କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆସନ୍ତା ୬ ତାରିଖରେ ସମଗ୍ର ଦେଶରେ ଚକା ଜାମ ଆନ୍ଦୋଳନ କରିବେ;ଚକା ଜାମ ବେଳେ ଲୋକଙ୍କୁ ଖାଦ୍ୟ ଓ ପାଣି ଦେବେ ଚାଷୀ, ରାଜଧାନୀରେ ହେବନି ବିକ୍ଷୋଭ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆସନ୍ତା ୬ ତାରିଖରେ ସମଗ୍ର ଦେଶରେ ଚକା ଜାମ ଆନ୍ଦୋଳନ କରିବେ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ସବୁଆଡ଼େ ରାସ୍ତାରୋକ କରାଯିବ। ତେବେ ରାସ୍ତାରୋକ ଯୋଗୁ ଯଦି ଲୋକମାନେ ଫସି ଯିବେ, ତା’ହେଲେ ସେମାନଙ୍କୁ ଚାଷୀମାନେ ଖାଦ୍ୟ ଓ ପାଣି ଯୋଗାଇ ଦେବେ। ସେହିପରି ରାଜଧାନୀ ଦିଲ୍ଲୀରେ ଚକା ଜାମ ବେଳେ କୌଣସି ପ୍ରକାରର ବିକ୍ଷୋଭ କରାଯିବ ନାହିଁ ବୋଲି ଆଜି ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକାୟତ ଘୋଷଣା କରିଛନ୍ତି। ସେ କହିଛନ୍ତି, ଫେବୃଆରୀ ୬ରେ ୩ ଘଣ୍ଟା ପାଇଁ ଚକା ଜାମ କରାଯିବ। ଦିଲ୍ଲୀକୁ ଛାଡ଼ି ଦେଶର ଆଉ ସବୁ ପ୍ରାନ୍ତରେ ଚାଷୀମାନେ ଚକା ଜାମ କରି ବିକ୍ଷୋଭ କରିବେ। ଚକା ଜାମ ଯୋଗୁ ଯଦି ଲୋକମାନେ ରାସ୍ତାରେ ଫସି ଯାଆନ୍ତି, ତା’ହେଲେ ସେମାନଙ୍କୁ ଆମ ତରଫରୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯିବ। ଆମେ ଦେଶବାସୀଙ୍କୁ ସରକାର ଆମ ସହ କ’ଣ କରୁଛନ୍ତି, ସେକଥା ଜଣାଇବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସେଲେବ୍ରିଟିଙ୍କ ସମର୍ଥନ ଘଟଣାରେ ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି। ଅନ୍ତର୍ଜାତୀୟ ସେଲେବ୍ରିଟିଙ୍କ ସମର୍ଥନ ଯୋଗୁ ବିଶ୍ୱ ଦରବାରରେ ଭାରତର ଛବି ଖରାପ ହେଉଛି ବୋଲି ଅନେକ ଲୋକ ମତ ଦେଇଛନ୍ତି। ତେବେ ରାକେଶ କହିଛନ୍ତି, “ହଲିଉଡ ଷ୍ଟାରମାନେ ଚାଷୀ ଆନ୍ଦୋଳନକୁ ସମର୍ଥକ କରିବା କୌଣସି ଖରାପ ଜିନିଷ ନୁହେଁ। ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଜାଣିନି। କିନ୍ତୁ ସେମାନେ କୌଣସି ଆଶା ନ ରଖି ଆମ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଯଦି ଏଥିପାଇଁ ସେଲେବ୍ରିଟିଙ୍କୁ ଧନ୍ୟବାଦ ଜଣାଇଛି, ତା’ହେଲେ ଭାରତୀୟ କିଷାନ ୟୁନିୟନ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

ଭାରତ ତିଆରି କରୁଛି ୬୫ ହଜାର ଫୁଟ ଉପରେ ୯୦ ଦିନ ରହିପାରୁଥିବା ଡ୍ରୋନ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତର ସାମରିକ ବିଭାଗ ଆହୁରି ଶକ୍ତିଶାଳୀ ହୋଇଯିବ। କାରଣ ଭାରତରେ ତିଆରି ହେଉଛି ଏମିତି ଡ୍ରୋନ, ଯାହା ଅଲଟ୍ରା ହାଇ ଆଟିଚ୍ୟୁଡ ବା ସୁଉଚ୍ଚରେ ଉଡ଼ିପାରିବ। ଖାଲି ଉଡ଼ିବ ନାହିଁ, ବରଂ ଦୀର୍ଘ ୯୦ ଦିନ ଯାଏ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବ। ଏଥିସହ ଶତ୍ରୁପକ୍ଷ ଉପରେ ହେଉଥିବା ଆକ୍ରମଣରେ ମଧ୍ୟ ସହାୟକ କରିବ। ୨୦୧୭ରେ ପ୍ରଥମେ ଏହି ଡ୍ରୋନ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ସେବେଠାରୁ ତିଆରି ଚାଲିଥିବା ଏହି ଡ୍ରୋନ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଡ୍ରୋନ୍‌ଟି ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଭାରତୀୟ ସେନାରେ ସାମିଲ ହେବ ବୋଲି ମଧ୍ୟ ଖବର ମିଳିଛି। ଡ୍ରୋନର ନାମ ଇନଫିନିଟି ରଖାଯାଇଛି। ଏହା ସୌର ଶକ୍ତିରେ ଚାଲିବ। ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା କ୍ରମାଗତ ୯୦ ଦିନ ଧରି ୬୫ ହଜାର ଫୁଟ ଉଚ୍ଚରେ ଉଡ଼ାଣ କରିପାରିବ। ଇନଫିନିଟି ଡ୍ରୋନଟି ଭାରତର ଡ୍ରୋନ୍ ଯୁଦ୍ଧ କାର୍ଯ୍ୟକ୍ରମ CATS ଅର୍ଥାତ୍ କମ୍ବାଟ ଏୟାର ଟ୍ରେନିଂ ସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ବହୁପ୍ରତିକ୍ଷୀତ ଡ୍ରୋନଟିକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିଃ ବେଙ୍ଗାଲୁରୁ ସ୍ଥିତି ଷ୍ଟାର୍ଟ ଅପ୍ କମ୍ପାନୀ ନ୍ୟୁ ସ୍ପେସ୍ ସହିତ ମିଶି ତିଆରି କରୁଛି। ଏହି ଷ୍ଟାର୍ଟଅପ୍ କମ୍ପାନୀ ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜି ଉପରେ କାମ କରିଥାଏ। ନିର୍ମାଣ କାମ ସହ ଜଡ଼ିତ ଥିବା ଜଣେ ଅଧିକାରୀ କହିଛନ୍ତି, ଭବିଷ୍ୟତରେ ଯୁଦ୍ଧ ହେଲେ, ଏହାର ଆବଶ୍ୟକକୁ ଦୃଷ୍ଟିରେ ରଖି ଭାରତୀୟ ସେନାକୁ ଆକାଶ ମାର୍ଗରେ ସଶକ୍ତ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ଇନିଫିଟି ଡ୍ରୋନରେ ବିଭିନ୍ନ ପ୍ରକାରର ସେନ୍ସର ଖଞ୍ଜା ଯାଇଛି, ଯେଉଁଥିରେ ଏକ ଉନ୍ନିତ ଧରଣର ସିନ୍ଥେଟିକ୍ ଆପେଚର ରାଡାର ଲାଗିଛି। ଇନଫିନିଟି ଶତ୍ରୁ ଅଞ୍ଚଳର ଉପରେ ଆକାଶ ମାର୍ଗରୁ ଲକ୍ଷ୍ୟ ରଖିବ ଓ ଆକ୍ରମଣର କ୍ଷମତା ରଖିଥିବା ଅନ୍ୟ ଭାରତୀୟ ଡ୍ରୋନ୍‌ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବ। ଆକ୍ରମଣର କ୍ଷମତା ରଖିଥିବା ଡ୍ରୋନ୍ ଠାରୁ ଲାଇଭ ଭିଡିଓର ଫିଡ୍‌ ମଧ୍ୟ ଇନଫିନିଟି ମନିଟରିଂ ଷ୍ଟେସନ୍ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ। ହିନ୍ଦୁସ୍ତାନ ଏରୋନେଟିକ୍ସ କହିଛି ଯେ ଇନଫିନିଟି ଡ୍ରୋନ୍ କେବଳ ସାମରିକ କାର୍ଯ୍ୟରେ ବ୍ୟବହାର ହେବନାହିଁ। ଏହାକୁ ବିପର୍ଯ୍ୟୟ ପରିଚାଳନା, ସ୍ମାର୍ଟ ସିଟି ଓ ପ୍ରାକୃତିକ ଉତ୍ସ ପରିଚାଳନା ସହ ଜଡ଼ିତ ସେବାରେ ମଧ୍ୟ ଲଗା ଯାଇପାରିବ।

ଓଡ଼ିଶାର ୯ହଜାର ଗାଁରେ ନାହିଁ ମୋବାଇଲ ନେଟୱାର୍କ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ସଶକ୍ତିକରଣର ସ୍ଲୋଗାନ ଦେଉଥିବାବେଳେ ରାଜ୍ୟର ୮୯୪୭ଟି ଗାଁର ଲୋକଙ୍କୁ ଏବେବି ମୋବାଇଲ ଫୋନ୍ ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି। ଇଣ୍ଟରନେଟ ଓ ଫାଇଭ-ଜି ଯୁଗରେ ଏଭଳି କଥା ବିଶ୍ୱାସ ହେଉନଥିଲେ ବି ସତ। ରାଜ୍ୟସଭାରେ ଆଜି ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଦେଶର ଜନସଂଖ୍ୟା ୯୫% ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ୱେୟାରଲେସ୍ ଥ୍ରୀ-ଜି ଓ ଫୋର-ଜି ସେବା ଉପଲବ୍ଧ ହେଉଛି। ତା’ଛଡ଼ା ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାର ସମସ୍ତ ପଂଚାୟତକୁ ସ୍ପିଡ୍ ଇଣ୍ଟରନେଟ୍ ସହଯୋଗ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ସମସ୍ତ ବ୍ଲକ୍ ମୁଖ୍ୟାଳୟକୁ ମିଶାଇ ମୋଟ ୭୦୭୦ଟି ପଂଚାୟତ ଥିବାବେଳେ ଏବେ ୫୩୯୬ଟି ପଂଚାୟତରେ ଏହି ହାଇସ୍ପିଡ୍ ଇଣ୍ଟରନେଟ ଅବା ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ହୋଇପାରିଛି। ସେହିପରି ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ମୋଟ ୪୭୬୭୭ଟି ଜନବସତି ଗାଁ(୨୦୧୧ ଜନଗଣନା ଅନୁସାରେ) ଥିବାବେଳେ ସେଥିରୁ ୩୮,୭୩୦ଟି ଗାଁରେ ଏବେ ଉଭୟ ଥ୍ରୀ-ଜି ଅବା ଫୋର-ଜି ନେଟୱାର୍କ ସୁବିଧା ଉପଲବ୍ଧ ଅଛି। ବାକି ୮୯୪୭ଟି ଗାଁରେ ଏହି ମୋବାଇଲ ନେଟୱାର୍କ ସୁବିଧା ନାହିଁ। କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ରାଜ୍ୟର ପ୍ରାୟ ୯ହଜାର ଗାଁ ଲୋକେ ନେଟୱାର୍କ ଅଭାବରୁ ମୋବାଇଲ୍ ଫୋନ୍ ଉପଯୋଗ ସୁବିଧାରୁ ବଂଚିତ ହେଉଥିବା ଜଣାପଡ଼ିଛି।

ଭୁଲ୍‌ରେ ବି ଖାଆନ୍ତୁନି ଏହି ସବୁ ବାସି ଖାଦ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଧିକାଂଶ ଲୋକ ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଗରମ କରି ଖାଇଦିଅନ୍ତି। ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ବାସି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି ଅନେକ ଖାଦ୍ୟ ରହିଛି, ଯାହାକୁ ବାସିରେ ଖାଇଲେ ଆପଣ ରୋଗରେ ପଡିପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।

ଅଣ୍ଡା: ଅଣ୍ଡାରେ ସବୁଠୁ ଅଧିକ ସାଲ୍ମୋନେଲା ଥାଏ। ଏହା ଏକ ପ୍ରକାର ବ୍ୟାକ୍ଟେରିଆ, ଯାହା କଞ୍ଚା ଏବଂ ଦର ସିଝା ଅଣ୍ଡାରେ ମିଳେ। ଅଧିକାଂଶ ଲୋକ ଅଣ୍ଡାକୁ ଦରସିଝା ଖା’ନ୍ତି। ଫଳରେ ଏଭଳି ଅଣ୍ଡାରୁ ବ୍ୟାକ୍ଟେରିଆ ଭଲ ଭାବେ ନଷ୍ଟ ହୋଇନଥାଏ।ଆଉ ଯଦି ଏହି ଅଣ୍ଡା ବାସି ହୋଇଯାଏ ତେବେ ଏଥିରେ ବ୍ୟାକ୍ଟେରିଆର ମାତ୍ରା ଦୁଇ ଗଣ ହୋଇଯାଏ । ଫଳରେ ଜ୍ୱର, ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇପାରେ।

ଆଳୁ: ଆଳୁକୁ ରୋଷେଇ କରିବା ପରେ ଯଦି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଦିଆଯାଏ ତେବେ ଏଥିରେ କ୍ଲୋଷ୍ଟିଡିଅମ ବୋଟିଲିନମ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହି ଜୀବାଣୁ ଯୋଗୁଁ ଦୃଷ୍ଟି ଶକ୍ତି କମିବା, ମୁହଁ ଶୁଖିଯିବା, ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦେଇପାରେ। ଅଳୁକୁ କେବେବି ବାସି ଖାଇବା ଉଚିତ ନୁହେଁ । ସେହିପରି ଏହାକୁ କେବେବି ଓଭାନରେ ପୁଣି ଗରମ କରି ଖା’ନ୍ତୁ ନାହିଁ।

ପାଳଙ୍ଗ: ପାଳଙ୍ଗରେ ଭରପୁର ମାତ୍ରାରେ ନାଇଟ୍ରେଟ ଥାଏ। ପଳଙ୍ଗକୁ ଅଧିକ ରୋଷେଇ କରିବା ଦ୍ୱାରା ଏହା କାର୍ସିନୋଜେନିକ ନାଇଟ୍ରୋସେମାଂସରେ ପରିଣତ ହୋଇଯାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏଥିପାଇଁ ପାଳଙ୍ଗକୁ ବାସି ରଖି ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ।

ବାସି ଭାତ: ଭାତକୁ ରୁମ ଟେମ୍ପେରଚରେ କିଛି ସମୟ ଛାଡି ଦେବା ପରେ ସେଥିରେ ବେସିଲସ ସେରେସ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ବାସି ଭାତକୁ ଗରମ କରି ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ମଧ୍ୟ ରହିଥାଏ। ତେଣୁ ଭାତ ରୋଷେଇ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାକୁ ଖାଇଦେବା ଉଚିତ।

ଚିକେନ୍‌: ଅଣ୍ଡା ଭଳି ଚିକେନ୍‌କୁ ମଧ୍ୟ ଅଧିକ ସମୟ ରୋଷେଇ କଲା ପରେ ରଖିଲେ ସେଥିରେ ଦ୍ରୁତ ଗତିରେ ଜୀବାଣୁ ଉତ୍ପନ୍ନ ହେବାକୁ ଲାଗେ। ତେଣୁ ଏହାକୁ ମଧ୍ୟ ବାସି ଖାଇବା ଉଚିତ ନୁହେଁ। ଚିକେନକୁ ଭଲ ଭାବେ ଅଧିକ ଗରମ ଦେଇ ରୋଷେଇ କରି ଖାଇବା ଉଚିତ।

ତେଲ ଯୁକ୍ତ ଖାଦ୍ୟ: ତେଲ ଯୁକ୍ତ ଖାଦ୍ୟକୁ ଥଣ୍ଡା ହେବା ପରେ ପୁଣି ଥରେ ଗରମ କଲେ ସେଥିରୁ ଏକ ପ୍ରକାରର କେମିକାଲ ସୃଷ୍ଟି ହେଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେଲ ଯୁକ୍ତ ଖାଦ୍ୟକୁ ବାସି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ସମୁଦ୍ର ମାଛ: ବାସି ସମୁଦ୍ର ମାଛ ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ସମୁଦ୍ର ଜାତୀୟ ଖାଦ୍ୟ ତଥା ମାଛକୁ ବାରମ୍ବାର ଅଧିକ ତାପମାତ୍ରାରେ ଗରମ କରିବା ଦ୍ୱାରା ଏଥିରେ ଧୀରେ ଧୀରେ ଜୀବାଣୁ ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତିରେ ଏହାକୁ ଖାଇବା ଦ୍ୱାରା ମଣିଷ ଅସୁସ୍ଥ ହୋଇପଡିବା ଆଶଙ୍କା ରହିଥାଏ।

ଆଜିର ରାଶିଫଳ – ୫ ଜାନୁଆରୀ, ଶୁକ୍ରବାର

ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଫଳ ହେବେ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ। ପ୍ରତିକାର– ଶ୍ରୀହନୁମାନ ଚାଳିଶା ସାତ ଥର ପାଠ କରନ୍ତୁ।

ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବଢ଼ିବ।

ମିଥୁନ: ପାରିବାରିକ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ବହୁଦିନର ଆଶା ପୂରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ।

କର୍କଟ: ପାରିବାରିକ ଦ୍ୱନ୍ଦ୍ୱ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ବିରୋଧୀମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି। ବୃତ୍ତିଗତ ବ୍ୟବସାୟରେ ବାଧା ସୃଷ୍ଟିହେବ। ପ୍ରତିକାର– ସାତଟି ଧଳା କନିଅର ଫୁଲ ଶ୍ରୀଗଣେଶଙ୍କୁ ଚଢ଼ାନ୍ତୁ।

ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। ଉତ୍ତମ ଭୋଜନ ପ୍ରାପ୍ତିହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ହାସଲ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ବୁଡ଼ ଉତ୍ସବ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏଥର ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ବୁଡ଼ ଉତ୍ସବ। ଶୋଭାଯାତ୍ରାରେ କେବଳ ୫୦୦ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ। କୋଭିଡ୍‌ କଟକଣା ମଧ୍ୟରେ ନୀତିକାନ୍ତି ଓ ଚନ୍ଦ୍ରଭାଗା ବୁଡ଼ ହେବ। ଶୋଭାଯାତ୍ରାରେ ଥିବା ଶ୍ରଦ୍ଧାଳୁ ଠାକୁରଙ୍କ ସହ ବୁଡ଼ ପକାଇ ପାରିବେ। ଜିଲ୍ଲା ପ୍ରଶାସନ ସହ ବୈଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। ସେପଟେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଜାହାନିଆ ବେଳାଭୂମିର ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି ରାଜ୍ୟ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା। ଆଗାମୀ ଦିନରେ ଜାହାନିଆ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ  ଉଦ୍ୟମ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଗତବର୍ଷ ଚନ୍ଦ୍ରଭାଗା ବୁଡ ମହୋତ୍ସବ ହୋଇପାରିନଥିଲା। ଚଳିତବର୍ଷ କରୋନା କାୟା କମିବା ପରେ ଚନ୍ଦ୍ରଭାଗା ବୁଡ ମହୋତ୍ସବ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। କିନ୍ତୁ ବିନା ଭକ୍ତରେ ହେବ ମହୋତ୍ସବ। କରୋନା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

ରେଳ ବଜେଟ୍‌ରେ ଓଡ଼ିଶା ପାଇଁ‌ ୬୯୯୫ କୋଟି ୫୮ ଲକ୍ଷ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରେଳ ବଜେଟ୍‌ରେ ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା। ଚଳିତବର୍ଷ ଓଡ଼ିଶାକୁ ମୋଟ୍‌ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ମିଳିଛି। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବ ଓ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଥିବା ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ରେଳ ଲାଇନ୍‌ ୧୦୦୦ କୋଟି ଟଙ୍କା ବ୍ୟୟ ଅଟଳ ହୋଇଛି। ଏହି ରେଳ ଲାଇନ୍‌ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ ଓ କୃଷିର ବିକାଶ ହୋଇପାରିବ। ସେହିପରି ଅନୁଗୋଳ–ସୁକିନ୍ଦା ରେଳ ଲାଇନ୍‌ ପାଇଁ ୪୦୦ କୋଟି ଓ ହରିଦାସପୁର-ପାରାଦୀପ ଲାଇନ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ବ୍ୟବସ୍ଥା ହୋଇଛି। ଜୟପୁର-ମାଲକାନଗିରିକୁ ୨୮ ଓ ଜୟପୁର-ନବରଙ୍ଗପୁରକୁ ୧୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସମ୍ୱଲପୁର-ତାଳଚେର ରେଳ ଲାଇନ୍‌ ଦୋହରୀକରଣ ପାଇଁ ୧୭୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।ସେ ଆହୁରି କହିଛନ୍ତି-“ରେଳ ବଜେଟରେ ଓଡ଼ିଶାରେ ଚାଲିଥିବା କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି। ଆଧୁନିକୀକରଣ ଓ ସୁରକ୍ଷାକୁ ମଧ୍ୟ ରେଳ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ନୂଆ ଲାଇନ ପାଇଁ ୧୫୫୩ କୋଟି, ଡବଲିଂ ପାଇଁ ୧୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮ କୋଟି, ଟ୍ରାକ ନବୀକରଣ ପାଇଁ ୪୦୨ କୋଟି, ସେତୁ ପାଇଁ ୩୮.୫ କୋଟି, ବିଦ୍ୟୁତକରଣ ପାଇଁ ୧୭୩ କୋଟି, ଯାତ୍ରୀ ସୁବିଧା ପାଇଁ ୩୦୦ କୋଟି ଓ ସିଗ୍ନାଲ ପାଇଁ ୬୯ କୋଟି ଟଙ୍କା ବ୍ୟବସ୍ଥା ହୋଇଛି।” କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ଓଡ଼ିଶାରେ ରେଳ ସଂପର୍କୀତ ୩ଟି କାରଖାନା ପାଇଁ ୧୨ କୋଟି ମଂଜୁର ମିଳିଛି। ଅନୁଗୋଳ ବିଦ୍ୟୁତ ରେଳ ଇଂଜିନ କାରଖାନା ସଂପ୍ରସାରଣ ପାଇଁ ୧ କୋଟି, ମାନେଶ୍ୱର ମାଲବାହୀ ଟ୍ରେନ ମରାମତି କାରଖାନା ପାଇଁ ୧୦ କୋଟି, କଳାହାଣ୍ଡିରେ ବିଦ୍ୟୁତ ଇଂଜିନ ମରାମତି କାରଖାନା ପାଇଁ ୧ କୋଟି ମଞ୍ଜୁର ହୋଇଛି।” ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି-଼“କେନ୍ଦ୍ର ସରକାର ସମଗ୍ର ଦେଶ ସହ ଓଡ଼ିଶାର ଉନ୍ନତି ଚାହାଁନ୍ତି। ପୂର୍ବରୁ ପଶ୍ଚିମ ଯୋଡ଼ୁଥିବା ଲାଇନ ପାଇଁ ହଜାରେ କୋଟି ବ୍ୟୟବରାଦ କରାଯାଇଛି। ସୋନପୁର-ବୌଦ୍ଧ ଓ କନ୍ଧମାଳରେ ଜମି ଅଧିଗ୍ରହଣ ସମସ୍ୟା ଅଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ତୁରନ୍ତ ସମାଧାନ କରନ୍ତୁ। ଖୁବ୍‌ଶୀଘ୍ର ହରିଦାସପୁର ରେଳ ଲାଇନ ଲୋକାର୍ପଣ ହେବ। ଅନୁଗୋଳରେ ବିଦ୍ୟୁତ ଇଞ୍ଜିନ ନିର୍ମାଣ ପ୍ରକଳ୍ପର ସଂପ୍ରସାରଣ କରାଯିବ। କଳାହାଣ୍ଡିରେ ଇଲେକ୍ଟ୍ର ଇଞ୍ଜିନ ମରାମତି କାରଖାନା ହେବ। ବଜେଟର ପ୍ରକୃତ ତଥ୍ୟ ନଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି।”

ଆଜି ବନକଲାଗି ନୀତି; ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-  ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥା ଓ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ପ୍ରତି ବୁଧବାର କିମ୍ବା ଗୁରୁବାର ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯିବ । ପ୍ରାୟ ୪ ଘଣ୍ଟା ଧରି ଏହି ବନକ ଲାଗି ନୀତି କରାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସଂପନ୍ନ କରିବେ । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ। 

ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର କଏନ ଗାଏବ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ୪ ବର୍ଷ ମଧ୍ୟରେ ବ୍ୟାଙ୍କରୁ ଗାଏବ ହୋଇସାରିଛି ପ୍ରାୟ ୧୫ ଲକ୍ଷ ଟଙ୍କାର କଏନ।  ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ ବେଳେ ଧରାପଡ଼ିଲା ଏହି ଏହି ହେରାଫେରି। ଏନେଇ ବ୍ୟାଙ୍କର ୪ କର୍ମଚାରୀଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ତନାଘନା ଆରମ୍ଭ କରିଛି ପୁଲିସ୍‌।  ପାରାଦୀପ ଗଡ଼ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏପରି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। 

୨୦୧୬ ରୁ ୨୦୨୦ ମସିହା ମଧ୍ୟରେ  ପାରାଦୀପ ଗଡ଼ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍ ଗାଏବ ହୋଇଥିଲା। ଉକ୍ତ ସମୟରେ ଏହା କର୍ପୋରେସନ ବ୍ୟାଙ୍କ ନାଁରେ ପରଚାଳିତ ହେଉଥିଲା। ସପ୍ତାହକ ତଳେ ନୂଆ କରି ଯୋଗ ଦେଇଥିବା ବ୍ୟାଙ୍କ ମ୍ୟାନେଜର ଦାୟିତ୍ୱ ନେବା ପରେ ହେରଫେରକୁ ନେଇ ତନାଘନା ଚାଲିଛି । ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ ବେଳେ ଏପରି ହେରଫେର ସମ୍ପର୍କରେ ଜଣାପଡ଼ିବା ପରେ ବ୍ୟାଙ୍କ ମ୍ୟାନେଜର ପାରାଦୀପ ଲକ୍ ଥାନାରେ ୪ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ବ୍ୟାଙ୍କର କେହି ପୂର୍ବତନ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅଡିଟରୁ ହେରାଫେରି ସମ୍ପର୍କରେ ଜଣାପଡ଼ିବା ପରେ ଏ ସମ୍ପର୍କରେ ବ୍ୟାଙ୍କର ମୁଖ୍ୟାଳୟକୁ ଅବଗତ କରାଇଥିଲି। ଏହାପରେ ଥାନାରେ ଅଭିଯୋଗ କରିଥିବା ବ୍ୟାଙ୍କ ମ୍ୟାନେଜର କହିଛନ୍ତି।

ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ୧୩୨୯୮କୋଟି ; ପଞ୍ଚଦଶ ଅର୍ଥ କମିଶନ ସୁପାରିସ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କରୋନା ମହାମାରୀ ଓ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିକସରୁ ୪୨ ପ୍ରତିଶତ ପରିବର୍ତ୍ତେ ୪୧% ରାଜ୍ୟଗୁଡ଼ିକୁ ଦେବା ପାଇଁ ପଞ୍ଚଦଶ ଅର୍ଥ କମିଶନ ସୁପାରିସ୍ କରିଥିଲେ ମଧ୍ୟ ଓଡ଼ିଶା ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ ଅଧିକ ୪୬୭୭କୋଟି ଟଙ୍କା ପାଇବ ବୋଲି ଜଣାପଡ଼ିଛି। ସେହିପରି ୨୦୨୧-୨୬ ମସିହା ମଧ୍ୟରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାଗୁଡ଼ିକୁ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସରେ ୧୩,୨୯୮କୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରୁ ୪୧ପ୍ରତିଶତ ଅର୍ଥ ରାଜ୍ୟଗୁଡ଼ିକୁ ଆବଣ୍ଟନ ହେବାକୁ ଥିବାବେଳେ ଓଡ଼ିଶାକୁ ୪.୬୩% ପରିବର୍ତ୍ତେ ୪.୫୩% ହିସାବରେ  ଟିକସ ଅର୍ଥ ମିଳିବ। ତେବେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ହ୍ରାସ ପାଇଥିଲେ ମଧ୍ୟ ମୋଟ୍ ଉପରେ ଟିକସ ଅର୍ଥ ଅଧିକ ରହିଛି। ଯଦିଓ ଚଳିତବର୍ଷ ହାରରେ ଟିକସରେ ଭାଗିଦାରୀ ମିଳିଥିଲେ ଓଡ଼ିଶା ଅଧିକ ଲାଭବାନ ହୋଇଥାନ୍ତା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଓଡ଼ିଶାକୁ ୨୦୨୦-୨୧ରେ କେନ୍ଦ୍ରୀୟ ଟିକସର ଡିଭିଜିବଲ୍ ପୁଲରୁ ୪.୬୩% ଆଧାରରେ ମୋଟ ୨୫,୪୫୯କୋଟି ୬୩ ଲକ୍ଷ ଟଙ୍କା ମିଳିବାକୁ ଥିବାବେଳେ ୨୦୨୧-୨୨ରେ ୪.୫୩% ହାରରେ ୩୦,୧୩୬କୋଟି ୬୮ଲକ୍ଷ ଟଙ୍କା ଟିକସ ଅର୍ଥ ମିଳିବ। ଯାହାକି ୨୦୨୦-୨୧ ବର୍ଷ ତୁଳନାରେ ଅଧିକ ୪୬୭୭କୋଟି ଟଙ୍କା। ସେହିପରି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ମୋଟ ୧୩୨୯୮କୋଟି ଟଙ୍କାର ଅନୁଦାନ ମିଳିବ। ୨୦୨୧-୨୬ ମସିହା ମଧ୍ୟରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ପଂଚାୟତ ସଂସ୍ଥାଗୁଡ଼ିକୁ ମୋଟ ୮୮୮୦କୋଟି ଓ ପୌର ସଂସ୍ଥାକୁ ୪୪୯୮କୋଟି ଟଙ୍କା ଅନୁଦାନ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ୨୦୨୧-୨୨ରେ ଯଥାକ୍ରମେ ୧୬୬୯କୋଟି ଓ ୮୨୨କୋଟି ଟଙ୍କା, ୨୦୨୨-୨୩ରେ ୧୭୨୮ କୋଟି ଓ ୮୫୧କୋଟି ଟଙ୍କା, ୨୦୨୩-୨୪ରେ ୧୭୪୭ କୋଟି ଓ ୯୦୦କୋଟି ଟଙ୍କା, ୨୦୨୪-୨୫ରେ ୧୮୫୧ କୋଟି ଓ ୯୫୩କୋଟି ଟଙ୍କା, ୨୦୨୫-୨୬ରେ ୧୮୦୫ କୋଟି ଓ ୯୭୨କୋଟି ଟଙ୍କାର ଅନୁଦାନ ମିଳିବ ବୋଲି ଜଣାପଡ଼ିଛି।