ସାଇବର ଆଟାକ୍‌ କରି ମୁମ୍ବାଇରେ ବିଜୁଳି ବିଭ୍ରାଟ କରିଥିଲା ଚାଇନା ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ)- ସୀମାରେ ଭାରତ ସହ ତିକ୍ତତା ସୃଷ୍ଟି କରିଥିବା ଚାଇନା ସାଇବର ଆଟାକ ମଧ୍ୟ କରିଛି। ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ଦୀର୍ଘ ସମୟ ଧରି ବିଜୁଳି ବିଭ୍ରାଟ ଦେଖାଯାଇଥିଲା। ଟ୍ରେନ୍‌ ଚଳାଚଳ ଠାରୁ ଆରମ୍ଭ କରି ବେପାର ବଣିଜ କିଛି ସମୟ ପାଇଁ ଅଟକି ଯାଇଥିଲା। ତେବେ ଏହା ପଛରେ ଚାଇନାର ସାଇବର ଆଟାକ ଥିବା ନ୍ୟୁୟର୍କ ଟାଇମ୍ସରେ ଆଶଙ୍କା କରାଯାଇଛି। ଏହି ଖବର ସଂପୂର୍ଣ୍ଣ ସତ୍ୟ ଓ ମୁମ୍ବାଇରେ ବିଜୁଳି ବିଭ୍ରାଟ ପଛରେ ଚାଇନାର ସାଇବର ଆଟାକ ରହିଥିବା ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନୀତୀନ ରାଉତ ଆଜି କହିଛନ୍ତି। ଭାରତରେ କରୋନା ମହାମାରୀର ସଙ୍କଟ ଚାଲିଥିବା ବେଳେ ଗତବର୍ଷ ଅକ୍ଟୋବର ମାସରେ ମୁମ୍ବାଇରେ ଏକ ବଡ଼ଧରରଣ ବିଦ୍ୟୁତ ସଙ୍କଟ ଦେଖାଦେଇଥିଲା। ଏହି କାରଣରୁ ଟ୍ରେନଗୁଡ଼ିକ ରାସ୍ତାରେ ଅଟକି ରହିଥିଲା ଓ ହସ୍ପିଟାଲ ଗୁଡ଼ିକ ଜେନେରେଟର ଚଳାଇ ଭେଣ୍ଟିଲେଟରରେ ରୋଗୀଙ୍କ ଚିକିତ୍ସା କରିଥିଲେ। ଏ ବିଷୟରେ ଏବେ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଚାଇନାର ହ୍ୟାକର ଗୋଷ୍ଠୀ RedEcho ଭାରତୀୟ ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରିଛି। ଏହି ଗ୍ରୁପ୍‌ ହିଁ ଭାରତୀୟ ପାୱାର ପ୍ଲାଣ୍ଟରେ ମାଲୱେର ଛାଡ଼ି ଏହାକୁ ଅଚଳ କରିଦେଇଥିଲା। ଗଲୱାନ ଉପତ୍ୟକାରେ ଉଭୟ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖାଦେଇଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଚାଇନା ମଧ୍ୟ ଅନେକ ଯବାନଙ୍କୁ ହରାଇଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚମର ସୀମାରେ ପହଞ୍ଚିଥିଲା। ଭାରତକୁ ଶିକ୍ଷା ଦେବା ପାଇଁ ଚାଇନାର ହ୍ୟାକରମାନେ ବିଜୁଳି ବିତରଣ କେନ୍ଦ୍ର ବା ଗ୍ରୀଡ୍‌କୁ ଟାର୍ଗେଟ କରି ମାଲୱେର ଛାଡ଼ିଥିଲେ। ଏଥିଯୋଗୁ ମୁମ୍ବାଇରେ ପ୍ରାୟ ୨ ଘଣ୍ଟା ଧରି ବିଜୁଳି କଟି ଯାଇଥିଲା। ଚାଇନିଜ୍ ମାଲୱେର ପ୍ରବାହକୁ ଆମେରିକାର ଏକ କମ୍ପାନୀ Recorded Future ଠାବ କରିଥିଲା। ଏହି କମ୍ପାନୀ ଡିଜିଟାଲ ବିପଦର ଅଧ୍ୟୟନ କରିଥାଏ। କମ୍ପାନୀ କହିଛି ଯେ ଭାରତୀୟ ପାୱାର ଗ୍ରୀଡରେ ମାଲୱେର ପ୍ରବେଶ କରିଥିଲେ ହେଁ ଅଧିକାଂଶ ଆକ୍ଟିଭ ହୋଇ ନଥିଲା। ଏହି କାରଣରୁ ବେଶୀ କିଛି କ୍ଷତି ହୋଇ ନଥିଲା। କେବଳ ମାଲୱେରର ଛୋଟିଆ ଅଂଶ ମୁମ୍ବାଇରେ ବିଜୁଳି ବିଭ୍ରାଟ ସୃଷ୍ଟି କରିଥିଲା। ଅନ୍ୟପକ୍ଷରେ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତୀନ ରାଉତ କହିଛନ୍ତି, ନ୍ୟୁୟର୍କ ଟାଇମ୍ସରେ କରାଯାଇଥିବା ଦାବିରେ ସତ୍ୟତା ରହିଛି। ଆମେ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲୁ। ସାଇବର ବିଭାଗ ଠାରୁ ଆମେ ଆଜି ସନ୍ଧ୍ୟାରେ ବିସ୍ତୃତ ରିପୋର୍ଟ ପାଇବୁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ସାଇବର ବିଭାଗ ମୁମ୍ବାଇ ବିଜୁଳି ବିଭ୍ରାଟ ପଛରେ ସାଇବର ଆଟାକ କଥା ସନ୍ଦେହ କରିଥିଲା।

ଆଜିଠୁ କୁଆଖାଇ ପୋଲରେ ଯାତାୟତ ବନ୍ଦ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ । ଏହାର ମରାମତି ପାଇଁ ଆଜିଠୁ ଠିକ୍ ୨ ମାସ ଅର୍ଥାତ୍ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କମିଶନରେଟ୍ ପୁଲିସ୍‌  ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଦୀର୍ଘ ଦିନ ଧରି ଏହି ବ୍ରିଜ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହାର ମରାମତି ପାଇଁ ଦାବି ହେଉଥିଲା । ତେଣୁ ମରାମତି ହେବାକୁ ଥିବାରୁ ଏହା ଉପରେ କୌଣସି ଯାନବାହନ ଚଳଳଚଳ କରିବ ନାହିଁ। ଭୁବନେଶ୍ୱର ପଟୁ କଟକ ଯାଉଥିବା ସମସ୍ତ ପ୍ରକାର ଯାନବାହନ ମଝି କୁଆଖାଇ ପୋଲ ଦେଇ ଯାତାୟତ କରିବ।

କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ହେବ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଚଳିତବର୍ଷ ଲିଙ୍ଗରାଜ ମହାପ୍ରଭୁଙ୍କର ହେବ ମହାଶିବରାତ୍ରୀ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଜାଗର ଯାତ୍ରା କରିବାକୁ ସ୍ଥିର ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିସ୍ପତି ନିଆଯାଇଛି । ମହାଶିବରାତ୍ରୀରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ରଖାଯାଇଛି। ଯେଉଁ ଭକ୍ତମାନେ ମନ୍ଦିର ଭିତରକୁ ଯିବେ, ସେମାନେ ଗର୍ଭଗୃକୁ ଯାଇପାରିବେ ନାହିଁ। କେବଳ ଆଡ଼କାଠରେ ରହି ମହାଦେବଙ୍କ ଦର୍ଶନ କରିବେ। ସମ୍ପୂର୍ଣ୍ଣ ବ୍ୟାରିକେଡ୍‌ ଭିତରେ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ଶ୍ରଦ୍ଧାଳୁଙ୍କ ପାଇଁ ଛାଇ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ। ଯେଉଁମାନଙ୍କଠାରେ କରୋନା ଲକ୍ଷ୍ୟଣ ଦେଖାଯିବା, ଦରକାର ପଡ଼ିଲେ ସେହିଠାରେ ସେମାନଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ଆଜିର ବୈଠକରେ ଲିଙ୍ଗରାଜ ମନ୍ଦିର ୩ ନିଯୋଗ, BMC କର୍ତ୍ତୃପକ୍ଷ, ଲିଙ୍ଗରାଜ ମନ୍ଦିର ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ। ମହାମାରୀ କରୋନାର ପ୍ରକୋପ ଏବଂ ଏହାପରେ ଲକ୍‌ଡାଉନ୍‌ କାରଣରୁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତବର୍ଷ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଗଡ଼ିନଥିଲା। ଯାହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହି ଦୃଷ୍ଟିରୁ ଚଳିତବର୍ଷ ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ନେଇ ସସ୍‌ପେନ୍ସ ଦେଖାଦେଇଥିଲା। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଜାଗର ଯାତ୍ରା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇ ଯାଇଛି। ଯାହାକୁ ମନ୍ଦିର ସେବାୟମାନେ ସ୍ୱାଗତ କରିଛନ୍ତି।

ଡିପ୍ରେସନ ଦୂର କରିବ କଫି, ଜାଣନ୍ତୁ ଆଉ କ’ଣ ମିଳିବ ଫାଇଦା ।
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସକାଳୁ ସକାଳୁ କପେ ଗରମାଗରମ ଚା କିମ୍ବା କଫି ପିଇଗଲେ ପୂରା ଦିନଟା ଫ୍ରେଶ,ଫ୍ରେଶ ଲାଗେ।  କିନ୍ତୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରର ବୋଲି ଲୋକଙ୍କ ମନରେ ଧାରଣା ରହିଛି। କିନ୍ତୁ ଆଜି ଏପରି ଭ୍ରାନ୍ତ ଧାରଣା ମନରୁ ଦୂର କରି ଜାଣିବା କଫିରୁ ଶରୀରକୁ  ମିଳିବାକୁ ଥିବା ଫାଇଦା ବିଷୟରେ ।
  • ସକାଳେ କଫି ପିଇବା ଦ୍ୱାରା କେବଳ ଯେ ଫ୍ରେଶ ଲାଗେ ତାହା ନୁହେଁ, ଏହାଦ୍ୱାରା ଡିମେନଶିଆରୁ ମଧ୍ୟ ବହୁ ମାତ୍ରାରେ ମୁକ୍ତି ମିଳିଥାଏ। ରିସର୍ଚ୍ଚ ମୁତାବକ, କଫିରେ ଥିବା ମସ୍କିଷ୍କରେ ମହଜୁଦ ଥିବା ଏଞ୍ଜାଇମ୍ସକୁ  କେଫିନରୁ ଶକ୍ତି  ମିଳିଥାଏ ଏବଂ ଏହା ସ୍ନାୟୁକୋଷକୁ  ରକ୍ଷା କରିଥାଏ।
  • ଡିପ୍ରେସନ ଦୂର କରିଥାଏ କଫି। ଏଥିସହ ରେଗୁଲାଗ କଫି ସେବନ କରୁଥିବା ଲୋକଙ୍କର ସୁଇସାଇଡ କରିବା ରିସ୍କ ମଧ୍ୟ କମିଥାଏ। ହାବର୍ଡ ସ୍କୁଲ ଅଫ୍‌ ପବ୍ଲିକ ହେଲଥ ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁ ମହିଳା ଦିନକୁ ୪ କପ୍‌ କିମ୍ବା ତା’ଠୁ ଅଧିକ କଫି ପିଅନ୍ତି ସେମାନେ ଡିପ୍ରେସନର ଶିକାର କମ୍‌ ହୁଅନ୍ତୁ। ଅର୍ଥାତ ଡିପ୍ରେସନର ଶିକାର ହେବା ଆଶଙ୍କା ଆହୁରି ୨୦ ପ୍ରତିଶତ କମିଯାଏ।
  • ଏକ କପ୍‌ କଫିରେ ୧.୮ ଗ୍ରାମ ଫାଇବର ଥାଏ। ଦିନ ସାରା ୨୦ରୁ ୩୮  ଗ୍ରାମ ଫାଇବର ଗ୍ରହଣ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେଣୁ କଫି ସେବନ କରୁଥିବା ଲୋକ ଏହାଦ୍ୱାରା ନିୟମିତ  ଭାବେକିଛି ଫାଇବର ପାଇପାରିଥାନ୍ତି।
  • ୨୦୧୫ରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଦିନ ସାରା ୪ କପ୍‌ରୁ ଅଧିକ କଫି ପିଇବା ଦ୍ୱାରା ବହୁ ଗମ୍ଭୀର ବେମାରରୁ ରକ୍ଷା ମିଳିପାରିବ। ରୋଗ ବଢ଼ିବାର କାରଣ ସାଜୁଥିବା ନ୍ୟୁରଲ ଇଂଫ୍ଲେମେଶନକୁ ରୋକିଥାଏ କଫି। କେଫିନ୍‌ରେ ଥିବା ତତ୍ତ୍ୱ ଶରୀରରେ ଚର୍ବି କମାଇଥାଏ। ବହୁ ରିସର୍ଚ୍ଚରୁ ସାବ୍ୟସ୍ତ ହୋଇସାରିଛି କି କେଫିନ୍‌ ଶରୀରରେ ୩ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ ମେଟାବାଲିକ ରେଟ୍‌କୁ ବୁଷ୍ଟ କରିଥାଏ।

coffee

  • ଅନ୍ୟ ଏକ ରିସର୍ଚ୍ଚରୁ ଜଣାପଡ଼ିଛି, କେଫିନ୍‌ ଦ୍ୱାରା ମୋଟା ଲୋକଙ୍କ ଶରୀରରେ ୧୦ ପ୍ରତିଶତ ଓ ଦୁର୍ବଳ ଲୋକଙ୍କ  ଶରୀରରେ ୨୯ ପ୍ରତିଶତ ଫ୍ୟାଟ୍‌ ବର୍ଣ୍ଣ ହୋଇଥାଏ।
ଆଜିର ରାଶିଫଳ – ୨ ମାର୍ଚ୍ଚ, ମଙ୍ଗଳବାର

ମେଷ: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନର ଅଭିଳାଷ ପୂରଣ ହେବ। ଶତ୍ରୁମାନେ ପରାଜିତ ହେବେ ଏବଂ ମାନ ସମ୍ମାନ ପ୍ରତିଷ୍ଠା ଅର୍ଜନ କରିବେ। ମାଲିମକଦ୍ଦମାରେ ବିଜୟ ଲାଭ କରିବାର ସମ୍ଭାବନା ଅଧିକ ରହିଛି।  ପ୍ରତିକାର- କିଛି ଗାଈକୁ ଖାଇବାକୁ ଦିଅନ୍ତୁ।

ବୃଷ: କାର୍ଯ୍ୟରେ ବିଳମ୍ବ, ଅପବ୍ୟୟକୁ ନେଇ ମନ ଭାରକ୍ରାନ୍ତ ରହିବ। କେହି ଜଣେ ବ୍ୟକ୍ତି ଶତ୍ରୁତା ଆଚରଣ କରି ବିପଦରେ ପକାଇ ଦେଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକମାନ ସୃଷ୍ଟି ହେବ। ପ୍ରତିକାର- ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମିଥୁନ: ପୈତୃକ ସମ୍ପତ୍ତିକୁ ନେଇ ଲାଗିଥିବା ବାଦ ବିବାଦର ସମାଧାନ ହେବ। ନିଜର ଲୋକମାନେ ସାହାଯ୍ୟ ସହାନୁଭୂତି ପ୍ରଦାନ କରିବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ। ପ୍ରତିକାର- ଶ୍ରୀ ବିଷ୍ଣୁଙ୍କୁ ଦର୍ଶନ କରନ୍ତୁ ଓ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

କର୍କଟ: ଶାରୀରିକ  ଓ ମାନସିକ ଅଭିବୃଦ୍ଧି ଘଟିବ। କୌଣସି ମାଙ୍ଗଳିକ ଉତ୍ସବରେ ଅଂଶ ଗ୍ରହଣ କରିବାର ସୁଯୋଗ ରହିଛି। କର୍ମଜୀବି ମହିଳାମାନେ ପ୍ରଶଂସାର ଅଧିକାରୀ ହେବେ। ପ୍ରତିକାର- କଉଡିଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ଯୁକ୍ତିତର୍କ କଥାରୁ ଦୂରେଇ ରୁହନ୍ତୁ ନଚେତ୍ ଅଯଥା ମନୋମାଳିନ୍ୟ ଦେଖାଦେବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ।  ଯାହାଫଳରେ ମନସ୍ତାପ ଦେଇ ଗତି କରିବେ। ଗୁପ୍ତ ଶତ୍ରୁ ଭୟ ମନକୁ ବ୍ୟତିବ୍ୟସ୍ତ କରାଇବ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ କରାନ୍ତୁ।

କନ୍ୟା: ଧନ ମାନ ପ୍ରତିଷ୍ଠା ମିଳିବା ସହିତ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ତୁଳା: ଅନେକ ବାଧାବିଘ୍ନ ଆସିଲେ ମଧ୍ୟ ସମାଧାନର ବାଟ ଦେଖାଦେବ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଆକସ୍ମିକ ଦୁର୍ଘଟଣା ଦେଖାଦେଇପାରେ। ପ୍ରତିକାର- କିଛି କଞ୍ଚାକ୍ଷୀରରେ କଳାରାଶି ମିଶାଇ ମହାଦେବଙ୍କୁ ଅର୍ପଣ କରନ୍ତୁ।

ବିଛା: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନିର୍ମାଣଧୀନ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପୂର୍ଣ୍ଣାଙ୍ଗ କରିବେ। ଛାତ୍ରଛାତ୍ରୀମାନେ ପ୍ରଗତି ପଥରେ ଅଗ୍ରସର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ପ୍ରତିକାର- ସାତଥର ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ ଓ ସୁଖ୍ୟାତି ଅର୍ଜନ କରିବେ। କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆମଦାନୀ ରପ୍ତାନୀ ଜାତୀୟ କାରବାରରେ ଲାଭବାନ ହେବେ। ପ୍ରତିକାର- ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ମକର: ବୃଥା ଭ୍ରମଣ, ଶାରୀରିକ ଅସୁସ୍ଥତା ଓ ମାନସିକ ଅବସାଦ ଦେଖାଦେବ। ସାମାଜିକ ଓ ରାଜନୈତିକ ସମ୍ମାନ କ୍ଷୁର୍ଣ୍ଣ ହେବ। ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହୋଇ ବିଦ୍ୟା ଶିକ୍ଷାରେ ଅସଫଳ ହୋଇପାରନ୍ତି। ପ୍ରତିକାର- ଅଶ୍ୱତଥ ଗଛ ମୂଳରେ ରାଶି ତେଲର ଦୀପଟିଏ ଜାଳନ୍ତୁ।

କୁମ୍ଭ: କୌଣସି କାର୍ଯ୍ୟ ପ୍ରତି ସ୍ପୃହା ରହିବ ନାହିଁ। ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି । ତେଣୁ ଜଗିରଖି ଚଳନ୍ତୁ। କୌଣସି ମୂଲ୍ୟବାନ ଦ୍ରବ୍ୟ ଚୋରୀ ହୋଇଯାଇପାରେ କିମ୍ବା ହଜିଯିବାର ସମ୍ଭାବନା ରହିଛି। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ମୀନ: କୌଣସି ଅନୁଷ୍ଠାନରେ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବାର ସୁଯୋଗ ରହିଛି। ଆଧ୍ୟାତ୍ମିକ ଦିଗରେ ମନ ନିବେଶ କରି ଶାନ୍ତି ଲାଭ କରିବେ। ପ୍ରତିକାର- ହଳଦି ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।