କୃଷି ଆଇନ ପଛର କାରଣ ଚାଷୀ ସଂଗଠନ ନିଶ୍ଚିତ ବୁଝିପାରିବେ: କୃଷିମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ସଂଗଠନଗୁଡ଼ିକ ସମୟ ଆସିଲେ ନିଶ୍ଚିତ ଏହାକୁ ବୁଝି ପାରିବେ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି। ଆସନ୍ତାକାଲି ଚାଷୀ ସଂଗଠନ ଗୁଡ଼ିକ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ବୋଲି କହିଛନ୍ତି। ଏହା ପୂର୍ବରୁ ଶ୍ରୀ ତୋମାର ଏଭଳି ବୟାନ ଦେଇ ପୁଣିଥରେ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ପାଇଁ ତିଆରି ହୋଇଥିବା ବୁଝାଇବାକୁ ଚେଷ୍ଟା କରିଛନ୍ତି।ସେ କହିଛନ୍ତି, ଭାରତ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଆମେ କୃଷି ଆଇନକୁ ସମର୍ଥନ କରୁଥିବା ଓ ବିରୋଧ କରୁଥିବା ଚାଷୀ ସଂଗଠନର ସଦସ୍ୟଙ୍କୁ ଭେଟିଛୁ। କୃଷି ଆଇନ ଆସିବା ପଛର କାରଣ ନିଶ୍ଚିତ ଭାବେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଗୁଡ଼ିକ ବୁଝିପାରିବେ। ସେମାନେ ନିଶ୍ଚିତ ଚାଷୀଙ୍କ କଲ୍ୟାଣ କଥା ଭାବିବେ ଓ ସକାରାତ୍ମକ ଆଭିମୁଖ୍ୟ ନେଇ ଆଲୋଚନାକୁ ଆସିବେ ବୋଲି ସେ କହିଛନ୍ତି।କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବିରୋଧ ନଭେମ୍ବର ୨୬ରୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେଇବାକୁ ସରକାର ୭ଥର ବୈଠକ କରି ସାରିଲେଣି। ହେଲେ ଏହି ବୈଠକଗୁଡ଼ିକରେ କୌଣସି ନିଷ୍କର୍ସ ବାହାରି ପାରୁନାହିଁ।ସୋମବାର ଶେଷ ବୈଠକ ବସିଥିଲା। ଏହି ସମୟରେ ଚାଷୀମାନେ କୃଷି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଥିଲେ। ହେଲେ ସରକାର ଏହାକୁ ରୋକଠୋକ ମନା କରି ଦେଇଥିଲେ। ଏଥିପାଇଁ ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି। କାଲି ଟ୍ରାକ୍ଟର ରାଲି ଓ ଜାନୁଆରୀ ୨୬ରେ ସମଗ୍ର ଦେଶରେ ବିକ୍ଷୋଭ କରିବେ ବୋଲି ଚାଷୀ ସଂଗଠନ ଗୁଡ଼ିକ ଚେତାବନୀ ଦେଇଛନ୍ତି।

କଂଗ୍ରେସକୁ ବଡ଼ ଝଟକା: ୧୯ରୁ ୧୧ ବିଧାୟକ ଜେଡିୟୁରେ ମିଶିବେ!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବିହାର ରାଜନୀତିରେ ସୃଷ୍ଟି ହୋଇଛି ବଡ଼ ଟ୍ୱିଷ୍ଟ। ବିଧାନସଭା ନିର୍ବାଚନରେ ମାତ୍ର ୧୯ଟି ଆସନ ଜିତିଥିବା କଂଗ୍ରେସ ଏବେ ରାଜ୍ୟରେ ଏକ ପ୍ରକାରର ମୂଳପୋଛ ହେବାର ସଙ୍କେତ ମିଳିଛି। କାରଣ ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ୧୧ ଜଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଯଦି ଏହି କଂଗ୍ରେସ ବିଧାୟକମାନେ ଦଳ ପରିବର୍ତ୍ତନ କରୁଛନ୍ତି, ତା’ହେଲେ ସେମାନଙ୍କ ଉପରେ ଦଳ ବଦଳ ଆଇନ ଲାଗୁ ହେବନାହିଁ। ସେହିପରି ବିଧାନସଭା ନିର୍ବାଚନରେ ମାତ୍ର ୪୩ଟି ଆସନ ଜିତି ବିଜେପି ସହ ମିଶି ସରକାର ଗଠନ କରିଥିବା ଜେଡିୟୁର ବିଧାୟକଙ୍କ ସଂଖ୍ୟା ମଧ୍ୟ ୫୪ରେ ପହଞ୍ଚି ଯିବ। ତେଣୁ ଆଗକୁ ବିହାରରେ ରାଜନୀତିକ ହଟଚମଟ ନିଶ୍ଚିତ ଭାବେ ସୃଷ୍ଟି ହେବ ବୋଲି କୁହାଯାଉଛି। ବିହାର କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭାରତ ସିଂହ କହିଛନ୍ତି, ୧୧ ଜଣ କଂଗ୍ରେସ ବିଧାୟକ ଖୁବଶୀଘ୍ର ଜେଡିୟୁରେ ସାମିଲ ହୋଇପାରନ୍ତି। ଏହି ନେତାମାନଙ୍କୁ ଜେଡିୟୁ ଟିକେଟ ନ ଦେବାରୁ ସେମାନେ ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ଟିକେଟରେ ଏମାନେ ଜିତିବା ପରେ ପୁଣିଥରେ ଜେଡିୟୁକୁ ଫେରିବାକୁ ଯୋଜନା କରିଛନ୍ତି। ୧୧ ଜଣ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ରାଜ୍ୟ କଂଗ୍ରେସ ସଭାପତି ମଦନ ମୋହନ ଝା, ରାଜ୍ୟସଭା ସାଂସଦ ଅଖିଲେଶ ପ୍ରସାଦ ସିଂହ ଓ ବରିଷ୍ଠ ନେତା ସଦାନନ୍ଦ ସିଂହ ସମସ୍ତ ପ୍ରକାରର ସହଯୋଗ କରୁଛନ୍ତି। ମଦନ ଓ ସଦାନନ୍ଦ ବିହାର ବିଧାନ ପରିଷଦକୁ ଯିବାକୁ ଚାହୁଁଛନ୍ତି। ତେଣୁ ସେମାନେ ଏଭଳି କରୁଥିବା ଭାରତ ସିଂହ ଅଭିଯୋଗ କରିଛନ୍ତି। ଚଳିତ ବିହାର ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ମିଳିତ ଭାବେ ଲଢ଼େଇ କରିଥିଲେ। କଂଗ୍ରେସ ୨୪୩ ଆସନ ବିଶିଷ୍ଟ ବିଧାନସଭା ଆସନରୁ ୭୦ଟି ସ୍ଥାନରେ ପ୍ରାର୍ଥୀ ଦେଇଥିଲା। ହେଲେ କେବଳ ୧୯ଟିରେ ଜିତିବାକୁ ସକ୍ଷମ ହୋଇଥିଲା। ଅନ୍ୟପକ୍ଷରେ ଆରଜେଡି ୭୫ଟି ଆସନରେ ବାଜିମାତ କରିଥିଲା। ଅନ୍ୟପକ୍ଷରେ ବିଜେପି ୭୪ଟି ଓ ଜେଡିୟୁ ୪୩ଟି ଆସନରେ ଜିତି ସରକାର ଗଠନ କରିଛନ୍ତି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ପଦରେ ରହିବାକୁ ଚାହୁଁ ନଥିବା କହିଥିଲେ। ସେହିପରି ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ସୂଚନା ମିଳିଥିଲା। ଏସବୁ ଭିତରେ ୧୧ କଂଗ୍ରେସ ବିଧାୟକଙ୍କ ପଟ ପରିବର୍ତ୍ତନ ବିହାର ରାଜନୀତିରେ ନୂଆ ଟ୍ୱିଷ୍ଟ ସୃଷ୍ଟି କରିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

କାଲିଠୁ ଖୋଲିବ ସ୍କୁଲ;କଡ଼ାକଡ଼ି ପାଳନ ହେବ ଗାଇଡଲାଇନ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା କଟକଣା ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ରହିବା ପରେ ଆସନ୍ତା କାଲିଠୁ ସାରା ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ।  ତେବେ ସମସ୍ତଙ୍କ ପାଇଁ ନୁହେଁ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି।  ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବାକୁ ବାଧ୍ୟତାମୂଳକ । ସ୍କୁଲ ଖୋଲିବାର ୨ ଦିନ ପରେ ଅର୍ଥାତ ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କ୍ଲାସରୁମ୍, ଲାଇବ୍ରେରୀ, ଶୌଚାଳୟକୁ ସାନିଟାଇଜ କରାଯାଉଛି । ସେପଟେ ସ୍କୁଲ କଲେଜ ଖୋଲିବା ପ୍ରସଙ୍ଗରେ ରାଜଧାନୀର ବିଭିନ୍ନ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହିତ ବିଏମ୍‌ସି ପକ୍ଷରୁ ଆଲୋଚନା କରାଯାଇଛି।  ସରକାର ଜାରି କରିଥିବା ଗାଇଡ୍‌ଲାଇନ୍‌କୁ ସଂପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି  । ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଯେଉଁ ପିଲାମାନେ ସ୍କୁଲ କଲେଜ ଆସିବେ, ସେମାନଙ୍କ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଜରୁରୀ ଅଟେ । ଏହାକୁ ଶିକ୍ଷାନୁଷ୍ଠାନଗୁଡ଼ିକ ନିହାତି ଭାବେ ମାନିବେ  । ସ୍କୁଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଯେଉଁ SOP ପ୍ରସ୍ତୁତ କରିଛନ୍ତି, ତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ତା ସହିତ ବିଏମ୍‌ସି ଏକ ହେଲ୍ପ ନମ୍ବର ଜାରି କରିଛି । କୋଭିଡ ସଂପର୍କିତ କିଛି ସମସ୍ୟା ହେଲେ, ଏହି ନମ୍ବରରେ ସ୍କୁଲ କଲେଜ କର୍ତ୍ତୃପକ୍ଷ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ଅବଗତ କରାଇପାରିବେ। ସୂଚନାଯୋଗ୍ୟ୍ୟ,  ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ବାର୍ଷିକ ପରୀକ୍ଷା  ତଥା ବିଭିନ୍ନ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ଦେବା ପାଇଁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଜାନୁଆରୀ ୮ ତାରିଖରୁ ଅପ୍ରେଲ ୨୬ ତାରିଖ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ,  କରୋନା ମହାମାରୀ ଭିତରେ ଆସନ୍ତା ୧୦ ତାରିଖରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍ଅପ୍‌ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ । ପରୀକ୍ଷା ଦେବାକୁ ଥିବା ରେଗୁଲାର, କ୍ୱାସି ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ମାନେ ୧୦ ତାରିଖରୁ ଫର୍ମ ଫିଲଅପ୍ କରିପାରିବେ । ସକାଳ ୧୦ଟାରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । ଏହା ୨୮ ତାରିଖ ଯାଏ ଚାଲିବ । ତେବେ ଫର୍ମ ଫିଲଅପ୍ ପାଇଁ ଜାନୁଆରି ୨୭କୁ ଫିସ୍ ଦାଖଲର ଶେଷ ଦିନ ରଖାଯାଇଛି । ଅନ୍ୟପକ୍ଷରେ ଜାନୁଆରି ୨୮ରୁ ଫେବୃଆରି ୧ ତାରିଖ ରାତି ୧୧ଟା ୪୫ ଯାଏ ଜରିମାନା ସହ ଫର୍ମ ଫିଲପ କରାଯାଇପାରିବ । ତେବେ ଜରିମାନା ସହ ଫର୍ମ ଫିଲଅପ୍‌ ଶେଷ ଦିନ ଫେବୃଆରୀ ୨ ତାରିଖ ରହିଛି । www.bseodisha.ac.in ୱେବସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି। ଏହାପରେ ଦଶମ ଶ୍ରେଣୀ ପିଲାମାନଙ୍କର ପ୍ରାକ୍ଟିକାଲ‍୍‌ ପରୀକ୍ଷାଗୁଡ଼ିକ ଅପ୍ରେଲ ୨୭ରୁ ମଇ ୨ ତାରିଖ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅପ୍ରେଲ ୨୯ରୁ ମଇ ୧୪ ତାରିଖ ପର୍ଯ୍ୟନ୍ତ ହେବ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ମଇ ୩ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମଇ ୧୫ରୁ ଜୁନ‍୍‌ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶନିବାର/ରବିବାରକୁ ମିଶାଇ ମୋଟ ୧୦୦ ଦିନ ପାଠ ପଢ଼ାଯିବ। ପାଠପଢ଼ା ନିମନ୍ତେ  ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍ ଅନୁସାରେ ସରକାରୀ ସାହାଯ୍ୟପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏହା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ସ୍ୱତନ୍ତ୍ର ରିଲିଫ‍୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିଦ୍ଦେର୍ଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ହେବ। ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ‍୍‌ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅନ‍୍‌ଲାଇନ‍୍‌ ଶିକ୍ଷାଦାନର ବ୍ୟବସ୍ଥା କରିଥିଲେ।

ଖୋଲିବ ହୋଟେଲ, ବାର୍ ଓ ବିୟର ପାର୍ଲର..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଆଜି ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, କ୍ଲବରେ ଥିବା ବାର ସମେତ ବିୟର ପାର୍ଲରକୁ ତତ୍କାଳ ପ୍ରଭାବରୁ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା କୌଣସି ଏଭଳି ବାର କିମ୍ବା ବିୟର ପାର୍ଲର ଖୋଲିବାକୁ ଅନୁମତି ମିଳିବ ନାହିଁ। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୩ ଅନ୍ତର୍ଗତ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ଲାଇସେନ୍ସ ସର୍ତ୍ତାବଳୀରେ ଧାର୍ଯ୍ୟ ସମୟ ଅନୁସାରେ ଏଣିକି ‘ବାର’ଗୁଡ଼ିକ ଖୋଲା ରହିବ। ସମସ୍ତ ‘ଅନ୍ ’ସପ୍ ବା ବାରଗୁଡ଼ିକୁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ ଜୁନ୍ ୪ତାରିଖରେ ଜାରି କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ଏସବୁ ପ୍ରତି ତୀକ୍ଷ୍ଣ ନଜର ରଖିବା ସହ କୋଭିଡ୍ ଗାଇଡଲାଇନ୍ ଓ ଅନ୍ୟାନ୍ୟ ପ୍ରାବଧାନକୁ ଯଦି କୌଣସି ଲାଇସେନ୍ସଧାରୀ ଉଲ୍ଲଘଂନ କରନ୍ତି ତା’ହେଲେ ସ୍ଥାନୀୟ ଜିଲ୍ଲାପାଳମାନେ ସେହି ବାରକୁ ବନ୍ଦ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ୭ତାରିଖରୁ ରାଜ୍ୟରେ ସମସ୍ତ ଆଇଏମଏଫଏଲ୍ ‘ଅଫ୍‌’ ଓ ‘ଅନ୍‌’ ସପ୍ ସମେତ ମଦର ହୋମ୍ ଡେଲିଭରୀକୁ ଅନୁମତି ଦେଇଥିଲେ। ମାତ୍ର ରେଷ୍ଟୁରାଣ୍ଟ, ହୋଟେଲ ଓ କ୍ଲବଗୁଡ଼ିକରେ ଥିବା ବାରକୁ ଖୋଲିବା ପାଇଁ ଅନୁମତି ମିଳିନଥିଲା।

ଧମକାଇଲେ ମିଲର! କ୍ୱିଣ୍ଟାଲ୍‌ ପିଛ ୨ କେଜି ନକାଟିଲେ ଧାନ ନେବୁନି..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସମବାୟ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ମିଲରଙ୍କ ମନମାନି। ଧାନ କିଣା ଶୁଭାରମ୍ଭ କରି ଅତିଥି ଗଲା ପରେ ଚାଷୀଙ୍କୁ ନାଲି ଆଖି ଦେଖାଇଲେ ମିଲର୍‌। ଆଉ କହିଲେ, କ୍ୱିଣ୍ଟାଲ୍‌ ପିଛା ଦୁଇ କେଜି ନକାଟିଲେ ଧାନ ନେବୁନାହିଁ ବୋଲି ମିଲର ଧମକ ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହାକୁ ଆଠଗଡ ବ୍ଲକ୍‌ ବଡଭୂଇଁ ଧାନ ମଣ୍ଡିରେ ଅସନ୍ତୋଷ ଦେଖା ଦେଇଛି। ପୂରା ଘଟଣାଟି ଏମିତି। ଆଠଗଡ଼ ବ୍ଲକ୍‌ ବଡ଼ଭୂଇଁରେ ଧାନ ମଣ୍ଡି ଖୋଲିଛି। ଆଜି ସକାଳେ ଏହି ଧାନମଣ୍ଡିରୁ ଧାନ କିଣା ଶୁଭାରମ୍ଭ କରିଥିଲେ କଟକ ଜିଲ୍ଲାର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା। ନେତାଙ୍କ ଯିବା ପରେ ଧାନ କଟାକଟିକୁ ନେଇ ମିଲର ଓ ଚାଷୀଙ୍କ ମଧ୍ୟରେ ଆରମ୍ଭ ହେଲା ବିବାଦ।। କ୍ୱିଣ୍ଟାଲ୍‌ ପିଛା ୨ କେଜି ଧାନ କିଣିବାକୁ ମିଲ୍‌ର ଜିଦ୍‌ ଧରି ବସିଥିଲେ। ହେଲେ ଚାଷୀମାନେ ଏଥିରେ ରାଜି ହୋଇନଥିଲେ। ପ୍ରତିବର୍ଷ ପରି ଏଥର କ୍ୱିଣ୍ଟାଲ୍‌ ପିଛା କେଜିଏ ଧାନ କାଟିବାକୁ କହିଥିଲେ। ହେଲେ ଚାଷୀଙ୍କ ଏହି ପ୍ରସ୍ତାବରେ ମିଲର୍‌ ରାଜି ହୋଇନଥିଲେ।ଜଣେ ଚାଷୀ କହିଛନ୍ତି-“ଧାନ ବିକ୍ରି କରିବା ପାଇଁ ଗତକାଲି ଟୋକନ୍‌ ମିଳିଥିଲା। ଆଜି ସକାଳେ ଚାଷୀମାନେ ଧାନ ଧରି ମଣ୍ଡିରେ ଗଦେଇଥିଲେ। ମିଲର୍‌ ୧୧ଟା ବେଳେ ଆସି କହିଲେ କ୍ୱିଣ୍ଟାଲ୍‌ ପିଛା ୨ କେଜି କାଟିବେ। ଆମେ ବିରୋଧ କଲୁ। ପ୍ରତିବର୍ଷ ପରି ଏଥର କ୍ୱିଣ୍ଟାଲ୍‌ ପିଛା କେଜିଏ ଲେଖାଏଁ କାଟିବାକୁ କହିଥିଲୁ। ମିଲର ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିଲେ। ଦୁଇ ଲେଖାଏଁ ଧାନ ନକାଟିଲେ ଧାନ ନେବୁନାହିଁ।”ଆଜି ୩୭ ଜଣ ଚାଷୀଙ୍କଠାରୁ ୮୦୦ କ୍ୱିଣ୍ଟାଲ ଧାନ ମଣ୍ଡିକୁ ଆସିଥିଲା। ଗ୍ରେଡ୍‌ ଟେଷ୍ଟ ପରେ ଧାନର ମାନ ଏକ ନମ୍ବର ଥାଇ ମଧ୍ୟ ମିଲର କ୍ୱିଣ୍ଟାଲ୍‌ ପିଛା  ଦୁଇ କେଜି ଧାନ କାଟିବା ପାଇଁ ଜିଦ ଧରିବାରୁ ପ୍ରଥମେ ଉତ୍ତେଜନା ଓ ପରେ ସମାଧାନ ନହେବାରୁ ଚାଷୀମାନେ ଟ୍ରକ୍‌ ଦୁଇଟି ଅଟକାଇ ରଖିଛନ୍ତି। ଏନେଇ ସୋସାଇଟ୍‌ ସେକ୍ରେଟାରି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଲିଙ୍ଗରାଜ ମନ୍ଦିରରେ କୋଭିଡ ଟେଷ୍ଟ ବାଧ୍ୟ ନୁହେଁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଏଣିକି କୋଭିଡ୍‌ ଟେଷ୍ଟ ଜରୁରୀ ନୁହେଁ। ବିନା ଟେଷ୍ଟରେ ମଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ସେ କହିଛନ୍ତି-“ଲିଙ୍ଗରାଜ ମନ୍ଦିର ପ୍ରବେଶ ପଥରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଯଦି କାହାର କୋଭିଡ୍‌ ଲକ୍ଷଣ ଦେଖା ଦିଏ, ତା ହେଲେ ଟେଷ୍ଟ କରାଯିବ। ତା’ସହିତ ସବୁ ବୟସର ଭକ୍ତ ମନ୍ଦିରକୁ ଯାଇ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ବିଏମ୍‌ସି କମିଶନର କହିଛନ୍ତି। ପୂର୍ବରୁ ମନ୍ଦିର ଖୋଲିଥିଲେ ମଧ୍ୟ ୧୦ ବର୍ଷରୁ କମ୍‌ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। କୋଭିଡ୍‌ ସ୍ଥିତିରେ ସାମାନ୍ୟ ସୁଧାର ପରେ କଟକଣା ଭିତରେ ଡିସେମ୍ବର ୨୭ରେ ଖୋଲିଥିଲା ଲିଙ୍ଗରାଜ ମନ୍ଦିର।ସୂଚନାରୁ ପ୍ରକାଶ, ଦୀର୍ଘ ୯ ମାସ ପରେ ଗତ ୨୭ ତାରିଖରେ ଖୋଲିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିଲା। ଏବେ ସମସ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି।

ପୁଲିସ୍‌ ଉପରେ ଭରସା ପାଉନି, ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- “୪ଟା ପିଲା ଗାଁ ଦାଣ୍ଡରେ ଖେଳୁଥିଲେ, ହେଲେ ହଠାତ୍‌ ମୋ ଝିଅ ଗାଏବ ହୋଇଗଲା। ଏହା ପଛରେ ନିହାତି ଗାଁର କେହି ସାମିଲ ଅଛନ୍ତି। ୬ ମାସ  ବିତିଲାଣି, ପୁଲିସ୍‌ କହୁଛି ତଦନ୍ତ ଚାଲିଛି।  ତଦନ୍ତ ଠିକ୍‌ ଭାବେ ହୋଇଥିଲେ ମୋ ଝିଅକୁ ମୁଁ ଫେରି ପାଇଥାନ୍ତି।  ହେଲେ ମୋ ଝିଅ ମିଳୁ ନ ଥିବାରୁ  ପୁଲିସ୍‌ ଉପରେ ଭରସା ପାଉନି।   କ୍ରାଇମବ୍ରାଞ୍ଚ ତଦନ୍ତ ହେଉ। ମୋ ଝିଅକୁ ସୁରକ୍ଷିତ ଭାବେ ଫେରାନ୍ତୁ।  ମୋ ଝିଅ କୋଉଠି ଥିବ, କେମିତି ଥିବ କ’ଣ ଖାଉଥିବ ଆମେ କିଛି ଜାଣି ପାରୁନି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ପଦାକୁ ଆସିବ।  ପୁଲିସ୍‌ ତଦନ୍ତ କରୁଛି ବୋଲି ପ୍ରତିଶ୍ରୁତି ଦେଉଛି। ହେଲେ ଫଳ ଶୂନ।  ଶେଷରେ ନିଜ ଝିଅ ପାଇଁ ନବୀନ ନିବାସ ସମ୍ମୁଖରେ ଧାରଣା ଦେବୁ।” ଏପରି ଚେତାବନୀ ଦେଇଛନ୍ତି  ଯାଜପୁର ଜିଲ୍ଲା ମଧୁସୁଦନପୁର ଗାଁରୁ ନିଖୋଜ ପିହୁର ପରିବାର ଲୋକେ। ଝିଅକୁ ଅନାଇ ଅନାଇ ୬ ମାସ ବିତିବା ପରେ ଶେଷରେ ପରିବାର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ମଧୁସୁଦନପୁର ଗାଁର ଲକ୍ଷ୍ମଣ ନାୟକଙ୍କ ୨ ବର୍ଷର ଝିଅ ଗତ ଅଗଷ୍ଟ ୯ ତାରିଖରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା । ଏନେଇ ତାଙ୍କ ମା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ । ହେଲେ  ପୁଲିସ୍‌   ଏହାକୁ ହାଲୁକା ଭାବେ ନେଇ ଏକ ନିଖୋଜ ମାମଲ ରୁଜୁ କରି ଚୁପ ହୋଇ ବସିଥିବା ଅଭିଯୋଗ ହୋଇଥିଲା । ପିହୁ ନିଖୋଜର ୪ ମାସ ପରେ ଘଟଣା ଗଣାମାଧ୍ୟମରେ ପ୍ରସାର ହେବା ପରେ ପୁଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଏହି ଘଟଣାର ତଦନ୍ତକାରୀ ଅଫିସରଙ୍କୁ ବଦଳାଯାଇ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ହେଲେ ଏବେ ବି ପିହୁ ସମ୍ପର୍କରେ ପୁଲିସ୍‌  କୌଣସି ସୁରାଗ ପାଇବାରେ ଅସମର୍ଥ ହୋଇଛି । ନିଖୋଜ ପିହୁକୁ ଫେରି ପାଇବା ଦାବିରେ ମା’, ବାପା ସମେତ ତାର ଆଇମା’  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଏନେଇ ପରିବାର ଲୋକେ ଆଗାମୀ ଦିନରେ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ‘ପିହୁ’ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବ୍ୟକ୍ତି ଏକ ବାଇକରେ ଆସି ଗାମୁଛରେ ବାନ୍ଧି ତାକୁ ନେଇ ଯାଇଥିଲେ। ଏନେଇ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଛି। ପୁଲିସ ପିହୁକୁ ଖୋଜୁ ନଥିବା ଅଭିଯୋଗ ହୋଇଛି। ସେପଟେ ପିହୁର ବାପା ବେଙ୍ଗାଲୁରୁରୁ ଆସି ସଙ୍ଗରୋଧରେ ଥିବାରୁ ଝିଅକୁ ଖୋଜି ପାରିନଥିଲେ। ନୟାଗଡ଼ର କୁନି ଝିଅ ‘ପରୀ’ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ  ୨ ବର୍ଷର କୁନି ଝିଅ ‘ପିହୁ’ ଗାଁରେ ଦାଣ୍ଡରେ ଖେଳୁଥିବା ବେଳେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଥଇଲା।  ପ୍ରାୟ ୬ ମାସ ପରେ ବି ପୁଲିସ କୌଣସି ସୁରାଗ ପାଇପାରୁ ନ ଥିବାରୁ  ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଥିବା ଅଭିଯୋଗ ହେଉଛି।

ଆଜିଠୁ ଚିଲିକାରେ ପକ୍ଷୀ ଗଣନା …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ଆଜି ଚିଲିକା ହ୍ରଦରେ ଆରମ୍ଭ ହୋଇଛି ପକ୍ଷୀ ଗଣନା ।  ସକାଳ ୬ଟା ଆରମ୍ଭ ହୋଇଛି ଏହି ପକ୍ଷୀ ଗଣନା କାର୍ଯ୍ୟ ।  ଏଥିପାଇଁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି ଟିମ୍‌ ଗଠନ କରାଯାଇଛି।  ଏଥିରେ ୧୧୧ ଜଣ  ସଦସ୍ୟ ରହିଛନ୍ତି । ଏଥିରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ୨୧ଟିମ ମଧ୍ୟରୁ ୧୯ଟି ଟିମ୍‌ ଜଳଭାଗରେ ଏବଂ ୨ଟି ଟିମ୍ ସ୍ଥଳଭାଗରେ ଗଣନା କାର୍ଯ୍ୟ କରିବେ । ପକ୍ଷୀ ଗଣତି ନେଇ ଚିଲିକା ଡେଭଲପମେଣ୍ଟ ଅଥରିଟି CDA କାର୍ଯ୍ୟାଳୟରେ ଏ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।  ଏଥିରେ ସଦସ୍ୟମାନଙ୍କୁ ପକ୍ଷୀ ଗଣନା ବିଷୟରେ ସୂଚନା ଦିଆଯାଇଥିଲା। ସମଗ୍ର ଚିଲିକା ତଥା ପକ୍ଷୀ ଅଭୟାରଣ୍ୟ ନଳବଣରେ ମୋଟ ପକ୍ଷୀଙ୍କ ପ୍ରଜାତି  ଓ ସଂଖ୍ୟା ନିର୍ଦ୍ଧାରଣ ପାଇଁ  ଏହି ଗଣନା  ଆରମ୍ଭ ହୋଇଥିବା ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ୨ଟି ପଦ୍ଧତିରେ ଏହି ପକ୍ଷୀ ଗଣନା କରାଯାଏ। ପ୍ରଥମ ପଦ୍ଧତି ହେଲା ଏକକ ପଦ୍ଧତି।  ଏଥିରେ ଚିଲିକା ମଧ୍ୟରେ ଯେଉଁଠି ଅଳ୍ପ ସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାନ୍ତି ସେଠାରେ କ୍ରମିକ ସଂଖ୍ୟା ଅନୁଯାୟୀ, ପକ୍ଷୀ ସଂଖ୍ୟା ଓ ପ୍ରଜାତି ଗଣନା ହୁଏ। ଦ୍ୱିତୀୟ ପଦ୍ଧତି ହେଲା ବ୍ଲକ ପଦ୍ଧତି। ଏହି ପଦ୍ଧତିରେ ଯେଉଁଠି ପକ୍ଷୀ ଗଣନା କରି ହୁଏ ନାହିଁ ଏବଂ ଅସଂଖ୍ୟା ସଂଖ୍ୟାରେ ସମାଗମ ହୋଇଥାନ୍ତି ସେଠାରେ ବାଇନାକୁଲାର ପରଧି ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ଗୋଟିଏ ବ୍ଲକ ତିଆରି କରାଯାଏ। ଏହିପରି ଏକାଧିକ ବ୍ଲକ କରି  ପକ୍ଷୀଙ୍କ ପ୍ରଜାତି ଓ ସଂଖ୍ୟାର ମିଶ୍ରଣ କରାଯାଏ।

ଜାଣନ୍ତୁ , ଶୀତ ଦିନେ ‘ପାଳଙ୍ଗ ଡାଲି’ ଖାଇଲେ କ’ଣ ହେବ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ‘ପାଳଙ୍ଗ ଡାଲି’ ନାଁ ଶୁଣିଲେ ଅନେକ ଲୋକଙ୍କ ମୁହଁରେ ପାଣି ଆସିଯାଏ। ପାଳଙ୍ଗ ଶାଗ ପକାଇ ତିଆରି କରାଯାଇଥିବା ଡାଲି ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହୀତକର। ଗରମରେ ରୋଷେଇ ହେବା ସତ୍ତ୍ୱେ ବି ପାଳଙ୍ଗର ପୁଷ୍ଟିକର ଗୁଣ ବଜାୟ ରହିଥାଏ। ଏହାକୁ ଶୀତ ଦିନେ ଖାଇଲେ ଶୀରରକୁ ଅନେକ ଲାଭ ମିଳିଥାଏ। ଡାକ୍ତରମାନେ ମଧ୍ୟ ଶୀତଦିନେ ପ୍ରଚୁର ମାତ୍ରାରେ ପାଳଙ୍ଗ ଶାଗ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ପାଳଙ୍ଗ ଅପେକ୍ଷା ପାଳଙ୍ଗ ଡାଲି ଖାଇଲେ ଆମ ଶରୀରକୁ ଦ୍ୱିଗୁଣ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଶୀତ ଦିନେ ପାଳଙ୍ଗ ଡାଲି ଖାଇଲେ କ’ଣ ସବୁ ଫାଇଦା ମିଳେ।

  • ପାଳଙ୍ଗ ଡାଲି ଖାଇବା ଦ୍ୱାରା ଆମ ଶରୀରର ପାଚନକ୍ରିୟା ସୁସ୍ଥ ରହିଥାଏ। ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ। ଯଦି ଆପଣ ଶୀତ ଦିନେ ପାଳଙ୍ଗ ଡାଲି ଖାଉଛନ୍ତି ତେବେ ଏକାସହ ଏହି ଦୁଇଟି ଲାଭ ଉଠାଇ ପାରିବେ।
  • ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବା ପାଇଁ ଶୀତ ଦିନେ ସର୍ବଦା ନିଜ ଡାଇଟରେ ପାଳଙ୍ଗ ଡାଲି ନିଶ୍ଚିତ ରୂପେ ସାମିଲ କରନ୍ତୁ। ଡାଲି ଏବଂ ପାଳଙ୍ଗରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡେଣ୍ଟ ରହିଛି। ଏହା ଆମର ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବା ସହ, ଯେ କୌଣସି ବି ପ୍ରକାରର ସଂକ୍ରମଣ ସହ ଲଢ଼ିବାରେ ସହାୟକ ହୁଏ। ପାଳଙ୍ଗରେ ଭିଟାମିନ-ଇ ଭରପୁର ମାତ୍ରାରେ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବରେ କାମ କରେ।
  • ପାଳଙ୍ଗ ଶରୀରରେ ଦେଖାଦେଉଥିବା ରକ୍ତ ଅଭାବ ସମସ୍ୟାକୁ ଦୂର କରିଥାଏ। ଗର୍ଭବତୀ ମହିଳାଙ୍କ ଶରୀରରେ ଆଇରନ ଅଭାବ ଯୋଗୁଁ ଦେଖାଯାଉଥିବା ଦୁଷ୍ପ୍ରଭାବରୁ ରକ୍ଷା ପାଇଁ ପାଳଙ୍ଗ ଡାଲି ବା ପାଳଙ୍ଗର ଜୁସ ପିଇବା ପାଇଁ ଅଧିକାଂଶ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାଦ୍ୱାରା ସେମାନଙ୍କ ଶରୀରରେ ଆଇରନର ଅଭାବ ଦୂର ହେବା ସହ ନୂଆ ରକ୍ତ ମଧ୍ୟ ତିଆରି ହୋଇଥାଏ।
  • ପାଳଙ୍ଗରେ ଭିଟାମିନ ଏବଂ ଡାଲିରେ ପ୍ରୋଟିନ ଭରପୁର ମାତ୍ରାରେ ରହିଛି। ଏଥିପାଇଁ ପାଳଙ୍ଗ ଡାଲି ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ। ଶରୀରର ମାଂସପେଶୀକୁ ମଜଭୁତ କରିବା ପାଇଁ ମଧ୍ୟ ପାଳଙ୍ଗ ଡାଲି ବେଶ ଲାଭଦାୟକ।
  • କେବଳ ଶରୀରକୁ ପାଳଙ୍ଗ ଡାଲି ପ୍ରୋଟିନ ପହଞ୍ଚାଇଥାଏ ତାହା ନୁହେଁ, ଏହା ତ୍ୱଚାର ସୁନ୍ଦରତାକୁ ମଧ୍ୟ ବଢ଼ାଇଥାଏ। ପାଳଙ୍ଗ ଡାଲିରେ ଲେମ୍ବୁ ରସ ପକାଇ ପିଇବା ଦ୍ୱରା ତ୍ୱଚାର ଚମକ ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣିତ ହୋଇଯାଇଥାଏ।
  • ନିଜ ଡାଇଟ ପ୍ଲାନରେ ପ୍ରତିଦିନ ଏକ କପ୍ ପାଳଙ୍ଗ ଡାଲି ସାମିଲ କରନ୍ତୁ। ଏହା ଆଣ୍ଟି-ଅକ୍ସିଡେଣ୍ଟ ଭଳି କାମ କରେ ଏବଂ ତ୍ୱଚାର ରଙ୍ଗକୁ ସୁଧାରିବା ପାଇଁ ସହାୟକ ହୋଇଥାଏ। ବ୍ରଣ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଆପଣ ପାଳଙ୍ଗ ଖାଇପାରିବେ। ପାଳଙ୍ଗରେ ଥିବା ଆମିନୋ ଏସିଡ ସ୍କିନ ଏଜିଂ ସମସ୍ୟାକୁ ଦୂର କରିଥାଏ।
  • ଥକାପଣ ଦୂର କରିବା ପାଇଁ ଆପଣ ଚାହିଁଲେ ପାଳଙ୍ଗ ଡାଲି ଖାଇପାରିବେ। ପାଳଙ୍ଗରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିଅମ ରହିଛି ଏବଂ ଡାଲିରେ ଭରପୁର ପ୍ରୋଟିନ। ତେଣୁ ଏହାକୁ ଏକାଠି ଖାଇବା ଦ୍ୱରା ମାଂସେପଶୀକୁ ଆରାମ ମିଳିଥାଏ ବୋଲି ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି।
  • ସେହିପରି ପାଳଙ୍ଗ ଡାଲି ଓଜନ କମ୍ କରିବାରେ ମଧ୍ୟ ବେଶ ଲାଭଦାୟକ। ପାଳଙ୍ଗରେ ଓଜନ କମ୍ କରିବା ଗୁଣ ରହିଛି। କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ହୋଇଥବା ଯୋଗୁଁ ଏହା ଆପଣଙ୍କ ବଢ଼ୁଥିବା ଓଜନକୁ ରୋକିବାରେ ସହାୟକ ହୁଏ। ଅଧିକାଂଶ ଲୋକ ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ପାଳଙ୍ଗ ଡାଲିର ସେବନ କରିଥା’ନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି।
  • ସଂକ୍ରମଣରୁ ବଞ୍ଚିବା ପାଇଁ ଡାଲି ଏବଂ ସବୁଜ ପନିପରିବା ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ପାଳଙ୍ଗରେ ଭରପୁର ମାତ୍ରାରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି । ଫଳରେ ଏହା ଖାଇବା ଦ୍ୱାରା ଶରୀରରେ ସଂକ୍ରମଣ ଆଶଙ୍କ କମ୍ ହୋଇଥାଏ।
୧୨ କୋଟି ଟଙ୍କାରେ ନୂଆ ରୂପ ପାଇଲା ରାମଲିଙ୍ଗେଶ୍ୱର ଜଳାଶୟ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)-ବ୍ରହ୍ମପୁର ସହରର ୮ଏକର ପରିମିତ ଜମିରେ ଥିବା ପ୍ରାଚୀନ ପବିତ୍ର ପୁଷ୍କରଣୀ ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜଳାଶୟକୁ ଉଦଘାଟନ କରିଛନ୍ତି। ୨୦୧୭ ମସିହାରେ ୧୨କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଜଳାଶୟର ମଧ୍ୟଭାଗରେ ଭଗବାନ ଶଙ୍କରଙ୍କ ୩୫ଫୁଟ ଉଚ୍ଚତା ବିଶିଷ୍ଟ ସୁଦୃଶ୍ୟ ପ୍ରତିମୂର୍ତ୍ତି ଶୋଭା ପାଉଥିବାବେଳେ ଚାରିପଟେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ଗଢ଼ି ତୋଳିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଜଳାଶୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଉଦଘାଟନ କରି ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଓ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବାକୁ ବ୍ରହ୍ମପୁରବାସୀଙ୍କୁ ଆହ୍ୱାନ କରିଥିଲେ। ଏହି ଜଳାଶୟ ଓ ପାର୍କ ଆଜି ଗଞ୍ଜାମ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ସହର ପାଇଁ ୪୨କୋଟି ଟଙ୍କା ବ୍ୟୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଙ୍ଗ ରୋଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡ଼ିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ଏହି ଜଳାଶୟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦଘାଟନୀ ଉତ୍ସବରେ ଚିତାକର୍ଷକ ଆତସବାଜି, ଶିବତାଣ୍ଡବ ସ୍ତୋତ୍ରର ତାଳେତାଳେ ଲେଜର ଲାଇଟ୍ ପ୍ରଦର୍ଶନୀ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସମେତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ବିକ୍ରମ ପଣ୍ଡା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।