ପୁଣି ଭାରତ ବନ୍ଦ କରିବେ ଚାଷୀ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦୀର୍ଘ ୧୭ ସପ୍ତାହ ହେଲା କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବା ଅବସରରେ ଚାଷୀମାନେ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ କରିବେ। ଏ ସମ୍ପର୍କରେ ସଂଯୁକ୍ତ କିଷାନ ପକ୍ଷରୁ ଘୋଷଣା କରାଯାଇଛି। ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ କୃଷି ଆଇନ ପ୍ରତ୍ୟାହାର ଦାବିରେ ଗତ ନଭେମ୍ବର ୨୬ରୁ ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କୁ ବୁଝାଇବାକୁ ସରକାର ବାରମ୍ବାର ବୈଠକ କରିଥିଲେ ହେଁ ଏଯାଏ କୌଣସି ସୁଫଳ ମିଳିନାହିଁ। ଏବେ ଚାଷୀମାନେ ନିଜ ଆନ୍ଦୋଳନକୁ ଜୋରଦାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା ଅନୁଯାୟୀ, ସହିଦ ଭଗବତ ସିଂହଙ୍କ ତରୋଧନ ଦିବସ ହେଉଛି ମାର୍ଚ୍ଚ ୨୩। ଏହି ଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବଗୋଷ୍ଠୀ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହେବେ। ମାର୍ଚ୍ଚ ୨୬ରେ ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବ। ଏହି ଅବସରରେ ଭାରତ ବନ୍ଦ କରାଯିବ। ସେହିପରି ମାର୍ଚ୍ଚ ୨୮ରେ ଚାଷୀ ବିରୋଧୀ କୃଷି ଆଇନକୁ ସମଗ୍ର ଦେଶରେ ପୋଡ଼ାଯିବ। ହୋଲି ଦହନ କାର୍ଯ୍ୟକ୍ରମ ଜରିଆରେ ଏପରି କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏହାବାଦ୍‌ ମାର୍ଚ୍ଚ ୧୫କୁ ଆଣ୍ଟି କର୍ପୋରେଟ ଓ ଆଣ୍ଟି ଗଭର୍ଣ୍ଣମେଣ୍ଟ ଦିବସ ଭାବେ ପାଳନ କରାଯିବ। ଏହି ଅବସରରେ ଏସଡିଏମ ଓ ଡିଏମ ଅଫିସରେଗୁଡ଼ିକରେ ତୈଳ, ଗ୍ୟାସ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଦର ବୃଦ୍ଧି ବିରୋଧରେ ଦାବିପତ୍ର ପ୍ରଦାନ କରାଯିବ। ଘରୋଇ କରଣ ବିରୋଧରେ ସମଗ୍ର ଦେଶର ରେଳ ଷ୍ଟେସନରେ ଟ୍ରେଡ ୟୁନିୟନ ସହ ମିଶି ଆନ୍ଦୋଳନ କରାଯିବ। ସେହିପରି ମାର୍ଚ୍ଚ ୧୭ ତାରିଖରେ ଟ୍ରେଡ ୟୁନିୟନ ଓ ବିଭିନ୍ନ ସଂଗଠନ ଗୁଡ଼ିକ ସହ ମିଶି ୨୬ ତାରିଖ ଭାରତ ବନ୍ଦ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ମାର୍ଚ୍ଚ ୧୯ରେ ଏଫସିଆଇ ଓ ଖେତି ବଞ୍ଚାଓ କାର୍ଯ୍ୟକ୍ରମ ଜରିଆରେ ମୁଜାରା ଲେହର ଦିବସ ପାଳନ କରାଯିବ। ସମଗ୍ର ଦେଶରେ ଥିବା ମଣ୍ଡିଗୁଡ଼ିକରେ ଏହି ଦିନ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ମୋର୍ଚ୍ଚା ଯୋଜନା କରିଛି।

୫ ବର୍ଷରେ କେତେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ? ସରକାର ଦେଲେ ଜବାବ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ବିଗତ ୫ ବର୍ଷ ମଧ୍ୟରେ ଭାରତରେ କେତୋଟି ଦେଶଦ୍ରୋହ ଓ ୟୁଏପିଏ ଆଇନ ବଳରେ ମାମଲା ରୁଜୁ କରାଯାଇଛି, ତା’ର ଉତ୍ତର କେନ୍ଦ୍ର ସରକାର ଦେଇଛନ୍ତି। ସରକାରଙ୍କ ସୂଚନା ଅନୁଯାୟୀ, ବିଗତ ବର୍ଷ ଗୁଡ଼ିକ ମଧ୍ୟରେ ୟୁଏପିଏ ବଳରେ ୫,୧୨୮ ଓ ୨୨୯ଟି ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ୟୁଏପିଏ ବଳରେ ସବୁଠାରୁ ଅଧିକ ମାମଲା ମଣିପୁରରେ ରୁଜୁ କରାଯାଇଛି। ଏଠାରେ ମୋଟ ୧୭୮୬ଟି କେସ୍‌ ହୋଇଛି। ଯାହା ମୋଟ ମାମଲାର ୩୪.୮୨%। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଷନ ରେଡ୍ଡୀ ରାଜ୍ୟସଭାରେ ସାଂସଦ ଅବଦୁଲ ୱହାବଙ୍କ ଏକ ପ୍ରଶ୍ନର ଉତ୍ତରରେ ୨୦୧୫ରୁ ୨୦୧୯ର ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ତଥ୍ୟ ଏନସିଆରବିର। ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଦେଶରେ କେତେ ୟୁଏପିଏ ଓ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି, ତା’ର ତଥ୍ୟ ଏନସିଆରବି ଦେଇଛି। ତଥ୍ୟ ଅନୁସାରେ, ୟୁଏପିଏ ବଳରେ ୨୦୧୫ରୁ ୨୦୧୯ ଯାଏ ଯଥାକ୍ରମେ ୮୯୭, ୯୨୨, ୯୦୧, ୧୧୮୨ ଓ ୧୧୨୬ଟି ମାମଲା ରୁଜୁ କରାଯାଇଛି। ସେହିପରି ଦେଶଦ୍ରୋହ ଆଇନ ବଳରେ ୨୦୧୫ରେ ୩୦ଟି, ୨୦୧୬ରେ ୩୫ଟି, ୨୦୧୭ରେ ୫୧ଟି, ୨୦୧୮ରେ ୭୦ଟି ଓ ୨୦୧୯ରେ ସର୍ବାଧିକ ୯୩ଟି ମାମଲା ରୁଜୁ କରାଯାଇଛି। ମଣିପୁରରେ ୨୦୧୫ରେ ୫୨୨, ୨୦୧୬ରେ ୩୨୭, ୨୦୧୭ରେ ୩୩୦, ୨୦୧୮ରେ ୨୮୯ ଓ ୨୦୧୯ରେ ୩୦୬ଟି ୟୁଏପିଏ ବଳରେ ମାମଲା ରୁଜୁ କରାଯାଇଛି। ୨୦୧୮କୁ ଛାଡ଼ିଦେଲେ ବାକି ବର୍ଷ ଗୁଡ଼ିକରେ ମଣିପୁରରେ ସବୁଠାରୁ ଅଧିକ ୟୁଏପିଏ ମାମଲା ରୁଜୁ ହୋଇଛି। ୨୦୧୮ରେ ଆସାମରେ ୩୦୮ଟି ୟୁଏପିଏ ମାମଲା ରୁଜୁ ହୋଇଥିଲା। ଦେଶଦ୍ରୋହକୁ ବିଚାର କଲେ ୨୦୧୫ରେ ୯ଟି ମାମଲା ରୁଜୁ କରି ବିହାର ୧ନଂରେ ରହିଥିଲା। ଏହାପରେ ୨୦୧୬ରେ ୧୨ ଦେଶଦ୍ରୋହ ମାମଲା ସହ ହରିଆଣା, ୨୦୧୭ରେ ୧୯ଟି ମାମଲା ସହ ଆସାମ, ୨୦୧୮ରେ ୧୮ ମାମଲା ସହ ଝାରଖଣ୍ଡ ଓ ୨୦୧୯ରେ ୨୨ଟି ଦେଶଦ୍ରୋହ ମାମଲା ରୁଜୁ କରି କର୍ଣ୍ଣାଟକା ୧ନଂ ସ୍ଥାନରେ ରହିଥିଲା।

ପୁଣି ରୋଷେଇ ଘରେ ମହଙ୍ଗା ମାଡ଼ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କଟକ) – ପୁଣି ରୋଷେଇ ଘରେ ମହଙ୍ଗା ମାଡ଼  । ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ।  ସୋରିଷ, ସୂର୍ଯ୍ୟମୁଖୀ ଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି  । ଦର ୬ମାସ ଭିତରେ ୨ଗୁଣ ବଢ଼ିଥିବା ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସଂପାଦକ କହିବା ସହ, ଏଭଳି ଦରବୃଦ୍ଧି ରୋକିବାକୁ ହେଲେ ସରକାର ଆମଦାନୀ ଶୁଳ୍କ ଓ କୃଷି ସେସ୍ କମାଇବା ଦରକାର ବୋଲି ଦାବି କରିଛନ୍ତି। ବିଶେଷ କରି ସୋରିଷ, ସୋୟାବିନ୍, ସୂର୍ଯ୍ୟମୁଖୀଠୁ ଚିନାବାଦାମ ଓ ପାମୋଲିନ୍ ଯାଏଁ  ସବୁ ପ୍ରକାର ତେଲ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ମହଙ୍ଗା ହେବାରେ ଲାଗିଛି।  ଆଜି କଟକ ମାଲଗୋଦାମରେ ସୋରିଷ ତେଲ ଲିଟର ୧୪୦ରୁ ୧୪୫ ଟଙ୍କା ସୂର୍ଯ୍ୟମୁଖୀ ୧୫୦ରୁ ୧୫୫ ଟଙ୍କା ଓ ପାମୋଲିନ୍ ୧୦୫ରୁ ୧୧୦ ଟଙ୍କା ଭିତରେ ରହିଛି । ପାମୋଲିନ୍‌ର ଏତେ ଦର ପୂର୍ବରୁ କେବେ ଦେଖିନଥିବା କହିଛନ୍ତି କଟକ ମହାନଗର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ । ଏଭଳି ତେଲ ଦର ବୃଦ୍ଧି ଜାରି ରହିଲେ କେବଳ ଖାଉଟି ନୁହନ୍ତି, ବ୍ୟବସାୟୀ ବି ବହୁଳ ଭାବେ ପ୍ରଭାବିତ ହେବେ ବୋଲି ସେ ଆଶଙ୍କା କରିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ପ୍ରାଇସ୍ ମନିଟରିଂ ସେଲ୍ ତଥ୍ୟ ଅନୁସାରେ, ଜାତୀୟ ସ୍ତରରେ ଗଲା ବର୍ଷେ ଭିତରେ ଖାଇବା ତେଲର ଦର ୨୫ରୁ ୫୦ ପ୍ରତିଶତ ବଢ଼ିଛି  । ଗତବର୍ଷ ମାର୍ଚ୍ଚରେ ପ୍ୟାକେ୍ଜଡ ସୋରିଷ ତେଲ ଦର ଲିଟର ପ୍ରତି ୧୧୩ ଟଙ୍କା ଥିବା ବେଳେ, ଏବେ ତାହା ୧୪୦ ଟଙ୍କାକୁ ବଢ଼ିଛି।  ସେହିପରି ସୂର୍ଯ୍ୟମୁଖୀ ୧୧୦ରୁ ୧୫୦, ପାମ୍ ଅଏଲ୍ ୮୫ରୁ ୧୨୨, ଚିନାବାଦାମ ତେଲ ୧୨୦ରୁ ୧୭୦ ଓ ବନସ୍ପତି ଦର ୮୦ରୁ ୧୨୦ ଟଙ୍କାକୁ ବଢ଼ିଛି। ସେପଟେ ରାଜ୍ୟରେ ତେଲ ଦର ୬ ମାସ ଭିତରେ ପ୍ରାୟ ୨ଗୁଣ ବଢ଼ିଥିବା କହିଛି ରାଜ୍ୟ ବ୍ୟବସାୟୀ ସଂଘ । ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ସାଙ୍ଗକୁ ଖାଇବା ତେଲ ଦର ବୃଦ୍ଧି ଏବେ ପ୍ରାୟ ସବୁ ଘରର ବଜେଟକୁ ବିଗାଡ଼ିଦେଇଛି।

ଜଳୁଛି ଜଙ୍ଗଲ, ସ୍ଥିତି ଅନୁଧ୍ୟାନ ପାଇଁ ଆସିବ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍। ରାଜ୍ୟ ବିଜେପି ସାଂସଦଙ୍କୁ ଭେଟିବା ପରେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଆଜି ଏହି ଟିମ୍ ଓଡ଼ିଶା ଆସିବା ସମ୍ଭାବନା ରହିଛି। କେନ୍ଦ୍ରୀୟ ଟିମ୍ ଜଙ୍ଗଲ ନିଆଁ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହ ନିଆଁ ଅାୟତ୍ତ ସମ୍ପର୍କରେ ଗୁରୁତ୍ୱ ଦେବେ। ସେପଟେ ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡ ପରେ ବାରିପଦାରେ ପହଞ୍ଚିଛନ୍ତି ଅତିରିକ୍ତ ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ ମୋନା ଶର୍ମା। ମୟୂରଭଞ୍ଜ ଜିଲ୍ଲାପାଳ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ, ଉତ୍ତର ଏବଂ ଦକ୍ଷିଣ ବନଖଣ୍ଡ ଉପନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜଙ୍ଗଲରେ ନିଆଁ କିପରି ଲାଗିଲା ଓ ଏହାକୁ ନେଇ ନିୟନ୍ତ୍ରଣ ବ୍ୟବସ୍ଥା କ’ଣ ହୋଇଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆଜି ମୋନା ଶର୍ମା ଶିମିଳିପାଳର ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ଯାଇ ସେଠାରେ ସ୍ଥିତି ପରଖିବା କାର୍ଯ୍ୟକ୍ରମ  ରହିଛି । ରାଜ୍ୟରେ ଗତ ୯ ତାରିଖ ଦିନ ୨୯୦ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ବେଳେ ଏହା ୨୬୮ ଟି ସ୍ଥାନକୁ ଖସିଛି। କେବଳ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରେ ୨୪ଟି ଫାୟାର ପଏଣ୍ଟ ରହିଛି । ନିଆଁ ଲିଭା କାର୍ଯ୍ୟରେ ୭୫୦ ଜଣ ନିୟମିତ  କର୍ମଚାରୀ, ୮୦୦ ଫାୟାର ଓ୍ୱାଚର ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସେହିପରି ୨ଟି ଓଡ୍ରାଫ୍ ଟିମ୍ ନିଆଁ ଲିଭାରେ ଲାଗିଛନ୍ତି ବୋଲି ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ କହିଛନ୍ତି ।

ଆଜି ଶିବରାତ୍ରୀ, ମହାଦେବଙ୍କ ପାଇଁ ମହା ଆରାଧନା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମହାଦେବଙ୍କ ପାଇଁ ମହା ଆରାଧନା। ଆଜି ଶିବରାତ୍ରୀ ଉପଲକ୍ଷେ  ରାଜ୍ୟର ଶୈବ ପୀଠରେ ଚାଲିଛି ଭୋଲା ବାବାଙ୍କ ପୂଜାର୍ଚ୍ଚନା। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ରହିଛି। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ସେହିପରି ପୁରୀ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ଚିହ୍ନ ଦେବାକୁ ଯାଇ ଗାର ଟାଣିଛି ପ୍ରଶାସନ। ଭୋର୍ ୪ଟାରେ ଏଠି ମହାଦୀପ ଉଠିବ।କଟକର ଧବଳେଶ୍ୱର ପୀଠରେ କିନ୍ତୁ ଏବର୍ଷ ଜାଗର ଯାତ୍ରାରେ ଲାଗିବନି ଗହଳି ଚହଳି। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାରୁ ଭକ୍ତମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ମନ୍ଦିର ଭିତରେ ଧବଳେଶ୍ୱରଙ୍କ ନୀତିକାନ୍ତି ସ୍ୱାଭାବିକ ଭାବେ କରାଯିବା ସହ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି ହେବ। ଏଠାରେ ରାତି ଗୋଟାଏରେ ମହାଦୀପ ଉଠିବ। ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ବି ଏଥର ବିନା ଭକ୍ତରେ ହେବ ଜାଗର ଯାତ୍ରା। ଭିଡ ଏଡ଼ାଇବାକୁ  ଏଠି ମଧ୍ୟ ୧୪୪ ଧାରା ଜାରି ହୋଇଛି। ଢେଙ୍କାନାଳର କପିଳାସ ପୀଠରେ ରାଜ୍ୟ ଓ ଜିଲ୍ଲା ବାହାର ଭକ୍ତଙ୍କୁ ବାରଣ କରାଯାଇଛି। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଜିଲ୍ଲା ଭିତରର ଭକ୍ତ ମନ୍ଦିର ଭିତରକୁ ଯାଇପାରିବେ। ଏଠାରେ ଭୋର ସାଢେ ୪ଟାରେ ମହାଦୀପ ଉଠିବ।

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କାଜୁ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଡ୍ରାଏ ଫ୍ରୁଟସ୍ ତଥା କାଜୁ ଖାଇବା ସମସ୍ତଙ୍କୁ ପସନ୍ଦ। ଏହାର ସ୍ୱାଦ ସମସ୍ତଙ୍କୁ ଭଲ ଲାଗେ। କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆବଶ୍ୟକତା ଠାରୁ ଅଧିକ କାଜୁ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। ଯଦି ଆପଣଙ୍କର କାଜୁ ଖାଇବା ସଉକ ଥାଏ ତେବେ ସାବଧାନ ହୋଇଯା’ନ୍ତୁ। ଅଧିକ କାଜୁ ଖାଇବା ଦ୍ୱାରା ଓଜନ ବଢ଼ିବା ସହ କିଡନୀ ଏବଂ ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ କାଜୁ ଖାଇବା ଦ୍ୱାରା ଆଉ କ’ଣ କ’ଣ ସବୁ କ୍ଷତି ହୁଏ ଆସନ୍ତୁ ଜାଣିବା । 

  • ଯଦି ଆପଣଙ୍କର ସାଧାରଣତ ମୁଣ୍ଡବିନ୍ଧା କିମ୍ବା ମାଇଗ୍ରେନ୍ ସମସ୍ୟା ଥାଏ ତେବେ କାଜୁ ବାଦାମଠାରୁ ଦୂରଇ ରୁହନ୍ତୁ । କାଜୁରେ ଆମିନୋ ଏସିଡ୍ ଟାଇରାମାଇନ୍ ଏବଂ ଫେନିଲେଥାଇଲାମାଇନ୍ ଥାଏ, ଯାହା ଆପଣଙ୍କ ମୁଣ୍ଡବିନ୍ଧାକୁ ଅନେକ ଥର ବଢ଼ାଇପାରେ।
  • କାଜୁ ଏକ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ। ଏହାକୁ ଅଧିକ ଖାଇବା ଦ୍ୱାରା ଓଜନ ବଢ଼ିବା ସହ ଆପଣ ମୋଟାପଣର ଶିକାର ହୋଇପାରନ୍ତି। ତେଣୁ କାଜୁକୁ ଅତି ସୀମିତ ପରିମାଣରେ ଖାଇବା ଉଚିତ। ପ୍ରାୟ ୩୦ ଗ୍ରାମ କାଜୁରେ ୧୬୩ କ୍ୟାଲୋରୀ ଏବଂ ୧୩.୧ ଚର୍ବି ଥାଏ | ଯଦି ଆପଣ ନିୟମିତ କିମ୍ବା ଅଧିକ ପରିମାଣରେ କାଜୁ ଖାଉଛନ୍ତି ତେବେ ଆପଣଙ୍କର ଓଜନ ହ୍ରାସ କରିବା ଲକ୍ଷ୍ୟ କେବେ ବି ପୂରଣ ହୋଇପାରିବ ନାହିଁ।
  • ଅଧିକ ପରିମାଣରେ କାଜୁ ଖାଇବା ଦ୍ୱାରା ଧୀରେ ଧୀରେ ଶରୀରରେ ଔଷଧ ମଧ୍ୟ  କାମ କରେ ନାହିଁ। ୩ ରୁ ୪ଟି କାଜୁରେ ୮୨.୫mg ମ୍ୟାଗ୍ନେସିୟମ୍ ଥାଏ । ଏହି ମ୍ୟାଗ୍ନେସିୟମ୍ ଆପଣ ଖାଉଥିବା ଡାଇବେଟିସ୍, ଥାଇରଏଡ୍, ମୂତ୍ର ସମ୍ବନ୍ଧୀୟ  ଏବଂ ଆର୍ଥ୍ରାଇଟିସ୍ ଔଷଧ ଉପରେ ପ୍ରଭାବ ପକାଇଥାଏ।
  • ଉଚ୍ଚ ରକ୍ତଚାପରେ ପୀଡିତ ଥିବା ବ୍ୟକ୍ତି ଭୁଲ୍‌ରେ ବି କାଜୁ ଖାଇବା ଉଚିତ ନୁହେଁ। କାଜୁରେ ଅଧିକ ମାତ୍ରାରେ ସୋଡିଅମ ରହିଛି, ଯାହା ରକ୍ତଚାପକୁ ବଢ଼ାଇବାରେ କାମ କରେ। କେବଳ ସେତିକି ନୁହେଁ ଅଧିକ କାଜୁ ଖାଇବା ଦ୍ୱାରା କିଡନୀ ଏବଂ ହୃଦୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ।
ଆଜି ର ରାଶିଫଳ – ୧୧ ମାର୍ଚ୍ଚ , ଗୁରୁବାର

ମେଷ: ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ । ଘରକୁ ଅତିଥିଙ୍କ ଆଗମନ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ମାନ ସମ୍ମାନ ପ୍ରାପ୍ତି ହେବ।  ଶତ୍ରୁମାନେ କ୍ଷତି କରି ପାରିବେ ନାହିଁ ଏବଂ ଆପଣ ଶତ୍ରୁ ବିଜୟୀ ହେବେ ।

ବୃଷ: ରାଜନିତୀ କରୁଥିବା ବ୍ୟକ୍ତି ଶୁଭଫଳ ପାଇବେ। ବ୍ୟବସାୟ ଲାଗି ବାହାରକୁ ଯାତ୍ରା କରିବେ ,ବନ୍ଧୁ ସହଯୋଗର ହାତ ବଢାଇବେ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ସହିତ ଭ୍ରମଣ ଯୋଗ ରହିଛି । ପ୍ରତିକାର- ମିଠା ଦହି ଖାଇ ଯାତ୍ରା ଆରମ୍ଭ କରନ୍ତୁ।

ମିଥୁନ: ମାନସିକ ଅଶାନ୍ତି ଓ ପାରିବାରିକ ବିବାଦ ଦେଖାଦେବା ସହିତ ଅପମାନ ପାଇବେ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ଏବଂ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ମଧ୍ୟ ଦେଖାଦେବ। ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ନେଇ ମନରେ କଳ୍ପନା ଜାରିରହିବ।

କର୍କଟ: କର୍ମ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ହେବ। ରାଜନୀତିରେ ମାନ ସମ୍ମାନ ମିଳିବ, ବସ୍ତ୍ର ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇପାରିବେ । ବକେୟା ପଡିଥିବା ଅର୍ଥ ପ୍ରାପ୍ତିହେବ ।

ସିଂହ: ଛାତ୍ରଛାତ୍ରୀମାନେ କଳା କ୍ଷେତ୍ରରେ ସମ୍ମାନିତ ହେବେ । ବନ୍ଧୁଙ୍କ ସହିତ ସାକ୍ଷାତ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପ୍ରତିକାର-ଜଳ ଏବଂ ମହୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ   ।

କନ୍ୟା: ଆୟ ଅନୁସାରେ ବ୍ୟୟ ଅଧିକ ହେବ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରା କଲାବେଳେ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନ ସମାନ ବୃଦ୍ଧି ହେବ। ପ୍ରତିକାର- ଶ୍ରୀଗଣେଶ ମହାପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ   ।

ତୁଳା: ପରିବାରରେ କଳହଯୋଗ ଦେଖାଯିବ ଏବଂ ଅପରାହ୍ନରେ ପାରିବାରିକ ବିବାଦ ସମାଧାନ ହେବ । ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ମିଡିଆରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଶୁଭ ଫଳ ପାଇବେ।  ପ୍ରତିକାର-  ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ ।

ବିଛା: ଭବିଷ୍ୟତ ଲାଗି ସୁସମ୍ବାଦ ପାଇବେ। ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହିତ ମନ ଖୁସି ରହିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ବ୍ୟବସାୟ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର- ଅସହାୟ ଲୋକଙ୍କୁ ଦାନ କରନ୍ତୁ  ।

ଧନୁ: ବନ୍ଧୁଙ୍କ ସହିତ ବାହାରକୁ ବୁଲିବାକୁ ଯିବେ ଏବଂ ମାନସମ୍ମାନ ବୃଦ୍ଧିହେବ । ଯାନବାହନରେ  ଗଲାବେଳେ ସାବଧାନତା ସହିତ ଯାଆନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପାରିବାରିକ ଜୀବନରେ ଖୁସି ରହିବ। ପ୍ରତିକାର- ହଳଦିଆ ବସ୍ତ୍ର ପରିଧାନ କରନ୍ତୁ ।

ମକର: ବ୍ୟବସାୟ କ୍ଷେତ୍ରରେ ଦୂର ସ୍ଥାନକୁ ଯାତ୍ରା କରିବେ । ପ୍ରେମ ପ୍ରଣୟ ଦିଗରୁ ଦିନଟି ଶୁଭ ରହିବ । ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବା ସହିତ ରାତ୍ରିରେ ସୁଖନିଦ୍ରା ହେବ । ପ୍ରତିକାର- ଅଶ୍ୱତଥ୍ ଗଛ ମୂଳରେ ସାତଥର ପରିକ୍ରମା କରନ୍ତୁ  ।

କୁମ୍ଭ: ବ୍ୟବସାୟରେ ଯେତେ ଚେଷ୍ଟାକଲେ ମଧ୍ୟ ଆୟ ଅନୁସାରେ ବ୍ୟୟ ଅଧିକ ହେବ ଓ ମହାଜନଙ୍କ ସହ ବଚସା ହେବ ।  ସାମାଜିକ କ୍ଷେତ୍ରରେ ପ୍ରସଂଶା ମିଳିବ । ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।

ମୀନ: କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ନିର୍ବାହ କରିବେ।  ଦୂର ସ୍ଥାନକୁ ଯାତ୍ରାକଲେ ଯାତ୍ରା ଶୁଭପ୍ରଦ ହେବ । ପାରିବାରିକ ସମସ୍ୟା ସମାଧାନ ହେବ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ  ଦିନଟି ବହୁତ ଭଲ ରହିବ । ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ ।