ଚାଷୀଙ୍କ ପାଇଁ ଷ୍ଟିଲ ଲାଠି; ଭାଇରାଲ ହେଲା ଫଟୋ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଚାଷୀଙ୍କ ଆନ୍ଦୋଳନ ବେଳେ ନିଜର ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ୍‌ ଷ୍ଟିଲର ଲାଠି ଓ ଢାଲ ପିନ୍ଧି ରାସ୍ତାରେ ଛିଡ଼ା ହୋଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିବାଦ ଉପୁଜିବାରୁ ଦିଲ୍ଲୀ ପୁଲିସ୍‌ ପୂରା ଘଟଣା ଉପରେ ସଫେଇ ଦେଇଛି। ଦିଲ୍ଲୀ ପୁଲିସ୍‌ କହିଛି ଯେ କର୍ମଚାରୀମାନଙ୍କୁ ଏଭଳି ଷ୍ଟିଲର ଲାଠି ଓ ଢାଲ ବ୍ୟବହାର କରିବାକୁ ବରିଷ୍ଠ ଅଧିକାରୀମାନେ କୌଣସି ପ୍ରକାରର ଅନୁମତି ଦେଇନାହାନ୍ତି। ପୁଲିସ୍‌ କର୍ମଚାରୀମାନେ ନିଜ ଆଡ଼ୁ ଏଭଳି ସୁରକ୍ଷା କବଚ ପିନ୍ଧିଛନ୍ତି। ସେହିପରି ଘଟଣାର ଖବର ମିଳିବା ପରେ ପୁଲିସ୍‌ କର୍ମଚାରୀମାନଙ୍କ ଠାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଶାହଦାରା ଜିଲ୍ଲାରେ ମୁତୟନ ପୁଲିସ୍‌ କର୍ମଚାରୀମାନେ ଏପରି ଷ୍ଟିଲ ଲାଠି ଓ ଢାଲ ବ୍ୟବହାର କରିଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ପୁଲିସ୍‌ ଅଧିକାରୀ ବରିଷ୍ଠ ଅଫିସରଙ୍କ ବିନା ଅନୁମତିରେ କର୍ମଚାରୀଙ୍କ ପାଇଁ ଷ୍ଟିଲ ଲାଠି ବ୍ୟବହାର କରିବାକୁ କହିଥିଲେ। ଦିଲ୍ଲୀ ପୁଲିସ୍‌ ଷ୍ଟିଲର ଲାଠି ବ୍ୟବହାର କରିବା ପାଇଁ କୌଣସି ପ୍ରକାରର ଯୋଜନା କରିନି। ତେଣୁ ଏହି ଘଟଣାକୁ ଏହିଠାରେ ବନ୍ଦ କରାଯାଉ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଜାନୁଆରୀ ୨୬ରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ଚାଷୀ ଓ ପୁଲିସ୍‌ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିଲା। ଏହି ସମୟରେ କିଛି ସ୍ଥାନରେ ଆନ୍ଦୋଳନକାରୀ ପୁଲିସ୍‌କୁ ଲାଠି ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ୪୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଆହତ ବି ହୋଇଥିଲେ। ଏହି କାରଣରୁ ଦିଲ୍ଲୀ ପୁଲିସ୍‌ ଚାଷୀ ଆନ୍ଦୋଳନର ମୁକାବିଲା କରିବା ପାଇଁ ଷ୍ଟିଲର ଲାଠି ଓ ଢାଲ ପରିନ୍ଧାନ କରିଥିବା କୁହାଯାଇଥିଲା। ଏହାର ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ଚାଷୀଙ୍କ ଆନ୍ଦୋଳନକୁ ଅଟକାଇବା ପାଇଁ ଦିଲ୍ଲୀ ପୁଲିସ କଣ୍ଟାର ରାସ୍ତା ତିଆରି କରିଛି। ଗାଜିପୁର-ଟିକ୍ରି ସୀମାରେ ରାସ୍ତା ଉପରେ ଲୁହା ଛଡ଼ ପୋତାଯାଇଛି। କେବଳ ସେତିକି ନୁହେଁ କଣ୍ଟା ଯୁକ୍ତ ତାର ବାଡ଼ ବିଛାଇଛି ପୁଲିସ। ଟିକ୍ରି ସୀମାର ବିଭିନ୍ନ ସ୍ଥାନରେ ୪ ଫୁଟ ମୋଟାର ଅସ୍ଥାୟୀ କଙ୍କ୍ରିଟ କାନ୍ଥ ମଧ୍ୟ ତିଆରି କରାଯାଇଛି। ଦିଲ୍ଲୀ ନିକଟସ୍ଥ ଏମସିଡି ଟୋଲ ନିକଟ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ିକଡ଼ି କରିବାକୁ ଯାଇ ପୁଲିସ ଶକ୍ତ ବ୍ୟାରିକେଡ ତିଆରି କରିଛି।

ତାମିଲନାଡୁ ଠାରେ ବିହାର ଫର୍ମୁଲା ଆପଣାଇବ ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ବିହାର ବିଧାନସଭା ଭଳି ତାମିଲନାଡୁରେ ମଧ୍ୟ ସମାନ ଫର୍ମୁଲାରେ କାର୍ଯ୍ୟ କରିବ ବିଜେପି। ବିହାରରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିଥିଲା। ଜେଡିୟୁ ତୁଳନାରେ ବିଜେପି ଅଧିକ ଆସନ ଜିତିଥିଲେ ହେଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାମିଲନାଡୁରେ ଦଳ କ୍ଷମତାସୀନ ଏଆଇଏଡିଏମକେ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏଠାରେ ମଧ୍ୟ ବିଜେପି ସହଯୋଗୀ ଏଆଇଏଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସମର୍ଥନ କରିବ ଓ ତାଙ୍କରି ନେତୃତ୍ୱରେ ନିର୍ବାଚନ ଲଢ଼ିବ। ଆଜି ଖୋଦ୍‌ ତାମିଲନାଡୁ ବିଜେପି ମୁଖ୍ୟ ଏଲ ମୁରଗାନ ଏକ କଥା କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଏଆଇଏଡିଏମକେ ଗୋଟିଏ ବଡ଼ ପାର୍ଟି। ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇଡାପାଡ୍ଡି କେ ପଲାନିସ୍ୱାମୀଙ୍କ ନାଁ ଘୋଷଣା କରିଛନ୍ତି। ଆମେ ମଧ୍ୟ ଏଆଇଏଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସମର୍ଥନ ଓ ଗ୍ରହଣ କରିଛୁ। ବିଜେପି ଓ ଏଆଇଏଡିଏମକେ ରାଜ୍ୟରେ ବେଶ ଶକ୍ତିଶାଳୀ। କଂଗ୍ରେସ-ଡିଏମକେ ଆଦୌ ଶକ୍ତିଶାଳୀ ନୁହନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଡିଏମକେ ମେଣ୍ଟ କୌଣସି ବି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ। ତେଣୁ ସେମାନଙ୍କ ମେଣ୍ଟକୁ ନେଇ ବ୍ୟସ୍ତ ହେବାର କିଛି ବି କାରଣ ନାହିଁ ବୋଲି ସେ କହିଛନ୍ତି। ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ୍‌ ଲୋକଙ୍କ ପାଇଁ ଲଲିପପ୍‌ ବୋଲି କହିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ମୁରୁଗାନ କହିଛନ୍ତି, “ଲଲିପପ୍‌ ହେଉଛି ମିଠା। ଏହାର ଅର୍ଥ ୨୦୨୧-୨୦୨୨ ପାଇଁ ଉପସ୍ଥାପିତ ବଜେଟ୍‌ ମଧ୍ୟ ସମସ୍ତଙ୍କ ପାଇଁ ମିଠା ସଦୃଶ।”

ରାମ ରାଜ୍ୟ ଭାରତରେ ତେଲ ଦର ୯୩;ରାବଣଙ୍କ ଲଙ୍କାରେ ୫୧/- ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ତେଲ ଦରରେ ଲାଗୁନି ଲଗାମ। ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର। ଏହାକୁ ନେଇ ନିଜ ଦଳକୁ ହିଁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାସଂଦ ସୁବ୍ରମଣ୍ୟମ ସ୍ୱାମୀ। ସେ ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ”ରାବଣଙ୍କ ଲଙ୍କାରେ ପେଟ୍ରୋଲ ଲିଟର ପିଛା ୫୧ ଟଙ୍କା ଥିବା ବେଳେ ରାମଙ୍କ ଭାରତରେ କିନ୍ତୁ ଏହା ୯୩ ଟଙ୍କା ହୋଇଛି। ସେହିପରି ସୀତାଙ୍କ ନେପାଳରେ ପେଟ୍ରୋଲ ଲିଟର ପିଛା ଦର ୫୩ ଟଙ୍କା ରହିଛି।” ସୁବ୍ରମଣ୍ୟମଙ୍କ ଏହି ଟୁଇଟ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିବା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ ଯେ, ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ନିଜ ବଜେଟ ଭାଷଣାରେ ପେଟ୍ରୋଲ ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଉପରେ ୪ଟଙ୍କା କୃଷି ସେସ୍ ଲାଗୁ ହେବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ମଙ୍ଗଳବାର ସୁବ୍ରମଣ୍ୟମ ସ୍ୱାମୀ, ଶ୍ରୀଲଙ୍କା ଓ ନେପାଳର ପେଟ୍ରୋଲ ଦାମ ସହ ଭାରତର ତୁଳନା କରିଥିଲେ। ଏଥିସହ ଏକ ଫଟୋକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେଆର ମଧ୍ୟ କରିଛନ୍ତି, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରୁ ନୂଆ ଦର ଲାଗୁ ହୁଏ । ପେଟ୍ରୋଲ ଓ ଡିଜେଲ ଦରରେ ଏକସାଇଜ୍ ଚିକସ୍, ଡିଲର କମିଶନ ଭଳି ଅନେକ ଟିକସ୍ ଯୋଡିବା ପରେ ଏହାର ଦାମ୍ ପ୍ରାୟ ୨ଗୁଣ ହୋଇଯାଏ । ତେବେ ଗତ ୩ ଦିନ ହେଲା ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଓଜନ କମାଇବାକୁ ଚାହୁଁଥିଲେ ଖା’ନ୍ତୁ ଡାଲି-ଭାତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଓଜନ କମାଇବା ଏବଂ ପତଳା ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କିଏ ଯୋଗ କରେ ତ ଆଉ କିଏ ଜିମ ଯାଏ। ସେହିପରି ପତଳା ହେବା ପାଇଁ ଅନେକ ଲୋକେ ଡାଏଟ ମଧ୍ୟ ଫଲୋ କରନ୍ତି । ଖାଦ୍ୟ ଛାଡି କେବଳ ଗ୍ରୀନ ସାଲଡ ଏବଂ ଜୁସ୍‌ ପିଅନ୍ତି। କେବଳ ସେତିକି ନୁହେଁ ଅନେକ ଲୋକେ ଭାତ-ଡାଲି ବଦଳରେ ରୁଟି ଖାଇବା ଆରମ୍ଭ କରିଦିଅନ୍ତି। ଭାତ-ଡାଲି ଖାଇଲେ ଓଜନ ବଢ଼ିଯାଏ ବୋଲି ଲୋକେ ଭାବନ୍ତି, କିନ୍ତୁ ଏହା ଭୁଲ ଧାରଣା। ସଠିକ ଢ଼ଙ୍ଗରେ ଏବଂ ଠିକ ଉପାୟରେ ଭାତ ଡାଲି ଖାଇଲେ ଓଜନ କମିପାରିବ। ଏହାକୁ ଆପଣ ଚାହିଁଲେ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଭାତ-ଡାଲିକୁ କିଭଳି ନିଜ ଡାଏଟ ସାମିଲ କଲେ ଓଜନ କମିବ।

  • ଅଧିକାଂଶ ଲୋକ ଭାବନ୍ତି ଯଦି ସେମନେ ଭାତ-ଡାଲି ଖାଇବେ ତେବେ ସେମାନଙ୍କ ଓଜନ ବଢ଼ିଯିବ। ଏହା ଏକ ସାଧାରଣ ଖାଦ୍ୟ। ପ୍ରାୟ ସମସ୍ତଙ୍କ ଘରେ ଡାଲି-ଭାତ ତିଆରି ହୁଏ। ଏହାକୁ ଏକା ସହ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ।
  • ଡାଲିରେ ପ୍ରୋଟିନର ମାତ୍ରା ଭରପୁର ରହିଛି ଏବଂ ଚାଉଳରେ କାର୍ବୋହାଇଡ୍ରେଟ୍‌। ଯେତେବେଳେ ଡାଲି ଏବଂ ଭାତକୁ ଆପଣ ଏକା ସହ ଖାଇବେ, ସେତେବେଳେ ଆପଣଙ୍କ ଶରୀରକୁ କାର୍ବୋହାଇଡ୍ରେଟ୍‌ ସହ ଅନେକ ଆବଶ୍ୟକୀୟ ଭିଟାମିନ ମିଳିପାରିବ। ଡାଲି ଏବଂ ଭାତ ଶରୀରରେ ହଜମ ପ୍ରକ୍ରିୟାକୁ ଠିକ ରଖେ। ତେଣୁ ଏହାକୁ ଖାଇଲେ ଓଜନ ବଢ଼େ ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ଡାଲି-ଭାତର କମ୍ବିନେସନ ଓଜନ କମାଇବାର ସବୁଠୁ ଭଲ ବିକଳ୍ପ। ଏଥିରେ ଥିବା ପ୍ରୋଟିନ୍‌ ଏବଂ କାର୍ବୋହାଇଡ୍ରେଟ ଦ୍ୱାରା ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ।  ଫଳରେ ଓଜନ କମାଇବାରେ ଏହା ସହାଯ୍ୟ କରିଥାଏ।
  • ନିରାମିଶାଷି ବ୍ୟକ୍ତିଙ୍କ ପାଇଁ ପ୍ରୋଟିନର ସବୁଠୁ ଭଲ ମାଧ୍ୟମ ହେଉଛି ଡାଲି-ଭାତ। ଏହା ଓଜନ କମାଇବା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାଠାରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ।
  • ଡାଲି-ଭାତରେ ଫାଇଭର ଭରପୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ରୁହେ ନାହିଁ।
  • ଆପଣ ଓଜନ କମାଇବା ପାଇଁ ଯଦି ଡାଏଟ କରୁଛନ୍ତି ତେବେ ଭାତ-ଡାଲିକୁ ନିଜ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ। ଦିନରେ ଥରେ ଭାତ-ଡାଲି ଖାଇବା ଦ୍ୱାରା ଓଜନ ବଢ଼ିବା ବଦଳରେ କମିପାରିବ।
ଆଜିର ରାଶିଫଳ ; ୩ ଫେବୃଆରୀ, ବୁଧବାର

ମେଷ: ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ । ଯାହା ଫଳରେ ମନ ଖୁସି ରହି‍ବ।ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ , ଧନ ହାନୀ ପ୍ରାଣପୀଡା ଦେଖାଦେବ। ନିଜର ଲୋକମାନେ ପରୋକ୍ଷରେ ବିଶ୍ୱାସଘାତକତା କରିବେ।ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ମତଭେଦ ଦେଖା ଦେଇ ପାରେ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି । ବିଳମ୍ବ ହେଉଥିବା କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବ । ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ ।

ସିଂହ: ବକେୟା ଅର୍ଥ ହସ୍ତଗତ ହେବ । ଯାହା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ମନ ପ୍ରଫୁଲ୍ଲ ରହିବ ।

କନ୍ୟା: ପ୍ରତ୍ୟେକଟି କ୍ଷେତ୍ରରେ ମାନ ସମ୍ମାନ, ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ଲାଭ କରିବେ। କିନ୍ତୁ ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ପରିବାରରେ ଭାତ୍ରୁ ସମ୍ପର୍କ ନିବିଡ ହେବ ଓ ସୁଖ ଶାନ୍ତି ବିରାଜମାନ କରିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ  ବିଦେଶ ଯାତ୍ରାରେ ଯିବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ପୂର୍ବାପେକ୍ଷା ଅଧିକ ଉନ୍ନତି କରିବେ।

ବିଛା: କୌଣସି ଜମିଜମା ସମସ୍ୟା ଭିତରେ ପଡିଯାଇ ପାରନ୍ତି ।  ଖାଦ୍ୟର ଅନୀୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ । ନିର୍ମାଣଧୀନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟିହେବ।

ଧନୁ: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ । ତେଣୁ ଜଗି ରଖି ଚଳନ୍ତୁ । ପ୍ରତ୍ୟେକଟି କାର୍ଯ୍ୟରେ ଘାତ ପ୍ରତିଘାତ ଦେଖାଦେବ । ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ଓ ମର୍ମାହତ ହେବେ।

ମକର: ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ଓ ମଧୁମୟ ହେବ। ଅଟକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ । ଯେଉଁ କାର୍ଯ୍ୟରେ ହାତଦେବେ ସଫଳତା ପାଇବେ ।

କୁମ୍ଭ: ଗୁପ୍ତ ଶତ୍ରୁ ପରାଜିତ ହେବେ । ଯାହାଫଳରେ ମାନସିକ ଶାନ୍ତିଲାଭ କରିବେ। ବନ୍ଧୁ ଓ ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇବେ। ଆମଦାନୀ ରପ୍ତାନୀ କାରବାରରେ ଲାଭବାନ ହେବେ।

ମୀନ: ଆର୍ଥିକ ଓ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି।  ଆଣ୍ଠୁ ,ଅଣ୍ଟା, ପେଟ କିମ୍ବା ପାଦରେ ପୀଡା ଅନୁଭବ କରିପାରନ୍ତି ।

ପୁଲିସର ଗୀତ ଶୁଣି ଚାଷୀ କହିଲେ;ବନ୍ଦ କର, କଷ୍ଟ ହେଉଛି

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ। ୨ ମାସରୁ ଅଧିକ ସମୟ ଧରି ନିଜ ଜିଦ ଅଡି ବସିଛନ୍ତି ଶତାଧିକ ଅନ୍ନଦାତା। ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି ଚାଷୀ ଆନ୍ଦୋଳନ। ସେମାନେ ଧାରଣାରୁ ହଟିବାର ନାଁ ନେଉ ନାହାନ୍ତି। ଫଳରେ କୌଣସି ଅପ୍ରିତିକର ପରିସ୍ଥିତିକୁ ନଜରରେ ରଖି ଧାରଣା ସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସମୟରେ ଦିନରାତି ଧରି ପହରା ଦେଉଥିବା ପୁଲିସ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ସିଙ୍ଘୁ ସୀମାରେ ଡିଜେ ଲଗାଯାଇଛି। ଏଥିରେ  ବଲିଉଡ ଫିଲ୍ମ ‘ବର୍ଡର’ର ସନ୍ଦେଶେ ଆତେ ହୈ… ଗୀତ ବାଜୁଛି। କିନ୍ତୁ କୃଷକମାନେ ଏହି ଗୀତକୁ ବନ୍ଦ କରିବା ପାଇଁ କହିବା ସହ ଏହି ଗୀତ ଶୁଣି କଷ୍ଟ ହେଉଥିବା କହିଛନ୍ତି। କୃଷକମାନେ ଡିଜେ ବନ୍ଦ କରିବାକୁ ଦାବି କରିଛନ୍ତି। ତାଙ୍କ କହିବାନୁସାରେ, ଡିଜେ ବଜାଇଲେ ସେମାନଙ୍କୁ ସମସ୍ୟା ହେଉଛି। ଏଥିପାଇଁ କୃଷକମାନେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ନିଜ ଦାବି ଉପସ୍ଥାପନ କରିଛନ୍ତି। କିଶାନ ମଜଦୁର ସଙ୍ଘର୍ଷ ସମିତି ପଞ୍ଜାବ ପ୍ରାନ୍ତର ଅଧ୍ୟକ୍ଷ କହିଛନ୍ତି ଯେ, ସରକାର କୃଷକଙ୍କ ସହ ଆଲୋଚନା କରିବାକୁ ହେଲେ ପ୍ରଥମେ ଗିରଫ ଚାଷୀଙ୍କୁ ମୁକ୍ତ କରନ୍ତୁ। ବ୍ୟାରିକେଡ୍ ସହ ପାଣି ଓ ଇଣ୍ଟରନେଟ୍ ଓ ଶୌଚାଳୟ ଉପରୁ କଟକଣା ହଟାନ୍ତୁ। ଏହାସହ ସେ ଡିଜେ ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି। କୃଷକ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଜାନୁଆରୀ ୨୬ ତାରିଖରେ ହୋଇଥିବା ଦଙ୍ଗା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ । ସେହି ସମୟରେ ପଥରମାଡ ହୋଇଥିଲେ । ପଥର ମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । ଏହାସହ ଗିରଫ କୃଷକ ତଥା ସାମ୍ବାଦିକ ମନଦୀପ ପୁନିଆଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କୃଷକ ସଙ୍ଗଠନ ଦାବି କରିଛି । ସୂଚନା ଯୋଗ୍ୟ ଯେ, ୨୬ ଜାନୁଆରୀ ଦିନ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ପରେ କୃଷକ ଆନ୍ଦୋଳନ ଦୁର୍ବଳ ହେବାକୁ ଲାଗିଥିଲା କିନ୍ତୁ ଚାଷୀ ନେତା ରାକେଶ ଟିକୈତଙ୍କ କାନ୍ଦିବା ଭିଡିଓ ପରେ ମୁଜାଫରନଗରରେ ଏକ ମହାଯାତ୍ର ଆୟୋଜନ କରାଯାଇଥିଲା। ଏହା ପରେ ବହୁ ସଂଖ୍ୟାରେ ଚାଷୀ ଗାଜିପୁର ସୀମାରେ ପହଞ୍ଚିବା ଆରମ୍ଭ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦେଇଥିଲା।

ଫେବୃଆରୀ ୬ ରେ ଦେଶବ୍ୟାପୀ ଚକା ଜାମ କରିବେ ଚାଷୀ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)କୃଷି ଆଇନକୁ ବିରୋଧ କରି ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଏହାକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କିଷାନ ମୋର୍ଚ୍ଚା ତରଫରୁ ଆସନ୍ତା ୬ ତାରିଖରେ ସମଗ୍ର ଭାରତରେ ଚକା ଜାମ ଆନ୍ଦୋଳନ ଡାକରା ଦିଆଯାଇଛି। ଚକା ଜମା ଅର୍ଥ ରାସ୍ତାରେ କୌଣସି ଗାଡ଼ି ଗଡ଼ିବ ନାହିଁ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ଦେଶର ସବୁଆଡ଼େ ଚାଷୀମାନେ ଆନ୍ଦୋଳନ କରି ଚକା ଜାମ କରିବେ ମୋର୍ଚ୍ଚ ପକ୍ଷରୁ ଘୋଷଣା କରାଯାଇଛି। ଏହି ସମୟରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ଚରଷୀମାନେ ଅବରୋଧ କରିବେ ବୋଲି ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ କହିଛନ୍ତି। ଜାନୁଆରୀ ୨୬ରେ ଚାଷୀଙ୍କ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଚାଷୀମାନେ ନିଜର ସଂସଦ ଘେରାଉ ଅଭିଯାନକୁ ବନ୍ଦ ରଖିଥିଲେ। କିନ୍ତୁ ଆଜି ସେମାନେ ୬ ତାରିଖରେ ଚକା ଜାମ ଆନ୍ଦୋଳନ କରିବେ ବୋଲି ଘୋଷଣା କରାଯାଇଛି।

କେଉଁ ମନ୍ତ୍ରଣାଳୟକୁ ବଜେଟ୍‌ରେ କେତେ ଟଙ୍କା ମିଳିଲା…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଆଜି କେନ୍ଦ୍ର ସରକାର ମୋଟ ୩୪.୮୩ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ସବୁ ମନ୍ତ୍ରଣାଳୟ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟୟବରାଦ ମଧ୍ୟ କରାଯାଇଛି। କେନ୍ଦ୍ର ସରକାର ବଜେଟ୍‌ରେ ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ୨,୨୩୮୪୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।  ୨୦୨୦-୨୧ରେ ସ୍ୱାସ୍ଥ୍ୟ ସେବା ପାଇଁ ୯୪,୪୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହାର ଅର୍ଥ କରୋନା ପାଇଁ ସ୍ୱାସ୍ଥ୍ୟ ବଜେଟ୍‌କୁ ୧୩୭% ବୃଦ୍ଧି କରାଯାଇଛି।

ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ରଣାଳୟକୁ କେତେ ଟଙ୍କା ମିଳିଛି

୧-ଗୃହ ଓ ସହରାଞ୍ଚଳ ବ୍ୟାପର- ୫୪,୫୮୧ କୋଟି

 

୨-ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ- ୭୩,୯୩୨

୩-ଶିକ୍ଷା ମନ୍ତ୍ରଣାଳୟ-୯୩,୨୨୪ କୋଟି

୪-ରେଳ ମନ୍ତ୍ରଣାଳୟ-୧,୧୦,୦୫୫ କୋଟି

୫-ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ- ୧,୧୮,୧୦୧ କୋଟି

୬- କୃଷି ଓ ଚାଷୀ କଲ୍ୟାଣ ମନ୍ତ୍ରଣାଳୟ-୧,୩୩,୬୯୦ କୋଟି

୭-ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ-୧,୬୬,୫୪୭ କୋଟି

୮-ଖାଉଟି ବ୍ୟାପାର ମନ୍ତ୍ରଣାଳୟ- ୨,୫୬,୯୪୮ କୋଟି

୯-ପ୍ରତିରକ୍ଷା ମନ୍ତ୍ରଣାଳୟ- ୪,୭୮,୧୯୬ କୋଟି ଟଙ୍କା

୧୮ରୁ ବିଧାନସଭା ଅଧିବେଶନ ; ୨୨ ରେ ବଜେଟ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଚଳିତମାସ ୧୮ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ବଜେଟ୍ ଅଧିବେଶନ ୨ଟି ପର୍ଯ୍ୟାୟରେ ମୋଟ୍ ୩୧ଦିନ ପାଇଁ ବସିବ।  ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଫେବୃୟାରୀ ୨୨ତାରିଖରେ ବାର୍ଷିକ ବଜେଟ୍ ଉପସ୍ଥାପନ ହେବ।ବିଧାନସଭା ସଚିବାଳୟ ପକ୍ଷରୁ ଜାରି ନୋଟିସ୍ ଅନୁସାରେ, ବିଧାନସଭାର ବଜେଟ୍ ଅଧିବେଶନ ୧୮ତାରିଖରୁ ଆରମ୍ଭ ହେବ। ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିବେ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୮ରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ପାଇଁ ବସିବ। ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ବସିବ। ଦ୍ୱିତୀୟ ପର୍ଯ୍ୟାୟରେ ୨୨ଦିନ ବସିବ। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଫେବୃୟାରୀ ୨୨ତାରିଖ ସୋମବାର ଉପସ୍ଥାପନ ହେବ। ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ। ଚଳିତ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ଥିବାବେଳେ ସେଥିରେ ୪ଟି ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ରହିଛି।

କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା;କହିଲେ ସାହସିକ ନିଷ୍ପତ୍ତି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପିତ ହେବାପରେ ରାଜନୀତିକ ମହଲରେ ବିଭିନ୍ନ ପ୍ରତିକ୍ରିୟା ଆସୁଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜେଟକୁ ପ୍ରଶଂସା କରିଛନ୍ତି। କେନ୍ଦ୍ର ବଜେଟକୁ ବିଜେଡିର ପ୍ରଶଂସା ଅନେକ କିଛି ଦିଗକୁ ଇଙ୍ଗିତ କରୁଛି। ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କରୋନା ପରବର୍ତ୍ତୀ ପରିଦୃଶ୍ୟରେ ଏହା ପ୍ରଥମ ବଜେଟ୍ ଓ ଅନେକ ନୂଆ ଚ୍ୟାଲେଞ୍ଜ ରହିଛି ଯାହାକି ଏହି ବଜେଟ୍ ସମାଧାନ କରିବ ବୋଲି ଆଶା କରାଯାଉଛି। କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ପ୍ରାୟ ୧୦୮୪୦ କୋଟି ଟଙ୍କା କମ୍‌ ମିଳିବ ତଥା ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟର ଅଂଶଧନ ମଧ୍ୟ ଆଗାମୀ ୫ବର୍ଷ ପାଇଁ ୪.୬୨୯%ରୁ ୪.୫୨୮%କୁ ହ୍ରାସ ପାଇବ। ଏହା ରାଜ୍ୟର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଶ୍ରୀ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି। ବଜେଟକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ବଜେଟରେ କେତେକ ସକରାତ୍ମକ ଦିଗ ରହିଛି। ସେଗୁଡ଼ିକ ହେଲା, ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ଆର୍ଥିକ ନିଅଣ୍ଟକୁ ସମ୍ପ୍ରସାରଣ କରିବାକୁ ସାହାସିକ ନିଷ୍ପତ୍ତି ନିଆଯାଇଛି। ‘ଆତ୍ମନିର୍ଭରଶୀଳ ଭାରତ’ ପାଇଁ ଏକ ମଧ୍ୟମ ଓ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ରହିଛି । ଏହାସହିତ  ଅଭିବୃଦ୍ଧି ପାଇଁ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଇଛି। ବିକାଶମୂଳକ ଆର୍ଥିକ ପ୍ରତିଷ୍ଠାନର ପୁନଃପ୍ରଚଳନ, କୋଭିଡ୍ ଟୀକା ପାଇଁ ଅର୍ଥ ଆବଣ୍ଟନ, ଶିଳ୍ପ ଓ ନିର୍ଦ୍ଦିଷ୍ଟ କ୍ଷେତ୍ରଭିତ୍ତିକରେ ହସ୍ତକ୍ଷେପ ପ୍ରସ୍ତାବ ସହ ସମାନୁପାତିକ ଆବଣ୍ଟନର ଆଶା କରାଯାଉଛି। ତେବେ କେନ୍ଦ୍ରୀୟ ଟିକସରେ ବହୁ ପରିମାଣର ହ୍ରାସ ଯୋଗୁ ଓଡ଼ିଶା ବ୍ୟାପକ ଭାବେ ପ୍ରଭାବିତ ହେବ। ଚଳିତବର୍ଷ ପ୍ରାୟ ୧୦୮୪୦କୋଟି ଟଙ୍କାର ଟିକସ ହ୍ରାସ ପାଇବ ଏବଂ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ ରାଜ୍ୟକୁ ମିଳୁଥିବା ୪.୬୨୯% ହାରରେ ଅଂଶଧନ ମଧ୍ୟ ଆଗାମୀ ୫ବର୍ଷ ପାଇଁ ୪.୫୨୮%କୁ ହ୍ରାସ ପାଇବ। ଯାହାକି ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ। ସେହିପରି ଉଭୟ ରେଳବାଇ ଓ ରାଜପଥ କ୍ଷେତ୍ରରେ ଓଡ଼ିଶାରେ ଅଧିକ ପୁଞ୍ଜିବିନିଯୋଗର ଆବଶ୍ୟକା ରହିଛି, କିନ୍ତୁ ଅନ୍ୟ ରାଜ୍ୟ ପାଇଁ ଅଧିକ ଯୋଜନା କରାଯାଇଛି । ସେହିପରି ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଆବଣ୍ଟନ ଓ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ପାଇଁ ହସ୍ତାନ୍ତର ପରିମାଣକୁ ବୃଦ୍ଧି କରାଯିବାର ଆବଶ୍ୟକତା ଅଛି। ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ପ୍ରବର୍ତ୍ତନ ଦ୍ୱାରା ରାଜସ୍ୱର କେନ୍ଦ୍ରୀକରଣ ହେବ ଓ ଏହା କେନ୍ଦ୍ର-ରାଜ୍ୟ ମଧ୍ୟରେ ଥିବା ସନ୍ତୁଳନ ଦୁର୍ବଳ ହେବ।ମହିଳା, ଚାଷୀ ଓ ଏମଏସଏମଇମାନଙ୍କୁ ଋଣ ଯୋଗାଇବା ଦିଗରେ ବ୍ୟାଙ୍କଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବାକୁ ପଡ଼ିବ। କେନ୍ଦ୍ର ବଜେଟ ଚଳିତଥର ସବୁଜ ଓ ଡିଜିଟାଲ ବଜେଟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି ଓ ଓଡ଼ିଶା ଗତବର୍ଷଠୁ ଏଭଳି କରୁଛି ବୋଲି କହିଛନ୍ତି । କେନ୍ଦ୍ର ବଜେଟରେ ମହିଳା ସଶକ୍ତିକରଣ (ମିଶନ ଶକ୍ତି) ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ୨୦୧୧-୧୨ରୁ  ଓଡ଼ିଶାର ‘ମମତା’ ଯୋଜନାକୁ କେନ୍ଦ୍ର ସରକାର ଗ୍ରହଣ କରାଯିବା ପରେ ଆମ ରାଜ୍ୟର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ ହିଁ ସମଗ୍ର ଦେଶରେ ଓଡ଼ିଶା ଏକ ବେଂଚମାର୍କ ସ୍ଥାପନ କରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ମମତା ଓ ମିଶନ ଶକ୍ତି ପରେ ମହିଳା ସଶକ୍ତିକରଣ ଦିଗରେ ପରବର୍ତ୍ତୀ ପଦକ୍ଷେପ ଭାବେ ଉଭୟ ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଦିଗରେ ଯର୍ଥାର୍ଥ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ମଧ୍ୟ ନିଜ ବଜେଟ୍ ପ୍ରତିକ୍ରିୟାରେ କହିଛନ୍ତି।