ଲୋ’ ବ୍ଲଡପ୍ରେସର ଥିଲେ କ’ଣ ଖାଇବେ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଲୋ ବ୍ଲଡପ୍ରେସର ଏକ ଏଭଳି ସ୍ଥିତି ଯେଉଁଠି ବ୍ୟକ୍ତିଙ୍କ ରକ୍ତଚାପ ସ୍ତର ହଠାତ କମିଯାଏ। ଏହା ସାଧାରଣ କଥା କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ। ଏହା ବେଳେ ବେଳେ ମାରାତ୍ମକ ସାଜିପାରେ। ଲୋ ବ୍ଲଡପ୍ରେସର ବା କମ ରକ୍ତଚାପର ଆଉ ଏକ କାରଣ ଆପଣଙ୍କ ଖାଦ୍ୟ ମଧ୍ୟ ହୋଇପାରେ। ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯାହା ସବୁ ଖା’ନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ, ହୃଦୟ ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ତେଣୁ ରକ୍ତଚାପଠାରୁ ଦୂରେଇ ରହିବା ପାଇଁ ବିଶେଷ ରୂପେ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ଲୋ’ ବ୍ଲଡପ୍ରେସର ଥିଲେ କ’ଣ ସବୁ ଖାଇବା ଉଚିତ।

ଅଣ୍ଡା: ଅଣ୍ଡା ଅନେକ ସମସ୍ୟାର ବିକଳ୍ପ, କିନ୍ତୁ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ଏହା ସବୁଠୁ ଭଲ ଆହର। ଏଥିରେ ଥିବା ଭିଟାମିନ ବି-୧୨ ନାଲି ରକ୍ତ କଣିକା ସୃଷ୍ଟି କରିବାରେ ସହାୟକ ହୁଏ। ଲୋ-ବିପି ଭଳି ସ୍ଥିତିରେ ଭିଟାମିନ ବି-୧୨ ଯୁକ୍ତ ଖାଦ୍ୟ ଖାଇବା ଉଚିତ।

ଡାର୍କ ଚକୋଲେଟ: ଯେତେବେଳେ ଆପଣଙ୍କ ରକ୍ତଚାପ କମ ଥିବା ଅନୁଭବ କରନ୍ତି ସେତେବେଳେ ସଙ୍ଗେସଙ୍ଗେ ଡାର୍କ ଚକୋଲେଟ ଖାଇପାରିବେ। ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିପାରିବ। ଏଥିରେ ଫ୍ଲାଭାନୋଲ ନାମକ ଏକ ରାସାୟନିକ ପଦାର୍ଥ ଥାଏ, ଯାହା ଶରୀରର ଓଜନ ଏବଂ ଚର୍ବି ସ୍ତରକୁ ପରିବର୍ତ୍ତନ ନକରି  ବିପିକୁ କଣ୍ଟ୍ରୋଲ କରିବାରେ କ୍ଷମତା ରଖିଥାଏ।

ଅଙ୍ଗୁର ଜୁସ୍: ରକ୍ତଚାପ ଚିକିତ୍ସାରେ ଅଙ୍ଗୁର ଜୁସର ପ୍ରୟୋଗ ବେଶ ପ୍ରବାଶାଳୀ। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ କୌଣସି ବି ସ୍ଥିତିରେ ଯଦି ବ୍ଲଡପ୍ରେସର କମ୍ ହୋଇଯାଏ, ତେବେ ଏକ ଗ୍ଲାସ ଅଙ୍ଗୁର ଜୁସ୍ ପିଇଲେ ଶୀଘ୍ର ଆରାମ ମିଳିବ। ଅଙ୍ଗୁର ରସରେ ମିଳୁଥିବା ପୋଟାସିୟମ୍ ରକ୍ତ କଣିକାକୁ ଆରାମ ଦେଇ ରକ୍ତଚାପ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ।

ତରଳ ପଦାର୍ଥ: ରକ୍ତଚାପ ରୋଗୀମାନେ ଯେତେ ସମ୍ଭବ ସେତେ ତରଳ ଯୁକ୍ତ ଖାଦ୍ୟ ତଥା ପାଣି ପିଇବା ଉଚିତ। ଶରୀରରେ ପାଣିର ମାତ୍ରା କମ ହେବା ଫଳରେ ରକ୍ତ ଅଭାବ ଦେଖା ଦେଇଥାଏ। ତେଣୁ ହାଇଡ୍ରେଟେଡ୍ ରହିବା ଅତ୍ୟନ୍ତ ଜରୁରୀ। ଡାକ୍ତରମାନେ ଏପରି ରୋଗୀଙ୍କୁ ଦିନସାରା ଅତି କମରେ ଦୁଇ ଲିଟର ପାଣି ପିଇବାକୁ ପରାମର୍ଶ ଦିଅନ୍ତି। ପାଣି ବ୍ୟତୀତ ଆପଣ ଫଳ ରସ, ଲସି, ନଡିଆ ପାଣି, ଅଙ୍ଗୁର ଏବଂ ତରଭୁଜ ମଧ୍ୟ ଖାଇପାରିବେ।

ପନିର: ଅପଣଙ୍କୁ ପନିର ଖାଇବା ପସନ୍ଦ ଥାଉ କିମ୍ବା ନଥାଉ, ଯଦି ଲୋ ବ୍ଲଡପ୍ରେସର ଶିକାର ହୋଇଥାନ୍ତି ତେବ ଏହା ଖାଇବା ଦ୍ୱାରା ଆପଣଙ୍କୁ ବହୁତ କିଛି ସାହାଯ୍ୟ ମଳିବ। ଲୋ’ ବିପିର ସମସ୍ୟା ଥିଲେ ଡାକ୍ତରମାନେ ଲୁଣ ଭଳି ପନିର ଖାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥା’ନ୍ତି।

ଚିନି ଯୁକ୍ତ ଖାଦ୍ୟ: ଲୋ’ ବ୍ଲଡ ପ୍ରେସର ଥିବା ରୋଗୀ ଚିନି ଯୁକ୍ତ ଖାଦ୍ୟ ପଦାର୍ଥ କିମ୍ବା କୋଲ୍ଡ ଡ୍ରିଙ୍କ ସେବନ କରିବା ଉଚିତ। ଯଦି ହଠାତ ରକ୍ତଚାପ କମି ଯାଉଛି ତେବେ ସେହି ସମୟରେ ଏଭଳି କିଛି ଖାଦ୍ୟ ଖାଇବା ଦ୍ୱାରା ଆରାମ ମିଳିଥାଏ। ଆପଣ ଚାହିଁଲେ କେଫିନ ଯୁକ୍ତ ଖାଦ୍ୟ ତଥା ଚା’ କିମ୍ବା କଫି ମଧ୍ୟ ପିଇ ପାରିବେ।

୧୨ରୁ ବଜେଟ ଅଧିବେଶନ, ନେଗେଟିଭ ରିପୋର୍ଟ ଥିଲେ ହିଁ ମିଳିବ ପ୍ରବେଶ ଅନୁମତି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତା ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏଥର ବିଧାନସଭା ବଜେଟ ଅଧିବେଶନ  ପୂର୍ବରୁ ସବୁ ବିଧାୟକଙ୍କର କୋଭିଡ ଟେଷ୍ଟ ହେବ। ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାୟକଙ୍କ ଆଣ୍ଟିଜେନ ଟେଷ୍ଟ କରି ଦୁଇ ଘଣ୍ଟା ଭିତରେ ଦିଆଯିବ ରିପୋର୍ଟ । ଯାହାର ନେଗେଟିଭ ରିପୋର୍ଟ ଆସିବ, କେବଳ ସେମାନଙ୍କୁ ବିଧାନସଭା ଭିତରକୁ ପ୍ରବେଶ ଅନୁମତି ଦିଆଯିବ। କେବଳ ସେମାନେ ହିଁ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ।ସୂଚନାଯୋଗ୍ୟ, ବିଭିନ୍ନ ରାଜ୍ୟରେ କରୋନ କୋପ ପୁଣି ଥରେ ଲେଉଟିଥିବା ବେଳେ ରାଜ୍ୟ ସରକାର ଏଥିନିମନ୍ତେ ସତର୍କତାମୂଳକ ଗାଇଡଲାନ୍‌ ଜାରି କରି ସାରିଲେଣି। ପୁଣି ଥରେ ଯେପରି କରୋନା ଗ୍ରାଫ ଉପରମୁହାଁ ନ ହୁଏ ସେଥିନିମନ୍ତେ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରାଯାଉଛି। ଆଗକୁ ଜାଗର ଥିବା ବେଳେ ବହୁ ଲୋକଙ୍କ ସମାଗମ ତଥା ଏକାଠି ଦୀପ ଜାଳିବାକୁ ବାରଣ କରାଯାଇଛି।ସେହିପରି ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାରୁ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ନିଆଁ ଆଁରେ ଶିମିଳିପାଳ, ପ୍ରତିବାଦରେ ଆଜି ମୟୂରଭଞ୍ଜ ବନ୍ଦ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିଆଁର ଆଁରେ ଗିଳି ହୋଇଯାଉଛି ସୁନ୍ଦରୀ ଶିମିଳିପାଳ।  ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କଲବଲ କରୁଛି ସର୍ବଗିଳା ନିଆଁ । ପ୍ରାୟ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଶିମିଳିପାଳ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାକୁ    ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି ଭଞ୍ଜ ସେନା ।  ଏହା ପ୍ରତିବାଦରେ  ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦେଇଛି ଭଞ୍ଜସେନା । ଆଜି ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ପଡିଛି । ଭଞ୍ଜସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ  ଆହ୍ୱାନ ଦେଇଛନ୍ତି ଭଞ୍ଜସେନା କର୍ମୀ। ଏହି ବନ୍ଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି। ଜୈବ ମଣ୍ଡଳର ସୁରକ୍ଷା ପାଇଁ କେହି ଚିନ୍ତା କରୁନଥିବା ଅଭିଯୋଗ କରିଛନ୍ତି ଉଭୟ ଭଞ୍ଜସେନା ଓ କଂଗ୍ରେସ।

Strike

ଏନେଇ କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି,ନିଆଁ ଲିଭାଇବା ପାଇଁ ସରକାରଙ୍କ ପ୍ରୟାସ ଯଥେଷ୍ଟ ନୁହେଁ। ମୟୂରଭଞ୍ଜର ଏକ ଅଣରାଜନୈତିକ ସଙ୍ଗଠନ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି। କଂଗ୍ରେସ ଏହାକୁ ସମର୍ଥନ କରିବ।

ପାରାଦୀପ ବିଶୋଧାନାଗାର ସମ୍ପ୍ରସାରଣ ଓ ନାପତା କ୍ରାକର ୟୁନିଟକୁ ନୀତିଗତ ମଞ୍ଜୁରୀ ଖୁବଶୀଘ୍ର : ଧର୍ମେନ୍ଦ୍ର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପାରାଦୀପସ୍ଥିତ ଆଇଓସିଏଲ ବିଶୋଧାନାଗାର ସମ୍ପ୍ରସାରଣ ଓ ନାପତା କ୍ରାକର ୟୁନିଟ୍ ପ୍ରକଳ୍ପ ଖୁବଶୀଘ୍ର ଭାରତ ସରକାରଙ୍କ ଦ୍ୱାରା ନୀତିଗତ ଅନୁମୋଦନ ପ୍ରାପ୍ତ କରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି ଦୁଇ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କଠୁ ଅଢ଼େଇ ହଜାର ଏକର ଜାଗାର ଆବଶ୍ୟକତା ରହିଛି। ଆଜି ଆଇଓସିଏଲ୍ ଓ ଇଡକୋ ମଧ୍ୟରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ପାଇଁ ଆଜି ଏମଓୟୁ ସ୍ୱାକ୍ଷର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପାରାଦୀପ ଓ ଭଦ୍ରକ ଅଂଚଳରେ ୨୬ହଜାର କୋଟି ଟଙ୍କାର ପ୍ରକଳ୍ପ ଯଥା- ପଲିପ୍ରପିଲିନ୍ ପ୍ଲାଣ୍ଟ ସମେତ ଅନ୍ୟାନ୍ୟ କାମ ପାଇଁ ୨୨ହଜାର କୋଟି ଟଙ୍କାର ପ୍ରକଳ୍ପ ଆଗାମୀ ୨ବର୍ଷ ଭିତରେ ସମାପ୍ତ ହେବ। ଓଡ଼ିଶା ସରକାର ନାପତା କ୍ରାକର ପାଇଁ ଦାବି କରୁଥିଲେ। ୨୫ହଜାର କୋଟି ଟଙ୍କା ଖର୍ଚ୍ଚ କରି ଚେନ୍ନାଇର ସିପିସିଏଲ, ହଳଦିଆ ଓ ପାରାଦୀପ ରିଫାଇନାରୀକୁ ନାଫତାକୁ ଉପଯୋଗ କରିବା ନେଇ ଆଇସିଓ ନୀତିଗତ ଭାବେ ସହମତି ହୋଇଛି। ସେହିପରି ଓଡ଼ିଶାରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ପାଇଁ ଚଣ୍ଡିଖୋଲ ଅଂଚଳରେ ପାଖାପାଖି ୧୧ହଜାର କୋଟି ଟଙ୍କା ଖର୍ଚ୍ଚ କରି ୪ ମିଲିୟନ ଟନର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ବନାଇବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ହେଉଛି ବିଶ୍ୱ ବାଣିଜ୍ୟ ତଥା ତୈଳ ଅର୍ଥନୀତି, ତେଣୁ ଏଥିରେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୪ବର୍ଷ ହେଲା ପାରାଦୀପ ରିଫାଇନାରୀ ୧୫ମିଲିୟନ ଟନର ଅତ୍ୟାଧୁନିକ ରିଫାଇନାରୀ ଭାବେ କାର୍ଯ୍ୟକ୍ଷମ। ଏହି ୧୫ ମିଲିୟନ ଟନକୁ ୨୫ ମିଲିୟନ ଟନ କରିବାକୁ ଇଣ୍ଡିଆନ ଅଏଲ ଲକ୍ଷ୍ୟ ରଖିଛି। ଏଥିପାଇଁ ୩୫ହଜାର କୋଟି ଟଙ୍କା ବ୍ୟୟବରାଦ ହେବ। ଏହାବ୍ୟତୀତ ଓଡ଼ିଶାର ଲୋକମାନେ ଗୁୁଜରାଟର ସୁରଟ, ତିରୁପୁର କାମ କରିବାକୁ ଯାଉଛି ।ସେହି ଯୁବକଯୁବତୀମାନଙ୍କୁ ବୟନଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଓଡ଼ିଶାରେ ପ୍ଲାଷ୍ଟିକ ଶିଳ୍ପ ଓ ବୟନଶିଳ୍ପ ପାଇଁ ଇସ୍ପାତ ଶିଳ୍ପର ମିଡିଲ ହୁକ୍ ପାଇଁ ଏବେ ଇଣ୍ଡିଆନ ଅଏଲ ୨୬ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି। ପାରାଦୀପ ସମେତ ଖୋର୍ଦ୍ଧା, ବାଲେଶ୍ୱର, ବ୍ରହ୍ମପୁର, କଟକ ଜିଲ୍ଲାରେ ପ୍ଲାଷ୍ଟିକ ଆଧାରିତ ଶିଳ୍ପ ସମୂହ ଗଢ଼ି ଉଠିଥିବାବେଳେ ରାଜ୍ୟରେ ଏହି ଶିଳ୍ପର ସ୍ଥାପନ ନିମନ୍ତେ ଇନସେଟିଭ ଦେବା ପାଇଁ ଇଣ୍ଡିଆନ ଅଏଲକୁ ଦାୟିତ୍ୱ ଦିଆଯାଇଛି। ଯାହାଦ୍ୱାରା ପ୍ଲାଷ୍ଟିକ ପାର୍କ ପାଇଁ ଶସ୍ତାରେ କଂଚାମାଲ ମିଳିଲେ ବିଶେଷଭାବେ ଓଡ଼ିଆ ଯୁବକମାନେ ଉଦ୍ୟୋଗୀ ହେବାକୁ ଚେଷ୍ଟ କରିବେ। ତେଣୁ ଇଣ୍ଡିଆନ ଅଏଲ ଜାତୀୟ ବଜାରରୁ ମେଟ୍ରିକ ଟନ୍ ପିଛା ୨ହଜାର ଟଙ୍କାରେ କଂଚାମାଲ କିଣି ଓଡ଼ିଶାର ଶିଳ୍ପ ସଂସ୍ଥାକୁ ଯୋଗାଇବ। ଏହା ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଅନେକ ସମ୍ଭାବନା ତିଆରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଆସନ୍ତାକାଲି ଜାଗର, ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୁଲିସ୍ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି ପାଳିତ ହେବ ମହାଶିବରାତ୍ରୀ । ତେବେ ଜାଗର ପାଇଁ କଟକଣା ଲଗାଇଛନ୍ତି ସରକାର। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି । ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ  ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ। ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ୍‌ । ମାଉସୀ ମା’ ପାର୍ଶ୍ୱରୁ ରଥରୋଡ଼କୁ ୪ ଚକିଆ ଯାନ ଛଡ଼ାଯିବ ନାହିଁ। ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ।  ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟୁ ଗାଡ଼ି ବିଏମସି ମାର୍କେଟ ପାର୍କିଂକୁ ଯିବ। ସେହିପରି କେଉଟସାହି ପଟର ଗାଡ଼ି ବିଏମସି ମାର୍କେଟ କମ୍ପଲେକ୍ସ ପାର୍କିଂ ସ୍ଥଳ ଯିବେ । ଦକ୍ଷିଣକାଳୀ ଓ ତାରାସୁନ୍ଦରୀ ରାସ୍ତାପଟ ଗାଡ଼ି ବିଏମ ହାଇସ୍କୁଲ ପଡ଼ିଆକୁ ଯିବେ । ପୁନାମା ଗେଟ ପଟର ଗାଡ଼ିକୁ ବଢ଼େଇବାଙ୍କ ଆଡକୁ ଛଡ଼ା ଯିବନି । ବିନ୍ଦୁସାଗର ପଟୁ ଭଜନ ମଣ୍ଡପ ଆଡ଼କୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ । ମହାଶିବରାତ୍ରି ପାଇଁ ଏଭଳି ବିଭିନ୍ନ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଏହାବ୍ୟତୀତ ଲିଙ୍ଗରାଜ ମନ୍ଦିର ବାହାରେ ୨ ଶହ ମିଟର ଯାଏଁ ଲମ୍ବା ବ୍ୟାରିକେଡ୍ କରାଯାଇଛି। ଭିତରେ ଭକ୍ତଙ୍କ ଭିଡ ଏଡାଇବାକୁ କରାଯାଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ । ମନ୍ଦିର ପରିସର ଓ ବାହାରେ ଟେଣ୍ଟ ବି ଲଗାଯାଇଛି। ବିଭିନ୍ନ ରାଜ୍ୟରେ ପୁଣି ଥରେ କରୋନା କୋପ  ଆରମ୍ଭ ହୋଇଥିବା ବେଳେ ସତର୍କତା ସ୍ୱରୂପ ଗତକାଲିଠାରୁ  ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହୋଇଛି ସେବାୟତଙ୍କ କୋଭିଡ୍ ଟେଷ୍ଟ । ମନ୍ଦିର ଭିତର ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କ ପରୀକ୍ଷା କରାଯିବ । ଟ୍ରଷ୍ଟ ବୋର୍ଡର ସଦସ୍ୟ, ଫୁଲ ଦୋକାନୀ ଓ ପୁଲିସ୍‌ ଅଧିକାରୀଙ୍କର ବି ହେବ କୋଭିଡ୍ ଟେଷ୍ଟ । ସେପଟେ ବାଲେଶ୍ୱରରେ ଜାରି ହୋଇଛି ମହାଶିବରାତ୍ରୀ କଟକଣା । ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଓ ମନ୍ଦିରରେ ଭିଡ ନକରିବାକୁ କଡା ନିର୍ଦେଶ ରହିଛି । ଠାକୁରଙ୍କ ନୀତିକାନ୍ତି ପାଇଁ କେବଳ ପୂଜକ ଓ ସେବାୟତଙ୍କୁ ମିଳିଛି ଅନୁମତି । ଜାଗର ଦିନ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି।

ମାଟିରେ ମିଶିଲା ୧୦୦ ବର୍ଷ ପୁରୁଣା ବେହେରା ସାହି ବସ୍ତି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/କଟକ) – ଉଚ୍ଛେଦ ହେବ ୧୦୦ ବର୍ଷର ପୁରୁଣା ମାଲଗୋଦାମ ସ୍ଥିତ ବେହେରା ସାହିବସ୍ତି। ଏସ୍‌ସିବି ମେଡିକାଲ ସଂଯୋଗ ରାସ୍ତାର ନବୀକରଣ ଲାଗି ମାଟିରେ ମିଶିବ ପୁରୁଣା ବସ୍ତି। ତା’ସହିତ ମାଲଗୋଦାମର କିଛି ଅଂଶ। ସରକାରଙ୍କ ଏହି ପ୍ରସ୍ତାବରେ ବସ୍ତି ବାସିନ୍ଦାମାନେ ରାଜି ହୋଇଥିଲେ। ହେଲେ ଥଇଥାନ ପାଇଁ ବାରମ୍ୱାର ସ୍ଥାନ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ବସ୍ତି ବାସିନ୍ଦା। ଉଚ୍ଛେଦ ହେବାକୁ ଥିବା ବେହେରା ସାହିବସ୍ତିକୁ ମାଲଗୋଦାମ ନିକଟ ଖାଲି ସ୍ଥାନରେ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। ପରେ ଏହାକୁ ବାତିଲ କରାଯାଇଥିଲା। ଓଏମ୍‌ପି ଛକ ୪୨ ମୌଜା ବ୍ରିଜ ନିକଟ ବାଲିସାହିରେ ବେହେରା ସାହିକୁ ଥଇଥାନ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ବାଲି ସାହିରେ ମଧ୍ୟ କେଉଁଠି ରଖାଯିବ ତାହା ସ୍ଥିର ହୋଇପାରୁନାହିଁ। ଉଚ୍ଛେଦ ସମୟ ପାଖେଇ ଆସୁଥିବାରୁ କେଉଁଠି ଓ କିପରି ରହିବେ ତାହାକୁ ନେଇ ଚିନ୍ତାରେ ପଡ଼ିଗଲେଣି ବସ୍ତିବାସିନ୍ଦା। ସେପଟେ ବସ୍ତି ଉଚ୍ଛେଦ ହୋଇ ଦୂର ସ୍ଥାନକୁ ନେଇଗଲେ ବସ୍ତି ପିଲାଙ୍କ ପାଠପଢାରେ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। କେବଳ ବସ୍ତି ବାସିନ୍ଦା ତାହା ନୁହେଁ, ବରଂ ମାଲଗୋଦାମର ପ୍ରଭାବିତ ଦୋକାନୀମାନଙ୍କୁ କେଉଁଠି ରଖାଯିବ ସେ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇପାରୁନାହିଁ। ଏସ୍‌ସିବି ମେଡିକାଲର ପ୍ରଥମ ପର୍ଯ୍ୟାୟ ଯୋବ୍ରାଠାରୁ ରାଣୀହାଟ ଯାଏଁ ରାସ୍ତା ସମ୍ପସାରଣ ଶେଷ ହୋଇଛି। ମାତ୍ର ରାଣୀହାଟରୁ ମାତୃଭବନ ଯାଏଁ ତାଳଦଣ୍ଡା କେନାଲର ରାସ୍ତା ପାର୍ଶ୍ୱ ଦ୍ୱିତୀୟ ପର୍ଯ୍ୟାଯରେ ସମ୍ପ୍ରସାରଣ ହେବ। ତେଣୁ ଅସନ୍ତୁଷ୍ଟ ଓ ଦ୍ୱନ୍ଦ୍ୱରେ ରହିଥିବା ବସ୍ତି ବାସିନ୍ଦାଙ୍କୁ ବୁଝାଇବା ଲାଗି ଖୋଦ୍‌ ଜିଲ୍ଲାପାଳ ଭାବନୀ ଶଙ୍କର ଚଇନୀ ଓ ସିଏମସି କମିଶନର ଅନନ୍ୟା ଦାସ ପହଞ୍ଚିଥିଲେ। ତେବେ ପ୍ରଭାବିତ ବ୍ୟବସାୟୀ ଓ ବସ୍ତି ବାସିନ୍ଦାଙ୍କ ଲାଗି ଭିନ୍ନ ସ୍ଥାନରେ ସମସ୍ତ ବ୍ୟବସ୍ଥା ଓ କ୍ଷତିପୂରଣ ବ୍ୟବସ୍ଥା କରାଯାଇଥିବା କହିଛନ୍ତି। ଏପିରିକି ବସ୍ତି ପିଲାଙ୍କ ପାଠ୍ୟକ୍ରମରେ ଯେପରି କୌଣସି ପ୍ରଭାବ ନ ପଡ଼ିବ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ଭାବନୀ ଶଙ୍କର ଚଇନୀ।

କେମିତି ବଞ୍ଚିବ ସୁନ୍ଦରୀ ଶିମିଳିପାଳ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସର୍ବଗିଳା ନିଆଁରୁ କେମିତି ବଞ୍ଚାଇହେବ ସୁନ୍ଦରୀ ଶିମିଳିପାଳ ? ସଙ୍କଟରେ ଥିବା ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କେମିତି ଦିଆଯାଇପାରିବ ସୁରକ୍ଷା ? ଚାଲିଛି ଯୁଦ୍ଧକାଳୀନ ଉଦ୍ୟମ। ଅଗ୍ନି ନିର୍ବାପନର ବୃହତ୍ତ ମିଶନରେ କଳ, ବଳ ଆଉ କୌଶଳ । ବନ ଓ ଅଗ୍ନ୍ନିଶମ କର୍ମଚାରୀଙ୍କ ପ୍ରାଣମୁର୍ଚ୍ଛା ପ୍ରୟାସ ପରେ ଅମାନିଆ ନିଆଁକୁ ଆୟତ୍ତ ପାଇଁ ଏଣ୍ଟ୍ରି ମାରିଛି ଓଡ୍ରାଫ୍ । ବାଲେଶ୍ୱର ଓ ବାରିପଦାରୁ ୫୦ ଜଣିଆ ଓଡ୍ରାଫ୍ ଟିମ୍ ଯଶିପୁର ରେଞ୍ଜକୁ ଯାଇ ନିଆଁ ଲିଭାରେ ଲାଗିଛନ୍ତି । ବନବିଭାଗ ସହ ୪ଟି ଅଗ୍ନିଶମ ବିଭାଗର ଟିମ୍ ବି ଶିମିଳିପାଳ ଭିତରେ ଅଛନ୍ତି । ତଥାପି ନା ଆୟତ୍ତକୁ ଆସିପାରୁଛି ବନାଗ୍ନି, ନା ବଞ୍ଚାଇ ହେଉଛି ଶିମିଳିପାଳର ସବୁଜିମା । ଆଜି ୨୦ଟି ସ୍ଥାନରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ତାହାରି ଭିତରେ ଧୂଆଁ ଆଉ ଗରମ ପବନ ମାଡ଼ରେ ଆକ୍ତାମାକ୍ତା ଜୀବଜନ୍ତୁ ଜନବସତିକୁ ଚାଲିଆସୁଛନ୍ତି । ସ୍ଥିତି ସଂଗୀନ ହେବା ପରେ ମୟୁରଭଞ୍ଜ ଜିଳ୍ଲାପାଳ, ଏସ୍‌ପିଙ୍କ ସମେତ ବନ ବିଭାଗର ବରିଷ୍ଠ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ଅନୁଧ୍ୟାନ କରିଛନ୍ତି । ସେପଟେ ରାଜସ୍ୱ ମନ୍ତ୍ରୀ ଶିମିଳିପାଳ ଅଗ୍ନିକାଣ୍ଡ ନେଇ ବାରିପଦାରେ ଏକ ସମୀକ୍ଷା କରିଛନ୍ତି । ମୟୁରଭଞ୍ଜରୁ ମାଲକାନଗିରି, ବଲାଙ୍ଗିରରୁ ବାଲେଶ୍ୱର। ସବୁଠି ଜଙ୍ଗଲି ନିଆଁର ତାଣ୍ଡବ ଦେଖିବାକୁ ମିଳିଛି। ଶିମିଳିପାଳ ଭଳି କେଉଁଠି ନା କେଉଁଠି ଜଳୁଛି ଅଭୟାରଣ୍ୟ । ଗତକିଛି ବର୍ଷ ହେଲା ଗ୍ରୀଷ୍ମ ଆରମ୍ଭରୁ ବିପଦ ବଢ଼ାଉଛି ବନାଗ୍ନି। ବଲାଙ୍ଗିର ସହର ଉପକଣ୍ଠରେ ଥିବା ୪ଟି ଜଙ୍ଗଲ ଜଳୁଛି । ମାଳ ମାଳ ବନ କର୍ମଚାରୀ ବି ଅଛନ୍ତି । କିନ୍ତୁ ନିଦ ଭାଙ୍ଗୁନି କାହାର। ଫଳରେ ବନ୍ୟପ୍ରାଣୀ ବିପଦରେ ତ ଅଛନ୍ତି, ତାସହ ବଢ଼ିଚାଲିଥିବା ତାପମାତ୍ରା ଜିଲ୍ଲାବାସୀଙ୍କୁ ନାକେଦମ୍ କରୁଛି। ଏପଟେ ସମ୍ବଲପୁରର ଆଖପାଖ ଅଞ୍ଚଳର ଜଙ୍ଗଲରେ ଲାଗିଥିବା ନିଆଁ ଆୟତ୍ତକୁ ଆସିପାରୁନାହିଁ । ଫଳରେ ଏଠି ବି ନିଆଁ ଆଉ ଧୂଆଁରେ ଅଣନିଃଶ୍ୱାସୀ ଲୋକେ । ଏସବୁ ଭିତରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବନ ବିଭାଗ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ କରିଛି କାର୍ଯ୍ୟାନୁଷ୍ଠାନ । ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇଥିବା ଜଣେ ଶିକାରୀକୁ ଗିରଫ କରାଯାଇଛି।ଗତକାଲି ବାଦାମପାହାଡରୁ ଏଭଳି ଜଣେ ଶିକାରୀକୁ ଗିରଫ କରିଥିଲା ବନବିଭାଗ । ତେବେ ଚିନ୍ତା ବଢ଼ାଉଥିବା ଜଙ୍ଗଲ ନିଆଁକୁ କେମିତି ତୁରନ୍ତ କରିହେବ ଆୟତ୍ତ ? ଅଗ୍ନିକାଣ୍ଡର କାରଣ ଏବଂ ନିରାକରଣ କଣ ? ଫରେଷ୍ଟ ଫାୟାର ଟାସ୍କଫୋର୍ସ କହିଛି, ରାତ୍ରକାଳୀନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ। ସେହିପରି ଅଧିକ ଲୋକବଳ ଏବଂ ଯନ୍ତ୍ରପାତି ନିୟୋଜନ କରାଯିବା ସହ ଜଙ୍ଗଲ ସଂଲଗ୍ନ ୩ହଜାର ଗାଁକୁ ନିଆଁକୁ ନିୟନ୍ତ୍ରଣ ପାଇଁ ସହାୟତା ନିମନ୍ତେ ପ୍ରୋତ୍ସାହନ ଦିଆଯିବ।  ସେପଟେ ଶିମିଳିପାଳ ସହ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ହାଇକୋର୍ଟରେ ଦାୟାର ହୋଇଛି ଜନସ୍ୱାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ଏହି ମାମଲା ଦାୟାର କରି ନିଆଁ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ଦର୍ଶାଇଛି । ଉପଯୁକ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛି ପରିଷଦ।

କାଲି ଜାଗର, ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କଲେ ସେବାୟତ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି ପାଳିତ ହେବ ଜାଗର ଯାତ୍ରା। ହେଲେ ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ  ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ। ମନ୍ଦିରର ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ  ଏପରି ଅସହଯୋଗ କରାଯାଇଛି। ରୋଷ, ହୋମ ପରେ ଆଜି ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି। ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତ। ମୁଖ୍ୟତଃ ଶ୍ରାବଣୀ ଭାରର ମୂଲ୍ୟ ନିମନ୍ତେ ବଡନିଯୋଗ ଦାବି କରିଥିବା ବେଳେ ମନ୍ଦିରର ଶହ ଶହ ବର୍ଷର ପରମ୍ପରା କପିଳନାଥଙ୍କ ସହ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଭାଟ କରିବାକୁ ଦାବି ଜଣାଇଛି ବ୍ରାହ୍ମଣ ନିଯୋଗ। ଏହି ପରମ୍ପରା ଦୀର୍ଘ ବର୍ଷ ହେବ ପାଳିତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି  ବ୍ରାହ୍ମଣ ନିଯୋଗ । ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ତରଫରୁ ୨ ଦିନ ତଳେ ଦେବୋତ୍ତର କମିଶନରଙ୍କୁ ଦାବି ଜଣାଯାଇଥିଲା। ହେଲେ କିଛି ସୁଫଳ ମିଳି ନ ଥିଲା। ଗତକାଲି ରାତି ସୁଦ୍ଧା ଦାବି ପୂରଣ ନ ହେଲେ ଜାଗର ପୂର୍ବ ଦିନରୁ ସମସ୍ତ ନୀତିକାନ୍ତିରେ ଅସହଯୋଗ କରିବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ୱେ ଦାବି ପୂରଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାନ ଯିବାରୁ ଆଜି ସକାଳୁ  ବଡ଼ ନିଯୋଗ ଓ ବ୍ରାହ୍ମଣ ନିଯୋଗ ତରଫରୁ ଏପରି ପଦକ୍ଷେପ ନିଆଯାଇଛି। ଅପରପକ୍ଷେ, କୋଭିଡ କଟକଣା ମଧ୍ୟରେ ଜାଗର ଯାତ୍ରା ପାଳନ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ବ୍ୟାରିକେଡ ନିର୍ମାଣ ସହ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା, ପାର୍କିଂ ଆଦି ନିମନ୍ତେ ପ୍ରସ୍ତୁତି ସରିଲାଣି। ହେଲେ ବଡ଼ ନିୟୋଗ ଓ ବ୍ରାହ୍ମଣ ନିୟୋଗ ସେବାୟତ ନିଜ ଜିଦ୍‌ରେ ଅଟଳ ଥିବାରୁ ଆସନ୍ତାକାଲି ପ୍ରଭୁଙ୍କ ନୀତିକାନ୍ତି ପାଳନ ସହ ମହାଦୀପ ଠିକ୍‌ ସମୟରେ ଉଠିବା ନେଇ ଏବେଠୁ ଶଙ୍କା ଦେଖାଗଲାଣି।