ସିବିଆଇର କାର୍ଯ୍ୟକାରୀ ମୁଖ୍ୟ ହେଲେ ପ୍ରବୀଣ ସିହ୍ନା..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଏବେ ଏହି ଏଜେନ୍ସିର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ରିଷି କୁମାର ଶୁକ୍ଳା ବୁଧବାର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ତେଣୁ ଶ୍ରୀ ସିହ୍ନାକୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ୧୯୮୮ ବ୍ୟାଚ୍‌ର ଗୁଜରାଟ ଆଇପିଏସ କ୍ୟାଡର ପ୍ରବୀଣ ସିହ୍ନା ସିବିଆଇରେ ଏସ୍‌ପି, ଡେପୁଟି ଆଇଜି, ଯୁଗ୍ମ ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଭାବେ ୨୦୦୦ରୁ ୨୦୨୧ ମଧ୍ୟରେ ଦୁଇଟି ଦଫାରେ କାମ କରିଛନ୍ତି। ରିଷି ଶୁକ୍ଳାଙ୍କ ପରେ ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ପ୍ରବୀଣ ସିହ୍ନା। ଏଥିପାଇଁ ତାଙ୍କୁ ପରବର୍ତ୍ତୀ ସିବିଆଇ ମୁଖ୍ୟ ନିଯୁକ୍ତି ପାଇବା ଯାଏ ଏହି ପଦରେ କାମ କରିବାକୁ ସରକାର କହିଛନ୍ତି। CAT and AIPMT ପେପର ଲିକ୍‌ର ପର୍ଦ୍ଦାଫାସ କରି ଶ୍ରୀ ସିହ୍ନା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏବେ ସିବିଆଇ ମୁଖ୍ୟ କିଏ ହେବ, ତା’ର ନିଷ୍ପତ୍ତି ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିଷ୍ପତ୍ତି ନେବେ।

ଆମେରିକାକୁ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଏମିତି କହିଲା ଭାରତ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କୃଷି ଆଇନ ବିରୋଧରେ ଦେଶରେ ଚାଷୀ ଆନ୍ଦୋଳନକୁ ଆମେରିକା ଦେଇଥିବା ବୟାନକୁ ବେଶ ଗୁରୁତ୍ୱର ସହ ନେଇଛନ୍ତି ଭାରତ ସରକାର। ଏଥିସହ ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ଯେଉଁଭଳି ହିଂସକାଣ୍ତ ଘଟିଥିଲା, ତା’କୁ ଭାରତ ସରକାର ଆମେରିକାର କ୍ୟାପିଟଲ ହିଲ୍‌ ହିଂସାକାଣ୍ଡ ସହ ତୁଳନା ମଧ୍ୟ କରିଛନ୍ତି। ଆମେରିକାର ବୈଦଶିକ ବିଭାଗ କହିଥିଲା ଯେ ଭାରତ ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ। ଏଥିସହ ଆନ୍ଦୋଳନ ସ୍ଥଳରେ ଇଣ୍ଟରନେଟ ବ୍ୟବସ୍ଥା କରନ୍ତୁ। ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସର୍ବଦା ସମ୍ମାନ ଦିଆଯାଇଥାଏ। ଏଥିସହ ଭାରତ ସରକାର କୃଷି କ୍ଷେତ୍ରରେ ଆଣିଥିବା ସଂସ୍କାରକୁ ମଧ୍ୟ ଆମେରିକାର ବୈଦେଶିକ ବିଭାଗ ସମର୍ଥନ କରିଥିଲା। ଆମେରିକାର ଏଭଳି ବିବୃତି ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ଆମେରିକାର ଦେଇଥିବା ବୟାନକୁ ବେଶ ଗୁରୁତ୍ୱ ଦେଉଛୁ। ପ୍ରତିକ୍ରିୟା ଯେଉଁ ପରୀପ୍ରେକ୍ଷୀରେ ଦିଆଯାଇଛି, ତା’କୁ ସେହି ଦୃଷ୍ଟିରେ ଦେଖିବା ଦରକାର। ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଚାଲିଥିବା ଆଲୋଚନାକୁ ଆମେରିକା ସ୍ୱୀକାର କରିଛି। ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଜାନୁଆରୀ ୨୬ ଦିନ ଲାଲକିଲ୍ଲାରେ ଘଟିଥିବା ହିଂସକାଣ୍ଡକୁ ନେଇ ଭାରତରେ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଠିକ ସେହିପରି ପ୍ରତିକ୍ରିୟା ଆମେରିକାର କ୍ୟାପିଟଲ ହିଲରେ ଘଟିଥିବା ଦଙ୍ଗା ଘଟଣା ପରେ ମଧ୍ୟ ଦେଖିବାକୁ ମିଳିଥିଲା। ଯେକୌଣସି ଆନ୍ଦୋଳନକୁ ଭାରତର ଗଣତନ୍ତ୍ରର ମୂଲ୍ୟବୋଧ ଓ ଗାରିମା ଦୃଷ୍ଟିରେ ଦେଖିବା ଦରକାର। ଏଥିସହ ବିବାଦର ସମାଧାନ ପାଇଁ ଭାରତ ସରକାର ଓ ଚାଷୀ ସଂଗଠନ କରୁଥିବା ପ୍ରୟାସକୁ ମଧ୍ୟ ବୁଝିବା ଦରକାର। ହିଂସାକାଣ୍ଡର ପୁନରାବୃତ୍ତି ନ କରିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏନସିଆର ରିଜନରେ କିଛି ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା। ଭାରତ ଓ ଆମେରିକା ସର୍ବଦା ଗଣତନ୍ତ୍ରର ମୂଲ୍ୟବୋଧକୁ ବିଚାରକୁ ନେଇ ଆଗକୁ ବଢ଼ିଛନ୍ତି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।

କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆସନ୍ତା ୬ ତାରିଖରେ ସମଗ୍ର ଦେଶରେ ଚକା ଜାମ ଆନ୍ଦୋଳନ କରିବେ;ଚକା ଜାମ ବେଳେ ଲୋକଙ୍କୁ ଖାଦ୍ୟ ଓ ପାଣି ଦେବେ ଚାଷୀ, ରାଜଧାନୀରେ ହେବନି ବିକ୍ଷୋଭ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆସନ୍ତା ୬ ତାରିଖରେ ସମଗ୍ର ଦେଶରେ ଚକା ଜାମ ଆନ୍ଦୋଳନ କରିବେ। ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏ ସବୁଆଡ଼େ ରାସ୍ତାରୋକ କରାଯିବ। ତେବେ ରାସ୍ତାରୋକ ଯୋଗୁ ଯଦି ଲୋକମାନେ ଫସି ଯିବେ, ତା’ହେଲେ ସେମାନଙ୍କୁ ଚାଷୀମାନେ ଖାଦ୍ୟ ଓ ପାଣି ଯୋଗାଇ ଦେବେ। ସେହିପରି ରାଜଧାନୀ ଦିଲ୍ଲୀରେ ଚକା ଜାମ ବେଳେ କୌଣସି ପ୍ରକାରର ବିକ୍ଷୋଭ କରାଯିବ ନାହିଁ ବୋଲି ଆଜି ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକାୟତ ଘୋଷଣା କରିଛନ୍ତି। ସେ କହିଛନ୍ତି, ଫେବୃଆରୀ ୬ରେ ୩ ଘଣ୍ଟା ପାଇଁ ଚକା ଜାମ କରାଯିବ। ଦିଲ୍ଲୀକୁ ଛାଡ଼ି ଦେଶର ଆଉ ସବୁ ପ୍ରାନ୍ତରେ ଚାଷୀମାନେ ଚକା ଜାମ କରି ବିକ୍ଷୋଭ କରିବେ। ଚକା ଜାମ ଯୋଗୁ ଯଦି ଲୋକମାନେ ରାସ୍ତାରେ ଫସି ଯାଆନ୍ତି, ତା’ହେଲେ ସେମାନଙ୍କୁ ଆମ ତରଫରୁ ଖାଦ୍ୟ ଓ ପାଣି ଯୋଗାଇ ଦିଆଯିବ। ଆମେ ଦେଶବାସୀଙ୍କୁ ସରକାର ଆମ ସହ କ’ଣ କରୁଛନ୍ତି, ସେକଥା ଜଣାଇବାକୁ ଚାହୁଁଛୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସେଲେବ୍ରିଟିଙ୍କ ସମର୍ଥନ ଘଟଣାରେ ରାକେଶ ଟିକାୟତ ପ୍ରତିକ୍ରିୟା ରଖିଛନ୍ତି। ଅନ୍ତର୍ଜାତୀୟ ସେଲେବ୍ରିଟିଙ୍କ ସମର୍ଥନ ଯୋଗୁ ବିଶ୍ୱ ଦରବାରରେ ଭାରତର ଛବି ଖରାପ ହେଉଛି ବୋଲି ଅନେକ ଲୋକ ମତ ଦେଇଛନ୍ତି। ତେବେ ରାକେଶ କହିଛନ୍ତି, “ହଲିଉଡ ଷ୍ଟାରମାନେ ଚାଷୀ ଆନ୍ଦୋଳନକୁ ସମର୍ଥକ କରିବା କୌଣସି ଖରାପ ଜିନିଷ ନୁହେଁ। ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ଜାଣିନି। କିନ୍ତୁ ସେମାନେ କୌଣସି ଆଶା ନ ରଖି ଆମ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଯଦି ଏଥିପାଇଁ ସେଲେବ୍ରିଟିଙ୍କୁ ଧନ୍ୟବାଦ ଜଣାଇଛି, ତା’ହେଲେ ଭାରତୀୟ କିଷାନ ୟୁନିୟନ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।”

ଭାରତ ତିଆରି କରୁଛି ୬୫ ହଜାର ଫୁଟ ଉପରେ ୯୦ ଦିନ ରହିପାରୁଥିବା ଡ୍ରୋନ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତର ସାମରିକ ବିଭାଗ ଆହୁରି ଶକ୍ତିଶାଳୀ ହୋଇଯିବ। କାରଣ ଭାରତରେ ତିଆରି ହେଉଛି ଏମିତି ଡ୍ରୋନ, ଯାହା ଅଲଟ୍ରା ହାଇ ଆଟିଚ୍ୟୁଡ ବା ସୁଉଚ୍ଚରେ ଉଡ଼ିପାରିବ। ଖାଲି ଉଡ଼ିବ ନାହିଁ, ବରଂ ଦୀର୍ଘ ୯୦ ଦିନ ଯାଏ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିବ। ଏଥିସହ ଶତ୍ରୁପକ୍ଷ ଉପରେ ହେଉଥିବା ଆକ୍ରମଣରେ ମଧ୍ୟ ସହାୟକ କରିବ। ୨୦୧୭ରେ ପ୍ରଥମେ ଏହି ଡ୍ରୋନ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ସେବେଠାରୁ ତିଆରି ଚାଲିଥିବା ଏହି ଡ୍ରୋନ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ଡ୍ରୋନ୍‌ଟି ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ଭାରତୀୟ ସେନାରେ ସାମିଲ ହେବ ବୋଲି ମଧ୍ୟ ଖବର ମିଳିଛି। ଡ୍ରୋନର ନାମ ଇନଫିନିଟି ରଖାଯାଇଛି। ଏହା ସୌର ଶକ୍ତିରେ ଚାଲିବ। ଏହାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଏହା କ୍ରମାଗତ ୯୦ ଦିନ ଧରି ୬୫ ହଜାର ଫୁଟ ଉଚ୍ଚରେ ଉଡ଼ାଣ କରିପାରିବ। ଇନଫିନିଟି ଡ୍ରୋନଟି ଭାରତର ଡ୍ରୋନ୍ ଯୁଦ୍ଧ କାର୍ଯ୍ୟକ୍ରମ CATS ଅର୍ଥାତ୍ କମ୍ବାଟ ଏୟାର ଟ୍ରେନିଂ ସିଷ୍ଟମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ। ବହୁପ୍ରତିକ୍ଷୀତ ଡ୍ରୋନଟିକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିଃ ବେଙ୍ଗାଲୁରୁ ସ୍ଥିତି ଷ୍ଟାର୍ଟ ଅପ୍ କମ୍ପାନୀ ନ୍ୟୁ ସ୍ପେସ୍ ସହିତ ମିଶି ତିଆରି କରୁଛି। ଏହି ଷ୍ଟାର୍ଟଅପ୍ କମ୍ପାନୀ ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜି ଉପରେ କାମ କରିଥାଏ। ନିର୍ମାଣ କାମ ସହ ଜଡ଼ିତ ଥିବା ଜଣେ ଅଧିକାରୀ କହିଛନ୍ତି, ଭବିଷ୍ୟତରେ ଯୁଦ୍ଧ ହେଲେ, ଏହାର ଆବଶ୍ୟକକୁ ଦୃଷ୍ଟିରେ ରଖି ଭାରତୀୟ ସେନାକୁ ଆକାଶ ମାର୍ଗରେ ସଶକ୍ତ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ଇନିଫିଟି ଡ୍ରୋନରେ ବିଭିନ୍ନ ପ୍ରକାରର ସେନ୍ସର ଖଞ୍ଜା ଯାଇଛି, ଯେଉଁଥିରେ ଏକ ଉନ୍ନିତ ଧରଣର ସିନ୍ଥେଟିକ୍ ଆପେଚର ରାଡାର ଲାଗିଛି। ଇନଫିନିଟି ଶତ୍ରୁ ଅଞ୍ଚଳର ଉପରେ ଆକାଶ ମାର୍ଗରୁ ଲକ୍ଷ୍ୟ ରଖିବ ଓ ଆକ୍ରମଣର କ୍ଷମତା ରଖିଥିବା ଅନ୍ୟ ଭାରତୀୟ ଡ୍ରୋନ୍‌ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବ। ଆକ୍ରମଣର କ୍ଷମତା ରଖିଥିବା ଡ୍ରୋନ୍ ଠାରୁ ଲାଇଭ ଭିଡିଓର ଫିଡ୍‌ ମଧ୍ୟ ଇନଫିନିଟି ମନିଟରିଂ ଷ୍ଟେସନ୍ ପର୍ଯ୍ୟନ୍ତ ପହଞ୍ଚାଇ ପାରିବ। ହିନ୍ଦୁସ୍ତାନ ଏରୋନେଟିକ୍ସ କହିଛି ଯେ ଇନଫିନିଟି ଡ୍ରୋନ୍ କେବଳ ସାମରିକ କାର୍ଯ୍ୟରେ ବ୍ୟବହାର ହେବନାହିଁ। ଏହାକୁ ବିପର୍ଯ୍ୟୟ ପରିଚାଳନା, ସ୍ମାର୍ଟ ସିଟି ଓ ପ୍ରାକୃତିକ ଉତ୍ସ ପରିଚାଳନା ସହ ଜଡ଼ିତ ସେବାରେ ମଧ୍ୟ ଲଗା ଯାଇପାରିବ।

ଓଡ଼ିଶାର ୯ହଜାର ଗାଁରେ ନାହିଁ ମୋବାଇଲ ନେଟୱାର୍କ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ସଶକ୍ତିକରଣର ସ୍ଲୋଗାନ ଦେଉଥିବାବେଳେ ରାଜ୍ୟର ୮୯୪୭ଟି ଗାଁର ଲୋକଙ୍କୁ ଏବେବି ମୋବାଇଲ ଫୋନ୍ ସୁବିଧାରୁ ବଂଚିତ ହେବାକୁ ପଡ଼ୁଛି। ଇଣ୍ଟରନେଟ ଓ ଫାଇଭ-ଜି ଯୁଗରେ ଏଭଳି କଥା ବିଶ୍ୱାସ ହେଉନଥିଲେ ବି ସତ। ରାଜ୍ୟସଭାରେ ଆଜି ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଦେଶର ଜନସଂଖ୍ୟା ୯୫% ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ ୱେୟାରଲେସ୍ ଥ୍ରୀ-ଜି ଓ ଫୋର-ଜି ସେବା ଉପଲବ୍ଧ ହେଉଛି। ତା’ଛଡ଼ା ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ କେନ୍ଦ୍ର ସରକାର ସମସ୍ତ ପଂଚାୟତକୁ ସ୍ପିଡ୍ ଇଣ୍ଟରନେଟ୍ ସହଯୋଗ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ସମସ୍ତ ବ୍ଲକ୍ ମୁଖ୍ୟାଳୟକୁ ମିଶାଇ ମୋଟ ୭୦୭୦ଟି ପଂଚାୟତ ଥିବାବେଳେ ଏବେ ୫୩୯୬ଟି ପଂଚାୟତରେ ଏହି ହାଇସ୍ପିଡ୍ ଇଣ୍ଟରନେଟ ଅବା ବ୍ରଡବ୍ୟାଣ୍ଡ ସୁବିଧା ଉପଲବ୍ଧ ହୋଇପାରିଛି। ସେହିପରି ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ୨୦୨୦ ମସିହା ସୁଦ୍ଧା ଓଡ଼ିଶାର ମୋଟ ୪୭୬୭୭ଟି ଜନବସତି ଗାଁ(୨୦୧୧ ଜନଗଣନା ଅନୁସାରେ) ଥିବାବେଳେ ସେଥିରୁ ୩୮,୭୩୦ଟି ଗାଁରେ ଏବେ ଉଭୟ ଥ୍ରୀ-ଜି ଅବା ଫୋର-ଜି ନେଟୱାର୍କ ସୁବିଧା ଉପଲବ୍ଧ ଅଛି। ବାକି ୮୯୪୭ଟି ଗାଁରେ ଏହି ମୋବାଇଲ ନେଟୱାର୍କ ସୁବିଧା ନାହିଁ। କେନ୍ଦ୍ର ସରକାରଙ୍କ ଏହି ତଥ୍ୟ ପରେ ରାଜ୍ୟର ପ୍ରାୟ ୯ହଜାର ଗାଁ ଲୋକେ ନେଟୱାର୍କ ଅଭାବରୁ ମୋବାଇଲ୍ ଫୋନ୍ ଉପଯୋଗ ସୁବିଧାରୁ ବଂଚିତ ହେଉଥିବା ଜଣାପଡ଼ିଛି।

ଭୁଲ୍‌ରେ ବି ଖାଆନ୍ତୁନି ଏହି ସବୁ ବାସି ଖାଦ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଧିକାଂଶ ଲୋକ ରାତିରେ ବଳି ଯାଇଥିବା ଖାଦ୍ୟକୁ ସକାଳେ ଗରମ କରି ଖାଇଦିଅନ୍ତି। ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ବାସି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏଭଳି ଅନେକ ଖାଦ୍ୟ ରହିଛି, ଯାହାକୁ ବାସିରେ ଖାଇଲେ ଆପଣ ରୋଗରେ ପଡିପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।

ଅଣ୍ଡା: ଅଣ୍ଡାରେ ସବୁଠୁ ଅଧିକ ସାଲ୍ମୋନେଲା ଥାଏ। ଏହା ଏକ ପ୍ରକାର ବ୍ୟାକ୍ଟେରିଆ, ଯାହା କଞ୍ଚା ଏବଂ ଦର ସିଝା ଅଣ୍ଡାରେ ମିଳେ। ଅଧିକାଂଶ ଲୋକ ଅଣ୍ଡାକୁ ଦରସିଝା ଖା’ନ୍ତି। ଫଳରେ ଏଭଳି ଅଣ୍ଡାରୁ ବ୍ୟାକ୍ଟେରିଆ ଭଲ ଭାବେ ନଷ୍ଟ ହୋଇନଥାଏ।ଆଉ ଯଦି ଏହି ଅଣ୍ଡା ବାସି ହୋଇଯାଏ ତେବେ ଏଥିରେ ବ୍ୟାକ୍ଟେରିଆର ମାତ୍ରା ଦୁଇ ଗଣ ହୋଇଯାଏ । ଫଳରେ ଜ୍ୱର, ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇପାରେ।

ଆଳୁ: ଆଳୁକୁ ରୋଷେଇ କରିବା ପରେ ଯଦି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖି ଦିଆଯାଏ ତେବେ ଏଥିରେ କ୍ଲୋଷ୍ଟିଡିଅମ ବୋଟିଲିନମ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହି ଜୀବାଣୁ ଯୋଗୁଁ ଦୃଷ୍ଟି ଶକ୍ତି କମିବା, ମୁହଁ ଶୁଖିଯିବା, ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦେଇପାରେ। ଅଳୁକୁ କେବେବି ବାସି ଖାଇବା ଉଚିତ ନୁହେଁ । ସେହିପରି ଏହାକୁ କେବେବି ଓଭାନରେ ପୁଣି ଗରମ କରି ଖା’ନ୍ତୁ ନାହିଁ।

ପାଳଙ୍ଗ: ପାଳଙ୍ଗରେ ଭରପୁର ମାତ୍ରାରେ ନାଇଟ୍ରେଟ ଥାଏ। ପଳଙ୍ଗକୁ ଅଧିକ ରୋଷେଇ କରିବା ଦ୍ୱାରା ଏହା କାର୍ସିନୋଜେନିକ ନାଇଟ୍ରୋସେମାଂସରେ ପରିଣତ ହୋଇଯାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏଥିପାଇଁ ପାଳଙ୍ଗକୁ ବାସି ରଖି ପୁଣିଥରେ ଗରମ କରି ଖାଇବା ଉଚିତ ନୁହେଁ।

ବାସି ଭାତ: ଭାତକୁ ରୁମ ଟେମ୍ପେରଚରେ କିଛି ସମୟ ଛାଡି ଦେବା ପରେ ସେଥିରେ ବେସିଲସ ସେରେସ ନାମକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ବାସି ଭାତକୁ ଗରମ କରି ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ମଧ୍ୟ ରହିଥାଏ। ତେଣୁ ଭାତ ରୋଷେଇ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାକୁ ଖାଇଦେବା ଉଚିତ।

ଚିକେନ୍‌: ଅଣ୍ଡା ଭଳି ଚିକେନ୍‌କୁ ମଧ୍ୟ ଅଧିକ ସମୟ ରୋଷେଇ କଲା ପରେ ରଖିଲେ ସେଥିରେ ଦ୍ରୁତ ଗତିରେ ଜୀବାଣୁ ଉତ୍ପନ୍ନ ହେବାକୁ ଲାଗେ। ତେଣୁ ଏହାକୁ ମଧ୍ୟ ବାସି ଖାଇବା ଉଚିତ ନୁହେଁ। ଚିକେନକୁ ଭଲ ଭାବେ ଅଧିକ ଗରମ ଦେଇ ରୋଷେଇ କରି ଖାଇବା ଉଚିତ।

ତେଲ ଯୁକ୍ତ ଖାଦ୍ୟ: ତେଲ ଯୁକ୍ତ ଖାଦ୍ୟକୁ ଥଣ୍ଡା ହେବା ପରେ ପୁଣି ଥରେ ଗରମ କଲେ ସେଥିରୁ ଏକ ପ୍ରକାରର କେମିକାଲ ସୃଷ୍ଟି ହେଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। ତେଲ ଯୁକ୍ତ ଖାଦ୍ୟକୁ ବାସି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ସମୁଦ୍ର ମାଛ: ବାସି ସମୁଦ୍ର ମାଛ ଖାଇବା ଦ୍ୱାରା ଫୁଡ ପଏଜନିଂର ବିପଦ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ସମୁଦ୍ର ଜାତୀୟ ଖାଦ୍ୟ ତଥା ମାଛକୁ ବାରମ୍ବାର ଅଧିକ ତାପମାତ୍ରାରେ ଗରମ କରିବା ଦ୍ୱାରା ଏଥିରେ ଧୀରେ ଧୀରେ ଜୀବାଣୁ ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତିରେ ଏହାକୁ ଖାଇବା ଦ୍ୱାରା ମଣିଷ ଅସୁସ୍ଥ ହୋଇପଡିବା ଆଶଙ୍କା ରହିଥାଏ।

ଆଜିର ରାଶିଫଳ – ୫ ଜାନୁଆରୀ, ଶୁକ୍ରବାର

ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଫଳ ହେବେ। କର୍ମକ୍ଷେତ୍ରରେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ମିତ୍ରମାନେ ଶତ୍ରୁଭଳି ଆଚରଣ କରିବେ। ପ୍ରତିକାର– ଶ୍ରୀହନୁମାନ ଚାଳିଶା ସାତ ଥର ପାଠ କରନ୍ତୁ।

ବୃଷ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି। ପରିବାରରେ ସନ୍ତାନମାନେ ଶୃଙ୍ଖଳିତ ତଥା ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବଢ଼ିବ।

ମିଥୁନ: ପାରିବାରିକ ଓ ଦାମ୍ପତ୍ୟଜୀବନ ସୁଖମୟ ହେବ। ବହୁଦିନର ଆଶା ପୂରଣ ହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ।

କର୍କଟ: ପାରିବାରିକ ଦ୍ୱନ୍ଦ୍ୱ ଓ ଶାରୀରିକ ଅସୁସ୍ଥତାକୁ ନେଇ ଚିନ୍ତିତ ରହିବେ। ବିରୋଧୀମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି। ବୃତ୍ତିଗତ ବ୍ୟବସାୟରେ ବାଧା ସୃଷ୍ଟିହେବ। ପ୍ରତିକାର– ସାତଟି ଧଳା କନିଅର ଫୁଲ ଶ୍ରୀଗଣେଶଙ୍କୁ ଚଢ଼ାନ୍ତୁ।

ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। ଉତ୍ତମ ଭୋଜନ ପ୍ରାପ୍ତିହେବ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ହାସଲ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।