ଖୋଲିଲା ଅଙ୍ଗନୱାଡି କେନ୍ଦ୍ର …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଛି। ଦୀର୍ଘ ମାସ ପରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଥିବାରୁ କୁନି ପିଲାଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି।  ହେଲେ କରୋନା ମହାମାରୀ କଟକଣା ଭିତରେ ଏହା ଖୋଲାଯିବ। ରାଜ୍ୟ ସରକାରଙ୍କ ଫେବୃଆରି ଗାଇଡ ଲାଇନ୍ ଅନୁଯାୟୀ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲୁଛି।  କୌଣସି ସ୍ଥାନରେ କରୋନା ସଂକ୍ରମଣ ଦେଖା ଦେଲେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ମାନି ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ଜୋନ ଘୋଷଣା କରିପାରିବେ । ସେହିପରି ପ୍ରାଥମି ସ୍କୁଲ ଖୋଲିବା ନେଇ ମଧ୍ୟ ଏସ୍ଓପି ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ବୈଷୟିକ  ଶିକ୍ଷା ବିଭାଗର ଅନୁମତି ନେଇ ଇଂଜିନିଅରିଂ କଲେଜ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନେଇ ପାରିବେ।

ପିଲାଙ୍କୁ ମିଳିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ଼..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –କୋମଳମତି ପିଲାଙ୍କୁ ମିଳିବ ପୁଷ୍ଟିକର ଖାଦ୍ୟ। ଦିଆଯିବ ହାପିନେସ୍ କିଟ୍। ଏହି କିଟ୍‌ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ । ଏହାସହ ପେନ୍, ପେନ୍ସିଲ୍, ନୋଟ୍ ପ୍ୟାଡ୍, ସାନିଟାରୀ ନାପକିନ୍, ଟୁଥ୍ ପେଷ୍ଟ, ଆୟୋଡିନ ଲୁଣ ଓ ସାବୁନ ବି ରହିବ । ଉଦ୍ଦେଶ୍ୟ କରୋନା କାଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉନି। ଏହାବଦଳରେ ଅଭିଭାବକଙ୍କ ଆକାଉଣ୍ଟକୁ ଯାଉଛି ଏବାବଦକୁ ଅର୍ଥ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ୍ ଖୋଲିବା ପୂର୍ବରୁ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଜରିଆରେ ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ୧୯୧୬ ସ୍କୁଲରୁ ଏକ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀଙ୍କୁ ହାପିନେସ୍ କିଟ୍ ଦିଆଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଗାଣକାରୀ ସଂସ୍ଥା ମାଧ୍ୟମରେ ହାପିନେସ୍ କିଟ୍ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ୬୦ ହଜାର ପ୍ରାଥମିକ ସ୍କୁଲରେ ପଢୁଛନ୍ତି ପ୍ରାୟ ୩୦ ଲକ୍ଷ ଛାତ୍ରଛାତ୍ରୀ । କରୋନା ପାଇଁ ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ପିଲାଏ ସ୍କୁଲ୍ ମାଡି ନଥିବାବେଳେ ମଧ୍ୟାହ୍ନ ଭୋଜନ ବି ବନ୍ଦ ଅଛି । ତେବେ ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ଅଭିଭାବକଙ୍କ ଆକାଉଣ୍ଟକୁ ଯାଉଥିଲେ ସୁଦ୍ଧା ପଛୁଆ ଅଞ୍ଚଳରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ କେତେ ମିଳୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ହାପିନେସ୍ କିଟ୍ ସ୍କୁଲ୍ ଖୋଲିବା ପୂର୍ବରୁ ସମସ୍ତଙ୍କ ପାଖରେ ପହଞ୍ଚିଲେ ପିଲାମାନେ ଉପକୃତ ହେବେ ବୋଲି ଅଭିଭାବକ ମତ ପ୍ରକାଶ କରିଛନ୍ତି। ଫେବୃଆରୀ  ପ୍ରଥମ ସପ୍ତାହରେ ଏହି ହାପିନେସ୍ କିଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏହା ସବୁ ଛାତ୍ରଛାତ୍ରୀଙ୍କ ପାଖରେ କେତେ ଶୀଘ୍ର ପହଞ୍ଚୁଛି ତାଉପରେ ରହିଛି ନଜର।

କେନ୍ଦ୍ର ବଜେଟରୁ ଲାଭ ପାଇବ ଓଡ଼ିଶା – ଧର୍ମେନ୍ଦ୍ର …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରୁ ସିଂହଭାଗ ଲାଭ ଓଡ଼ିଶା ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବଜେଟକୁ ଯୁଗାନ୍ତକାରୀ ବୋଲି କହିବା ସହ ଓଡ଼ିଶା ପାଇଁ ବଜେଟରେ ଅନେକ ସମ୍ଭାବନା ଆଣିଥିବା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ଓ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ। ଓଡ଼ିଶାରେ ପୋଷଣ ଅଭିଯାନରେ ୧୦ଟି ଆକାଂକ୍ଷୀ ଜିଲ୍ଲାକୁ ପ୍ରାଥମିକତା ମିଳିବ। ବଜେଟରେ ଢାଂଚାଗତ କ୍ଷେତ୍ର ତଥା ସଡ଼କ, ରେଳ, ଅର୍ଥନୀତିକ କରିଡର ତଥା ମାନବ ସମ୍ବଳର ବିକାଶ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଇସ୍ପାତ, ଖଣି କ୍ଷେତ୍ର ଓ ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି। ଆଗାମୀ ୩ବର୍ଷରେ ଦେଶରେ ହେବାକୁ ଥିବା ୭ଟି ଟେକ୍ସଟାଇଲ୍ ପାର୍କରେ ଓଡ଼ିଶାକୁ ପ୍ରାଧାନ୍ୟ ମିଳିବ। ସେହିପରି ଭଦ୍ରକରେ ଆଇଓସିଏଲ୍ ଦ୍ୱାରା ସୂତା କାରଖାନା ପ୍ରତିଷ୍ଠା କରାଯାଉଛି। ଏହି ଦୃଷ୍ଟିରୁ ଓଡ଼ିଶାରେ ଦେଶ ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ୍ କ୍ଲଷ୍ଟର ନିର୍ମାଣ ହୋଇପାରିବ। ଏହି କ୍ଷେତ୍ରରେ କାମ କରୁଥିବା ଓଡ଼ିଆମାନେ ଲାଭ ପାଇବେ। ମତ୍ସ୍ୟ ବ୍ୟବସାୟରେ ଅଗ୍ରଣୀ ରାଜ୍ୟ ଓଡ଼ିଶାର ପାରାଦୀପଠାରେ ବୃହତ୍ ସମନ୍ୱିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି। ଏହି ସବୁ ଯୋଜନାର ଲାଭ ଓଡ଼ିଶା ପାଇବ।ସେହିପରି ଶିକ୍ଷା କ୍ଷେତ୍ରରେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ ୨୦କୋଟିରୁ ୩୮କୋଟି ଟଙ୍କାକୁ ବ୍ୟୟବରାଦ ବୃଦ୍ଧି କରାଯାଇଛି। ଏଥିରୁ ଓଡ଼ିଶା ଲାଭାନ୍ୱିତ ହେବ। ସେହିପରି ନୂଆ ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢ଼ା ସହ ରୋଜଗାରଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି। ଏଥିରେ ୧୫ହଜାର ସ୍କୁଲକୁ ଅଗ୍ରାଧିକାର ଦିଆଯିବ। ଏନଜିଓ ସହଭାଗିତାରେ ୧୦୦ଟି ସୈନିକ ସ୍କୁଲ ନିର୍ମାଣ କରାଯିବ। ଏଥିରେ ମଧ୍ୟ ଓଡ଼ିଶାକୁ ସୁଯୋଗ ମିଳିବ। ସେହିପରି ସମଗ୍ର ଦେଶରେ ସଫଳତାର ସହ ୮କୋଟି ମହିଳାଙ୍କୁ ଉଜ୍ୱଳା ଯୋଜନାରେ ସାମିଲ କରାଯାଇଛି ଓ ପୁଣି ୧କୋଟି ମହିଳାଙ୍କୁ ଏହି ଯୋଜନାରେ ଗ୍ୟାସ ସଂଯୋଗ ଦିଆଯିବ। ବଜେଟରେ ଚାଷୀ, ଯୁବକ, ମହିଳା, ଶିଶୁ, ବରିଷ୍ଠ ନାଗରିକ, ଶ୍ରମିକ ତଥା ସବୁ ଶ୍ରେଣୀର ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି। କରୋନା ଟୀକାକରଣ ପାଇଁ ୩୫ହଜାର କୋଟି ଟଙ୍କାର ଆବଣ୍ଟନ ପ୍ରଶଂସନୀୟ। ଏହି ବଜେଟ ଦେଶର ଅର୍ଥନୀତିରେ ନୂଆ ସଂଚାର ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ତୈଳଦର ଲିଟର ପିଛା ୧୦ଟଙ୍କା କମାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ତୈଳଦର ବୃଦ୍ଧି ଯୋଗୁ ଦରଦାମ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କୁ ଖୁବ୍ ବାଧୁଛି। ତେଣୁ ତୈଳଦର ଲିଟର ପିଛା ୧୦ଟଙ୍କା ହ୍ରାସ କରି ରାଜ୍ୟର ଖାଉଟିଙ୍କୁ କଷ୍ଟରୁ ମୁକ୍ତି ଦିଅନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛନ୍ତି। ତୈଳ ଦର ହ୍ରାସ ନହେଲେ ଫେବୃୟାରୀ ୧୫ତାରିଖରେ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷାରେ ଚିଠି ଲେଖି କହିଛନ୍ତି ଯେ, ୟୁପିଏ -୧ ଓ ୨ ସମୟରେ ଆର୍ନ୍ତଜାତିକସ୍ତରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ରୁ ୧୩୦ ଡଲାର ଥିଲାବେଳେ ପେଟ୍ରୋଲ ଓ ଡିଜେଲ ଦର ସବୁବେଳେ ଲିଟର ପିଛା ୮୦ ଟଙ୍କା ତଳକୁ ରହୁଥିଲା। ଏବେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୦ ଡଲାରକୁ ଖସି ଆସିଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କାକୁ ଛୁଇଁଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ କହୁଥିଲେ, ଯେଉଁମାନେ ତେଲ ଦର ବଢାଉଛନ୍ତି ସେମାନେ ଦେଶଦ୍ରୋହୀ। ଏବେ କେଉଁମାନେ ଦେଶଦ୍ରୋହୀ। ଠିକ୍ ସେମିତି ସେତେବେଳେ ତୈଳ ବୃଦ୍ଧିକୁ ନେଇ ବିଜେଡି ନାନାଦି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏବେ କାହିଁକି ଚୁପ୍ ହୋଇ ବସିଛନ୍ତି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯଦି ଦର କମାଇଲେ ରାଜସ୍ୱ ହାନି ହେବ ବୋଲି ବିଜେଡି ସରକାର ଯଦି ଭାବୁଥାନ୍ତି, ତେବେ ଜିଏସଟି ବାବଦରୁ ପାଉଥିବା ଅର୍ଥରେ ସେହି ରାଜସ୍ୱ ନିଅଂଟ ଭରଣା ହୋଇପାରିବ। ଅନ୍ୟପକ୍ଷରେ ଆମ ରାଜ୍ୟ ଦେଇ ପ୍ରତିଦିନ ପଡ଼ୋଶୀ ରାଜ୍ୟର ବହୁ ଯାନ, ଭାରିଯାନ ଯା’ ଆସ କରୁଛନ୍ତି। ତୈଳ ଦର କମ୍ ରହିଲେ ସେହି ଯାନଗୁଡିକ ଆମ ରାଜ୍ୟରୁ ତୈଳ ସଂଗ୍ରହ କରିବେ। ଫଳରେ ସରକାର ଦେଉଥିବା ରିହାତି ଏହି ତୈଳ ବିକ୍ରିରୁ ଭରଣା କରିପାରିବେ ଏଣୁ ଅଧିକ ଜିଏସ୍‌ଟି ଆସିବା ଫଳରେ ରାଜସ୍ୱ ହାନିର ଆଶଙ୍କା ରହିବ ନାହିଁ। କେନ୍ଦ୍ର ସରକାର ତୈଳ ଉପରେ ନେଉଥିବା ଲିଟର ପିଛା ୩୪-୩୫ ଟଙ୍କା ଟିକସକୁ କମାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଚାପ ପକାଇବା ସହ ଜିଏସ୍‌ଟି ବାବଦରେ ରାଜ୍ୟ ସରକାର ପାଉଥିବା ୧୭ ଟଙ୍କାରୁ ମଧ୍ୟ ୧୦ ଟଙ୍କା କମାନ୍ତୁ। ଯଦି ସରକାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକଲେ, କଂଗ୍ରେସ ଆଗାମୀ ୧୫ ତାରିଖ ଦିନ ‘ଓଡ଼ିଶା ବନ୍ଦ’ ଡାକରା ଦେବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ଏପଟେ ସମୀର କହିଲେ ଏହା ଏକ କ୍ରାନ୍ତିକାରୀ ବଜେଟ – ସେପଟେ ନିରଞ୍ଜନ କହିଲେ ବଜେଟ୍‌ ଏକ ଐତିହାସିକ ବିପତ୍ତି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ଏକ କ୍ରାନ୍ତିକାରୀ ବଜେଟ୍ ବୋଲି ରାଜ୍ୟ ବିଜେପି କହିଥିବାବେଳେ ପ୍ରଦେଶ କଂଗ୍ରେସ ଏହି ବଜେଟକୁ ଐତିହାସିକ ବିପତ୍ତି କହିଛି। ଆଜି କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ମହାମାରୀବେଳେ ରାଜ୍ୟ ଓ ଦେଶର ଆର୍ଥିିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦେଶର ଅର୍ଥନୀତିକ ଅବସ୍ଥା ଏପରିକି ବାଂଲାଦେଶ ଠାରୁ ବି ଖରାପ ସ୍ଥିତିରେ ପହଂଚିଛି। ଏହା ଏକ ଐତିହାସିକ ବିପତ୍ତି। ଗରିବ ଓ ଗ୍ରାମୀଣ ଏବଂ ସହରାଂଚଳରେ ଥିବା ମଧ୍ୟବିତ୍ତ ଲୋକଙ୍କର ଉର୍ପାଜନ ବଢ଼ିବାର କୌଣସି ସମ୍ଭାବନା ନାହିଁ। ଏପରିକି କୋଟି କୋଟି ଲୋକ ରୋଜଗାର ହରାଇ ବସିଛନ୍ତି ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରୋଜଗାର ଦେବାରେ ସମ୍ପୂର୍ଣ୍ଣର୍ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଦେଶର ୧% ଲୋକଙ୍କର ୩୫% ଆୟ ବଢ଼ିଯାଇଛି। ସେମାନଙ୍କର ଟ୍ୟାକ୍ସେସନ ବ୍ୟବସ୍ଥା ନଥିବାରୁ ରାଜସ୍ୱ ଭରଣା କିପରି ହେବ ଓ ରୋଜଗାର କିପରି ବଢ଼ିବ, ଉତ୍ପାଦନ କିପରି ବୃଦ୍ଧି ହେବ, ଚାଷୀଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ହେବ କିପରି? ଯୁବକମାନେ କର୍ମନିଯୁକ୍ତି ପାଇବେ କିପରି ବୋଲି ପ୍ରଶ୍ନ କରିଛନ୍ତି। ଏଣୁ ଏହା ଏକ ନୈରାଶ୍ୟଜନକ ବଜେଟ। ଏହି ବଜେଟଟି ପୁଞ୍ଜପତିଙ୍କୁ ସୁହାଇଲା ଭଳି ବଜେଟ। ଦେଶକୁ ବିକ୍ରି କରିବା ପାଇଁ ଏହା ଏକ ମସୁଧା ଅଟେ। ଏଥିରେ ଓଡ଼ିଶାର ନୀଳାଚଳ ଇସ୍ପାତ ନିଗମ ବିକ୍ରି କରିବା ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଅନ୍ୟପକ୍ଷରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ତୃତୀୟ ଆର୍ଥକ ବଜେଟ ଆମ ଦେଶର ଆର୍ôଥକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରୀ ବଜେଟ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଣିଥିବା ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି ହୋଇଛିା ମୋଦିଜୀଙ୍କର ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବା ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛିା ଏହି ବଜେଟରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୃଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବୋ ଏହି ବଜେଟ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ସକରାତ୍ମକ ପରିବର୍ତନ ଆଣିବା ଦେଶର ଯୁବ ବର୍ଗଙ୍କ ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି ବଜେଟ ଆଗାମୀ ଦିନରେ ବଡ ଭୂମିକା ନେବ। ଚାଷୀମାନଙ୍କୁ ଦେଢଗୁଣା ଏମଏସପି ସୁନିଶ୍ଚିତ କରି ଆଗାମୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ସେହିପରି ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଅନେକ ବୈପ୍ଲବିକ ପରିବର୍ତ୍ତନର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ଅଗ୍ନିଶମ ବାହିନୀ ନିର୍ଦ୍ଦେଶକ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମହାନ୍ତିଙ୍କୁ ୬୨ବର୍ଷ ବୟସ ହେବାପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଆଇପିଏସ୍ ଶ୍ରୀ ମହାନ୍ତି ଚଳିତବର୍ଷ ଅଗଷ୍ଟ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ଅନୁମୋଦନ ପରେ ଶ୍ରୀ ମହାନ୍ତିଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କୁ ୬୨ବର୍ଷ ବୟସ ହେବାପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ। ଏବେ ଓପିଏସସି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ବିଭୂତି ଭୂଷଣ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି। ପାୱାର କରିଡରରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ପୂର୍ବରୁ ଗୁଡବୁକରେ ଥିବା ଆଇପିଏସ୍ ଶ୍ରୀ ମହାନ୍ତିଙ୍କୁ ଏବେ ଆଗୁଆ ଥଇଥାନ କରିଛନ୍ତି। ପୁଲିସ ପ୍ରଶାସନରେ ଏକ ବଡ଼ଧରଣର ଅଦଳବଦଳ କରିବା ପାଇଁ ଯୋଜନା ଚାଲିଥିବାରୁ ତା’ପୂର୍ବରୁ ଶ୍ରୀ ମହାନ୍ତିଙ୍କୁ ଥଇଥାନ କରାଯାଇଥିବା ଜଣାପଡ଼ିଛି। ଶ୍ରୀ ମହାନ୍ତିଙ୍କ ପୂର୍ବରୁ ଏହି ପଦବୀ ଅନ୍ୟ ଜଣେ ବରିଷ୍ଠ ଆଇପିଏସଙ୍କୁ ଅଫର କରାଯାଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିବା ଚର୍ଚ୍ଚା ହେଉଛି। 

ଫେବୃଆରୀ ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୮ରୁ ଏପ୍ରିଲ ୩୦ ଯାଏ ଚାଲିବ କ୍ଲାସ୍‌। ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢା ହେବ ଏବଂ ରବିବାର ବନ୍ଦ ରହିବ। ପୂର୍ବ ସୂଚି ଅନୁସାରେ ୧୦ମ ଏବଂ ୧୨ଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ। ତେବେ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ହେବ। ମହାମାରୀ କରୋନା ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଜାନୁଆରୀ ମାସ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିଥିଲେ। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ କ୍ଲାସ ହେବାକୁ କୁହାଯାଇଥିଲା। କୋର୍ସ ସାରିବାକୁ ରବିବାର କ୍ଲାସ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶନାମା ଅନୁସାରେ କ୍ଲାସ୍‌ ଚାଲିଛି। ତେବେ ଫେବୃଆରୀ ମାସର ଗାଇଡ୍‌ଲାଇନ୍‌ରେ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ଉପରେ ଛାଡ଼ି ଦିଆଯାଇଥିଲା। 

ଡାଇବେଟିସ ରୋଗୀଙ୍କ ପାଇଁ ଘାତକ ଶୀତ ଦିନ; ଜାଣନ୍ତୁ, କେଉଁ ଖାଦ୍ୟଠୁ ଦୂରେଇ ରହିବା ଭଲ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆମ ଦେଶରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିନିମନ୍ତେ ସନ୍ତୁଳିତ ଖାଦ୍ୟ ସହ ଜୀବନଚର୍ଯ୍ୟାକୁ  ଶୃଙ୍ଖଳିତ ରଖିବାକୁ ପରାମର୍ଶ ଦିଆଯାଇଥାଏ। ଏବେ ଶୀତ ଦିନ ଥିବାରୁ ସାଧାରରତଃ ଗରମାଗରମ ଚଟପଟା ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। କିନ୍ତୁ ଶୀତ ଦିନେ ବ୍ଲଡ ସୁଗାରକୁ ନିୟନ୍ତ୍ରଣରେ ରଖିବା ଏକ ବଡ଼ ଚ୍ୟାଲେଞ୍ଜ। ଖାଦ୍ୟପେୟରେ ନିୟନ୍ତ୍ରଣ ନ ରଖିଲେ ଡାଇବେଟିସ ରୋଗୀଙ୍କ ନିମନ୍ତେ ଏହି ଋତୁ ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ଥଣ୍ଡା ଦିନରେ ରକ୍ତରେ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ କିଛି ଖାଦ୍ୟ ପଦାର୍ଥକୁ ମନା କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ସାଧାରଣତଃ ଶୀତଦିନେ ଅଧିକ ଛଣାଛଣି ଜିନିଷ ଖାଇବାକୁ ଇଚ୍ଛା ହୋଇଥାଏ। କିନ୍ତୁ ଏଥିରେ ଥିବା ଫ୍ୟାଟ୍‌ ଶରୀରରେ ଜମା ହୋଇ ରହିଥାଏ, ଯାହାକି କେବେ ବି ଶୁଭଙ୍କର ନୁହେଁ। ତେଣୁ ଘରେ ପ୍ରସ୍ତୁତ ଗରମାଗରମ ପରାଟା, ମକା ରୋଟି, ସିଙ୍ଗଡ଼ା, ପୁରୀ ବା କଚୋଡ଼ି, ଚିପ୍ସ ଆଦି  ଛଣା ଖାଦ୍ୟଠୁ ଡାଇବେଟିସ ରୋଗୀ ଏଥିରୁ ନିଜକୁ ଦୂରେଇ ରଖିବା ଉଚିତ। ଏହାଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ।

ଭିଟାମିନ ସିରେ ଭରପୂର କମଳା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। କିନ୍ତୁ କମଳାରେ ଅଧିକ ମାତ୍ରାରେ ସୁଗାର ଥିବାରୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନେ ଏହା ଖାଇବାକୁ ବାରଣ କରାଯାଇଥାଏ।

ଇନସୁଲିନ ନେଉଥିବା ରୋଗୀଙ୍କ ପ୍ରତି ହାଇପୋଗ୍ଲିସିମିୟାର ବିପଦ ଥାଏ। ଏଥିନିମନ୍ତେ ସେମାନେ ନିଶାଠୁ ଦୂରେଇ ରହିବା ଉଚିତ। ଜଣେ ସାଧାରଣ ଲୋକ  ନିଶା ନେବା ଦ୍ୱାରା ଯେଉଁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥାଏ, ଜଣେ ସୁଗାର ରୋଗୀ ତା’ଠୁ ବହୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥାଏ।

ସୋଡ଼ା ତଥା ଅଧିକ ମାତ୍ରାରେ ମିଠା ଥିବା ପାନୀୟ ପଦାର୍ଥଠୁ ଦୂରେଇ ରହିବା ଉଚିତ। ମୁଖ୍ୟତଃ ବଜାରରେ ମିଳୁଥିବା, ଥଣ୍ଡା, ଜୁସ୍‌ କିମ୍ବା ପ୍ୟାକଡ ହୋଇଥିବା ପାନୀୟରେ ଭରପୂର ମାତ୍ରାରେ ଶର୍କରା ଥାଏ। ତେଣୁ ଏହାଠୁ ଦୂରେଇ ରହିବା ଉଚିତ।

ମହୁରେ ଅଧିକ ପରିମାଣର କାର୍ବୋହାଇଡ୍ରେଡ ଥାଏ। ଏହା  ଶରୀରକୁ ସଙ୍ଗେ ସଙ୍ଗେ ଏନର୍ଜି ଯୋଗାଇଥାଏ। ତେଣୁ ଡାଇବେଟିସ ରୋଗୀଙ୍କୁ ଶୀତ ଦିନରେ ଏପରି ଖାଦ୍ୟ ପଦାର୍ଥଠୁ ନିଜକୁ ଦୂରେଇ ରଖିବା ଉଚିତ।

ଡାଇବେଟିସ ରୋଗୀ ଶୀତ ଦିନେ ଚର୍ବିରରେ ଭରପୂର ମାଂସ ଖାଇବା ଉଚିତ ନୁହେଁ। ଏଥିରେ ଥିବା ଫ୍ୟାଟ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

ଆଜିର ରାଶିଫଳ – ୨ ଫେବୃଆରୀ, ମଙ୍ଗଳବାର
  • ମେଷ:  ପ୍ରତ୍ୟେକ ପ୍ରତିଯୋଗିତାରେ ଜୟଯୁକ୍ତ ହେବେ ଓ ମାନ ସମ୍ମାନର ଅଧିକାରୀ ହେବେ। ଗୁପ୍ତ ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଛାତ୍ରଛାତ୍ରୀମାନେ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।
  • ବୃଷ: ପରିବାରରେ ଅଶାନ୍ତି, ଅସନ୍ତୋଷ, ମନୋମାଳିନ୍ୟ ଦେଖାଦେବ। ମହିଳାମାନେ ସନ୍ତାନମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ପାଇବେ ନାହିଁ।
  • ମିଥୁନ: କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଅତୁଟ ରହିବ। ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଓ ମନ ପ୍ରଫୁଲ୍ଲ ରହିବ।
  • କର୍କଟ: ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରାରେ ସଫଳ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।
  • ସିଂହ: ଶାରୀରିକ ଅସୁସ୍ଥତା, ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ପରର ଉପକାର କରିବାକୁ ଯାଇ କ୍ଷତିରେ ପଡିବେ।
  • କନ୍ୟା: ଉତ୍ତମ ଭୋଜନ ସହିତ ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି। ପ୍ରତ୍ୟେକଟି କାର୍ଯ୍ୟ କରିବାକୁ ସମର୍ଥ ହେବେ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ।
  • ତୁଳା: ସମାଜରେ ମାନ ସମ୍ମାନ, ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। ବସ୍ତ୍ର ଅଳଙ୍କାର ଜାତୀୟ ବ୍ୟବସାୟରେ ଉନ୍ନତି ଦେଖାଦେବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।
  • ବିଛା: ନିଜ ମନ ପସନ୍ଦର କାର୍ଯ୍ୟ କରିବାର ସୁଯୋଗ ପାଇବେ।  ସପରିବାରେ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇପାରନ୍ତି। ଗବେଷଣାରତ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ।
  • ଧନୁ: ବକେୟା ଅର୍ଥ ହସ୍ତଗତ ହେବ । ଯାହାଫଳରେ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ଉପକୃତ ହେବେ। ବୃତ୍ତିଗତ ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ।
  • ମକର: ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟ ଭାର ବୃଦ୍ଧି ହେତୁ କ୍ଳାନ୍ତି ଅନୁଭବ କରିବେ। ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡା ହୋଇଯିବ।
  • କୁମ୍ଭ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ । ତେଣୁ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ମନୋନିବେଶ କରିବେ।
  • ମୀନ: ବିଭିନ୍ନ ପ୍ରକାର ସମସ୍ୟା ସତ୍ତ୍ୱେ ସମାଧାନର ରାସ୍ତା ଦେଖାଦେବ। ଅପେକ୍ଷାରତ କାର୍ଯ୍ୟଟିରେ ଶୁଭ ସୂଚନା ପାଇବେ। ପରିବହନ ଜାତୀୟ ବ୍ୟବସାୟରେ ଲାଭବାନ ହେବେ।
ରାୟଗଡ଼ା ଜିଲ୍ଲା ପଦ୍ମପୁର ଖ ଜୋନ୍ ଉପ ନିର୍ବାଚନ ନିମନ୍ତେ ବିଜେପି ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ …!

!!! ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଆଜି ରାୟଗଡା ଜିଲ୍ଲା ପଦ୍ମପୁର ଖ ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାର ଶକ୍ତି ପ୍ରଦର୍ଶନ କରିଛି । ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ବିଦ୍ୟାଧର ଶବର ୫୦୦ ରୁ ଉର୍ଦ୍ଧ ଜନ ସମର୍ଥନ ସହ ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବିରାଟ ବାଇକ ରାଲି ରେ ବାହାରି ଗୁଣପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେପି ର ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ ନିଜ ପ୍ରାର୍ଥୀଙ୍କ ବିଜୟ ହେବା ଆସାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଶାସନ , ଗରିବ ଙ୍କ ନିମନ୍ତେ ବିଭିନ୍ନ ଯୋଜନା ଓ ଜନହିତକର କାର୍ଯ୍ୟ ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚି ପାରୁଛି ଜାଣି ଭୋଟର ମାନେ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ ଓ ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ ମତ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ଗତ ଡିସେମ୍ବର ୨୪ ତାରିଖରେ ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ଡ଼ଃ ପୁରୁଷୋତ୍ତମ ଗମାଙ୍ଗ ଙ୍କ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା । ତେଣୁ ପଦ୍ମପୁର ଖ ଜୋନ ରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ରେ ଏକ ଭିନ୍ନ ମୋଡ଼ ଆସିବା ସହ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି । ଆସନ୍ତା ଫେବୃଆରୀ ୨୪ ତାରିଖ ରେ ପଦ୍ମପୁର ଖ ଜୋନ୍ ନିମନ୍ତେ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଜିର ଏହି ନାମାଙ୍କନ କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ପ୍ରଭାରୀ ଶ୍ରୀ ଗୋବିନ୍ଦ ଜୈନ , ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ , ରାୟଗଡ଼ା ଜିଲ୍ଲା ଉପ ସଭାପତି ୱାଇ ଗଣପତି , ପୂର୍ବତନ ସାଂସଦ ତଥା ଟାଣୁଆ ନେତା ଶ୍ରୀ ଜୟ ରାମ ପାଙ୍ଗି , ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ଶ୍ରୀ କାଳି ରାମ ମାଝି , ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଦେବାଶିଷ ପଣ୍ଡା , ଗୁଣପୁର ନଗର ସଭାପତି ଶ୍ରୀ ଶ୍ରୀନିବାସ ସ୍ୱାଇଁ , ଗୁଣପୁର ନଗର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ସୁନ୍ଦର କର , ଗୁଣପୁର ପୂର୍ବତନ ନଗର ସଭାପତି ଶ୍ରୀ ପ୍ରେମ ପଣ୍ଡା , ଗୁଣପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଶିଶିର ଗମାଙ୍ଗ , ରାୟଗଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା , ରାୟଗଡ଼ା ଜିଲ୍ଲା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାସ , ଜଗନ୍ନାଥପୁର ମଣ୍ଡଳ ସଭାପତି ଶ୍ରୀ ପୃଥିବୀରାଜ ପାଢ଼ୀ , ଜଗନ୍ନାଥପୁର ମଣ୍ଡଳ ଉପ ସଭାପତି ଶ୍ରୀ ଅମର କୁମାର ସାହୁ , ଗୁଣପୁର ନଗର ସାଧାରଣ ସମ୍ପାଦକ ଶ୍ରୀ ଭଗବାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ l