ଚାଷୀ ପ୍ରସଙ୍ଗକୁ ନେଇ ମୁହାଁମୁହିଁ: ଦଲାଲଙ୍କ ପାଇଁ ବିଜେପି ଓକିଲାତି କରୁଛି, କହିଲା ବିଜେଡି ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ବିଜେପି ବିଶାଳ ଗଣବିକ୍ଷୋଭ କରିବା ସହ ରାଜ୍ୟ ବିଜେପି ନେତାମାନେ ଥାନାରେ ଧାରଣା ଦେବାପରେ କ୍ଷମତାସୀନ ବିଜେଡି ବିଚଳିତ ହୋଇପଡ଼ିଛି। ଚାଷୀଙ୍କଠୁ ଧାନ କିଣିବାପରେ ହିଁ ଧାରଣା ପ୍ରତ୍ୟାହୃତ ହେବ ବୋଲି ଜିଦରେ ବିଜେପି ଅଟଳ ରହିବାପରେ ବିଜେଡି ଏବେ ପ୍ରକୃତ ପ୍ରସଙ୍ଗ ଏଡ଼ାଇ ଯାଇ ରାଜ୍ୟ ବିଜେପିକୁ ସିଧାସଳଖ ସମାଲୋଚନା କରିଛି। ବିଜେଡି ମୁଖପାତ୍ର ତଥା ପଶ୍ଚିମଓଡ଼ିଶାର ନେତ୍ରୀ ଶ୍ରୀମୟୀ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପଶ୍ଚିମଓଡ଼ିଶା ଭାଷାରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ରାଜ୍ୟ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦଲାଲଙ୍କ ସହ ରାଜ୍ୟ ବିଜେପି ନେତାମାନେ ହାତ ମିଳାଇଛନ୍ତି ଓ ସେମାନଙ୍କ ପାଇଁ ଓକିଲାତି କରୁଛନ୍ତି। ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲଭାବେ ଜାଣନ୍ତି ବୋଲି କହିଛନ୍ତି।

ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କରୁଥିବାବେଳେ ବିଜେପି ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି। ଦିଲ୍ଲୀରେ ଚାଷୀମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦେଇଥିବା ଧାରଣାରୁୁ ନଜର ହଟାଇବା ପାଇଁ ଓଡିଶା ବିଜେପି ଏଭଳି ଡ୍ରାମା କରୁଛି। ବିଜେପିର ଉଦ୍ଦେଶ୍ୟକୁ ଓଡ଼ିଶାବାସୀ ଭଲଭାବେ ବୁଝି ସାରିଲେଣି। ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି। ହେଲେ ବିଜେପି ସାଂସଦମାନେ ଓଡ଼ିଶା ପାଇଁ କରିଛନ୍ତି କ’ଣ ବୋଲି ଶ୍ରୀମତୀ ପ୍ରଶ୍ନ କରିଛନ୍ତି। ବିଜେପି ନେତାମାନେ ଏଠାରେ ଶସ୍ତା ରାଜନୀତି କରିବା ଅପେକ୍ଷା ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ପରି ଦିଲ୍ଲୀ ଦରବାରରେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି କହିଛନ୍ତି। ବିଜେପି ନେତାମାନେ ଟିଭିରେ ଧାରାବାହିକ ଡ୍ରାମାରୁ ବିରତ ହୋଇ ଚାଷୀଙ୍କ ସ୍ୱାର୍ଥ ପାଇଁ କାମ କରନ୍ତୁ ବୋଲି କହିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ନିକଟରେ ଥିବା ବଳକା ଧାନକୁ ସଂଗ୍ରହ କରାଯିବା ନେଇ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରେକର୍ଡ ପରିମାଣର ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ଯୋଗୁଁ ଲକ୍ଷାଧିକ ଚାଷୀ ଉପକୃତ ହେଉଛନ୍ତି। ୨୦୧୮-୧୯ ବର୍ଷରେ ୬୫.୫ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଚାଷୀମାନଙ୍କ ଖାତାକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ୧୧,୪୦୦ କୋଟି ଟଙ୍କା ପଠାଯାଇଥିଲା। ୨୦୧୯-୨୦ ବର୍ଷରେ ୭୦.୫୬ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା ଓ ୧୨,୮୦୮ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥିଲା। ଚାଷୀ ସିଧାସଳଖ ଟଙ୍କା ପାଉଥିବାରୁ ଦଲାଲମାନେ ଏବେ ରାଜ୍ୟ ବିଜେପି ନେତାମାନଙ୍କ ସହ ମିଶି ଏଭଳି ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀମତୀ ମିଶ୍ର ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବିଜେପିର ରାଜ୍ୟ ନେତାମାନେ ସମ୍ବଲପୁରରେ ଥାନାରେ ଧାରଣା ବସିଛନ୍ତି। ଆଜି ଆରଡିସିଙ୍କ ସହ ବିଜେପିର ୯ଜଣିଆ ପ୍ରତିନିଧି ଦଳ ଆଲୋଚନା କରିବ ବୋଲି ଜଣାପଡ଼ିଛି।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ସେବନ କରନ୍ତୁ ଏହି ୭ ଜିନିଷ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶୀତ ଋତୁରେ ବିଭିନ୍ନ ରୋଗରୁ ବଞ୍ଚିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିହାତି ଜରୁରୀ। ଏଭଳି ସ୍ଥିତିରେ ଗ୍ରୀନ୍ ଡାଏଟ୍ ସହ କିଛି ଆୟୁର୍ବେଦ ଔଷଧ ବ୍ୟବହାର କରିବା ଦରକାର, ଯାହାଦ୍ୱାରା ଆମର ରୋଗ ପ୍ରତିରୋଧକ ବଢ଼ିବା ସହ ଛୋଟବଡ଼ ରୋଗରୁ ମଧ୍ୟ ଏହା ଶୀଘ୍ର ଆରୋଗ୍ୟ କରିପାରିବ। ବର୍ତ୍ତମାନ ସମୟରେ ପ୍ରାକୃତିକ ଚିକିତ୍ସାର ବହୁଳ ପ୍ରଚଳନ କାରଣରୁ ନା କେବଳ ହର୍ବାଲର ବ୍ୟାପକ ବ୍ୟବହାର ହେଉଛି ବରଂ ଏହାର ବ୍ୟବହାରକୁ ନେଇ ଲୋକଙ୍କ ମନରେ ସଚେଚନତା ମଧ୍ୟ ବୃଦ୍ଧି ପାଉଛି। ଏହି ହର୍ବାଲ ବହୁ ରୋଗକୁ ଦୂର କରିବା ସହ ଲୋକଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବାରେ ମଧ୍ୟ ସହାୟକ ହେଉଛି। ଏଭଳି ଅନେକ ହର୍ବାଲ୍ ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରୁ ଅନେକ ଜିନିଷ ରୋଷେଇ ପାଇଁ ବ୍ୟବହୃତ ସାମଗ୍ରୀରେ ଥାଏ।

ayurveda

ତୁଳସୀ: ସାଧାରଣତ ତୁଳସୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ତୁଳସୀ ଥଣ୍ଡା-କାଶ, ଜ୍ୱର, ରିକେଟ୍ସ, ନ୍ୟୁମୋନିଆ, କୋଷ୍ଠକାଠିନ୍ୟ, ଡାଇରିଆ ଭଳି ସମସ୍ୟା ଦୂର କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ରସୁଣ: ରସୁଣ ଆଣ୍ଟି ବ୍ୟାକ୍ଟେରିଆ ଭାବେ ବହୁତ କାମ ଦେଇଥାଏ। ଏହାର ଗୋଟିଏ କଢ଼ି ଖାଇବା ଦ୍ୱାରା ଆମକୁ ଭିଟାମିନ୍-ଏ, ବି’, ସି ସହ ଆୟୋଡିନ, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ମିଳିଥାଏ।

ଡାଲଚିନି: ଖାଦ୍ୟରେ ଡାଲଚିନିର ବ୍ୟବହାର ଦ୍ୱାରା ଏହା ଭାଇରସ୍ ଓ ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ। ଏକ ଅନୁସନ୍ଧାନରେ ପ୍ରମାଣିତ ହୋଇଛି ଯେଉଁ ଖାଦ୍ୟପଦାର୍ଥରେ ଡାଲଚିନିର ବ୍ୟବହାର ହୋଇଥାଏ, ସେଥିରେ ୯୯.୯ ପ୍ରତିଶତ ପର୍ଯ୍ୟନ୍ତ ଜୀବାଣୁ ନଷ୍ଟ ହୋଇଥାଏ।

ଲବଙ୍ଗ: ଲବଙ୍ଗ ଶରୀରର ପ୍ରତିରୋଧକ କ୍ଷମତା ବଢ଼ାଇବା ସହ ଆଣ୍ଟିଅକ୍ସିଡେଣ୍ଟ ଓ ବ୍ୟାକ୍ଟେରିଆକୁ ଶେଷ କରିଥାଏ।

ଅଦା: ଅଦା ସାଧାରଣତଃ ବାନ୍ତି, ହଜମ ଶକ୍ତି ବୃଦ୍ଧି କରାଇବା ସହ ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

ଅଶ୍ୱଗନ୍ଧା: ଏହା ଚର୍ମକୁ ସତେଜ ରଖିବା ସହ ଅନେକ ରୋଗ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।

ଗ୍ରୀନ୍ ଟି: ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟସର ମାତ୍ରା ବହୁତ ରହିଥାଏ। ଏହା କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ସହ ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକରୁ ରକ୍ଷା କରିଥାଏ।

ଆୟୁର୍ବେଦ ସେତେବେଳେ କାମ ଦେଇଥାଏ, ଯେତେବେଳେ ଏଥିରେ କୌଣସି ମିଶ୍ରଣ ହୋଇନଥିବ। ଆଜିକାଲି ବଜାରରେ ନକଲି ହର୍ବାଲ ପ୍ରଚୁର ମାତ୍ରାରେ ମିଳୁଛି। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ସର୍ବଦା ବିଶ୍ୱସନୀୟ ଦୋକାନରୁ ହିଁ ହର୍ବାଲ୍ ସାମଗ୍ରୀ କିଣିବା ଦରକାର।

ଆଜିର ରାଶିଫଳ – ୨୨ ଜାନୁଆରୀ, ଶୁକ୍ରବାର

ମେଷ: ବିଦ୍ୟାକ୍ଷେତ୍ରରେ ପ୍ରଶଂସା ମିଳିବ। ବ୍ୟବସାୟରେ ଉଚିତ୍‌ ଲାଭ ପ୍ରାପ୍ତି ହେବ। ପ୍ରିୟଜନ ଓ ପରିବାର ସଦସ୍ୟ ଆପଣଙ୍କ ନିକଟତର ହେବେ।

ବୃଷ: କୋର୍ଟରେ ମାମଲା ଚାଲୁଥିଲେ ସେଥିରେ ଜୟଯୁକ୍ତ ହେବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରିବ। ଗୁପ୍ତଶତୃ ଜାଗ୍ରତ ହେବେ। ଜଗିରଖି ଚଳିବାକୁ ପଡ଼ିବ।

ମିଥୁନ: ବ୍ୟବସାୟରେ ସାମାନ୍ୟ ପରିଶ୍ରମରେ ଭଲ ଲାଭ ପାଇବେ। ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡ଼ିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ଫଳ ମିଳିବ।

କର୍କଟ: ବୃତ୍ତିଗତ ଦୃଷ୍ଟିରୁ ସ୍ୱାଭିମାନ ସୁରକ୍ଷିତ ରହିବ। କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ସିଂହ: ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସଂପନ୍ନ ହେବ। କୌଣସି ଶୁଭ କାର୍ଯ୍ୟ ଆୟୋଜନ କରିପାରନ୍ତି।

କନ୍ୟା: ଅନେକ ବିପରୀତ ପରିସ୍ଥିତିର ସାମ୍ନା କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ପାଇବେ। ନୂଆବନ୍ଧୁଙ୍କ ସହିତ ବନ୍ଧୁତ୍ୱ ସ୍ଥାପନା କରିବେ। ସୁସ୍ୱାଦୁ ଭୋଜନ କରିବେ।

ତୁଳା: କର୍ମକ୍ଷେତ୍ରରେ ସ୍ଥିତି ସନ୍ତୋଷଜନକ ରହିବ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ।

ବିଛା: ଆର୍ଥିକ ସ୍ଥିତି ସୁଧୁରିଯିବ ଓ ଶାରୀରିକ କଷ୍ଟ ଦୂର ହେବ। କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେବା ଫଳରେ ଆଶା ମୁତାବକ ଲାଭ ପାଇବେ।

ଧନୁ: ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ। ପାରିବାରିକ ସ୍ଥିତି ସନ୍ତୋଷଜନକ ହେବ। ପିଲାମାନଙ୍କ କାର୍ଯ୍ୟରେ ବାପାମା’ ଖୁସି ଅନୁଭବ କରିବେ।

ମକର: ସାମାଜିକ ଉତ୍ସବରେ ଯୋଗ ଦେବେ। ଧାର କରଜ ଦେଇଥିଲେ ଫେରସ୍ତ ପାଇବେ। ଅସହାୟଙ୍କୁ ଦାନ କରନ୍ତୁ।

କୁମ୍ଭ: ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯୋଜନା ପ୍ରସ୍ତୁତ କରିବେ। ପ୍ରତିକାର- ଶ୍ରୀ ହନୁମାନଙ୍କ ପାଖରେ ରାଶିତେଲ ଦ୍ୱୀପ ଜାଳନ୍ତୁ।

ମୀନ: କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ଏଥର ନିଜ ନିଜ ସ୍କୁଲ୍‌ରେ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଏବର୍ଷ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି। ସେମାନେ ନିଜ ସ୍କୁଲ୍‌ରେ ହିଁ ଦେବେ ପରୀକ୍ଷା। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଥର ମ୍ୟାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ଦିଆଯିବ। ସେହିପରି ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ରେ ପରୀକ୍ଷା ଦେଲେ ବି ସେହି ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ହୋଇପାରିବେ ନାହିଁ। ଅନ୍ୟ ସ୍କୁଲ୍‌ର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ। ଯାହା ସୂଚନା ମିଳିଛି, କରୋନାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ନିଜ ସ୍କୁଲ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ସ୍କୁଲ୍‌ରେ ପରୀକ୍ଷା ହେଲେ ରହିବା ଓ ଯାତାୟାତରେ ସମସ୍ୟା ଦେଖାଯାଇପାରେ। ଏହି ଆଶଙ୍କା କରି ଏମିତି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କରୋନା ପାଇଁ ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବା ବେଳେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସ୍କୁଲ୍ ଖୋଲା ଯାଇଛି। ସେମାନଙ୍କର ୧୦୦ ଦିନ କ୍ଲାସ ହେବ। ଶନିବାର ଓ ରବିବାର ବି ପାଠପଢ଼ା ହେଉଛି। କରୋନା କଟକଣା ମଧ୍ୟରେ ଏସ୍‌ଓପି ପାଳନ କରି ସ୍କୁଲ୍‌ଗୁଡ଼ିକରେ ପାଠପଢ଼ା ହେଉଛି। କେବଳ ପାଳନ କରାଯାଉଥିବା ପର୍ବପର୍ବାଣୀଗୁଡ଼ିକରେ ସ୍କୁଲ୍ ବନ୍ଦ ରହିବ। ତେବେ କରୋନା ପାଇଁ ସ୍କୁଲ୍ ବନ୍ଦ ରହିଥିବା ବେଳେ ଅନ୍‌ଲାଇନ୍‌ରେ କ୍ଲାସ୍ ହେଉଥିଲା। ସୂଚନାଯୋଗ୍ୟ, ମେ’ ୩ ତାରିଖରୁ ମ୍ୟାଟ୍ରିକ୍ ପରୀକ୍ଷା ହେବ। ଏଥର ପ୍ରାୟ ସାଢ଼େ ୬ ଲକ୍ଷ ଛାତ୍ରଛାତ୍ରୀ ମ୍ୟାଟ୍ରିକ୍ ପରୀକ୍ଷା ଦେବେ।

ବିଜେପିର ଚେତାବନୀ;ମଣ୍ଡିରୁ ଧାନ ନ ଉଠାଇଲେ ହେବ ନିର୍ଣ୍ଣାୟକ ଲଢ଼େଇ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ଓ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଗଣବିକ୍ଷୋଭ କରିଥିବା ବିଜେପି ଆଜି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି। ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ବିଜେପିର ବରିଷ୍ଠ ନେତୃବୃନ୍ଦ ଥାନାରୁ ଉଠିବେ ନାହିଁ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ନିର୍ଣ୍ଣାୟକ ଲଢ଼େଇ କରିବାକୁ ବିଜେପି ପ୍ରସ୍ତୁତ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଆଜି ବିଳମ୍ବିତ ରାତ୍ରିରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଚାଷୀମାରଣ ନୀତି ପ୍ରତିବାଦରେ ସମ୍ବଲପୁରରେ ବିଶାଳ ଗଣବିକ୍ଷୋଭ ସଫଳ ହୋଇଛି। ପୁଲିସ ସେଠାରେ ଦଳର ରାଜ୍ୟ ସଭାପତି, ସହପ୍ରଭାରୀ ଓ ବିରୋଧୀ ଦଳ ନେତାଙ୍କ ସମେତ ବରିଷ୍ଠ ନେତୃବୃନ୍ଦଙ୍କୁ ଗିରଫ କରିଛି। ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଦଳର ବରିଷ୍ଠ ନେତାମାନେ ଥାନାରୁ ହଟିବେ ନାହିଁ। ଗିରଫ ହୋଇ ଜେଲ୍ ଯିବାକୁ ମଧ୍ୟ ନେତାମାନେ ପ୍ରସ୍ତୁତ ଅଛନ୍ତି । ସରକାର ଯଦି ଆସନ୍ତାକାଲି ସକାଳ ସୁଦ୍ଧା ମଣ୍ଡିରୁ ଧାନ ଉଠିବା ନେଇ ପଦକ୍ଷେପ ନନିଅନ୍ତି ତା’ହେଲେ ବିଜେପି ରାଜ୍ୟତମାମ ଚାଷୀଙ୍କ ସ୍ୱାର୍ଥରେ ନିର୍ଣ୍ଣାୟକ ଲଢ଼େଇ କରିବ। ଆଜି ଏହି ଲଢ଼େଇ ସମ୍ବଲପୁରରୁ ଆରମ୍ଭ ହୋଇସାରିଛି। ମଣ୍ଡିଗୁଡ଼ିକ ପ୍ରାୟ ମାସକ ବିଳମ୍ବରେ ସରକାର ଖୋଲିଲେ। ମଣ୍ଡିକୁ ଧାନ ସଂଗ୍ରହର ଟାର୍ଗେଟ୍ ଦିଆଯାଉନାହିଁ। ଚାଷୀଙ୍କୁ ଟୋକୋନ୍ ବି ମିଳିନି। ଚାଷୀ, ଟୋକୋନ୍ ଓ ବିଭାଗ ଯିଏ ଯାହା ବାଟରେ ଅଛନ୍ତି। ବିଭାଗ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା ଯୋଗୁ ଚାଷୀ କଦର୍ଯ୍ୟସ୍ଥିତିରେ ରହିଛି। ତା’ର ଧାନ ବିକ୍ରି ହୋଇପାରୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଚାଷୀଙ୍କ ଆୟ ୨୦୨୨ସୁଦ୍ଧା ଦ୍ୱିଗୁଣ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଥିବାବେଳେ ଏଠି ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ତଳିତଳାନ୍ତ କରିବାରେ ଲାଗିଛନ୍ତି। ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଥିବା ରାଜ୍ୟ ବିଜେପି ନେତାମାନେ ଥାନାରେ ଗିରଫ ହୋଇ ବସିଥିଲେ ମଧ୍ୟ ସେମାନଙ୍କ ସହ କୌଣସି ପ୍ରକାରର ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କେହି ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ଚାଷୀଙ୍କୁ ନ୍ୟାୟ ଓ ହକ୍ ଦେବା ପାଇଁ ବିଜେପି ତା’ର ଲଢ଼େଇ ଆରମ୍ଭ କରିସାରିଛି। ଯଦି ଆସନ୍ତାକାଲି ସକାଳସୁଦ୍ଧା ଚାଷୀଙ୍କୁ ନ୍ୟାୟ ଦେବାକୁ ସରକାର ପଦକ୍ଷେପ ନନିଅନ୍ତି ଓ ମଣ୍ଡିରୁ ଧାନ ଉଠା ଆରମ୍ଭ ନହୁଏ ତା’ହେଲେ ସମଗ୍ର ରାଜ୍ୟରେ ବିଜେପି ନିର୍ଣ୍ଣାୟକ ଲଢ଼େଇ କରିବା ସହ ସରକାରଙ୍କ ସହ ଜଡ଼ିତ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ରାସ୍ତାରେ ଯିବାକୁ ଦେବନାହିଁ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ଉପସ୍ଥିତ ଥିଲେ।

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳିବ କଂଗ୍ରେସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଓ ଉତ୍କଳ କଂଗ୍ରେସର ୧୦୦ବର୍ଷ ପୂର୍ତ୍ତିକୁ ପ୍ରଦେଶ କଂଗ୍ରେସ କମିଟି ଧୂମଧାମରେ ପାଳନ କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଉତ୍କଳ ପ୍ରଦେଶ କମିଟି ଗଠିତ ହୋଇଥିଲା ଏବଂ ଏହାର ପ୍ରଥମ ସଭାପତି ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ। ସେହି ବର୍ଷ ହିଁ ମହାତ୍ମା ଗାନ୍ଧୀ ପ୍ରଥମେ ଓଡିଶାକୁ ଆସିଥିଲେ। ମହାତ୍ମା ଗାନ୍ଧୀ ମୋଟ୍ ୮ ଥର ଓଡିଶା ଆସିଥିଲେ ଏବଂ ପ୍ରଥମେ ୧୯୨୦ ମସିହା ମାର୍ଚ୍ଚ ମାସରେ ଆସିଥିଲେ। ତେଣୁ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତିକୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ବିଭିନ୍ନ ପ୍ରକାରରେ କଂଗ୍ରେସ ପକ୍ଷରୁ ପାଳନ କରାଯିବ। ଦେଶର ସ୍ୱାଧିନତା ସଂଗ୍ରାମ, ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁଙ୍କ ଜୀବନୀ ଓ ବଳିଦାନ, ଦେଶର ବିକାଶରେ କଂଗ୍ରେସର ଅବଦାନ ଇତ୍ୟାଦି ଉପରେ ବର୍ଷ ତମାମ ସେମିନାର, ପଦଯାତ୍ରା, ପ୍ରଶିକ୍ଷଣ ଶିବିର ଆଦି ଆୟୋଜନ କରାଯିବ। ରାଜ୍ୟ ସରକାର ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାର ଚୂଡ଼ାନ୍ତ ରୂପରେଖ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଓଡ଼ିଶା ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ମଧ୍ୟ ଗାନ୍ଧିଜୀଙ୍କ ଏହି ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ଉଭୟ ରାଜ୍ୟ ସରକାର ଓ ସ୍ୱାଧିନତା ସଂଗ୍ରାମୀ ସମିତି ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ସେଥିରେ କଂଗ୍ରେସ ଦଳ ସାମିଲ ହେବାକୁ ଆଗ୍ରହ ବ୍ୟକ୍ତ କରିବା ସହ ଏହାକୁ ସଫଳ କରିବା ପାଇଁ ମଧ୍ୟ ଦଳ ଚାହିଁଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ସ୍ୱାଧିନତା ଆନ୍ଦୋଳନ ସହିତ ନିଶା ନିବାରଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରତି ରାଜ୍ୟ ସରକାର ଯଦି ବାସ୍ତବରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଚାହାନ୍ତି ତେବେ ଗାନ୍ଧିଜୀଙ୍କର ତିରୋଧାନ ଦିବସ ଅର୍ଥାତ୍ ଜାନୁଆରୀ ୩୦ ତାରିଖରେ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଘୋଷଣା କରନ୍ତୁ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ ଓ ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ।

ଏପଟେ ନବୀନ ଏକ ନମ୍ବର , ସେପଟେ ଖସୁଛି ଓଡ଼ିଶାର ନମ୍ବର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବରରେ ଥିବା ବେଳେ ଓଡ଼ିଶାର ରାଙ୍କ କିନ୍ତୁ ଖସିବାରେ ଲାଗିଛି। ନୀତି ଆୟୋଗ ଇଣ୍ଡେକ୍ସରେ ଓଡ଼ିଶା ୨ ରାଙ୍କ ଖସି ଏବେ ୧୪ତମ ସ୍ଥାନରେ ପହଞ୍ଚିଛି। ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ ତାଲିକାରେ ଓଡ଼ିଶାର ସ୍ଥାନ ଦୁଇ ପାଦ ତଳକୁ ଖସିଆସିଛି । ନୀତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଇଣ୍ଡିଆ ଇନୋଭେସନ ଇଣ୍ଡେକ୍ସର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ହେବା ସହ ରାଙ୍କ ତଳକୁ ଖସିଛି । ପ୍ରଥମ ସଂସ୍କରଣରେ ୧୨ତମ ସ୍ଥାନରେ ଥିବାବେଳେ ଦ୍ୱିତୀୟ ସଂସ୍କରଣରେ ୧୪ତମ ସ୍ଥାନକୁ ଖସି ଆସିଛି। ଦେଶରେ ୧୭ଟି ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ୧୪ତମ ସ୍ଥାନରେ ରହିଛି ।ତେବେ ଏଥର ତାଲିକାରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି । ଏହାସହ ଏହି ତାଲିକାର ଏନାବଲର ସ୍ଥାନରେ ଓଡ଼ିଶା ଦଶମ ସ୍ଥାନରେ ରହିଛି ।  ୨୦୨୦ ସୂଚୀରେ ଓଡ଼ିଶାର ଇନୋଭେସନ ସ୍କୋର ୧୮. ୯୪ ଥିବାବେଳେ ଏନାବଲର ସ୍କୋର ୨୦. ୯୩ ରହିଛି ।  ହ୍ୟୁମାନ ରିସୋର୍ସ ତାଲିକାରେ ଓଡ଼ିଶା ୪୨. ୧୦ ପଏଣ୍ଟ ରହିଛି ଓ ତାଲିକାରେ ଦଶମ ସ୍ଥାନରେ ରହିଛି । ସେହିଭଳି ପୁଞ୍ଜିନିବେଶରେ ୧୫ ତମ ସ୍ଥାନ, କାରବାର ବାତାବରଣରେ ୧୬ ତମ, ନଲେଜ୍ ଓ୍ୱାର୍କସରେ ୧୪ ତମ ସ୍ଥାନରେ ରହିଛି ଓଡ଼ିଶା।

କିନ୍ନର କାଟିବେ ପାର୍କିଂ ଟିକେଟ୍ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ୍। ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ୍ କାଟିବେ। ଆଜି ରାଜମହଲ୍ ଛକରେ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି। ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି। ତେବେ ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ଜଣ କିନ୍ନରଙ୍କୁ ସାମିଲ୍ କରାଯାଇଛି। ସେଥିମଧ୍ୟରୁ ୧୫ଜଣ କିନ୍ନର ଥିବା ବେଳେ ୨ଜଣ ମେଲ୍ ଟ୍ରାନ୍ସଫର୍ମର ରହିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୬ ହେବ ବୋଲି ଜଣାପଡ଼ିଛି। ପାର୍କିଂ ଟିକେଟ୍ କାଟିବା ପାଇଁ କିନ୍ନରମାନଙ୍କୁ ସ୍ୱତନ୍ତ୍ର ତାଲିମ୍ ଦିଆଯାଇଥିଲା। ଏହାସହ କିନ୍ନରମାନଙ୍କୁ ଆପ୍ରୋନ ଓ ମନିବ୍ୟାଗ୍ ସାଙ୍ଗକୁ କ୍ୟୁଏକ୍ସୋ ମେସିନ୍ ଓ ବିଏମସି ତରଫରୁ ସ୍ୱତନ୍ତ୍ର ଆଇ କାର୍ଡ ଦିଆଯାଇଛି। ଏହି କାର୍ଡ ପକାଇ ସେମାନେ ପାର୍କିଂ ଦେୟ ଆଦାୟ କରିବେ। ସହରର ଦୁଇ ପ୍ରମୁଖ ପାର୍କିଂ ଲଟ୍ ରାଜମହଲ୍ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଏବଂ ମାଷ୍ଟର୍ କ୍ୟାଣ୍ଟିନ୍ ଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଦୁଇଟି ପାର୍କିଂ ଲଟ୍‌ରେ କିନ୍ନରମାନେ ଜଗିବେ। ଏହାବ୍ୟତୀତ ଏହି ଦୁଇଟି ପାର୍କିଂ ଲଟ୍ ପାଇଁ ସ୍ୱତନ୍ତ୍ର ରେଟ୍ ଚାଟ୍ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ବିଏମସି ତରଫରୁ ୧୭ଜଣ କିନ୍ନରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ସେମାନଙ୍କୁ ଆଉଏକ ନୂଆ ଯୋଜନାରେ ସାମିଲ୍ କରାଯାଇଛି।

ଚେତିଲେ ସରକାର୧୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ପକ୍ଷରୁ ଆଜି ସମ୍ବଲପୁରରେ ଆରଡିସି ଅଫିସ ଘେରାଉ ସହ ବିଶାଳ ଚାଷୀ ସମାବେଶ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଧାନକିଣାରେ ଅନିୟମିତତା ଚାଲିଥିବାକୁ ସରକାର ସ୍ୱୀକାର କରିବା ସହ ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାର ୧୫ଟି ପ୍ୟାକ୍ସର ସମ୍ପାଦକଙ୍କୁ ନିଲମ୍ବନ କରିଛନ୍ତି। ଏହାସହିତ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି। ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ଧାନକିଣାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି ଓ କୌଣସି ଅନିୟମିତତାକୁ ପ୍ରଶୟ ଦିଆଯିବ ନାହିଁ। ଆଜି ନିଲମ୍ବିତ ହୋଇଥିବା ପ୍ୟାକ୍ସ ସମ୍ପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ସମ୍ପାଦକ ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ, ଚାରମାଳ ପ୍ୟାକ୍ସର ଅସିତ୍ କୁମାର ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସର ପ୍ରଦୀପ କୁମାର ସା। ସେହିପରି ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବୈଦ୍ୟନାଥ ପ୍ୟାକ୍ସର ଦିଲ୍ଲୀପ ସୁନା, ମହୁଲି ଓ ଖରି ପ୍ୟାକ୍ସର ରବି ମିଶ୍ର, ଜଟେସିଂହ ପ୍ୟାକ୍ସର ସିଇଓ ଘନଶ୍ୟଶମ ପ୍ରଧାନ, ଉଲୁଣ୍ଡା ପ୍ୟାକ୍ସର ସିଇଓ ରାମକୃଷ୍ଣ ପାଢ଼ୀ ଓ ମୁରଶୁଣ୍ଢି ପ୍ୟାକ୍ସର ସିଇଓ ପ୍ରଭାତ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି। ସେହିପରି ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାଘିଆପଡ଼ା ପ୍ୟାକ୍ସର ସମ୍ପାଦକ ନେତ୍ରାନନ୍ଦ ପୁରୋହିତ, ରାମଗଡ଼ ପ୍ୟାକ୍ସର ସମ୍ପାଦକ ନିରୋଦ କୁମାର ପାତ୍ର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସଢ଼ା ପ୍ୟାକ୍ସର ଦୀନବନ୍ଧୁ ଜେନା ଓ ଶୁକଦେବ ରାଉତଙ୍କୁ ନିଲମ୍ବନ କରାଯାଇଛି। ଏହାସହିତ ସଢ଼ା ପ୍ୟାକ୍ସର ଡାଟା ଏଣ୍ଟ୍ରି ଅପରେଟର ମନୋଜ କୁମାର ନାୟକଙ୍କୁ ଚାକିରି ବହିଷ୍କୃତ କରାଯାଇଛି। 

ସରକାର ଙ୍କ ନିଦ ଭାଙ୍ଗିଲା ୨୦ ବର୍ଷ ପରେ ମନେ ପଡ଼ିଲା; କୋଣାର୍କରେ ହେବ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ଅଂଚଳର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଚିଠା ଯୋଜନା ପ୍ରସ୍ତୁତ କରିବା ସହ ସାଧାରଣ ଲୋକଙ୍କୁ ୨୧ ଦିନ ମଧ୍ୟରେ ଏ ସମ୍ପର୍କରେ ନିଜର ମତାମତ ଦେବାକୁ ପରାମର୍ଶ ଦେଇଛନ୍ତି। ୨୦ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର ବିଳମ୍ବରେ ହେଲେ ବି କୋଣାର୍କ ଅଂଚଳର ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ ମାନଦଣ୍ଡର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ସୂଚନା ଅନୁସାରେ, କୋଣାର୍କକୁ ବିଶ୍ୱର ବିଭିନ୍ନ ଅଂଚଳରୁ ଦୈନିକ ପର୍ଯ୍ୟଟକ ଆସୁଥିବାରୁ କୋଣାର୍କରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଣାର୍କର ଭିତ୍ତିଭୂମିକୁ ନେଇ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅବଗତି ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଉପସ୍ଥାପନା କରାଯାଇଥିଲା। ୧୯୮୪ ମସିହାରୁ କୋଣାର୍କକୁ ବିଶ୍ୱ ଐତିହ୍ୟ ଭାବେ ୟୁନେସ୍କୋ ମାନ୍ୟତା ପ୍ରଦାନ କରିଛି। ଏହି ମହାନ ସାଂସ୍କୃତିକ ବୈଭବର ସୁରକ୍ଷା ପାଇଁ ରାଜ୍ୟ ସରକାର ଏବେ ଏହାକୁ ନିଜର ନୈତିକ ଦାୟିତ୍ୱବୋଧ ବୋଲି ମନେ କରି ଆଗେଇ ଆସିଛନ୍ତି। କୋଣାର୍କ ମନ୍ଦିରର ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଛି। ତେବେ ମନ୍ଦିରର ସୁରକ୍ଷା,ସଂରକ୍ଷଣ ଓ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଐତିହ୍ୟ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି।