କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଆସନ୍ତାକାଲିଠୁ ସବୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ବାହାର ଜିଲ୍ଲାର ଭକ୍ତମାନେ ଆସି ଜଗା ଦର୍ଶନ କରିପାରିବେ । ଆସନ୍ତାକାଲିଠୁ ମନ୍ଦିର ଖୋଲିଲେ ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି ।  ହେଲେ ନୂଆବର୍ଷରେ ଅଧିକ ଜନଗହଳିକୁ ଦୃଷ୍ଟିରେ ରଖି ଗତକାଲି ଭଳି ଆଜି ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ।ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ଭକ୍ତ ଆସିବେ ସେମାନେ କୋଭିଡ ନେଗଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ କରାଯାଇଛି । ପୁରୀବାସୀଙ୍କ ପାଇଁ ହୋଇଥିବା ୬ ଦିନିଆ ଦର୍ଶନ ବ୍ୟବସ୍ଥା ପରେ ଦିନକୁ ୧୫ରୁ ୧୭ ହଜାର ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ହୋଇପାରିବ। ଯଦି ଶୃଙ୍ଖଳିତ ଦର୍ଶନ ହୁଏ ତେବେ ଫେବ୍ରୁଆରୀରୁ ସ୍ଥିତି ଅନୁଧ୍ୟାନ କରି ପୂର୍ବଭଳି ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି। ଦୀର୍ଘ ୯ ମାସ ପରେ ଗତ ଡିସେମ୍ବର ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲା ଯାଇଛି । ପ୍ରଥମେ ଦୁଇ ଦିନ ସେବାୟତଙ୍କ ପରିବାର ଓ ପରେ ପୁରୀ ସହରବାସିନ୍ଦାଙ୍କୁ କାଳିଆ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସକାଳ ସାଢ଼େ ସାତଟା ପରେ ଦର୍ଶନ ଆରମ୍ଭ ହୋଇଥିଲା।  ସମସ୍ତେ କେବଳ ସିଂହଦ୍ୱାର ବାଟେ ହିଁ ମନ୍ଦିରରେ ପ୍ରବେଶ କରି ପାରିବେ ବୋଲି ଜିଲ୍ଲାପାଳ କହିଥିଲେ। 

୧୩ଟି ଗାଁ ଲୋକଙ୍କ ଜମିକୁ ହଡ଼ପ କରିଛନ୍ତି ସରକାର, ମାର୍ଚ୍ଚ ୧ ପରେ ନିର୍ଣ୍ଣାୟକ ଆନ୍ଦୋଳନ : ସୁର

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଖୋର୍ଦ୍ଧା ଜିଲ୍ଲାର ଅନେକ ମୂଲ୍ୟବାନ ଜମିକୁ ସରକାର ଏବେ ଶାଗମାଛ ଦରରେ ଇଡକୋ ମାଧ୍ୟମରେ ବିକ୍ରି କରୁଥିବାବେଳେ ଜଟଣୀ ମ୍ୟୁନିସପାଲଟି ଓ ତା’ର ପାଶ୍ୱର୍ବର୍ତ୍ତୀ ୧୩ଟି ଗାଁ ଲୋକଙ୍କ ସ୍ଥିତିବାନ ଜମିକୁ ମଧ୍ୟ ସରକାର ହଡ଼ପ କରିନେଇଛନ୍ତି। ଯେଉଁଥିପାଇଁ ଲୋକଙ୍କୁ ଏବେ ସମସ୍ତ ପ୍ରକାରର ସରକାରୀ ସୁବିଧାସୁଯୋଗରୁ ବଂଚିତ ହେବାକୁ ପଡ଼ୁଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ ସରକାର ଶୁଣୁନାହାନ୍ତି। ଯଦି ମାର୍ଚ୍ଚ ୧ ପୂର୍ବରୁ ସମସ୍ୟାର ସମାଧାନ ନହୁଏ ତା’ହେଲେ ୧୩ଟି ଗାଁର ଲୋକେ ଭୁବନେଶ୍ୱର ଆସି ଲୋକସେବା ଭବନ ଘେରାଉ କରିବେ ବୋଲି ସ୍ଥାନୀୟ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମୂଲ୍ୟବାନ ଜମିକୁ ଇଡ୍‌କୋ ଜରିଆରେ ରାଜ୍ୟ ସରକାର ଶାଗମାଛ ଦରରେ ବିକୁଛନ୍ତି। ୧୮ ହଜାର କୋଟି ଟଙ୍କାର ମୂଲ୍ୟବାନ ଜମିକୁ ୫ ହଜାର କୋଟି ଟଙ୍କାରେ ବିକ୍ରି କରି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି। ସମସ୍ତ ସରକାରୀ ଜାଗା ଇଡକୋକୁ ନଦେଇ ଗାଁରେ ଖେଳ ପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ଓ ଜଙ୍ଗଲ ସୃଷ୍ଟି କରାଯାଉ ବୋଲି ସେ ଦାବି କରିବା ସହ ଏହି ଜମି ଦୁର୍ନୀତିର ସିବିଆଇ ତଦନ୍ତ କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ଶ୍ରୀ ରାଉତରାୟ ଦୃଢ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଓ ତାର ପାଶ୍ୱର୍ବର୍ତ୍ତୀ ୧୩ଟି ଗ୍ରାମର ସମସ୍ତ ସ୍ଥିତିବାନ ସଂପତ୍ତିକୁ ୨୦୧୨ ମସିହାରେ ହଠାତ ଜଣେ ସେଟଲମେଂଟ ଅଫିସର ଆସି ଶ୍ରୀଜଗନ୍ନାଥ ନାମରେ ନାମିତ କରିଛନ୍ତି। ଏ ଅଂଚଳର ଜନସାଧାରଣଙ୍କର ସ୍ଥିତିବାନ ସମ୍ପତ୍ତି ଜଗନ୍ନାଥଙ୍କ ନାମରେ ନାମିତ ହେବା ଦ୍ୱାରା ଭାରତ ସରକାର ଓ ଓଡ଼ିଶା ସରକାରଙ୍କର କୌଣସି ଯୋଜନାରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ଯଥା ସ୍କୁଲଘର,ଡାକ୍ତରଖାନା, ରାସ୍ତାଘାଟ,ପାଠାଗାର, କମ୍ୟୁନିଟି ସେଂଟର, ଭାଗବତ ଟୁଙ୍ଗି ପରି କୌଣସି କାର୍ଯ୍ୟ ହୋଇପାରୁ ନାହିଁ ଏବଂ ଏହି ଜମି ବିକ୍ରି ଖର୍ଦ୍ଦି ହୋଇପାରୁ ନାହିଁ। ଫଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏବଂ ବିଭାଘର, ବ୍ରତ ଘର, ବାପ ମା’ଙ୍କ ଶୁଦ୍ଧିକ୍ରିୟା ଇତ୍ୟାଦି ସାମାଜିକ କାର୍ଯ୍ୟକ୍ରମ ନିର୍ବାହ କରିବା ପାଇଁ ଆବଶ୍ୟକସ୍ଥଳେ ଏଠିକାର ଲୋକ ନିଜ ଜମିକୁ ବିକ୍ରୟ କରିପାରୁ ନାହାନ୍ତି। ୨୦୧୨ମସିହା ପୂର୍ବରୁ ଏଠିକାର ଜମିଜମା, ଘରଡ଼ିହ ଯେଉଁ ସ୍ଥିତିରେ ସେହିଭଳି ସ୍ଥିତିକୁ ଆଣିବା ପାଇଁ ବାରମ୍ବାର ସରକାରଙ୍କ ନିକଟରେ ଏବଂ ବିଧାନସଭାରେ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳିିଲା ନାହିଁ। ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ବହୁବାର ଆନ୍ଦୋଳନାତ୍ମକ ଭୂମିକା ନେଇଥିଲେ ମଧ୍ୟ କିଛି ନ୍ୟାୟ ପାଇପାରିଲୁ ନାହିଁ। ଯଦି ମାର୍ଚ୍ଚ ୧ ତାରିଖ ସୁଦ୍ଧା ଆମର ସ୍ଥିତିବାନ ଜମିକୁ ଫେରାଇ ନଦିଆଯାଏ, ରାଜ୍ୟ ସରକାରଙ୍କ ଉଦାସୀନତାର ଶିକାର ହୋଇଥିବା ଉପରୋକ୍ତ ଅଂଚଳର ସମସ୍ତ ଅଧିବାସୀ ଲୋକସେବା ଭବନକୁ ମାର୍ଚ୍ଚ ପହିଲାରେ ଘେରାଉ କରିବେ ଓ ଏହାର ପରିଣତି ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ରାଉତରାୟ ସ୍ପଷ୍ଟ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ବିବେକାନନ୍ଦ ବଡଜେନା, ବିଭୂତିଭୂଷଣ ସାମନ୍ତରାୟ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଗୋଟିଏ ମିସଡ୍ କଲ୍ ଦେଲେ ଘରେ ପହଂଚିବ ଗ୍ୟାସ, ଶୁଭାରମ୍ଭ କଲେ ଧର୍ମେନ୍ଦ୍ର…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱର ସମେତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆର ଉପହାର ଅନ୍ତର୍ଗତ ଗୋଟିଏ ମିସଡ୍ କଲରେ ଗ୍ୟାସ ରିଫିଲ ବୁକିଂ ସେବା ପ୍ରଦାନ କାର୍ଯ୍ୟକ୍ରମକୁ ଆଜି ନୂଆବର୍ଷରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି। ଆଜି ଭୁବନେଶ୍ୱରରେ ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ସମେତ ସମଗ୍ର ଦେଶରେ ଇଣ୍ଡିଆନ ଅଏଲର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ଉପଲବ୍ଧ ଫଳରେ ଇଣ୍ଡିଆନ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସଡ୍ କଲ୍ ଦେଲେ ଘରେ ଗ୍ୟାସ ପହଁଚିଯିବ ଓ ନୂଆ ଗ୍ୟାସ ସଂଯୋଗ ପାଇଁ ପଞ୍ଜିକରଣ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଇଜ୍ ଅଫ୍ ଲିଭିଂକୁ ପ୍ରଧାନମନ୍ତ୍ରୀ ମୋଦି ସର୍ବାଧିକ ପ୍ରାଥମିକତା ଦେଇଥିବାବେଳେ ଆଜି ଭୁବନେଶ୍ୱରରୁ ରାଷ୍ଟ୍ରୀୟ ସୁବିଧାର ଉପଲବ୍ଧ ହେବା ଏହାର ବଡ଼ ଉଦାହରଣ। ଏହା ନୂଆବର୍ଷରେ ଭୁବନେଶ୍ୱର ଓ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଉପହାର। ତେବେ ଖୁବଶୀଘ୍ର ଓଡ଼ିଶାରେ ସବୁ ଇଣ୍ଡେନର ଗ୍ରାହକମାନଙ୍କୁ ଏହି ମିସଡ୍ କଲ୍‌ରେ ଗ୍ୟାସ ପଞ୍ଜିକରଣ ସୁବିଧା ଉପଲବ୍ଧ କରାଯିବ ଏବଂ ଆଗାମୀ କିଛି ମାସରେ ଦେଶରେ ସୁବୁଠି ଏହି ଡିଜିଟାଲ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଡ଼ିଜିଟାଲ ଇଣ୍ଡିଆ ନେଇ ଅନେକ ଲୋକ ପରିହାସ କରୁଥିବାବେଳେ ଏବେ ଗୋଟିଏ ସୁଇଚ୍ ଟିପିଲେ ଘରେ ଗ୍ୟାସ ପହଁଚିବା କେବଳ ଡ଼ିଜିଟାଲ ଇଣ୍ଡିଆରେ ହିଁ ସମ୍ଭବ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ସମ୍ପନ୍ନ ଘର ଲୋକଙ୍କ ପାଖରେ ଏହି ଅତ୍ୟାଧୁନିକ ସୁବିଧା ପହଁଚାଇବା ନୁହେଁ ବରଂ ଗରିବରୁ ଗରିବ ଲୋକଙ୍କ ପାଖରେ ମଧ୍ୟ ସମସ୍ତ ସୁବିଧା ପହଁଚାଇବା ଭାରତ ସରକାରଙ୍କ ଲକ୍ଷ୍ୟ। ମୋଦି ସରକାର ମହିଳାଙ୍କୁ ସର୍ବୋପରି ଗୁରୁତ୍ୱ ଦେଇଆସୁଛନ୍ତି। ସମସ୍ତଙ୍କ ଘରେ ଗ୍ୟାସ ଉପଲବ୍ଧ କରାଇବା ମହିଳାଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ସେମାନଙ୍କ ପରିବାର ସହ ଜଡ଼ିତ। ପୂର୍ବ ସରକାରରେ ଓଡ଼ିଶାରେ ୧୦୦ରେ ହାରାହାରି ୨୨ ଜଣଙ୍କ ଘରେ ରନ୍ଧନ ଗ୍ୟାସ ଥିବାବେଳେ ଏବେ କିନ୍ତୁ ମୋଦି ସରକାରରେ ଏହା ବୃଦ୍ଧି ପାଇ ୮୦ ପ୍ରତିଶତରେ ପହଁଚିଛି। ଖୁବଶୀଘ୍ର ଏହାକୁ ଶତପ୍ରତିଶତ କରାଯିବ। ଏହା ହିଁ ମୋଦିଙ୍କ ସରକାରଙ୍କ ମହିଳାଙ୍କ ପ୍ରତି ଯୋଜନାର ବଳିଷ୍ଠ ପ୍ରମାଣ ବୋଲି ସେ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଦେଶର ୭ଟି ବଡ଼ ସହର ଯଥା ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଲକତା, କୋଚି, ଇନ୍ଦୋର ସହରରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ ତଥା ଏକ୍ସପି ୧୦୦ର ପ୍ରଚଳନର ଶୁଭାରମ୍ଭ କରିଛନ୍ତିା ସେହିପରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆସାମର ଦିଗବୋଇ ବିଶୋଧନାଗାରରୁ ‘ଏକ୍ସପି ୧୦୦’ର ପ୍ରଥମ ବ୍ୟାଚକୁ ସବୁଜ ପତକା ପ୍ରଦର୍ଶନ ଦ୍ୱାରା ଶୁଭାରମ୍ଭ ମଧ୍ୟ କରିଛନ୍ତି। 

ଏଣିକି ଭୁବନେଶ୍ୱରରେ କୋଠା ନିର୍ମାଣ ପାଇଁ ଦରକାର ହେବନି ପ୍ଲାନ୍ ଆପ୍ରୁଭାଲ୍‌…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ରାଜଧାନୀ ଭୁବନେଶ୍ୱରରେ ରହିବା ନିମନ୍ତେ ଏଣିକି କୋଠା ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସିଖବର। କୋଠା ନିର୍ମାଣ ପୂର୍ବରୁ ପ୍ଲାନ୍ ଆପ୍ରୁଭାଲ୍ ପାଇଁ ଆଉ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ସର୍ବାଧିକ ୧୦ମିଟର ଉଚ୍ଚତା(୩୩ଫୁଟ) ବିଶିଷ୍ଟ କୋଠା ନିର୍ମାଣ ନିମନ୍ତେ ପ୍ଲାନ୍ ଆପ୍ରୁଭାଲ୍ ଦରକାର ହେବନି। ବିଡିଏ ପକ୍ଷରୁ ନିଜସ୍ୱ ୱେବସାଇଟରେ ୧୦୪ଟି ଅନୁମୋଦିତ ବିଲିଡିଂ ପ୍ଲାନ୍ ରହିଛି, ଯେଉଁଥିରୁ ଗୋଟିଏକୁ ଗୃହନିର୍ମାତା ଚୟନ କରିପାରିବେ। ଆଜି ବିଡିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଲୋ-ରିସ୍କ କୋଠା ନିମନ୍ତେ ବିଲିଡିଂ ପ୍ଲାନର ଆବଶ୍ୟକତା ନାହିଁ। ଲୋ-ରିସ୍କ କୋଠା ନିମନ୍ତେ ବିଡିଏ ପକ୍ଷରୁ ଆଜି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଜାରି ହୋଇଛି। ଏହି ପ୍ଲାନ ଅନ୍ତର୍ଗତ ଗୃହନିର୍ମାତା ୨୪୦୦ବର୍ଗଫୁଟ୍ ସାଇଜ୍ ପର୍ଯ୍ୟନ୍ତ ଜମିରେ ଏହି ଲୋ-ରିସ୍କ କୋଠା ନିର୍ମାଣ କରିପାରିବ। ତେବେ ଏହି କୋଠାର ଉଚ୍ଚତା ୧୦ମିଟରରୁ କମ୍ ଓ ସର୍ବାଧିକ ୧୬୫୦ ବର୍ଗଫୁଟର ନିର୍ମାଣ ଅଂଚଳ  ଏବଂ କୋଠାରେ ବେସମେଣ୍ଟ ନଥିବା ଜରୁରୀ। ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଆଧାରରେ କୋଠା ନିର୍ମାଣ ପାଇଁ ଆଗ୍ରହୀ ବ୍ୟକ୍ତି କୋଠା ନିର୍ମାଣ ପୂର୍ବରୁ ବିଡିଏ ୱେବସାଇଟରୁ ଯେକୌଣସି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ଚୟନ କରି ଫର୍ମ-୬(କ)କୁ ପୂରଣ କରି ସମ୍ପୃକ୍ତ ବିଲିଡିଂ ପ୍ଲାନର ରେଫରେନ୍ସ କୋଡ୍ ଏବଂ ବିଡିଏ/ବିଏମସି ନାଁରେ ବ୍ୟାଙ୍କ ଚାଲାଣ ଦାଖଲ କରି କୋଠା ନିର୍ମାଣ ଆରମ୍ଭ କରିପାରିବେ। କୋଠା ନିର୍ମାଣ କରି ସାରିବା ପରେ ଫର୍ମ-୬(ଖ)କୁ ପୂରଣ କରି ବିଡିଏ/ବିଏମସି ଅଫିସରେ ଦାଖଲ କରିବେ ତଥା ଏହାର ୧୫ଦିନ ପରେ ଉକ୍ତ କୋଠାରେ ରହିପାରିବେ। ବିଡିଏ ୱେବସାଇଟରେ ଏହି ଷ୍ଟାଣ୍ଡାର୍ଡ ବିଲିଡିଂ ପ୍ଲାନ୍ ସହ କେତେ ଅର୍ଥ ପୈଠ କରିବାକୁ ପଡ଼ିବ ତା’ର ସବିଶେଷ ବିବରଣୀ ରହିଛି। ଏହାସହିତ ଘର ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତି  ବିଡିଏ ୱେବସାଇଟକୁ ଯାଇ ତାଙ୍କର ପ୍ଲଟଟିର ସ୍ଥିତି(ଏନଓସି ଆବଶ୍ୟକ କି ନାହିଁ)କୁ ଯାଂଚ କରିନେବାର ଆବଶ୍ୟକତା ରହିଛି। ଯଦି ଏହା ଇକୋ-ସେନସେଟିଭ୍ ଜୋନ, ଏଏସଆଇ ସଂରକ୍ଷିତ ଅଂଚଳ, କଟକଣା ଓ ନିୟନ୍ତ୍ରିତ ଅଂଚଳ,ବିମାନ ବନ୍ଦର ପ୍ରାଧିକରଣଙ୍କ ଜୋନିଂ ମ୍ୟାପ ଅଂଚଳ ଅନ୍ତର୍ଗତ ରହିଛି କି ନାହିଁ  ଯାଂଚ କରିବା ଜରୁରୀ। ଯଦି ସେଭଳି ଅଂଚଳରେ ପ୍ଲଟ୍ ଥାଏ ତା’ହେଲେ ଘର ନିର୍ମାଣ କରିବା ପାଇଁ ବିଡିଏଠୁ ପୂର୍ବ ଅନୁମତି(ଅନାପତ୍ତି ପ୍ରମାଣପତ୍ର) ଜରୁରୀ ବୋଲି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଜାନୁଆରୀ ୨ ରାଶିଫଳ …!

ମେଷ: ଦୃଢ଼ ମନୋବଳ ଯୋଗୁ ଅନେକ ବିପଦରୁ ରକ୍ଷା ପାଇବେ। ପରିବାରରେ ପିଲାମାନେ ଆଜ୍ଞାଧୀନ ହେବେ ଓ ସୁଖଶାନ୍ତି ଅତୁଟ ରହିବ। ଆର୍ଥିକ ଅଭାବ ଦୂରହେବ। କିନ୍ତୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର– ସାତଟି ଲାଲ୍ ମନ୍ଦାର ଫୁଲ ଗ୍ରାମଦେବୀଙ୍କୁ ଅର୍ପଣ କରନ୍ତୁ।

ବୃଷ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ତେଣୁ ଜଗିରଖି କାମ କରନ୍ତୁ। ମିଛ ଅଭିଯୋଗରେ ଜଡ଼ିତ ହେବାର ଆଶଙ୍କା ରହିଛି। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଫଳରେ ମନ ଭାରାକ୍ରାନ୍ତ ରହିବ। ପ୍ରତିକାର– ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଓ ଚିନି ପକାଇ ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ଫଳରେ ମନ ପ୍ରଫୁଲ ରହିବ। ଘରକୁ କୌଣସି ନୂତନ ଦ୍ରବ୍ୟ କ୍ରୟ କରି ଆଣିବେ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ହେବେ। ସମାଲୋଚିତ ହୋଇପାରନ୍ତି। ପ୍ରତିକାର– ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

କର୍କଟ: ଦାମ୍ପତ୍ୟ ଜୀବନରେ ଥିବା ମତପାର୍ଥକ୍ୟ ଦୂର ହୋଇ ସ୍ନେହ, ଶ୍ରଦ୍ଧା ବଢ଼ିବ। ଶତ୍ରୁମାନେ ପରାଜିତ ହେବେ। କାର୍ଯ୍ୟରେ ଜୟଯୁକ୍ତ ହେବେ। ହଠାତ୍ କୌଣସି ନୂତନ ସ୍ଥାନକୁ ବୁଲିବାକୁ ଯିବାକୁ ଯୋଜନା କରିବେ। ପ୍ରତିକାର– ମା’ ଲକ୍ଷ୍ମୀଙ୍କ ଦଶନାମକୁ ୧୦ଥର ଜପ କରନ୍ତୁ।

ସିଂହ: ପ୍ରତ୍ୟେକଟି ଉଦ୍ୟମରେ ସଫଳତା ଲାଭ କରିବେ। ଶରୀର ସୁସ୍ଥ ରହିବ ଓ ଯାତ୍ରାରେ ଶୁଭଫଳ ମିଳିବ। ପରିବାରରେ ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ପ୍ରତିକାର– ‘ଓଁ ନମୋଭଗବତେ ଶ୍ରୀ ସୂର୍ଯ୍ୟାୟ ନମଃ’ ମନ୍ତ୍ରକୁ ୭ଥର ପାଠ କରି ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ଅପମାନିତ ତଥା ଅସମ୍ମାନିତ ହେବାର ଆଶଙ୍କା ରହିଛି। ଚକ୍ଷୁ କିମ୍ବା କର୍ଣ୍ଣରେ ପୀଡ଼ା ଅନୁଭବ କରିପାରନ୍ତି। ବୃଥା ଭ୍ରମଣଜନିତ କ୍ଲାନ୍ତି ଅନୁଭବ କରିବେ। ପ୍ରତିକାର– ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତା’ ମୂଳର ମାଟି ମଥାରେ ଲଗାନ୍ତୁ।

ତୁଳା: ସଭାସମିତି ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। କୌଣସି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ। ରାଜନେତାମାନେ ସାମାଜିକସ୍ତରରେ ଜନପ୍ରିୟତା ହାସଲ କରିବେ। ପ୍ରତିକାର– ୭ଟି ଚକଲେଟ୍ ୭ଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ବିଛା: ଜମିଜମା ବିବାଦ ଦୂର ହେବ ଓ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ଧର୍ମକାର୍ଯ୍ୟରେ ମନ ବଳାଇବେ। ଫଳରେ ମାନସିକ ଶାନ୍ତି ପାଇବେ। ବ୍ୟବସାୟୀମାନେ ଲାଭବାନ ହେବେ। ପ୍ରତିକାର– ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ଚଣାଗୁଡ଼ ଭୋଗ ଲାଗି କରନ୍ତୁ।

ଧନୁ: ଅର୍ଥ ଓ ମାନସମ୍ମାନ ପ୍ରାପ୍ତି ହେବା ସହିତ ସ୍ୱାଦିଷ୍ଟ ଭୋଜନ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ଓ ସହାନୁଭୂତି ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିକାର– କୌଣସି ଅସହାୟ ମହିଳାଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମକର: ଆର୍ଥିକ ସ୍ଥିତିରେ ଅବନ୍ନତି ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ଶରୀର ଅସୁସ୍ଥ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ। ପ୍ରତିକାର– କଞ୍ଚାକ୍ଷୀରରେ କଳାରାଶି ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢାଳନ୍ତୁ।

କୁମ୍ଭ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ବନ୍ଧୁ ଚର୍ଚ୍ଚାରେ ଦିନଟି ବିତାଇବେ। ବକେୟା ଅର୍ଥ ହସ୍ତଗତ ହେବ। ମହିଳାମାନେ ହସଖୁସିରେ ସମୟ ବିତାଇବେ। ପ୍ରତିକାର– କିଛି ସୋରିଷ ପାରାମାନଙ୍କୁ ଖାଇବାକୁ ଦିଅନ୍ତୁ।

ମୀନ: ପାରିବାରିକ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ। କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ମହିଳାମାନେ ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ପ୍ରତିକାର– ସାତଟି ହଳଦିଆ ଫୁଲ ଭଗବାନ ନାରାୟଣଙ୍କୁ ଚଢ଼ାନ୍ତୁ।

ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କଲେ ସରକାର ଦେବେ ଅଢ଼େଇ ଲକ୍ଷ ଟଙ୍କା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)ଦିବ୍ୟାଙ୍ଗ ପୁରୁଷ ଅବା ମହିଳାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ରାଜ୍ୟ ସରକାର ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦେବେ। ପୂର୍ବରୁ ଏହି ପ୍ରୋତ୍ସାହନ ରାଶି ୫୦ହଜାର ଟଙ୍କା ଥିଲା। ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି ପ୍ରୋତ୍ସାହନ ରାଶିର ପରିମାଣକୁ ୫୦ହଜାର ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରସ୍ତାବକୁ ଉଭୟ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥ ବିଭାଗ ଅନୁମତି ଦେଇଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁସାରେ, ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସେମାନଙ୍କୁ ସମ୍ମାନଜନକ ଭାବେ ବଂଚିବା ନିମନ୍ତେ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଭିନ୍ନକ୍ଷମ ପଲିସିି ଓ ଜାତିସଂଘ ଚୁକ୍ତିନାମାର ସର୍ତ୍ତାବଳୀକୁ କାର୍ଯ୍ୟକାରୀ କରିବା ଜରୁରୀ ହୋଇଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବିଶେଷକରି  ସମାଜରୁ ଜାତିପ୍ରଥାକୁ ଦୂର କରିବା ନିମନ୍ତେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିଙ୍କୁ ଅନ୍ୟ ଜାତିର ବ୍ୟକ୍ତି ବିବାହ କଲେ ବିଭାଗ ପକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଉଥିବାରୁ ସମାନ ପରିମାଣର ପ୍ରୋତ୍ସାହନ ରାଶି ଦେବା ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ  ପ୍ରସ୍ତାବ ଦେଇଥିଲା। ଯାହାକୁ ଯୋଜନା ଓ ସଂଯୋଜନ ବିଭାଗ ଅନୁମୋଦନ କରିଥିବାବେଳେ ଅର୍ଥ ବିଭାଗ ମଧ୍ୟ ମଞ୍ଜୁରୀ ଦେଇଛି। ରାଜ୍ୟ ଯୋଜନା ଅନ୍ତର୍ଗତ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ରାଜ୍ୟସ୍ତରରେ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ଓ ଜିଲ୍ଲାସ୍ତରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ। 

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ କେମିତି ରହିବ ନୂଆ ବର୍ଷ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅତୀତ ହୋଇଯାଇଛି ଦୁଃଖ ଦୁର୍ଦ୍ଦଶାର ବର୍ଷ ୨୦୨୦। ଆସିଛି ଆଉ ଏକ ବର୍ଷ। ସାଧାରଣତଃ ନୂଆ ବର୍ଷଟିଏ ଆସିବାମାତ୍ରେ ପୂରା ବର୍ଷଟି କେମିତି କଟିବ, ତାହା ଜାଣିବା ପାଇଁ ସମସ୍ତେ ଉତ୍ସୁକ ଥା’ନ୍ତି। କିନ୍ତୁ ତା’ସହିତ ରାଜ୍ୟ, ଦେଶ, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟରେ କ’ଣ ଅଛି, ସେ ବିଷୟରେ ଜାଣିବା ପାଇଁ ବି ଲୋକେ ଆଗ୍ରହ ରଖନ୍ତି। ତା’ହେଲେ ନୂଆ ବର୍ଷ ୨୦୨୧ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କେମିତି ରହିବ, ସେ ସଂପର୍କରେ କହିଛନ୍ତି ଜ୍ୟୋତିର୍ବିଦ ପବିତ୍ର ମହାପାତ୍ର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରାଧା ନକ୍ଷତ୍ର ଓ ବିଛା ରାଶିରେ ଜନ୍ମ ହୋଇଛନ୍ତି। ୨୦୨୧ ମସିହା ତାଙ୍କ ପାଇଁ ସୁଖମୟ ହେବ। ବିରୋଧୀ ଦଳଗୁଡ଼ିକର କାର୍ଯ୍ୟ ହଟଚମଟ ସୃଷ୍ଟି କରିବ। ତେବେ ଅନେକ ସମାଲୋଚନା ହେଲେ ମଧ୍ୟ ଦଳରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ବଜାୟ ରହିବ। ଦେଶରେ ଅନେକ ନୂତନ ଯୋଜନା କାର୍ଯ୍ୟକାରୀ କରିବେ ଓ ତା’ସହିତ ଦଳକୁ ଦୃଢ଼ କରିବେ। ସେହିପରି ଜ୍ୟୋତିର୍ବିଦ ଶ୍ରୀ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଗ୍ୟ ସଂପର୍କରେ ମଧ୍ୟ ଆକଳନ କରିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଦ୍ରା ନକ୍ଷତ୍ର ଓ ମିଥୁନ ରାଶିରେ ଜନ୍ମ ହୋଇଛନ୍ତି। ଚଳିତ ବର୍ଷଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ମଙ୍ଗଳମୟ ହେବ। ବିରୋଧୀ ଦଳମାନଙ୍କର ସମାଲୋଚନା ଓ ଦଳମଧ୍ୟରେ କଳହ କିଛି ପରିମାଣରେ ତାଙ୍କ ମନରେ ଆଶଙ୍କା ସୃଷ୍ଟି କରିବ। ତେବେ ସେ ଦଳକୁ ଦୃଢ଼ କରିବେ ଓ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିବେ। 

ଆହ୍ୱାନର ବର୍ଷ ହେବ ‘୨୦୨୧’…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀର ଭୟ ଓ ଆଶଙ୍କା ମଧ୍ୟରେ ଆଉ କିଛି ଘଣ୍ଟା ପରେ ୨୦୨୧ ମସିହାକୁ ସ୍ୱାଗତ କରିବ ସମଗ୍ର ବିଶ୍ୱ। କ୍ୟାଲେଣ୍ଡରର ସବୁବର୍ଷ ପରି ଚଳିତଥର ଆଗନ୍ତୁକ ବର୍ଷକୁ ସ୍ୱାଗତ କରିବାର ଜୋସ୍ ମନରେ ଥିଲେ ବି କରୋନା ସଂକ୍ରମଣର ଭୟରେ ମଉଜମସ୍ତିରୁ ଦୂରେଇ ରହିବାର ଏକପ୍ରକାର ବାଧ୍ୟବାଧକତା ମଣିଷ ଆଗରେ ଉଭା ହୋଇଛି। ୨୦୨୦ରେ କୋଭିଡ୍ , କ୍ୱାରେଣ୍ଟାଇନ, ଶଟଡାଉନ୍ , ଲକଡାଉନ୍ , ସୋସିଆଲ ଡିଷ୍ଟାନ୍ସ , ସାନିଟାଇଜର ଓ ମାସ୍କ ଭଳି ଶବ୍ଦ ସହ ପ୍ରତ୍ୟେଟି ମଣିଷକୁ ଅଭ୍ୟସ୍ତ ହେବାକୁ ପଡ଼ିଛି। ୨୦୨୦ ମସିହାର ସେହି ତିକ୍ତ ଅନୁଭୂତିକୁ ପାଶୋରି ୨୦୨୧ ମସିହା ନିଶ୍ଚିତ ଭାବେ ସୁଖ,ସମୃଦ୍ଧି ଓ ଉତ୍ସାହର ବର୍ଷ ହେବ ବୋଲି ମଣିଷ ଆଶାବାଦୀ। ୨୦୨୧ରେ କରୋନା ଭଳି ଭାଇରସ୍ ସହ ଲଢ଼ି ଆଗକୁ ବଢ଼ିବା ନିମନ୍ତେ ଆତ୍ମବିଶ୍ୱାସ ବୃଦ୍ଧି ସହ ଆତ୍ମସଂଯମୀ ହେବାର ଉତ୍ତରଦାୟିତ୍ୱ ଓ ଚାପ ରହିବ। ଆଉ ଏସବୁ ଭିତରେ ୨୦୨୧ରେ ଓଡ଼ିଶାର ରାଜନୀତିକ ଓ ଶାସନ ବ୍ୟବସ୍ଥା କିଭଳି ରହିବ ତଥା କ’ଣସବୁ ଚ୍ୟାଲେଞ୍ଜ ଓ ଆହ୍ୱାନ ରହିବ, ତାକୁ ନେଇ “ଏଥର ସମ୍ଭାଳର ଏକ ସ୍ୱତନ୍ତ୍ର ଉପସ୍ଥାପନା :-

ବିକାଶକୁ ଗତିଶୀଳ କରାଇବାର ଚ୍ୟାଲେଞ୍ଜ -:


କରୋନା ମହାମାରୀ ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ମନ୍ଥର ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନ ପରେ ମଠ-ମନ୍ଦିରର ଭଙ୍ଗାଗଢ଼ା କାର୍ଯ୍ୟ କରି ବିକାଶର ନୂଆ ପରିଭାଷା ଲେଖିଥିବା ଓଡ଼ିଶା ସରକାର ଚଳିତ ଆର୍ଥିକ ବର୍ଷରେ ସବୁ କ୍ଷେତ୍ରରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ କରିଦେଇଛନ୍ତି। ଅର୍ଥାଭାବ ଯୋଗୁ ଗାଁ ଗହଳିରେ ରାସ୍ତାଘାଟଠୁ ଆରମ୍ଭ କରି ସହରରେ ସମସ୍ତ ପ୍ରକାରର ଭିତ୍ତିଭୂମି ବିକାଶ କାର୍ଯ୍ୟ ଉପରେ ଅଙ୍କୁଶ ଲାଗିଛି। ଯେଉଁଥିପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧.୬୧ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଥିବା ଓଡ଼ିଶା ସରକାର ନଭେମ୍ବର ଶେଷସୁଦ୍ଧା ମାତ୍ର ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି। ବାକି ୪ମାସରେ କେତେ ଅର୍ଥ ଖର୍ଚ୍ଚ କରିବେ ତାହା ମଧ୍ୟ ରାଜ୍ୟର ରାଜସ୍ୱ ସଂଗ୍ରହ ଉପରେ ନିର୍ଭର କରୁଛି। ପୌର ଓ ପଂଚାୟତ ନିର୍ବାଚନ ପାଇଁ ବିକାଶମୂଳକ କାର୍ଯ୍ୟ କରିବାର ବାଧ୍ୟବାଧକତା ବିଜେଡି ସରକାର ଉପରେ ରହିବ। କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ‘ଆମ ଗାଁ ଆମ ବିକାଶ’ ନାଁରେ ୧୫୦୦କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପ କରିଥିବା ବିଜେଡି ସରକାର ଏପର୍ଯ୍ୟନ୍ତ ସେଗୁଡ଼ିକୁ ଅଧାପନ୍ତରିଆ ପକାଇ ରଖିଛି। ତେଣୁ ୨୦୨୧ ମସିହାରେ ବିକାଶ କାର୍ଯ୍ୟକୁ କ୍ରିୟାଶୀଳ କରାଇ ଲୋକଙ୍କ ମଧ୍ୟରେ ପୁଣିଥରେ ଆଶା ସଂଚାର କରାଇବାର ଚାପ ବି ସରକାରଙ୍କ ଉପରେ ରହିବ। ଅବଶ୍ୟ ଏଥିପାଇଁ ସରକାରୀ କଳର ଦୃଢ଼ ମନୋବଳ, ସମୟସୀମା ସହ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣର ବି ଆବଶ୍ୟକତା ରହିଛି।

ରିମୋଟ୍ କଣ୍ଟ୍ରୋଲ ପରିବର୍ତ୍ତେ ପ୍ରଫେସନାଲ ଆଡମିନିଷ୍ଟ୍ରେସନ୍ -:

କରୋନା ଯୋଗୁ ଦୀର୍ଘ ୧୦ମାସ ଧରି ନବୀନ ନିବାସରେ ଆଇସୋଲେସନ ବା କ୍ୱାରେଣ୍ଟାଇନରେ ରହି ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶାସନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ମୋଡରେ ଶାସନ ସହ ରିମୋଟ୍ କଣ୍ଟ୍ରୋଲ ମାଧ୍ୟମରେ ହାକିମାତି ବି ରାଜ୍ୟ ପ୍ରଶାସନକୁ ନିଷ୍କ୍ରିୟ ଓ ନିରୁତ୍ସାହିତ କରିଦେଇଛି। ଗୋଟିଏପଟେ ରାଜ୍ୟର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିବାବେଳେ ଅନ୍ୟପଟେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାର ଚାପ ସରକାରଙ୍କ ଉପରେ ରହିବ। ତେବେ ଏଥିପାଇଁ ପ୍ରଶାସନିକ କଳର ମନୋବଳ ଓ ଉତ୍ସାହ ବୃଦ୍ଧି ନିମନ୍ତେ ବରିଷ୍ଠ ପାହ୍ୟାରେ ଥିବା ଅଫିସରମାନଙ୍କୁ ରାଜ୍ୟ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ କରିବା ନିମନ୍ତେ ଫ୍ରି-ହ୍ୟାଣ୍ଡ ଦିଆଯିବାର ଆବଶ୍ୟକତା ରହିଛି। ରିମୋଟ୍ କଣ୍ଟ୍ରୋଲ ମାଧ୍ୟମରେ ପରିଚାଳନା ଓ ଅଙ୍କୁଶ ଲଗାଇବାର ଉଦ୍ୟମ କରାଗଲେ ପ୍ରଶାସନ ଆକ୍ଟିଭ ହେବାର ଆଶା କ୍ଷୀଣ। ୨୦୨୦ ମସିହାରେ ଶୀର୍ଷ ପ୍ରଶାସନିକ ପଦପଦବୀରେ ଥିବା ଅଫିସରମାନଙ୍କର ସ୍ଥାଣୁତା ଓ ଅସହାୟତା ରାଜ୍ୟବାସୀ ଅନୁଭବ କରିଛନ୍ତି। ତେଣୁ ୨୦୨୧ରେ ପ୍ରଫେସନାଲ ଢଙ୍ଗରେ କାର୍ଯ୍ୟ କରିବା ନିମନ୍ତେ ପ୍ରଶାସନ ଉପରେ ମାତ୍ରାଧିକ ହସ୍ତକ୍ଷେପରୁ ତୃତୀୟ ମହଲା ବିରତ ହେବାର ଆବଶ୍ୟକତା ବି ରହିଛି। ତେବେ ରାଜ୍ୟ ପ୍ରଶାସନ ପ୍ରଫେସନାଲ ଢଙ୍ଗରେ କାର୍ଯ୍ୟ କରିବା ନିଶ୍ଚିତ ଭାବେ ୨୦୨୧ରେ ଏକ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିବ।

୩ ରାଜନୀତିକ ଦଳର ଅସ୍ପଷ୍ଟ ଆଭିମୁଖ୍ୟ -:

ରାଜ୍ୟରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଅସ୍ପଷ୍ଟ ଆଭିମୁଖ୍ୟ ହିଁ ତୃଣମୂଳସ୍ତରରେ କର୍ମୀ ଓ ସାଧାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ରଖିଛି। କରୋନା ମହାମାରୀ ପରିସ୍ଥିତି ମଧ୍ୟରେ ୨ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବା ଓଡ଼ିଶା ୨୦୨୧ ମସିହାରେ ପୌର ଓ ସମବାୟ ନିର୍ବାଚନର ସାମ୍ନା କରିବାର ସମ୍ଭାବନା ରହିଛି । ସମସ୍ତ ୧୧୫ଟି ପୌରାଂଚଳ, ଏନଏସି ଓ ମହାନଗରରେ ନିର୍ବାଚନ ହେବାର ଥିବାବେଳେ ଏହି ୩ ପ୍ରମୁଖ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବେ। ମାତ୍ର ବିଭିନ୍ନ ପ୍ରସଙ୍ଗକୁ ନେଇ ଏହି ୩ଦଳଗୁଡ଼ିକ ଯେଭଳି ସନ୍ଦେଶ ରାଜ୍ୟବାସୀଙ୍କୁ ଦେଉଛନ୍ତି ସେଥିରୁ କିଏ କାହା ସହ କେଉଁଭଳି ବୁଝାମଣାରେ ରହିଛି ତାକୁ ନେଇ ସାଧାରଣ ଲୋକେ ଦ୍ୱନ୍ଦ୍ୱରେ ରହିଛନ୍ତି। ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ଲୁଚାଛପା ରୋମାନ୍ସ ଚାଲୁଥିବାବେଳେ କେତେବେଳେ ତୁ-ତୁ-ମେ-ମେ ଚାଲୁଛି। କଂଗ୍ରେସ ବି ଶାସକ ବିଜେଡିକୁ ସୁହାଇଲା ଭଳି ପରୋକ୍ଷରେ ପଦକ୍ଷେପ ନେବାକୁ ପଛାଉ ନାହିଁ। ତେଣୁ ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଏହି ୩ଦଳର ରାଜନୀତିକ ଆଭିମୁଖ୍ୟ ହିଁ ଆଗାମୀ ବର୍ଷରେ ହେବାକୁ ଥିବା ପୌର ଓ ପଂଚାୟତ ନିର୍ବାଚନର ଫଳାଫଳ ନିର୍ଭର କରୁଛି। ଧାର୍ଯ୍ୟ ସମୟରେ ୨୦୨୨ ଜାନୁୟାରୀ-ଫେବୃୟାରୀରେ ପଂଚାୟତ ନିର୍ବାଚନ କରିବାର ବାଧ୍ୟବାଧକତା ବିଜେଡି ସରକାରଙ୍କ ଉପରେ ରହିବ। ତେଣୁ ମୁଖ୍ୟ ବିରୋଧୀ ଦଳ ବିଜେପି ୨୦୨୧ରେ ଯଦି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ ନକରେ, ତା’ହେଲେ ଉଭୟ ପୌର ଓ ପଂଚାୟତ ନିର୍ବାଚନର ଫଳାଫଳ ଦଳ ପାଇଁ ନୈରାଶ୍ୟର କାରଣ ପାଲଟିବ।

ବିଜେଡିରେ ଅବିଶ୍ୱାସ ଓ ଅସନ୍ତୋଷକୁ ପ୍ରଶମିତ -:

ସର୍ବବୃହତ୍ ସଫଳ ଆଂଚଳିକ ଦଳ ବିଜେଡି ପାଇଁ ନିଜର ସଂଗଠନକୁ ସୁଚାରୂ ରୂପେ ଚଳାଇବାର ଚ୍ୟାଲେଞ୍ଜ ରହିବ। ବିଶେଷକରି ଦଳରେ ବଢ଼ୁଥିବା ଅବିଶ୍ୱାସ ଓ ଅସନ୍ତୋଷକୁ ପ୍ରଶମିତ କରିବା ନିମନ୍ତେ ଦଳକୁ ପୁଣିଥରେ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ବିଜେଡି ଏବେ ନିଜର ସାଂଗଠନିକ ବ୍ୟାପାରକୁ ପୁରୁଣା ନେତାମାନଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ଆଉକିଛି ପୁରୁଣା ନେତା ନାମକୁ ମାତ୍ର ସଂଗଠନ ସହ ରହିଛନ୍ତି। ନୂଆ ବ୍ରିଗେଡକୁ ଆଗକୁ ଆଣି ଦଳ ସେମାନଙ୍କ ମାଧ୍ୟମରେ ସଂଗଠନକୁ ଚଳାଇବା ଆରମ୍ଭ କରିଛି। ଦଳର ଦୁଇଦିନିଆ କାର୍ଯ୍ୟକାରିଣୀ ଆଳରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡିର ନମ୍ବର-୨ ଭାବେ ଆନୁଷ୍ଠାନିକ ମୋହର ମାରିବାର ଅସନ୍ତୋଷ ବି ଦଳ ପାଇଁ ନୂଆ ଚ୍ୟାଲେଞ୍ଜ ହେବାକୁ ଯାଉଛି। ଦଳ ଯେଉଁ ଯୁବଚେହେରାଙ୍କୁ ଆଗକୁ ଆଣି ସଂଗଠନକୁ ଚଳାଇବାକୁ ପ୍ରୟାସ କରୁଛି ସେମାନେ ଟ୍ରେନଡ୍ କିମ୍ବା ଟେଷ୍ଟେଡ୍ ନୁହଁନ୍ତି। ଅଭିଜ୍ଞତା ନାହିଁ କି ସଫଳତା ମଧ୍ୟ ଦେଖାଇ ନାହାନ୍ତି। ତେଣୁ ସେମାନଙ୍କ ଉପରେ ଦାୟିତ୍ୱ ଲଦି ଦେବାର ରିସ୍କ ବି ଦଳ ଉପରେ ରହିଛି। କ୍ରମାଗତ ୫ମଥର ଜିତିଥିବା ବିଜେଡିଠାରୁ ଲୋକଙ୍କର ଆଶା ଓ ଆକାଂକ୍ଷା ରହିଥିବାରୁ ସମସ୍ତଙ୍କୁ ସାଥୀରେ ନେଇ ସଂଗଠନକୁ ଚଳାଇବାର ଚାପ ରହିବ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଦଳର ନେତା ଓ କର୍ମୀମାନେ ନିଜର ଆପତ୍ତି-ଅଭିଯୋଗ ତାଙ୍କ ନିକଟରେ ପହଂଚାଇବାର କୌଣସି ମାଧ୍ୟମ ନଥିବାରୁ ଅସନ୍ତୋଷ ବି ରହିଛି।

ପଂଚାୟତସ୍ତରରେ ହେଉଛି ନୂଆ ରାଜନୀତିକ ସମୀକରଣ -:

ଦୀର୍ଘବର୍ଷ ଧରି ଗୋଡ଼ଟଣା ଓ ଗୋଷ୍ଠୀକନ୍ଦଳ ନୀତି ଯୋଗୁ ରାଜ୍ୟରେ କଂଗ୍ରେସ ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି। କଂଗ୍ରେସକୁ ବିଭାଜନ କରି କର୍ମୀମାନଙ୍କୁ ଦଳରେ ସାମିଲ କରିବାର ବିଜେଡିର ରଣନୀତି ଆଗାମୀ ଦିନରେ ଦଳକୁ ମହଙ୍ଗା ପଡ଼ିବାର ଆଶଙ୍କା ରହିଛି। ବିଜେଡିର ଏଭଳି ରଣନୀତି ହିଁ ପଂଚାୟତ ଓ ପୌର ନିର୍ବାଚନବେଳେ ନୂଆ ଚ୍ୟାଲେଞ୍ଜ ପାଲଟିବ। ଜାତୀୟ ଓ ରାଜ୍ୟ ସ୍ତରରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଚାଲିଥିବାବେଳେ ତୃଣମୂଳସ୍ତରରେ ବିଜେଡିକୁ ହରାଇବା ପାଇଁ ଉଭୟ କଂଗ୍ରେସ ଓ ବିଜେପି ଅଘୋଷିତ ଭାବେ ହାତ ମିଳାଇବାର ସମ୍ଭାବନାକୁ ଅଣଦେଖା କରାଯାଇନପାରେ। ରାଜ୍ୟର ଅଧିକାଂଶ ଅଂଚଳରେ ଏଭଳି ସମୀକରଣ ଜନ୍ମ ନେଇସାରିଲାଣି। ଆଗାମୀ ପଂଚାୟତ ଓ ପୌର ନିର୍ବାଚନବେଳେ ସ୍ଥାନୀୟ ଆବଶ୍ୟକତାକୁ ଅନୁଭବ କରି ଉଭୟ ବିଜେପି ଓ କଂଗ୍ରେସର ରାଜ୍ୟନେତୃତ୍ୱ ବି ଏଭଳି ସମୀକରଣକୁ ନେଇ ନିରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଆଉ ଏଭଳି ସମୀକରଣକୁ ବିଫଳ କରିବା ବି ବିଜେଡି ପାଇଁ ଏକ ନୂଆ ମୁଣ୍ଡବ୍ୟଥା ଓ ଚାଲେଞ୍ଜ ପାଲଟିବ।

ମହିଳା ଭୋଟରେ ଛିଦ୍ର, ବିଜେଡିର ସଜବାଜ -:

୭୦-୮୦ଲକ୍ଷ ମହିଳାଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ(ଏସଏଚଜି)ରେ ସାମିଲ କରି ସେମାନଙ୍କୁ ନିଜର ଭୋଟବ୍ୟାଙ୍କ ଭାବୁଥିବା ବିଜେଡି ଏବେ ଚିନ୍ତାରେ। ଏହି ଭୋଟବ୍ୟାଙ୍କରେ ଛିଦ୍ର କରିବା ପାଇଁ ବିଜେପି ଏବେ ନିଜର ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରୁଥିବାରୁ ବିଜେଡି ୨୦୨୧ ମସିହାରେ ‘ମହିଳା କାର୍ଡ’କୁ ଜୋରଦାର ଢଙ୍ଗରେ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ଅନୁସାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହାସଂଘ ରାଜ୍ୟ ସଭାନେତ୍ରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ସମସ୍ତ ଜିଲ୍ଲା ସଂଘ ସଭାନେତ୍ରୀଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ୨୦୨୧ରେ କାର୍ଯ୍ୟକାରୀ କରାଇ ବିଜେଡି ନିଜକୁ ମହିଳାଙ୍କ ହିତୈଷୀ ବୋଲି ସନ୍ଦେଶ ଦେବ। ତା’ଛଡ଼ା ମହିଳାଙ୍କୁ ଉଭୟ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦାବିକୁ ନେଇ ମଧ୍ୟ ଦିଲ୍ଲୀ ଦରବାରରେ ମହିଳା ସମାବେଶ କରିବାର ସମ୍ଭାବନା ରହିଛି। ପୂର୍ବରୁ ଚାଷୀ ସମାବେଶ କରି ସାରିଥିବା ବିଜେଡି ଆଗାମୀ ଦିନରେ ‘ମହିଳା ସମାବେଶ’ କରି ଜାତୀୟସ୍ତରରେ ନିଜର ପତିଆରା ବୃଦ୍ଧି ପାଇଁ ଉଦ୍ୟମ କରିବ। ଅବଶ୍ୟ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସହ ସିଧାସଳଖ ଲଢ଼େଇ କରି ଦିଲ୍ଲୀ ଦରବାରେ ରଣହୁଙ୍କାର ଦେବା ବିଜେଡି ପାଇଁ ସେତେଟା ସହଜ ହେବନି।

ସେଞ୍ଚୁରିଆନ ୟୁନିର୍ଭସିଟି ନାଁରେ ସିବିଆଇରେ ମାମଲା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜିଏସଟି ମାମଲାକୁ ରଫାଦଫା କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ୧୦ଲକ୍ଷ ଟଙ୍କା ଲାଂଚ ଦେବା ଅଭିଯୋଗରେ ସେଞ୍ଚୁରିଆନ୍ ୟୁନିର୍ଭସିଟି ନାଁରେ ଆଜି ସିବିଆଇ ଏକ ମାମଲା ରୁଜୁ କରିଛି। ଏହି ଲାଂଚ କାରବାର ପାଇଁ ଡିଲ୍ ଚାଲିଥିବାବେଳେ ସିବିଆଇ ଗତକାଲି ଭୁବନେଶ୍ୱରର ରାମମନ୍ଦିର ନିକଟରେ ଥିବା ହୋଟେଲ ମ୍ୟାରିଅନରେ ଚଢ଼ଉ କରିଥିଲା। ଆଉ ୪ଜଣଙ୍କୁ ଗିରଫ କରିଥିଲା।
ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇପିସିର ଧାରା ୧୨୦(ଖ), ୧୯୮୮ ସେକ୍ସନ ୭(କ), ୮ ଓ ୯ ଧାରାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ସିବିଆଇ ଗତକାଲି ଗିରଫ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଭୁବନେଶ୍ୱର ସର୍କଲର ଜିଏସଟି ସୁପରିଟେଣ୍ଡେଣ୍ଟ ଆତ୍ରଭଞ୍ଜନ କର ଓ ଜିଏସଟି ଅଫିସର ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଏନଏନ ସାହୁଙ୍କ ସମେତ ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟର ଆକାଉଣ୍ଟ ଅଫିସର ଆଶୁତୋଷ ପାଢ଼ୀ ସାମିଲ ଥିବାବେଳେ ସେମାନଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। 

ସମ୍ବଲପୁର ଆଇଆଇଏମର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨ରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଲାଗି ଭିତ୍ତିପ୍ରସ୍ଥର ସ୍ଥାପନ କରିବେ। ଭିଡିଓ କନଫରେନସିଂ ଜରିଆରେ ଶ୍ରୀ ମୋଦି ଏହାର ଉଦଘାଟନ କରିବେ। ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହିବେ। ଫ୍ଲିପଡ କ୍ଲାସରୁମ ପଦ୍ଧତିକୁ କାର୍ଯ୍ୟକାରୀ କରିବାରେ ଆଇଆଇଏମ ସମ୍ବଲପୁର ହେଉଛି ଦେଶର ପ୍ରଥମ ଆଇଆଇଏମ। ଏହି ପଦ୍ଧତିରେ ମୌଳିକ ଜ୍ଞାନ ଡିଜିଟାଲ ମାଧ୍ୟମରେ ଦିଆଯାଉଥିବା ବେଳେ ଅନୁଭୂତି ଆଧାରିତ ଶିକ୍ଷାଦାନ ଉଦ୍ୟୋଗରୁ ଲାଇଭ ପ୍ରୋଜେକ୍ଟ ଜରିଆରେ ଶ୍ରେଣୀଗୃହରେ ଦିଆଯାଇଥାଏ। ସେହିପରି ଲିଙ୍ଗ ବିବିଧତା କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ଅନ୍ୟ ସମସ୍ତ ଆଇଆଇଏମକୁ ପଛରେ ପକାଇ ଦେଇଛି। ୨୦୧୯-୨୧ ଏମବିଏ ବ୍ୟାଚରେ ସର୍ବାଧିକ ୪୯% ପ୍ରତିଶତ ଛାତ୍ରୀ ଥିବା ବେଳେ ୨୦୨୦-୨୨ ଏମବିଏ ବ୍ୟାଚରେ ୪୩% ଛାତ୍ରୀ ରହିଛନ୍ତି।