବ୍ୟୁପେମ୍‌ରେ ନିର୍ବାଚନ ବନ୍ଦ କରିବାକୁ ନଗର ଉନ୍ନୟନ ବିଭାଗ ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ମାର୍ଚ୍ଚ ୧ରେ ରଦ୍ଦ କରିଦେଇଥିଲେ। ତେବେ ଏହା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି।

କଂଗ୍ରେସ ନୁହେଁ ଏହି ଦଳ ଆସାମରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଆସାମରେ ପୁଣି କ୍ଷମତା ଦଖଲ ପାଇଁ ଶାସକ ବିଜେପି ଜୋରଦାର ପ୍ରୟାସ ଜାରି ରଖିଛି। ଆଉ କିଛି ଦିନ ପରେ ଏଠାରେ ଭୋଟ୍ ହେବାକୁ ଥିବା ବେଳେ ତା’ପୂର୍ବରୁ ଦଳ ଦେଇଛି ବଡ଼ ବୟାନ। ଆସାମରେ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନୁହେଁ ବରଂ ବଦ୍ରୁଦ୍ଦିନ ଅଜମଲଙ୍କ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇୟୁଡିଏଫ) ବୋଲି ବିଜେପି କହିଛି।ଦଳର ହେଭିୱେଟ ନେତା ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏହି ନିର୍ବାଚନରେ ବିଜେପି ଓ କଂଗ୍ରେସ-ଏଆଇୟୁଡିଏଫ ମଧ୍ୟରେ ଲଢ଼େଇ ହେବ। ଆଞ୍ଚଳିକ ଦଳଗୁଡ଼ିକ ରାଜ୍ୟବାସୀଙ୍କ ପାଖରେ ଯେଉଁମାତ୍ରେ ପହଞ୍ଚିବା କଥା ସେପରି କରିପାରି ନାହାନ୍ତି। ଆସାମ ଯେଉଁଭଳି ସ୍ଥାନ ସେଠାରେ ଅଜମଲ ସବୁବେଳେ ଗୋଟିଏ ବଡ଼ ଫ୍ୟାକ୍ଟର ହୋଇରହିବେ। ସେ ଆସାମର ସଂସ୍କୃତି ଓ ସଭ୍ୟତା ପ୍ରତି ବିପଦ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଇନଚାର୍ଜ ବୈଜୟନ୍ତ ପଣ୍ଡା କହିଛନ୍ତି, “ବର୍ତ୍ତମାନ କଂଗ୍ରେସ ଆସାମରେ ଏଆଇୟୁଡିଏଫ ସହ ମେଣ୍ଟ କରିଛି ଓ ପରିଚୟର ରାଜନୀତି କଥା କହୁଛି। ମୁଁ ଭାବୁଛି, କଂଗ୍ରେସ ନିଜକୁ ବଞ୍ଚାଇବା ଓ ବଞ୍ଚିବା କଥା ଚିନ୍ତା କରୁଛି। ସେମାନେ ଆସାମ ବାଞ୍ଚାଅ ପରିବର୍ତ୍ତେ କଂଗ୍ରେସ ବଞ୍ଚାଅ ଉପରେ ବେଶୀ ଫୋକସ କରିବା ଦରକାର।ଦିବଂଗତ ତରୁଣ ଗୋଗୋଇ ଏଆଇୟୁଡିଏଫ ଓ ଅଜମଲ ସଂପ୍ରଦାୟିକ ରାଜନୀତି କରୁଥିବାରୁ ସେମାନଙ୍କ ସହ ସବୁ ସମ୍ପର୍କ ତୁଟାଇଥିଲେ। ବିଜେପି ସବୁବେଳେ ଭାରତୀୟତା ପାଇଁ ଛିଡ଼ା ହୋଇଛି। ଆମେ ଠିକ୍‌ ପକ୍ଷରେ ରହିଛୁ।” ଆସାମରେ ମାର୍ଚ୍ଚ ୨୭ରୁ ୩ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏଥର ବିଜେପି ନାଗରିକତା ସଂଶୋଧନ ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ କଂଗ୍ରେସ-ଏଆୟୁଇଡିଏଫ ମେଣ୍ଟ ବିରୋଧରେ ଲଢ଼େଇ କରୁଛି। ନିର୍ବାଚନ ବହୁ ଦିନ ପୂର୍ବରୁ ବିଜେପି ଏଆଇୟୁଡିଏଫକୁ ଟାର୍ଗେଟ କରି ଆସୁଛି। ଗତ ମାସରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏଆଇୟୁଡିଏଫକୁ ମୋଗଲଙ୍କ ସହ ତୁଳନା କରିଥିଲେ। ସେ କହିଥିଲେ, କଂଗ୍ରେସ ଏବେ ବଦ୍ରୁଦ୍ଦିନ ଅଜମଲଙ୍କ କାଠପୁତୁଳି ଭାବେ କାର୍ଯ୍ୟ କରୁଛି। ଅଜମଲ ହେଉଛନ୍ତି ମୋଗଲଙ୍କର ଜଣେ ପ୍ରତିନିଧି। ଆମକୁ ସେମାନଙ୍କୁ ବିତାଡ଼ିତ କରିବାକୁ ହେବ। ନୂଆ ଆସାମ ଗଠନ ପାଇଁ ଆଗକୁ ଆସିବାକୁ ପଡ଼ିବ।

ୱେବ ସିରିଜ୍‌ ‘ବମ୍ବେ ବେଗମ୍‌ସ’ର ପ୍ରସାରଣ ବନ୍ଦ ପାଇଁ ନିର୍ଦ୍ଦେଶ..!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ପୁଣିଥରେ ଚର୍ଚ୍ଚାରେ ନେଟଫ୍ଲିକ୍ସ। ଏଥିରେ ପ୍ରସାରଣ ହେଉଥିବା ୱେବ ସିରିଜ୍‌ ‘ବମ୍ବେ ବେଗମ୍ସ’କୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ୱେବ ସିରିଜ୍‌ରେ ଛୋଟ ପିଲାଙ୍କୁ ଅତ୍ୟନ୍ତ ଖରାପ ଢଙ୍ଗରେ ପ୍ରଦର୍ଶନ କରାଯାଇଥିବାରୁ ସର୍ବୋଚ୍ଚ ଶିଶୁ ସୁରକ୍ଷା ସଂସ୍ଥା ଏନସିପିସିଆର ଏହାର ପ୍ରସାରଣ ବନ୍ଦ କରିବାକୁ ନେଟଫ୍ଲିକ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଓଟିଟି ପ୍ଲାଟଫର୍ମକୁ ଏନସିପିସିଆର ନୋଟିସ ଜାରି କରି କହିଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ଘଟଣାର ବିସ୍ତୃତ ରିପୋର୍ଟ ଦେବାକୁ ପଡ଼ିବ। ସେହିପରି ଅଭିଯୋଗ ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ତଥ୍ୟ ଦେବାକୁ ହେବ। ଯଦି ସଂସ୍ଥା ପକ୍ଷରୁ କୌଣସି ଜବାବ ଦିଆ ନ ଯାଏ, ତା’ହଲେ ଏନସିପିସିଆର ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି ନୋଟିସରେ ଚେତାବନୀ ଦିଆଯାଇଛି।ୱେବ ସିରିଜ୍‌ରେ ଯେଉଁଭଳି ଦୃଶ୍ୟ ରହିଛି, ତାହା କେବଳ ଯୁବଗୋଷ୍ଠୀଙ୍କ ମାନସିକତାକୁ ପ୍ରଭାବିତ କରିବ ନାହିଁ ବରଂ ଛୋଟ ପିଲାଙ୍କ ପ୍ରତି ନିର୍ଯାତନା ବୃଦ୍ଧି କରିବାରେ ସହାୟକ ହେବ। ବମ୍ବେ ବେଗମ୍ସରେ ଛୋଟ ଝିଅମାନେ ସେକ୍ସ ଓ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ଦୃଶ୍ୟ ରହିଥିବା ଅଭିଯୋଗ ହୋଇଥିଲା। ତେଣୁ ଏନସିପିସିଆର କହିଛନ୍ତି, “ଛୋଟ ପିଲାଙ୍କୁ ନେଇ କିମ୍ବା ଛୋଟ ପିଲାଙ୍କ ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିବା ବେଳେ ନେଟଫ୍ଲିକ୍ସ ଅଧିକ ସତର୍କ ରହିବା ଦରକାର। ସେହିପରି ଏଭଳି ଘଟଣାରେ ସେମାନେ ଯେମିତି ନ ଫସିବେ, ସେ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ଏହି କାରଣରୁ ଆମେ ପ୍ରସାରଣ ବନ୍ଦ କରିବା ସହ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଛୁ।”ବମ୍ବେ ବେଗମ୍ସର କାହଣୀ ସମାଜର ବିଭିନ୍ନ ବର୍ଗର ୫ ଜଣ ମହିଳାଙ୍କୁ ନେଇ ଗତିଶୀଳ। ଏହି ୫ ମହିଳା ନିଜ ନିଜ ଶୈଳୀରେ ବିଭିନ୍ନ ଜିନିଷ ଜୀବନରେ ହାସଲ କରିବାକୁ ଚାହୁଁଛନ୍ତି।

ଆପଣ କିଡନୀ ରୋଗୀ କି ? ଜାଣି ରଖନ୍ତୁ କେଉଁ ଖାଦ୍ୟକୁ କହିବେ ନା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶରୀର ହିଁ ସମ୍ପଦ। ଶରୀରକୁ ସୁସ୍ଥ ରଖିବାକୁ ପୋଷଣଯୁକ୍ତ ଖାଦ୍ୟ ସଠିକ୍‌ ମାତ୍ରାରେ ଖାଇବା ଉଚିତ। ଏବେ ପ୍ରାୟତଃ ସମସ୍ତେ ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହିଯାଉଥିବା ବେଳେ ଶରୀର ଯତ୍ନ ନେବା କଥା ପ୍ରାୟତଃ ଭୁଲି ଯାଉଛନ୍ତି। ଏଥିରେ ଢିଲାପଣ ଯୋଗୁ ବିଭିନ୍ନ ପ୍ରକାର ରୋଗ  ମାଡ଼ି ବସୁଛି।  ଏଥିନିମନ୍ତେ ସଠିକ୍‌ ଭାବେ ନିଜ ଖାଦ୍ୟପେୟର ଯତ୍ନ ନେଲେ ହିଁ ଶରୀରର ସବୁ ଅଙ୍ଗ ଠିକ୍‌ ଭାବେ କାମ କରେ। କିଡନୀ ଶରୀରର ଏକ ପ୍ରମୁଖ ଅଙ୍ଗ ଅଟେ। ଏହା ଶରୀରର ବର୍ଜ୍ୟବସ୍ତ ବାହାର କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ଯାହାର କିଡନୀ ଖରାପ ହେବାର ପ୍ରାଥମିକ ଅବସ୍ଥାରେ ଜଣାପଡ଼େ ସେ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିଲେ ବହୁ ବଡ଼ ସମସ୍ୟାରୁ ବର୍ତ୍ତି ପାରନ୍ତି।  କିନ୍ତୁ କିଛି ଲୋକଙ୍କୁ କିଡନୀ ଖରାପ ହେବା ସମ୍ପର୍କୀତ  ସୂଚନା ପ୍ରାୟତଃ ଶେଷରେ ଜଣାପଡ଼ିଥାଏ। ଫଳରେ ଡାୟଲିସିସି ହିଁ ଏକମାତ୍ର ବାଟ ରହିଯାଏ। କିଡ଼ନୀ ଖରାପ ହେଲେ ଖାଦ୍ୟପେୟରେ ଲାଗୁ ହୋଇଯାଏ ବହୁ କଟକଣା। ଏପରି ସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ମାନ ଚଳିବା ଅନୁଯାୟୀ, କିଛି ଖାଦ୍ୟପେୟ ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଡ଼ିଥାଏ। ଆଜି ବିଶ୍ୱ କିଡ଼ନୀ ଦିବସ ଅବସରରେ ଆସନ୍ତୁ ଜାଣିବା କିପରି ନିଜ କିଡ଼ନୀର ଯତ୍ନ ନେବା।  କେଉଁ ଖାଦ୍ୟକୁ ହଁ ଆଉ କାହାକୁ ନା କହିବା।

  • ଫଳ ମଧ୍ୟରେ ଆବୋକାଡୋ ଶରୀର ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ। ମାତ୍ର  ଏଥିରେ ପୋଟାସିୟମ ମାତ୍ରା ଅଧିକ ଥିବାରୁ କିଡନୀ ରୋଗୀଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ। ଏକ କପ୍‌ ଆବୋକାଡୋରେ ୩୭ ପ୍ରତିଶତ ପୋଟାସିୟମ ରହିଥାଏ।

Avocado

  • କଦଳୀରେ  ପୋଟାସିୟମ ଭରପୂର ମାତ୍ରାରେ ଥାଏ। ତେଣୁ କିଡନୀ ରୋଗୀ ଏହାକୁ ନା କହିବା ଦରକାର। ଏହା ବଦଳରେ ଆପଣ ସପୁରୀ ଖାଇପାରିବେ।
  • କିଡନୀ ରୋଗୀ ବଜାରରେ ମିଳୁଥିବା ଯେକୌଣସି ବ୍ରେଡ ଖାଇବା ଆଗରୁ ଥରଟେ ଭାବି ନିଅନ୍ତୁ।  ସେମାନେ କମ୍‌ ସୋଡିୟମଯୁକ୍ତ ବ୍ରେଡ ଖାଇପାରିବେ।

Bread

  • ବ୍ରାଉନ୍‌ ରାଇସ୍‌ରେ ବହୁ ମାତ୍ରାରେ ପୋଟାସିୟମ ଓ ଫସଫରସ ଥାଏ। ତେଣୁ କିଡନୀ ରୋଗୀ ଧଳା ଚାଉଳରୁ ପ୍ରସ୍ତୁତ ଭାତ, ଦଲିଆ ଆଦି ଖାଇପାରିବେ।
  • ଦୁଗ୍ଧଜାନୀୟ ଖାଦ୍ୟପଦାର୍ଥରେ ଫସ୍‌ଫରସ୍‌, ପୋଟାସିୟମ ଓ ପ୍ରୋଟିନ୍‌ ବହୁ ମାତ୍ରାରେ ମିଳିଥାଏ। କ୍ଷୀରରେ ବହୁ କ୍ୟାଲସିୟମ ମହଜୁଦ ଥିବା ସତ୍ତ୍ୱେ ଏଥିରେ ଭରପୂର ମାତ୍ରାରେ ଥିବା ଫସଫରସ କିଡନୀ ରୋଗୀଙ୍କ ହାଡ଼କୁ ଦୁର୍ବଳ କରିଦେଇଥାଏ।
  • କମଳାରେ ପ୍ରଚର ମାତ୍ରାରେ ପୋଟାସିୟମ ଥାଏ ଯାହାକି କିଡନୀ ପାଇଁ ହାନୀକାରକ ହୋଇଥାଏ। ଅଙ୍ଗୁର, କ୍ରେନବେରୀ ଫଳ ତଥା ଏହାର ଜୁସ୍‌କୁ ଏହାର ବିକଳ୍ପ ଭାବେ ଗ୍ରହଣ କରିପାରନ୍ତି କିଡନୀ ରୋଗୀ।

Cold Drinks

  • ପ୍ରୋସେସଡ ମିଟ୍‌ରେ ଲୁଣ ଓ ପ୍ରୋଟିନ ବହୁ ମାତ୍ରାରେ ମହଜୁଦ ଥାଏ। ତେଣୁ ଏହାକୁ ଖାଇବାରୁ ନିବୃତ୍ତ ରହିବା ଉଚିତ ।
  • ଡାର୍କ ରଙ୍ଗର ସୋଡ଼ାରେ ଉଚ୍ଚ ମାତ୍ରାରେ ଫସଫରସ ଥିବାରୁ ଏହା କିଡନୀ ପାଇଁ ବହୁ କ୍ଷତିକାରକ ।
  • ପ୍ୟାକେଟ୍‌ ଫୁଡ ଯେପରି ସୁପ୍‌, ପନିପରିବା ଆଦିରେ ସୋଡିୟମ ବହୁ ମାତ୍ରାରେ ମହଜୁଦ ଥାଏ।  ଏହାକୁ ଖାଇବା କିଡନୀ ରୋଗୀଙ୍କ ପାଇଁ ଘାତକ  ସାବ୍ୟସ୍ତ ହୋଇପାରେ। ତେଣୁ ଆପଣ କିଡନୀଜନିତ ସମସ୍ୟା ଭୋଗୁଥିଲେ ନିଜ ଖାଦ୍ରପେୟରେ ସତର୍କତା ଅବଲମ୍ବନ କରନ୍ତୁ।