ଭାଇରାଲ ହେଉଛି ଅଭିନେତ୍ରୀଙ୍କ ’ଅର୍ଦ୍ଧନାରୀଶ୍ୱର’ ରୂପ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ଆଜି ପବିତ୍ର ମହାଶିବରାତ୍ରୀ। ଏଥିପାଇଁ ଚାରିଆଡେ ଚଳଞ୍ଚଳର। ସମସ୍ତ ଶିବ ଭକ୍ତିରେ ଲୀନ। ତେବେ ଏଥିରୁ ସେଲିବ୍ରିଟିମାନେ ମଧ୍ୟ ବାଦ ପଡିନାହାନ୍ତି। ବଲିଉଡଠାରୁ ଆରମ୍ଭ କରି ଟେଲି ଦୁନିଆ, ଚାରିଆଡ ଶିବ ଆରାଧନା ଚାଲିଛି, ଭକ୍ତିମୟ ହୋଇପଡିଛି ପୁରା ପରିବେଶ। ଏହାରି ଭିତରେ ଜଣେ ଟେଲିଭିଜନ ଅଭିନେତ୍ରୀ ଏକ ନିଆରା ରୂପ ସାମ୍ନାକୁ ଆସିଛି। ସେ ନିଜକୁ ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ୱର ବେଶରେ ସଜାଇଛନ୍ତି।Actress Ekta Jain

ଟେଲିଭିଜନ ଅଭିନେତ୍ରୀ ଏକତା ଜୈନଙ୍କୁ ମହାଶିବରାତ୍ରୀ ଅବସରରେ ଅର୍ଦ୍ଧନାରୀଶ୍ୱର ବେଶରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ବାଇକ ପଛପଟେ ବସି ସେ ହାତରେ ତ୍ରିଶୁଳ ଏବଂ ଡମ୍ବୁରୁ ଧରି ଶୁଟିଂ ସେଟ୍‌କୁ ଯାଉଥିବା ନଜର ଆସିଛନ୍ତି। ଏବେ ତାଙ୍କର ଏହି ଫଟୋ ସୋଶାଲ ମିଡିଆରେ ଜୋରସୋରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ଭଜନ ଗାୟକ ତଥା ପୂର୍ବତନ ବିଗ୍‌ ବସ୍ ପ୍ରତିଯୋଗୀ ଅନୁପ ଜଲୋଟା ନିକଟରେ ‘ସତ୍ୟ ସାଇ ବାବା’ଙ୍କ ବାୟୋପିକରେ ଅଭିନୟ କରିଥିଲେ। ଏବେ ଏହାର ସିକ୍ୱେଲ ତିଆରି ଚାଲିଛି । ଏହି ବାୟୋପିକ ଫିଲ୍ମରେ ଏକତା ଜୈନ ମଧ୍ୟ ଅଛନ୍ତି। ତାଙ୍କୁ ଏଥିରେ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

ସୋଶାଲ ମିଡିଆରେ ନିଆଁ ଲଗାଇଲେ ବାଣୀ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡ ଅଭିନେତ୍ରୀ ବାଣୀ କପୁର। ସେ ନିଜ ଫିଗର ଫିଟନେସ ଏବଂ ଷ୍ଟାଇଲିସ ଲୁକ୍‌କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୁନ୍ଦର ବଡି ଫିଟନେସକୁ ଦେଖି ଯେକେହିବି ପାଗଳ ହୋଇଯାଏ। ବଲିଉଡ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକ ସମସ୍ତେ ତାଙ୍କ ଫିଟନେସର ଦିୱାନା। କେବଳ ସେତିକି ନୁହେଁ ତାଙ୍କ ଗ୍ଲାମରାସ ଲୁକ ମଧ୍ୟ ଲୋକଙ୍କୁ ମତୁଆଲା କରେ। ତେବେ ବାଣୀ କପୁର ସୋଶାଲ ମିଡିଆରେ ଏତେ ଆକ୍ଟିଭ ନଥିଲେ ମଧ୍ୟ ବେଳେ ବେଳେ ସେ ନିଜର କିଛି ଫଟୋ ଏବଂ ଭିଡିଓ ସେଆର କରନ୍ତି, ଯାହାକୁ ଦେଖି ଲୋକ ତାଙ୍କ ପ୍ରଶଂସା ନକରି ରହିପାରନ୍ତି ନାହିଁ। ନିକଟରେ ବାଣୀ ତାଙ୍କ ଇନଷ୍ଟାଗ୍ରାମରେ ଏଭଳି ହିଁ ଏକ ଫଟୋ ସେଆର କରିଛନ୍ତି। ଯାହା ସୋଶାଲ ମିଡିଆରେ ନିଆଁ ଲଗାଇଦେଇଛି। ସେ ନିଜ ପ୍ରଶଂସକଙ୍କ ପାଇଁ ଏକ ଗ୍ଲାମରସ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ସେ ହଳଦିଆ ରଙ୍ଗର ଏକ କଟ୍‌ଆଉଟ୍ ଗାଉନ୍ ପିନ୍ଧି ପୋଜ ଦେଉଥିବା ଦେଖିବାକୁ ମିଳିଛି। ଫଟୋକୁ ସେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ନିଜ ଶରୀରରେ ଥିବା ସେଲ୍‌ସର କଳ୍ପନା କରନ୍ତୁ, ଆପଣଙ୍କ ଭିତରେ ଲକ୍ଷ ଲକ୍ଷ ତାରା ଚମକୁଛି…ତାକୁ ଚମକିବାକୁ ଦିଅନ୍ତୁ।’ ବାଣୀଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକ, ସମସ୍ତଙ୍କୁ ଏହି ଫଟୋ ବେଶ ପସନ୍ଦ ଆସୁଛି। ବି-ଟାଉନର ଷ୍ଟାରମାନେ ବାଣୀଙ୍କ ଏହି ଫଟୋରେ କମେଣ୍ଟ ମଧ୍ୟ କରିଛନ୍ତି।  ଅଭିନେତ୍ରର ଆଲିଆ ଭଟ୍ଟ, ବାଣୀଙ୍କ ଏହି ଫଟୋରେ ‘ବଡ଼ି’ ବୋଲି କମେଣ୍ଟ ଦେଇଛନ୍ତି। ସେହିପରି ଅଭିନେତ୍ରୀ ଡାଇନା ପେଣ୍ଟି ‘ଉଫ୍’ ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ‘ସୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବେ ବାଣୀ କପୁରଙ୍କ ଆଗକୁ ଆହୁରି ୩ଟି ଫିଲ୍ମ ଆସିବାକୁ ଅଛି। ଫିଲ୍ମ ‘ବେଲ ବଟମ୍’ରେ ବାଣୀ କପୁର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିବେ। କେବଳ ସେତିକି ନୁହେଁ ତାଙ୍କୁ କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶତି ଫିଲ୍ମ ‘ସମଶେରା’ରେ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ସେ ସଞ୍ଜୟ ଦତ୍ତ ଏବଂ ରଣବୀର କପୁରଙ୍କ ସହ ନଜର ଆସିବେ। ଏଥିସହ ଫିଲ୍ମ ‘ଚଣ୍ଡିଗଡ କରେ ଆସିକି’ରେ ମଧ୍ୟ ବାଣୀଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ। ଏଥିରେ ସେ ପ୍ରଥମ କରି ଆୟୁଷମାନ ଖୁରାନାଙ୍କ ସହ ସ୍କ୍ରିନ ସେଆର କରିବେ।

ମୋଦିଙ୍କୁ ନେଇ କଙ୍ଗନାଙ୍କ ବଡ଼ ଭବିଷ୍ୟବାଣୀ…!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ପୁଣି ଚର୍ଚ୍ଚାରେ ବଲିଉଡର କୁଇନ୍‌ କଙ୍ଗନା ରଣାୱତ। ଟୁଇଟ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାମତ ରଖୁଥିବା କଙ୍ଗନା ଏବେ ପୁଣି ଥରେ ଲାଇମ ଲାଇଟ୍‌କୁ ଆସିଛନ୍ତି। ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେ ବଡ ଭବିଷ୍ୟବାଣୀ କରିଛନ୍ତି। ସେ ଟୁଇଟ ମାଧ୍ୟରେ ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ଏଥିସହ ଏକ ରିପୋର୍ଟ ମଧ୍ୟ ସେଆର କରିଛନ୍ତି। କଙ୍ଗନା ଏଥିରେ ଲେଖିଛନ୍ତି, ‘୨୦୨୪ରେ ନରେନ୍ଦ୍ର ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ।’ କଙ୍ଗନାଙ୍କ ଏହି ଟୁଇଟ୍‌କୁ ନେଇ କିଛି ଲୋକେ ପସନ୍ଦ କରିଥିବା ବେଳେ ଆଉ କିଛି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ଏହି ଟୁଇଟକୁ ନେଇ ଜଣେ ୟୁଜର୍ସ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, “କଙ୍ଗନା ମୁଁ ତୁମର ଜଣେ ବଡ ଫ୍ୟାନ୍। କିନ୍ତୁ ବିଜେପିରେ ଗୋଟିଏ ନିୟମ ରହିଛି, ଯାହାକୁ ମୋଦି ଜୀ ସ୍ଥିର କରିଛନ୍ତି । ଏହି ନିୟମ ଅନୁଯାୟୀ ୭୫ ବର୍ଷ ବୟସ ପରେ କୌଣସି ରାଜନେତା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ। ୨୦୨୪ରେ ମୋଦିଙ୍କୁ ୭୫ରୁ ଅଧିକ ବୟସ ହୋଇଥିବ। ତେବେ ଏତେ ବୟସ ପରେ ବି ଯଦି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ତାଙ୍କର ଦେଖାଇ ହେବା ତଥା କପଟି ଆଚରଣ ପ୍ରଦର୍ଶନ କଲା ବୋଲି ହେବା ବୋଲି ସେ କହିଛନ୍ତି।” ଏହାର ଜବାବରେ କଙ୍ଗନା ଲେଖିଛନ୍ତି, ‘ମୋଦିଙ୍କୁ ଆମେ ନୁହେଁ, ଆମ ସମସ୍ତଙ୍କୁ ତାଙ୍କର ଆବଶ୍ୟକତା ରହିଛି। ଅଖଣ୍ଡ ଭାରତକୁ ତାଙ୍କର ଆବଶ୍ୟକତା ରହିଛି। ତେଣୁ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଅସୁବିଧା କ’ଣ ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି।”

ରାମ ଲୀଲା ପରେ ରଣବୀର-ଦୀପିକାଙ୍କ ‘ଡ୍ୟାନ୍ସ ଲୀଲା’ ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ରାମ ଲୀଲା ପରେ ଏବେ ଡ୍ୟାନ୍ସ ଲୀଲା କରୁଛନ୍ତି ବଲିଉଡର ମୋଷ୍ଟ ବିୟୁଟିଫୁଲ କପଲ ରଣବୀର ସିଂହ ଓ ଦୀପିକା ପାଦୁକୋନ। ନିଜର ଜବରଦସ୍ତ ଅଭିନୟ ପାଇଁ ରଣନୀର ଏବଂ ଦୀପିକା ବେଶ ଜଣାଶୁଣା। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ବିଭିନ୍ନ କଥାବସ୍ତୁ ନେଇ ସର୍ବଦା ଲାଇମ ଲାଇଟ୍‌ରେ ରୁହନ୍ତି। ଦୁହେଁ ସୋଶାଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ। ବେଳେବେଳେ ଉଭୟ ନିଜ ସୋଶାଲ ମିଡିଆରେ ହ୍ୟାଣ୍ଡଲରେ ଫଟୋ ଏବଂ ଭିଡିଓ ସେଆର କରନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସେ। ନିକଟରେ ଏଭଳି ହିଁ ଏକ ଭିଡିଓ ସେଆର କରିଛନ୍ତି ଉଭୟ ରଣବୀର ଏବଂ ଦୀପିକା।

Deepika padukone And Ranveer singh

ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଦାର ଡ୍ୟାନ୍ସ ଭିଡିଓ ସେଆର କରିଛନ୍ତି। ଏହି ଭିଡିଓରେ ପ୍ରଥମେ ଦୀପିକା ଡ୍ୟାନ୍ସ କରୁଥିବା ବେଳେ ପରେ ରଣବୀରଙ୍କ ମଧ୍ୟ ଏଣ୍ଟ୍ରି ହେଉଛି। ଦୁହେଁ କାଜୁଆଲ ଲୁକ୍‌ରେ ନଜର ଆସିଛନ୍ତି। ଫଙ୍କି ବିଟ୍‌ରେ ଉଭୟଙ୍କ ଫ୍ରି-ଷ୍ଟାଇଲ୍ ଡ୍ୟାନ୍ସ ମୁଭ ଦର୍ଶକଙ୍କ ହୃଦୟ ଜିତି ନେଇଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦୀପିକା ରଣବୀରଙ୍କୁ ଟ୍ୟାଗ କରି ସେଆର କରିଛନ୍ତି। ସେ କ୍ୟାପଶନରେ ‘Werk it baby!’ଲେଖିଛନ୍ତି। ସୂଚନାଯୋଗ୍ୟ ଯେ, ଉଭୟ ରଣବୀର ଏବଂ ଦୀପିକା ପୁଣିଥରେ ଅପକମିଂ ଫିଲ୍ମ ‘୮୩’ରେ ନଜର ଆସିବେ। ଏଥିରେ ରଣବୀର ପୂର୍ବତନ ଭାରତୀୟ କ୍ରିକେଟର୍‌ କପିଳ ଦେବଙ୍କ ଚରିତ୍ରରେ ନଜର ଆସିବେ। ସେହିପରି ଦୀପିକାଙ୍କୁ କପିଲ ଦେବଙ୍କ ପତ୍ନୀ ରୋମି ଦେବଙ୍କ ଭୂମିକାରେ ଦେଖିବାକୁ ମିଳିବ। ବିବାହ ପରେ ରଣବୀର ସିଂହ ଏବଂ ଦୀପିକା ପାଦୁକୋନଙ୍କର ଏହା ପ୍ରଥମ ଫଲ୍ମ।  ନିର୍ଦ୍ଦେଶକ କବୀର ଖାନଙ୍କ ଏହି ଫିଲ୍ମ ଆସନ୍ତା ଜୁନ୍ ୪ ତାରିଖରେ ବଡ ପରଦାରେ ରିଲିଜ ହେବ।

ରିଆ ଚକ୍ରବର୍ତ୍ତୀଙ୍କୁ ଆଉ ଏକ ଝଟ୍‌କା..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ମିଳୁଛି ଗୋଟିଏ ପରେ ଗୋଟିଏ ଝଟ୍‌କା। ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜେଲ ଯିବା ପରେ ଏବେ ତାଙ୍କ ବଲିଉଡ କ୍ୟାରିଅର ବୁଡିବାକୁ ବସିଲାଣି। ତାଙ୍କ କ୍ୟାରିଅର ତଳକୁ ଖସି ଯାଇଛି।  ଏହାର ପ୍ରମାଣ ଏବେ ପୁଣି ଥରେ ଦେଖିବାକୁ ମିଳିଛି। ନିକଟରେ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟରକୁ ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ଇମ୍ରାନ୍ ହାସମୀ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପୁଣିଥରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଚେହେରା ଗାୟବ ହୋଇଯାଇଛି। କେବଳ ସେତିକି ନୁହେଁ ତାଙ୍କ ନା’ ମଧ୍ୟ ପୋଷ୍ଟରରୁ ହଟାଇ ଦିଆଯାଇଛି।  ପୋଷ୍ଟରରେ ଇମ୍ରାନ୍ ହାସମୀ ଏବଂ ଅମିତାଭ ବଚ୍ଚନଙ୍କୁ ଆଗରେ ଦେଖିବାକୁ ମିଳିଥିବାବେଳେ ଟିଭି ଅଭିନେତ୍ରୀ କ୍ରିଷ୍ଟଲ୍ ଡିସୁଜା ମଧ୍ୟ ପଛରେ ନଜର ଆସୁଛନ୍ତି । ଏହି ପୋଷ୍ଟରକୁ ବିଗ୍ ବି ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।ଦୁଇ ବର୍ଷ ପୂର୍ବେ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚେହରେ’ରେ ରିୟା ଚକ୍ରବର୍ତ୍ତୀ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା । ରିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ଏନେଇ ସୂଚନା ଦେଇଥିଲେ। କହିଥିଲେ ସେ ଏହି ଫିଲ୍ମର ଏକ ଅଂଶ ହେବେ । ଏଥିସହିତ ସେ ଟ୍ୱିଟରରେ ସମସ୍ତଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ ।  କିନ୍ତୁ ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଥିଲେ । ତାଙ୍କୁ ଜେଲ ଯିବାକୁ ପଡିଥିଲା। ପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ଫିଲ୍ମ ‘ଚେହରେ’ରଏକ ପୋଷ୍ଟର ସେୟାର କରିଥିଲେ। ଏଥିରେ ବି ରିୟା ଚକ୍ରବର୍ତ୍ତୀଙ୍କ ମଧ୍ୟ ଦେଖା ନଥିଲା। କୁହାଯାଉଛି ଯେ ରିୟାଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଛି । ଏହି ଖବର ପାଇବା ମାତ୍ରେ ସୋସିଆଲ ମିଡିଆରେ ରିୟାଙ୍କୁ ଟ୍ରୋଲ୍ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଫିଲ୍ମ ‘ଚେହରେ’ ଆସନ୍ତା ଏପ୍ରିଲ ୩୦ ରେ ରିଲିଜ୍ ହେବ । ତେବେ ଏହାପୂର୍ବରୁ ୧୧ ମାର୍ଚ୍ଚ ଗୁରୁବାର ଦିନ ଏହାର ଟିଜର୍ ରିଲିଜ୍ ହେବ ।

ବଲିଉଡରେ ଏଣ୍ଟ୍ରି କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ..!

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ। କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଝିଅ ଆରୁଷି ନିଶାଙ୍କ ବଲିଉଡରେ ଡେବ୍ୟୁ କରିବେ। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଆରୁଷି ଇନଷ୍ଟାଗ୍ରାମ ପେଜରେ ତାଙ୍କ ଅପକମିଂ ଫିଲ୍ମ ‘ତାରିଣୀ’ର ପୋଷ୍ଟର ସେଆର କରିଛନ୍ତି। ଏହି ଫିଲ୍ମଟି ଭାରତୀୟ ନୌସେନାର ପ୍ରଥମ ଝଅ ଜଣ ମହିଳା ଅଫିସରଙ୍କ କାହାଣୀ ଉପରେ ଆଧାରିତ।  ଟି ସିରିଜ ବ୍ୟାନରରେ ତିଆରି ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ମଧ୍ୟ ଆରୁଷି ନେଇଛନ୍ତି।

Aarushi Nishank
                                                                         କେନ୍ଦ୍ର ମନ୍ତ୍ରୀଙ୍କ ଝିଅ ଆରୁଷି ନିଶଙ୍କ

ମହିଳା ଦିବସର ଅବସରରେ ସେ ତାଙ୍କ ଆଗାମୀ ଫିଲ୍ମର ଘୋଷଣା କରିଥିଲେ। ଫିଲ୍ମଟି ୧୯ ସେପ୍ଟେମ୍ବର ୨୦୧୭ରେ ଭାରତୀୟ ନୌସେନାର ଶକ୍ତି ଆଇଏନ୍‌ଏସ୍ ‘ତାରିଣୀ’ରେ ଗୋଆରୁ ଯାତ୍ରା ଆରମ୍ଭ କରିଥିବା କାର୍ତ୍ତିକା ଯୋଶୀ, ପ୍ରତିଭା ଜାମୱାଲା ପି.ସ୍ୱାତୀ, ଏସ୍.ବିଜୟା, ଐଶ୍ୱର୍ଯ୍ୟା ଏବଂ ପାୟଲ ଗୁପ୍ତାଙ୍କ ଜୀବନୀ ଉପରେ ଆଧାରିତ। ଏହି ୬ ନୌସେନା ମହିଳା ଅଫିସରମାନେ ସମୁଦ୍ର ଭିତରେ ପ୍ରାୟ ୨୧ ହଜାର ୬୦୦ କିଲୋମିଟରର ଯାତ୍ରା କରିଥିଲେ। ୨୫୪ ଦିନ ଯାଏଁ ଯାତ୍ରା କରି ୨୦୧୮ ମେ’ ୧୯ରେ ଫେରିଥିଲେ। ସୂଚନା ଯୋଗ୍ୟ ଯେ, ଆରୁଷି ହେଉଛନ୍ତି ରମେଶ ଏବଂ କୁସୁମ ପୋଖରିଆଲ ନିଶାଙ୍କଙ୍କ ବଡ଼ ଝିଅ। ସେ ନାରୀସଶକ୍ତିକରଣ, ସାମାଜିକ କ୍ଷେତ୍ର ଏବଂ ପରିବେଶ ସଂରକ୍ଷଣ ଦିଗରେ ନିଜର ଅତୁଟ ଯୋଗଦାନ ଦେଇ ଆସୁଛନ୍ତି। ଏହାଛଡା ସେ ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପି ସହ ଜଣେ ପରିବେଶବିତ୍ ମଧ୍ୟ। ହିମାଳୟନ୍ ଆୟୁର୍ବେଦିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଇନ୍ ଡେରାଡୁନରେ ସେ ପାଠ ପଢ଼ିଛନ୍ତି। ୨୦୧୫ ଜାନୁଆରୀ ୨୪ରେ ସେ ଅଭିନବ ପନ୍ତଙ୍କୁ ବିବାହ କରିଥିଲେ। ପୂର୍ବରୁ ଆରୁଷଙ୍କ ଅଭିନୟ ପ୍ରତି ଦୁର୍ବଳତା ଥିଲା। ତେଣୁ ସେ ତାଙ୍କ ବାପା ରମେଶ ପୋଖରିଆଲ ନିଶାଙ୍କଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମେଜର ନିରାଲା’ର ପ୍ରଯୋଜକ ଥିଲେ।

ହିରୋଇନ୍ ବି କମ୍ ନୁହନ୍ତି, ଓଡ଼ିଶାରେ ସଫଳ ହେଉଛି ନାରୀ କୈନ୍ଦ୍ରିକ ଫିଲ୍ମ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁରୁଷ କୈନ୍ଦ୍ରିକ ସମାଜରେ ନାରୀ ପଛରେ ନାହାନ୍ତି। ସବୁକ୍ଷେତ୍ରରେ ସେମାନେ ଦେଖାଇଛନ୍ତି ନିଜର ପାରଦର୍ଶିତା। ମାଆଟିଏ ହୋଇ ନିଜ ପିଲାକୁ ସ୍ନେହ ଓ ବାତ୍ସଲ୍ୟ ବାନ୍ଧି ରଖିବା ହେଉ ବା ସୀମାରେ ଆତଙ୍କବାଦୀଙ୍କୁ ଘୌଡ଼ାଇବା, ସବୁଥିରେ ନାରୀ ଦେଖାଇଛନ୍ତି ଦକ୍ଷତା। ଆଉ ସମାଜ ପାଇଁ ତିଆରି କରିପାରିଛନ୍ତି ସ୍ୱତନ୍ତ୍ର ଉଦାହରଣ। ଯାହାକୁ ନେଇ ତିଆରି ହୋଇଛି ଅନେକ ଫିଲ୍ମ। ପୁରୁଷ କୈନ୍ଦ୍ରିକ ସମାଜରେ ଏହି ଫିଲ୍ମ ଗୁଡ଼ିକ ଅନେକ କ୍ଷେତ୍ରରେ ସଫଳ ହୋଇଛି। ଏଥିରୁ ଓଡ଼ିଶା ପଛରେ ନାହିଁ। ଓଡ଼ିଶାରେ ମଧ୍ୟ ରାଜ କରୁଛନ୍ତି ନାରୀ କୈନ୍ଦ୍ରିକ ଫିଲ୍ମ। ଯେଉଁଥିରେ ରହିଛି ଜବରଦସ୍ତ ଆକ୍‌ସନ୍‌ ଓ ରୋମାନ୍ସ। ବିଶ୍ୱ ମହିଳା ଦିବସ ଅବସରରେ ଏମିତି ନାରୀଙ୍କ ଆମର ସଲାମ। ବଲିଉଡ୍‌ ହେଉ ଅବା ହଲିଉଡ, ମହିଳାଙ୍କୁ ନେଇ ଅନେକ ଫିଲ୍ମ ତିଆରି ହୋଇଛି। ଫିଲ୍ମ ଜରିଆରେ ସେମାନଙ୍କ ସାହାସ ଓ ଶକ୍ତିକୁ ଲୋକଙ୍କ ଆଗରେ ପ୍ରଦର୍ଶିତ କରାଯାଇଛି। ତେବେ ଏଥିରୁ  ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବାଦ୍ ନାହିଁ। ଓଲିଉଡରେ ମଧ୍ୟ ମହିଳା ସଶକ୍ତିକରଣକୁ ନେଇ ତିଆରି ହୋଇଛି ଅନେକ ଫିଲ୍ମ। ଏହି ଫିଲ୍ମ ଗୁଡ଼ିକ ମଧ୍ୟ ସାଉଣ୍ଟିଛି ପ୍ରଶଂସା। ସୋମବାର ବିଶ୍ୱ ମହିଳା ଦିବସ। ଅବସରରେ ‌‘ତରଙ୍ଗ ସିନେ ପ୍ଲସ’ ତରଫରୁ ଏଭଳି  ୮ଟି ମହିଳା କୈନ୍ଦ୍ରିକ ଫିଲ୍ମ ପ୍ରଦର୍ଶିତ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ସବୁ ଫିଲ୍ମ ବିଷୟରେ…

  • ଅନୁ ଦିଦି ନଟ୍ ଆଉଟ୍ : ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍।’ ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତିଆରି ହୋଇଛି। ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ। ଏଥିରେ ମୁଖ୍ୟ ଚରିତ୍ରଥିବା ଅନୁ ଦିଦି ଜଣେ କଲେଜ‌ରେ ଅଧ୍ୟାପନା ଭୂମିକାରେ ନଜରକୁ ଆସିବେ। ସେ ଛାତ୍ରୀଙ୍କୁ କିଭଳି ସାହସ ଓ ସଫଳତାର ପାଠ ପଢାଉଛନ୍ତି ତା’ ଉପରେ ଫିଲ୍ମ ଗତିଶୀଳ ହେଉଛି। ମହିଳା ଦିବସ ଉପଲକ୍ଷେ ଆଜି ସନ୍ଧ୍ୟାରେ ତରଙ୍ଗ ପ୍ଲସରେ ଏହି ଫିଲ୍ମଟି ପ୍ରସାରିତ ହେବ।
  • ଚାମ୍ପିଅନ: ବାପାଙ୍କ ସ୍ୱପ୍ନ ଥିଲା ତାଙ୍କ ପିଲାମାନେ ବକ୍ସିଂରେ ଚାମ୍ପିଅନ ହୁଅନ୍ତୁ। ବାପାଙ୍କ ସ୍ୱପ୍ନ ପୂରା କରିବା ପାଇଁ ଆଗେଇ ଆସିଛି କିର୍ତି। ଅନେକ ସଂଘର୍ଷ କରି ପାଲଟୁଛି ବକ୍ସର। ଗୋଟିଏ ଗାଉଁଲି ଝିଅ କେମିତି ଜୀବନର ପ୍ରତ୍ୟେକ ସ୍ତରରେ ଲଢ଼ି ଆଗକୁ ଯାଉଛି ଏବଂ ଶେଷରେ ଜଣେ ବକ୍ସର ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ତାହାକୁ ନେଇ ଏହି ‘ଚାମ୍ପିଅନ’ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ତରଙ୍ଗ ପ୍ଲସ ତରଫରୁ ତିଆରି ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅର୍ଚ୍ଚିତା । ଏଥିରେ ତାଙ୍କୁ କିର୍ତ୍ତି ଚରିତ୍ରରେ ଦେଖିବାକୁ ମିଳିବ, ଯିଏକି ଜଣେ ବକ୍ସର। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର କେ.ମୂରଲୀ କ୍ରିଷ୍ଣା ବହନ କରିଥିବା ବେଳେ ଏନ୍.ଗଙ୍ଗାଧର ଏବଂ ପି.ଦିପ୍ତୀରାଣୀ ଏହାର ପ୍ରଯୋଜନା ଦାୟିତ୍ୱ ବହନ କରିଛନ୍ତି।
  • ଚୁମ୍ବକ: ଓଡ଼ିଆ ଓ୍ୱେବ ସିରିଜ୍ ଚୁମ୍ବକ। ସମଲିଙ୍ଗୀ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଛି ଏହି ଓ୍ୱେବ୍‌ ସିରିଜ। ଦୁଇ ଝିଅ  ଶିଖା ଏବଂ ମାନ୍ୟା କିପରି ଲୁହା ଓ ଚୁମ୍ବକ ଭଳି ପରସ୍ପର ପ୍ରତି ଆକର୍ଷିତ ହେଉଛନ୍ତି, ଦୁହିଁକ ପ୍ରେମ ସମ୍ପର୍କକୁ ସମାଜ କେମିତି ଦେଖୁଛି ଓ ତା’ପରେ ସେମାନେ ଏକାଠି ରହିବା ପାଇଁ କ’ଣ କରୁଛନ୍ତି? ଏହା ହେଉଛି ସୁଶାନ୍ତ ମଣିଙ୍କ ‘ଚୁମ୍ବକ’ର କାହାଣୀ। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଓ୍ୱେବ ସିରିଜ୍‌ରେ ଓଲିଉଡ ଅଭିନେତ୍ରୀ ଦିବ୍ୟା ଓ ତମନ୍ନା, ସାନୁ ଓ ଆର୍ଯ୍ୟନ ଦାଶ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି।
  • ପାପ: ପାପୀକୁ ନିପାତ କରିବା ପାପା ନୁହେଁ ପୂଣ୍ୟ। ‘ପାପ’ର ସଜ୍ଞା ବି ବେଳେ ବେଳେ ବଦଳି ଯାଇପାରେ, ପାପ ବି ହୋଇପାରେ ପୂଣ୍ୟ। ଏଭଳି କିଛି ଟ୍ୟାଗ ଲାଇନ ସହ ତିଆରି ହୋଇଛି ତରଙ୍ଗ ପ୍ଲସର ଫିଲ୍ମ ‘ପାପ’। ଫିଲ୍ମଟି ଏଭଳି ଜଣେ ମହିଳାଙ୍କ ଉପରେ ଆଧାରିତ ଯିଏକି ନିଜ ଯନ୍ତ୍ରଣାକୁ ଶକ୍ତିରେ ପରିଣତ କରି ପାପିମାନଙ୍କୁ ଶାସ୍ତି ଦେବାକୁ ପ୍ରଣ କରିଛି। ନୂଆ କାହାଣୀ ଓ ନୂଆ କନସେପ୍ଟକୁ ନେଇ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଏଲିନା ସାମନ୍ତରାୟ ଅଛନ୍ତି। ତାଙ୍କ ଅପୋଜିଟରେ ଅଭିନେତା ଅଙ୍କିତ କୁମାର ଅଛନ୍ତି।
  • ଇଚ୍ଛା: ଲାଇଫ ଏବଂ କାମର ଏତେ ଷ୍ଟ୍ରେସ ରହିଛି, କିନ୍ତୁ ତା’ସହ ରହିଲେ ସବୁ ଭୁଲି ଯାଏ। ଲାଇଫର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜେ ନିଜକୁ ଭଲ ପାଇବା। ପ୍ରେମ, ବନ୍ଧୁତ ଏବଂ ହୃଦୟ ଭାଙ୍ଗିବା ଏହି ତିନିଟି ଶବ୍ଦକୁ ନେଇ ‘ଇଚ୍ଛା’ ୱେବସିରିଜଟି ଆଧାରିତ। ତରଙ୍ଗ ବ୍ୟାନରରେ ତିଆରି ଏହି  ୱେବସିରିଜ ଲିଡ ରୋଲରେ  ଅଭିନେତ୍ରୀ ଗାର୍ଗୀ ମହାନ୍ତି ଅଛନ୍ତି।
  • ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି: ଜଣେ ଫ୍ରେଣ୍ଡଲି ମା’ର ସରଳତାର ସୁଯୋଗ ନେଇ ପିଲାମାନ ପଥଭ୍ରଷ୍ଟ ହେଉଛନ୍ତି। ଯାହାକୁ ନେଇ ମା’ ଭାରାକ୍ରାନ୍ତ ହୋଇପଡୁଛନ୍ତି। ସେଇ ଚିନ୍ତାରେ ସ୍ୱାମୀ ଆରପାରିକୁ ଚାଲିଯାଉଛନ୍ତି। ଆଉ ତା’ପରେ ପଥହୁଡା ପିଲାମାନଙ୍କୁ ବାଟକୁ ଆଣିବା ପାଇଁ  ମା’ କିଭଳି ଆପଣାଉଛି ନୂଆ ରାସ୍ତା, ତାକୁ ନେଇ ଏହି ଲାଲପାନ ବିବିର ଜୀବନ ଯାତ୍ରା। ତରଙ୍ଗ ବ୍ୟାନରରେ ତିଆରି ଏହି ଫିଲ୍ମର ଲିଡ୍ ରୋଲରେ ମାହେଶ୍ୱତା ରୟ ଅଛନ୍ତି। ତାଙ୍କୁ ଏଥିରେ ଚରିତ୍ରରେ ଦେଖିବାକୁ ମିଳିବ।
  • ଖୁସି: ସ୍କୁଲରେ ପଢ଼ୁଥିବା ଆଠ ଦଶବର୍ଷର ଝିଅଟିଏ ଖୁସି। ବାପା ମା’ ଜେଜେ ଜେଜେମା’ଙ୍କ ଅତି ଅଲିଅଳି ସେ। ପାଠରେ  ଶାଠରେ ବୁଦ୍ଧିରେ, ବିବେକରେ ସବୁଥିରେ ସବୁଠୁ ଆଉ ଆଗୁଆ। ହେଲେ ଗୋଟେ ଦିନର ଗୋଟେ ରାକ୍ଷସ ଯୋଗୁ ସେ ହୋଇଗଲା ସବୁଠୁ ପଛୁଆ। ଗୋଟେ ନାରୀ ମାଂସଲୋଭୀ ପିଶାଚ ଦଳି ଚକଟି ମାଟିରେ ମିଶେଇଦେଲା ଖୁସି ଜୀବନର ସବୁତକ ଖୁସି। ସେ ନିଜକୁ ଲୁଚେଇ ରଖିଲା ଘର କୋଣରେ, ଅନ୍ଧାର ଭିତରେ। ସେଇ ଅନ୍ଧାର ଭିତରୁ ପୁଣିଥରେ ଆଲୁଅକୁ ବାହାରି ଆସିବା ପାଇଁ ତା’ ପରିବାର ଯେଉଁ ସଂଘର୍ଷ କରିଚାଲନ୍ତି ତାକୁ ନେଇ ଗତିଶୀଳ ହୋଇଛି ତରଙ୍ଗ ପ୍ରଡକ୍ସନର ଫିଲ୍ମ ‘ଖୁସି’ର କାହାଣୀ। ଖୁବ ଶୀଘ୍ର ଏହି ଫିଲ୍ମଟି ବଡ ପରଦାରେ ରିଲିଜ ହେବ।
  • ଫ୍ୟାମିଲି: ଅବସରପ୍ରାପ୍ତି ହାଇ ପ୍ରୋଫାଇଲ ପୁଲିସ ଅଧିକାରୀଙ୍କ ପରିବାରର କାହାଣୀ। ଏହି ପରିବାରର ପୁଲିସ ଅଧିକାରୀଙ୍କ ପତ୍ନୀ, ତାଙ୍କ ବଡ ଫୁଅ ରିଙ୍କୁ, ସାନ ଝିଅ ରିଙ୍କି ଏବଂ ପତ୍ନୀଙ୍କ ମଦ୍ୟପ ଭାଇ ରୁହୁଥିଲ। ହସ ଖୁସି ଭରା ଥିଲା ଏହି ପରିବାର। କିନ୍ତୁ ହଠାତ ଏହି ପରିବାରରେ ଦିନେ ଘଟିଯାଏ ଅଘଟଣ। ସାନ ଝିଅ ରିଙ୍କି ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଆସି ତାଙ୍କ ମାମୁ ଏବଂ ପୁଲିସର ମଦ୍ୟପ ଭାଇ ତାକୁ ଅସଦାଚରଣ କରିଥିବା ଅଭିଯୋଗ କରେ। ଏହାପରେ ମଦ୍ୟ ଭାଇର ଛାତରୁ ଖସି ମୃତ୍ୟୁ ହୋଇଯାଏ। ତେବେ ଏସବୁ ପ୍ରକୃତରେ କିଏ ଘଟଣା ଏବଂ କ’ଣ ସବୁ ଘଟିଥିଲା ତାକୁ ନେଇ ଆରମ୍ଭ ହୁଏ ତଦନ୍ତ। ଏଭଳି ହିଁ କିଛି ସସପେନ୍ସ ଥ୍ରୀଲର କାହାଣୀକୁ ତରଙ୍ଗ ସିନେ ବ୍ୟାନରେ ତିଆରି ଏହି ଫିଲ୍ମଟି ଗତିଶୀଳ।
ଚାଷୀ ଆନ୍ଦୋଳନକାରୀଙ୍କ ସଂଖ୍ୟା ସୀମାରେ କମୁଛି ?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକୁ ୧୦୦ ଦିନ ପୂରଣ ହୋଇଛି। ଆନ୍ଦୋଳନର ଦିନ ଯଦିଓ ବଢ଼ୁଛି ହେଲେ ଆନ୍ଦୋଳନକାରୀଙ୍କ ସଂଖ୍ୟା ଧୀରେ ଧୀରେ କମିଥିବାର ଦେଖିବାକୁ ମିଳିଛି। ଆଜି ମହାଶିବରାତ୍ରୀ। ଏହି ଅବସରରେ ଘଗବାନଙ୍କ ନିକଟରେ ଚାଷୀଙ୍କ ପାଇଁ ପ୍ରାର୍ଥନା କରିଥିବା ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି। ତେବେ ଆନ୍ଦୋଳନକାରୀଙ୍କ ସଂଖ୍ୟା କମିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଚାଷୀ ନେତା। ଓଲଟା ସିଧା ଜବାବ ଦେଇ ଏହାବି ତାଙ୍କ ଆନ୍ଦୋଳନର ଏକ ରଣନୀତି ବୋଲି କହିଛନ୍ତି ରାକେଶ। ଅଧିକ ଖରା ହେଉଛି, ଚାଷ ଜମିକୁ ଚାଷୀ ଯାଉଛନ୍ତି କହି ସଫେଇ ଦେଇଛନ୍ତି ରାକେଶ। ଆନ୍ଦୋଳନକାରୀଙ୍କ ସଂଖ୍ୟା କମିବା ଅଭିଯୋଗକୁ ସେ ଖାରଜ କରିଛନ୍ତି। ଆଗକୁ ଆନ୍ଦୋଳନ ଲମ୍ୱା ହେବ। ତେଣୁ ରୋଟେସନ ହିସାବରେ ଚାଷୀ ଆନ୍ଦୋଳନରେ ସାମିଲ୍ ହେଉଛନ୍ତି ବୋଲି ଟିକାୟତ କହିଛନ୍ତି। ଯେତେବେଳେ ଆବଶ୍ୟକ ହେବେ ସେତେବେଳେ ଗାଜିପୁର ସୀମାରେ ସମସ୍ତ ଚାଷୀ ଏକାଠି ହେବେ ବୋଲି ଟିକାୟତ କହିଛନ୍ତି। ଚାଷୀଙ୍କ ଏହି ଆନ୍ଦୋଳନ ଏବେ ରାଜନୀତିକ ପ୍ରସଙ୍ଗ ପାଲଟିଛି। ବିଜେପିକୁ ଭୋଟ୍ ନଦେବା ପାଇଁ ଏହି ଆନ୍ଦୋଳନକାରୀ ଆହ୍ୱାନ କରିଛନ୍ତି।

Farmers Protest in ghazipur Border

ଏଥିପାଇଁ ନିକଟରେ ହେବାକୁ ଥିବା ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି ରାକେଶ ଟିକାୟତ କହିଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ଏହି ପ୍ରଚାରରେ ସାମିଲ୍ ହେବେ ବୋଲି ସେ କହିଛନ୍ତି। ନଭେମ୍ୱର ମାସରୁ ରାକେଶ ଟିକାୟତଙ୍କ ନେତୃତ୍ୱରେ ଏହି ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୬କୁ ଏହି ଆନ୍ଦୋଳନ ଚାରି ମାସ ପୂରଣ ହେବାକୁ ଯାଉଛି। ଏହି ଅବସରରେ ରାକେଶ ଟିକାୟତ ଭାରତ ବନ୍ଦ ଡାକରା ଦେଇଛନ୍ତି। ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଅନେକ ଥର ବୈଠକ ହୋଇଛି। ହେଲେ ବୈଠକ ସଫଳ ହୋଇନି। ଆନ୍ଦୋଳନରତ ଚାଷୀ ତିନି କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିବା ସହିତ ଏମଏସପି ଗ୍ୟାରେଣ୍ଟି ଦାବି କରିଛନ୍ତି। ଯାହାର ଜବାବରେ କେନ୍ଦ୍ର ସରକାର କହିଛନ୍ତି ସଂଶୋଧନ ପାଇଁ ସରକାର ରାଜି ହେଲେ ରଦ୍ଦ ହେବନାହିଁ ତିନି କୃଷି ଆଇନ୍।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁ ମାଛି ଆତଙ୍କ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁମାଛି ଆକ୍ରମଣରେ ପର୍ଯ୍ୟଟକ ଘାଇଲା ହୋଇଛନ୍ତି। ୧୫ରୁ ଅଧିକ ପର୍ଯ୍ୟଟକ ମହୁମାଛି କାମୁଡ଼ାରେ ଆହତ ହୋଇଛନ୍ତି। ଅହତକ ଭିତରେ କେତେକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି। ବଣମଣିଷ ଏନ୍‌କ୍ଲୋଜର ପାଖାପାଖି ଅଞ୍ଚଳରେ ଏକ ଗଛରେ ମହୁଫେଣାଟି ଥିଲା। କୌଣସି କାରଣ ହଠାତ୍ ମହୁ ମାଛିମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ପର୍ଯ୍ୟଟକମାନେ ବିକ୍ଷିପ୍ତ ହୋଇ ଏଣେତେଣେ ଦୌଡ଼ି ଥିଲେ। ଆଉ କିଏ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜାଣିବା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେଇଛନ୍ତି। ମହୁ ମାଛି ଆକ୍ରମଣରେ ୧୫ ନୁହେଁ, ଅଧିକ ଲୋକ ଆହତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।

ରାଜଧାନୀର ବରିଷ୍ଠ ନାଗରିକଙ୍କୁ ମଗଣାରେ ଅଯୋଧ୍ୟା ବୁଲାଇବେ ସରକାର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଦେଶର ଜାତୀୟ ରାଜଧାନୀ ଦିଲ୍ଲୀର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ବଡ଼ ଘୋଷଣା କରିଛି। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବା ପରେ ସେଠାକୁ ମଗଣାରେ ଦିଲ୍ଲୀରେ ରହୁଥିବା ବୟସ୍କ ବ୍ୟକ୍ତିମାନେ ଯାଇପାରିବେ। ସେମାନଙ୍କ ତୀର୍ଥଯାତ୍ରା ପାଇଁ ସବୁ ଖର୍ଚ୍ଚ ସରକାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସେହିପରି ରାମ ରାଜ୍ୟର ୧୦ଟି ନୀତି ନିୟମକୁ କାର୍ଯ୍ୟକାରୀ କରି ସରକାର ଲୋକଙ୍କ ସେବା କରିବେ ବୋଲି ସେ କହିଛନ୍ତି। ସେ ତାଲିକା ଭୁକ୍ତ କରିଥିବା ୧୦ଟି ନୀତି ହେଲା, ଲୋକଙ୍କୁ ଖାଦ୍ୟ, ଶିକ୍ଷା, ମେଡିକାଲ କେୟାର, ବିଜୁଳି, ପାଣି, ନିଯୁକ୍ତି, ହାଉସିଂ, ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ଓ ବୟସ୍କମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ସରକାର ୬୯ ହଜାର କୋଟିର ବଜେଟ୍‌ ଉପସ୍ଥାପନ କରିଥିଲେ।  ଏହାକୁ ଦେଶଭକ୍ତିର ବଜେଟ୍‌ ଭାବେ ନାମିତ କରାଯାଇଥିଲା। ବଜେଟ୍‌ର ବ୍ୟବସ୍ଥା ଅନୁଯାୟୀ, ଦିଲ୍ଲୀର ବିଭିନ୍ନ ସ୍ଥାନରେ ୫୦୦ଟି ଫ୍ଲାଗ ମାସ୍କଟ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ନେଇ କାର୍ଯ୍ୟକ୍ରମ କରାଯିବ। ଏଥିସହ ଦେଶଭକ୍ତି କରିକୁଲାମ ବିଷୟରେ ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ।ପୂର୍ବରୁ ଆପ୍‌ ସରକାର “ମୁଖ୍ୟମନ୍ତ୍ରୀ ତୀର୍ଥ ଯାତ୍ରା” ନାଁରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅନୁସାରେ ଦିଲ୍ଲୀର ବରିଷ୍ଠ ନାଗରିକଙ୍କୁ ମାଗଣାରେ ତୀର୍ଥ ଯାତ୍ରୀର ସୁବିଧା ଯୋଗାଇ ଦିଆଯାଉଛି। ତୀର୍ଥ ଯାତ୍ରା ସମୟରେ ଖାଦ୍ୟ, ପାନୀୟ, ରହଣୀ ଓ ଯବା ଆସିବା ‌ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। କେଜ୍ରିୱାଲ ବିଧାନସଭାରେ କହିଛନ୍ତି, ମୁଁ ଭଗବାନ ରାମ ଓ ହନୁମାନଙ୍କ ଭକ୍ତ। ରାମ ରାଜ୍ୟ ବିଷୟବସ୍ତୁରୁ ଅନୁପ୍ରାଣିତ ହୋଇ ଆମେ ୧୦ଟି ନୀତି ନିୟମ ଉପରେ କାର୍ଯ୍ୟ କରୁଛୁ। ଆମେ ବୟସ୍କଙ୍କୁ ସମ୍ମାନିତ କରିବା ପାଇଁ ଏକାଧିକ ପଦକ୍ଷେପ ନେଇଛୁ। ଏହା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଲା, ସେମାନଙ୍କୁ ମାଗଣାରେ ତୀର୍ଥଯାତ୍ରାରେ ପଠାଇବା।ମୁଁ ଏବେ ସମସ୍ତ ବରିଷ୍ଠ ନାଗରିକଙ୍କୁ କହିବାକୁ ଚାହେଁ ଯେ ଆମେ ସେମାନଙ୍କୁ ମାଗଣାରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଦର୍ଶନ କରିବାକୁ ପଠାଇବୁ। ରାମ ମନ୍ଦିରର ନିର୍ମାଣ କାମ ଶେଷ ହେବା ପରେ ସେମାନେ ସେଠାକୁ ଯାଇପାରିବେ ବୋଲି ସେ କହିଛନ୍ତି। ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ କାମ ୩୬ରୁ ୪୦ ସପ୍ତାହ ମଧ୍ୟରେ ଶେଷ ହେବ।