ଟିଏମସି ନେତାଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳବଦଳ ରାଜନୀତି ଜାରି ରହିଛି। କ୍ଷମତାସୀନ ଟିଏମସର ଏକାଧିକ ବିଧାୟକ ଓ ନେତା ବିଜେପିରେ ମିଶିବାରେ ଲାଗିଛନ୍ତି। ବିଜେପିର ଶୀର୍ଷସ୍ତରୀୟ ନେତା ଏଥିରେ ଖୁସି ଥିବା ବେଳେ ଦଳ ପାଇଁ ତୃଣମୂଳସ୍ତରରେ କାମ କରୁଥିବା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ପ୍ରଶମିତ କରିବା ପାଇଁ ଏବେ ବିଜେପି ନୂଆ ଫର୍ମୁଲା ଆପଣାଇବାକୁ ନିଷ୍ପତ୍ତି ନେଇଛି। ଟିଏମସି ନେତାଙ୍କ ପାଇଁ ଦଳ ନିଜର ଦ୍ୱାର ବନ୍ଦ କରିଦେଇଛି। ଏହାର ଅର୍ଥ ଆଗକୁ ଆଉ ଟିଏମସି ଛାଡ଼ୁଥିବା ନେତାଙ୍କୁ ବିଜେପି ସିଧାସଳଖ ଓ ଆଖିବନ୍ଦ କରି ଗ୍ରହଣ କରିବ ନାହିଁ। ବିଜେପିର ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା କହିଛନ୍ତି, ଆମେ ଟିଏସିର ବି-ଟିମ୍‌ ହେବାକୁ ଚାହୁଁନାହୁଁ। ସ୍ୱଚ୍ଛ ଛବି ନଥିବା ଟିଏମସି ନେତାଙ୍କୁ ବିଜେପିର ସାମିଲ କଲେ, ଲୋକେ ଆମକୁ ଟିଏମସିର ବି ଟିମ୍‌ କହିବେ। ଯେଉଁମାନଙ୍କ ନାଁରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ସାଂଘାତିକ ଅଭିଯୋଗ ରହିଛି, ସେଭଳି ଲୋକଙ୍କୁ ଆମେ ଦଳରେ ସାମିଲ କରିବାକୁ ଚାହୁଁନାହୁଁ। ତେଣୁ ଆଗକୁ ଆଉ ଗଣ ମିଶ୍ରଣ ହେବନାହିଁ। ଏବେ ଠାରୁ ମିଶ୍ରଣ ପୂର୍ବରୁ ଭଲ ଭାବେ ଯାଞ୍ଚ କରାଯିବ ଓ ସ୍ୱଚ୍ଛ ଛବି ଥିବା ଲୋକଙ୍କୁ ହିଁ ବିଜେପିରେ ସାମିଲ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଉ ଜଣେ ବରିଷ୍ଠ ନେତା ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଟିଏମସି ନେତା ଓ ବିଧାୟକ ଦଳରେ ସାମିଲ ହେବାର ପ୍ରକ୍ରିୟା ଜାରି ରହିଛି। ଏଥିଯୋଗୁ ବିଜେପି ମଧ୍ୟରେ ଦଳୀୟ ଅସନ୍ତୋଷ ବୃଦ୍ଧି ପାଇଛି। ଏକାଧିକ ଗଣ ମିଶ୍ରଣକୁ ନେଇ ଜିଲ୍ଲା ସ୍ତରୀୟ ବିଜେପି ନେତା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ନେତୃତ୍ୱଙ୍କ ପାଖରେ ମଧ୍ୟ ଏହି ଖବର ପହଞ୍ଚିଛି। ଏହାକୁ ପ୍ରଶମିତ କରିବା ପାଇଁ ଏବେ ଶୀର୍ଷସ୍ତରୀୟ ନେତା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ଏଣିକି ଅନ୍ୟ ଦଳର ନେତା ଓ କର୍ମୀ ଯଦି ବିଜେପିରେ ମିଶିବେ, ତା’ହେଲେ ଏହାର ନିଷ୍ପତ୍ତି କେନ୍ଦ୍ରରେ ଥିବା ନେତା ନେବେ। ଏଥିସହ ଜିଲ୍ଲାସ୍ତରୀୟ ଦଳୀୟ ନେତାଙ୍କ ଠାରୁ ମିଶ୍ରଣ ପର୍ବ ପୂର୍ବରୁ ଏନଓସି ମଧ୍ୟ ଅଣାଯିବ। ଯଦି ବିଜେପିରେ ମିଶିବାକୁ ଥିବା ଅନ୍ୟ ଦଳର ନେତାଙ୍କୁ ଜିଲ୍ଲାସ୍ତରୀୟ ଦଳୀୟ କର୍ମୀ ବିରୋଧ କରୁଛନ୍ତି, ତା’ହେଲେ ତାଙ୍କୁ ପଦ୍ମ ଧରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ଫସିଥିବା ଏକାଧିକ ଟିଏମସି ନେତା ବିଜେପିରେ ମିଶିବାର ନଜିର ରହିଛି। ଏଥିଯୋଗୁ ଅନେକ ସମୟରେ ବିଜେପି ବିରୋଧୀଙ୍କ ସମାଲୋଚନାର ଶିକାର ମଧ୍ୟ ହୋଇଛି। ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦାଗକୁ ଲିଭାଇବା ଓ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାକୁ ବିଜେପି ଏଭଳି ପଦକ୍ଷେପ ନେଇଥିବା ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି।

ଲକ୍ଷାଧିକ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ବ୍ୟକ୍ତିଗତ ତଥ୍ୟ ଲିକ୍‌ର ଆଉ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଲକ୍ଷାଧିକ ଏୟାରଟେଲ୍‌ ସିମ୍‌ ବ୍ୟବହାର କରୁଥିବା ମୋବାଇଲ ଉପଭୋକ୍ତାଙ୍କ ନମ୍ବର ସହ ଆଧାର ତଥ୍ୟ ଗୋଟିଏ ୱେବ୍‌ ସାଇଟ୍‌ରେ ଲିକ୍‌ ହୋଇଛି। ଏଥିରେ ବ୍ୟକ୍ତି ବିଶେଷମାନଙ୍କର ଠିକଣା, ସହର, ଘରର ନାଁ, ଆଧାର କାର୍ଡ ନମ୍ବର ଓ ଲିଙ୍ଗ ଭଳି ତଥ୍ୟ ରହିଛି। ଏହି ତଥ୍ୟ ଲିକ୍‌ ସମ୍ପର୍କରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଖବର ପ୍ରକାଶ କରିଛି। ଖବର ଅନୁସାରେ, ହ୍ୟାକ୍‌ରମାନେ ପ୍ରଥମ ପର୍ଯ୍ୟାୟରେ ୨.୫ ମିଲିୟନ ଏୟାରଟେଲ୍‌ ଉପଭୋକ୍ତାଙ୍କ ତଥ୍ୟ ସାର୍ବଜନୀନ କରିଛନ୍ତି। କିନ୍ତୁ ସେମାନେ ଭାରତରେ ଥିବା ସମସ୍ତ ଏୟାରଟେଲ ଉପଭୋକ୍ତାଙ୍କ ତଥ୍ୟ ରଖିଛନ୍ତି ଓ ଏହାକୁ ବିକ୍ରି କରିବାକୁ ଚାହୁଁଥିବା କହିଛନ୍ତି। ଏହି ସୂଚନାକୁ ଇଣ୍ଟରନେଟ୍‌ ସିକ୍ୟୁରିଟି ରିସର୍ଚ୍ଚର ରାଜଶେଖର ରାଜହରିଆ ଠାବ କରିଛନ୍ତି। ହ୍ୟାକ୍‌ରମାନେ ଏୟାରଟେଲ ନମ୍ବର ଠାବ କରିବା ପରେ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ତଥ୍ୟ ଲିକ୍‌ ରୋକିବାକୁ ହେଲେ ଏୟାରଟେଲ ସେମାନଙ୍କୁ ୩୫୦୦ ଡଲାରକୁ ବିଟକଏନ ଆକାରରେ ଦେବାକୁ ଧମକ ଦେଇଥିଲେ। ତେବେ ଏୟାରଟେଲ କର୍ତ୍ତୃପକ୍ଷ ଏଥିରେ ରାଜି ନ ହେବାରୁ ହ୍ୟାକରମାନେ ୱେବରେ‌ ତଥ୍ୟ ବିକ୍ରି କରିବାକୁ ବିଜ୍ଞାପନ ଦେଇଛନ୍ତି। ଉଦାହାରଣ ସ୍ୱରୂପ ସେମାନେ ପ୍ରଥମ ପର୍ଯ୍ୟାୟରେ ୨.୫ ମିଲିୟନ ଏୟାରଟେଲ ଉପଭୋକ୍ତାଙ୍କ ତଥ୍ୟକୁ ଲିକ୍‌ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏୟାରଟେଲ ସିଷ୍ଟମ କିମ୍ବା ସର୍ଭରରୁ ଏହି ତଥ୍ୟ ଲିକ ହୋଇନାହିଁ। ସୁରକ୍ଷା ପାଇଁ ସରକାର ଲୋକଙ୍କ ତଥ୍ୟ ରଖିଥାଆନ୍ତି। ସେହି ସର୍ଭରରୁ ଏହା ଲିକ୍‌ ହୋଇଥିବା ଅନୁମାନ କରାଯାଉଛି। କାରଣ ଲିକ୍‌ ହୋଇଥିବା ସମସ୍ତ ୨୫ ଲକ୍ଷ ଏୟାରଟେଲ ନମ୍ବର ଜମ୍ମୁ-କଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଛି।ରାଜଶେଖରଙ୍କ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୧ରେ ହ୍ୟାକରମାନେ ୨.୫ ମିଲିୟନ ଉପଭୋକ୍ତାଙ୍କ ନମ୍ବର ସହ ବ୍ୟକ୍ତିଗତ ତଥ୍ୟକୁ ସାମ୍ପୁଲ ଭାବେ ଲିକ୍ କରିଥିଲେ। ଏହା ପୂର୍ବରୁ ସେମାନେ ଟଙ୍କା ମାଗିଥିଲେ ହେଁ କମ୍ପାନୀ ଏଥିରେ ରାଜି ହୋଇ ନଥିଲେ। ତେଣୁ ସେମାନେ ରାଗି ଯାଇ ତଥ୍ୟକୁ ଲିକ କରିଛନ୍ତି।ଲିକ୍‌ ହୋଇଥିବା ସମସ୍ତ ଏୟାରଟେଲ ନମ୍ବର ଜମ୍ମୁ-କଶ୍ମୀର ରିଜନର। ଏହାର ସତ୍ୟାସତ୍ୟ ଜାଣିବାକୁ ଟ୍ରୁକଲରରେ ନମ୍ବରଗୁଡ଼ିକୁ ଫୋନ କରାଯାଇଥିଲା। ଲିକ୍ ତଥ୍ୟରେ ଥିବା ନାଁ ସହ ଡାଏଲ ନମ୍ବର ମଧ୍ୟ ମେଳ ଖାଉଛି। ଏୟାରଟେଲ କମ୍ପାନୀ ଓ ହ୍ୟାକରଙ୍କ ମଧ୍ୟରେ ୩ଥର ତଥ୍ୟ ଲିକ୍‌ ସମ୍ପର୍କରେ ଇ-ମେଲ ଯୋଗେ କଥାବାର୍ତ୍ତା ମଧ୍ୟ ହୋଇଥିବା ରାଜଶେଖର କହିଛନ୍ତି। ତଥ୍ୟ ଲିକ୍‌କୁ ନେଇ ହଇଚଇ ହେବାରୁ ଏୟାରଟେଲ ନିଜ ସଫେଇରେ କହିଛି ଯେ ଉପଭୋକ୍ତାଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ସର୍ବଦା କାର୍ଯ୍ୟ କରି ଆସୁଛି। ଏହି ଘଟଣାରେ କମ୍ପାନୀ ଏତିକି କହିବାକୁ ଚାହୁଁଛି ଯେ ଆମ ତରଫରୁ କୌଣସି ପ୍ରକାରର ତଥ୍ୟ ଲିକ୍ କରାଯାଇ ନାହିଁ। ହ୍ୟାକରମାନେ କେବଳ ଏୟାରଟେଲ ନୁହେଁ, ଅନ୍ୟ କିଛି କମ୍ପାନୀର ନମ୍ବରକୁ ମଧ୍ୟ ହ୍ୟାକ କରିଛନ୍ତି। ଆମେ ଏ ସମ୍ପର୍କରେ ଉପରସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛୁ ବୋଲି କମ୍ପାନୀ କହିଛି।

ଚାଷୀଙ୍କ ପାଇଁ କଣ୍ଟାର ରାସ୍ତା; ପଚାରିବାରୁ ରାଗିଗଲେ ଦିଲ୍ଲୀ ପୁଲିସ୍‌ କମିଶନର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଶହଶହ ଚାଷୀଙ୍କ ପାଇଁ ପୁଲିସ୍‌ ପକ୍ଷରୁ ଅଭେଦ୍ୟ ଦୁର୍ଗ ପ୍ରସ୍ତୁତ କରାଯାଇଛି। ଗାଜିପୁର, ସିଙ୍ଘୁ ଓ ଟିକରି ସୀମାର ରାସ୍ତାରେ ପୁଲିସ୍‌ ଚାଷୀଙ୍କ ବାଟ ଓଗାଳିବାକୁ ସିମେଣ୍ଟର ଅସ୍ଥାୟୀ କାନ୍ଥ, ଲୁହା ବାଡ଼ ଓ ରାସ୍ତାରେ କଣ୍ଟା ବିଚାଇଛି। ୧୨ ସ୍ତରୀୟ ବ୍ୟାରିକେଡ୍‌ ବ୍ୟବସ୍ଥାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ଦିଲ୍ଲୀ ପୁଲିସ୍‌ କମିଶନର ଏସଏନ ଶ୍ରୀବାସ୍ତବକୁ ପ୍ରଶ୍ନ କରାଯିବାରୁ ସେ ରାଗି ଯାଇଛନ୍ତି। ଏଥିସହ ଜାନୁଆରୀ ୨୬ କଥା ମଧ୍ୟ ଦୋହରାଇଛନ୍ତି। ସେ କହିଛନ୍ତି, ଜାନୁଆରୀ ୨୬ ଦିନ ଯେତେବେଳେ ପୁଲିସ୍‌ ଉପରେ ଆକ୍ରମଣ ହେଉଥିଲା, ସେଦିନ କେହି ତ ପ୍ରଶ୍ନ କରୁ ନଥିଲେ? ଆଜି କାହିଁକି ପ୍ରଶ୍ନ କରାଯାଉଛି ? ଜାନୁଆରୀ ୨୬ରେ ପୁଲିସ୍‌ ଉପରେ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ ହୋଇଥିଲା, ପୁଲିସକୁ ଆକ୍ରମଣ କରାଯାଇଥିଲା ଓ ବ୍ୟାରିକେଡ୍‌ ସବୁ ଭଙ୍ଗା ଯାଇଥିଲା। କିନ୍ତୁ କେହି ବି ଏହା ଉପରେ ପ୍ରଶ୍ନ ଉଠାଇ ନଥିଲେ। ଏହାକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଛି। ପୁଲିସ୍‌କୁ ଆକ୍ରମଣ କରାଯିବା ପରେ ଆମେ ଆଉ କ’ଣ କରିପାରି ଥାଆନ୍ତୁ? ଆମେ କେବଳ ବ୍ୟାରିବେଡ୍‌କୁ ଅଧିକ ସଶକ୍ତ କରିଛୁ। ଏହା ଯେମିତି ଆଗକୁ ନ ଭାଙ୍ଗିବ ତା’ର ବ୍ୟବସ୍ଥା କରିଛୁ ବୋଲି ଏସଏନ ଶ୍ରୀବାସ୍ତବ ବେଶ ଉଚ୍ଚା ସ୍ୱରରେ କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ ଚାଷୀ ଆନ୍ଦୋଳନକୁ ଦେଖି ହାତରେ ଷ୍ଟିଲ ଲାଠି ଓ ଢାଲ ପରିନ୍ଧାନ କରିବା ଘଟଣା ଉପରେ ମଧ୍ୟ କମିଶନର ଏସଏନ ଶ୍ରୀବାସ୍ତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଷ୍ଟିଲର ଲାଠି ଦିଲ୍ଲୀ ପୁଲିସ୍‌ର ଅସ୍ତ୍ର ନୁହେଁ। ମୁଁ ଜାଣିନି ସେସବୁ କ’ଣ ଥିଲା। ଦିଲ୍ଲୀ ପୁଲିସ୍‌ କେବେ ହେଲେ ଏଭଳି ଲାଠିକୁ ନିଜର ଅସ୍ତ୍ର ଭାବେ ବ୍ୟବହାର କରିନାହିଁ ବୋଲି ସେ କହିଛନ୍ତି। 

ଚାଷୀଙ୍କ ପାଇଁ ଷ୍ଟିଲ ଲାଠି; ଭାଇରାଲ ହେଲା ଫଟୋ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଚାଷୀଙ୍କ ଆନ୍ଦୋଳନ ବେଳେ ନିଜର ସୁରକ୍ଷା ପାଇଁ ଦିଲ୍ଲୀ ପୁଲିସ୍‌ ଷ୍ଟିଲର ଲାଠି ଓ ଢାଲ ପିନ୍ଧି ରାସ୍ତାରେ ଛିଡ଼ା ହୋଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିବାଦ ଉପୁଜିବାରୁ ଦିଲ୍ଲୀ ପୁଲିସ୍‌ ପୂରା ଘଟଣା ଉପରେ ସଫେଇ ଦେଇଛି। ଦିଲ୍ଲୀ ପୁଲିସ୍‌ କହିଛି ଯେ କର୍ମଚାରୀମାନଙ୍କୁ ଏଭଳି ଷ୍ଟିଲର ଲାଠି ଓ ଢାଲ ବ୍ୟବହାର କରିବାକୁ ବରିଷ୍ଠ ଅଧିକାରୀମାନେ କୌଣସି ପ୍ରକାରର ଅନୁମତି ଦେଇନାହାନ୍ତି। ପୁଲିସ୍‌ କର୍ମଚାରୀମାନେ ନିଜ ଆଡ଼ୁ ଏଭଳି ସୁରକ୍ଷା କବଚ ପିନ୍ଧିଛନ୍ତି। ସେହିପରି ଘଟଣାର ଖବର ମିଳିବା ପରେ ପୁଲିସ୍‌ କର୍ମଚାରୀମାନଙ୍କ ଠାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି। ଶାହଦାରା ଜିଲ୍ଲାରେ ମୁତୟନ ପୁଲିସ୍‌ କର୍ମଚାରୀମାନେ ଏପରି ଷ୍ଟିଲ ଲାଠି ଓ ଢାଲ ବ୍ୟବହାର କରିଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ପୁଲିସ୍‌ ଅଧିକାରୀ ବରିଷ୍ଠ ଅଫିସରଙ୍କ ବିନା ଅନୁମତିରେ କର୍ମଚାରୀଙ୍କ ପାଇଁ ଷ୍ଟିଲ ଲାଠି ବ୍ୟବହାର କରିବାକୁ କହିଥିଲେ। ଦିଲ୍ଲୀ ପୁଲିସ୍‌ ଷ୍ଟିଲର ଲାଠି ବ୍ୟବହାର କରିବା ପାଇଁ କୌଣସି ପ୍ରକାରର ଯୋଜନା କରିନି। ତେଣୁ ଏହି ଘଟଣାକୁ ଏହିଠାରେ ବନ୍ଦ କରାଯାଉ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ଜାନୁଆରୀ ୨୬ରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ଚାଷୀ ଓ ପୁଲିସ୍‌ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଥିଲା। ଏହି ସମୟରେ କିଛି ସ୍ଥାନରେ ଆନ୍ଦୋଳନକାରୀ ପୁଲିସ୍‌କୁ ଲାଠି ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ୪୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଆହତ ବି ହୋଇଥିଲେ। ଏହି କାରଣରୁ ଦିଲ୍ଲୀ ପୁଲିସ୍‌ ଚାଷୀ ଆନ୍ଦୋଳନର ମୁକାବିଲା କରିବା ପାଇଁ ଷ୍ଟିଲର ଲାଠି ଓ ଢାଲ ପରିନ୍ଧାନ କରିଥିବା କୁହାଯାଇଥିଲା। ଏହାର ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ଚାଷୀଙ୍କ ଆନ୍ଦୋଳନକୁ ଅଟକାଇବା ପାଇଁ ଦିଲ୍ଲୀ ପୁଲିସ କଣ୍ଟାର ରାସ୍ତା ତିଆରି କରିଛି। ଗାଜିପୁର-ଟିକ୍ରି ସୀମାରେ ରାସ୍ତା ଉପରେ ଲୁହା ଛଡ଼ ପୋତାଯାଇଛି। କେବଳ ସେତିକି ନୁହେଁ କଣ୍ଟା ଯୁକ୍ତ ତାର ବାଡ଼ ବିଛାଇଛି ପୁଲିସ। ଟିକ୍ରି ସୀମାର ବିଭିନ୍ନ ସ୍ଥାନରେ ୪ ଫୁଟ ମୋଟାର ଅସ୍ଥାୟୀ କଙ୍କ୍ରିଟ କାନ୍ଥ ମଧ୍ୟ ତିଆରି କରାଯାଇଛି। ଦିଲ୍ଲୀ ନିକଟସ୍ଥ ଏମସିଡି ଟୋଲ ନିକଟ ସୀମାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ିକଡ଼ି କରିବାକୁ ଯାଇ ପୁଲିସ ଶକ୍ତ ବ୍ୟାରିକେଡ ତିଆରି କରିଛି।

ତାମିଲନାଡୁ ଠାରେ ବିହାର ଫର୍ମୁଲା ଆପଣାଇବ ବିଜେପି …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ବିହାର ବିଧାନସଭା ଭଳି ତାମିଲନାଡୁରେ ମଧ୍ୟ ସମାନ ଫର୍ମୁଲାରେ କାର୍ଯ୍ୟ କରିବ ବିଜେପି। ବିହାରରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିଥିଲା। ଜେଡିୟୁ ତୁଳନାରେ ବିଜେପି ଅଧିକ ଆସନ ଜିତିଥିଲେ ହେଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାମିଲନାଡୁରେ ଦଳ କ୍ଷମତାସୀନ ଏଆଇଏଡିଏମକେ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏଠାରେ ମଧ୍ୟ ବିଜେପି ସହଯୋଗୀ ଏଆଇଏଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସମର୍ଥନ କରିବ ଓ ତାଙ୍କରି ନେତୃତ୍ୱରେ ନିର୍ବାଚନ ଲଢ଼ିବ। ଆଜି ଖୋଦ୍‌ ତାମିଲନାଡୁ ବିଜେପି ମୁଖ୍ୟ ଏଲ ମୁରଗାନ ଏକ କଥା କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଏଆଇଏଡିଏମକେ ଗୋଟିଏ ବଡ଼ ପାର୍ଟି। ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇଡାପାଡ୍ଡି କେ ପଲାନିସ୍ୱାମୀଙ୍କ ନାଁ ଘୋଷଣା କରିଛନ୍ତି। ଆମେ ମଧ୍ୟ ଏଆଇଏଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସମର୍ଥନ ଓ ଗ୍ରହଣ କରିଛୁ। ବିଜେପି ଓ ଏଆଇଏଡିଏମକେ ରାଜ୍ୟରେ ବେଶ ଶକ୍ତିଶାଳୀ। କଂଗ୍ରେସ-ଡିଏମକେ ଆଦୌ ଶକ୍ତିଶାଳୀ ନୁହନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଡିଏମକେ ମେଣ୍ଟ କୌଣସି ବି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ। ତେଣୁ ସେମାନଙ୍କ ମେଣ୍ଟକୁ ନେଇ ବ୍ୟସ୍ତ ହେବାର କିଛି ବି କାରଣ ନାହିଁ ବୋଲି ସେ କହିଛନ୍ତି। ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ୍‌ ଲୋକଙ୍କ ପାଇଁ ଲଲିପପ୍‌ ବୋଲି କହିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ମୁରୁଗାନ କହିଛନ୍ତି, “ଲଲିପପ୍‌ ହେଉଛି ମିଠା। ଏହାର ଅର୍ଥ ୨୦୨୧-୨୦୨୨ ପାଇଁ ଉପସ୍ଥାପିତ ବଜେଟ୍‌ ମଧ୍ୟ ସମସ୍ତଙ୍କ ପାଇଁ ମିଠା ସଦୃଶ।”

ରାମ ରାଜ୍ୟ ଭାରତରେ ତେଲ ଦର ୯୩;ରାବଣଙ୍କ ଲଙ୍କାରେ ୫୧/- ….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ତେଲ ଦରରେ ଲାଗୁନି ଲଗାମ। ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର। ଏହାକୁ ନେଇ ନିଜ ଦଳକୁ ହିଁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାସଂଦ ସୁବ୍ରମଣ୍ୟମ ସ୍ୱାମୀ। ସେ ମୋଦି ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ”ରାବଣଙ୍କ ଲଙ୍କାରେ ପେଟ୍ରୋଲ ଲିଟର ପିଛା ୫୧ ଟଙ୍କା ଥିବା ବେଳେ ରାମଙ୍କ ଭାରତରେ କିନ୍ତୁ ଏହା ୯୩ ଟଙ୍କା ହୋଇଛି। ସେହିପରି ସୀତାଙ୍କ ନେପାଳରେ ପେଟ୍ରୋଲ ଲିଟର ପିଛା ଦର ୫୩ ଟଙ୍କା ରହିଛି।” ସୁବ୍ରମଣ୍ୟମଙ୍କ ଏହି ଟୁଇଟ ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଥିବା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ ଯେ, ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ନିଜ ବଜେଟ ଭାଷଣାରେ ପେଟ୍ରୋଲ ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଉପରେ ୪ଟଙ୍କା କୃଷି ସେସ୍ ଲାଗୁ ହେବା ନେଇ ଘୋଷଣା କରିଥିଲେ । ଏହାକୁ ନେଇ ମଙ୍ଗଳବାର ସୁବ୍ରମଣ୍ୟମ ସ୍ୱାମୀ, ଶ୍ରୀଲଙ୍କା ଓ ନେପାଳର ପେଟ୍ରୋଲ ଦାମ ସହ ଭାରତର ତୁଳନା କରିଥିଲେ। ଏଥିସହ ଏକ ଫଟୋକୁ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେଆର ମଧ୍ୟ କରିଛନ୍ତି, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରୁ ନୂଆ ଦର ଲାଗୁ ହୁଏ । ପେଟ୍ରୋଲ ଓ ଡିଜେଲ ଦରରେ ଏକସାଇଜ୍ ଚିକସ୍, ଡିଲର କମିଶନ ଭଳି ଅନେକ ଟିକସ୍ ଯୋଡିବା ପରେ ଏହାର ଦାମ୍ ପ୍ରାୟ ୨ଗୁଣ ହୋଇଯାଏ । ତେବେ ଗତ ୩ ଦିନ ହେଲା ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଓଜନ କମାଇବାକୁ ଚାହୁଁଥିଲେ ଖା’ନ୍ତୁ ଡାଲି-ଭାତ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ଓଜନ କମାଇବା ଏବଂ ପତଳା ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ କିଏ ଯୋଗ କରେ ତ ଆଉ କିଏ ଜିମ ଯାଏ। ସେହିପରି ପତଳା ହେବା ପାଇଁ ଅନେକ ଲୋକେ ଡାଏଟ ମଧ୍ୟ ଫଲୋ କରନ୍ତି । ଖାଦ୍ୟ ଛାଡି କେବଳ ଗ୍ରୀନ ସାଲଡ ଏବଂ ଜୁସ୍‌ ପିଅନ୍ତି। କେବଳ ସେତିକି ନୁହେଁ ଅନେକ ଲୋକେ ଭାତ-ଡାଲି ବଦଳରେ ରୁଟି ଖାଇବା ଆରମ୍ଭ କରିଦିଅନ୍ତି। ଭାତ-ଡାଲି ଖାଇଲେ ଓଜନ ବଢ଼ିଯାଏ ବୋଲି ଲୋକେ ଭାବନ୍ତି, କିନ୍ତୁ ଏହା ଭୁଲ ଧାରଣା। ସଠିକ ଢ଼ଙ୍ଗରେ ଏବଂ ଠିକ ଉପାୟରେ ଭାତ ଡାଲି ଖାଇଲେ ଓଜନ କମିପାରିବ। ଏହାକୁ ଆପଣ ଚାହିଁଲେ ନିଜ ଡାଏଟରେ ମଧ୍ୟ ସାମିଲ କରିପାରିବେ। ତେବେ ଆସନ୍ତୁ ଜାଣିବା ଭାତ-ଡାଲିକୁ କିଭଳି ନିଜ ଡାଏଟ ସାମିଲ କଲେ ଓଜନ କମିବ।

  • ଅଧିକାଂଶ ଲୋକ ଭାବନ୍ତି ଯଦି ସେମନେ ଭାତ-ଡାଲି ଖାଇବେ ତେବେ ସେମାନଙ୍କ ଓଜନ ବଢ଼ିଯିବ। ଏହା ଏକ ସାଧାରଣ ଖାଦ୍ୟ। ପ୍ରାୟ ସମସ୍ତଙ୍କ ଘରେ ଡାଲି-ଭାତ ତିଆରି ହୁଏ। ଏହାକୁ ଏକା ସହ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ।
  • ଡାଲିରେ ପ୍ରୋଟିନର ମାତ୍ରା ଭରପୁର ରହିଛି ଏବଂ ଚାଉଳରେ କାର୍ବୋହାଇଡ୍ରେଟ୍‌। ଯେତେବେଳେ ଡାଲି ଏବଂ ଭାତକୁ ଆପଣ ଏକା ସହ ଖାଇବେ, ସେତେବେଳେ ଆପଣଙ୍କ ଶରୀରକୁ କାର୍ବୋହାଇଡ୍ରେଟ୍‌ ସହ ଅନେକ ଆବଶ୍ୟକୀୟ ଭିଟାମିନ ମିଳିପାରିବ। ଡାଲି ଏବଂ ଭାତ ଶରୀରରେ ହଜମ ପ୍ରକ୍ରିୟାକୁ ଠିକ ରଖେ। ତେଣୁ ଏହାକୁ ଖାଇଲେ ଓଜନ ବଢ଼େ ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ଡାଲି-ଭାତର କମ୍ବିନେସନ ଓଜନ କମାଇବାର ସବୁଠୁ ଭଲ ବିକଳ୍ପ। ଏଥିରେ ଥିବା ପ୍ରୋଟିନ୍‌ ଏବଂ କାର୍ବୋହାଇଡ୍ରେଟ ଦ୍ୱାରା ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ।  ଫଳରେ ଓଜନ କମାଇବାରେ ଏହା ସହାଯ୍ୟ କରିଥାଏ।
  • ନିରାମିଶାଷି ବ୍ୟକ୍ତିଙ୍କ ପାଇଁ ପ୍ରୋଟିନର ସବୁଠୁ ଭଲ ମାଧ୍ୟମ ହେଉଛି ଡାଲି-ଭାତ। ଏହା ଓଜନ କମାଇବା ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାଠାରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ।
  • ଡାଲି-ଭାତରେ ଫାଇଭର ଭରପୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ରୁହେ ନାହିଁ।
  • ଆପଣ ଓଜନ କମାଇବା ପାଇଁ ଯଦି ଡାଏଟ କରୁଛନ୍ତି ତେବେ ଭାତ-ଡାଲିକୁ ନିଜ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ। ଦିନରେ ଥରେ ଭାତ-ଡାଲି ଖାଇବା ଦ୍ୱାରା ଓଜନ ବଢ଼ିବା ବଦଳରେ କମିପାରିବ।
ଆଜିର ରାଶିଫଳ ; ୩ ଫେବୃଆରୀ, ବୁଧବାର

ମେଷ: ଶରୀର ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ । ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ । ଯାହା ଫଳରେ ମନ ଖୁସି ରହି‍ବ।ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

ବୃଷ: ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ।

ମିଥୁନ: ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ , ଧନ ହାନୀ ପ୍ରାଣପୀଡା ଦେଖାଦେବ। ନିଜର ଲୋକମାନେ ପରୋକ୍ଷରେ ବିଶ୍ୱାସଘାତକତା କରିବେ।ଛୋଟ ଛୋଟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ମତଭେଦ ଦେଖା ଦେଇ ପାରେ।

କର୍କଟ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି । ବିଳମ୍ବ ହେଉଥିବା କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବ । ମହିଳାମାନେ ପ୍ରତ୍ୟେକଟି କ୍ଷେତ୍ରରେ ପ୍ରଶଂସନୀୟ ହେବେ ।

ସିଂହ: ବକେୟା ଅର୍ଥ ହସ୍ତଗତ ହେବ । ଯାହା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ମନ ପ୍ରଫୁଲ୍ଲ ରହିବ ।

କନ୍ୟା: ପ୍ରତ୍ୟେକଟି କ୍ଷେତ୍ରରେ ମାନ ସମ୍ମାନ, ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। କାର୍ଯ୍ୟ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ଲାଭ କରିବେ। କିନ୍ତୁ ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ପରିବାରରେ ଭାତ୍ରୁ ସମ୍ପର୍କ ନିବିଡ ହେବ ଓ ସୁଖ ଶାନ୍ତି ବିରାଜମାନ କରିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇଁ  ବିଦେଶ ଯାତ୍ରାରେ ଯିବାର ସମ୍ଭାବନା ରହିଛି । ବ୍ୟବସାୟ ବାଣିଜ୍ୟରେ ପୂର୍ବାପେକ୍ଷା ଅଧିକ ଉନ୍ନତି କରିବେ।

ବିଛା: କୌଣସି ଜମିଜମା ସମସ୍ୟା ଭିତରେ ପଡିଯାଇ ପାରନ୍ତି ।  ଖାଦ୍ୟର ଅନୀୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ । ନିର୍ମାଣଧୀନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟିହେବ।

ଧନୁ: ଶରୀରର କୌଣସି ସ୍ଥାନରେ ଆଘାତ ଲାଗିପାରେ । ତେଣୁ ଜଗି ରଖି ଚଳନ୍ତୁ । ପ୍ରତ୍ୟେକଟି କାର୍ଯ୍ୟରେ ଘାତ ପ୍ରତିଘାତ ଦେଖାଦେବ । ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ଓ ମର୍ମାହତ ହେବେ।

ମକର: ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ଓ ମଧୁମୟ ହେବ। ଅଟକି ରହିଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ । ଯେଉଁ କାର୍ଯ୍ୟରେ ହାତଦେବେ ସଫଳତା ପାଇବେ ।

କୁମ୍ଭ: ଗୁପ୍ତ ଶତ୍ରୁ ପରାଜିତ ହେବେ । ଯାହାଫଳରେ ମାନସିକ ଶାନ୍ତିଲାଭ କରିବେ। ବନ୍ଧୁ ଓ ଆତ୍ମୀୟଙ୍କ ସାହାଯ୍ୟ ସହଯୋଗ ପାଇବେ। ଆମଦାନୀ ରପ୍ତାନୀ କାରବାରରେ ଲାଭବାନ ହେବେ।

ମୀନ: ଆର୍ଥିକ ଓ ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଦୋଷୀ ସାବସ୍ତ୍ୟ ହୋଇପାରନ୍ତି।  ଆଣ୍ଠୁ ,ଅଣ୍ଟା, ପେଟ କିମ୍ବା ପାଦରେ ପୀଡା ଅନୁଭବ କରିପାରନ୍ତି ।