ନିର୍ମାଣ ସୌଧ ଭିତରେ କାର୍ଯ୍ୟରତ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସ୍ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୁପରିଟେଣ୍ଡିଂ ଇଞ୍ଜିନିୟର କହିଛନ୍ତି। ଗତକାଲି ହୋଇଥବା ଏହି ନିର୍ଦ୍ଦେଶାନାମାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ବିଶେଷକରି ମହିଳା ସ୍ୱେଚ୍ଛାସେବୀ ଏଭଳି ନିର୍ଦ୍ଦେଶକୁ ତୀବ୍ର ସମାଲୋଚନା କରିଛନ୍ତି। ମହିଳା ସ୍ୱେଚ୍ଛାସେବୀଙ୍କ ମତରେ ଏବେ ବି ମହିଳାଙ୍କ ପ୍ରତି ଅନେକଙ୍କ ମାନସିକତାରେ ପରିବର୍ତ୍ତନ ଆସି ନାହିଁ। ଆଜି ବି ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖା ଯାଉଛି, ଏଭଳି ନିର୍ଦ୍ଦେଶନାମା ତାର ପ୍ରତିଫଳନ ବୋଲି ସ୍ୱେଚ୍ଛାସେବୀ ମତ ରଖିଛନ୍ତି। ରାଜ୍ୟର ସରକାରୀ ବ୍ୟବସ୍ଥାରେ ମହିଳାମାନେ ପୁରୁଷଙ୍କ ସହ ସମକକ୍ଷ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏଭଳି ଅଜବ ଗଜବ ନିର୍ଦ୍ଦେଶନାମାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ଏହି ପ୍ରଶ୍ନ ଉଠୁଛି ଯେ ଅପରାହ୍ଣ ସାଢ଼େ ୫ଟା ପରେ ମହିଳାଙ୍କ ପାଇଁ ଇଞ୍ଜିନିୟର-ଇନ୍-ଚିଫଙ୍କ କାର୍ଯ୍ୟାଳୟ କଣ ଅସୁରକ୍ଷିତ କି? ନା ମହିଳାମାନେ ଅଫିସ୍ କାମ ସାରି ବିଳମ୍ବରେ ଘରେ ପହଞ୍ଚିବା ବେଳେ ଅସୁରକ୍ଷିତ ମନେ କରୁଥିବାରୁ ଏଭଳି ନିର୍ଦ୍ଦେଶ। ନା ୟା ପଛରେ ମହିଳା କର୍ମଚାରୀମାନେ ବିଳମ୍ବିତ ଅବଧି ଯାଏଁ ଉପସ୍ଥିତ ରହିଲେ ଅଫିସରେ କୌଣସି ଗୁପ୍ତ କାର୍ଯ୍ୟ ସମ୍ପର୍କରେ ଗୁମର ଖୋଲିଯିବାର ଚିନ୍ତା ରହିଛି?

ଆଇଟି ସେଲ ମୁଖିଆ ଙ୍କୁ ଶକ୍ତ ଧକ୍କା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡି ଆଇଟି ସେଲ୍ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଶକ୍ତ ଧକ୍କା। ଗତ କିଛଦିନ ତଳେ ତାଙ୍କଠୁ ଦଳର ସୋସିଆଲ ମିଡିଆ ପରିଚାଳନା ଦାୟିତ୍ୱ କାଢ଼ି ନିଆଯାଇଛି। ସେ ଆଇଟି ସେଲ୍ ମୁଖିଆ ରହିଥିଲେ ବି ଏଣିକି ଦଳର ଆଇଟି ସଂକ୍ରାନ୍ତ କାର୍ଯ୍ୟରେ ତାଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ଜଣାପଡ଼ିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରଚାର ନିମନ୍ତେ ଅମର ପଟ୍ଟନାୟକଙ୍କ ଉପରେ ବିଜେଡି ଭରସା କରିବା ସହ ତାଙ୍କୁ ଦଳର ଆଇଟି ସେଲ୍ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲା। ତାଙ୍କ ନେତୃତ୍ୱରେ ଦଳର ଏକ ବିଶାଳ ଆଇଟି ସେଲ୍ ମଧ୍ୟ କାର୍ଯ୍ୟ କରୁଥିଲା। ଅମରଙ୍କ ନେତୃତ୍ୱରେ ଥିବା ଆଇଟି ସେଲ୍ ରାଜ୍ୟର ପ୍ରମୁଖ ବିରୋଧୀ ବିଜେପିର ଆଇଟି ସେଲକୁ ଟକ୍କର ଦେବାରେ ମଧ୍ୟ ସେତେଟା ସକ୍ଷମ ହୋଇପାରିନଥିଲା। ଯଦିଓ ଦଳ ପକ୍ଷରୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଅମରଙ୍କ ଆଇଟି ସେଲକୁ ଯୋଗାଇ ଦିଆଯାଇଥିଲା। ସାଧାରଣ ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ଓ ଆଇଟି ସେଲର ପ୍ରଦର୍ଶନ ଆଶାନୁରୂପ ନରହିବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟାକୁ ଦଳ ପକ୍ଷରୁ ହ୍ରାସ କରି ଦିଆଯାଇଥିଲା। ଗତ ୬-୮ମାସ ଧରି ଆଇଟି ସେଲରେ ହାତଗଣତି କର୍ମଚାରୀ ଥିଲେ। ଶାସକ ଦଳର ଆଇଟି ସେଲ୍ ହୋଇଥିବା ସତ୍ତ୍ୱେ ପ୍ରଦର୍ଶନ ଉତ୍ସାହଜନକ ନରହିବା ଓ ବିରୋଧୀଙ୍କୁ ଠିକ୍ ଭାବେ କାଉଣ୍ଟର କରିବାରେ ସକ୍ଷମ ନହେବାରୁ ଅମରଙ୍କ ନେତୃତ୍ୱରେ ଚାଲିଥିବା ଆଇଟି ସେଲକୁ ବନ୍ଦ କରିଦିଆ ଯାଇଛି। ସୋସିଆଲ ମିଡିଆ ଯୁଗରେ ବିଜେଡି ନିଜର ବିଧାୟକ ଓ ସାଂସଦମାନଙ୍କୁ ପ୍ରଚାରପ୍ରସାର ନିମନ୍ତେ ସୋସିଆଲ ମିଡିଆର ଭରପୂର ଉପଯୋଗ ନିମନ୍ତେ ପରାମର୍ଶ ଦେଉଥିଲେ ମଧ୍ୟ ଏସବୁ ତଦାରଖ କରିବାରେ ମଧ୍ୟ ଅମରଙ୍କ ନେତୃତ୍ୱାଧୀନ ଆଇଟି ସେଲ୍ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲା।

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ: ବିରୋଧୀଙ୍କୁ ସମର୍ଥନ ଦେବନି ବିଜେଡି …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବି ଓ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ର‌୍ୟାଲିରେ ହିଂସାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବିରୋଧୀଙ୍କ ଏହି ବର୍ଜନରେ ବିଜେଡି ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ବିଜେଡି ସାଂସଦମାନେ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ଦଳର ଏଭଳି ଆଭିମୁଖ୍ୟକୁ ନେଇ ବିଜେଡି ସାଂସଦମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୃଷି ଆଇନକୁ ବିଜେଡି ବିରୋଧ କରୁଥିଲେ ମଧ୍ୟ ସିଧାସଳଖ କେନ୍ଦ୍ରର ଏନଡିଏ ସରକାର ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇବାକୁ ସତସାହାସ କରିପାରୁନି। ଯେଉଁଥିପାଇଁ ସଂସଦ ଅଧିବେଶନ ପୂର୍ବରୁ ବସିଥିବା ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୃଷି ଆଇନ ସମ୍ପର୍କରେ ମୁହଁ ଖୋଲି ନଥିଲେ। କେବଳ ଚାଷୀଙ୍କ ସ୍ୱାର୍ଥ ପାଇଁ ଦଳ କାମ କରୁଛି ଓ ସ୍ୱାମୀନାଥନ୍ କମିଶନ ରିପୋର୍ଟକୁ ଲାଗୁ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଆଉ କୃଷି ଆଇନକୁ ସିଧାସଳଖ ବିରୋଧ କରିବା ପରିବର୍ତ୍ତେ ଏହାକୁ ଅଧିକ ତର୍ଜମା ପାଇଁ ସିଲେକ୍ଟ କମିଟିକୁ ପଠାଇବାର ଆବଶ୍ୟକତା ରହିଛି ବୋଲି କହି ବିଜେଡି ସାଂସଦମାନେ ନିଜର ଉତ୍ତରଦାୟିତ୍ୱ ଶେଷ କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ପାଳି ସରକାରକୁ ବିଜେଡି ସର୍ବଦା ଅଯାଚିତ ସମର୍ଥନ ଯୋଗାଇ ଦେଇଆସିଛି। ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ କଥା କହୁଥିବା ବିଜେଡି କିନ୍ତୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଯେଭଳି ଢଙ୍ଗରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଯୋଗାଇ ଆସୁଛି ତାହା ଦୁଇ ଦଳ ମଧ୍ୟରେ ଥିବା ଅଘୋଷିତ ସମ୍ପର୍କ ଆଡ଼କୁ ଇଙ୍ଗିତ କରୁଛି। ଯେଉଁଥିପାଇଁ କଂଗ୍ରେସ ନେତୃତ୍ୱରେ ୧୬ଟି ଦଳ ଯଥା ଏନସିପି,ଡିଏମକେ, ତୃଣମୂଳ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ, ସିପିଏମ, ଇଣ୍ଡିଆନ ମୁସଲିମ୍ ଲିଗ, ଆରଏସପି, ଏମଡିଏମକେ,ପିଡିପି,ଏନସି ଭଳି ଦଳ ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଅଣଏନଡିଏ ଦଳ ବିଜେଡି ଏହାକୁ ସମର୍ଥନ କରିନାହିିଁ।

ଖାଇବା ପରେ ଭୁଲ୍‌ରେ ବି ଏହି ସବୁ କାମ ଉଚିତ ନୁହଁ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅଧିକ କାମ ଯୋଗୁଁ ଲୋକେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ।  ଏଥିଯୋଗୁଁ ଆମ ଶରୀରର ଅନେକ ସିଷ୍ଟମ ପ୍ରଭାବିତ ହେବାକୁ ଲାଗେ। ଶରୀରକୁ ସୁସ୍ଥ ରଖିବା ପାଇଁ ସର୍ବଦା ପୋଷକ ତତ୍ତ୍ବରେ ଭରପୁର ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ ଅନେକ ଜିନିଷ ଉପରେ ମଧ୍ୟ ଧ୍ୟାନ ଦେବା ଜରୁରୀ। ଯେପରିକି ଭୋଜନ କରିବା ପରେ କ’ଣ ସବୁ ନକରିବା ଉଚିତ ସେ ନେଇ ମଧ୍ୟ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ। ନଚେତ ଆମ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡିବାକୁ ଲାଗେ। 

  • ପୋଷକ ତତ୍ତ୍ବର ସବୁଠୁ ଭଲ ସ୍ରୋତ ହେଉଛି ଫଳ। କିନ୍ତୁ ଖାଦ୍ୟ ଖାଇବା ପରେ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏହାଦ୍ବାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ହଜମ ଶକ୍ତି କମିଯାଏ। ଫଳରେ ପେଟ ଜନିତ ସମସ୍ୟା ସୃଷ୍ଟି ହୁଏ। ତେଣୁ ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ। ଖାଲି ପେଟ କିମ୍ବା ଭୋଜନ କରିବାର କିଛି ସମୟ ପରେ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ।
  • ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ବ୍ୟାୟାମ କରନ୍ତୁ ନାହିଁ। ଏଭଳି କଲେ ଅସୁବିଧା ହୋଇପାରେ। ପେଟ ଯନ୍ତ୍ରଣା ଏବଂ ମୁଣ୍ଡ ବୁଲାଇବା ଭଳି ସମସ୍ୟା ସୃଷ୍ଟି ହୋଇପାରେ।
  • ଭୋଜନ କରିବା ପାରେ ଧୂମପାନ କରିବା ସ୍ବାସ୍ଥ୍ୟ ପାଇଁ ହାନୀକାରକ । ତମାଖୁରେ ଥିବା ନିକୋଟିନ ଅକ୍ସିଜେନ ସହ ମିଶି ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଫଳରେ ଶରୀରରେ ଅନେକ ଗୁଡିଏ ସମସ୍ୟା ଦେଖାଦିଏ। ରକ୍ତ ସଂଚାଳନରେ ବାଧା ଦେବା ସହ ଶରୀରରେ ଅକ୍ସିଜେନର ଅଭାବ ସୃଷ୍ଟି କରିବା ସହ ଅନ୍ତନଳୀ କ୍ୟାନସର ହେବା ଭଳି ବିପଦ ରହିଥାଏ।
  • ଅଧିକାଂଶ ଲୋକ ଖାଦ୍ୟ ଖାଇବା ପରେ ଶୋଇବା ପାଇଁ ପସନ୍ଦ କରନ୍ତି। କିନ୍ତୁ ଏହି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ହାନୀକାରକ । ପ୍ରକୃତରେ ଖାଇବା ପରେ ହଜମ ହେବା ପାଇଁ ଅଧିକ ସମୟ ଲାଗେ। ଏଭଳି ସ୍ଥିତିରେ ନିଦ ଆମ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ। ଏଥିପାଇଁ ଅଧିକାଂଶ ଲୋକଙ୍କ ଶୋଇକି ଉଠିବା ପରେ ପେଟ ଫୁଲିବା, ଶରୀରରେ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ।
  • ଗାଧୋଇବା ପରେ ଶରୀରକୁ ଆରାମ ମିଳେ। କିନ୍ତୁ ଖାଦ୍ୟ ଖାଇବା ପରେ ଗାଧୋଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାର । ପ୍ରକୃତରେ ଖାଦ୍ୟ ଖାଇବା ପରେ ପାଚନ ତନ୍ତ୍ର କାମ କରିବା ଆରମ୍ଭ କରେ । ଏଭଳି ସ୍ଥିତିରେ ଯଦି ଆମେ ଗାଧୋଇବା ତେବେ ଆମ ପାଚନ କ୍ରିୟା ଧିମା ପଡିଯାଇଥାଏ। ତେଣୁ ଗାଧୋଇବା ପରେ ହିଁ ଭୋଜନ ଗ୍ରହଣ କରିବା ଉଚିତ।
  • ସେହିପରି ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ପେଟ ଯନ୍ତ୍ରଣା, ଗ୍ୟାସ ଏବଂ ଆସିଡିଟ ଭଳି ସମସ୍ୟା ଦେଖାଦେଇଥାଏ।
  • ଅଧିକାଂଶ ଅଫିସରେ କାମ କରୁଥିବା ଲୋକେ ଖାଇବା ପରେ ଚା’ ପିଇବା ପାଇଁ ପସନ୍ଦ କରିଥାନ୍ତି। ଅଧିକାଂଶ ଚା’ ପିଅନ୍ତି ମଧ୍ୟ। ଚା’ରେ ପଲିଫିନାଲ୍ସ ଏବଂ ଟେନିଂସ ଭଳି କେମିକଲ ଥାଏ, ଯାହା ଆମ ଭୋକକୁ ମାରିଦିଏ। ଏହା ଆମ ଶରୀରରେ ଥିବା ପ୍ରୋଟିନ, ଆଇରନର  ମାତ୍ରାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ତେଣୁ ଖାଦ୍ୟ ଖାଇବା ପରେ ଚା’ ପିଇବା ଉଚିତ ନୁହେଁ।
ଆଜିର ରାଶିଫଳ – ୨୯ ଜାନୁଆରୀ, ଶୁକ୍ରବାର

ମେଷ: ମନସ୍ତାପରେ ସମୟ କାଟିବେ ଓ କର୍ମରେ ବିରକ୍ତି ଅନୁଭବ କରିବେ। ଆକସ୍ମିକ ଧନ ବ୍ୟୟ ଓ ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ତିକ୍ତତା ରହିବ। ନୂତନ କର୍ମରେ ଯୋଗଦାନ କରିବା ସହ  ନୂତନ ସମ୍ପର୍କ ସୃଷ୍ଟି ହେବ ।

ବୃଷ: ଆୟ ବଢିବ ଓ ଚାକିରିରେ ପଦୋନ୍ନତି ହେବ। ନୂତନ ବ୍ୟବସାୟ ଆରମ୍ଭ କରିବେ ଓ ସାଂସାରିକ କ୍ଷେତ୍ରରେ ସୁଖଶାନ୍ତି ଫେରିଆସିବ। ମହିଳାମାନେ ଉଚ୍ଚମନା ହେବେ ଓ ଛାତ୍ରଛାତ୍ରୀ ଅଧ୍ୟୟନରତ ରହିବେ।

ମିଥୁନ: ଦୀର୍ଘଦିନର ଅଭିଳାଷ ପୂରଣ ହେବ ଓ ବସ୍ତ୍ର ଭୂଷଣ ଲାଭ ହେବ। କର୍ମକ୍ଷେତ୍ରରେ ଚାପ ବଢିଯିବ ଓ ପଡୋଶୀଙ୍କ ସହିତ କଳହ ଲାଗିପାରେ। ସମ୍ମାନ ବୃଦ୍ଧି ଘଟିବ ଓ ପ୍ରତିଭାର ବିକାଶ ଘଟିବ।

କର୍କଟ: ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ ଓ ସଞ୍ଚୟର ସୁଯୋଗ ଆସିପାରେ। ପରିବାରରେ ହସଖୁସିରେ ସମୟ କଟାଇବେ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ସିଂହ: କର୍ମକ୍ଷେତ୍ରରେ ନିଜ ମନ ଅନୁସାରେ କର୍ମ କରିବେ ଓ ସମସ୍ତଙ୍କର ପ୍ରିୟଭାଜନ ହେବେ। ହଠାତ୍ କୌଣସି ଯୋଜନାରେ ପରବର୍ତ୍ତନ କରିପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ ଓ ସାଂସାରିକ ଜୀବନରେ ଚିନ୍ତିତ ରହିବେ।

କନ୍ୟା:  ସ୍ୱାସ୍ଥ୍ୟ ଭଲ ରହିବ ଓ ପୁରୁଣା କଥା ଭୁଲି ସଂପର୍କ ରକ୍ଷା କରିବେ। ପ୍ରଶାସନିକ ସ୍ତରରେ ସକ୍ରୀୟ  ରହିବେ ଓ ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ। ଅନ୍ୟମାନଙ୍କ ସାହାଯ୍ୟରେ କର୍ମ ସମ୍ପାଦନା କରିବେ।

ତୁଳା: ଉଭୟ ପ୍ରେମ ଓ ପାରିବାରିକ ଜୀବନରେ ଉତ୍ତମ ବୁଝାମଣା ରହିବ। ବହୁ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ ଓ କର୍ମ ଶୈଳୀରେ ପରିବର୍ତ୍ତନ ଆଣିବେ।

ବିଛା: କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ଲାଭ କରିବେ। ମହିଳାମାନେ କର୍ମତତ୍ପର ରହିବେ ଓ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ସମ୍ମାନିତ ହେବେ ଓ ଦକ୍ଷତା ପ୍ରତିପାଦିତ କରିବେ।

ଧନୁ: ଉଭୟ ପ୍ରେମ ଓ ସାଂସାରିକ ଜୀବନ ହସଖୁସିରେ କଟିବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। କଳାକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିବେ।

ମକର: ବହୁଦିନର ମନସ୍କାମନା ପୂରଣ ହେବ। ବ୍ୟସ୍ତତା ଭିତରେ ସମୟ କଟାଇବେ । କୌଣସି କାର୍ଯ୍ୟ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ସମ୍ପତ୍ତି ବୃଦ୍ଧି ଓ ଅର୍ନ୍ତନିହିତ ପ୍ରତିଭାର ବିକାଶ ଘଟିବ।

କୁମ୍ଭ: ସମସ୍ତ କାର୍ଯ୍ୟରେ ବିଳମ୍ବ ହେବ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ। ପୂର୍ବରୁ କରିଥିବା କର୍ମପାଇଁ ଦଣ୍ଡ ଭୋଗିପାରନ୍ତି। ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ଓ ଶୁଭ ଖବର ଶୁଣିପାରନ୍ତି।

ମୀନ: ବ୍ୟବସାୟରେ ଲାଭବାନ ହେବେ ଓ ଘର ପାଇଁ କିଛି ଆସବାବ ପତ୍ର କ୍ରୟ କରିପାରନ୍ତି।  ପୁରସ୍କୃତ ହେବେ ଓ ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ।  ବନ୍ଧୁଙ୍କ ସହିତ ମିଶି କରି ନୂତନ ଯୋଜନା କରିପାରନ୍ତି।

ବରିଷ୍ଠ ନାଗରିକ ଙ୍କ ସହ ନୟାପଲ୍ଲୀ ପୋଲିସର ବନ୍ଧୁ ମିଳନ ଓ ଆଲୋଚନା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୁଆସାହି ରେ ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂମ୍ପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ପୋଲିସ୍ ଓ ବରିଷ୍ଠ ନାଗରିକଙ୍କ ଏକ ଆଲେଚନା ଅନୁଷ୍ଠିତ ହେବା ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସମ୍ମାନନୀୟ ଅତିଥି ଭାବେ ଜୋନ-୫ର ଏ.ସି.ପି. ଅନିଲ୍ କୁମାର ମିଶ୍ର, ନୟାପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ସାହୁ, ନୋଡାଲ୍ ଅଫିସର ସୁଧାକର ପାତ୍ର, ଯୋଗଦାନ କରିଥିଲେ । ଅଲୋଚନାରେ ଅଳର କିଛି ଛୋଟ ଛୋଟ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ନାଗରିକଙ୍କ ତରଫରୁ ଉପସ୍ଥିତ ଥିବା ପୋଲିସ୍ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କମିସନ୍‌ରେଟ୍ ପୋଲିସ୍ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ପରିଚୟ ପତ୍ର କିପରି ଭାବେ ଅବଶିଷ୍ଟ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯିବ, ଏହି ଉଦ୍ଦେଶ୍ୟରେ ଉପସ୍ଥିତ ଥିବା ବରଷ୍ଠ ନାଗରିକ ମାନେ ଏ.ସି.ପି. ଓ ନୟାପଲ୍ଲୀ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ନୂଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଂଘ ଓ ଶ୍ରୀ ଶ୍ରୀ ମହାବୀର ପୂଜା କମିଟି ତରଫରୁ ଏଚ୍‌.ଡି.ଏଫ୍‌.ସି ବ୍ୟାଙ୍କଠାରୁ ମମ୍‌ତାଜ୍ ଅଲ୍ଲୀ ହାଇସ୍କୁଲ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ଲିଖିତ ଦିଆଯିବା ପରେ ବିଧାୟକ ଦେଇଥିବା ପ୍ରତିଶୃତି ଅନୁଯାୟୀ ଏଚ୍‌.ଡି.ଏଫ୍‌.ସି ବ୍ୟାଙ୍କଠାରୁ ମହାବୀର ପୂଜା ମଣ୍ଡପ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଯାଇଥିବାରୁ ଅଳବାସୀଙ୍କ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଭଙ୍ଗା ଯାଇଥିବା କଲ୍ୟାଣ ମଣ୍ଡପ ଜାଗାରେ ଅଳବାସୀଙ୍କ ପାଇଁ ଏକ ପାର୍କ ନିର୍ମାଣ କରିବାକୁ ବିଧାୟକଙ୍କୁ ଅନୁରୋଧ କରିଥିଲେ ଓ ଅଳର ଅନ୍ୟ କିଛି ସମସ୍ୟାର ସମାଧାନ ପାଇଁ ମଧ୍ୟ ବିଧାୟକଙ୍କୁ ଅନୁରୋଧ କରିଥିଲେ ।

ଖୁବ୍ ଶିଘ୍ର ଏହିସବୁ ସମସ୍ୟାର ସମାଧାନ ହେବ ବୋଲି ବିଧାୟକ ଅଳବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏକ ନୈଶ୍ୟ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୁଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଭାପତି ରାହାସ ବିହରୀ ପାଣି, ସାଧାରଣ ସଂମ୍ପାଦକ ଶ୍ୟାମ ସୁନ୍ଦର ସାହୁ, ଲାଫିଙ୍ଗ୍ କ୍ଳବର ସଭାପତି ଜୟକୃଷ୍ଣ ରାଜହଂସ, ସାଧାରଣ ସମ୍ପାଦକ ହେମନ୍ତ କୁମାର ସାହୁ , ଆଳିକ ବିକାଶ କେନ୍ଦ୍ରର ସଭାପତି ରମେଶ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ରାକେଶ କୁମାର ମହାନ୍ତି, ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରି ନାରାୟଣ ମହାସୁପକାର, କ୍ରିକେଟ୍ କୋଚ୍ କ୍ଷୀରୋଦ ବେହେରାଙ୍କ ସମେତେ ଅଳର ଅନେକ ବରିଷ୍ଠ ନାଗରିକ ଓ ଶ୍ରୀ ଶ୍ରୀ ମହାବୀର ସମାଜିକ ସଂଗଠନର ଅନେକ କାର୍ଯ୍ୟର୍କା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂମ୍ପାଦକ ମିଲନ୍ କୁମାର ପାଇକରାୟ ପରିଚାଳନା କରିଥିଲେ ।

ମାଟି ତଳୁ ଦଶମ ଶତାଦ୍ଦୀ ସମୟ ମନ୍ଦିରର ପ୍ରାଚୀନ କୀର୍ତ୍ତିରାଜି ଉଦ୍ଧାର …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) ରାଜଧାନୀ ଭୁବନେଶ୍ୱର ମାଟି ତଳୁ ଦଶମ ଶତାଦ୍ଦୀର ମନ୍ଦିରର ପ୍ରାଚୀନ କିର୍ତ୍ତୀରାଜି ଉଦ୍ଧାର ହୋଇଛି । ଏକାମ୍ରକ୍ଷେତ୍ର ଉନ୍ନତିକରଣ ପାଇଁ ଲିଙ୍ଗରାଜ ମନ୍ଦିର ଚାରିପଟେ ଖୋଦେଇ କାର୍ଯ୍ୟ ଚାଲିଛି । ଆଉ ଏଭିତରେ ସୁକଶାରୀ ମନ୍ଦିର ନିକଟ ମାଟିତଳୁ ଉଦ୍ଧାର ହୋଇଛି । ଏହା ସହ ଆଵିସ୍କୃତ ହୋଇଛି ପଞ୍ଚରତ୍ନ ଆକୃତିର ସୋମବଂଶ ସମୟର ମନ୍ଦିର । ମନ୍ଦିରଟି ଲିଙ୍ଗରାଜ ମନ୍ଦିରକୁ ଲାଗି ରହିଥିବା ସୁକଶାରୀ ମନ୍ଦିର ନିକଟସ୍ଥ ମାଟିତଳୁ ଆବିଷ୍କାର ହୋଇଛି । ଏଠାରେ ଏକାମ୍ର କ୍ଷେତ୍ର ଆଧୁନିକୀକରଣ କାମ ଆଗେଇ ଚାଲିଥିବା ବେଳେ ଚାଲିଛି ପୁରୁଣା ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ । ଆଉ ଏତିକିବେଳେ ସୁକଶାରୀ ମନ୍ଦିର ପାଖରେ ମାଟି ଖୋଳିଲାବେଳେ ବାହାରିଛି ଏହି ପାର୍ଶ୍ୱ ମନ୍ଦିର । ଓଡିଶା ର୍ନିମାଣ ସେତୁ ନିଗମ ପକ୍ଷରୁ ଖୋଦେଇ କାମ ଚାଲିଥିବା ବେଳେ ଏହି ମନ୍ଦିର ଦେଖିବାକୁ ମିଳିଥିଲା । ଏବେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ପହଚିଂ ପୁରା ମାଟି ଖୋଳି ମନ୍ଦିରକୁ ବାହର କରିବ ବୋଲି କହିଛି ।

ଆଉ ଶସ୍ତାରେ ଖାଇ ପାରିବେନି ସାଂସଦ …!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- ଆଉ ସାଂସଦଙ୍କୁ ଶସ୍ତାରେ ମିଳିବନି ଖାଦ୍ୟ। ଏଣକି ସଂସଦ କ୍ୟାଣ୍ଟିନରେ ଖାଇଲେ ଦେବାକୁ ପଡିବ ଅଧିକ ଟଙ୍କା ଆଗରୁ ଯା ଦେଉଥିଲେ ଏବେ ତା’ର ଦେଢ଼ ଗୁଣ ଟଙ୍କା ଦେବାକୁ ପଡିବ। ବର୍ଷ ବର୍ଷ ଧରି ସରକାର ଦେଉଥିବା ସବସିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି। ଅର୍ଥାତ୍ ୨୯ରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସାଂସଦମାନେ ଏହି ସେସନରେ ବିନା ସବସିଡିରେ, ପୂର୍ବରୁ ଯେତିକି ଦେଉଥିଲେ ତାର ଦେଢ ଗୁଣା ଟଙ୍କା ଦେଇ ଲଞ୍ଚ କରିବେ। ବିଭିନ୍ନ ମହଲରୁ ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୯ ତାରିଖରୁ ପାର୍ଲାମେଣ୍ଟ  ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜିଠୁ ନୂଆ ଦର ଲାଗୁ ହେବ।  ଆଗରୁ ସାଂସଦ ଓ ଅନ୍ୟ କର୍ମଚାରୀଙ୍କୁ ସବସିଡିରେ ଖାଇବା ମିଳଥିଲା। କିନ୍ତୁ ଦର ବଢାଇ ଏବେ ନୋ ପ୍ରଫିଟ, ନୋ ଲେସରେ କ୍ୟାଣ୍ଟିନ ଚଳାଇବାକୁ ନିଷ୍ପତ୍ତି ହୋଇଛି । ତେବେ ଦର ସହିତ ମେନୁକୁ ମଧ୍ୟ ବଢାଇ ଦିଆଯାଇଛି। ଆମିଷ ଓ ନିରାମିଷ ମିଶାଇ ଏବେ ମୋଟ ୫୮ ପ୍ରକାରର ଖାଦ୍ୟ ଉପଲବ୍ଧ ହେବ। ଯାହା ମଧ୍ୟରେ ରହିଛି ମଟନ୍ ବିରିୟାନି, ଚିକେନ୍ ବିରିୟାନି, ଭେଜ୍ ବିରିୟାନି, ମାଛ, ଚିପ୍ସ, ସାଲାଡ୍, ମସଲା ଉପମା, ଉଥପମ୍ ଇତ୍ୟାଦି। ପୂର୍ବରୁ ଚିକେନ୍ ବିରିୟାନି ଖାଇଲେ ଦେବାକୁ ପଡୁଥିଲା ୭୦ ଟଙ୍କା, ଏବେ ଏଥିରେ ୩୦ ଟଙ୍କା ବଢିଛି, ଅର୍ଥାତ୍ ଏବେ ଦେବାକୁ ପଡିବ ୧୦୦ ଟଙ୍କା। ମଟନ୍ ବିରିୟାନି ଯାହାର ଦାମ୍ ଥିଲା ୧୦୦ ଏବେ ଏହା ୧୫୦ ଟଙ୍କା ହୋଇଛି। ସେହିପରି ଭେଜ୍ ବିରିୟାନି ପାଇଁ ଦେବାକୁ ପଡିବ ୫୦ ଟଙ୍କା ଏବଂ ଏକ ନିରାମିଷ ଥାଳି ପାଇଁ ୧୦୦ ଟଙ୍କା ଦେବାକୁ ପଡିବ। ଗ୍ରୀନ୍ ସାଲାଡ୍ ପ୍ଲେଟ୍ ପୂର୍ବରୁ ୧୦ ଟଙ୍କା ଥିବା ବେଳେ ଏବେ ହୋଇଛି ୨୫ ଟଙ୍କା । ମାଛ ଓ ଚିପ୍ସ ପ୍ଲେଟର ଦାମ୍ ୧୧୦ ଟଙ୍କା ହୋଇଥିବା ବେଳେ ଗୋଟିଏ ଆଳୁ ଚପର ଦାମ୍ ୧୦ ଟଙ୍କା ହୋଇଛି। ସେପଟେ ସବସିଡି ହଟାଯିବା ପଦକ୍ଷେପକୁ ସାଂସଦମାନେ ସ୍ୱାଗତ କରିଛନ୍ତି। ସୂଚନା ଯୋଗ୍ୟ ଯେ,  ସଂସଦର  ପ୍ରତି ଅଧିବେଶନରେ ଜନ ପ୍ରତିନିଧି , ସରକାରୀ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ପ୍ରାୟ ୪ ହଜାର ୫ଶହରୁ ଅଧିକ ଲୋକ ପାର୍ଲାମେଣ୍ଟ କ୍ୟାଣ୍ଟିନରେ ଖାଇଥାନ୍ତି। 

ମାଟିର ପ୍ରତିଭାଙ୍କୁ ପଦ୍ମ, ସାରା ରାଜ୍ୟରୁ ଶୁଭେଚ୍ଛାର ସୁଅ ..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସାରା ଦେଶରେ ଆଜି ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଓଡ଼ିଶାର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ଏବଂ ଅନ୍ୟ ୫ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମବିଭୂଷଣ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଶାନ୍ତି ଦେବୀ(ସମାଜସେବା), ପୂର୍ଣ୍ଣମାସୀ ଜାନି(କଳା), ନନ୍ଦ ପୃଷ୍ଟି (ସାହିତ୍ୟ ଓ ଶିକ୍ଷା), ରଥଯାତ୍ରା ଉଦଘୋଷକ ତଥା ସଂସ୍କୃତି ବିଶେଷଜ୍ଞ ରଜତ କୁମାର କର(ସାହିତ୍ୟ ଓ ଶିକ୍ଷା) ଏବଂ ଡାକ୍ତର କୃଷ୍ଣମୋହନ ପାଠୀ(ମେଡିସିନ) ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଓଡ଼ିଆଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ପୂର୍ଣ୍ଣମାସୀ ଜାନୀ ଏକାଧାରାରେ ଜଣେ ସଂଗୀତଜ୍ଞ, ସନ୍ନ୍ୟାସ ଆଉ ସାହିତ୍ୟିକ। ୩ଟି କ୍ଷେତ୍ରକୁ ଏକତାର ସୂତ୍ରରେ ବାନ୍ଧି ଉପାନ୍ତରେ ବାଟ ଚାଲୁଥିବା କନ୍ଧମାଳ ଚାରିପଡ଼ାର ଆଶୁକବି ପୂର୍ଣ୍ଣମାସୀ ଜାନୀ ନିରକ୍ଷର ହେଲେ ବି ତୁଣ୍ଡେ ତୁଣ୍ଡେ କବିତା ବୋଲନ୍ତି। ଗୀତରେ ଗୀତରେ ବେସାହାରାଙ୍କୁ ସେ ରାହା ଦେଖାନ୍ତି, ସାମାଜିକ ସମସ୍ୟାର ସମାଧାନ କରନ୍ତି। ଇତିମଧ୍ୟରେ ସେ ଗାଇଛନ୍ତି ପ୍ରାୟ ୧୦ ହଜାର ଭଜନ ସହ ଜଣାଣ। ରୋଚକ କଥା ହେଉଛି, ତାଙ୍କ ମୁଖ ନିସୃତ ଭଜନ ଆଉ ଜଣାଣ କିମ୍ବା କବିତା କେହି କାହା ସହ ସମ୍ପର୍କ ରଖିନଥାନ୍ତି କିମ୍ବା କୌଣସି କବିତାର ପୁନରାବୃତ୍ତି ହୋଇନଥାଏ। ଜଣେ ମହିଳା ହେଇ ବି ନିଜ ଅଞ୍ଚଳରେ ଟାଡିସରୁ ବାବା ନାମରେ ପରିଚିତ ପୂର୍ଣ୍ଣମାସୀ। କାରଣ ୧୯୬୯ ମସିହାରେ ଟିକାବାଲି ନିକଟ ଚପଲମେଣ୍ଡି ଟାଡିସରୁ ପାହାଡ଼ର ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତି ହୋଇଥିଲେ। ସେହିପରି ସେବା ଲାଗି ଜୀବନବ୍ୟାପି ଉତ୍ସର୍ଗୀକୃତ ଆଉ ଜଣେ କିମ୍ବଦନ୍ତୀ ଓଡ଼ିଆ ତଥା ସ୍ୱଛ, ଶାନ୍ତ ଆଉ ସରଳଭାବର ବ୍ୟକ୍ତିତ୍ୱ ହେଉଛନ୍ତି ଶାନ୍ତି ଦେବୀ। ୧୯୩୪ ଏପ୍ରିଲ ୧୮ତାରିଖରେ ଏକ ଏକ ଜମିଦାର ପରିବାରରେ ଜନ୍ମିତ ଶାନ୍ତି ଦେବୀ ‘ସେବା ସମାଜ’ ନାଁରେ ଏକ ସଂସ୍ଥା ଗଠନ କରିବା ସହ ଗୁଣୁପୁରରେ ଏକ ଆଶ୍ରମ କରି ସେଠାରେ ଅନାଥ ଶିଶୁଙ୍କୁ ରହିବା ଓ ଶିକ୍ଷା ଯୋଗାଇ ଆସୁଛନ୍ତି। ପୂର୍ବରୁ ସେ କୋରାପୁଟରେ ଏକ ଛୋଟିଆ ଆଶ୍ରମ କରିଥିଲେ। ସମୟକ୍ରମେ ସେ ତାଙ୍କ ସ୍ୱାମୀ ଡାକ୍ତର ରତନ ଦାସଙ୍କ ସହ ଚାଲିଆସିଥିଲେ କୋରାପୁଟ ଜିଲ୍ଲାକୁ। ସେଠାରେ ଏକ ଆଶ୍ରମ କରି ଦୂରାରୋଗର ଶିକାର ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କରୁଥିଲେ। ବିନୋବା ଭାବେଙ୍କ ସହ ମିଶି ଭୂମିହୀନଙ୍କୁ ସହାୟତା କରୁଥିଲେ। ଆଦିବାସୀ ଝିଅଙ୍କ ପାଇଁ ରାୟଗଡ଼ାରେ ଆଶ୍ରମ ପ୍ରତିଷ୍ଠା କରି ନିଜ ପ୍ରଚେଷ୍ଟାରେ ଶିକ୍ଷା ଓ ସଂସ୍କାର ସହ ସମାଜରେ ପ୍ରତିଷ୍ଠା ଲାଗି ଉଦ୍ୟମ କରିଥିଲେ। ଅନାଥ ପିଲାଙ୍କ ପାଇଁ ବି ସେ ପାଲଟିଯାଇଥିଲେ ମା’। ଆଜି ସେହି ଉତ୍ସର୍ଗୀକୃତ ସେବାକୁ ମିଳିଛି ସମ୍ମାନ। ଅପରପକ୍ଷରେ ଯାଜପୁର ଜିଲ୍ଲା ସୁକିନ୍ଦା କନ୍ତିରା ଗାଁ ଚାଟଶାଳୀର ନନ୍ଦ ମାଷ୍ଟ୍ରେ ଓରଫ୍ ନନ୍ଦ କିଶୋର ପୃଷ୍ଟି। ବୟସରେ ଶତକ ମାରିସାରିଲେଣି। ୧୦୩ ବର୍ଷ ବୟସରେ ବି ପିଲାମାନଙ୍କୁ ଗଛମୂଳେ ପାଠ ପଢ଼ାଇବାକୁ ଭୁଲନ୍ତି ନାହିଁ। ତେବେ ବଡ଼ କଥା ହେଉଛି ନିଜର ଏହି ମହତ କାମ ବା ଶିକ୍ଷାଦାନ ପାଇଁ ସେ କେବେ ବି କାହାଠୁ ପାରିଶ୍ରମିକ ନେଇନାହାନ୍ତି। ତିନି ପିଢ଼ି ଧରି ପାଠ ପଢ଼ାଇ ଆସୁଥିବା ନନ୍ଦ ସାରଙ୍କ ଚାଟଶାଳୀକୁ ଏବେ ପୂରିଛି ୭୫ ବର୍ଷ। ଆଜି ବି ପୂର୍ବଭଳି ଗାଁ ଦାଣ୍ଡରେ ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀରେ ପ୍ରବଳ ଭିଡ଼ ଜମେ। ଯେଉଁଠି ଆଜି ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ।

ଜାଣନ୍ତୁ ଡାଇବେଟିସର କାରଣ ଓ ତାର ପ୍ରତିକାର ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –‘ଡାଇବେଟିସ’ ଯାହାକୁ ସାଧାରଣ ଭାବେ ମଧୁମେହ ରୋଗ ବି କୁହାଯାଇଥାଏ । ଡାଇବେଟିସ ବହୁତ ଘାତକ ହୋଇଥାଏ। ଡାଇବେଟିସ ମଣିଷ ଶରୀରର ସବୁ ଅଙ୍ଗକୁ ଧୀରେ ଧୀରେ ନଷ୍ଟ କରିବାର କ୍ଷମତା ଥାଏ । ଏହି ରୋଗରେ ରକ୍ତରେ ସୁଗାରର ମାତ୍ର ବଢିବାକୁ ଲାଗେ। ଫଳରେ ଶରୀରର ଅଙ୍ଗକୁ କାମ କରିବାରେ ଅସୁବିଧା ହୋଇଥାଏ । ଭାରତରେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ତେବେ ଏହି ରୋଗର କାରଣ କ’ଣ ଏବଂ ପ୍ରତିକାର କ’ଣ ରହିଛି ଆସନ୍ତୁ ଜାଣିବା ।

ଡାଇବେଟିସର ଲକ୍ଷଣ- ଡାଇବେଟିସ ହେଲେ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରା ଲାଗିଥାଏ। ଏଥିସହ ଅଧିକ ଭକୋ ଲାଗିବା, ଦୁର୍ବଳ ଲାଗିବା ଏବଂ ଦେହହାତ କୁଣ୍ଡେଇ ହେବା ଆଦି ଡାଇବେଟିସର ଲକ୍ଷଣ। ଯଦି ଏମିତି ଲକ୍ଷଣ ଆପଣଙ୍କର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେଇ ଡାଇବେଟିସ ଚେକ୍ କରିବା ଉଚିତ।ପ୍ରତିକାର- ଡାଇବେଟିସ ନ ହେବା ପାଇଁ ୪ଟି ମୁଖ ପ୍ରତିକାର ରହିଛି। ପ୍ରଥମିଟି ହେଲା ସଠିକ ଟାଇମ ବା ନିୟମତି ଅନୁସାରା ଖାଇବା ଉଚିତ। ଦ୍ୱିତୀୟଟି ବହୁ ପରିମାଣରେ ବାହାରର ଖାଦ୍ୟ ଯେପରିକି ଫାଷ୍ଟଫୁଡ, ଜଙ୍କଫୁଡ ଠାରୁ ଦୂରେଇ ରହିବା ଉଚିତ। ତୃତୀୟଟି ନିୟମିତ ଭାବ ଦିନକୁ ଅତିକମରେ ୩୦ ମିନିଟ୍ ଯାଏଁ ଚାଲିବା ଉଚିତ। ଚତୁର୍ଥଟି ହେଲା ମାନସିକ ଚିନ୍ତାଠାରୁ ଦୂରେଇ ରହିବା। ସନ୍ତୁଳିତ ଖାଦ୍ୟ ଏବଂ ନିୟମିତ ବ୍ୟାୟମ ଡାଇବେଟିସ ଠାରୁ ବ୍ୟକ୍ତିଙ୍କୁ ଦୂରେଇ ରଖିବାରେ ସହାୟକ ହେବ। ଯଦି ଜଣେ ବ୍ୟକ୍ତିଙ୍କୁ ହଠାତ ଡାଇବେଟିସ ହୋଇଛି ବୋଲି ଜଣାପଡେ ତେବେ ତୁରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଡାକ୍ତର ଚେକଅପ ପରେ ହିଁ ଖାଦ୍ୟ ଏବଂ ବ୍ୟାୟାମ କରିବା ଉଚିତ।