ଇଂଜିନିୟର ଇନ୍ ଚିଫଙ୍କୁ ନିର୍ଦ୍ଦେଶ; ‘କାହିଁକି କଟକଣା ? ୭ ଦିନରେ ଉତ୍ତର ଦିଅ’ ….!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସ୍‌ରେ କାର୍ଯ୍ୟରତ ମହିଳା ଅଧିକାରୀ ଓ କର୍ମଚାରୀମାନେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହାପରେ ଗତକାଲି ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ପାରୁଲ ପଟଓ୍ୱାରି ନିର୍ମାଣ ସୌଧକୁ ଯାଇ ତନାଘନା କରିଥିଲେ। ଏଥିସହ ମହିଳା କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ପରେ  ଇଂଜିନିୟର ଇନ୍ ଚିଫ୍‌(EIC) ଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ୭ ଦିନ ଭିତରେ ଲିଖିତ ଉତ୍ତର ଦେବାକୁ ପୂର୍ତ୍ତ ବିଭାଗ ତରଫରୁ ଇଂଜିନିୟର ଇନ୍ ଚିଫ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ମହିଳା କର୍ମଚାରୀଙ୍କ ପ୍ରତି କାହିଁକି ସମୟ କଟକଣା କରାଯାଇଛି, ତାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସୁପ୍ରିମକୋର୍ଟଙ୍କ ବିଶାଖା ଗାଇଡଲାଇନ୍ ଅନୁସାରେ କାମ କରିବାକୁ କୁହାଯାଇଛି । ଅପରପକ୍ଷେ, ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କହିଛନ୍ତି।  ତେବେ ଏହି ନିର୍ଦ୍ଦେଶାନାମାକୁ ନେଇ ପ୍ରଶ୍ନ ଉଠିବାକୁ ଲାଗିଥିବା ବେଳେ  କେତେକ ମହିଳା ସ୍ୱେଚ୍ଛାସେବୀ ଏଭଳି ନିର୍ଦ୍ଦେଶକୁ ତୀବ୍ର ସମାଲୋଚନା କରିଛନ୍ତି।

ମହିଳା ସ୍ୱେଚ୍ଛାସେବୀଙ୍କ ମତରେ ଏବେ ବି ମହିଳାଙ୍କ ପ୍ରତି ଅନେକଙ୍କ ମାନସିକତାରେ ପରିବର୍ତ୍ତନ ଆସି ନାହିଁ। ଆଜି ବି ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖା ଯାଉଛି। ଏଭଳି ନିର୍ଦ୍ଦେଶନାମା ତାର ପ୍ରତିଫଳନ ବୋଲି ସେମାନେ ମତ ରଖିଛନ୍ତି। ରାଜ୍ୟର ସରକାରୀ ବ୍ୟବସ୍ଥାରେ ମହିଳାମାନେ ପୁରୁଷଙ୍କ ସହ ସମକକ୍ଷ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏଭଳି ଅଜବ ନିର୍ଦ୍ଦେଶନାମାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି। ଅପରାହ୍ଣ ସାଢ଼େ ୫ଟା ପରେ ମହିଳାଙ୍କ ପାଇଁ ଇଞ୍ଜିନିୟର-ଇନ୍-ଚିଫଙ୍କ କାର୍ଯ୍ୟାଳୟ କଣ ଅସୁରକ୍ଷିତ କି  ବୋଲି ଏବେ ପ୍ରଶ୍ନ ଉଠୁଛି। ନା ମହିଳାମାନେ ଅଫିସ୍ କାମ ସାରି ବିଳମ୍ବରେ ଘରେ ପହଞ୍ଚିବା ବେଳେ ଅସୁରକ୍ଷିତ ମନେ କରୁଥିବାରୁ ଏଭଳି ନିର୍ଦ୍ଦେଶଦିଆଯାଇଛି । ନା ୟା ପଛରେ ମହିଳା କର୍ମଚାରୀମାନେ ବିଳମ୍ବିତ ଅବଧି ଯାଏଁ ଉପସ୍ଥିତ ରହିଲେ ଅଫିସରେ କୌଣସି ଗୁପ୍ତ କାର୍ଯ୍ୟ ସମ୍ପର୍କରେ ଗୁମର ଖୋଲିଯିବାର ଚିନ୍ତା ରହିଛି, ତାହା ଜଣାପଡ଼ିନି।

ରାଜ୍ୟରେ ସହଜ ହେବ ପୁଞ୍ଜିନିବେଶ: ଏଣିକି ସମୟ ଗଡ଼ିଗଲେ, ପ୍ରକଳ୍ପକୁ ମିଳିବ ଡିମ୍‌ଡ ଆପ୍ରୁଭାଲ୍‌ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଞ୍ଜିନିବେଶ ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୨୦୨୦ ମସିହାରେ ମାନ୍ୟତା ମିଳିବା ପରେ ରାଜ୍ୟ ସରକାର ନିଜର ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ସରଳ କରିଛନ୍ତି। ସୂଚନା ଓ ପ୍ରଯୁକ୍ତିବିଦ୍ୟା କୌଶଳ ପ୍ରୟୋଗ କରି ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାକୁ ଅଧିକ ସମନ୍ୱିତ ଓ ସଂଯୋଜିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଏଣକି ପୁଞ୍ଜିନିବେଶକାରୀଙ୍କ ଦରଖାସ୍ତଗ୍ରହଣଠୁ ଆରମ୍ଭ କରି ସମସ୍ତ ସେବା ଯୋଗାଣ, ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକୁ ଏହି ପୋର୍ଟାଲ ସହ ସଂଯୋଗ କରାଯିବ। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହି ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ଜିଲ୍ଲାସ୍ତରୀୟ ସିଙ୍ଗଲୱିଣ୍ଡୋ ବ୍ୟବସ୍ତାକୁ ଅଧିକ କ୍ରିୟାଶୀଳ ଓ ପୋଷାଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଜିଲ୍ଲାପାଳମାନଙ୍କ ଭୂମିକା ମଧ୍ୟ ଅଧିକ ସମ୍ପ୍ରସାରିତ ଓ ବ୍ୟାପକ କରାଯିବ। ପୁଞ୍ଜିନିବେଶକାରୀ ବଡ଼ ବଡ଼ ଶିଳ୍ପ ସଂସ୍ଥା, ଏମଏସଏମଇ ଉଦ୍ୟୋଗପତିମାନଙ୍କୁ ଯେପରି କୌଣସି ପ୍ରମାଣପତ୍ର ବା ଅନୁମୋଦନ ପାଇଁ କୌଣସି ସରକାରୀ ଅଫିସକୁ ଦୌଡ଼ିବାକୁ ନପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବିଭାଗ ଯଦି ଅନୁମତି ବା ଅନୁମୋଦନ ନଦେଲେ ତା’ହେଲେ ଏହି ଉନ୍ନୀତ ପୋର୍ଟାଲରେ ଏକ ‘ଡିମଡ ଆପ୍ରୁଭାଲ’ ବ୍ୟବସ୍ଥା ରହିବ। ସମୟସୀମା ଅତିକ୍ରମ କରିବା ପରେ ପୋର୍ଟାଲ ଏହି ସ୍ୱଂୟକ୍ରିୟ ଅନୁମୋଦନକୁ ସମ୍ପୃକ୍ତ ଆବେଦନକାରୀଙ୍କୁ ପଠାଇ ଦେବ। ସୂଚନାଯୋଗ୍ୟ, ଓଡ଼ିଶା ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାର ‘ଗୋ-ସ୍ପିଫ୍ଟ ପୋର୍ଟାଲ’ ୨୦୨୦ ମସିହା ପାଇଁ ଜାତୀୟସ୍ତରରେ ଇ-ଗଭର୍ଣ୍ଣାନ୍ସ ଆୱାର୍ଡ ପାଇଛି। ସିଙ୍ଗଲୱିଣ୍ଡୋର ଉନ୍ନୀତ ସଂସ୍କରଣ ରାଜ୍ୟରେ ବ୍ୟବସାୟ ଅନୁକୂଳ ବାତାବରଣକୁ ଅଧିକ ଫଳପ୍ରଦ କରିବ ବୋଲି ସମୀକ୍ଷା ବୈଠକରେ ଜଣାପଡ଼ିଛି। ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ପୋର୍ଟାଲର ପ୍ରସ୍ତୁତି ଓ ପରୀକ୍ଷା ସାରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ବିଭାଗ ନିଜର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ମନୋନୀତ କରିବେ ଓ ସେମାନେ ଇପିକଲ ସହ ମିଶି ପୋର୍ଟାଲ ପ୍ରସ୍ତୁତିରେ ସହଯୋଗ କରିବେ।

ପଦାରେ ପଡ଼ିଲା ମହିଳା ବିଜେଡି ବିବାଦ, ହ୍ୱାଟ୍ସଆପ୍‌ ଗ୍ରୁପରେ ଚାଲିଛି ଲଢ଼େଇ ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେଡି ନେତ୍ରୀ ତଥା ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ସୋସିଆଲ ମିଡିଆରେ କଡ଼ା ଭାଷାରେ ଦଳର ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ର ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି। ଯାହା ଏବେ ମହିଳା ବିଜେଡିରେ ଥିବା ଫାଟକୁ ପଦାରେ ପକାଇଛି। ଗତ ଦୁଇ ସପ୍ତାହ ପୂର୍ବରୁ ବନ୍ଧୁମିଳନ ଆଳରେ ମହିଳା ବିଜେଡିର ଗୋଟିଏ ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନ କରିଥିବାବେଳେ ଏବେ ସୁଲୋଚନାଙ୍କୁ ଦଳର ବିଭିନ୍ନ ହ୍ୱାଟସଅପ୍ ଗ୍ରୁପରେ କସ୍ତୁରୀ ମହାପାତ୍ର ସମାଲୋଚନା କରିବାକୁ ନେଇ ଛକାପଞ୍ଝା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ଦଳର ବିଭିନ୍ନ ହ୍ୱାଟସଅପ୍ ଗ୍ରୁପରେ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓକୁ ଶେୟାର କରି ବର୍ତ୍ତମାନର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଶ୍ରୀମତୀ ମହାପାତ୍ର ଏକ ଭିଡିଓ ଶେୟାର କରି ଶ୍ରୀମତୀ ଦାସଙ୍କୁ ସିଧାସଳଖ କଟାକ୍ଷ କରି କହିଛନ୍ତି ଯେ, “ଆମ ଦଳର ଜଣେ ବ୍ୟକ୍ତି ଯେକି ଦାୟିତ୍ୱସମ୍ପନ୍ନ ଉଚ୍ଚପଦବୀରେ ଅଧିଷ୍ଠିତ ଅଛନ୍ତି, ତାଙ୍କର ଏଭଳି ଆଚରଣ ଅସହନୀୟ। କଦାପି ଗ୍ରହଣୀୟ ନୁହେଁ।” ଏହି ଭିଡିଓରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଶ୍ରୀମତୀ ଦାସ, ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଗଣମାଧ୍ୟମ ଆଗରେ ବର୍ଣ୍ଣନା କରୁଥିବାର ଦୃଶ୍ୟ ରହିଛି । ସେଥିରେ ଶ୍ରୀମତୀ ଦାସ କହିଛନ୍ତି ଯେ, “ଯେତେବେଳେ ସଚିବାଳୟ ଭିତରକୁ ସାଧାରଣ ଲୋକ ପ୍ରବେଶ କରିପାରୁନି, ଭିନ୍ନକ୍ଷମ ଭାଇଭଉଣୀମାନେ କିଭଳି ଯାଇପାରିବେ। କାହିଁକି ବିଭାଗର କାର୍ଯ୍ୟାଳୟକୁ ଭିନ୍ନକ୍ଷମ କମିଶନ ଅଫିସ ପାଖରୁ ଉଠାଇ ସଚିବାଳୟ ଭିତରକୁ ଅଣାଗଲା। କମିଶନ ଏନେଇ ବିଭାଗକୁ କାରଣଦର୍ଶଆ ନୋଟିସ୍ ବି ଜାରି କରିଛନ୍ତି। ବିଭାଗୀୟ ଅର୍ଥର ଦୁରୂପଯୋଗ ବି ହେଉଛି। କମିଶନଙ୍କ ପାଖରେ ଅଭିଯୋଗ ହେଲେ ସିନା କିଛି କରାଯିବ। ନହେଲେ କମିଶନ ଜାଣିବେ କେମିତି ବୋଲି ଶ୍ରୀମତୀ ଦାସ ଉକ୍ତ ଭିଡିଓରେ କହୁଥିବାର ଦେଖିବାକୁ ମିଳିଛି।” ଅବଶ୍ୟ ଶ୍ରୀମତୀ ଦାସ ଯାହା କିଛି ଭୁଲ୍ କହିନାହାନ୍ତି। ସରକାରଙ୍କ କାର୍ଯ୍ୟର ଗୁମର ଖୋଲିଛନ୍ତି। ସୂଚନା ଅନୁସାରେ, ମାତ୍ର ଶାସକ ଦଳରେ ଥାଇ ସେ ଯେଉଁ ଢଙ୍ଗରେ ରୋକଠୋକ୍ ଭାବେ ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛନ୍ତି ତାକୁ ଦଳ ସହଜରେ ହଜମ କରିପାରିନି ଓ କସ୍ତୁରୀ ମହାପାତ୍ର ମାଧ୍ୟମରେ ଦଳର ସୋସିଆଲ ମିଡିଆ ଗ୍ରୁପରେ ଶ୍ରୀମତୀ ଦାସଙ୍କ ବିରୁଦ୍ଧରେ ଯୁଦ୍ଧଦେହଂ ଡାକରା ଦେଇଛନ୍ତି। ଚର୍ଚ୍ଚା ହେଉଛି, ମହିଳା ବିଜେଡିରେ ଛକାପଞ୍ଝା ଚାଲିଥିବା ଯୋଗୁ ଡିସେମ୍ବର ମାସରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମହିଳା ୱିଙ୍ଗ ସଭାନେତ୍ରୀ ଘୋଷଣା କରାଯାଇଥିଲା। କିନ୍ତୁ ଦଳର ଅନ୍ୟ ଏକ ମହିଳା ଗୋଷ୍ଠୀ ବନ୍ଧୁମିଳନ ଆଳରେ ରାଜଧାନୀର ଏକ ହୋଟେଲରେ ଶକ୍ତି ପ୍ରଦର୍ଶନ କରିବା ଓ ସେଠାରେ ନେତ୍ରୀମାନଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ ପାଇଁ ପ୍ରତିଶ୍ରୁତି ଦିଆଯିବା ଯୋଗୁ ଶ୍ରୀମତୀ ଛୁରିଆ ଏପର୍ଯ୍ୟନ୍ତ ନିଜର ଟିମ୍ ଘୋଷଣା କରିବାରେ ସକ୍ଷମ ହୋଇପାରିନାହାନ୍ତି। ଅବଶ୍ୟ ଏହି ବନ୍ଧୁମିଳନରୁ ସ୍ନେହାଙ୍ଗିନୀଙ୍କ ସମର୍ଥକମାନେ ଦୂରେଇ ରହିଥିଲେ। ସ୍ନେହାଙ୍ଗିନୀ ତାଙ୍କ ଟିମ୍ କେବେ ଘୋଷଣା କରିବେ ତାହା ବି ସନ୍ଦେହଘେରରେ। ତେଣୁ ବିଜେଡି ମହିଳା ୱିଙ୍ଗରେ ଚାଲିଥିବା ଏହି ଛକାପଞ୍ଝା ଭିତରେ କସ୍ତୁରୀ ସିଧାସଳଖ ଦଳର ପୂର୍ବତନ କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ତଥା ବର୍ତ୍ତମାନର ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କୁ ସମାଲୋଚନା କରିବା ମହିଳା ବିଜେଡିରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ତୀବ୍ରତର କରାଇଛି।

‘କୋଷ୍ଟାଲ ହାଇୱେକୁ ଅଟକାଇଛନ୍ତି ରାଜ୍ୟ ସରକାର, ବିଭ୍ରାନ୍ତ କରୁଛନ୍ତି’ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ନିଜେ ବିଭ୍ରାନ୍ତି କରୁଛନ୍ତି। ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପ କାମକୁ ନିଜେ ରାଜ୍ୟ ସରକାର ଅଟକାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ପୂର୍ବ ନକସା ଅନୁସାରେ କୋଷ୍ଟାଲ ହାଇୱେ କାମ ହେବ। ଓଡ଼ିଶାର ବିକାଶ ପାଇଁ ସମ୍ଭାବନାକୁ ନେଇ ଉପଜୁଥିବା ସମସ୍ୟା ଓ ତାହାର ସମାଧାନ ପାଇଁ ବିଜେପି ବଦ୍ଧପରିକର ବୋଲି ସେ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ରହିଥିବା କୋଷ୍ଟାଲ ହାଇୱେ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ୍ ପ୍ରୋଜେକ୍ଟ । ତେବେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଦ୍ୱାରା ଏହି ପ୍ରକଳ୍ପ ଉପରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ଏବଂ ଏ ସମ୍ବନ୍ଧରେ ସେ ଗଣମାଧ୍ୟମକୁ ଏକପାଖିଆ ମନ୍ତବ୍ୟ ଦେଇ ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତି କରିଛନ୍ତି। ଶ୍ରୀ ଦାସବର୍ମା ତଥ୍ୟ ଆଧାରିତ କଥା ନକହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ତଥ୍ୟ ରଖିବା ପୂର୍ବରୁ ସଞ୍ଜୟ ଦାସବର୍ମା ପ୍ରଥମେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ବିଷୟରେ ସବିଶେଷ ଜାଣିବାର ଆବଶ୍ୟକତା ରହିଛି। ଗତ ଦୁଇ ଦିନ ପୂର୍ବରୁ ତଥା ଜାନୁୟାରୀ ୨୭ରେ ଶ୍ରୀ ବର୍ମା କୋଷ୍ଟାଲ ହାଇୱେର ଆଲାଇନମେଂଟ୍ ପରିବର୍ତ୍ତନ ବିଷୟରେ ଜନସାଧାରଣ ସମ୍ମୁଖରେ ଦୁଇଟି ବିବରଣୀ ରଖିଥିଲେ। ପ୍ରଥମ ବିବରଣୀରେ ସେ କହିଥିଲେ ଯେ, ପୂର୍ବରୁ ଅନୁମୋଦିତ ହୋଇଥିବା ୪୪୦ କିମି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର କୋଷ୍ଟାଲ ହାଇୱେକୁ ୧୭୭ କିଲୋମିଟରକୁ କମାଇ ଦିଆଯାଇଛି। ତେବେ ବାସ୍ତବ କଥା ହେଉଛି ଶ୍ରୀ ବର୍ମାଙ୍କୁ କୋଷ୍ଟାଲ ହାଇୱେ ବିଷୟରେ କୌଣସି ଧାରଣା ନାହିଁ। ସେ କେବଳ କୋଷ୍ଟାଲ ହାଇୱେର ଏକପାଖିଆ ଯଥା ୧୭୭ କିମି ୧୪୯ ମିଟର ଲମ୍ବ ଟାଙ୍ଗୀରୁ ରତନପୁର ଭାୟା ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ – ଅସ୍ତରଙ୍ଗ – ନାଉଗାଁ- ପାରାଦୀପ ବନ୍ଦର – ରତନପୁର ଉପରେ କହିଥିଲେ। ଯାହାକୁ ଗତବର୍ଷ ନଭେମ୍ବର ୧୦ ତାରିଖରେ ଅନୁମୋଦନ ମିଳିଥିଲା। ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପର କାମକୁ ଅଟକାଇ ରଖିଛନ୍ତି। ଶ୍ରୀ ଦାସବର୍ମା ପ୍ରକଳ୍ପର ଦ୍ୱିତୀୟ ଭାଗକୁ ହିସାବ କରୁନାହାନ୍ତି। ଯଥା ଗତବର୍ଷ ଡ଼ିସେମ୍ବର ୧୫ତାରିଖରେ ଧାମରା, ବାସୁଦେବପୁର ବ୍ୟତୀତ ୧୭୦.୭୭ କିମି ଲମ୍ବର ରତନପୁରରୁ ଦୀଘା କୋଷ୍ଟାଲ ହାଇୱେ ପାଇଁ ପରିବେଶ ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି । ସେହିପରି ୩୫ କିମି ଲମ୍ବ ଧାମରାରୁ ବାସୁଦେବପୁରର କାର୍ଯ୍ୟ ଏନଏଚଏଆଇ ଦ୍ୱାରା ଜାମ୍ମୁଝାଡ଼ି – ଧାମରା ବନ୍ଦର ସଂଯୋଗ ସ୍ଥାପନ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ କରାଯାଉଥିଲା। ପ୍ରଥମ ପର୍ଯ୍ୟାୟରେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର ପ୍ରକଳ୍ପକୁ ଏବେ ୩୮୨.୮୪୯ କିମି ଲମ୍ବର କୋଷ୍ଟାଲ ହାଇୱେ ପାଇଁ ଅନୁମୋଦନ ଦିଆଯାଇଛି। ସେହିପରି ରାଜ୍ୟ ସରକାର ଗୋପାଳପୁରରୁ ସାତପଡ଼ାର ରାସ୍ତାକୁ ସହମତି ଦେଇନଥିବା ଯୋଗୁଁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ ଅସ୍ତରଙ୍ଗ-ନାଉଗାଁ– ପାରାଦୀପ ବନ୍ଦର-ରତନପୁର-ଧାମରା-ଦୀଘାକୁ ସଂଯୋଗ କରିବା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ବିଜେପି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସୁରଥ ବିଶ୍ୱାଳ, ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ।

ଓଡ଼ିଶାରେ ଚାଲିଛି ୬୨ ହଜାର କୋଟିର ୩୯ଟି ରେଳ ପ୍ରକଳ୍ପ, ପୁଣି ମାଗିଲେ ୩୭୦୦ କୋଟିର ନୂଆ ପ୍ରକଳ୍ପ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଉ ଦୁଇଦିନ ପରେ ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍ ଆଗତ ହେବାର ଥିବାବେଳେ ଓଡ଼ିଶା ସରକାର ୩୭୦୦କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପ ସମେତ ମୋଟ୍ ୭୨୦୦କୋଟି ଟଙ୍କା ଅର୍ଥବରାଦ ନିମନ୍ତେ ଦାବି କରିଛନ୍ତି। ତେବେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ୩୯ଟି ରେଳବାଇ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୬୧,୯୪୯କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ଯାହାକି ଏବେ ଯୋଜନା-ଅନୁମୋଦନ ଓ କାର୍ଯ୍ୟକାରୀ ପର୍ଯ୍ୟାୟରେ ରହିଥିବା ଜଣାପଡ଼ିଛି। ଓଡ଼ିଶାରେ ରେଳବାଇ ବିକାଶ ନିମନ୍ତେ କେନ୍ଦ୍ର ସରକାର ପ୍ରତିବର୍ଷ ବ୍ୟାପକ ଅର୍ଥ ଦେଉଥିଲେ ମଧ୍ୟ ଜମି ଅଧିଗ୍ରହଣ ସମେତ ବିଭିନ୍ନ କାରଣରୁ ଗତ ୩ବର୍ଷ ଧରି ମଞ୍ଜୁରୀ ଲାଭ କରିଥିବା ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ କାର୍ଯ୍ୟ ଆରମ୍ଭ ହୋଇପାରିନି ଓ ୧୯୯୪-୯୫ ମସିହାରୁ ମଞ୍ଜୁରୀପ୍ରାପ୍ତ ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳମାର୍ଗ ଏବେବି ୧୦୦କିମି ପୂରଣ କରିପାରିନି। ତା’ଛଡ଼ା ଦେବଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଏବେବି ରେଳ ନେଟୱାର୍କରେ ସାମିଲ ହୋଇପାରିନି। ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପ ନିମନ୍ତେ ୩୫୦୦କୋଟି ଟଙ୍କା ଦେବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ୩୭୦୦କୋଟି ଟଙ୍କାର ନୂଆ ପ୍ରକଳ୍ପ ନିମନ୍ତେ ବ୍ୟୟବରାଦ ପାଇଁ ଦାବି କରିଛନ୍ତି। ଏଥିରେ ନୂଆପଡ଼ା-ଗୁଣୁପୁର ରେଳଲାଇନକୁ ଥେରୁଭାଲି ପର୍ଯ୍ୟନ୍ତ(୭୯କିମି) ସମ୍ପ୍ରସାରଣ ପାଇଁ ୩୦୦କୋଟି, ପୁରୀ-କୋଣାର୍କ ରେଳ ଲାଇନ(୩୮କିମି) ପାଇଁ ୧୦୦କୋଟି ଟଙ୍କା, ବାଂଶପାଣି-ବଡ଼ବିଲ(୧୮କିମି) ପାଇଁ ୫୦କୋଟି, କେନ୍ଦୁଝର ରୋଡ-ଧାମରା ବନ୍ଦର ଭାୟା ଯାଜପୁର/ଆରଡି(୯୫କିମି) ପାଇଁ ୧୦୦କୋଟି ଟଙ୍କା, ତାଳଚେର-ଗୋପାଳପୁର ରେଳ ମାର୍ଗ(୨୪୫କିମି) ପାଇଁ ୩୦୦କୋଟି, ପାରାଦୀପ-ଧାମରା ରେଳମାର୍ଗ(୮୦କିମି)କୁ ୫୦କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରେଳଲାଇନ୍ ନିମନ୍ତେ ୧୦୦କୋଟି, ଖୋର୍ଦ୍ଧା-ବଲାଙ୍ଗିର ଏନବିଜି ରେଳ ଲାଇନ-ହଜାରେ କୋଟି ଟଙ୍କା, ତାଳଚେର-ବିମଳାଗଡ଼(୧୫୪କିମି) ପାଇଁ ୮୦୦କୋଟି ଟଙ୍କା, ଜଳେଶ୍ୱର-ଦୀଘା(୪୧କିମି) ପାଇଁ ୨୦୦କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮କିମି) ପାଇଁ ୩୦୦କୋଟି ଟଙ୍କା, ଜୟପୁର-ମାଲକାନଗିର (୧୩୦କିମି) ପାଇଁ ୪୦୦କୋଟି ଟଙ୍କାର ପାଣ୍ଠି ୨୦୨୧-୨୨ ଆର୍ଥିକ ବଜେଟରେ ବ୍ୟୟବରାଦ ନିମନ୍ତେ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି ଯେ, ଭାରତୀୟ ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୨୦ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିବାବେଳେ ଓଡ଼ିଶାରେ ରେଳବାଇ ସାନ୍ଧ୍ରତା (୧୫.୦) ରହିଛି। ଯାହାକି ଜାତୀୟ ହାର(୧୯.୦) ତୁଳନାରେ ଖୁବ କମ୍। ରାଜ୍ୟରେ ରେଳବାଇ ଭିତ୍ତିଭୂମି ବିକାଶକୁ ଗତିଶୀଳ କରିବା ନିମନ୍ତେ ଓଡ଼ିଶା ସରକାର ଯୌଥ ଉଦ୍ୟୋଗ/ଏସପିଭି ମାଧ୍ୟମରେ ମନ୍ତ୍ରଣାଳୟ ସହ ମିଶି ମାଗଣା ଜମି ଓ ଖର୍ଚ୍ଚରେ ସହଯୋଗ କରି ନୂଆ ରେଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛି। ତେବେ କେନ୍ଦ୍ର ସରକାର ୨୦୧୮-୧୯ରୁ ଜୟପୁର ନବରଙ୍ଗପୁର ନୂଆ ରେଳମାର୍ଗ ପାଇଁ ୫.୪୦କୋଟି, ୨୦୧୯-୨୦ରେ ୧୦କୋଟି ଏବଂ ଜୟପୁର-ମାଲକାନଗିରି ନୂଆ ରେଳଲାଇନ ପାଇଁ ୨୦୧୮-୧୯ରେ ୦.୨୮କୋଟି ଓ ୨୦୧୯-୨୦ରେ ୭୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଦୁଇଟି ଯାଜ ପ୍ରକଳ୍ପ ନିମନ୍ତେ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆରମ୍ଭ କରିନଥିବା ରାଜ୍ୟ ସରକାର ଏବେ ବଜେଟକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି। ସେହିପରି ବହୁଚର୍ଚ୍ଚିତ ୨୮୯କିମିର ଖୋର୍ଦ୍ଧ-ବଲାଙ୍ଗିର ରେଳମାର୍ଗକୁ କେନ୍ଦ୍ର ସରକାର ୩୭୯୮.୮୦କୋଟି ଟଙ୍କା ପ୍ରକଳ୍ପ ଅର୍ଥକୁ ୧୯୯୪-୯୫ ମସିହାରୁ ଅନୁମୋଦନ ଦେଇଛନ୍ତି। ୨୫ବର୍ଷ ପରେ ମଧ୍ୟ ଏହି ମାର୍ଗରେ ମାତ୍ର ୧୦୫୭କୋଟି ଟଙ୍କା ଖର୍ଚ୍ଚରେ ଦୁଇଟି ପର୍ଯ୍ୟାୟରେ ମାତ୍ର ୮୦କିମି ମାର୍ଗ କାର୍ଯ୍ୟ ସମ୍ଭବପର ହୋଇପାରିଛି । ଯଦିଓ ଏହି ମାର୍ଗ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଅର୍ଥ ମଞ୍ଜୁର କରିଚାଲିଛନ୍ତି ଓ ଜମି ଅଧିଗ୍ରହଣ,ପରିବେଶ ମଞ୍ଜୁରୀ ଆଦି ପାଇଁ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଛି। ରେଳବାଇ ମନ୍ତ୍ରଣାଳର ସୂଚନା ଅନୁସାରେ, ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ୬୧,୯୪୯କୋଟି ଟଙ୍କାର ୪୮୭୭କିମି ଲମ୍ବ ବିଶିଷ୍ଟ ୩୯ଟି ରେଳବାଇ ପ୍ରକଳ୍ପ କାର୍ଯ୍ୟ ଏବେ ପୂର୍ଣ୍ଣ ଅବା ଆଂଶିକ ଭାବେ ଯୋଜନା କିମ୍ବା ଅନୁମୋଦନ ଅବା କାର୍ଯ୍ୟକାରୀ ସ୍ଥିତିରେ ରହିଛି। ସେଥିରୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୯୪୭କିମି ମାର୍ଗ ପାଇଁ ୧୬୨୬୪କୋଟି ଟଙ୍କା ବ୍ୟୟ ହୋଇଛି। ୧୫୪୨କିମିର ୧୨ଟି ନୂଆ ରେଳମାର୍ଗ ପାଇଁ ୨୭୦୭୨କୋଟି ଟଙ୍କା ଅନୁମୋଦନ ହୋଇଥିବାବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ୫୦୮୯କୋଟିରେ ମାତ୍ର ୧୫୫କିମିର ରେଳମାର୍ଗ କାର୍ଯ୍ୟକ୍ଷମ ହୋଇଛି। ସେହିପରି ୩୧୭୬କିମିର ୨୬ଟି ରେଳମାର୍ଗର ଦୋହରୀକରଣ ନିମନ୍ତେ ୩୩୪୨୨କୋଟି ଟଙ୍କା ମଞ୍ଜୁରୀ ହୋଇଛି ଓ ମାର୍ଚ୍ଚ ସୁଦ୍ଧା ସେଥିରୁ ୧୦୯୯୧କୋଟି ଟଙ୍କାରେ ମାତ୍ର ୭୦୨କିମି କାର୍ଯ୍ୟକ୍ଷମ ହୋଇପାରିଛି।

ଫେବୃଆରୀ ୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଫେବୃଆରୀ ୨ ତାରିଖରୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ। ସେହିପରି ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ। କୋଭିଡ୍‌ କଟକଣା ମଧ୍ୟରେ ପ୍ରତି ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ଖୋଲା ରହିବ। ପ୍ରତ୍ୟେକ ସୋ’ରେ ସର୍ବାଧିକ ୫୦ ଜଣ ଦର୍ଶକଙ୍କୁ ଅନୁମତି ମିଳିବ। ଏନେଇ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଫିଲ୍ମହଲ୍‌, ହୋଟେଲ ଓ ପର୍ଯ୍ୟଟନ ସ୍ଥଳ ବନ୍ଦ ରହିଥିଲା। ଦୀର୍ଘ ବର୍ଷେ ପରେ ସରକାର ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଶିଳ୍ପ ଖୋଲିବା ଆରମ୍ଭ କରିଛନ୍ତି। ହୋଟେଲ, ପର୍ଯ୍ୟଟନ ଶିଳ୍ପ, ଫିଲ୍ମ ହଲ ପ୍ରମୁଖ ଖୋଲିଥିଲା। ବହୁ ବାଦ ବିବାଦ ପରେ ରାଜ୍ୟ ସରକାର ଦଶମ, ଦ୍ୱାଦଶ ଓ + ୩ ଶେଷବର୍ଷ ଶ୍ରେଣୀ ଗୁଡ଼ିକ ଖୋଲିଥିଲେ। ଏ ସବୁ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁସାରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲା ପ୍ଲାନେଟାରିୟମ ଓ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଛି। 

ଡିଜିପି ସାଉଁଟୁଛନ୍ତି ମିଛ ପ୍ରଶଂସା – ଲେଖାଶ୍ରୀ ସାମନ୍ତସିଂହାର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମିଛ ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଶା ପୁଲିସ ଡିଜି ଅଭୟ! ‘ପିହୁ’ ନିଖୋଜ ମାମଲାରେ ଆଜି ପୁଲିସକୁ ଏମିତି ଟାଗେର୍ଟ କରିଛି ବିଜେପି। ଟ୍ୱିଟ୍‌ କରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଲେଖିଛନ୍ତି, ଡିଜିପି ମିଛି ମିଛିକିଆ ପିଲା ଖୋଜି ଆଣି ଗଣମାଧ୍ୟମ ଆଗରେ ପ୍ରଶଂସା ସାଉଁଟୁ ଥିଲା ବେଳେ, ବାସ୍ତବରେ ନିଜ ନିଖୋଜ ପିଲାକୁ ଖୋଜି ଖୋଜି ‘ପିହୁ’ର ପରିବାର ରାଜ୍ୟ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଉଛନ୍ତି। ନିଖୋଜ ହୋଇଥିବା ଶିଶୁଙ୍କୁ ଉଦ୍ଧାର ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ ଶିଶୁଙ୍କୁ ଉଦ୍ଧାର ପାଇଁ ପୁଲିସ ସ୍ୱତନ୍ତ୍ର ଡ୍ରାଇଭ୍‌ କରିଥିଲା। ଜାନୁଆରୀ ୨୮ରୁ ୨୫ ତାରିଖ ପର୍ଯ୍ୟନ୍ତ ନିଖୋଜ ଶିଶୁ ଉଦ୍ଧାର ଅଭିଯାନ ଚାଲିଥିଲା। ଗତ ୮ ଦିନ ଭିତରେ ପାଖାପାଖି ୯୦୦ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରୁ ୮୦୦ ଜଣ ବାଳିକା ଓ ୯୪ ଜଣ ବାଳକ ହୋଇଥିବା ଡିଜିପି ଅଭୟ ସୂଚନା ଦେଇଥିଲେ। ଏହି ତାଲିକାରେ ଆଗରେ ରହିଥିଲା କେନ୍ଦ୍ରାପଡ଼ା। ଯେଉଁଠାରୁ ୧୨୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେହିପରି ମୟୂରଭଞ୍ଜରୁ ୧୧୧, ବାଲେଶ୍ୱରରୁ ୮୮ ଜଣ ଉଦ୍ଧାର ହୋଇଛନ୍ତି। ତେବେ ବିଭିନ୍ନ ଜିଲ୍ଲା ଏସପିଙ୍କ ଦ୍ୱାରା ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଡିଜିପି ଅଭୟ। ହେଲେ ନିଖୋଜ ହୋଇଥିବା ଶିଶୁ ପିହୁ ସମ୍ପର୍କରେ ଡିଜିପି କହିନଥିଲେ। ସୂଚନାରୁ ପ୍ରକାଶ, ଅଗଷ୍ଟ ୯ ତାରିଖରେ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା। ଏନେଇ ତା’ର ମାଆ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କେବଳ ଏକ ନିଖୋଜ ମାମଲା ରୁଜୁ କରି ଚୁପ୍‌ ହୋଇ ବସି ରହିଛି।ଏନେଇ ଥାନାଠାରୁ ଆରମ୍ଭ କରି ଏସ୍‌ପିଙ୍କ ପାଖରେ ଅଭିଯୋଗ କରି ନିରାଶ ହେଲେ ପିହୁର ବାପା-ମାଆ। ଶେଷରେ ନ୍ୟାୟ ପାଇଁ ମନ୍ତ୍ରୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି। ଏଠାରୁ ନ୍ୟାୟ ମିଳିବ ବୋଲି ସେମାନେ ଆଶା କରିଛନ୍ତି।

ସାଢ଼େ ୫ଟା’ରେ ସରିବ ଅଫିସ; ଆରମ୍ଭ ହେଲା ତନାଘନା ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ମହିଳା କର୍ମଚାରୀ ସାଢ଼େ ୫ଟା’ରେ ଅଫିସ ଛାଡ଼ିବେ। ସ୍ଥିତି ତନାଘନା ପାଇଁ ନିର୍ମାଣ ସୌଧରେ ପହଞ୍ଚିଲେ ମହିଳା ସୁରକ୍ଷା ଓ ନିରାପତ୍ତା ନୋଡାଲ ଅଧିକାରୀ ପାରୁଲ ପଟୱାରୀ। ସେ ନିର୍ମାଣ ସୌଧରେ ବିଭାଗୀୟ ମହିଳା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କୁ ରିପୋର୍ଟ ଦେବେ ପଟୱାରୀ। ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସ୍‌ରେ କାର୍ଯ୍ୟରତ ମହିଳା ଅଧିକାରୀ ଓ କର୍ମଚାରୀମାନେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହାକୁ କେତେଦୂର କାର୍ଯ୍ୟକାରୀ, ତାହାର ତଦାରଖ କରିବା ପାଇଁ ଆଜି ମହିଳା ସୁରକ୍ଷା ଓ ନିରାପତ୍ତା ନୋଡାଲ ଅଧିକାରୀ ପାରୁଲ ପଟୱାରୀ ନିର୍ମାଣ ସୌଧରେ ପହଞ୍ଚି କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। 

ସୁସ୍ଥ ରହିବାକୁ ଖାଉଛନ୍ତି କି ଅଧିକ ରୁଟି ? ଦେଖାଦେଇପାରେ ସାଂଘାତିକ ସମସ୍ୟା..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିକାଲି ପ୍ରାୟତଃ ଅଧିକାଂଶ ଲୋକ ନିଜ ମେନୁରେ ଭାତ ବଦଳରେ ରୁଟିକୁ ସାମିଲ କରୁଛନ୍ତି। ଏପରିକି କିଛି ଲୋକ ଦିନରେ ୩ ଥର ରୁଟି ଖାଇବାକୁ ପସନ୍ଦ କରୁଛନ୍ତି।  କିଏ ମୋଟାପା କମାଇବା ପାଇଁ ତ କିଏ ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ଏପରି କରୁଛନ୍ତି। କିନ୍ତୁ ଅଧିକ ରୁଟି ଖାଇବା ବି ଶରୀର ପାଇଁ ଅଧିକ କ୍ଷତିକାରକ। ଏହା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ, କିନ୍ତୁ ଏହା ବାସ୍ତବ ବୋଲି ବହୁ ଗବେଷଣାରୁ ଜଣାପଡ଼ିଛି। କିଛି ଲୋକଙ୍କ ଶରୀରରେ ଆକ୍ସଲେଟର ମାତ୍ରା ଆବଶ୍ୟକତାଠାରୁ ଅଧିକ ରହିଥାଏ। ଏପରି ଲୋକଙ୍କୁ ରୁଟିଠୁ ଦୂରେଇ ରହିବା ଉଚିତ। ଯଦି କାହା ଶରୀରରେ ଆକ୍ସଲେଟର ମାତ୍ରା ଅଧିକ ହୋଇଯାଏ, ତାହା ଗଭୀର ସଙ୍କଟ ସୃଷ୍ଟି କରେ। ବହୁ ଲୋକଙ୍କ ପାଚନ କ୍ରିୟା ଉପରେ ଏହା ପ୍ରଭାବ ପକାଇଥାଏ। ଯେଉଁମାନଙ୍କ ପାଚନ କ୍ରିୟା ଠିକ୍‌ ରହୁଛି, ସେମାନଙ୍କ ଉପରେ ଏହାର ବିଶେଷ କିଛି ପ୍ରଭାବ ପଡ଼ି ନ ପାରେ। କିନ୍ତୁ ଯେଉଁମାନଙ୍କ ପାଚନ ଟିକେ ଦୁର୍ବଳ ରହୁଛି, ବାସି ରୁଟି ଖାଇବା ଦ୍ୱାରା ସେମାନଙ୍କ ହଜମ ଶକ୍ତି ବିଗିଡ଼ିବାର ଆଶଙ୍କା ସୃଷ୍ଟି ହୋଇପାରେ। ରୁଟିରେ ଭରପୂର ମାତ୍ରାରେ କାର୍ବୋହାଇଡ୍ରେଡ ମହଜୁଦ ଥାଏ। ଆମ ଶରୀରକୁ ପ୍ରତିଦିନ ପ୍ରାୟତଃ ୨୫ ଗ୍ରାମର କାର୍ବୋହାଇଡ୍ରେଡ ଆବଶ୍ୟକ ହୋଇଥାଏ। କିନ୍ତୁ ୩ ଟାଇମ୍‌ ରୁଟି ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ୪ଶହ ଗ୍ରାମ କାର୍ବୋହାଇଡ୍ରେଡ ମିଳିଥାଏ। ଯାହାକି ଶରୀର ପାଇଁ ସାଂଘାତିକ ହୋଇଥାଏ। ଗହମ, ଜଅରେ ଗ୍ଲୋଟିନ ନାମକ ଏକ ପ୍ରୋଟିନ ଥିବା ବେଳେ ସେଥିରେ ଗ୍ଲାଇଡିନ୍‌ ନାମକ ଏକ ପ୍ରକାର ତତ୍ତ୍ୱ ରହିଛି। ଯାହାକି କିଛି ଲୋକଙ୍କ ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଏହାର ଲକ୍ଷଣ ସ୍ୱରୂପ ଶରୀରର ଉଚ୍ଚତା ତଥା ଓଜନ ନ ବଢ଼ିବା, ତ୍ୱଚା ସଂକ୍ରାନ୍ତୀୟ ରୋଗ, ଗ୍ୟାସ୍‌, ପେଟ ସମସ୍ୟା, ମାଇଗ୍ରେନ, ପେଟ ଫୁଲିବା ଆଦି ସମସ୍ୟା ଦେଖାଦେଇଥାଏ। ଏପରି ସମସ୍ୟା ଦେଖାଦେଲେ ରୁଟିରୁ ଦୂରେଇ ରହିବାକୁ ପରାମର୍ଶ ଦେଇପାରନ୍ତି ଡାକ୍ତର। ଏପରି ସ୍ଥିତିରେ ଗ୍ଲୁଟୋନଫ୍ରି  ଡାଏଟ ନିଜ ମେନୁରେ ସାମିଲ କରିପାରନ୍ତି।  ମାଣ୍ଡିଆ, ବାଜରା ଆଦିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏସବୁରୁ ପ୍ରସ୍ତୁତ ରୋଟି, ଉପମା, କ୍ଷୀର, ଇଡଲି, ଦୋସା ଏପରିକି ମିଠା ବି ପ୍ରସ୍ତୁତ କରି ଆପଣ ଖାଇପାରନ୍ତି।

ଆଜିର ରାଶିଫଳ – ୩୦ ଜାନୁଆରୀ, ଶନିବାର
  • ମେଷ: ଭାବୁଥିବା କାମ ସଂପନ୍ନ ହେବ। ପୁରୁଣା ବନ୍ଧୁଙ୍କ ସହ ଦେଖା ହେବ। ଆକସ୍ମିକ ଧନ ଖର୍ଚ୍ଚ ହେବ। ଦାମ୍ପତ୍ୟ ଜୀବନକୁ ନେଇ ଚିନ୍ତା ବଢ଼ିବ। କୌଣସି ନୂଆ କାମ ଆରମ୍ଭ ପାଇଁ ଦିନଟି ଭଲ ରହିଛି।
  • ବୃଷ: ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ନିଜ କାର୍ଯ୍ୟ ପାଇଁ ପ୍ରଂଶସିତ ହେବେ। ଆପଣଙ୍କ ବ୍ୟବହାର ଶତୃ ବୃଦ୍ଧି କରିବ। ତେଣୁ ସତର୍କ ରୁହନ୍ତୁ। ରୋଜଗାର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ।
  • ମିଥୁନ: ଆଜି ବଡ ସଫଳତା ମିଳିବ। ସମୟ ପୂର୍ବରୁ କାର୍ଯ୍ୟ ସଂପନ୍ନ ହୋଇଯିବ। ଆପଣଙ୍କ ବ୍ୟବହାରରେ ସହକର୍ମୀ ଖୁସି ହେବେ। ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳିବ।
  • କର୍କଟ: ଘର ପାଇଁ ଜରୁରୀ ଜିନିଷ କ୍ରୟ କରିବେ। ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ସଫଳତା ପାଇଁ ଉଚ୍ଚ ଅଧିକାରୀଙ୍କ ଠାରୁ ପରାମର୍ଶ ମିଳିବ। ପରିବାର ସହ ସମୟ କାଟିବେ।
  • ସିଂହ: ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବ। ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାମକୁ ପରିବର୍ତ୍ତନ କରିପାରନ୍ତି।
  • କନ୍ୟା: ଆଜି ସ୍ୱାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗ ମିଳିବ। ଅଫିସରେ ନିଜ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାର ଥିଲେ, ଆଜି ହିଁ କରନ୍ତୁ। ଦେଖିବେ ସଫଳତା ମିଳିବ।
  • ତୁଳା: ଜୀବନସାଥୀଙ୍କ ବ୍ୟବହାର ମନକୁ ଅଶାନ୍ତ କରିବ। ଆୟ ଅପେକ୍ଷା ବ୍ୟୟ ବଢ଼ିପାରେ। ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେବ।
  • ବିଛା: ନୂଆ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି। ସମସ୍ତ ଚିନ୍ତାରୁ ଆଜି ମୁକ୍ତି ମିଳିବ। ଅନ୍ୟମାନଙ୍କର ସହଯୋଗ ଆପଣଙ୍କ ମନୋବଳକୁ ସୁଦୃଢ଼ କରିବ।
  • ଧନୁ: କିଛି ନୂଆ କଥା ଶିଖିବାକୁ ସୁଯୋଗ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ୍ ଆର୍ଥିକ ସ୍ଥିତି ଖରାପ ହୋଇପାରେ। ସାମ୍ବାଦିକତା କ୍ଷେତ୍ରରେ ନିଜ କାମ ପାଇଁ ପ୍ରଂଶସା ପାଇବେ।
  • ମକର: ଘରୋଇ କାର୍ଯ୍ୟକୁ ସଂପନ୍ନ କରିବାରେ ସକ୍ଷମ ହେବେ। କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ପରିବାରରେ ସୁଖଶାନ୍ତି ବଜାୟ ରହିବ।
  • କୁମ୍ଭ: ଆଶା କରିଥିବା ଶୁଭ ଖବର ପାଇବେ। କୌଣସି କାର୍ଯ୍ୟରେ ମଧ୍ୟସ୍ଥତା କରନ୍ତୁ ନାହିଁ। ମହିଳାମାନଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ।
  • ମୀନ: ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। ନିଜର ବ୍ୟବହାର ପାଇଁ ପ୍ରଂଶସା ପାଇବେ। ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଢ଼ିବ।