ଆଜି ବନକଲାଗି ନୀତି; ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-  ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରଥା ଓ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ପ୍ରତି ବୁଧବାର କିମ୍ବା ଗୁରୁବାର ବନକ ଲାଗି ନୀତି ପାଳନ ହେବାର ବିଧି ରହିଛି । ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯିବ । ପ୍ରାୟ ୪ ଘଣ୍ଟା ଧରି ଏହି ବନକ ଲାଗି ନୀତି କରାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସଂପନ୍ନ କରିବେ । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ। 

ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କାର କଏନ ଗାଏବ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ୪ ବର୍ଷ ମଧ୍ୟରେ ବ୍ୟାଙ୍କରୁ ଗାଏବ ହୋଇସାରିଛି ପ୍ରାୟ ୧୫ ଲକ୍ଷ ଟଙ୍କାର କଏନ।  ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ ବେଳେ ଧରାପଡ଼ିଲା ଏହି ଏହି ହେରାଫେରି। ଏନେଇ ବ୍ୟାଙ୍କର ୪ କର୍ମଚାରୀଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ତନାଘନା ଆରମ୍ଭ କରିଛି ପୁଲିସ୍‌।  ପାରାଦୀପ ଗଡ଼ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏପରି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। 

୨୦୧୬ ରୁ ୨୦୨୦ ମସିହା ମଧ୍ୟରେ  ପାରାଦୀପ ଗଡ଼ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧୪ ଲକ୍ଷ ୮୬ ହଜାର ୭୮୦ ଟଙ୍କାର କଏନ୍ ଗାଏବ ହୋଇଥିଲା। ଉକ୍ତ ସମୟରେ ଏହା କର୍ପୋରେସନ ବ୍ୟାଙ୍କ ନାଁରେ ପରଚାଳିତ ହେଉଥିଲା। ସପ୍ତାହକ ତଳେ ନୂଆ କରି ଯୋଗ ଦେଇଥିବା ବ୍ୟାଙ୍କ ମ୍ୟାନେଜର ଦାୟିତ୍ୱ ନେବା ପରେ ହେରଫେରକୁ ନେଇ ତନାଘନା ଚାଲିଛି । ବ୍ୟାଙ୍କରେ ଚାଲିଥିବା ଆଭ୍ୟନ୍ତରୀଣ ଅଡିଟ ବେଳେ ଏପରି ହେରଫେର ସମ୍ପର୍କରେ ଜଣାପଡ଼ିବା ପରେ ବ୍ୟାଙ୍କ ମ୍ୟାନେଜର ପାରାଦୀପ ଲକ୍ ଥାନାରେ ୪ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ବ୍ୟାଙ୍କର କେହି ପୂର୍ବତନ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅଡିଟରୁ ହେରାଫେରି ସମ୍ପର୍କରେ ଜଣାପଡ଼ିବା ପରେ ଏ ସମ୍ପର୍କରେ ବ୍ୟାଙ୍କର ମୁଖ୍ୟାଳୟକୁ ଅବଗତ କରାଇଥିଲି। ଏହାପରେ ଥାନାରେ ଅଭିଯୋଗ କରିଥିବା ବ୍ୟାଙ୍କ ମ୍ୟାନେଜର କହିଛନ୍ତି।

ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ୧୩୨୯୮କୋଟି ; ପଞ୍ଚଦଶ ଅର୍ଥ କମିଶନ ସୁପାରିସ୍…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- କରୋନା ମହାମାରୀ ଓ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଟିକସରୁ ୪୨ ପ୍ରତିଶତ ପରିବର୍ତ୍ତେ ୪୧% ରାଜ୍ୟଗୁଡ଼ିକୁ ଦେବା ପାଇଁ ପଞ୍ଚଦଶ ଅର୍ଥ କମିଶନ ସୁପାରିସ୍ କରିଥିଲେ ମଧ୍ୟ ଓଡ଼ିଶା ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୨୦୨୧-୨୨ରେ ଅଧିକ ୪୬୭୭କୋଟି ଟଙ୍କା ପାଇବ ବୋଲି ଜଣାପଡ଼ିଛି। ସେହିପରି ୨୦୨୧-୨୬ ମସିହା ମଧ୍ୟରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାଗୁଡ଼ିକୁ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସରେ ୧୩,୨୯୮କୋଟି ଟଙ୍କାର ଅନୁଦାନ ମଧ୍ୟ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଟିକସରୁ ୪୧ପ୍ରତିଶତ ଅର୍ଥ ରାଜ୍ୟଗୁଡ଼ିକୁ ଆବଣ୍ଟନ ହେବାକୁ ଥିବାବେଳେ ଓଡ଼ିଶାକୁ ୪.୬୩% ପରିବର୍ତ୍ତେ ୪.୫୩% ହିସାବରେ  ଟିକସ ଅର୍ଥ ମିଳିବ। ତେବେ କେନ୍ଦ୍ରୀୟ ଟିକସରେ ଓଡ଼ିଶାର ଭାଗ ହ୍ରାସ ପାଇଥିଲେ ମଧ୍ୟ ମୋଟ୍ ଉପରେ ଟିକସ ଅର୍ଥ ଅଧିକ ରହିଛି। ଯଦିଓ ଚଳିତବର୍ଷ ହାରରେ ଟିକସରେ ଭାଗିଦାରୀ ମିଳିଥିଲେ ଓଡ଼ିଶା ଅଧିକ ଲାଭବାନ ହୋଇଥାନ୍ତା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଓଡ଼ିଶାକୁ ୨୦୨୦-୨୧ରେ କେନ୍ଦ୍ରୀୟ ଟିକସର ଡିଭିଜିବଲ୍ ପୁଲରୁ ୪.୬୩% ଆଧାରରେ ମୋଟ ୨୫,୪୫୯କୋଟି ୬୩ ଲକ୍ଷ ଟଙ୍କା ମିଳିବାକୁ ଥିବାବେଳେ ୨୦୨୧-୨୨ରେ ୪.୫୩% ହାରରେ ୩୦,୧୩୬କୋଟି ୬୮ଲକ୍ଷ ଟଙ୍କା ଟିକସ ଅର୍ଥ ମିଳିବ। ଯାହାକି ୨୦୨୦-୨୧ ବର୍ଷ ତୁଳନାରେ ଅଧିକ ୪୬୭୭କୋଟି ଟଙ୍କା। ସେହିପରି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ମୋଟ ୧୩୨୯୮କୋଟି ଟଙ୍କାର ଅନୁଦାନ ମିଳିବ। ୨୦୨୧-୨୬ ମସିହା ମଧ୍ୟରେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ପଂଚାୟତ ସଂସ୍ଥାଗୁଡ଼ିକୁ ମୋଟ ୮୮୮୦କୋଟି ଓ ପୌର ସଂସ୍ଥାକୁ ୪୪୯୮କୋଟି ଟଙ୍କା ଅନୁଦାନ ମିଳିବ। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସରେ ରାଜ୍ୟର ପଂଚାୟତ ଓ ପୌର ସଂସ୍ଥାକୁ ୨୦୨୧-୨୨ରେ ଯଥାକ୍ରମେ ୧୬୬୯କୋଟି ଓ ୮୨୨କୋଟି ଟଙ୍କା, ୨୦୨୨-୨୩ରେ ୧୭୨୮ କୋଟି ଓ ୮୫୧କୋଟି ଟଙ୍କା, ୨୦୨୩-୨୪ରେ ୧୭୪୭ କୋଟି ଓ ୯୦୦କୋଟି ଟଙ୍କା, ୨୦୨୪-୨୫ରେ ୧୮୫୧ କୋଟି ଓ ୯୫୩କୋଟି ଟଙ୍କା, ୨୦୨୫-୨୬ରେ ୧୮୦୫ କୋଟି ଓ ୯୭୨କୋଟି ଟଙ୍କାର ଅନୁଦାନ ମିଳିବ ବୋଲି ଜଣାପଡ଼ିଛି।

ଓଡ଼ିଶାକୁ ମିଳିବ ମରୁଡ଼ି ମୁକାବିଲା ପାଇଁ ୧୦୦କୋଟି, ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ପାଇଁ ୮୦୦ କୋଟି ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ପ୍ରତିବର୍ଷ ବନ୍ୟା-ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଆସନ୍ତା ୫ବର୍ଷ ମଧ୍ୟରେ ମରୁଡ଼ି ମୁକାବିଲା ପାଇଁ ୧୦୦କୋଟି ଓ ବାତ୍ୟା ୱାର୍ଣ୍ଣିଂ ସିଷ୍ଟମ ନିମନ୍ତେ ୮୦୦କୋଟି ଟଙ୍କା ଅନୁଦାନ ମିଳିବ। ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ୨୦୨୧-୨୬ ମସିହା ମଧ୍ୟରେ ଏହି ଅନୁଦାନ ରାଶି ମିଳିବ। ସୂଚନା ଅନୁସାରେ ,ପ୍ରାୟତଃ ନିୟମିତ ଭାବେ ଓଡ଼ିଶାକୁ ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଆଗୁଆ ବାତ୍ୟା ସୂଚନା ଦେଉଥିବା ବ୍ୟବସ୍ଥା ଓ ଉପକରଣ ସ୍ଥାପନ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ନିମନ୍ତେ ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ଯାହାକୁ କମିଶନ ସ୍ୱୀକାର କରିବା ସହ ୮୦୦କୋଟି ଟଙ୍କା ଓଡ଼ିଶାକୁ ଦେବା ନିମନ୍ତେ ସୁପାରିସ୍ ମଧ୍ୟ କରିଛନ୍ତି। ସେହିପରି ଓଡ଼ିଶାରେ ଏପର୍ଯ୍ୟନ୍ତ ମାତ୍ର ୨୮.୯ ପ୍ରତିଶତ ଜଳସେଚନ ସୁବିଧା ହୋଇଥିବାରୁ ରାଜ୍ୟକୁ ଅଧିକାଂଶ ସମୟରେ ମରୁଡ଼ିର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ମରୁଡ଼ି ମୁକାବିଲା ନିମନ୍ତେ ଦୀର୍ଘକାଳୀନ ଯୋଜନା କରିବା ପାଇଁ ପଂଚଦଶ ଅର୍ଥ କମିଶନ ପରାମର୍ଶ ଦେଇଛନ୍ତି। ଏଥିରେ ଅଂଚଳଭିତ୍ତିକ ଚାଷ ବ୍ୟବସ୍ଥାରେ, ଭୂତଳ ଜଳ ଓ ନଦୀ ଜଳର ସୁପରିଚାଳନା, ଜଳର ସଦୁପଯୋଗ, କୃଷିଭିତ୍ତିକ ବନୀକରଣ ଯୋଜନା ଓ ସୌର ଶକ୍ତି ସ୍ଥାପନ ଭଳି କାର୍ଯ୍ୟକ୍ରମଗୁଡ଼ିକୁ ସାମିଲ କରି ମରୁଡ଼ି ପ୍ରଭାବିତ ଜିଲ୍ଲାମାନେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ କମିଶନ ସୁପାରିସ୍ କରିଛନ୍ତି । ଏଥିପାଇଁ କମିଶନ ଓଡ଼ିଶା ସମେତ ୧୨ଟି ରାଜ୍ୟକୁ ୧୦୦କୋଟି ଟଙ୍କା ଲେଖାଏଁ (ମୋଟ ୧୨୦୦କୋଟି) ଆବଣ୍ଟନ କରିବାକୁ ସୁପାରିସ୍ କରିଛନ୍ତି। ଏହି ଅନୁଦାନକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ମାଧ୍ୟମରେ ଦେବାକୁ ପରାମର୍ଶ ଦିଆଯାଇଛି। ଏସବୁ ବ୍ୟତୀତ ରାଜ୍ୟ ସରକାରଙ୍କ ଅନୁରୋଧରେ ପଂଚଦଶ ଅର୍ଥ କମିଶନ ହୀରାକୁଦ ଜଳଭଣ୍ଡାରର ବିକାଶ, ମହାନଦୀରରେ ଏକ ବୃହତ୍ ସେତୁ, ଜଳଭଣ୍ଡାର ନିକଟରେ ଏୟାରଷ୍ଟ୍ରିପର ବିକାଶ ଆଦି ନିମନ୍ତେ ୨୦୦କୋଟି ଟଙ୍କା ଅନୁଦାନ ଦେବାକୁ କେନ୍ଦ୍ର ସରକାରଙ୍କୁ କମିଶନ ସୁପାରିସ୍ କରିଛନ୍ତି। 

ଅର୍ଥ କମିଶନ କଲେ ସୁପାରିସ୍‌ ;ବାରବାଟୀ ଦୁର୍ଗର ସଂରକ୍ଷଣ ପାଇଁ ଦରକାର ୧୫୦କୋଟି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ତ୍ରୟୋଦଶ ଶତାବ୍ଦୀର ଐତିହାସିକ ବାରବାଟୀ ଦୁର୍ଗ ଓ ଏହାର ପାରିପାଶ୍ୱିର୍କ ସ୍ଥାନର ସଂରକ୍ଷଣ ଏବଂ ବିକାଶ ନିମନ୍ତେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ କେନ୍ଦ୍ର ସରକାର ୧୫୦କୋଟି ଟଙ୍କା ଅନୁଦାନ ଯୋଗାଇ ଦେବେ। ଐତିହାସିକ ବାରବାଟୀ ଦୁର୍ଗର ସଂରକ୍ଷଣ ନିମନ୍ତେ ଅନୁଦାନ ଦେବାକୁ ପଂଚଦଶ ଅର୍ଥ କମିଶନଙ୍କ ପାଖରେ ରାଜ୍ୟ ସରକାର ଦାବି କରିଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ପଂଚଦଶ ଅର୍ଥ କମିଶନ ବାରବାଟୀ ଦୁର୍ଗର ସଂରକ୍ଷଣ ଓ ବିକାଶ ନିମନ୍ତେ ୧୫୦କୋଟି ଟଙ୍କା ଦେବାକୁ ସୁପାରିସ୍ କରିଛନ୍ତି। କଟକ ସହରର ଏହି ଐତିହାସିକ ଦୁର୍ଗ, ଏହାର ଗେଟ୍ ଓ ରାଜଭବନର ସଂରକ୍ଷଣ ଓ ବିକାଶ ସମେତ ପୁରୁଣା ଗଡ଼ଖାଇରେ ବୋଟିଂ ସୁବିଧା ସହ ସେଠାରେ ଏକ ଉଚ୍ଚମାନର ପାର୍କ ସ୍ଥାପନ କରି ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ କରିବା ନିମନ୍ତେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାସହିତ କଟକ ସହରର ଦେବୀ ମା’ ଚଣ୍ଡୀଙ୍କ ମନ୍ଦିରର ମଧ୍ୟ ବିକାଶ କାର୍ଯ୍ୟ ଏଥିରେ ସାମିଲ ରହିଛି। ପଂଚଦଶ ଅର୍ଥ କମିଶନ ଏହି ଦୁର୍ଗ ଓ ଏହା ସହ ଜଡ଼ିତ ସ୍ଥାନଗୁଡ଼ିକର ସଂରକ୍ଷଣ ଓ ବିକାଶ ନିମନ୍ତେ ୧୫୦କୋଟି ଟଙ୍କା ଦେବାକୁ ସୁପାରିସ୍ କରିଥିବାରୁ ଦୀର୍ଘଦିନ ଧରି ସଂରକ୍ଷଣ ଅଭାବରୁ ପଡ଼ି ରହିଥିବା ବାରବାଟୀ ଦୁର୍ଗ ପୁଣିଥରେ ତା’ର ପୂର୍ବ ଗୌରବ ଫେରିପାଇବ ବୋଲି ଆଶା କରାଯାଉଛି।

ପିଇଦେଲେ କଥା ସରିଲା; ନକଲି ମୃଦୁ ପାନୀୟ କିଣିବା ବେଳକୁ ସାବଧାନ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଆଗକୁ ଖରାଦିନ । ଗରମରେ ଥଣ୍ଡା ଥଣ୍ଡା କୋଲ୍ଡ ଡ୍ରିଙ୍କସ ପିଇବାକୁ ସମସ୍ତଙ୍କ ଇଛା । ହେଲେ ମୃଦୁ ପାନୀୟ କିଣିବା ବେଳକୁ ଆପଣଙ୍କୁ ଟିକେ ସଜାଗ ରହିବାକୁ ପଡିବ । ବୋତଲରେ ଲେଖାଯାଇଥିବା ନାଁକୁ ଟିକେ ଭଲଭାବରେ ପଢିବାକୁ ପଡିବ । ଯଦି ଆଖି ଧୋକାଖାଇଯାଏ । ତେବେ କଥା ସରିଲା ।  କାରଣ ବଜାରରେ ବୁଲୁଛି ମାଳମାଳ ଡୁପ୍ଳିକେଟ୍ କୋଲ୍ଡ ଡ୍ରିଙ୍କସ ।  ଯାହା ସ୍ୱାସ୍ଥ୍ୟ ପ୍ରତି ବେଶ୍ ହାନୀକାରକ।  ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଚଢାଉ କରି ଏଭଳି ଏକ ନକଲି ମୃତୁ ପାନୀୟ କାରଖାନାକୁ ସିଲ୍ କରିଛି ପୋଲିସ ଓ ବିଏମ୍ସିର ଟିମ୍। ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବର୍ଷ ବର୍ଷ ଧରି ବେଧଡକ ଚାଲିଥିଲା ବେପାର ।  ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ହେଉଥିଲା ଦୁଇ ନମ୍ବରି କାରବାର। ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା । ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଂଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ । ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି ହେଉଥିଲା ।  ଏହାପରେ ଗାଁ ଗହଳିରେ ବିକ୍ରି ପାଇଁ ବେଶ୍ ଆରାମରେ ପଠାଇ ଦିଆଯାଉଥିଲା। ଚିନ୍ତାଜନକ କଥା ହେଉଛି, କାରଖାନାରେ ତିଆରି ହେଉଥିବା ନକଲି ମୃଦୁ ପାନୀୟରେ ସୋ଼ଡିଅମ୍ ବେଞ୍ଜୋଟ୍ ଏବଂ ସାଇଟ୍ରିକ ଏସିଡ୍ ଭଳି କେମିକାଲ ମିଶାଯାଉଥିଲା।  ଯାହାର ପରିମାଣ ସଠିକ ନରହିଲେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ ।

ପୁରୀ ଓ କୋଣାର୍କର ବିକାଶ ପାଇଁ କେନ୍ଦ୍ର ସରକାର ଦେବେ ୩୨୫କୋଟି ଟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର ତଥା ପାଶ୍ୱର୍ବର୍ତ୍ତୀ ଅଂଚଳରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର କରିଥିବା ବ୍ଲୁ-ପ୍ରିଣ୍ଟକୁ ସାକାର କରିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରିବେ। ଏହି ଉଭୟ ସହରର ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ୩୨୫କୋଟି ଟଙ୍କାର ଅନୁଦାନ ମଧ୍ୟ ଦେବେ। ପଂଚଦଶ ଅର୍ଥ କମିଶନ କରିଥିବା ଏହି ସୁପାରିସକୁ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ପଂଚଦଶ ଅର୍ଥ କମିଶନଙ୍କ ସୁପାରିସ ରିପୋର୍ଟ ଅନୁସାରେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ପାଶ୍ୱର୍ବର୍ତ୍ତୀ ଅଂଚଳର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ରାଜ୍ୟ ସରକାର ସହାୟତା ଲୋଡ଼ିଛନ୍ତି। ଏବାବଦରେ ୧୭୫କୋଟି ଟଙ୍କା ଦେବା ନିମନ୍ତେ ପଂଚଦଶ ଅର୍ଥ କମିଶନ ସୁପାରିସ୍ କରିଛନ୍ତି। ସେହିପରି ଗତ ମାସରେ କୋଣାର୍କରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ରାଜ୍ୟ ସରକାର ମଧ୍ୟ ଏନେଇ ଆର୍ଥିକ ଅନୁଦାନ ମିଳିବ। କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ସଂରକ୍ଷଣ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳର ବିକାଶ, ଚନ୍ଦ୍ରଭାଗାରୁ କାକଟପୁର ପର୍ଯ୍ୟନ୍ତ ରାସ୍ତା, କୋଣାର୍କ ରିଙ୍ଗ ରୋଡ୍ ଓ ଚନ୍ଦ୍ରଭାଗା ବେଳାଭୂମିର ବିକାଶ ନିମନ୍ତେ ୧୫୦କୋଟି ଟଙ୍କା ଅନୁଦାନ ଦେବା ପାଇଁ ପଂଚଦଶ ଅର୍ଥ କମିଶନ ସୁପାରିସ୍ କରିଛନ୍ତି। ପୁରୀ ଓ କୋଣାର୍କ ସହରରେ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାବେଳେ ଏହାକୁ ବିଜେଡି ଏବେ ନିଜର ସଫଳତା ଭାବେ ଉପସ୍ଥାପିତ କରୁଛି। ତେବେ ଏହି ଦୁଇ ପ୍ରମୁଖ ପର୍ଯ୍ୟଟନୀ ସ୍ଥଳୀର ବିକାଶ ନିମନ୍ତେ ପଂଚଦଶ ଅର୍ଥ କମିଶନଙ୍କ ସୁପାରିସରେ କେନ୍ଦ୍ର ସରକାର ୩୨୫କୋଟି ଯୋଗାଇ ଦେବାକୁ ନିଷ୍ପତ୍ତି ନେବାପରେ ଏହାକୁ ‘ଶୋ-କେସ୍‌’ କରିବା ବିଜେଡି ପାଇଁ କଷ୍ଟକର ହେବ।

୨୧ ବର୍ଷ ହେବ ଝିଅଙ୍କ ବିବାହ ବୟସ;କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ସବୁ ଧର୍ମର ଯୁବକ ଓ ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୨୧ କରାଯାଉ। ଏ ଭଳି ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। କେନ୍ଦ୍ର ସରକାର ଏହା ଉପରେ ଜବାବ ରଖିବା ପରେ ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ଆବେଦନକାରୀ ଆହୁରି କହିଛନ୍ତି ଯେ ବାହାଘର ବୟସ ୨୧ ବର୍ଷ କରିବାକୁ ରାଜସ୍ଥାନ ଓ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଉ। ଏ ସମ୍ପର୍କରେ ମଧ୍ୟ ଜବାବ ଦେବାକୁ କେନ୍ଦ୍ରକୁ ନୋଟିସରେ କୁହାଯାଇଛି। ବିଭିନ୍ନ କୋର୍ଟରେ ମାମଲାର ଥିବାରୁ ଭିନ୍ନଭିନ୍ନ ରାୟ ଆସିବାର ସମ୍ଭାବନା ରହିଛି। ତେଣୁ ସୁପ୍ରିମକୋର୍ଟ ଏକକାଳୀନ ଏହାର ଶୁଣାଣି କରିବାକୁ ଚାହୁଁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲା ଶୁଣାଣି କରି ଏପରି ନୋଟିସ କରିଛନ୍ତି। ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ପୁଅ ଓ ଝିଅଙ୍କ ବିବାହ ବୟସ ୨୧ ବର୍ଷ କରିବାକୁ ଆବେଦନ କରିଛନ୍ତି। ଉପାଧ୍ୟାୟଙ୍କ ଆବେଦନ ଉପରେ ୨୦୧୯ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ। ରାଜସ୍ଥାନ ହାଇକୋର୍ଟ ମଧ୍ୟ ଏସଂକ୍ରାନ୍ତ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ। ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବେଳେ ପୁଅଙ୍କ ବିବାହ ବୟସ ୨୧ ବର୍ଷ ରହିଛି। 

ଆନ୍ଦୋଳନରତ ଚାଷୀଙ୍କ ସପକ୍ଷରେ ହଲିଉଡ ଷ୍ଟାର ରିହାନା ଟ୍ୱିଟ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)-କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ହଲିଉଡ ଷ୍ଟାର ରିହାନା। ସେ ଆଜି ସିଏନଏନରେ ପ୍ରକାଶ ପାଇଥିବା ଖବରକୁ ଟ୍ୱିଟ କରି ସମଗ୍ର ବିଶ୍ୱକୁ ତେର୍ଚ୍ଛାବାଣ ମାରିଛନ୍ତି। ଦିଲ୍ଲୀରେ ଦୀର୍ଘ ୮୦ ଦିନ ହେଲା ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ୨୬ ତାରିଖ ହିଂସାକାଣ୍ଡ ପରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନସ୍ଥଳର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ବନ୍ଦ କରି ଦିଆଯାଇଛି। ସେହିପରି ଚାଷୀଙ୍କୁ ଅଟକାଇବାକୁ ୧୨ ସ୍ତରୀୟ ବ୍ୟାରିକେଡ କରାଯାଇଛି। ଏ ସମ୍ପର୍କରେ ସିଏନଏନ ଖବର ପ୍ରକାଶ କରିଥିଲା। ଏହାକୁ ନିଜ ଟ୍ୱିଟରେ ଯୋଡ଼ି ରିହାନା ଲେଖିଛନ୍ତି ଯେ “ଆମେ କାହିଁକି ଏ ବିଷୟରେ କଥା ହେଉନାହୁଁ? #FarmersProtest” ହଲିଉଡର ପପ୍‌ ସିଙ୍ଗର ଓ ଅଭିନେତ୍ରୀ ରହିନାଙ୍କର ଟ୍ୱିଟରରେ ୧୦୦ ମିଲିୟନରୁ ଅଧିକ ଅନୁଗାମୀ ରହିଛନ୍ତି। ସେ ଟ୍ୱିଟ କରିବା କ୍ଷଣି ଏହା ବିଜୁଳି ବେଗରେ ପ୍ରଚାରିତ ହେବାରେ ଲାଗିଛି। ରାତି ୧୦ଟା ସୁଦ୍ଧା ଏହାକୁ ୨୮.୮ ହଜାର ଲୋକ ରି-ଟ୍ୱିଟ କରିଥିବା ବେଳେ ୬୩.୬ ହଜାର ଲୋକ ଲାଇକ କରିଛନ୍ତି। ଏହା ମଧ୍ୟରୁ କିଛି ଲୋକ ତାଙ୍କ ଟ୍ୱିଟକୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ଭାରତର ଆଭ୍ୟନ୍ତରୀଣ ବ୍ୟାପରରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ରିହାନାଙ୍କର ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ରିହାନାଙ୍କ ଟ୍ୱିଟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଚାଷୀମାନେ କହିଛନ୍ତି ଯେ ଆମକୁ ସମର୍ଥନ କରିଥିବାରୁ ଆମେ ରିହାନାଜୀଙ୍କ ପାଖରେ ଋଣି। ସନ୍ଧ୍ୟା ଯାଏ ରିହାନା କିଏ ଆମେ ଜାଣି ନଥିଲୁ। ହେଲେ ଆମ ପିଲାମାନେ ଆମକୁ ତାଙ୍କ ବିଷୟରେ ଅବଗତ କରାଇଛନ୍ତି। ଆମ ସ୍ୱରକୁ ସେ ସମର୍ଥନ କରିଥିବାରୁ ସମଗ୍ର ଦେଶର ଚାଷୀଙ୍କ ପକ୍ଷରୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସେମାନେ କହିଛନ୍ତି। ରିହାନାଙ୍କ ପୂର୍ବରୁ ଅନ୍ୟତମ ହଲିଉଡ ଅଭିନେତା ଜନ କୁସାକ ମଧ୍ୟ ଚାଷୀଙ୍କ ସମର୍ଥନରେ ଟ୍ୱିଟ କରିଥିଲେ।

ସରକାର କେବେ ନାଗରିକତା ସଂଶୋଧନ ଆଇନକୁ ନେଇ ନିୟମ ପ୍ରଣୟନ କରିବେ ..?

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ୨୦୧୯ ଡିସେମ୍ବର ୧୨ରେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ୨୦୨୦ ଜାନୁଆରୀ ୨୦ରୁ କାର୍ଯ୍ୟକାରୀ ହୋଇଛି। ତେବେ ସିଏଏ ଆଇନ କାର୍ଯ୍ୟକାରୀ ହେବାର ପ୍ରାୟ ଗୋଟିଏ ବର୍ଷ ବିତି ଯାଇଥିଲେ ହେଁ ସରକାର ଏହା ଉପରେ କୌଣସି ପ୍ରକାରର ନିୟମ ପ୍ରଣୟନ କରିପାରି ନାହାନ୍ତି। ସିଏଏକୁ ନେଇ ଆଇନ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଥିବା ଆଜି କେନ୍ଦ୍ର ସରକାର ଲୋକସଭାକୁ ଅବଗତ କରାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ନାଗରିକତା ସଂ‌ଶୋଧନ ଆଇନ ୨୦୧୯ର ନିୟମ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି। ଲୋକସଭା ଓ ରାଜ୍ୟସଭାର ଅଧିନସ୍ଥ ଆଇନ କମିଟି ନିୟମ ପ୍ରସ୍ତୁତ କରିବାକୁ ଯଥାକ୍ରମେ ଏପ୍ରିଲ ୯ ଓ ଜୁଲାଇ ୯ ଯାଏ ସମୟ ଦେଇଛନ୍ତି। ଏହି ସମୟ ସୀମା ମଧ୍ୟରେ ଆଇନ ପ୍ରସ୍ତୁତ ହୋଇଯିବ। ଏହାପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। କୌଣସି ଆଇନ କାର୍ଯ୍ୟକାରୀ ହେବାର ୬ ମାସ ମଧ୍ୟରେ ଏସଂକ୍ରାନ୍ତ ନିୟମ ପ୍ରସ୍ତୁତ କରାଯାଇଥାଏ। ନିୟମରେ ଆହୁରି କୁହାଯାଇଛି, ଆଇନ କାର୍ଯ୍ୟକାରୀ ହେବାର ୬ ମାସ ମଧ୍ୟରେ ଯଦି ମନ୍ତ୍ରଣାଳୟ କିମ୍ବା ବିଭାଗ ନିୟମ ପ୍ରଣୟନ କରିପାରିବ ନାହିଁ, ତା’ହେଲେ ଲୋକସଭା ଓ ରାଜ୍ୟସଭାର ଅଧିନସ୍ଥ ଆଇନ କମିଟିକୁ ସମୟ ବୃଦ୍ଧି ପାଇଁ ଆବେଦନ କରିବ। ଏହି ସମୟ ସୀମା ୩ ମାସରୁ ଅଧିକ ହେବନାହିଁ। କିନ୍ତୁ ଏଥର କରୋନା ମହାମାରୀ ଚାଲିଥିବାରୁ ସରକାରଙ୍କୁ ସିଏଏ ଉପରେ ଆଇନ ପ୍ରଣୟନ କରିବାକୁ ଅଧିକ ସମୟ ମାଗିଥିଲା। କମିଟି ମଧ୍ୟ ସରକାରଙ୍କୁ ନିୟମ ପ୍ରଣୟନ କରିବାକୁ ବର୍ଦ୍ଧିତ ସମୟ ଦେଇଛି। ଡିସେମ୍ବର ୨୦୧୯ ଅଗଷ୍ଟ ୫ରେ ରାଜ୍ୟସଭାରେ ନାଗରିକିତା ସଂଶୋଧନ ବିଲ୍‌ ଉପସ୍ଥାପନ କରାଯାଇଥିଲା। ବିତର୍କ ମଧ୍ୟରେ ଏହି ବିଲ୍‌ ପାସ୍‌ ହୋଇଥିଲା। ଏହାପରେ ଲୋକସଭା ପରେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଆଇନରେ ପରିଣତ ହୋଇଥିଲା। ଆଇନ ଅନୁଯାୟୀ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ରହୁଥିବା ଅଣ ମୁସିଲମ ନାଗରିକଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଏହି ୩ ଦେଶରୁ ଆସିଥିବା ଅଣ ମୁସଲିମ ନାଗରିକଙ୍କୁ ଭାରତର ନାଗରିକତା ମିଳିବ। ଏଥିରେ ମୁସିଲମ ନାଗରିକ ନଥିବାରୁ ସମଗ୍ର ଦେଶରେ ଏହାକୁ ବିରୋଧ କରାଯାଇଥିଲା।୨୦୧୯ ଶେଷ ଭାଗରେ ସିଏଏ ବିରୋଧରେ ଦିଲ୍ଲୀର ଶାହିନ ବାଗରେ ଲୋକମାନେ ବିକ୍ଷୋଭ ଆରମ୍ଭ କରିଥିଲେ। କରୋନା ସଂକ୍ରମଣ ପାଇଁ ଲକଡାଉନ ଲାଗୁ ହେବାରୁ ସେମାନଙ୍କୁ ଦିଲ୍ଲୀ ରାସ୍ତାରୁ ହଟିବାକୁ ପଡ଼ିଥିଲା।